Unknown

 

 

 

 

 

 

 

 

ନୀଳ ନିଶୀଥର ତାରା

 

ମୂଳ ରଚନା : ପାର୍ଲ.ଏସ୍‌.ବକ୍‌

 

ଅନୁବାଦ

ଅଧ୍ୟାପିକା ପ୍ରତିଭା ଶତପଥୀ

 

ପଦେକଥା

 

ମାର୍କିନ୍‌ ସାହିତ୍ୟିକା ପର୍ଲ ଏସ୍‌.ବକ୍‌ ପ୍ରାଚ୍ୟ ଦେଶମାନଙ୍କରେ ଜଣେ ଅତି ପରିଚିତା ବହୁ-ପଠିତ କଥାକାର । ‘ଗୁଡ଼୍‌ଆର୍ଥ’ ପାଇଁ ନୋବେଲ ପୁରସ୍କାର ପାଇବା ପୂର୍ବରୁ ମଧ୍ୟ ସେ ତାଙ୍କ ପୁସ୍ତକଗୁଡ଼ିକର ଚରିତ୍ରମାନଙ୍କ ପାଇଁ ପ୍ରାଚ୍ୟ ଭୂଖଣ୍ଡରେ ଆଦୃତ ହୋଇ ସାରିଥିଲେ । ଅଧିକାଂଶ ଉପନ୍ୟାସରେ ସେ ଦ୍ୱିତୀୟ ପୃଥିବୀ-ମହାଯୁଦ୍ଧର ପ୍ରତିଘାତଜନିତ ସମସ୍ୟାକୁ ଅତି ସମ୍ୱୋଦନ ଓ ସହୃଦୟତାର ସହିତ ଅବତାରଣା କରିଛନ୍ତି । ବିଶେଷତଃ ଯୁଦ୍ଧ ଖାଲି ବୈଷିୟିକ କ୍ଷୟକ୍ଷତି ଆଣେ ନାହିଁ ଓ ରାଜ୍ୟର ବିକାଶକୁ ପଙ୍ଗୁ କରିଦିଏ ନାହିଁ—ମଣିଷର ମନରାଜ୍ୟରେ ଓ ତାର ସୂକ୍ଷ୍ମାତିସୂକ୍ଷ୍ମ ଅନୁଭୂତି ରାଜିକୁ ମଧ୍ୟ ଦୋହଲେଇ ଦିଏ—ଏହି କାରୁଣ୍ୟ ତାଙ୍କ ଉପନ୍ୟାସର ଚରିତ୍ରଗୁଡ଼ିକ ମଧ୍ୟରେ ଏକ ମାନବବାଦୀ ଭୂମିକା ସୃଷ୍ଟି କରିଛି । ନିଜେ କଥାକାର ଚରିତ୍ରଗୁଡ଼ିକ ପ୍ରତି ଅନାସକ୍ତ ରହି ପାରିନାହାନ୍ତି । ତେଣୁ ପ୍ରତ୍ୟେକ ଚରିତ୍ରର ଅନ୍ତରାଳରେ ଏହି ମହିୟସୀ ପାଶ୍ଚାତ୍ୟ ମହିଳାଙ୍କ ସମମର୍ମୀତା ଓ ସହାନୁଭୂତିଶୀଳତା ବିଦ୍ୟମାନ୍‌ । ପ୍ରେମ, ପ୍ରଣୟ ଓ ଏହାର ବ୍ୟର୍ଥତାଜନିତ ହତାଶା ଓ ଅଶ୍ରୁ ଭିତରେ ଗୋଟିଏ ଛୋଟକଥା କହିବାକୁ ଯାଉଥିଲାବେଳେ ପ୍ରତ୍ୟେକ ପଙ୍‌କ୍ତିରେ ପର୍ଲ.ଏସ୍‌.ବକ୍‌ଙ୍କ ଶିଳ୍ପରେ ସର୍ବକାଳୀନ ମାନବାତ୍ମାର ବିଲୋଳ ବ୍ୟାକୁଳତା ଫୁଟିଉଠିଛି । କେବଳ ପାଶ୍ଚାତ୍ୟ ଚଳଣୀ ଓ ଚାହିଦାର ନୁହେଁ—ପ୍ରାଚ୍ୟ ଜୀବନ ଓ ଆଚାରକୁ ଟିକିନିଖି ଭାବରେ ବିଶ୍ଳେଷଣ କରିବାରେ ଏହି ମାର୍କିନ ମହିଳା ଆୟାସସାଧ୍ୟ ପ୍ରଚେଷ୍ଟା କରିଛନ୍ତି—ଏଥିପାଇଁ ସେ ଆମମାନଙ୍କ ପାଖରେ ଜଣେ ଭାରତୀୟ ଲେଖକ ପରି ଅତି ଆଦରଣୀୟା ।

 

‘ନୀଳ ନିଶୀଥର ତାରା’ ‘The Hidden Flower’ର ଆକ୍ଷରିକ ଶୀର୍ଷକ ନୁହେଁ । ଏହା ଏକ ଭାଗବତ ନାମାଙ୍କନ । ନୀଳ ଆକାଶ ଓ ଅନ୍ଧକାର ରାତ୍ରିରେ ଏହି ଏଜଣା ତାରାଟି କେଡ଼େ ଅସହାୟ ସତେ ! ଚତୁର୍ଦ୍ଦିଗରେ ଛାୟାପଥ ଓ ଅସଂଖ୍ୟ ଖୁନ୍ଦାଖୁନ୍ଦି ତାରକାରାଶିର ସମାରୋହ ଏକ ବିଚିତ୍ର ବର୍ଣ୍ଣାଳୀ, କିନ୍ତୁ ଏଇ ତାରାଟି ଆକାଶର କେଉଁ ଅନୁକୋଣରେ ତାର ସମସ୍ତ ହତାଶା ଓ ଅନୁଶୋଚନା ନେଇ ସତେ ଅବା ଆଲୋକର ରୋଷଣଣୀଠାରୁ ପରିତ୍ୟକ୍ତ । ଜୀବନର ଅସରନ୍ତି ସମ୍ଭାବନା ପୁଣି ପରିସ୍ଥିତିରେ ପ୍ରବଳ ପ୍ରର୍ବଚନା—ଏହାରି ଝଡ଼ ଭିତରେ ବିଶ୍ୱଶିଶୁ ‘ଲେନି’ର ଜନ୍ମ । ଅପାଙ୍‌କ୍ତେୟ ଏଇ ଶିଶୁର ଆତ୍ମ ପରିଚୟ ଦେବାର ଅହଙ୍କାର ନାହିଁ । ପିତୃମାତୃ ପରିତ୍ୟକ୍ତା ଏ ଶିଶୁ ନିରାଲମ୍ୱ ଜୀବନ ଯାତ୍ରାର ଏକଣା ପଦଯାତ୍ରୀ ।

 

ଜାପାନୀ ତରୁଣୀ ଓ ଆମେରିକାର ଯୁବକ ମଧ୍ୟରେ ପ୍ରେମ ଓ ପରିଣୟର ଏହି ଅଶ୍ରୁ ମୁଖର କାହାଣୀଟି ପାଠକମାନଙ୍କ ଦ୍ୱାରା ଆଦୃତ ହେଲେ ମୋ ଶ୍ରମ ସାର୍ଥକ ହୋଇଛି ବୋଲି ମନେ କରିବି । ଅନୁବାଦ ମାଧ୍ୟମରେ ବିଶ୍ୱସାହିତ୍ୟର ଏଇ ପ୍ରାଣଉଚ୍ଛଳ ମୋର ଏଇ ସାମାନ୍ୟତମ ଉଦ୍ୟମ ପାଠକମାନଙ୍କ ଆଗ୍ରହ ଓ ଆଦରର ଅପେକ୍ଷା ରଖେ ।

 

ଫ୍ରେଣ୍ଡସ୍‌ ପବ୍‌ଲିଶସ୍‍ର ସଂଚାଳକ ଶ୍ରୀ ସହଦେବ ପ୍ରଧାନ ଏହାର ପ୍ରକାଶ ଦାୟିତ୍ୱ ନେଇଥିବାରୁ ଓ ପର୍ଲ.ଏସ୍‌.ବକ୍‌ଙ୍କ ଭାରତୀୟ ସ୍ୱତ୍ୱାଧୀକାରୀ ଲକ୍ଷ୍ମୌର Literature Palace ଏହି ଅନୁବାଦ ନିମନ୍ତେ ସଦୟ ଅନୁମତି ଦେଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।

 

ଶ୍ରୀମତୀ ପ୍ରତିଭା ଶତପଥୀ

ଦଶହରା, ୧୯୭୧

Image

 

Unknown

ନୀଳ ନିଶୀଥର ତାରା

 

ନିର୍ଜନ ଉଦ୍ୟାନଟିଏ ! ଜଳପ୍ରପାତର ଉଚ୍ଛଳ ଶଦ୍ଦ ହେତୁ ଉଦ୍ୟାନର ପାଚେରୀ ସେପଟୁ ପାଦଶଦ୍ଦ ସୁଦ୍ଧା ଶୁଭେ ନାହିଁ । ଏଇ ନୀରବତା ସତେ ଯେପରି ଉଦ୍ୟାନର ପ୍ରତ୍ୟେକ ବିଭବ ଭଳି ଇଚ୍ଛାପ୍ରସୂତ; ତଥାପି ଉଦ୍ୟାନ ସାରା ପ୍ରକୃତି ରାଜତ୍ୱ କଲା ପରି ଜଣାଯାଏ । ରାସ୍ତା ପାଖକୁ ଲାଗିଥିବା ବଗିଚାରେ ସେହିପରି ଅତି ଆଧୁନିକ ଉପାୟରେ ପାଇପ୍‌ ସାହାଯ୍ୟରେ ପାଣି ଉଠାଯାଇଚି—ଜଳଧାର ପାହାଡ଼ ପଛପଟେ ଛପିଯାଇଚି; ଝରଣାଟିଏ ଶିଖରରୁ ଗଡ଼ି ଆସିଲା ଭଳି ଦିଶୁଚି । ଉଚ୍ଚ ପଥର ପାଚେରୀ କଡ଼ ବାଉଁଶବୁଦା ତଳେ ଅଧାଅଧି ଛପିଯାଇଥିବା ପାହାଡ଼ର ତଳ ଅଂଶଟି ଏପରି ତିଆରି ହୋଇଚି ଯେ ସହରର ପଛପଟେ ଗୋଟିଏ ପର୍ବତମାଳା ଭଳି ସୁନ୍ଦର ଦିଶୁଚି । ଏହି ପାହାଡ଼ର ଉପର ଅଂଶରୁ ଜଳପ୍ରବାହ ଅତି ଉଚ୍ଚ ଶଦ୍ଦ କରି ସ୍ତର ହୋଇ ଗୋଟିଏ ଗଭୀର ପୁଷ୍କରିଣୀରେ ଅଜାଡ଼ି ହୋଇପଡ଼ୁଚି । ବୟସରେ ଭିତରେ ନିଜର ପ୍ରତିବିମ୍ୱ ଦେଖୁଚନ୍ତି । ମାତ୍ର ତିନୋଟି ଗଛ ହେଲେ ବି ଦୂରରୁ ଏମାନେ ଏକ ପାଇନ୍‌ ଜଙ୍ଗଲର ଭ୍ରମ ଆଣୁଚନ୍ତି ।

 

ବଗିଚାର ଉତ୍ତରରେ ଥିବା ଘରଟି ପୂରାପୂରି ଜାପାନୀ କାଇଦାରେ ତିଆରି । ଘରଗୁଡ଼ିକ ଲମ୍ୱା କିନ୍ତୁ ଛାତଗୁଡ଼ିକ ଟିକିଏ ଆନତ । ଘରର କୋଣଗୁଡ଼ିକ ବାଉଁଶ ତିଆରି କାଗଜର; କାନ୍ଥ ସବୁ ପର୍ଦ୍ଦା । ପରି ଦିଶୁଚି । କାଠତିଆରି ଘର ଚିକ୍‌କଣ ଓ ଧୂସର । କୌଣସି ରଙ୍ଗ ସେଥିରେ ବୋଳା ଯାଇନି । ସହଜେ ବସନ୍ତଋତୁ, ଏଇ ନରମ କାଠ ଉପରେ ମାଡ଼ିଥିବା ଆଜାଲିଆ ଲଟାରେ ଫୁଲ ଫୁଟିଚି । ସୂର୍ଯ୍ୟକିରଣରେ ଉଜ୍ଜ୍ୱଳ ହୋଇ ଫୁଲଗୁଡ଼ିକ କେତେବେଳେ ପାଟଳ, କେତେବେଳେ ବା ଗାଢ଼ ହଳଦିଆ ଓ କମଳା ରଙ୍ଗର ଦିଶୁଚନ୍ତି ।

 

ଦି’ପହର ବେଳା ସୋଏତନ ସାକାଇ ତାଙ୍କ ଲେଖିଥିବା ପାଣ୍ଡୁଲିପିଟି ପଢ଼ୁ ପଢ଼ୁ ମୁଣ୍ଡ ଟେକି ଖୋଲା ଦରଜା ବାଟେ ବାହାରକୁ ଚାହିଁଲେ । ତାଙ୍କୁ ବଗିଚାଟି ଅସମ୍ଭବ ସୁନ୍ଦର ଦେଖାଗଲା । ନିଜର ଲମ୍ୱା ଗୋଡ଼ ଦୁଇଟିର ଦକ୍ଷତା ପାଇଁ ମନେ ମନେ ସୁନ୍ଦର ଦେଖାଗଲା । ନିଜର ଲମ୍ୱା ଗୋଡ଼ ଦୁଇଟିର ଦକ୍ଷତା ପାଇଁ ମନେ ମନେ ଗର୍ବ କରୁ କରୁ କଲମଟି ରଖି ଦେଇ ସେ ଚଟାଣ ଉପରୁ ଉଠିଲେ । ଆମେରିକା । ଯୁକ୍ତରାଷ୍ଟ୍ରରେ ଯୌବନ କଟାଇବା ପରେ ନିଜ ଲୋକଙ୍କ ଜୀବନଧାରାକୁ ପୁଣି ଫେରି ଆସିବାକୁ ତାଙ୍କୁ ଅନେକ ଦିନ ଲାଗିଥିଲା । ପ୍ରଥମେ ତ ଗୋଡ଼ ଦୁଇଟି ଭାଙ୍ଗି ଛୋଟ ଟେବୁଲ ପାଖରେ ବସି ଘଣ୍ଟା ଘଣ୍ଟା ଧରି ଲେଖିବାକୁ ଅସହ୍ୟ ବୋଧ ହେଉଥିଲା । ସେ କିନ୍ତୁ ଏଇଆ କରିବେ ବୋଲି ସ୍ଥିର କରି ନେଇଛନ୍ତି, ଠିକ୍‌ ଯେମିତି ସେ ଦେଶରୁ ନିଜର ସମସ୍ତ ସଂପର୍କ ଛିନ୍ନ କରି ଜନ୍ମଭୂମିକୁ ଫେରିଆସିବାକୁ ସେ ଦୃଢ଼ ସିଦ୍ଧାନ୍ତ କରି ନେଇଥିଲେ ।

 

ସେ ଅତ୍ୟନ୍ତ ଅଭିମାନୀ ଥିଲେ । ଆରିଜୋନାର ଅବରୁଦ୍ଧ ଶିବିର ତାଙ୍କୁ ଅତି ଅସହ୍ୟ ବୋଧ ହେଉଥିଲା ତେଣୁ ନିଜ ଜନ୍ମଭୂମିକୁ ସେ ଅଧିକ ପସନ୍ଦ କରିଥିଲେ । ସେମାନେ ତାଙ୍କୁ ଦୁଇଟି ଦଳରୁ କୌଣସି ଏକ ଦଳ ଭୁକ୍ତ ହେବାକୁ କିମ୍ୱା ଜାପାନକୁ ଫେରିଯିବାକୁ ସ୍ୱାଧୀନତା ଦେଇଥିଲେ । ଶେଷରେ ସେ ଜାପାନକୁ ଫେରିଯିବାକୁ ହିଁ ପସନ୍ଦ କଲେ ।

 

ତାଙ୍କର ବିପୁଳ ଆତ୍ମଚେତନା ତାଙ୍କୁ ନିଜ ପୂର୍ବପୁରୁଷମାନଙ୍କ ପ୍ରତି ଅଧିକ ଆସକ୍ତ କରିଥିଲା । କିଓଟୋ ସହରର ବାହାରେ କାଜୁକୋ ପରିବାରର ପୁରାତନ ବାସଗୃହକୁ ସେ କିଣିଲେ-। ଚୀନ୍‌ର ମୁକ୍ତିଯୁଦ୍ଧରେ ପୁଅମାନଙ୍କୁ ବଳି ଦେଇ କାଜୁକୋ ପରିବାର ଶେଷରେ ନିଃଶେଷ ହୋଇ ଯାଇଥିଲା । ନିଜେ ବ୍ୟାରେନ୍‌ କ୍ଷୁସୁ ଦ୍ୱୀପରେ ଅନ୍‌ଜେନ୍‌ ପର୍ବତ ଶିଖରରେ ବୌଦ୍ଧଆଶ୍ରମରେ ଶେଷଜୀବନ ବିତାଇଲେ । ତାଙ୍କ ସ୍ତ୍ରୀ ବାପ ଘରକୁ ଚାଲିଗଲେ । ଏକଦା ଆଭିଜାତ୍ୟ ସଂପନ୍ନ କାଜୁକୋ–ରିବାର ଶେଷରେ ନିଶୂନ୍‌ ହୋଇଗଲା । ସେଇ ଘରେ ଆସି ରହିଲେ ସୋଏତନ ସାକାଇ, ତାଙ୍କ ସ୍ତ୍ରୀ ଏବଂ ଝିଅ ଜୋସୁ । ଆମେରିକା ଛାଡ଼ିଲାବେଳେ ତାଙ୍କର ପୁଅଟିଏ ଥିଲା; କେନ୍‌ସନ ଜୋସୁଠାରୁ ପାଞ୍ଚ ବର୍ଷ ବଡ଼ । ସେ ଜାପାନକୁ ଆସିବାକୁ ରାଜି ହେଲା ନାହିଁ । ସେ ଏକ ସେନାଦଳଭୁକ୍ତ ହୋଇ ସ୍ୱେଚ୍ଛାରେ ଯୁଦ୍ଧକୁ ଯାଇଥିଲା । ପରେ ଇଟାଲୀରେ ମୃତ୍ୟୁବରଣ କଲା ।

ପୁଅର ମୃତ୍ୟୁ ଡକ୍ଟର ସାକାଇଙ୍କ ମନକୁ ଜାପାନ ପ୍ରତି ଅଧିକ ଆସକ୍ତ କରିଥିଲା । କିଓଟୋ ସହର ଯୁଦ୍ଧରେ ନଷ୍ଟ ହୋଇଗଲା; ମାତ୍ର କେତେକ ଆଧୁନିକ ଧରଣର କୋଠାକୁ ବାଦ୍‌ ଦେଲା ପୁରାତନ ରାଜଧାନୀଟି ହଜାର ହଜାର ବର୍ଷ ଧରି ଯେପରି ଥିଲା, ସେହିପରି ଠିଆ ହୋଇ ରହିଲା । ହିଗାସି–ହନ୍‌ଖାନ୍‌–ଜି ମନ୍ଦିର ଭଳି ପୁରୁଣା ତୀର୍ଥସବୁ କିମ୍ୱା ମୋଟା ଛାତ ଥିବା ଖାନ୍‌ଦାନ୍‌ ଘରଗୁଡ଼ିକ ଏଥିରୁ ବାଦ୍‌ ଗଲାନାହିଁ । ସାତପୁରୁଷୀ ଜନ୍ମମାଟିର ଆବ୍ରୁ, ସ୍ୱରୂପ ଏଇ ଘରର ବଗିଚା ଡକ୍ଟର ସାକାଇଙ୍କୁ ମିଳିଥିଲା ଏବଂ ଏଇ ବଗିଚା ତାଙ୍କୁ ପାହାଡ଼, ପାଣି, ଚାରାଗଛ ଓ ଶିଉଳି ପ୍ରଭୃତି ବିଷୟରେ ଅନେକ ଧାରଣା ଦେଇଥିଲା । କାଟସୁରା ସାମ୍ରାଜ୍ୟର ବହିର୍ଭୂତ ଉଆସରେ ଥିବା ସୋକିନ୍‌ଟାଇ ଘରର ବଗିଚା, ଝରଣାପାଣି, ପୋଲ, ପାହାଡ଼ ଆଉ କଟାଗଛ ସବୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସୁନ୍ଦର ଦିଶୁଥିଲା ଏବଂ ବୁଦିବୁଦିକିଆ କିଆଗଛଗୁଡ଼ିକ ସତେ ଯେପରି ନିକଟ ଓ ଦୂରର ଯୋଗସୂତ୍ର ରୂପେ ଠିଆ ହୋଇଥିଲା ।

ଯୁଦ୍ଧସରି ଆସିଲାବେଳକୁ ସେ ବିଜୟୀଗୋଷ୍ଠୀ ଏବଂ ତାଙ୍କ କମାଣ୍ଡର୍‍ମାନଙ୍କ ଠାରୁ ବିଚ୍ଛିନ୍ନ ହୋଇଗଲେ । ସହରରେ ପାଶ୍ଚାତ୍ୟ ଭେଷଜ ବିଦ୍ୟାରେ ଜଣେ ବିଶିଷ୍ଟ ଡ଼ାକ୍ତର ଭାବେ ପ୍ରତିଷ୍ଠିତ ହୋଇଥିବାରୁ ତାଙ୍କ ସ୍ଥାନ ଏଠାରେ ନିରାପଦ ଥିଲା । ତାଙ୍କୁ ବାଦ୍‌ ଦେଲେ ଲୋକେ ଚଳିପାରିବେ ନାହିଁ । ତାଙ୍କ ପାଖକୁ ଆସୁଥିବା ସବୁ ଲୋକଙ୍କର ସେ ପ୍ରାୟ ସମାନ ଯତ୍ନ ନେଉଥିଲେ; କିନ୍ତୁ ବାସ୍ତବବାଦୀ ହିସାବରେ ସେମାନଙ୍କ ଆର୍ଥିକ ସମ୍ୱଳକୁ ଚାହିଁ ସେ ଅନୁରୂପ ବ୍ୟବସ୍ଥା କରୁଥିଲେ । ସାଂପ୍ରତିକ ଭାଙ୍ଗି ପଡ଼ିଥିବା ଏକଦା ବିଶିଷ୍ଟ ପାରିବାରର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ପୁରାତନ କାଇଦାରେ ସମ୍ମାନ ଦେଖାଇବା ନିଜର କର୍ତ୍ତବ୍ୟ ବୋଲି ସେ ଧରି ନେଇଥିଲେ । ଲୋକମାନଙ୍କର ବିଶ୍ୱାସରେ କିଛି ସଂଶୟ ଥିବାର ସେ ଦେଖି ନ ଥିଲେ ।

ବଡ଼ ଧରଣର ଆଧୁନିକ ହସପିଟାଲ୍‌ରେ ନିଜର ନିତିଦିନିଆଁ କାମ ସାରି ସେ ଘରକୁ ଫେରି ପୋଷାକ ବଦଳାଇଲେ ଏବଂ ତାଙ୍କ ‘‘ଖାଦ୍ୟଭାବଜନିତ ରୋଗ’’ ବହିଟିକୁ ଲେଖିବାକୁ ଲାଗିଲେ । ଫେରିବା ବର୍ଷଠାରୁ ଏଇ ବିଷୟରେ ସେ ବିଶେଷ ଜ୍ଞାନ ଅର୍ଜନ କରିଚନ୍ତି । ବର୍ତ୍ତମାନ ବଗିଚାକୁ ଯିବା ପୂର୍ବରୁ ସେ ନିଜର କଲମକୁ ଭଲ କରି ପୋଛିଲେ । ଆମେରିକାନ୍‌ ଚଳଣିର ଗୋଟିଏ ସୁବିଧା ତାଙ୍କ ପାଇଁ ହେଉଛି ତାଙ୍କର ପେନ୍‌ । ଏଠାକାର ପ୍ରଥାନୁଯାୟୀ ବ୍ୟବହାର କରିବାର ତୁଳି ସୁବିଧାଜନକ ନୁହେଁ । ଏଥିପାଇଁ ଅଧିକାଂଶ ଜାପାନୀ ତୁଳି ଜାଗାରେ ପେନ୍‌ ଓ ପେନ୍‌ସିଲ୍‌ ବ୍ୟବହାର କରନ୍ତି । ବାସ୍ତବିକ ଏ ଜାପାନ ତିଆରି ପେନ୍‌ଗୁଡ଼ିକ ଆମେରିକା ତିଆରି ପେନ୍‌ଠାରୁ ଭଲ ବୋଲି ସେ ଭାବନ୍ତି । ପେନ୍‌ସିଲ ସବୁର ସୀସା ଭାରି ଟାଣ ।

କାଗଜ ତିଆରି କାନ୍ଥରୁ ସ୍କ୍ରିନ୍‌ ଦ୍ୱାରା ପୃଥକ୍‌ ହୋଇଥିବା ବଡ଼ ଦରଜା ବାଟ ଦେଇ ଚାହିଁ ସେ ନିଜ ବଗିଚାକୁ ପୁଣି ଥରେ ଉପଭୋଗ କଲେ । ହଁ, ସେ ପ୍ରାୟ ଉପଭୋଗ କଲେ । ବଗିଚା ବିଷୟରେ ଭଲଭାବରେ ଜାଣିଥିବାରୁ ବଗିଚାର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ଗତ ରାତ୍ରିର ଝରାପତ୍ରଗୁଡ଼ିକ ଗୋଟାଇବା ଲୋଭରୁ ନିଜକୁ ସମ୍ୱରଣ କରିପାରିଲେ ନାହିଁ । ନିଜକୁ ନିବୃତ୍ତ କରି ସେ ମାଳିକୁ ଡ଼ାକି ବଗିଚା ସଫା କରା ନ ହୋଇଥିବାର କାରଣ ପଚାରିବାକୁ ଚାହୁଁ ନ ଥିଲେ । ସେ ଆଖିବୁଜି ଗୋଟିଏ ସୂକ୍ତର କିଛି ଅଂଶ ଗୁଣୁଗୁଣୁ ହୋଇ ଆବୃତ୍ତି କରି କ୍ଷଣକ ପାଇଁ ପ୍ରାର୍ଥନା କଲେ-। ଯେତେବେଳେ ସେ ପୁଣି ଆଖି ଖୋଲିଲେ, ତାଙ୍କ ଆଖିରେ ସୂର୍ଯ୍ୟତେଜରେ ଉଜ୍ଜ୍ୱଳ ବଗିଚାଟି ଅଧିକ ସୁନ୍ଦର ହୋଇ ଉଠିଲା....ସତେରେ ସେ ଏଇଭଳି ଦେଖିବାକୁଇ ଚାହୁଁଥିଲେ ।

ପ୍ରାର୍ଥନା କରିବା ପାଇଁ ତାଙ୍କର ସୁଯୋଗ ନ ଥିଲା । ଲସ୍‌ଆଞ୍ଜଲସ୍‌ର କୋଳାହଳମୟ ରାସ୍ତାରେ କଟିଥିଲା ତାଙ୍କ ଯୌବନ.....ସହର ବାହାରେ ପାଞ୍ଚ ଏକର ଜମିରେ ଫୁଲ ଓ ଫଳ ବଗିଚାରେ ତାଙ୍କ ପିତାମାତାଙ୍କୁ ସାହାଯ୍ୟ କରି ସେ କଲେଜରେ ପାଠ ପଢ଼ିଥିଲେ ଏବଂ ମେଡ଼ିକାଲ କଲେଜରେ ସ୍କଲାରସିପ୍‌ ପାଇଥିଲେ । ଆମେରିକାରେ ମୁହୂର୍ତ୍ତେ ଧ୍ୟାନ ପାଇଁ ତାଙ୍କର ଅବସର ନ ଥିଲା । ଜାପାନକୁ ଆସିବା ପରେ ସେ ପ୍ରାର୍ଥନା କରିବାକୁ ଶିଖିଲେ—ଯେମିତି ସଙ୍ଗୀତ ଓ ବାଦ୍ୟ ଶିଖି ବଜାଇବାକୁ ହୁଏ–ଧରି ନିଆଯାଉ ପାଞ୍ଚଟି ଛିଦ୍ର ଥିବା ବଂଶୀ–ଏବଂ ସଂଧ୍ୟା କାଳରେ ସେ ଏଇ ପ୍ରାର୍ଥନାରୁ ଆନନ୍ଦ ପାଉଥିଲେ ।

ଯୁଦ୍ଧ ସରିବା ପରେ ତାଙ୍କର ଆଉ ଏକମାତ୍ର ଉତ୍‌କଣ୍ଠା ଥିଲା, ତା ହେଉଛି ତାଙ୍କ ଝିଅ ଜୋସୁ । ଯେତେବେଳେ ସେ ଥିଲା ପନ୍ଦର ବର୍ଷର ପିଲା, ସେ ତାର ପିତାମାତାଙ୍କ ସହିତ ଜାପାନ ଆସିଥିଲା । ସେ ଅନ୍ୟାନ୍ୟ ଦିଗରୁ ନିରୀହ ନ ଥିଲା, କିନ୍ତୁ ଅତିରିକ୍ତ ଭୟ ହେତୁ ଆମେରିକା ତ୍ୟାଗ କରିବାକୁ ଇଚ୍ଛା କରିଥିଲା । ସେ ତାର ଆମେରିକାନ୍‌ ବନ୍ଧୁମାନଙ୍କ ଦ୍ୱାରା ଆତଙ୍କିତ ହୋଇଥିଲା; ଯେଉଁମାନେ କି ହଠାତ୍‌ ବଦଳି ଯାଇ ଶତ୍ରୁ ନ ହେବା ପର୍ଯ୍ୟନ୍ତ ଅତି ସ୍ନେହଶୀଳ ଓ ଆତ୍ମୀୟ ହୋଇଥାଆନ୍ତି—ସେମାନଙ୍କ ସୁନ୍ଦର ମୁହଁ କଦର୍ଯ୍ୟ ହୋଇଯାଏ ଓ ହସ ସ୍ଥାନରେ ଘୃଣା ଫୁଟିଉଠେ । ତାର ଜେଜେ ବାପାଙ୍କଠାରୁ ପରିବା କିଣୁଥିବା କୁମୁଟୀର ଝିଅ ତାର ପ୍ରିୟ ବନ୍ଧୁ ପଲିଆଣ୍ଡ୍ରିଉଜ୍‌ ପାଖରେ ଏଇ ସବୁ ବିଷୟ ବୁଝି ନ ପାରି ସେ ଅଭିଯୋଗ କରିଥିଲା ।

‘‘କିନ୍ତୁ ପଲି....ମୁଁ ତ ସବୁବେଳେ ଯେମିତି ଆଜି ବି ସେମିତି ।’’

‘‘ନା—ତୁ ସେଇଆ ନୁହଁ’’....ପଲି ଜବାବ ଦେଲା, ‘‘ତୁ ଜାପାନୀ ଝିଅ; ଆଉ ମୁଁ ତତେ ଘୃଣା କରେ’’ ।

ଜୋସୁ ଆଉ କିଛି କହିଲା ନି । ସେ ଆଉ ସ୍କୁଲ ଗଲାନି ଏବଂ ଅଳ୍ପଦିନ ପରେ ଯେତେବେଳେ ତା’ ବାପା—ମା ଜାହାଜକୁ ଆସିଲେ ବୁକୁଥରା ନୀରବତାରେ ସେ ତାଙ୍କର ଅନୁଗମନ କଲା । ଯେଉଁ ଦେଶକୁ ସେ ନିଜର ବୋଲି ଭାବିଥିଲା—ଯେଉଁଠି ତାର ଜନ୍ମ, ଯେଉଁ ଭାଷାରେ ସେ କଥା କହୁଥିଲା—ସେଇ ଦେଶ ହଠାତ୍‌ ତାକୁ ପ୍ରତ୍ୟାଖ୍ୟାନ କଲା....ଅନାଦର କଲା । ତେବେ ବି ସେ ଜାପାନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିଲା । କାରଣ ତା’ ବୁଢ଼ୀମା ତାକୁ ଜାପାନୀ ସ୍ତ୍ରୀ ଲୋକଙ୍କ ବିଷୟରେ ଅନେକ କହିଥିଲେ । ସେ ସନ୍ଦେହରେ ବୁଡ଼ି ରହିଲା.... । ବାପାଙ୍କ ଘର ଭିତରେ ସେ ନିଜକୁ ନିରାପଦ ମଣୁଥିଲା । କିନ୍ତୁ ତା’ର ଭବିଷ୍ୟତ ଥିଲା ଅନିଶ୍ଚିତ ।

ନିଜେ ଡକ୍ଟର ସାକାଇ ତାଙ୍କ ଝିଅର ମନକୁ ଉତ୍ସାହିତ କରିଥିଲେ । ଏହା ହିଁ ତାଙ୍କର ଉତ୍‌କଣ୍ଠା । ବର୍ତ୍ତମାନ ଜୋସୁକୁ ହେଲା କୋଡ଼ିଏ ବର୍ଷ । ତା’ ପାଇଁ ସେମାନେ କ’ଣ କରିବେ ? ବିବାହ ହୋଇ ଯିବାକୁ ଡ଼େରି ଲାଗନ୍ତା ନାଇଁ—ବିଶେଷ କରି ଏପରି ସୁନ୍ଦର ଝିଅଟିର; କିନ୍ତୁ ବିବାହ କ’ଣ ? ତା ପାଇଁ ସେ ଅନେକ ପ୍ରସ୍ତାବ ପାଇଲେଣି । ସେ କାଳେ ପ୍ରତ୍ୟାଖ୍ୟାନ କରିବ, ତା’ଆଗକୁ ପ୍ରସ୍ତାବ ନେଲାବେଳେ ସେ ହୁସିଆର ହୋଇପଡ଼ନ୍ତି । ଏମିତି କି ସେ ତା’ ସହିତ ତା’ ବିବାହ ବିଷୟରେ ଏ ପର୍ଯ୍ୟନ୍ତ କେବେ ଆଲୋଚନା କରିନାହାନ୍ତି ଏବଂ ତାଙ୍କର ସ୍ତ୍ରୀ ହାରିକୋକୁ ମଧ୍ୟ ଏ ବିଷୟରେ ଆଲୋଚନା କରିବାକୁ ବାରଣ କରିଛନ୍ତି । ଏଇ ସୂକ୍ଷ୍ମ ଘଟଣାଟି ସେ ନିଜେ ଫଇସଲା କରିବାକୁ ଚାହାନ୍ତି । ତାଙ୍କର ଭୟଥାଏ, କାଳେ କିଛି ଭୁଲକଥା ଶୁଣି ଜୋସୁ ବିବାହ କରିଦେବାକୁ ଏକାବେଳକେ ମନା କରିଦେବ ! ସେ ଦ୍ୱାରପାଖେ ଆଉଜି ଠିଆହେଲେ ଏବଂ ତାଙ୍କ ଛଣର ଜୋତା ବଦଳାଇ କଠାଉ ପିନ୍ଧି ପୋଖରୀ ଆଡ଼େ ଚାଲିଲେ । ପୋଖରୀରେ ଉଠୁଥିବା ଛୋଟ ଛୋଟ ତରଙ୍ଗ ଆଡ଼କୁ ଚାହିଁ ଠିଆହେଲେ । ସେ ନିଜର ଚିନ୍ତାରେ କଠିନ ଓ ସଂଯତ ଥିବାରୁ ବସନ୍ତକୁ ଉପଭୋଗ କରିବାକୁ ନିଜକୁ ସୁଯୋଗ ଦୋଷ ନାହିଁ । କେବଳ ଜୋସୁ ପାଇଁ ତାଙ୍କ ମନରେ ଅଧିକ ଉତ୍କଣ୍ଠା ଲାଗି ରହିଲା । ଏ ବର୍ଷ ତା’ ଉପରେ ବସନ୍ତର ପ୍ରଭାବ କ’ଣ ? ଗତବର୍ଷ ବ୍ୟସ୍ତତାରେ ଭାଙ୍ଗପଡ଼ିବାର ସେ ବୁଝି ପାରିଥିଲେ । ମଣିଷର ମନ ସଂପର୍କରେ ତାଙ୍କର ଅନୁଧ୍ୟାନ ଥିଲା; ଯେହେତୁ ସେ ଡାକ୍ତରୀ ବିଦ୍ୟାରେ ସହାୟତା ପାଇଁ ମନୋବିଜ୍ଞାନ ପଢ଼ିଥିଲେ । ମନ ଏବଂ ଦେହ ଏକାଠି ସୁସ୍ଥ ନଚେତ୍‌ ଅସୁସ୍ଥ ହୁଅନ୍ତି । ମନକୁ ପ୍ରଫୁଲ୍ଲ ରଖିବା ପାଇଁ ଏକ ଔଷଧ ସେ ଦେଇଥିଲେ ଏବଂ ତାଙ୍କ ପାଣ୍ତୁଲିପିର ପ୍ରଥମ ଶହେ ପୃଷ୍ଠା ସ୍କୁଲରୁ ଆସିଲାକ୍ଷଣିତାକୁ ଟାଇପି କରିବାକୁ ମଧ୍ୟ ଦେଉଥିଲେ । ଖରାପାଗ ଶୀଘ୍ର ଆରମ୍ଭ ହେଲା ଏବଂ ତାର ବ୍ୟସ୍ତତା କ୍ରମେ କ୍ଳାନ୍ତିର ପରିଣତ ହେଲା । ତା’ର ବିବାହ ଅତି ଶୀଘ୍ର ଦରକାର—ଏକଥା ଡ଼: ସାକାଇ ନିଶ୍ଚିତ ଭାବେ ଧରି ନେଲେ । ତାଙ୍କ ପୋଷାକରେ ଝୁଲୁଥିବା ହାତ ଭିତରେ ଲୁଚି ଯାଇଥିବା ସୁନାର ରିଷ୍ଟଓ୍ୟାଚକୁ ଚାହିଁଲେ । ହସପିଟାଲ୍‌ରେ ସେ ଆମେରିକା ପୋଷାକ ପିନ୍ଧନ୍ତି । କିନ୍ତୁ ଘରେ ସିଲକ୍‌ର ଅଣ୍ଟାରେ ବେଲ୍‌ଟ ଥିବା ପୋଷାକ.....ଏବଂ ପାଦରେ ହିଲ୍‍ ନ ଥିବା ଚଟି.... । ବାହାରେ କାଠର କଠାଉକୁ ସେ ବର୍ତ୍ତମାନ ପସନ୍ଦ କରିବାକୁ ଶିଖିଛନ୍ତି । ଏମିତି ପୋଷାକରେ ସେ ନିଜକୁ ମୁକ୍ତ ମନେକରନ୍ତି । ପ୍ରାୟ ଗୋଟାଏ ବାଜିବ । ଜୋସୁର ଆଜି ଡ଼େରି ହୋଇଚି । ସେ କେଉଁଠି ରହି ରହି ଆସୁଛି ? ଖାଇବା ପ୍ରସ୍ତୁତ ହୋଇ ସାରିଥିଲେ ବି ଚାକରମାନେ ଏ ପର୍ଯ୍ୟନ୍ତ ଡାକିବାକୁ ଆସିନାହାନ୍ତି । ସେମାନେ ଜୋସୁକୁ ଅପେକ୍ଷା କରିଚନ୍ତି ।

ବଗିଚାର ସୌନ୍ଦର୍ଯ୍ୟକୁ ଭୁଲି ସେ ବିରକ୍ତ ହୋଇ ପଡ଼ିଲେ । ଯଦି ପନ୍ଦର ମିନିଟ୍‌ ଭିତରେ ନ ଆସେ ସେ ଆଉ ଅଧିକ ଅପେକ୍ଷା କରିବେ ନି । ସେ ତାଙ୍କର ଶାନ୍ତ, ନିରୀହ ସ୍ତ୍ରୀକୁ ଅତି ଭଲପାଆନ୍ତି । ଜୋସୁ ସାଙ୍ଗରେ ଥିଲେ ଖାଇବାଟା ଅଧିକ ଆନନ୍ଦଦାୟକ ହୁଏ, ଯାହାହେଉ ତାଙ୍କ ଝିଅକୁ ଏଣିକି ଆଉ ବିଶେଷ ଅପେକ୍ଷା କରିବେ ନି । ଜୋସୁ ନ ଆସିଲେ ପନ୍ଦର ମିନିଟ୍‌ ଭିତରେ ଘରକୁ ଯାଇ ଖାଇନେବେ....ଖାଇ ସାରିବା ପର୍ଯ୍ୟନ୍ତ ଯଦି ନ ଆସେ, ଖାଇବାର ଶୃଙ୍ଖଳା ଭାଙ୍ଗିବା ଠିକ୍ ନୁହେଁ । ଦୁଇଟା ବେଳେ ସେ ପୁଣି ରୋଗୀ ଦେଖିବାକୁ ହସ୍‌ପିଟାଲ୍‌କୁ ଯିବେ ।

ତାଙ୍କର ଏ ସିଦ୍ଧାନ୍ତ ଭାଙ୍ଗିବାକୁ ହେଲା—କାରଣ ଜୋସୁ ଦଶ ମିନିଟ୍‌ ଭିତରେ ଆସିଗଲା-। ଗେଟ୍‌ର ଆର ପାଖରେ ଲାଗିଥିବା ପିତଳ ବେଲ୍‌ଟ୍‌ର ଶଦ୍ଦ ସେ ଶୁଣିପାରିଲେ—ଫାଟକ ଖୋଲିଲା ଏବଂ ବନ୍ଦ ହେଲା । ତା’ର ଆମେରିକା ଦେଶ ତିଆରି ଜୋତା ପଥର ରାସ୍ତା ଉପରେ ଠକ୍‌ ଠକ୍‌ ଶଦ୍ଦ କଲା ଏବଂ ଚାକରାଣୀ ତାକୁ ସ୍ୱାଗତ ଜଣାଇଲା । ତଥାପି ଘର ଆଡ଼କୁ ପଛ କରି ପୋଖରୀକୁ ଅନାଇ ରହିଲେ । ବାପାଙ୍କୁ ଖୋଜିବା ଝିଅର କାମ । ମୂହୂର୍ତ୍ତକ ପରେ ସେ ଝିଅର କୋମଳ ସ୍ୱର ଶୁଣିଲେ ।

‘‘ବାପା, ମୁଁ ଆସିଲାଣି ।’’

ସେ ହେ ନ ହସି ଫେରି ଚାହିଁଲେ । ‘‘ତୋର ଆଜି ଅନେକ ଡ଼େରି ହୋଇଚି ।’’

‘‘ବାପା, ଏଥିରେ ମୋ ଦୋଷ ନାଇଁ,’’ ସେ ଉତ୍ତର ଦେଲା । ସୂର୍ଯ୍ୟରଶ୍ମି ତା ମୁହଁରେ ମୁରୁଜ ପରି ଝରି ପଡ଼ୁଥିଲା । ତା’ର ସୌନ୍ଦର୍ଯ୍ୟରେ ସେ ଭୀତ ହୋଇ ପଡ଼ିଲେ । ସେ ଏଇଭଳି ଦେଖାଯାଇ ରାସ୍ତାରେ ଚାଲି ଚାଲି ଘରକୁ ଆସିଛି । ତା’ର କେଶଗୁଚ୍ଛ ଚିକ୍‌କଣ କଳା, ତା’ର ଆୟତ ଆଖି ଦୁଇଟି ଉଜ୍ଜ୍ୱଳ ଏବଂ ଢଳ ଢଳ—ଖରାରେ ତା’ର ଗାଲ ପାଟଳ, ଓଠ ଲାଲ; ଘରେ ପହଞ୍ଚି ଅଳ୍ପ ସମୟ ଭିତରେ ସେ ସ୍କୁଲପୋଷାକ ବଦଳାଇ ସବୁଜ କିମୋନ୍‌ଟିଏ ପିନ୍ଧିଚି । ସେ ଏଇ ପୋଷାକ ରାସ୍ତାରେ ପିନ୍ଧି ନାଇଁ ରକ୍ଷା ! ତାର ସ୍କୁଲପୋଷାକ ଭିନ୍ନ ପ୍ରକାରର ।

‘‘କେମିତି ତୋର ଦୋଷ ନୁହେଁ ?’’ ସେ ରୁକ୍ଷ ଗଳାରେ ପଚାରିଲେ ।

‘‘ଆମେରିକା ସୈନ୍ୟମାନେ ରାସ୍ତାରେ ଯାଉଥିଲେ’’—ସେ କହିଲା ।

‘‘ସେମାନେ ଅନେକ ଥିଲେ—ସବୁ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିଲା ।’’

‘‘ତୁ କେଉଁଠି ଅପେକ୍ଷା କଲୁ’’ ? ସେ—ପଚାରିଲେ ।

‘‘ରାସ୍ତାରେ ନ ରହିବା ପାଇଁ ମୁଁ ହସପିଟାଲ ଦରଜା ପାଖକୁ ଚାଲିଗଲି ।’’

ସେ ଅଧିକ ନ କହିବାକୁ ଠିକ୍‌ କଲେ । ‘‘ଚାଲ; ତା’ହେଲେ ଭିତରକୁ ଯାଇ ଖାଇ ନେବା-। ମୋର ସମୟ ନାଇଁ, ହସପିଟାଲକୁ ଡେରି କରି ଯାଇ ନୂଆ ଡ଼ାକ୍ତରମାନଙ୍କ ମନରେ ଖରାପ ଧାରଣା ଦେବାକୁ ମୁଁ ଚାହେଁ ନାହିଁ ।’’

ସେ ତା ବାପାଙ୍କର ତୀକ୍ଷଣ କର୍ତ୍ତବ୍ୟବୋଧ ବିଷୟ ଜାଣି ସାଙ୍ଗେ ସାଙ୍ଗେ କ୍ଷମାମାଗିଲା । ‘‘ମୁଁ ଦୁଃଖିତ ବାପା’’–ସେ ଜାପାନୀ ଭାଷାରେ କହିଲା; କାରଣ ସେ ଜାଣା, ବାପା ଏହା ଇ ଚାହାନ୍ତି-। କିନ୍ତୁ ଜଣେ ଆମେରିକାନ୍‌ ଭଳି ସହଜରେ ସେ ୟାକୁ କହିପାରିଲା ନାହିଁ ।

‘‘ତୁ ତ ଅଳ୍ପ ଆଗରୁ କହିଲୁ ଏ ତୋର ଦୋଷ ନୁହେଁ’’—ସେ ଉତ୍ତର ଦେଲେ । ଦୁଇ ହାତ ପଛରେ ରଖି ଚାଲୁ ଚାଲୁ ଏପାଖ ସେପାଖ ଚାହିଁ ସେ ତା ଆଗେ ଆଗେ ଚାଲିଲେ । ବଗିଚାରେ ଆଜାଲିଆକୁ ଦେଖି ସେ କହିଲେ, ‘‘ଏ ଫୁଲ କେବେ ଏତେ ସୁନ୍ଦର ହୋଇ ନ ଥିଲା ।’’

 

‘‘ଏ ଅତି ସୁନ୍ଦର’’—ସେ ଏକମତ ହେଲା ।

 

ସେ ତାର ସ୍ୱରର ଓଜନ ଠଉରାଇଲେ—ତା’ପରେ ସେ ତାର ମୁହଁକୁ ପରଖିବେ; ତା’ପରେ ପ୍ରତ୍ୟେକ କାର୍ଯ୍ୟକଳାପକୁ ଠଉରାଇବେ । ଯଦି ପାରନ୍ତି ତା ହୃଦୟର ଉତ୍ତାପ ମଧ୍ୟ, ସେ ବିବାହ ନ କରିବା ଯାଏ ତାଙ୍କର ଶାନ୍ତି ନାହିଁ । ଏଇ ଉତ୍କଣ୍ଠାକୁ ସେ ଆଉ ଗୋଟିଏ ବର୍ଷକୁ ରଖି ପାରିବେ ନାହିଁ । ଝିଅ ଏକ ଜଞ୍ଜାଳ, ପୁଣି ସୁନ୍ଦରୀ ଝିଅ ଆହୁରି ବଡ଼ ଜଞ୍ଜାଳ ।

 

ମଧ୍ୟାହ୍ନ ଭୋଜନ ବେଳେ ବାପା ତାକୁ ଗୋପନ ଭାବରେ ଲକ୍ଷ୍ୟ କରୁଥିବାର ଜୋସୁ ଜାଣିପାରିଥିଲା । ସେ ସବୁବେଳେ ବାପାଙ୍କ ବିଷୟରେ ହୁସିଆର ଥାଏ ଏବଂ ତା’ପାଇଁ ତାଙ୍କର ଉତ୍କଣ୍ଠାକୁ ସେ ଭଲ ଭାବରେ ଜାଣେ—ଆଉ ତାର ଏବଂ ତା’ପାଇ ତାଙ୍କର ଉତ୍କଣ୍ଠାକୁ ସେ ଭଲ ଭାବରେ ଜାଣେ—ଆଉ ତାର କାରଣ ମଧ୍ୟ ସେ ଜାଣେ । ସେ ନିଜକୁ ତାଙ୍କ ପାଖରୁ ଲୁଚାଏ, ସେ କ’ଣ ଚିନ୍ତା କରେ ବା ପ୍ରକୃତରେ ସେ କ’ଣ—ତା’ ବାପା ଜାଣିପାରନ୍ତି ନାଇଁ । ତାଙ୍କ ଆଗରେ ତା’ର ବ୍ୟବହାର ନିର୍ଦ୍ଦୋଷ ଥିଲେ ବି, ସେ ଆଦୌ ନିର୍ଦ୍ଦୋଷ ନୁହେଁ ବୋଲି ବାପା ସନ୍ଦେହ କରନ୍ତି । ଏଥିରେ ବାପା ନିଶ୍ଚିତ; ଅସନ୍ତୋଷରେ ନୁହେଁ; କିନ୍ତୁ ଅତି ଚିନ୍ତାଶୀଳତାରେ ସେ ଏ ଘରେ ଏକ ଭିନ୍ନ ଜୀବନ ଯାପନ କରେ । ସେ ଅନେମ ସମୟରେ ଭାବେ ଏଇ ଚିନ୍ତାଶୀଳତାର କାରଣ ହେଉଚି ଯେ ତାକୁ ପନ୍ଦର ବର୍ଷ ହେବା ପର୍ଯ୍ୟନ୍ତ ସେ କାଲିଫର୍ଣ୍ଣିଆରେ ଥିଲା । ଭୁଷି ଓ ଦାନା ଖାଉଥିବା ଗାଈଙ୍କର କ୍ଷୀର ପିଇଥିଲା । ଫଳ, ପରିବା ଓ ମାଂସ ଖାଇଥିଲା । ତା’ର ଦେହ ସହନଶୀଳତା ଓ ଶକ୍ତିରେ ଫାଟି ପଡ଼ୁଥିଲା । ତା’ର ମନ ଥିଲା ଦୃଢ଼ ଓ ଜିଜ୍ଞାସୁ । ଏହିପରି ସେ ମଳିନ ଓ ନୀରବ ଜାପାନୀ ବାଳିକାଙ୍କ ଠାରୁ ଭିନ୍ନ ଥିଲା । ଜାପାନୀ ଝିଅମାନେ ତାକୁ ବିସ୍ମୟ ଓ ଅନାଦରରେ ଲକ୍ଷ୍ୟ କରୁଥିଲେ, ତାଙ୍କୁ ସେମାନେ ଆମେରିକାନ୍‌ ବୋଲି କହୁଥିଲେ ଏବଂ ସବୁ ଶୁଣି ସେ ନୀରବରେ ସହି ଯାଉଥିଲା ।

 

‘‘ତୁମର ଚାଲି ଆମେରିକାନ୍‌ ନାରୀ ଭଳି’’—ହାରୁ ମିସିଶା କହିଲା ।

 

ଟୋକିଓ ଏବଂ ଓସାକା ଭଳି ନ ହେଲେ ମଧ୍ୟ ସେ ସହରରେ କେତେକ ଆମେରିକାନ୍‌ ସ୍ତ୍ରୀ ଲୋକ ଦେଖାଯାଆନ୍ତି । ଜୋସୁ ସେମାନଙ୍କୁ ଲକ୍ଷ୍ୟ କରି ଭାବେ ଯେ ସେ ସେମାନଙ୍କ ଭଳି ଚାଲେ ନାହିଁ । ସେ ତାର ବୁଢ଼ା ଆଙ୍ଗୁଠିକୁ ଭିତରକୁ ଟାଣି ନିଏ ନାଇଁ । ତାର ଗୋଡ଼ ସିଧା ରହେ । କିନ୍ତୁ ସେ ପାରା ଗୋଡ଼ ଆଙ୍ଗୁଠି ଭଳି ସରୁଗୋଡ଼ ସମସ୍ତଙ୍କୁ ଭଲପାଏ । ଏହାର କାରଣ ସେ ଜାଣେ ନାହିଁ । ମାତ୍ର ସେ ଲୋକଙ୍କୁ ସହଜରେ ଭଲ ପାଇଥାଏ । ହୃଦୟ ତାର ସ୍ୱଚ୍ଛ; ମନ ତାର ନିର୍ମଳ, ଅନ୍ତର ଅକପଟ । ସେଥିପାଇଁ ଅତି ସହଜରେ ସେ ପରକୁ ଆପଣାର କରିନିଏ । ବର୍ତ୍ତମାନ ଅବଶ୍ୟ ସେ ଆମେରିକାର ଥିଲା ବେଳ ପରି ଆଉ ପାଉଁରୁଟି, ଦୁଧ, ଲହୁଣୀ, ଅଣ୍ଡା, ମାଂସ ଖାଉ ନାହିଁ—ସେ ଭାତ, ମାଛ ଓ ପରିବା, ତରକାରି ପେଟ ପୂରାଇ ଖାଇପାରୁଚି । ତା’ ମା ଆଜି ତାକୁ ଥଟ୍ଟା କଲେ—

 

‘‘କିଏ ଭାବିବ ଯେ ତୁ ଜଣେ ଶିକ୍ଷିତ ଲୋକର ଝିଅ ! ତୁ ଗୋଟାଏ ଚାଷୀର ଝିଅ ପରି ଖାଇ ଦଉଚୁ ।’’

 

ଖାଦ୍ୟ ଥୁଆ ହୋଇଥିବା ନାଚା ଟେବୁଲ ଚାରିପାଖରେ ସେମାନେ ଆଣ୍ଠୁ ମାଡ଼ି ବସିଯାଆନ୍ତି । ଚାକରାଣୀ ପ୍ରତ୍ୟେକଙ୍କ ପାଖରେ ଗୋଟିଏ ସୁନେଲି ରଙ୍ଗର ବାର୍ଣ୍ଣିସ୍‌ ଦିଆ ପାତ୍ରରେ କିଛି ମୂଳା ସବୁଜ ପରିବାର ଝୋଳ ରଖିଦିଏ । ମାଛ ଓ ପରିବା ତରକାରିରେ ତିନୋଟି ପାତ୍ର ଟେବୁଲ ମଝିରେ ଥୁଆଯାଏ ଏବଂ ଚାକରାଣୀ ଉମି କାଠପାତ୍ରରୁ ସଫା ଭାତକୁ କଳା ଓ ସୁନେଲୀ ଚିତ୍ରିତ ପରିଷ୍କାର କାଠପାତ୍ରରେ ବାଢ଼ି ଦିଏ । ସେ ଖାଦ୍ୟପାତ୍ର ରଖିଲାବେଳେ ଅଳ୍ପ ନଇଁ ପଡ଼େ । ବିଜୟାଧିକାର ଓ ଗଣତନ୍ତ୍ରର ପ୍ରବର୍ତ୍ତନ ପରଠାରୁ ଏଇ ନମସ୍କାର ଭଲଭାବରେ କରାଯାଏ ନି । ଏଇ ଅଳ୍ପ ନଇଁ ନମସ୍କାର ହେବା ସାକାଇ ଚାହାନ୍ତି । ସେଥିପାଇଁ ଚାକରାଣୀଟି ଖୁସି, କାରଣ ଘରେ ଜଣେ ପ୍ରଧାନ ବ୍ୟକ୍ତି ଅଛନ୍ତି । ଗୃହସ୍ଥ, ଗୃହିଣୀ ଓ କନ୍ୟାଙ୍କ ସାଥୀରେ ଖାଇବା ସେଠାରେ ସାଧାରଣ କଥା ନୁହେଁ । ଆମେରିକାନ୍‌ମାନେ ପିଲାଙ୍କ ସହ ଖାଆନ୍ତି ବୋଲି ସେ ବଜାରର ଚାକରାଣୀମାନଙ୍କ ଠାରୁ ଶୁଣିଚି, ତେଣୁ ତାର ମୁନୀବ ପ୍ରକୃତ ଜାପାନୀ ଠାରୁ କିଛି କମ୍‌; କିନ୍ତୁ ଆମେରିକାନ୍‌ଠାରୁ ଅଧିକ । ସେ ମୁନିବଙ୍କୁ ଏଇପରି ଭାବି ସନ୍ତୁଷ୍ଟ ହୁଏ ।

ଡକ୍ଟର ସାକାଇ ଗୋପନରେ ଝିଅକୁ ଲକ୍ଷ୍ୟକରି ତାର ରଙ୍ଗ ଅତି ଗୋରା ବୋଲି ଭାବିଲେ । ତାର ପାଟଳ ଗାଲ ଲାଲ ହୋଇଥିବାର ଦେଖିଲେ ।

‘‘ତୁ କ’ଣ ଆମେରିକାନ୍‌ମାନେ ଗଲାବେଳେ ଖରାରେ ଠିଆ ହୋଇଥିଲୁ’’ ? —ସେ ପଚାରିଲେ ।

‘‘ହଁ’’ ସେ ସ୍ୱୀକାର କଲା । ‘‘ମୁଁ ମୋ ଛତା ଆଜି ସକାଳେ ଘରେ ଛାଡ଼ ଯାଇଥିଲି । ଏତେ ଖରା ହେବ ବୋଲି ମୁଁ ଭାବି ନ ଥିଲି ।’’ ଜଳଖିଆ ଖାଇଲାବେଳେ ପାହାଡ଼ ଉପରେ ବାଦଲ ସବୁ ଘେରି ରହିଥିଲା ।

‘‘ଏଇ ବାଦଲ ସବୁ ଦି ପହରେ ସଫା ହୋଇଯାଆନ୍ତି’’—ସେ କହିଲେ—‘‘ସମୁଦ୍ରରୁ ବର୍ଷା ହେବାର ଆମେ ଜାଣି ପାରିବା ।’’

 

ଶ୍ରୀମତୀ ସାକାଇ ଜୋସୁକୁ ଚାହିଁଲେ, ‘‘ତୁ ପ୍ରକୃତରେ ଲାଲ ପଡ଼ିଯାଇଛୁ । ଖାଇସାରି ମୁହଁରେ କିଛି ପାଉଡ଼ର ବୋଳି ପକା । ଏମିତି ଖାଲି ଗାଲରେ ଝିଅଗୁଡ଼ା ଅସୁନ୍ଦର ଦିଶନ୍ତି ।’’

 

‘‘ମୁଁ ଝିଅଟାଏ ହେଇ ନ ଥାଆନ୍ତି କି !’’ ଓଠ ଚିପି ଜୋସୁ କହିଲା । ‘‘ତୁମେ ବାପା–ମା–ତୁମର ମତେ ଦେଖିବା ଛଡ଼ା ଆଉ କିଛି କାମ ନାଇଁ !’’

 

ଦୁହେଁଯାକ ଜୋସୁଠାରୁ ଆଖି ଫେରାଇଲେ ।

 

‘‘ଫୁଲଦାନୀ କାଲି ନିଶ୍ଚୟ ନୂଆ ଭାବରେ ସଜାହେବ ।’’ ଶ୍ରୀମତୀ ସାକାଇ କହିଲେ, ଫୁଲଦାନୀରେ କେତେ ରକମ ଫୁଲ । ସେମାନେ ବସିଥିବା ଟେବୁଲ ଶେଷ ପାଖରୁ ଫୁଟନ୍ତା ଉଇଲୋ ଓପସ୍‌ ଫୁଲ ଚଟାଣ ଆଡ଼କୁ ଝୁଲିପଡ଼ିଛି । ଟେବୁଲରେ ଝୁଲି ପଡ଼ିଥିବା ଫୁଲତୋଳା ତଳେ ଜୋସୁ କାଲି ଗୋଟାଏ ବ୍ରୋଞ୍ଜର ବେଙ୍ଗ ପଡ଼ିଥିବା ଫୁଲତୋଡ଼ା ତଳେ ଜୋସୁ କାଲି ଗୋଟାଏ ବ୍ରୋଞ୍ଜର ବେଙ୍ଗ ରଖିଥିଲା, ଫୁଲଦାନୀରେ କେବଳ ତିନୋଟି ଜିନିଷ ରହିପାରିବ । ତାକୁ ଏଇ ସାଜସଜ୍ଜା ଶିକ୍ଷାଦେବାକୁ ତା’ର ବାପା ସହରର ଜଣେ ଦକ୍ଷ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରିଛନ୍ତି । କାଟ୍‌ ସୁରାନଦୀ କୂଳରେ ଥିବା ଛୋଟ ଧୂସର ଘରଟିରେ ପୁଅ ଓ ପରିବାର ନେଇ ତା’ର ବିଧବା, ପତଳା ଓ ଗେଡ଼ା ଶିକ୍ଷୟିତ୍ରୀ ଜଣକ ରହନ୍ତି ।

 

‘‘କାଲି ମୁଁ ପିଚ୍‌ ଫୁଲଗୁଡ଼ିକ କାଟିଦେବି ।’’ ଜୋସୁ କହିଲା ।

 

‘‘ପିଚ୍‌ଫୁଲକୁ ଗୋଲାପର ଖତମାଟି ଭଲ ହେବ ।’’ ତା ବାପା ଉତ୍ତର ଦେଲେ ।

 

ଜଟିଳ ହୋଇ ଉଠୁଥିବା ସେଇ ପରିବେଶ ଏହିପରି ଭାବେ ଶିଥିଳ ହୋଇଗଲା । ଜୋସୁ ଆଉ କିଛି କହିଲା ନି—ସେ ମନଯୋଗ ସହକାରେ ତା ବାପା-ମା’ଙ୍କୁ ଖାଦ୍ୟ ଯାଚିଲା ଓ ତାଙ୍କ ନୀରବତା ଅଶାନ୍ତିକୁ ଭଙ୍ଗ କଲା । ତା’ ଭାଇ ବଞ୍ଚିଥିଲେ ହୁଏ ତ ତା’ ବାପା ମାଙ୍କ ସ୍ନେହରୁ ଭାଗ ନେଇଥାଆନ୍ତା । ତା’ ସହିତ ନିଜ ଆମେରିକା ଅନୁଭୂତିକୁ ସେ ହୁଏ ତ ଆଲୋଚନା କରିଥାଆନ୍ତା । ସେ ଏତେବେଳକୁ ତା’ର ମନୋନୀତ ପ୍ରେମିକାକୁ ବିବାହ କରି ସାରିଥାଆନ୍ତା—ତାର ସନ୍ତାନ ବି ହୋଇ ସାରିଥାଆନ୍ତେ ଓ ସେ ତାକୁ ନିମନ୍ତ୍ରଣ କରିଥାଆନ୍ତା । ତା’ର ପ୍ରଣୟିନୀ କିଛି ଦିନ ଦୁଃଖ କରିବା ପରେ ଅନ୍ୟତ୍ର କରିଥାଆନ୍ତା । ତା’ର ପ୍ରଣୟିନୀ କିଛି ଦିନ ଦୁଃଖ କରିବା ପରେ ଅନ୍ୟତ୍ର ବିବାହ କଲା—ଏବେ ତା’ଠାରୁ ସେମାନଙ୍କ କଥା କିଛି ଶୁଣାଯାଏ ନାହିଁ । ଜୋସୁ ବି ତାକୁ ଭଲଭାବେ ମନେରଖି ପାରି ନି । ସେ ଗେଡ଼ୀ ଚଞ୍ଚଳୀ ଝିଅଟିଏ—ତା’ର ସୁଗୋଲ ମଳିନ ମୁହଁ ଚାରିପାଖରେ ଗାଢ଼ କଳା କେଶସବୁ ବନ୍ଧା ଯାଇଥାଏ । ସେ ଚିକ୍‌ ଚିକ୍ ଆମେରିକାନ୍‌ ପୋଷାକ ପିନ୍ଧେ—ଅଳ୍ପ ଉଚ୍ଚା ହିଲ୍‌ ଯୋତା ମାଡ଼େ ଏବଂ ସେଥିରେ ସେ ଲସ୍‌ ଆଞ୍ଜେଲସ୍‌ ହାଇସ୍କୁଲର ସୁନ୍ଦରୀ ରୂପେ ବଛା ହୋଇଥିଲା । ଜୋସୁ ତା କଥା ଯେତେବେଳେ ଭାବେ, ତାକୁ ଚିକ୍‌ ଚିକ୍‌ ରୂପା ପୋଷାକ ଓ କୁଞ୍ଚୁକୁଞ୍ଚିଆ ବାଳ ଉପରେ ଚିକ୍‌କଣ ଟିଣର ମୁକୁଟପିନ୍ଧା ବୈଶାଖରାଣୀ ବୋଲି ଭାବେ-। ତା ବାପା ଖ୍ରୀଷ୍ଟାନ୍‌ ପରିବାର ବଡ଼ ଅଡ଼ୁଆରେ ପଡ଼ିଥିଲେ । ବୌଦ୍ଧଧର୍ମ କ’ଣ ଫାଙ୍କା ନୁହେଁ ? ତା’ ବାପା, ମା ଓ ଭାଇ ଭିତରେ ମତାନ୍ତର ଘଟିଲା । ଡକ୍ଟର ସାକାଇ ତାଙ୍କ ପୁଅକୁ ଏକ ଚର୍ଚ୍ଚରେ ବିଭାହେବାର ଦେଖିବାକୁ ଚାହୁଁ ନ ଥିଲେ । ବିବାହ ତ ହୋଇପାରିଲା ନି । ତେଣୁ ଏ ସବୁ କଥାରେ କିଛି ଲାଭ ନାହିଁ । ବିବାହ ଦିନବେଳକୁ ତା’ ଭାଇ ମୃତ—ଖ୍ରୀଷ୍ଟାନ୍‌ ପରିବାର ବାର୍ବଡ଼ ଓୟାର ପାଖର ଆରିଜୋନାରେ ଏବଂ ସାକାଇ ପରିବାର ଏଇ କିଓଟୋରେ । ସେ ବିବାହତିଥି କଥା ଏ ପରିବାରର କେହି ଉଠେଇ ନ ଥିଲେ ବି ତା ବାପ, ମା ମନେ ରଖିଥିବାର ସେ ଜାଣିଥିଲା ଏବଂ ସେ ନିଜେ ବଗିଚାକୁ ଯାଇ ଗୋଟିଏ ଉଚ୍ଚ ପାହାଡ଼ ତଳେ ତା’ର ଭାଇ ପାଇଁ ଏକାକୀ କାନ୍ଦିଥିଲା ।

 

‘‘ତକାସୀ ମାତ୍ସୁୟୀ ଆଜି ମତେ ତାଙ୍କ ଘରେ ଚାହା ଖାଇବାକୁ ନିମନ୍ତ୍ରଣ କରିଛନ୍ତି ।’’ ଏଇ ସମୟରେ ତାର ବାପା କହିଲେ । ‘‘ଯଦିଓ ପାଞ୍ଚଦିନ ଆଗରୁ ନିମନ୍ତ୍ରଣ ହୋଇଚି ଆଜି ଚାରିଟା ହେଉଚି ସମୟ । ସେ ଖାଇସାରି ହାକୁଟି ମାରୁଥିଲେ ଓ ଫିକା ସବୁଜ ରଙ୍ଗର ଚାହାରେ ଚୁମ୍ୱନ ଦେଉଥିଲେ ।

 

ତକାସୀ ମାତ୍ସୁୟୀ ତାଙ୍କର ସବୁଠାରୁ ଧନୀ ପେସେଣ୍ଟ—ତାଙ୍କର ଗଲବ୍ଳାଡ଼ର ରୋଗ ଏବଂ ତାକୁ ସେ ଅପରେସନ୍‌ କରିବାକୁ ଚାହାନ୍ତି ନି । ସେ ଏବେ ବି ବୃଦ୍ଧ ହୋଇ ନାହାନ୍ତି ଏବଂ ତାଙ୍କର ତିନି ପୁଅ । ଗୋଟିଏ ରୁଷିଆରେ ବନ୍ଦୀ; ଅନ୍ୟଟି ଯନକିଂ ଆକ୍ରମଣରେ ମରିଚି ଏବଂ ତୃତୀୟଟି ବର୍ତ୍ତମାନ ଯୁବକ । ଆଉ ଜାପାନ୍‌ ଯୁଦ୍ଧକୁ ଯିବ ନାଇଁ ଏବଂ ତାଙ୍କ ଗୋଟିଏ ପୁଅ ପାଖରେ ରହିବ, ଏଇ ଆଶାରେ ସେ ତୃତୀୟ ପୁଅଟି ଲାଗି ଭାରି ଖୁସି ଅଛନ୍ତି । ଜାପାନ ଆଉ ଯୁଦ୍ଧ ପ୍ରସ୍ତୁତ କରିବ ନି ବୋଲି ସମସ୍ତଙ୍କ ମନରେ ଏ ନୂଆ ବିଶ୍ୱାସ ସଂଚାର ହୋଇଛି । ଆମେରିକାନ୍‌ ବିଜୟୀମାନଙ୍କ ପକ୍ଷରୁ ଏହା ଦାବୀ କରାଯାଇଥିଲା । ତେଣୁ ତକାସୀ ମାତ୍ସୁୟୀ ତୃତୀୟ ପୁଅ ଉପରେ ସ୍ନେହସଂପଦ ଅଜାଡ଼ି ଦେଇଛନ୍ତି । ସରକାର ଦ୍ୱାରା ବାଧ୍ୟତାରେ ସୈନ୍ୟବାହିନୀରେ ଯୋଗଦେଇ ଯୁଦ୍ଧରେ ପ୍ରାଣବଳି ଦେଇଥିବା ଦୁଇ ପୁଅଙ୍କୁ ଶିକ୍ଷା ଦେଇଥିବା ଅକାରଣ ବୋଲି ସେ ଧରି ନେଇଥିଲଷ । ତଥାପି ଟୋକିଓ ବିଶ୍ୱବିଦ୍ୟାଳୟରେ ସାନପୁଅ କୋବରୀ ପଢ଼ୁଥିଲା ।

 

ମାତ୍ସୁୟୀ ପରିବାର ଅତି ପୁରାତନ । ତଥାପି କିଓଟୋରେ ତା’ର ଶାଖା ମେଲିପାରି ନାହିଁ, ପରିବାର ଅତି ରକ୍ଷଣଶୀଳ ଏବଂ ତକାସୀ ମାତ୍ସୁୟୀ ପ୍ରଥମ ଏବଂ ଏକମାତ୍ର ଲୋକ, ଯେ କି ଯୁଦ୍ଧ ପରେ ଚା ପର୍ବର ଆରମ୍ଭ କରିଛନ୍ତି ବିଜୟ ହାସଲ ହୋଇ ସ୍ୱାଧୀନତା ଲାଭ ପରେ ତାଙ୍କରି ନିର୍ଦ୍ଦେଶାନୁଯାୟୀ ।

 

ତାଙ୍କ ଉଦ୍ୟାନର ଏକ ନିର୍ଜ୍ଜନ ଅଂଶରେ ଚାଳ ଘର ତିଆରି କରିବାର ଯୋଜନା ଡକ୍ଟର ସାକାଇ ଦେଇଚନ୍ତି । ନୂଆ ଜାପାନୀମାନଙ୍କର ଏଇ ପୁରାତନ ଚା ଭୋଜିରେ ଆଶ୍ଚର୍ଯ୍ୟ ହେଲେ ବି ଡକ୍ଟର ସାକାଇ ନିଜ ସମ୍ମୁଖରେ ଏଇ ମନୋଭାବକୁ ସହ୍ୟ କରିପାରନ୍ତି ନାହିଁ । ଏଇ ପୁରାତନ କାର୍ଯ୍ୟ ଓ ନିୟମକୁ ବଞ୍ଚାଇ ରଖିବା ଓ ତଦାଖ୍‌ ଜାପାନୀ ମୂଲ୍ୟବୋଧକୁ ବଞ୍ଚାଇ ରଖିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଚା ଭୋଜିରେ କଳା, ସଂସ୍କୃତି ଓ ପ୍ରକୃତ ଉପରେ ଆଲୋଚନା ସହିତ ସୁଖକର ସାମାଜିକ ଆଲୋଚନା ହୋଇଥାଏ ଓ ଭଲ ଖାଦ୍ୟ ମିଳିଥାଏ । ସେ ତାଙ୍କ ମଧ୍ୟାହ୍ନ ଭୋଜନ ଯାଇତାଇ ଖାଇଲେ; କାରଣ ସେ ଜାଣିଥିଲେ ଯେ ଉପର ବେଳା ସେ ପ୍ରଥମେ ଶିମ୍ୱ ତରକାରି ପରେ ମାଛ, ମାଂସ ଏବଂ ପରିବା ତରକାରି ଓ ଶେଷରେ ପାଣିଆ ଝୋଳ ଓ ମିଠା ଆଦି ସୁନ୍ଦର ଖାଦ୍ୟସବୁ ଖାଇବାକୁ ପାଇବେ । ଝଙ୍କାଳିଆ ପୁରୁଣା ଚାହାଗଛର କଅଁଳ ପତ୍ରରୁ ହୋଇଥିବା ଗୁଣ୍ଡ ଚାହା ପତ୍ରରେ ତିଆରି ଗାଢ଼ ସବୁଜ ଚାହା ଖାଇବାକୁ ପାଇବେ ।

 

ଚାରିଘଣ୍ଟାର ଉତ୍ସବ ପରେ ସେ ହୁଏ ତ ତକାସୀ-ମାତ୍ସୁୟୀଙ୍କ ସହିତ ବ୍ୟକ୍ତିଗତ ଆଳାପ କରିବାର ସମୟ ପାଇବେ ନି । ସୁଯୋଗ ମିଳିଲେ ସେ ବୁଢ଼ାକୁ ନିଜ ପୁଅମାନଙ୍କ କଥା କହିବାକୁ ପ୍ରବର୍ତ୍ତାଇବେ । ଏମିତି କଥାବାର୍ତ୍ତା ପଡ଼ୁ ପଡ଼ୁ ସୁଯୋଗ୍ୟ ତୃତୀୟ ପୁତ୍ର କଥା ପଡ଼ିବ—ୟା’ ପରେ ପୂର୍ବରେ ଦୁଇ ଥର ଆଲୋଚନା ଭଳି ତାଙ୍କର ଏକମାତ୍ର ସୁଯୋଗ୍ୟା ଝିଅ ଜୋସୁ କଥା ପଡ଼ିବ ।

 

ନୀରବରେ ଖାଦ୍ୟ ଖାଉଥିବାରୁ ବାପା କିମ୍ୱା ଝିଅ କେହି ନିଜର ମନ କଥା କହିଲେ ନାହିଁ । ମାତ୍ସୁୟୀଙ୍କର ତୃତୀୟ ପୁତ୍ର କୋବରୀର ବର୍ତ୍ତମାନ ବିବାହ ବୟସ । ସେ ପ୍ରକୃତରେ ଜୋସୁଠାରୁ ଦୁଇବର୍ଷ ବଡ଼ । ପୁରୁଣା ଯୁଗ ହୋଇଥିଲେ ଦୁଇ ବାପଯାକ ବିବାହ ଠିକଣା କରିଦେଇ ଥାଆନ୍ତେ । କିନ୍ତୁ ଆଜିକାଲି ଯୁଗରେ ସେମାନେ ଜାଣନ୍ତି ତାଙ୍କ କଥା ହୋଇପାରିବ ନି । ଯେଉଁ ପରମାଣୁ ବୋମା ହିରୋସୀମା ଓ ନାଗାସାକି ଉପରେ ପଡ଼ିଲା, ସେ କେବଳ ଘର, କାରଖାନା ଓ ମଣିଷ ଧ୍ୱଂସ କରିବା ଛଡ଼ା ଅନ୍ୟ କିଛି ବି ନଷ୍ଟ କଲା । ଡକ୍ଟର ସାକାଇ ଆଜିଯାଏ ସେ ଯୁବକ ବିଷୟରେ ଝିଅକୁ କିଛି କହିନାହାନ୍ତି; କିନ୍ତୁ କୋବରୀ ଏ ବିବାହରେ ସମ୍ମତ ଏବଂ ଜୋସୁର ବିଚାର କରିବା କଥା ବୋଲି ସେ ତାଙ୍କ ସ୍ତ୍ରୀଙ୍କୁ କହିଛନ୍ତି । ଏ କଥା ମା ବାରମ୍ୱାର କହିଛନ୍ତି । ଜୋସୁ ଭାବିଛି–କିନ୍ତୁ ମନରେ ସ୍ଥିର କରିପାରି ନି । କୋବରୀ କଥା ଭାବିବାକୁ ସେ ବ୍ୟସ୍ତ ହୋଇଛି । ଅନିଚ୍ଛା ପ୍ରକାଶ କରିଛି, ଏ କଥା ସତ....ସେ ତାକୁ ଘୃଣା କରେ ନି, ଗୋଟିଏ ସୁନ୍ଦର ଶିକ୍ଷିତ, ଭଦ୍ର ଓ ଗମ୍ଭୀର ଯୁବକକୁ କୌଣସି ନାରୀ ଘୃଣା କରିପାରିବ ନାହିଁ । ସେ ବରାବର ତାକୁ ଆକସ୍ମାତ ଭେଟେ–କୌଣସି ନିର୍ଦ୍ଦିଷ୍ଟତା ନ ଥାଇ ସେ ଟୋକିଓ ବିଶ୍ୱବିଦ୍ୟାଳୟକୁ ଯାଏ; କିନ୍ତୁ ଛୁଟି ଦିନରେ ଘରକୁ ଆସେ । ଅଳ୍ପ କେତେକ ସପ୍ତାହ ପୂର୍ବେ ଚେରି ଫୁଲର ଉତ୍ସବରେ ସେ ତାକୁ ଭେଟିଥିଲା । ଖୁବ୍‌ ଲମ୍ୱ ଦେହ, ଆଖି ଦୁଇଟି ତାର ବାଦାମୀ ରଂଗର । ସେ ତା ସହିତ ବେଶ୍‌ ସହଜରେ ଭେଟେ-

 

ତାକୁ ଦେଖିଲେ କୋବରୀ ମୁହଁ ରଙ୍ଗ ବଦଳି ଯାଏ । ସେ ଅସାଧାରଣ ଭାବେ ଗୋରା–ତାର କପାଳ ଉଚ୍ଚ, ଏବଂ ଯେ କେହି ତା’ ମୁହଁର ରଙ୍ଗ ବଦଳିଯିବାର ଜାଣିପାରିବ; ତା’ର ଗୋରା ଚମ ଓ ଉଜ୍ଜ୍ୱଳ ରକ୍ତିମ ଚେହେରାକୁ ଜୋସୁ ତାରିଫ୍‌ କରେ ଏବଂ କୋବରୀ ଫିକା ଧୂସର ଆମେରିକାନ୍‌ ସୁଟ୍‌ ପିନ୍ଧିଥିଲାବେଳେ ତାଙ୍କୁ ସେ ଖୋଲାଖୋଲି ଆମେରିକାନ୍‌ କାଇଦାରେ ନମସ୍କାର କରେ । ସେ ତାକୁ ତାରିଫ୍‌ କଲେ ବି ତା ପ୍ରେମ କରିବାକୁ ତା’ର ଅନ୍ତର ପରିପୂର୍ଣ୍ଣ ହୋଇଉଠେ । ତା’ର ଛାତିରେ ବେପଥୁ ଆସେ ଓ ସେ ପ୍ରାୟ ପ୍ରସ୍ତୁତ ହୁଏ । ସେ ଜଣକୁ ଭଲ ପାଇ ତାର ସ୍ତ୍ରୀ ହେବାକୁ ଚାହେଁ, ପ୍ରେମରେ ନିଜର ଆଗ୍ରହ ଓ ଇଚ୍ଛାକୁ ଉଦ୍‌ବୁଦ୍ଧ କରି ସେ ନିଜକୁ ସମର୍ପିଦେବାକୁ ଚାହେଁ; ତଥାପି ସେ କୋବରୀକୁ ଦେଖିଲେ ତାର ଦୃଢ଼ ହୃଦୟ ତା ଠାରୁ ଦୂରେଇ ଆସେ ଓ ତାର କାମନା ଶୀତଳ ହୋଇଯାଏ । ତାର ନରମ ସ୍ୱରର ଉତ୍ତରରେ ସ୍ପର୍ଦ୍ଧିତ ହେବାର ଏବଂ ପ୍ରେମସିକ୍ତ ଆୟତ ଚକ୍ଷୁ ଦୁଇଟିରୁ ଦୃଷ୍ଟି ଫେରାଇ ଆଣିବାର ଦୁରନ୍ତ କାମନାକୁ ଜୋସୁ ଚାପି ରଖେ । ତାକୁ ଜୋସୁ ସମର୍ଥନ କରିବାର କୌଣସି ସଂକେତ ନ ଦେଲା ବେଳେ ସେ କେଉଁ ଅଧିକାରରେ ଖୋଲାଖୋଲି ଭାବେ ତାକୁ ଭଲ ପାଇବ ? ଦୀର୍ଘ ନୀରବତା ମଧ୍ୟରେ ସେ ଖାଇସାରିବା ଭିତରେ ଏଇପରି ଚିନ୍ତାସବୁ ତା ମନରେ ଗଣ୍ଡଗୋଳ କରୁଥିଲେ ଏବଂ ସେ ବାପ-ମାଙ୍କୁ ନମସ୍କାର କରିବାକୁ ଟେବୁଲରୁ ଉଠିଲା । ଡ଼େରି ହୋଇଗଲାଣି, ସେ ସାଙ୍ଗେ ସାଙ୍ଗେ କଲେଜ ଯିବ । ସେମାନେ ତାର ନମସ୍କାର ଗ୍ରହଣ କରି ଚାହାପିଆରେ ଲାଗିଲେ । ସେ ତାଙ୍କୁ ଛାଡ଼ି ତା ରୁମ୍‌କୁ ଗଲା ଓ କିମାନୋ ବଦଳାଇ ସ୍କୁଲ ଡ଼୍ରେସ ପିନ୍ଧିଲା । ସେ ଟୋପି ପିନ୍ଧିଲା ନି କିନ୍ତୁ ତା ଲାଲ ଗାଲ ବିଷୟରେ ପରିହାସକୁ ମନେ ରଖି ତା ମୁହଁ ଢାଙ୍କିବାକୁ ସବୁଜ ସିଲକର ପାରାସୋଲଟି ନେଲଶ । ପୋଷାକଟି ଧଳା ଓ ଗ୍ରୀନ୍‌ର ପଟା ପଟ ଆମେରିକାନ୍‌ କାଇଦାରେ ତିଆରି ସ୍କଟ ଓ ବ୍ଳାଉଜ ଏବଂ ଏ ବିଷୟରେ ସେ ବିଶ୍ଚିତ ଯେ, ଏଇ ପୋଷାକ ଏବେ କୋଡ଼ିଏ ବର୍ଷୀୟା ଆମେରିକା ଝିଅ ପିନ୍ଧୁ ନ ଥିବେ । ପାପୁଲି ପାଖରେ ଲମ୍ୱା ହାତର ବୋତାମ ଦିଆଯାଏ ଓ ପୂରା ପୋଷାକ ତାର ଗୋଡ଼ର ଭଣ୍ଡା ତଳକୁ ଝୁଲୁଥାଏ । ବେକ ବେଶ୍‌ ଉଚ୍ଚା; କିନ୍ତୁ ଆଜି ସେ ଗେଟ୍‌ ପାରି ହେଲା ପରେ ଗଳାରେ ପବନ ବାଜିବା ପାଇଁ ବୋତାମ ଖୋଲି ଦେଇଥିଲା ।

 

ବଗିଚାର ଗେଟ୍‌ରୁ ସେ ବାହାରି ଆସିଲାବେଳକୁ ରାସ୍ତାରେ କେହି ନ ଥିଲେ । ସେ ଭାବିଲା, ଆମେରିକାନ୍‌ମାନେ ବୋଧହୁଏ ସହରର ଏଣେତେଣେ ବୁଲି ଦର୍ଶନୀୟ ସ୍ଥାନଗୁଡ଼ିକ ଦେଖୁଥିବେ ଅନେକ ସମୟରେ ସେମାନେ ଟୋକିଓ ବା ଓସାକାକୁ ମାର୍ଚ୍ଚ କରି ଆସନ୍ତି । ସେ ଭାବେ, ସେମାନଙ୍କ ଗାଇଡ଼ର ବହିରେ ପଢ଼ିଥିବା ପୁରାତନ ଜାପାନୀ କଲ୍‌ଚର ସବୁ କିଓଟୋରେ ଥିବାରୁ ସେମାନେ ଛୁଟିଦିନଗୁଡ଼ିକ କଟାଇବାକୁ ଏଠାକୁ ଆସନ୍ତି । ଆମେରିକାନ୍‌ ବୋମା ପକାଳିମାନେ ଯୁଦ୍ଧରେ କିଓଟୋକୁ ଧ୍ୱଂସ ନ କରିବାକୁ ଆଦେଶ ପାଇଥିଲେ । ଯେମିତି କି ଜାପାନୀମାନେ ପେକିଂକୁ ଧ୍ୱଂସ କରି ନ ଥିଲେ; କାରଣ ଆମେରିକାନ୍‌ମାନେ ସଂସ୍କୃତିର ମାନେ କିଛି ବୁଝନ୍ତି ବୋଲି ତାଙ୍କର ଧାରଣା ନ ଥିଲା । ବେଳେ ବେଳେ ସେ କହୁଥିଲେ, କମ୍ୟୁନିଜିମ୍‌ର ଆଦିମତା ଓ ଆମେରିକାର ଅସଭ୍ୟତା ମଧ୍ୟରୁ ଆମେ ଗୋଟିକୁ ବାଛିନେବାକୁ ବାଧ୍ୟ । ଅନେକ ଥର ସେ ସନ୍ତୋଷର ସହିତ ନିଜେ ନିଜେ ଭାବେ ଯେ ବାପାଙ୍କ ଅନେକ ଦୋଷ ଭିତର; ଏ ଗୋଟିଏ ବଡ଼ ଦୋଷ ହେଉଛି, ସେ ଜଣେ ଚରମପନ୍ଥୀ । ଏ କଥା ତାଙ୍କ ମୁହଁରେ କହିଲେ ସେ ମାନନ୍ତି ନାହିଁ-। ସେ ଶାନ୍ତି ପାଇଁ ତର୍କ କରନ୍ତି, ନୀରବତା ପାଇଁ ଯୁକ୍ତି କରନ୍ତି—ତାଙ୍କୁ ତଡ଼ି ଦେଇଥିବାରୁ ସେ ଆମେରିକାକୁ ଦଣ୍ଡ ଦିଅନ୍ତି ଏବଂ ସେ ଦଣ୍ଡ ହେଉଛି କେବଳ ଜାପାନକୁ ଓ ତାର ପୁରାତନ ନୀତି ଓ ବିଶ୍ୱାସକୁ ଭଲପାଇବା । ଚା ଭୋଜି ଗୋଟାଏ କି ବାଜେ କଥା—ବୟସ୍କ ଲୋକମାନେ ଚୁପ୍‌ଚାପ୍‌ ଗୋଟିଏ ବଗିଚାର ଛୋଟ ଘରେ ବସି ଆକାଶକୁ ଚାହିଁ ଟୋପାଏ ଚାହା ଗୁଣ୍ଡରେ ତିଆରି ଶାଗୁଆ ପାଣି ପିଇବାକୁ ଚାହିଁବସିବା କି ପାଗଳାମୀ ସତେ ! ତା ବାପା କହନ୍ତି, ଚା’ ଭୋଜିର ଆଧ୍ୟାତ୍ମିକ ଦିଗ ଓ ସୌନ୍ଦର୍ଯ୍ୟକୁ ବାଦ୍‌ ଦେଳଷ ଚାହା ଭିଟାମିନ୍‌ପୂର୍ଣ୍ଣ ଏବଂ ଦେହକୁ ତାଜା ରଖେ, ସେ ଏ କଥା ସ୍ୱୀକାର କରେ ନି । ଗତ ଶରତ୍‌ଋତୁରେ ମି: ମାତ୍ସୁୟୀଙ୍କ ଚାହାଭୋଜିକୁ ସେ ବାପା–ମାଙ୍କ ସହିତ ଯାଇଥିଲା—ଯଦିଓ ସାଧାରଣ ଚା’ ଭୋଜିଠାରୁ ଏହାର କିଛି ବିଶେଷତ୍ୱ ନ ଥିଲା । ତେବେ ବି ତା ବାପା ତାକୁ ବାରମ୍ୱାର ଚା ଭୋଜିର କାଇଦା ସଂପର୍କରେ ସଚେତନ କରି ଦେଉଥିଲେ । ଏସବୁ କଥାବାର୍ତ୍ତା ଆଧ୍ୟାତ୍ମିକ ଓ ମାନସିକ ହୋଇଥିବାରୁ ତାକୁ ବଡ଼ କ୍ଳାନ୍ତିକର ବୋଧ ହେଉଥିଲା । ମିଃ ମାତ୍ସୁୟୀ ଛୋଟ ଚାରି ଧାଡ଼ିଆ କବିତାଗୁଡ଼ିକ ଏପରି ପଢ଼ୁଥାନ୍ତି, ସତେ ଯେପରି ସେ ସେହି ମୂହୂର୍ତ୍ତରେ ସେଗୁଡ଼ିକୁ ରଚନା କରିଛନ୍ତି । କିନ୍ତୁ ସେ ପୂର୍ବରୁ ଘଣ୍ଟା ଘଣ୍ଟା ଧରି ବସି ସେ ସବୁ ଲେଖିଥିବାର ଜୋସୁ ଜାଣେ । ଯଦି ସେ କୋବରୀ ସହିତ କେବେ ଭଲଭାବେ ପରିଚିତ ହୁଏ, ତେବେ ସେ ତାକୁ ଏଇଆ କହିବ । କିନ୍ତୁ ଡ଼େରି କାହିଁକି ? ସେ ନିକଟରେ ଯେବେ ଦେଖିବ, ଏ କଥା ବରଂ କହିଦେବ ।

 

ଏମିତି ଗୁଡ଼ିଏ କଥା ଭାବି ଖୁସିହୋଇ ସେ ରାସ୍ତା ଚାଲିଥିଲାନିଜେ ତାର ମୂଲ୍ୟ ବୁଝୁଥିଲା; କାରଣ ସେ ଥାଉ କାହା ସାଙ୍ଗରେ ସେସବୁ ପ୍ରକାଶ୍ୟରେ କହିପାରିବି ନାହିଁ ବୋଲି ଭଲଭାବରେ ଜାଣିଥିଲା । ଏପରି କି ତା ମା ବି ଶୁଣିବେ ଯାଇଁ, ସେ ଜିଦ୍‌ କରି କହିଥିଲେ ତେବେ ତା ମା’ ବାରଣ କରିବେ ଏବଂ ସେ କଥା ବନ୍ଦ କରିବାଯାଏ ଦୁଇ କାନକୁ ହାତରେ ବନ୍ଦ କରି ଧୈର୍ଯ୍ୟର ସହିତ ବସିରହିବେ । ବେଳେ ବେଳେ ସେ ଚିଡ଼ି ଉଠି ମା’ଙ୍କ କାନରୁ ହାତ ଭିଡ଼ି ଆଣିବାକୁ ଚାହେଁ; କିନ୍ତୁ ସେ ହାତ ଖୋଲନ୍ତି ନାହିଁ । ତାଙ୍କ ଭିତରେ ଥିବା ଉଷ୍ମ କୋମଳ ଆମେରିକାତ୍ୱ ଉପରେ ଜାପାନୀତ୍ୱର କଠିନ ଖୋଳପା ରହିଛି । ସେ ସତେ ଯେମିତି ଏକ ଆଗ୍ନେୟଗିରି....ନିଜର ଶୀତଳତାରେ ଚାପିହୋଇ, ଲାଭାକୁ କରିଛନ୍ତି କଠିନ; ତଥାପି ଭିତରପଟାରେ ତାଙ୍କର ତାତି ଭରି ରହିଛି—ଜୁଆର ଉଠୁଛି ।

 

ସେ ଖରାରେ ଯାଉ ଯାଉ ରାସ୍ତାକୁ ଚାହୁଥିଲା—ତାର ଛତା ଖରାରେ ଏକ ଚଳମାନ୍‌ ବୃତ୍ତ ତିଆରି କରୁଥିଲା । କାଲି ଅସରାଏ ମେଘ ହୋଇଥିଲା ଏବଂ ଏଇଲେ ବଡ଼ ବଡ଼ ସବୁଜ ଗଛ ବୁଦା, ପାର୍କ ଓ ବଗିଚାରେ ସବୁଠେଇଁ ଫୁଟିଥିବା ଆଜାଲିଆଗୁଡ଼ିକ ବସନ୍ତକୁ ସୁନ୍ଦର କରିଚି । ବନର ମଧୁର ପବନକୁ ମୁଣ୍ଡ ଉପରକୁ ଉଠେଇ ପ୍ରଶ୍ୱାସରେ ଗ୍ରହଣ କରି ସେ ନୀରବରେ ଯାଉଥିଲା । ତା ରକ୍ତରେ ଶକ୍ତି ଖୁନ୍ଦି ହୋଇଚି ଏବଂ ତାକୁ ଉନ୍ମତ୍ତ କରିଚି । ସେ ତାର ବାହା ଦୁଇଟି ହଲାଇ ଦୌଡ଼ିବାକୁ ଚାହିଲା । ଆମେରିକାରେ ସେ ଏମିତି ଦୌଡ଼ୁଥିଲା ଓ ତା ସାଥୀରେ ଆଉରି ଦଳେ ଝିଅ ବି ଦୌଡ଼ୁଥିଲେ । ବାସ କରୁଥିବା ସହରର ରାସ୍ତାରେ ସେମାନେ ବାହୁ ମେଲି ଅକାରଣରେ ହସି ହସି ଦୌଡ଼ୁଥିଲେ । ସତେ ଯେମିତି ସେମାନେ ଉଡ଼ନ୍ତା ଚଢେଇ ! ଜାପାନରେ ସେ କେବେ ସେମିତି ଦୌଡ଼ି ନି; କେହି କେବେ ଦୌଡ଼ିବାରେ ବି ଦେଖି ନି; ଏମିତି କି ଛୋଟ ଝିଅମାନଙ୍କ ଗୋଡ଼ କଠାଉରେ ବାନ୍ଧି ଦିଆଯାଇଥାଏ ବା ଭାରି ଚମଡ଼ାର ଜୋତା ପିନ୍ଧିଥାନ୍ତି କିମ୍ୱା ରବର୍‌ ସୋଲ ଦିଆ ଚପଲ ପିନ୍ଧିଥାନ୍ତି–ଯେଉଁଥିରେ ଦୌଡ଼ିଯିବାକୁ ସୁବିଧା ହୁଏ ନାହିଁ ।

 

ସେ ହସପିଟାଲ ଗେଟ ପାଖେ ପହଞ୍ଚିଲା, ତାକୁ ଡ଼େଇଁଲେ କଲେଜ । ସକାଳେ ଆମେରିକାନ୍‌ ଯୁବକମାନେ ଗଲାବେଳେ ସେ ଏଇଠି ଠିଆ ହୋଇଥିଲା । କୌତୁହଳରେ ସେ ଥରେ ମାତ୍ର ସେମାନଙ୍କୁ ଚାହିଁଥିଲା । ସେମାନେ ସମସ୍ତେ ଏକ ପ୍ରକାରର—ହସୁଥାନ୍ତି, ଗପୁଥାନ୍ତି, ପରସ୍ପରକୁ ଠେଲାଠେଲି କରି ଚାଲିଯାଆନ୍ତି । ଲୋକେ କହନ୍ତି, ସେମାନେ ସ୍କୁଲପିଲା ଭଳି ସବୁବେଳେ ହସୁଥାଆନ୍ତି, ଠେଲାପେଲା ହଉଥାନ୍ତି ଓ ରାସ୍ତାରେ ଗଣ୍ଡଗୋଳ ପଚାରନ୍ତି, ଏ ଆମେରିକାନ୍‌ମାନେ କ’ଣ କେବଳ ଛୋଟ ପିଲା ?

 

ହସ୍‌ପିଟାଲ ଗେଟ ପାଖରେ ଉଇଷ୍ଟେରିଆ ଗଛ ଫୁଲରେ ଭରିଯାଇଥାଏ । ପାଟଳବର୍ଣ୍ଣର ଲତାଗୁଡ଼ିକ ଅଙ୍ଗୁରପେନ୍ଥା ଭଳି ଓଜନିଆ ହୋଇ ଫିକା ସବୁଜପତ୍ର ଗହଳରୁ ଝୁଲିପଡ଼ି ଥାଆନ୍ତି । ଉଇଷ୍ଟେରିଆ ଇରିସ୍‌ ଓ ପିଓନି ଫୁଲର ଋତୁ ଇଏ । ଫୁଲଗୁଡ଼ିକୁ ସେ ଭଲପାଏ-। ତା’ବାପା ଫୁଲକୁ ଆସର କରନ୍ତି ନାହିଁ । ତାଙ୍କ ବଗିଚାର ସୌନ୍ଦର୍ଯ୍ୟ କହିଲେ—ରୁକ୍ଷ ପାହାଡ଼, ପାଇନ୍‌ ଗଛ, ଜଳପ୍ରପାତ ଏବଂ କୋମଳ ବାଉଁଶବୁଦା । ସେମାନେ ବ୍ୟବହାର କରୁଥିବା ଫୁଲକୁ ତା’ର ମା କିଚିନ୍‌ ଗାର୍ଡ଼ନର ଲଗାଇଥାନ୍ତି । କେବଳ ଜୀନ୍‌ ଇରିସ୍‌ ଫୁଲର ଏକ ବୁଦା ତାଙ୍କ ଘରର ଉତ୍ତରରେ ଥାଏ ।

 

ତା’ବାପାଙ୍କ କଥା ଭାବିଲେ ଜୋସୁ ସ୍ନେହ, ବିସ୍ମୟ ଓ ସନ୍ତୋଷ ମିଶାମିଶି ଏକ ଅଦ୍ଭୁତ ଭାବ ଅନୁଭବ କରେ । ସେ ବାରମ୍ବାର ଭାବେ, ସେମାନେ ଆମେରିକା ଛାଡ଼ି ଆସି ନ ଥାନ୍ତେ । ଜଣେ ସ୍ତ୍ରୀ ଲୋକ ଆମେରିକାରେ ଚଳିବା ଅପେକ୍ଷା ଜାପାନରେ ଚଳିବା କେତେ କଷ୍ଟକର ! ଏ କଥା ତା ବାପା ବୁଝି ନ ଥିଲେ—ବୁଝିବାର ଚେଷ୍ଟା ମଧ୍ୟ କରି ନ ଥିଲେ । ଯେତେବେଳେ ସେ କାଲିପର୍ଣ୍ଣିଆର ଝିଅଙ୍କ କଥା ଭାବେ, ତାର ଯେତେଦୂର ମନେ ଅଛି, ସେମାନେ ଛଳ ଛଳ ଯୁବରାଣୀ ଭଳି ଦେଖାଯାଆନ୍ତି, କିନ୍ତୁ ଏଠାରେ ସ୍ତ୍ରୀ ଲୋକମାନେ ଅତି ଭୀରୁ । ସେମାନେ ସତେ ଯେପରି ଧୈର୍ଯ୍ୟ ଓ କର୍ତ୍ତବ୍ୟର ଗୋଟିଏ ଗୋଟିଏ ମେସିନ୍‌ । ସେମାନେ କେବେ ରାଣୀ ଭଳି ଦେଖାଯିବେ, ଏ ଆଶା ବି ନାଇଁ—କାରଣ ତା ବାପା ଅନେକ ସମୟରେ କହନ୍ତି, ଆମେରିକାନ୍‌ମାନେ ଚାଲିଗଲା ପରେ ପୁରାତନ ଜାପାନୀଚଳଣି ପ୍ରାୟ ପୁଣି ଫେରିଆସିବ । ଯୁବକମାନେ ବର୍ତ୍ତମାନ ଭଳି ଆଉ ବ୍ୟବହାର କରିବେ ନାହିଁ । ଆମେରିକାନ୍‌ମାନେ ଘରର ଅତିଥି ଭଳି ଘରେ ଅତିଥି ଥିଲାବେଳେ ପିଲାମାନଙ୍କୁ ବାଧ୍ୟ ହୋଇ ସ୍ୱାଧୀନତା ଦେବାକୁ ପଡ଼େ; କିନ୍ତୁ ଅତିଥି ଯିବା ପରେ ସେମାନେ ଦଣ୍ଡ ପାଆନ୍ତି ।

 

ସେ ଦୀର୍ଘନିଶ୍ୱାସ ଛାଡ଼ିଲା ଓ ଉଇଷ୍ଟେରିଆର ତୀବ୍ର କୋମଳ ଗନ୍ଧକୁ ଆଗ୍ରାଣ କଲା । ସେ ହସ୍‌ପିଟାଲ ଫାଟକ ପାଖରେ ପହଞ୍ଚି ପାରାସୋଲକୁ ବନ୍ଦ କରିଦେଲା । ଗେଟ୍‌ ପାଖରେ କିଏ ଜଣେ ଆମେରିକାନ୍‌ ୟୁନିଫର୍ମ ପରିହିତ ଡ଼େଙ୍ଗା ପତଳା ଯୁବକ ଗୋଟିଏ ଗୋଡ଼ ଉପରେ ଆର ଗୋଡ଼ଟିକୁ ଛକ ପକେଇ, ହାତ ଦୁଇଟି ପକେଟରେ ରଖି କାନ୍ଥକୁ ଆଉଜି ଠିଆ ହୋଇଥିଲା । ଜୋସୁ ତାକୁ ଦେଖି ଚମକି ପଡ଼ିଲା ଏବଂ ସେ ଜୋସୁକୁ ଦେଖି ହସିଦେଲା ।

 

‘‘ମୁଁ ତୁମକୁ ଅପେକ୍ଷା କରିଥିଲି’’—ସେ କହିଲା ।

 

ସେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କଥା କହିପାରିଲା ନି । ସେ ତା ଆଡ଼କୁ ଚାହିଁରହିଲା । ତା ପାଟି ଛାଏଁ ଛାଏ ବନ୍ଦ ହୋଇଗଲା । ସେ ଦୀର୍ଘାଙ୍ଗ ଓ ଭାରି ସୁନ୍ଦର ଯୁବକ । ହଁ, ସେ ଭାରି ସୁନ୍ଦର । ନୀଳ ଇରିସ୍‌ ଫୁଲ ପରି ତା ଆଖିର ରଙ୍ଗ । ତା ଚମ ଚିକ୍‌କଣ ଓ ରଙ୍ଗ ଗୋରା । ତାର ସୁନ୍ଦର ପାଟି ଭିତରେ ଧଳା ଧଳା ବଡ଼ ବଡ଼ ଦାନ୍ତ । ସେ ବଳବାନ୍‌ ଓ ସୁସ୍ଥ, ଚମଡ଼ା ବେଲଟ୍‌ରେ ବନ୍ଧା ତାର ଅଣ୍ଟା ସରୁ ଓ ତାର କାନ୍ଧ ଚଉଡ଼ା । ତା ଆଖିରେ ଆଖିଏ ହସ । ‘‘ମୁଁ ଗୋଟିଏ କଥା କହି ପାରିବି କି ?’ ସେ ପଚାରିଲେ ।

 

ଜୋସୁ ଲାଜରେ ଝାଉଁଳି ପଡ଼ିଲା । ସେ ତାକୁ ଚାହିଁ ରହିଥିଲା—ସତେ ଯେମିତି ସେ ଏକ ଅଦ୍ଭୁତ ଜୀବ; କିନ୍ତୁ ସେ ଅଦ୍ଭୁତ ବୋଲି ଜୋସୁ ତାକୁ ଏତେବେଳ ଧରି ଚାହୁଁ ନ ଥିଲା । ଜୋସୁର ପାସୋର ଯାଇଥିବା ସ୍ମୃତିଗୁଡ଼ିକୁ ସେ ଚେତାଇଦେଲା । ତା ବାପା ସବୁଦିନ ପାଇଁ ଆମେରିକା ଛାଡ଼ିବାକୁ ସ୍ଥିର କଲାବେଳେ ସେ ଲକ୍ଷ୍ୟ କରିଥିବା କାଲିଫର୍ଣ୍ଣିଆର ସ୍କୁଲପିଲାମାନଙ୍କ କଥା ତାର ମନେ ପଡ଼ୁଥିଲା । ତାର ଠିକ୍‌ ମନେ ଅଛି, ତା ଭାଇ କଥା କହିଲାବେଳେ ତାର ସ୍ୱର ଯେମିତି ଶୁଣାଯାଏ, ଏ ଯୁବକଟିର ସ୍ୱର ଠିକ୍‌ ସେମିତି । ‘‘ତୁମ ବୋଧହୁଏ ଇଂରାଜୀ ଜାଣ ନି ?’’ ଯୁବକଟି ପଚାରିଲା ।

 

‘‘ମୁଁ ଇଂରାଜୀ କହିପାରେ ।’’ —ଜୋସୁ ସହଜ ଭାବେ ଉତ୍ତର ଦେଲା ।

 

ସମ୍ମାନ ଦେଖେଇବା ପାଇଁ ଯୁବକଟି ତାର ଟୋପିଟିକୁ କାଢ଼ିଲା ।

 

‘‘କାହା ପାଟିରୁ ମୁଁ ଏମିତି ପଦେ ଉତ୍ତର କି ଶୁଣି ନି’’ ସେ କହିଲା । ‘‘ଏତିକି ଯଥେଷ୍ଟ ।’’

 

‘‘କ’ଣ ଯଥେଷ୍ଟ ?’’ —ଜୋସୁ ପଚାରିଲା ।

 

‘‘ମୋ ଭାଷା କହୁଥିବା ଗୋଟିଏ ଝିଅକୁ ଜାପାନରେ ସାକ୍ଷାତ କରିବା–ଇ ଯଥେଷ୍ଟ ।’’ ଜୋସୁ ହସିଲା—‘‘ଆପଣ କିପରି ମତେ ସାକ୍ଷାତ କରିବାକୁ ଚାହିଁଲେ ? ମୁଁ ତ ଆଗରୁ ଆପଣଙ୍କୁ ଦେଖି ନି ।’’

 

‘‘ତୁମେ ମତେ ଆଜି ସକାଳେ ଚାହିଁଲ । ଅଥଚ ଦେଖିନ ?’’ —ସେ କହିଲା ।

 

‘‘ଏଇ ଫୁଲକୁଣ୍ଡ ତଳେ ତୁମକୁ ଠିଆ ହୋଇଥିବାର ମୁଁ ଦେଖିଲି ।’’

 

ଏ ଫୁଲକୁଣ୍ଡ ନୁହେଁ କି ? ଆମ ଘର ବଗିଚାରେ ଗୋଟିଏ ଉଇଷ୍ଟେରିଆ କୁଣ୍ଡ ଏବଂ ମୁଁ ଆଜି ସକାଳେ ଏହା ନିରେଖି ବହୁତ ସମୟ ଚାହିଁଲି । କାରଣ ଏହା ମୋର ମାଆଙ୍କ କଥା ମନେପକାଇ ଦେଲା—ଏବଂ ୟାରି ତଳେ ଠିଆହୋଇ ତୁମେ ଭାରି ସୁନ୍ଦର ଦିଶୁଥିଲି ।’’

 

‘‘ଆମେରିକାନ୍‌ମାନେ ଚାଲିଯିବାକୁ ମୁଁ ଅପେକ୍ଷା କରିଥିଲି ।’’

 

‘‘ଆମେ ଚାଲିଗଲୁ; କିନ୍ତୁ ମୁଁ ଫେରିଆସିଲି । ସୈନ୍ୟମାନେ ନାରାକୁ ଗଲେ । ତୁମେ ଜାଣ, ଏକ ଆନନ୍ଦରେ ଶୋଭାଯାତ୍ରା ପାଇଁ ଆଜି ଆମର ଛୁଟି ଥିଲା । ମୁଁ ନାରା ଯେବେ ହେଲେ ଯାଇପାରିବି; କିନ୍ତୁ ମୁଁ ଭାବିଲି, ଯଦି ଏଇଠିକୁ ଫେରିଆସି କିଛି ସମୟ ଅପେକ୍ଷା କରେ, ତେବେ ତୁମେ ପୁଣି ଏଇ ବାଟେ ଆସିବ ।’’

 

‘‘ମୁଁ ସ୍କୁଲକୁ ଯାଉଚି ।’’

 

‘‘ତୁମେ କ’ଣ ଏବେ ବି ସ୍କୁଲରେ ପଢ଼ୁଚ ?’’

 

‘‘ନାଇଁ, ନାଇଁ କଲେଜରେ । ମୁଁ ଯିବି, ମୋର ଡ଼େରିହେବ ।’’

 

ସେ ଏବେ ବି ଟୋପିଟାକୁ ହାତରେ ଧରି ଛିଡ଼ାହୋଇଚି । ତା ଆଖି ଦୁଇଟି ନୀଳ ହୋଇଥିବାରୁ ତା’ ଈଷତ୍‌ ବାଦାମୀ ରଙ୍ଗର କୁଞ୍ଚିକୁଞ୍ଚିଆ କେଶ ଉପରେ ସୂର୍ଯ୍ୟକିରଣ ଚିକ୍‌ ଚିକ୍‌ କରୁଚି । ତା’ ମୁହଁ ସରୁ । ଦାନ୍ତର ମାଢ଼ି ଚାରିକୋଣିଆ । ଗାଲର ହାଡ଼ ଉଚ୍ଚା । ସେ ଭାରି ସଫେଦ ଜଣାଯାଉଛି ।

 

‘‘ମୁଁ ତୁମ ସହିତ କଥାବାର୍ତ୍ତା କରିବାକୁ ଚାହେଁ ।’’ ନିଜର ଗମ୍ଭୀର, ଉଚ୍ଚ, କଣ୍ଠସ୍ୱରକୁ ଯଥାସମ୍ଭବ କୋମଳ କରି ସେ କହିଲା ।

 

‘‘ନାଁ, ଦୟା କରି ମତେ ଯିବାକୁ ଦିଅନ୍ତୁ ।’’ ଜୋସୁ ସାଧାରଣ ଭାବେ କହିଲା–‘‘କାହିଁକି-?’’ ସେ ପଚାରିଲା ଅତି ଉତ୍ତେଜିତ ଭାବେ । ସେ ଜୋସୁ ପାଖକୁ ଲାଗିଆସିଲା ।

 

ଜୋସୁ ପାରାସୋଲ୍‌ ଖୋଲିଲା । ସେ ଏବେ କ’ଣ କରିବ ? ତାର ଚିହ୍ନା ଲୋକ କେହି ଯଦି ଦେଖେ ଯେ ସେ ଏଇ ଆମେରିକାନ୍‌ର ପାଖରେ ଠିଆହୋଇଚି ଏବଂ ତା ବାପାକୁ ଜଣାଇଦିଏ, ତେବେ ବାପା ନିଶ୍ଚୟ ତା ଉପରେ ଭୀଷଣ ରାଗିବେ । ‘‘ଦୟାକରି ଯାଆନ୍ତୁ’’—ସେ କହିଲା । ତା ଉଚ୍ଚା ଦେହ ଆଡ଼କୁ ଆଉ ନ ଚାହିଁ ଜୋସୁ ଚାଲିବାକୁ ଆରମ୍ଭ କଲା ।

 

‘‘ଗୋଟିଏ ସୁନ୍ଦରୀ ଜାପାନୀ ଝିଅ ସହିତ ସାକ୍ଷାତ କରିବାର ନିଶ୍ଚୟ ଏକ କାଇଦା ଥିବ’’-। ସେ ଜିଦ୍‌ ଧରି କହିଲା, ‘‘ମନେକର, ମୁଁ ତୁମ ଘରେ ଯାଇ ଡ଼ାକିବି; ମୋ ପରିଚୟପତ୍ର ପଠାଇ ତୁମ ବାପା ମାଆଙ୍କୁ ଭେଟିବ ।’’

 

‘‘ନାଇଁ, ନାଇଁ’’ ଜୋସୁ ପାଟିକରି ଉଠିଲା । ‘‘ମୋ ବାପା ଭାରି ରାଗିଯିବେ ।’’

 

‘‘କାହିଁକି’’ ?

 

‘‘ତୁମେ ସାକ୍ଷାତ କଲେ ।’’ ସେ ସଂକୁଚିତ ହୋଇ ଉତ୍ତର ଦେଲା ।

 

‘‘ସେ କ’ଣ ଆମେରିକାକୁ ଭଲପାଆନ୍ତି ନି ?’’ ସେ ରୁକ୍ଷ ଗଳାରେ ପଚାରିଲା । ‘‘ସେ ଆମେରିକା ସହିତ ଭଲଭାବରେ ପରିଚିତ ।’’ ଜୋସୁ ଉତ୍ତର ଦେଲା—‘‘ସତେ !’’

 

‘‘ଆମେ ଆମେରିକାରେ ଥିଲୁ । ଯୁଦ୍ଧବେଳେ ଆମେ ସେଠା ଛାଡ଼ି ଏଠାରେ ଆସି ରହିଲୁ ।’’

 

ସେ କଲେଜ ଫାଟକ ପାଖରେ ପହଞ୍ଚିଯାଇ ତାକୁ ବିଦାୟ ଦେଲା । ଭାଗ୍ୟକୁ ତାକୁ କେହି ଏ କଅଁଳ ଅପରାହ୍ନରେ ଦେଖି ନେଇ ନାହାନ୍ତି—ସମସ୍ତେ ହୁଏ ତ ଘଣ୍ଟାଏ ଦି ଘଣ୍ଟା ପାଇଁ ଶୋଇ ପଡ଼ିଥିବେ ।

 

‘‘ଦୟା କରି ଆପଣ ମୋ ସହିତ ଆସନ୍ତୁ ନି’’, ସେ ହତାଶ ଭାବେ କହିଲା, ‘‘ଆପଣ ଆସିଲେ ସତରେ ମୁଁ ଭାରି ହଇରାଣରେ ପଡ଼ିବି ।’’

 

‘‘ତାହାହେଲେ ମୁଁ ଯାଉଚି ।’’ ସେ ସାଙ୍ଗେ ସାଙ୍ଗେ କହିଲା । ‘‘କିନ୍ତୁ କାଲି ମୁଁ ପୁଣି ଏଇଠାରେ ଥିବି । ଏଇ ବମୋର ନାମଲିପି ।’’

 

ସେ ପକେଟରୁ ଏକ ଚମଡ଼ା ବାକ୍‌ସ କାଢ଼ି ତା’ ଭିତରୁ ଏକ ଅଳ୍ପ ଚଉଡ଼ା କାର୍ଡ଼ କାଢ଼ିଲା ଏବଂ ଜୋସୁ ଆଗରେ ଦେଖାଇ କରି ଧରିଲା, ସେ ପଢ଼ିବା ପର୍ଯ୍ୟନ୍ତି ! ସେକେଣ୍ଡ ଲେଫ୍‌ଟନାଣ୍ଟ—ଆଲେନ୍‌ କେନେଡ଼ି ।

 

‘‘ତୁମ ନାମ କ’ଣ ଜାଣିପାରିବି କି ?’’ —ସେ ପଚାରିଲା ।

 

ସେ ନାହିଁ କରିବାକୁ ବସିଥିଲା । କିନ୍ତୁ ତା ଆଖିରେ ଜୋସୁର ଆଖି ମିଳିଗଲା । ସେ ଏତେ ସୁନ୍ଦର—ଭଦ୍ର, ସେ ଭାବିଲା—ତାର ମୁରୁକି ହସିବା ପାଟି କେଡ଼େ ସୁନ୍ଦର ଏବଂ ସେ ମନେ ମନେ ଚାହୁଁଥିଲା, ଆମେରିକାନ୍‌ମାନଙ୍କୁ ସାକ୍ଷାତ କରିବାକୁ । ତାକୁ ନିଛାଟିଆ ଲାଗୁଥିଲା । ଜାପାନରେ ବନ୍ଧୁ ପାଇବା ତା ପାଇଁ କଷ୍ଟକର; ଯେହେତୁ ଅନେକ ବର୍ଷ କାଲିଫର୍ଣ୍ଣିଆରେ କଟାଇଥିବା ଜୀବନ ବିଷୟରେ ଏମାନେ କିଛି ଜାଣିନାହାନ୍ତି । ସେଥିପାଇଁ ଏମାନେ ତାକୁ ଅନାଦର କରନ୍ତି, ଛଳନା ଭିତରେ ଈର୍ଷାପ୍ରକାଶ କରନ୍ତି ।

 

‘‘ମୋ ନାଁ ଜୋସୁ ସାକାଇ ।

 

‘‘ଜୋସୁ ସାକାଇ’’—ସେ କହିଲା । ‘‘ତୁମେ କେଉଁଠି ରୁହ ମୋତେ କହିଲ ନି ?’’

 

ସେ ହଠାତ୍‌ ଭୀତ ହୋଇ ମୁଣ୍ଡ ହଲାଇଲା ଏବଂ ସୁନ୍ଦର ଢଳଢଳ ଜିଜ୍ଞାସୁ ଆଖି ଦୁଇଟିକୁ ଅବହେଳା କରିପାରିଲା ନାହିଁ । ସେ ଏକ ଉଷ୍ମତା ଅନୁଭବ କଲା, ହସିବାକୁ ଚେଷ୍ଟା କଲା ଏବଂ କ’ଣ କରିବ, ଠିକ୍ କରି ନ ପାରି ପାରାସୋଲ ଟପି ଫାଟକ ଭିତରକୁ ଦୌଡ଼ିଯାଇ ପାଖରେ ଥିବା ବାଉଁଶବଣ ଭିତରେ ଛପିଗଲା । ସେ ଫାଟକ ପାଖକୁ ଆସି ଠିଆହୋଇ ଆଡ଼କୁ–ସାଡ଼କୁ ଚାହିଁଲା । ଟିକେ ପରେ କ’ଣ ଭାବି ଚାଲିଗଲା; କିନ୍ତୁ ଉଇଷ୍ଟେରିଆ କୁଣ୍ଡ ପାଖରେ ସେ ଠିଆହେଲା-। ଫୁଲର ସୁଗନ୍ଧ ହଠାତ୍‌ ତାକୁ ମୁଗ୍‌ଧ କରିଦେଲା । ସେ ତାର ଗନ୍ଧକୁ ଆଗରୁ କେବେ ଏପରି ନିକିଡ଼ ଭାବେ ଜାଣି ନ ଥିଲି । ଲୁଚି ରହିଥିବା ସେଇ ସୁନ୍ଦରୀ ସହିତ ବିଜଡ଼ିତ ଏକ ଉତ୍ତେଜନାକାରୀ ଚିରନ୍ତନ ସୁଗନ୍ଧକ ଗଭୀର ଭାବରେ ପ୍ରଶ୍ୱାସରେ ଫୁସ୍‌ଫୁସ୍‌ ପାଖକୁ ଟାଣିନେଲା । ସେ ଟିକେ ଇତସ୍ତତଃ ହୋଇ ନିଜକୁ ସଂଯତ କରି ଭାବିଲା । କିଛି ଆଶଙ୍କା କରିପାରିଲେ ନି । କେଉଁ କାମନାର ବାସନାରେ ବିଭୋର ହୋଇ ସେ ଏଠାକୁ ଆସିଚି କି ?

 

ଲୁଚିଥିବା ସ୍ଥାନରୁ ଜୋସୁ ଅତି ଆବେଗରେ ଅବାକ୍‌ ହୋଇ ଉଙ୍କିମାରି ଦେଖିଲା, ସେ ଚାଲିଯାଉଚି । କାଳେ ସେ ଫାଟକ ପାଖେ ଲୁଚିଥିବ ଭାବି ଜୋସୁ ବାଉଁଶବଣରୁ ବାହାରି ଆସିଥିଲା; କିନ୍ତୁ ସେ ସେଠାରେ ନ ଥିଲା, ଆଶ୍ୱସ୍ତି ମିଳିଲେ ବି ଜୋସୁ ଦୁଃଖ କଲା—ତାକୁ ଆଉ ଦେଖି ପାରିବ ନି—ଏଇ ବିଶ୍ୱାସରେ ସେ ତା’ର ଉପରବେଳା କ୍ଳାସରେ ତା’ର ତରୁଣ ସୁନ୍ଦର ମୁହଁକୁ ଭାବିବାକୁ ଲାଗିଲା—ସେ ମୁହଁ ତାର ନିଜର ଆକାରଠାରୁ ଭିନ୍ନ ହେଲେ ବି ତାକୁ ଅତି ସ୍ୱାଭାବିକ ବୋଧହେଲା । ସେ ଯେମିତି ବାଲ୍ୟାବସ୍ଥାର ଏକ ଅପାସୋରା ଅଂଶ ।

 

ଡଃ ସାକାଇ ଚାହାଭୋଜିରେ ଫୁର୍ତ୍ତିକରି ଅନ୍ୟ ଅତିଥିମାନଙ୍କ ସହିତ ନୀରବରେ ବସିଥାଆନ୍ତି । ଖୁବ୍‌ କମ୍‌ ଲୋକଙ୍କ ଘରେ ଏବେ ଚା–ଭୋଜି ତାର ପୁରାତନ ଆଧ୍ୟାତ୍ମିକ ଅର୍ଥ ନେଇ ପାଳିତ ହେଉଛି । ସେ ନିଜକୁ ଜଣେ ଅଭିନେତା ବୋଲି ଭାବୁଥିଲେ, କାହିଁକି ନାଁ, ପିଲାଦିନରୁ ତାଙ୍କ କାଲିଫର୍ଣ୍ଣିଆ ଘରେ ଏପରି ଚା’ଘର କେଉଁଠି ନ ଥିଲା । ଯାହା ତାଙ୍କର ମନେଅଛି—ଏଇ ନୂତନ ଦେଶରେ ଚଳି ପିଲାମାନଙ୍କୁ ଶିକ୍ଷା ଦେବାରେ ତାଙ୍କ ବାପ–ମା ମୁଣ୍ଡଝାଳ ତୁଣ୍ଡରେ ମାରି ଖୁବ୍‌ ପରିଶ୍ରମ କରୁଥିଲେ । ଡକ୍ଟର ସାକାଇ ଯେ ମାତ୍ସୁୟୀ ପରିବାରର ବନ୍ଧୁ ଓ ଚିକିତ୍ସକ, ଏହା ତାଙ୍କ ପାଇଁ ଏକ ବିସ୍ମୟ । ନିଜ ଦେଶକୁ ଫେରିଥଇଲେ ବି ସେ ଜଣେ ଆଗନ୍ତୁକ ଏବଂ ଜାପାନର ଜୀବନପ୍ରଣାଳୀ ତାଙ୍କୁ ଶିଖିବାକୁ ହେବ—ଏ କଥା ସେ ତାଙ୍କ ବୟସ୍କ ଜାପାନୀ ବନ୍ଧୁମାନଙ୍କ ଆଗରେ ଜଣାଇଥିଲେ ।

 

‘‘ମୁଁ ଯେ ଭୁଲିଯାଇଚି—ଏ କଥା ନୁହେଁ’’-ଡକ୍ଟର ସାକାଇ କହିଲେ । ‘‘ମୁଁ ସାରାଜୀବନ ଜାପାନ ବିଷୟରେ ପଢ଼ିଚି ଓ ଅଧ୍ୟୟନ କରିଚି । ତେଣୁ ମତେ ଯେତେବେଳେ ବାଛିବାକୁ ପଡ଼ିଲା, ମୁଁ ଜାଣିଲି ମତେ ଜାପାନ ଫେରିବାକୁ ହବ । ଆଜି ମୁଁ ଯେତେବେଳେ ଏଠି, ମୋର ଏଠାର ଚଳଣି ବିଷୟରେ ଅନେକ ଶିଖିବାର ଅଛି ।’’

 

‘‘ତୁମର ଆଗ୍ରହ ଅଛି; ତୁମେ ସବୁ ସହଜରେ ଶିଖିପାରିବ—ମିଃ ମାତ୍ସୁୟୀ ଉତ୍ତର ଦେଲେ-। ମିଃ ମାତ୍ସୁୟୀ ନିଜେ କେବେ ଜାପାନର ଉପକୂଳ ଛାଡ଼ିନାହାନ୍ତି, ଏଇ ଡ଼େଙ୍ଗା କଡ଼ା ଚେହେରା ଥିବା ଓ ପୂରାପୂରି ଜାପାନୀ ନେବାକୁ ଚେଷ୍ଟା କଲେ ବି ଅଜାଣତରେ ଆମେରିକାନ୍‌ ହୋଇ ରହିଯାଇଥିବା ଡ଼ାକ୍ତରଙ୍କୁ ସ୍ୱାଗତ ଜଣେଇବା ତାଙ୍କ ପକ୍ଷେ ଏକ କୌତୁହଳ କଥା । ଆଜି ଉପରବେଳାର ଏଇ ଚା’ ଭୋଜିର; ତାଙ୍କର ଅଦମା ଉତ୍ସାହ ମିଃ ମାତ୍ସୁୟୀ ବେଶ ଲକ୍ଷ୍ୟ କରୁଥିଲେ-। ଏଇ ଦୃଢ଼ ନିଷ୍ଠା କେହି ବାଧ୍ୟବାଧକତାବଶତଃ ଦେଖାଏ ନି । ଏ କଥା ନ କହି ମିଃ ମାତ୍ସୁୟୀ ଏକ ଶାନ୍ତିପୂର୍ଣ୍ଣ ଉପାୟରେ କଥାବାର୍ତ୍ତା କରିବାକୁ ସ୍ଥିର କଲେ । ସେ ସିଲ୍‌କ ଫିତା ବନ୍ଧା ବାକ୍‌ସରୁ ତାଙ୍କ ସମ୍ପଦର ନମୁନା ସ୍ୱରୂପ ଏକ ମୂଲ୍ୟବାନ ଚା’ପାତ୍ର ବାହାର କଲେ ।

 

‘‘ଏଇ ପାତ୍ରଟି ମୋର ଜଣେ ମୃତ ବନ୍ଧୁଙ୍କର—’’ ମିଃ ମାତ୍ସୁୟୀ କହିଲେ । ‘‘ଏଇ ଚା’ ପାତ୍ର ସହିତ ତାଙ୍କର ଅନେକ ଆତ୍ମାୟତା ଥିଲା । ସେ ମଲାବେଳେ ଏଇଟିକୁ ମତେ ଦେଇଗଲେ । ଯେହେତୁ ତାଙ୍କର ଏକମାତ୍ର ପୁଅ ଚା’ଭୋଜିର କାଇଦା ଶିଖି ନ ଥିଲା ।’’

 

ଚଟାଣର ଗାଲିଚା ଉପରେ ନିଜର କହୁଣୀକୁ ନୁଆଇଁ ଡକ୍ଟର ସାକାଇ ଯଥାସମ୍ଭବ ଯତ୍ନରେ ଚା’ ପାତ୍ରକୁ ଦେଲେ । ଅଯତ୍ନରେ କେହି ସାଧାରଣତଃ ମୂଲ୍ୟବାନ୍‌ ପାତ୍ର ଧରେ ନାହିଁ । ବାଁ ହାତ ପାପୁଲିରେ ପିଆଲା ଓ ଡ଼ାହାଣ ହାତରେ କପ୍‌ ଧରି ମିଃ ମାତ୍ସୁୟୀ ଚା’ ପିଇଲେ । ଡକ୍ଟର ସାକାଇ ପିଉଥିବା ପାତ୍ରଟି ଫିକା ସବୁଜ ରଙ୍ଗର । ତା ଉପରେ କୌଣସି ଲେଖା ବା ଚିତ୍ର ନ ଥିଲା । ଏହା ସ୍ଥିରଜଳ ପରି ବିଶ୍ରାନ୍ତ—ବୃତ୍ତାକାର ଓ ଅର୍ଦ୍ଧବୃତ୍ତାକାର, ଯେତେବେଳେ ସେ ଏହି ପାତ୍ରକୁ ମିଃ ମାତ୍ସୁୟୀଙ୍କୁ ବଢ଼ାଇ ଦେଲେ । ମିଃ ମାତ୍ସୁୟୀ ଦୀର୍ଘଶ୍ୱାସ ପପକାଇ ଘରର ଏଣେତେଣେ ଚାହିଁଲେ । ଝୁଲୁଥିବା ଚିତ୍ରିତ ଶାମୁକା, ଚା’ ଡ଼ବା, ପାତ୍ର, କେଟ୍‌ଲି, ଉହ୍ମେଇ ଓ ଟ୍ରେ ନିରାଡ଼ମ୍ୱର ହେଲେ ବି ସୁନ୍ଦର । ପାଞ୍ଚ ଜଣ ପୁରୁଷବନ୍ଧୁ ଗୋଡ଼ଭାଙ୍ଗି ସହଜରେ ସଳଖି ବସିଥିଲେ । ପରିସ୍ଥିତିରେ ନିର୍ମଳତା ସେମାନଙ୍କୁ ଗମ୍ଭୀର କରିଥିଲା । ସେମାନେ ସୌନ୍ଦର୍ଯ୍ୟର ପୂଜାରୀ, ସେମାନଙ୍କର ଧାରଣା ସହିତ ସୌନ୍ଦର୍ଯ୍ୟ ନୀତି ଜୀବନ, ସ୍ଥାପତ୍ୟ ଭାସ୍କର୍ଯ୍ୟ, ମାଟିର କାରୁକାର୍ଯ୍ୟ, ସାଜସଜ୍ଜା, ଏ ସବୁ ଟିକିନିଖି ଘଟଣା ଓ ଉପାଦାନ ଖାପ ଖୁଆଇଛି । ଆଜି ମିଃ ମାତ୍ସୁୟୀଙ୍କ ଚା’ଘରେ ଦୁଇଟି ଡ଼େମ୍ଫର ଗୋଟିଏ ଇରିସ୍‌ ଫୁଲ, ଗୋଟିଏ କଢ଼, ଗୋଟିଏ ଲମ୍ୱା ପତ୍ର ଓ ଆଉ ଗୋଟିଏ ଛୋଟ ପତ୍ର ସହ ବନ୍ଧାଯାଇଚି-। ଫୁଲ ଓ ପତ୍ର ଅତି ଯତ୍ନରେ ସାଧାରଣ ଭାବେ ରଖାଯାଇଚି । କିନ୍ତୁ ସମସ୍ତେ ଜାଣନ୍ତି, ଏହି ସାଧାରଣ ସଜ୍ଜାଟି ପ୍ରାକୃତିକ ଦେଖାଗଲେ ବି ପ୍ରାକୃତିକ ନୁହେଁ । ଜଟିଳତାର ଶେଷ ସୀମାରେ ହଉଚି ସରଳତାର ପ୍ରକାଶ । ସଂପୂର୍ଣ୍ଣ ପରିପୃକ୍ତ ମସ୍ତିଷ୍କ ତା’ର ଶେଷ ବିକାଶରେ ହିଁ ସରଳତାରେ ପହଞ୍ଚେ । ଚା’ଭୋଜି ଉତ୍ସବରେ ଗଣ୍ଡଗୋଳ ଘଟାଇବା ଭଳି କୌଣସି କଥାବାର୍ତ୍ତା ହୋଇ ନ ଥିଲା-। ଏହା ପରେ ସୂର୍ଯ୍ୟ ଅସ୍ତ ହେବାକୁ ବସିଲେଣି । ବନ୍ଧୁମାନେ ଗୃହକର୍ତ୍ତାଙ୍କୁ ନମସ୍କାର ଓ ଧନ୍ୟବାଦ ଜ୍ଞାପନ କରି ଚା’ ଘର ଛାଡ଼ି ବିଶ୍ରାମଗାରକୁ ଗଲେ । ସେଠାରେ ସେମାନେ ଯାହା ଚାହିଁବେ, କଥାବାର୍ତ୍ତା ହୋଇପାରିବେ ଏବଂ ମିଃ ମାତ୍ସୁୟୀ ଅଳ୍ପ କେତୋଟି ମିନିଟ ପରେ ସେଠାରେ ପହଞ୍ଚିଲେ-। ଯେଉଁ ଲୋକମାନେ ତାଙ୍କ ଦେଶକୁ କେବେ ଛାଡ଼ିନାହାନ୍ତି ଏବଂ ବର୍ତ୍ତମାନ ବିଦେଶୀ ଶାସନ ସମୟରେ ତାଙ୍କ ଦେଶଲୋକଙ୍କର ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସନ୍ତୋଷ ଦେଲା । ଆମେରିକାକୁ ସେ ଭୁଲିଯାଇଛନ୍ତି । ଅନ୍ତର ଓ ଆତ୍ମାରେ ସେ ଭୁଲିଚନ୍ତି । ପୂର୍ବକାଳରେ ଜାପାନ ତାର ପ୍ରାଚୀନ ନୀତି, ଭଲମନ୍ଦର ଦୀର୍ଘ ଶାନ୍ତି ଆଲୋଚନା ତାଙ୍କ ଭିତରେ ଏକ ନୂତନ ମଣିଷକୁ ସୃଷ୍ଟି କରିଚି । ଜାପାନର ଲୋକମାନେ କିପରି ତାଙ୍କ ଜୀବନ–ନୀତି ଭିନ୍ନ ଅନ୍ୟ ଏକ ଜୀବନ–ନୀତିରେ ଠକିହେବାକୁ ନିଜକୁ ଦିଅନ୍ତି, ତା ଏଇଥିରୁ ସେ ଜାଣିଲେ ।

 

‘‘ସବୁ ମଣିଷର ଏକ ମନ୍ଦ ଦିଗ ରହିଚି ।’’ ଆଜି ବିଶ୍ରାମାଗାରରେ ବସିଥିବାବେଳେ ମିଃ ତନାକା କହିଲେ—ପ୍ରତ୍ୟେକ ଦେଶରେ କେତେକ ନିର୍ମମ ଲୋକ ଜନ୍ମ ହୁଅନ୍ତି ଯେଉଁମାନେ କି କିଛି ଶିଖନ୍ତି ନାହିଁ । ସେମାନେ ଜନ୍ମରୁ ଦୁଷ୍ଟ ଓ ଉତ୍ତର–ଜୀବନରେ ନିଶ୍ଚୟ କୌଣସି ପାପକର୍ମରେ ସଂପୃକ୍ତ ଥାଆନ୍ତି । ସେମାନେ ଶାସନ–ଶୃଙ୍ଖଳା ଭିତରେ ରହିପାରନ୍ତି ନାହିଁ; ଏବଂ ପରିବାର ଓ ପିତାମାତାଙ୍କ ଦୁଃଖର କାରଣ ହୋଇଥାଆନ୍ତି । ନିଜ ଅଞ୍ଚଳର ଆତଙ୍କ ହୁଅନ୍ତି ଏବଂ ସେମାନେ ଦୁର୍ବଳ ଓ ବିବ୍ରତ ହୁଅନ୍ତି । ଶହେ ବର୍ଷରୁ ଅଧିକ ହେବ ଏକ ଦୁଃସମୟର ସୁଯୋଗ ନେଇ ଆମମାନଙ୍କ ମଧ୍ୟରୁ ଏଇମାନେ ଆମ୍ଭମାନଙ୍କ ଦେଶବାସୀଙ୍କୁ ଜଣାଇଲେ ଯେ, ଯେଉଁ ପାଶ୍ଚାତ୍ୟ ଶକ୍ତିମାନେ ନିଜ ପାଇଁ ଏସିଆକୁ ଖଣ୍ଡ ଖଣ୍ଡ କରୁଚନ୍ତି, ସେଇମାନେ ଜାପାନ ଅଧିକାର କରିବେ । କିଏ କହିପାରେ–ହ—ଏ ତ ସେମାନେ ଠିକ୍ କହିଥିଲେ । ଆମ୍ଭମାନଙ୍କ ଲୋକେ ଏଥିରେ ଭୟଭୀତ ହୋଇପଡ଼ିଲେ ଏବଂ ଏଇ ଭୟ ଦୁଷ୍ଟମାନଙ୍କ ପଥକୁ ସୁଗମ କଲା । ସେମାନେ ସ୍ଥଳ ଓ ନୌବାହିନୀ ରଖିଲେ । ମାଞ୍ଚୁରିଆ ଦଖଲ କଲେ ଏବଂ ନିଜର ନିରାପତ୍ତା ପାଇଁ ଏକ ସାମ୍ରାଜ୍ୟ ଗଢ଼ିବାକୁ ଚାହିଁଲେ । ବିରାଟ ପରିବର୍ତ୍ତନର ଏଇ ହେଉଚି ପ୍ରାରମ୍ଭ । ଆମେ ଭୟ ନ କରିଥିଲେ ହୁଏ ତ ଅକ୍ଷତ ରହିଥାନ୍ତୁ । ଭୟ ହେଉଚି ସମସ୍ତ ଦୁର୍ବଳତାର ପ୍ରଥମ ସୋପାନ । ମିଃ ତନାକାଙ୍କ ପରି ଜଣେ ବୃଦ୍ଧ, ଖର୍ବକାୟ ଓ ପତଳା ଲୋକ ଏଇ ବିରାଟ ପରିବର୍ତ୍ତନ ଭିତରେ ସତୁରୀ ବର୍ଷ ବଞ୍ଚିଲେଣି-। ସେ କେବେ ପାଶ୍ଚାତ୍ୟ ପୋଷାକ ପିନ୍ଧିନାହାନ୍ତି କିମ୍ୱା ତାଙ୍କ ଘରେ ଗୋଟିଏ ଚୌକି ବା ପାଶ୍ଚାତ୍ୟ ଢାଞ୍ଚାର ଆସବାବ ନାହିଁ । ତାଙ୍କର ଅନେକ ପୈତୃକ ସଂପତ୍ତି ଥିଲା ଏବଂ ଦିନୁ ଦିନ ଅଭାବ ବଢୁଥିଲେ ବି ସେଇଥିରେ ଚଳିଯାଉଥିଲେ । ଏଇ ଯୁଦ୍ଧରେ ତାଙ୍କର ସବୁ ପୁଅ ମଲେ ଓ କେତେକ ବର୍ଷତଳେ ତାଙ୍କ ବାପା ମଧ୍ୟ ଚୀନ ସହିତ ପ୍ରଥମ ଯୁଦ୍ଧରେ ନିହତ ହୋଇଥିଲେ । ସମସ୍ତ ଯୁଦ୍ଧକୁ ବିରକ୍ତିର ସହିତ ସହ୍ୟ କରି ଧର୍ମାନ୍ତର ଗ୍ରହଣବେଳେ ଜାପାନର ଅନ୍ୟ ଧର୍ମାଲବମ୍ୱୀ ହେବାକୁ ନାହିଁ କରି ସେ ବୌଦ୍ଧ ହୋଇଥିଲେ । କାରଣ ଏହା ହିଁ ମାନବ ପ୍ରେମର ମୂଳ କଥା । ଅନ୍ୟ ଧର୍ମରେ ଦେଶପ୍ରେମ ଉପରେ ଖୁବ୍‌ ଜୋର ଦିଆଯାଏ । ଦେଶପ୍ରେମର ସେ ପକ୍ଷପାତୀ ନୁହନ୍ତି । ସେ ନିଜକୁ ମାନବପ୍ରେମୀ ବୋଲି ଘୋଷଣା କଲେ । ସବୁ ଲୋକଙ୍କୁ ଭଲପାଆନ୍ତି, ଏପରି କି ଆମେରିକାନ୍‌ମାନଙ୍କୁ ମଧ୍ୟ ହତାଦର କରନ୍ତି ନାହିଁ ।

 

‘‘ମୋ ପିଲାଦିନର ସମୟ ଅତି ନିଷ୍ଠୁର ଥିଲା ।’’ ମିଃ ତନାକା ଚିନ୍ତାଶୀଳ ଭାବରେ କହିଲେ । କେହି ତାଙ୍କୁ ବାଧା ଦେଉ ନ ଥିଲେ । ସେ ଗୋଡ଼ଭାଙ୍ଗି ବସିଥିବା ଏକ ଛୋଟ ମଣିଷ—ଖୋଲା ଦ୍ୱାର ଦେଇ ବଗିଚାକୁ ଚାହିଁଥିଲେ—ଅସ୍ତସୂର୍ଯ୍ୟର ରଶ୍ମିରେ ଗାଧୋଇ ପଡ଼ିଥିଲେ । ପରମାଣୁ ବୋମା ନାଗାସାକିରେ ପଡ଼ିଲାବେଳେ ମୁଁ ସେଠାକୁ ଦେଖିବାକୁ ଯାଇଥିଲି । ଆପଣମାନେ ଜାଣନ୍ତି, ନାଗାସାକିରେ ମୋ ପରିବାରର ପୂର୍ବପୁରୁଷମାନେ ରହୁଥିଲେ ଏବଂ ମୋ ପୂର୍ବପୁରୁଷମାନଙ୍କର ସମାଧି ମଧ୍ୟ ସେଠାରେ ରହିଚି । ସେମାନଙ୍କ ଭିତରୁ ଛ’ ଜଣ ଏଠାରେ ସାରା ଜୀବନ ବାସ କରିଥିଲେ । ନାଗାସାକିକୁ ଦେଖିସାରିବା ପରେ ମୁଁ ଆଉ ଏ ନିର୍ମମତା ସହ୍ୟକରି ପାରୁନାହିଁ । ଭିଡ଼ ଭିତରେ ଠେଲାଠେଲି କରି ମୁଁ ଆଉ ଟ୍ରାମ୍‌ କାର୍‌ ଭିତରକୁ ଯାଇପାରୁନି । ଏତେ ଟିକେ ଅତ୍ୟାଚାର; ଏପରି କି ଜଣକୁ ଠେଲିଦେବାରେ ପକ୍ଷପାତୀ ବି ମୁଁ ନୁହେଁ । ମୁଁ ଆସି ବୁଢ଼ା ହେଲିଣି, ଦିନେ ହେଲେ କାହାକୁ ଠେଲିପେଲି ଆଗକୁ ଯିବାରେ ମୁଁ ସମର୍ଥ ହୋଇନାହିଁ । କୌଣସିମତେ ମୁଁ ଏହା କରିପାରିବିନି । ଏଇ ଠେଲିଦେବାଟା ମୋ ପକ୍ଷେ ଏଡ଼େବଡ଼ ନିର୍ମମତା ହେବ ଯେ, ମୁଁ ସହିପାରିବି ନି । ମୁଁ ପିମ୍ପୁଡ଼ିଟିଏ ଦଳିଦେଇ ପାରେ ନି, ଚଢେଇଟିଏ ମାରିପାରେ ନି କି ପିଲାକୁ ଟିକିଏ କନ୍ଦାଇ ଦିଏ ନି । ଆପଣ ଦେଖନ୍ତୁ, ଏଠ ହେଉ ବା ପୃଥିବୀର ଯେ କୌଣସି ସ୍ଥାନରେ ହେଉ, ଯାହା ଘଟିଛି ତା’ଠାରୁ ଅଧିକ ନିର୍ମମତା ମୁଁ ସହ୍ୟ କରିପାରେ ନି, ଅଧିକ ନୁହେଁ–ହେ ଭଗବାନ ବୁଦ୍ଧ !’’ ସେ ନିଜର ସରୁ ବାର୍ଦ୍ଧକ୍ୟଗ୍ରସ୍ତ ମୁହଁ ଟେକି ଆଖି ବୁଜିଲେ ଏବଂ ଡକ୍ଟର ସାକାଇ ମୁଣ୍ଡ ନୁଆଁଇଲେ । ଛାତିରେ କ୍ରମାଗତ ବଢ଼ୁଥିବା ଏକ ଅବ୍ୟକ୍ତ ଦୁଃଖ ସେ ଅନୁଭବ କଲେ-।

 

ଶେଷ ବିଦାୟ ପାଇଁ ସେମାନେ ଉଠିଲାବେଳେ ଡକ୍ଟର ସାକାଇ, ମିଃ ମାତ୍ସୁୟୀଙ୍କ ସହିତ ଝିଅ ବିଷୟରେ କଥାବାର୍ତ୍ତା କରିବାର ସୁଯୋଗ ବି ଚାହିଁଲେ ନି । ଉପରବେଳା ଆକାଶ ନିର୍ମଳ ଥିଲା । ଅତୀତରେ ସେ ନିଜକୁ ଡ଼ୁବାଇ ଦେଇଥିଲେ ଏବଂ ଜାପାନୀ ହେବାକୁ ଅଧିକ କ’ଣ ଦରକାର, ଶିଖିବାକୁ ଲାଗିଲେ । ଯୁବକମାନଙ୍କ କଥା ବା ଆସନ୍ତାକାଲିର କଥା ସେ ଭାବିବାକୁ ଚାହୁଁ ନ ଥିଲେ । ସେଥିପାଇଁ ଅନେକ ସମୟ ଅଛି ।

 

ସେ ଘରକୁ ଧୀରେ ଧୀରେ ଫେରିଆସିଲେ । ତାଙ୍କ ମନକୁ କ୍ରମେ ଏକ ନିର୍ଲିପ୍ତ ଶାନ୍ତି ଅଭିଭୂତ କରିଦେଉଥିଲା ।

 

ଘରର ପ୍ରଧାନ କୋଠରୀରେ ଶ୍ରୀମତୀ ସାକାଇ ତାଙ୍କ ସ୍ୱାମୀଙ୍କୁ ଅପେକ୍ଷା କରିଥିଲେ । ତାଙ୍କ ଅନୁପସ୍ଥତିରେ ଆଜି ଉପରବେଳା ଯାହା ଘଟିଯାଇଛି, ତାହା କିପରି ସେ ତାଙ୍କ ଆଗେ କହିବେ ? ସେ ତାଙ୍କୁ ଭୟ କରନ୍ତି; କାରଣ ସମସ୍ତଙ୍କଠୁ ସେ ତାଙ୍କୁ ଭଲପାଆନ୍ତି । ସେଥିପାଇଁ ସାହସ କରି କୌଣସି ଏକ ଅଘଟଣ ବିଷୟରେ ସେ ତାଙ୍କୁ ସହଜରେ କହିପାରନ୍ତି ନାହିଁ । କିନ୍ତୁ ଯାହାକୁ ଅତି ପ୍ରଶଂସା କରନ୍ତି, ତାକୁ ସେ ଭଲ ପାଇବା ଅସମ୍ଭବ । ତାଙ୍କର ବୁଦ୍ଧିମାନ ମସ୍ତିଷ୍କ ସବୁବେଳେ ଭୁଲ୍‌ ଦେଖେ ଓ ଶ୍ରୀମତୀ ସାକାଇ ସେଥିପାଇଁ ଅନେକ ସମୟରେ ନୀରବ ରହନ୍ତି । ଅଧିକନ୍ତୁ ତାଙ୍କ ନୀରବତା ଭିତରେ ଏକ ପାପ ଭରି ରହିଚି ଯାହାକୁ ସେ ଖୋଲିପାରିବେ ନାହିଁ । ସେ ଜାପାନକୁ ଭଲପାଆନ୍ତି ନି । ସେ ଆମେରିକା ଛାଡ଼ିବାକୁ ଚାହୁଁ ନ ଥିଲେ । ସେ ଅବରୁଦ୍ଧ ଶିବିରରେ ହୁଏ ତ ରହିଥାଆନ୍ତେ, ଯେଉଁଠି ତାଙ୍କର ବନ୍ଧୁମାନେ ରହିଲେ । ଅବଶ୍ୟ ଡ଼: ସାକାଇ ଜଣାଇଥିଲେ । କୌଣସିମତେ ସେ ତାଙ୍କ ବନ୍ଧୁମାନଙ୍କ ସହିତ ଏକାଠି ରାନ୍ଧି, ଲୁଗାପଟା କଚାକଚି କରି ଚଳିଥାନ୍ତେ ଏବଂ ତାଙ୍କୁ ଗପ କରିବାକୁ ଯଥେଷ୍ଟ ସୁବିଧା ମିଳିଥାଆନ୍ତା । ଆଗ ଅପେକ୍ଷା ଅଧିକ ସମୟ ପାଇଥାନନ୍ତେ; କାହିଁକି ନା ଚାକିରି ନ ଥାଆନ୍ତା । ସେଠି ଯେତେ ଗରିବ ହେଲେ ବି ଖାଦ୍ୟ ଯୋଗାଇ ଦିଆଯାଏ । ମରୁଭୂମି ପରି ସେଠାରେ ପାଗ ଶୁଖିଲା ଏବଂ ଉଷୁମ ରହେ; କିନ୍ତୁ ଖରାଦିନେ ବି କିଓଟୋରେ ଜଳବାୟୁ ଆର୍ଦ୍ର; ଘର ଥଣ୍ଡା, ବଗିଚାର ପାଣି, ସମୁଦ୍ର ଉପର ପତଳା କୁହୁଡ଼ି ଏବଂ ପର୍ବତଗୁଡ଼ିକ ଏଠାରେ ସବୁବେଳେ ପ୍ରାୟ ଘରକୁ ସନ୍ତସନ୍ତିଆ ରଖେ । ଏମିତି କେତେକ ବେଖାପା ଚିନ୍ତା ଭିତରେ ସେ ସ୍ୱାମୀଙ୍କର ଅପେକ୍ଷାରେ ଗୋଡ଼ଭାଙ୍ଗି ସଳଖି ବସିଲେ । ତାଙ୍କ ଦେହରେ ତାଙ୍କର ସବୁଠୁଁ ଭଲ ପାଟଳ ରଙ୍ଗର କିମୋନୋ–ବେକରେ ଥିବା ଧଳା ସିଲକ ଫିତା ଅତି ସ୍ୱଚ୍ଛ ଦିଶୁଥିଲା । ତାଙ୍କ ପାଦରେ କନାର ତୁଷାର ଧବଳ ଯେ ତା, ତାର ତଳ ଦି ପ୍ରସ୍ତ ହୋଇ ସିଲେଇ ହୋଇଚି । ସେ ନିଜେ ମୋଜା ତିଆରି କରିଛନ୍ତି । ଜାପାନର ଏକ ଗରିବ ପରିବାରରେ ବଢ଼ିଥିବାରୁ ସେ ସବୁ ଜିନିଷ ଭଲଭାବେ ତିଆରି କରି ଜାଣନ୍ତି । ଏଇ ଅନ୍‌ଜେନ୍‌ ପାଖରେ ଓ ନାଗାସାକି ପର୍ବତ ଉପରେ ଥିବା ଏକ କ୍ଷୁଦ୍ର ପାର୍ବତ୍ୟ ଚାଷଭୂମିରେ ସେମାନେ ରହୁଥିଲେ । ତା’ର ଅନତିଦୂରରେ ଏକ ଉଷ୍ଣପ୍ରସ୍ରବଣ; ତେଣୁ ବସନ୍ତ ବା ଶରତ୍‌ଋତୁରେ ସେମାନେ ଫୁଲ ଓ ରଙ୍ଗୀନ ଗଛସବୁ ଦେଖିବାକୁ ବାହାରିଲେ ପର୍ବତ କଡ଼ରୁ ଉଠୁଥିବା ଧୂଆଁରେ ରୁଦ୍ଧ ହୋଇ ଯାଆନ୍ତି ।

 

ଅନେକଗୁଡ଼ାଏ ଝିଅ ଜନ୍ମ କରି ତାଙ୍କର ବାପା ଏପରି ଗରିବ ହୋଇଯାଇଥିଲେ ଯେ ଦିନ ଆମେରିକାରେ ଥିବା ଏକ ଜାପାନୀ ଯୁବକ ପାଇଁ କନ୍ୟା ଆବଶ୍ୟକ ବୋଲି ଖବର କାଗଜରୁ ପଢ଼ି ବାପା ତୁରନ୍ତ ଝିଅର ନାମ ରେଜେଷ୍ଟ୍ରି କରି ପଠାଇଥିଲେ । ତାଙ୍କ ମା ତାଙ୍କୁ ବାଛିଲେ ଓ ଡ଼: ସାକାଇ ତାଙ୍କର ଶାନ୍ତ ମୁହଁକୁ ପସନ୍ଦ କରିଥିଲେ । ସୁନ୍ଦରୀ ନ ହେଲେ ଯୁବତୀ ହିସାବରେ ତାଙ୍କର ଖୁରୁସୁଣିଆଁ ମୁହଁଟି ଥିଲା । ସେ ଯେ ଜଣେ ଡ଼ାକ୍ତର ପାଖକୁ ପଠାଯିବେ ଏବଂ ସେ ତାଙ୍କର ବଙ୍କା ଗୋଡ଼, ଛୋଟ ମାଂସଳ ପାଦ ଓ ହାତକୁ ଅପସନ୍ଦ କରିବେ, ଏ କଥା ଜଣା ନ ଥିଲା । ସେ ତାଙ୍କ ଖାଦ୍ୟ ବିଷୟ ପଚାରିଲେ । ତାଙ୍କ ଖାଦ୍ୟ ଥିଲା ଭାତ, ମାଛ ଓ ପରିବା ତରକାରି ।

 

ପିଲା ଜନ୍ମହେବେ ପରେ ସେ ପିଲାଙ୍କୁ ସୋଏତନ୍‌ ସାକାଇଙ୍କ କଥାନୁସାରେ ଖୁଆଇବାରେ ଯତ୍ନ ନ ନେଲେ, ସେ ସାଙ୍ଗେ ସାଙ୍ଗେ ରାଗିଯାଆନ୍ତି । ସେ ଖୁଆପିଆ ପୁଅ ପାଇଁ କିଛି ବି କାମ ଦେଲା ନି–କାରଣ ସେ ମରିଗଲା । କିପରି ପୁଅକୁ ସେ ବହଳିଆ ଗାଈଦୁଧ ପିଇବାକୁ ବାଧ୍ୟ କରନ୍ତି ଓ ସେ କିପରି କାନ୍ଦେ । ପୁଅ ଯାହା ନ ଚାହେଁ, ତା’ ସେ ଯଦି ନ କରିଥାନ୍ତେ–ଛାଡ଼, ବର୍ତ୍ତମାନ ସେ ସବୁ ଭାବି କିଛି ମୂଲ୍ୟ ନାହିଁ । ତାର ସମାଧି ବି ସେ ଦେଖିପାରିଲେ ନି । ପୁଅ କେନ୍‌ସାନ୍‌ କଥା ଭାବୁ ଭାବୁ ତାଙ୍କ ଆଖିରୁ ସ୍ୱାଭାବିକ ଲୁହ ଝରିପଡ଼ିଲା-। ତାଙ୍କ ଓସାରିଆ ହାତର ପଛପାଖେ ଅତି ଯତ୍ନରେ ଆଖି ପୋଛିନେଲେ ଏବଂ ତାଙ୍କ ବାଁ ହାତ ମଝିରେ ରଖିଥିବା ଟିସୁ କାଗଜ ଖଣ୍ଡରେ ନାକକୁ ପୋଛିଦେଲେ । ପାଖରେ ଥିବା ଅସ୍‌କରା ଟିଣରେ ସେ ଟିସୁ କାଗଜ ମୋଡ଼ି ପକାଇ ଦେଲେ । ସେ ଅନେକ ଆମେରିକାନ୍‌ କାଇଦା ଶିଖିଛନ୍ତି; କିନ୍ତୁ କନା ରୁମାଲ ଭଳି ଅସନା କାଇଦା ତାଙ୍କର ରୁଚିରେ ମିଶି ପାରିନାହିଁ ।

 

ଏତିକିବେଳେ ସେ ତାଙ୍କ ସ୍ୱାମୀଙ୍କ ପାଦଶଦ୍ଦ ଶୁଣିପାରିଲେ ଏବଂ ଚାକରାଣୀ ଦଉଡ଼ି ଯାଇଁ ତାଙ୍କୁ ସାକ୍ଷାତ କରି ତାଙ୍କ ଜୋତା ଓହ୍ଳାଇ ଦେବାର ଶୁଣିଲେ । ଶ୍ରୀମତୀ ସାକାଇ ଉଠି ସଦର ଦରଜା ପାଖକୁ ଗଲେ ଓ ମୁଣ୍ଡ ନୁଆଁଇଲେ । ସେ ମୁଣ୍ଡ ନୁଆଁଇ, ପାଟିକରି ସ୍ତ୍ରୀଙ୍କୁ ସାକ୍ଷାତ କଲେ । ଚାକରାଣୀ ଥିବାରୁ ସ୍ତ୍ରୀଙ୍କ ନାମ କହିଲେ ନାହିଁ । ଯେଉଁ ଘରେ ସେ ଅପେକ୍ଷା କରିଥିଲେ, ସ୍ୱାମୀଙ୍କ ପଛେ ପଛେ ସେଇ ଘରକୁ ଗଲେ ଏବଂ ସେ ବସିବା ପରେ ଶ୍ରୀମତୀ ସାକାଇ ଆଣ୍ଠେଇ ପଡ଼ି କାଗଜ ଘୋଡ଼ଣି ତଳେ ଥିବା ଚା’ ପାତ୍ର ଉପରେ ହାତ ରଖିଲେ । ପାତ୍ରଟି ଗରମ ଥିଲା ଓ ସେ ପ୍ରାୟ କପେ ଚା’ ଢାଳି ତାଙ୍କୁ ଦେବାକୁ ଯାଉଥିଲେ । ଡକ୍ଟର ସାକାଇ ହାତ ଉଠାଇ ମନାକଲେ ।

 

‘‘ଚା’ ଥାଉ—ମୁଁ ଆଜି ବହୁତ ଚା ପିଇଚି ।’’

 

ଗୋଟିଏ କଥାରେ ସେ ଜାପାନଠାରେ କୃତଜ୍ଞ । ତାଙ୍କ ବଙ୍କା ଗୋଡ଼କୁ କିମୋନୋ ଲୁଚେଇ ଦେଇଚି । ଆମେରିକାରେ ଅନ୍ୟାନ୍ୟ ସ୍ତ୍ରୀ ଲୋକଙ୍କ ପରି ସେ ଘରେ ସୂତାର ପୋଷାକ ପିନ୍ଧୁଥିଲେ ଏବଂ ଡକ୍ଟର ସାକାଇ କେବେ କହି ନ ଥିଲେ ସୁଦ୍ଧା ତାଙ୍କ ଦୃଷ୍ଟିରେ ପଡ଼ୁଥିବା ବଙ୍କା ଗୋଡ଼ ଦୁଇଟି ପାଇଁ ସେ ସର୍ବଦା ସଜାଗ ରହୁଥିଲେ । ସେ ଗୋଡ଼ ଦୁଇଟି ଉପରେ ସ୍ୱାମୀ କେବଳ ଆଖି ପଡ଼ିବା ମାତ୍ରେ ଆଖି ଫେରାଇ ନେଉଥିଲେ । ଏହା ତାଙ୍କ ପାଇଁ ଯେ କୌଣସି ମନ୍ତବ୍ୟ ଦେବାଠାରୁ ବରଂ ଅଧିକ ଦୁଃଖଦାୟକ ଥିଲା ।

 

ଆଜି ଉପର ବେଳା ଯାହା ଘଟିଲା, କେମିତି ସେ ତାଙ୍କୁ କହିବେ ? ନିଜ ହାତ ଭିତରେ ମୁହଁ ରଖି ସେ ଗଳା ପରିଷ୍କାର କଲେ ।

 

ସେ ହଠାତ୍‌ ଉପରକୁ ଚାହିଁଲେ । ‘‘କଥା କ’ଣ ହାରିକୋ ?’’ ସେ ପଚାରିଲେ ।

 

‘‘ମୁଁ ଜାଣିପାରୁ ନି ତୁମକୁ କେମିତି କହିବି ।’’ ସେ ଉତ୍ତର ଦେଲେ । ସେ ସ୍ୱାମୀଙ୍କୁ ଚାହିଁଲେ ଓ ତାଙ୍କ ଆଖିରେ ସ୍ୱାମୀ ଚଞ୍ଚଳତା ଲକ୍ଷ୍ୟ କଲେ । ତାଙ୍କର ପିଲାଳିଆ ଗୋଲ ଆଖି ଓ ମୁହଁଟି ଶାନ୍ତ ଥିବାରୁ ସେ ଏବେ ବି ସୁନ୍ଦର ଦିଶନ୍ତି । ଗୋଲଆଖି ଜାପାନୀ ସ୍ତ୍ରୀ ଲୋକର ମୁହଁରେ ଅତି ସୁନ୍ଦର ବୋଲି ଧରା ନ ଗଲେ ବି ଡକ୍ଟର ସାକାଇ ସେ ଆଖିକୁ ଭଲପାଆନ୍ତି ।

 

‘‘ହାରମୋନିୟମ ଭାଙ୍ଗିଯାଇଚି କି ?’’ ସେ ଆଶଙ୍କିତ ହୋଇ ପଚାରିଲେ ।

 

‘‘ଆରେ ନାଁ–ଏଡ଼େ ଭୟଙ୍କର କଥା ନୁହେଁ—ଶ୍ରୀମତୀ ସାକାଇ ତତ୍‌କ୍ଷଣାତ୍‌ ଉତ୍ତର ଦେଲେ ।

 

‘‘ବଡ଼ ମାଛଟି ମରିଯାଇଚି ?’’

 

‘‘ନାଇଁ ମ—କିଛି ମରି ନି ।’’

 

ଶ୍ରୀମତୀ ସାକାଇ ତାକୁ ଦେଖୁ ଦେଖୁ କାଗଜ ପର୍ଦ୍ଦାଟି ପକେଇ ଦେଲେ । ଆମେରିକାନ୍‌ ଜଣକ କିଭଳି ଲୋକ, ଏ କଥା ସେ ତାଙ୍କୁ ପଚାରି ନାହାନ୍ତି, କି ସେ ବି ନିଜେ କହିନାହାନ୍ତି । ତାଙ୍କର ଆଶଙ୍କା, ଏଇ କଥା ଜଣାଯାଉଚି ଯେପରି ଏକ ଅଶାନ୍ତିର କାରଣ ହେବ । ତାଙ୍କୁ ଯୁବକଟି ଭଲ ଲାଗିଚି । ସେ କାଲିଫର୍ଣ୍ଣିଆରେ ବରାବର ଧନୀ ଯୁବକମାନଙ୍କୁ ଦେଖୁଥିଲେ, ଯଦିଓ ଯୁବକଟି ସେଠାରୁ ଆସି ନି ବୋଲି ସେ ପଚାରି ବୁଝିଛନ୍ତି । ସେ ତାକୁ ହଠାତ୍‌ ପଚାରିଥିଲେ—

 

‘‘ଆପଣ କାଲିଫର୍ଣ୍ଣିଆରୁ ଆସିଛନ୍ତି ?’’

 

‘‘ଆପଣ ଇଂରାଜୀ କହନ୍ତି ?’’ ଯୁବକଟି ଆଶ୍ଚର୍ଯ୍ୟ ହେଲା ।

 

‘‘ଅଳ୍ପ ଜାଣେ ।’’ ସେ କହିଲେ । ଦାନ୍ତଗୁଡ଼ାକ ଖରାପ ଥିବାରୁ ହସିବାକୁ ଚେଷ୍ଟା କଲେ ନି । ଆମେରିକାନ୍‌ମାନେ ସୁନ୍ଦର ଧଳାଦାନ୍ତକୁ ପସନ୍ଦ କରନ୍ତି; କିନ୍ତୁ ଯେଉଁ ଅଭାବ ତାଙ୍କ ଗୋଡ଼କୁ ବଙ୍କା କରିଛି, ସେଇ ତାଙ୍କ ଦାନ୍ତକୁ ନଷ୍ଟ କରିବାର ଜଣାଯାଉଚି । ସେ ଯୁବତୀ ଥିଲାବେଳେ କିଛି ଯା’ଆସ ନ ଥିଲା; କାରଣ ମଫସଲ ସ୍ତ୍ରୀଲୋକମାନେ ବିବାହବେଳେ ଦାନ୍ତକୁ କଳା କରୁଥିଲେ । ତାଙ୍କ ମାଆଙ୍କର ଖଇର କଷ ପାଣି ଭଳି କଳାଦାନ୍ତ ଥିଲା ।

‘‘ତୁମେ ବି କାଲିଫର୍ଣ୍ଣିଆରୁ ଆସିଚି ?’’ ସେ ପୁଣି ଥରେ ପଚାରିଲେ ।

‘‘କାହିଁକି’’ ସେ ପଚାରିଲା, ‘‘ଆପଣ କ’ଣ କାଲିଫର୍ଣ୍ଣିଆର ଲୋକ ?’’

‘‘ଆମେ ସେଠାକୁ ଆସିଚୁ’’—ସେ କହିଲେ ।

‘‘ମୁଁ ଭର୍ଜିନିଆରୁ ଆସିଚି’’ ସେ କହିଲା । ‘‘ଭର୍ଜିନିଆ ଭଲ ଜାଗା ।’’

‘‘ମୁଁ ଜାଣିନି ।’’ ସେ ଉତ୍ତର ଦେଲେ ।

ତା’ପରେ ସେ ଏଇ ଅଦରକାରୀ କଥାବାର୍ତ୍ତାକୁ ବନ୍ଦ କଲେ । ଆମେରିକାନ୍‌ମାନଙ୍କ ସଙ୍ଗେ ସେ ସବୁବେଳେ ପ୍ରିୟ ହୋଇଯାଆନ୍ତି । ତଥାପି ସେ ନିଜକୁ ସଙ୍କୁଚିତ କରିନେଲେ । ତଥାପି ସେ ତାକୁ ଭଲପାଆନ୍ତି । ସେ ଅତି ସୁନ୍ଦର—ଅଳ୍ପବୟସର ତରୁଣ । ତା ନାମ ଓ ଠିକଣା ଲେଖା କାଗଜଟି ସେ ତାଙ୍କୁ ଦେଇଯାଇଚି । ‘‘ମୋ ନାବମ ଆଲେନ୍‌ କେନେଡ଼ି ।’’ ସେ ତାଙ୍କୁ କହିଲା ଏବଂ ସେ ପୁଣି ଉଚ୍ଚାରଣ କଲେ । ସେ ଇଂରାଜୀ ପଢ଼ିଜାଣନ୍ତି ନି ।

ଶୟନକକ୍ଷର ଅଣଓସାରିଆ ବାରଣ୍ଡାରେ ସେ ଆସ୍ତେ ଆସ୍ତେ ପଦଚାଳନା କଲେ । କାନ୍ଥ ତିଆରି କରିଥିବା ପର୍ଦ୍ଦାକୁ ଖୋଲି ବର୍ତ୍ତମାନ ଏ ବାରଣ୍ଡାକୁ ଘର ସହିତ ମିଶାଇ ଦିଆଯାଇପାରନ୍ତା କିନ୍ତୁ ନିଜର ବିଶ୍ରାମ ସ୍ଥାନ ପାଇଁ ସେ ଏହାକୁ ବନ୍ଦ କରି ରଖିଛନ୍ତି । ରାତି ଖାଦ୍ୟ ତିଆରି କରିବା ପାଇଁ ସୋଏତନ ତାଙ୍କୁ ବାରଣ କରିବା ଦିନରୁ ତାଙ୍କର ପ୍ରକୃତରେ କିଛି କାମ ନାହିଁ-। ଜୋସୁ କିଛି ବିଦେଶୀ ଜାମ୍‌ ଓ ରୁଟି ରାତିରେ ଖାଏ ଓ ଚା’ରେ ଟିକେ ଦୁଧ ପଡ଼େ । ସେ ନିଜେ ଶୋଇବା ପୂର୍ବରୁ ଗିନାଏ ଚାଉଳ ଯାଉ ପିଅନ୍ତି । ଗୋଟିଏ ସିନ୍ଦୁକ ଡ଼୍ରୟାରକୁ ସେ ଟାଣିଆଣିଲେ । ଡ଼୍ରୟାରଟି ଏତେ ଛୋଟ ଯେ ତାକୁ ଟେବୁଲ୍‌ ଉପରେ ରଖି ଆଣ୍ଠେଇ ପଡ଼ି ଭିତରେ ଥିବା ଜିନିଷପତ୍ରଗୁଡ଼ିକୁ ସେ ସଜାଡ଼ିବାରେ ଲାଗିଲେ । ଜିନିଷ ଭିତରେ କେତେକ ଗହଣା ଓ ରିବନ୍‌-। ତାଙ୍କ ପୁଅ କେନ୍‌ସାନର କେତେଖଣ୍ଡି ଫଟୋ ଓ ଲସ୍‌ ଆଞ୍ଜେଲ୍‌ସର ଥିବା ତାଙ୍କ ଘରର କେତୋଟି ଛବି—

ଉଁ ଘର ଆଉ ତାଙ୍କର ହୋଇ ନାହିଁ । ସେଠାରେ ଏବେ ନିଗ୍ରୋମାନେ ରହୁଛନ୍ତି ।

ପର୍ଦ୍ଦା କେତେ ଇଞ୍ଚ ଘୁଞ୍ଚିଗଲା ଓ ସେ ଦେଖିଲେ ଯେ ଜୋସୁ ତାଙ୍କୁ ଚାହିଁ ହସୁଚି ।

‘‘ମା’ (ମାମାସାନ୍‌) ତୁମେ ଏଇଠି ?’’

‘‘ତୁ ବାପାଙ୍କୁ ଦେଖିଲୁଣି ?’’

‘‘ନା’’ । ଜୋସୁ ଘର ଭିତରକୁ ଆସିଲା । ତା’ର ମା’ ହଠାତ୍‌ ଦେଖିଲେ ଯେ ତା’ର କିଛି ପରିବର୍ତ୍ତନ ହୋଇଚି—କିଛି ଖୁସିର କଥା ଘଟିଚି । ଗୋପନ ଆନନ୍ଦରେ ତାର ଆୟତ ବିସ୍ଫୋରିତ ଆଖି ଉଜ୍ଜ୍ୱଳ ଦିଶୁଚି । ତା’ ଆଖି ଜାପାନୀ ଆଖିଠାରୁ ବଡ଼ । ଜୋସୁ ଏ ପର୍ଯ୍ୟନ୍ତ ମୁହଁକୁ ଗମ୍ଭାର କରି ନିଜକୁ ଲୁଚାଇବାକୁ ଶିଖି ନି ।

‘‘ତୁ ଭାରି ଖୁସି ଜଣାଯାଉଛୁ’’—ଶ୍ରୀମତୀ ସାକାଇ କହିଲେ । ‘‘କିଛି ଭଲ କଥା ଘଟିଚି-?’’

 

ଜୋସୁ ମୁଣ୍ଡ ହଲାଇ କହିଲା, ‘‘କେବଳ ବସନ୍ତଋତୁ-ଇ ଆସିଚି ମା ।’’

 

ସେଇ କୋମଳ ସୁନ୍ଦର ମୁହଁର ପ୍ରତି ଧାରେ ଧାରେ ଯେଉଁ ନମ୍ରତା ଫୁଟିଉଠିଚି, ତା କ’ଣ କେହବଳ ଏଇ ବସନ୍ତର ଆଗମନରେ ? ଶ୍ରୀମତୀ ସାକାଇଙ୍କର ସନ୍ଦେହ ହେଲା । କୋଡ଼ିଏ ବର୍ଷ ହୋଇଥିବାବେଳେ ସେ କିପରି ବସନ୍ତକୁ ଅନୁଭବ କରୁଥିଲେ, ସେଇ କଥା ମନେ ପକାଇ ସେ ଚିନ୍ତାନ୍ୱିତ ଭାବରେ ଜୋସୁକୁ ଚାହିଁରହିଲେ । ଏଇ ବୟସରେ ସେ ବାପାଙ୍କ ଫାର୍ମରେ ପୁରୁଷ ଭଳି କଠିନ କାମ କରୁଥିଲେ ଏବଂ ବସନ୍ତର ଅର୍ଥ–ଇ ହେଲା କିଆରୀରେ ଚାଷ କରି ମାଟି ଖୋଳି ମଞ୍ଜି ବୁଣିବା । ଗ୍ରୀଷ୍ମ ଆରମ୍ଭ ହେଲେ ସେତେବେଳେ କିଆରୀ ସବୁ ଧାନରେ ପୂରି ଉଠିଥାଏ ଓ ସେ କାଦୁଅ–ପାଣି ଭିତରେ ଠିଆ ହୋଇ ଗଛରୁଆ କାମରେ ସାହାଯ୍ୟ କରନ୍ତି । ନାଇଁ ତାଙ୍କର ତ ବସନ୍ତ କଥା କାଇଁ କିଛି ମନେ ପଡ଼ୁନି !

 

ସେ ଝିଅକୁ ବାଧ୍ୟ କରି ପଚାରିଲେ ନି । ଜୋସୁ ତା ବାପ ଭଳି ଏବଂ କେନ୍‌ସାନ ତାଙ୍କ ଭଳି ଥିଲା । ତାଙ୍କ ପୁଅ ଥିଲେ ସେ ବର୍ତ୍ତମାନ ନାତି–ନାତୁଣୀ ଦେଖେନ୍ତେଣି । ଛୁଆମାନେ ଆମେରିକାନ୍‌ ଭଳି ଦିଶୁଥାନ୍ତି । ଏ କଥାକୁ ବି ସେ ମୋଟେ ଅପସନ୍ଦ କରନ୍ତେ ନାଇଁ । ଆମେରିକାରେ ସ୍ତ୍ରୀ ଲୋକମାନେ ମେସିନ୍‌ ଓ ଇଲେକଟ୍ରିକ ଷ୍ଟୋଭ ପ୍ରଭୃତି ସଫା କରୁଥିଲେ ।

 

ଜୋସୁ ତାଙ୍କ ପାଖରେ ଠିଆ ହୋଇଥିଲା ଓ କେନ୍‌ସାନ୍‌ ଛବିଗୁଡ଼ିକ ଉଠେଇନେଲା । ସେଥିରେ ଅନେକ ଛବି ଅଛି । କେତେକ ତାର ପିଲାଦିନର । ସେସ୍ତୁ ସଙ୍ଗେ ତାର ଏକ ଫଟୋ ଅଛି–ସେସ୍ତୁର କେଶ ସୁନ୍ଦର ଭାବେ କଟା ଏବଂ କୁଞ୍ଚୁକୁଞ୍ଚିଆ ।

 

ବାପା ମୋ ବାଳଗୁଡ଼ିକ କାଟିବାକୁ ଅନୁମତି ଦିଅନ୍ତେ କି—ଜୋସୁ ହଠାତ୍‌ ଅସନ୍ତୋଷ ପ୍ରକାଶ କଲା । ତା’ର ବାଳଗୁଡ଼ିକ ସିଧା ଓ ଲମ୍ୱା ନୁହେଁ; ପଛଆଡ଼କୁ କୁଣ୍ଡା ହୋଇ ବେକ ପାଖରେ ଏକ ଗୋଲ ଜୁଡ଼ାରେ ବନ୍ଧାହୋଇଚି । ସେ ଏଇ ଲମ୍ୱା ବାଳକୁ କେବେ କୁଞ୍ଚିତ କରିପାରିବ ନାଇଁ ।

 

‘‘ସେ ଅନୁମତି ଦେବେ ନି ।’’ ତା ମା’ କହିଲେ । ସେ ବି ସେସ୍ତୁକୁ ଦେଖୁଥିଲେ । ତାର ପିଲାପିଲି ହେବେଣି ।

 

‘‘ଅବରୁଦ୍ଧ ଶିବିରରେ ଜନ୍ମ ହୋଇଥିବେ’’—ଜୋସୁ ତାକୁ ମନେ ପକାଇଲା । ‘‘ହଁ’’—ମା’ତାର କହିଲେ । ଶିବିର ହେଲେ ବି ଯଦି କେନ୍‌ସାନ୍‌ ବଞ୍ଚିଥାଆନ୍ତା ଓ ସେମାନେ ଏକାଠି ଥଆନ୍ତା, ତେବେ ପିଲାମାନଙ୍କ ସହିତ ଭାରି ମଜା ହେଉଥାଆନ୍ତା । ଆମେରିକାନ୍‌ ମାନେ କାହିଁକି ଜାଣି ନ ଥିଲେ । ଏମାନେ ଜର୍ମାନୀ ଭଳି ନୁହଁନ୍ତି । ସେଠାରେ ଖାଇବାକୁ ଯଥେଷ୍ଠ ଥିଲା । ମୁଁ ଭାବୁଛି, ଶିବିର ଏମିତି କିଛି ଖରାପ ସ୍ଥାନ ନୁହେଁ ।

 

‘‘ମୁଁ କିଛି ଜାଣେ ନି’’ ଜୋସୁ ବ୍ୟସ୍ତ ହୋଇ ଦୀର୍ଘନିଶ୍ୱାସ ଛାଡ଼ିଲା । ସେ ଡ଼ରିଗଲା । ତା ମୁହଁ ଝାଉଁଳି ପଡ଼ିଲା—ଏ ବସନ୍ତରେ ବି ତା ମା’ ଦୀର୍ଘ ନିଶ୍ୱାସ ମାରିଲେ । ଆମେରିକାନ୍‌ ଯୁବକଟି କଥା ଜୋସୁକୁ କହିବା ଠିକ୍‌ ହେବ କି ? ମଜା ଖବର ହେଲେ ବି ଜୋସୁକୁ ନ କହିବା ଭଲ । ସେ ଚିତ୍ର ଓ ଛବିଗୁଡ଼ିକ ଟିସୁ କାଗଜରେ ଯତ୍ନର ସହିତ ଗୁଡ଼ାଇ ରଖିଦେଲେ ।

 

‘‘ମୁଁ ଯାଉଚି ଲୁଗା ପାଲଟିବି’’—ଜୋସୁ କହିଲା ।

 

ସେ ବାହାରି ଯାଇ ପୁଣି ପର୍ଦ୍ଦାକୁ ଟାଣିଦେଲା । ଶ୍ରୀମତୀ ସାକାଇ ତାକୁ କିଛି କରିନାହାନ୍ତି ବୋଲି ଖୁସି ହେଲେ; କାହିଁକି ନା ସୋଏତନ ସାକାଇ ତାଙ୍କୁ ବଗିଚାରେ ଦେଖି ଟାଣ ସ୍ୱରରେ ପଚାରିଲେ, ‘‘ତୁମେ ଝିଅକୁ ସେ ଆମେରିକାନ୍‌ କଥା କହି ନା ତ ?’’

 

‘‘ନା, ତୁମେ ପସନ୍ଦ କରିବ କି ନାହିଁ ନ ଜାଣି’’....

 

‘‘ତା କଥା କହିବ ନି’’ । ସେ ଆଦେଶ ଦେଲେ ।

 

ତେଣୁ ସେ ନ କହିଚନ୍ତି, ଠିକ୍ କରିଚନ୍ତି । କେବେହେଲେ ନ କହିବା ବି ଭଲ ।

 

ବଡ଼ ଘରଟାର ଯେଉଁ କୋଣରେ ଜୋସୁ ରହେ, ସେଠାରେ ସେ ଦର୍ପଣ ଭିତରେ ନିଜକୁ ଚାହିଁଲା । ବଗିଚା ଆଡ଼କୁ ମୁହଁକରି ଆଣ୍ଠେଇ ଥିଲା....ଅସ୍ତଗାମୀ ସୂର୍ଯ୍ୟରଶ୍ମି ତା’ ଦେହ ସାରା ବିଛାଡ଼ି ପଡ଼ିଥିଲା । ଚିକ୍‌କଣ କଳା କାଠରେ ତିଆରି ଫୁଟେ ଉଚ୍ଚ ଏକ ଡ଼୍ରୟାରର ଚୀନା ସିନ୍ଦୁକ ଉପରେ ଦର୍ପଣଟି ଥିଲା । ସେ ସ୍କୁଲ ଡ଼୍ରେସ ବଦଳାଇ ଫିକା ପାଟଳ ରଙ୍ଗର କିମାନୋ ପିନ୍ଧିଲା....ତାର କାନ୍ଧ ପାଖରେ ଗାଢ଼ ଗୋଲାପୀ ରଙ୍ଗର ପିଚ୍‌ଫୁଲର ଗଛଟିଏ ଏମ୍ୱ୍ରାଡ଼ଏରୀ ବୁଣା ହୋଇଥିଲା ।

 

ଆମେରିକାନ୍‌ମାନେ କାହାକୁ ସୁନ୍ଦର କହନ୍ତି କିଛି ନ ହେଲେ ବି ସେ ଗୋରା, ତା ଚମ ଆଲମଣ୍ଡ ଶସ ଭଳି ଧଳା । ତାର ତଳ ଓଠ ଡ଼ଉଲ, ସେ ଦେଖିବାକୁ ଅତି ସ୍ୱାସ୍ଥ୍ୟବତୀ, ତାର ଗଣ୍ଡଦେଶ ପିଚ୍‌ ଫୁଲ ଭଳି ଗୋଲାପୀ ରଙ୍ଗର, ତା କିମୋନାର ସିଲକ୍‌ଠାରୁ ଆହୁରି ଗୋଲାପୀ ତା ଆଖିଗୁଡ଼ିକ ଜାପାନୀ ଆଖି ଭଳି, ସେ ଅସୁନ୍ଦର ଭାବୁଥିବ ହୁଏ ତ କିନ୍ତୁ ତାର ଆଖିପତାଗୁଡ଼ିକ ବେଶ୍‌ ଗହଳ । ଜାପାନୀ ଆଖିପତା ସାଧାରଣତଃ ଏତେ ଗହଳ ନୁହେଁ; ତା ନାକ ଯେ ଅତି ଚେପା, ଏ କଥା ଯେ କୌଣସି ଆମେରିକାନ୍‌ କହିବ । ସେ ଯଦି ବର୍ତ୍ତମାନ ଆମେରିକାରେ ଥାଆନ୍ତା, ସେ କ’ଣ ପୁଣି ବନ୍ଧୁତା ପାଇଥାଆନ୍ତା । ଶେଷରେ ପ୍ରତ୍ୟେକ ଲୋକ କ୍ୟାମ୍ପରୁ ଅଲଗା ଥିଲେ । ସେମାନେ କହନ୍ତି, ଆମେରିକାନ୍‌ମାନେ ପୁଣି ଥରେ ତାଙ୍କ ପ୍ରତି ସ୍ନେହ ଦେଖାଇବେ । ସେଠାରେ କିଛି ଅସୁବିଧା ନାଇଁ କହିଲେ ଚଳେ । ବଡ଼ ବଡ଼ ଖବରକାଗଜ ସବୁରେ କେନ୍‌ସାନ୍‌ର, ଇଟାଲୀରେ ଥିବା ଯୋଦ୍ଧାମାନଙ୍କର ବୀରତ୍ୱ କଥା ବାହାରେ, କେହି କେହି କେନ ସାନର କଥା କହନ୍ତି । ସେମାନେ ଯେଉଁ ପର୍ବତ ଦଖଲ କରିବାକୁ ଆଦେଶ ପାଇଥିଲେଳ ତାହାକୁ ଆକ୍ରମଣ କରିବାରେ କେନ୍‌ସାନ୍‌ ପ୍ରଥମ ସୈନ୍ୟ । ସେ ଅନ୍ୟମାନଙ୍କୁ ନେତୃତ୍ୱ ଦେଇଥିଲା ଓ ସେଇଥିପାଇଁ ସେ ମଲା । ସେମାନେ ପାଇଥିବା ଆମେରିକାନ୍‌ ପେପରରେ କେନ୍‌ସାନ୍‌ର ଛବିକୁ ଚାହିଁ କାନ୍ଦି କାନ୍ଦି ମା’ ତାର କହିଥିଲେ, ‘‘ଏତେ ବୀରତ୍ୱ ଦେଖେଇବା ଭଲ ନୁହେଁ ।’’

 

ଯଦି କାଲି ସେ ଆମେରିକାନକୁ ଭେଟେ, ସେ ତାକୁ କ’ଣ କହିବ ? ତାକୁ ନିଜ ନାମଟା କହିବା ତା’ର ଠିକ୍ ହୋଇନି । କିନ୍ତୁ ନାମ ନ କହିବାଟା ଅଭଦ୍ରତା ହୋଇଥାଆନ୍ତା । ତାର ଛାତିରୁ ତାକୁ ଦିଆ ହୋଇଥିବା ଅଣଓସାରିଆ ପରିଚୟପତ୍ରଟି କାଢ଼ି ଧୀରେ ଧୀରେ ତା ନାମଟି ଉଚ୍ଚାରଣ କଲା—ଆଲେନ୍‌ କେନେଡ଼ି । ଘରେ ତାକୁ ଆଲେନ୍‌ ଡ଼କା ଯାଉଥିବ । ଏଇ ନାମର ମାନେ କ’ଣ–ସେ ଜାଣିନି । ପରିବାରର ସଂଜ୍ଞା କେନେଡ଼ିର ମାନେ କରୁଥିବ । ଏବଂ ଭର୍ଜିନିଆ-? କାଲିଫର୍ଣ୍ଣିଆଠାରୁ ଦୂରରେ ଏହା ଅବସ୍ଥିତ ବୋଲି ସେ ଜାଣେ । ଆମେରିକାର ପୂର୍ବାଞ୍ଚଳରେ ଏ ଏକ ଦୂରବର୍ତ୍ତୀ ରାଜ୍ୟ । ତାର ସ୍କୁଲ ବହିରୁ ସେ ଅଧିକ କିଛି ମନେରଖି ନି । କାଲି ସେ ୟାକୁ କଲେଜ ମାନଚିତ୍ରରେ ଦେଖିବ । ସେ ଛାତି ଭିତରେ କାର୍ଡ଼ଟି ରଖି ପୁଣି ଦର୍ପଣକୁ ଚାହିଁଲା, ତା ଓଠର ରକ୍ତିମା ଓ ଆଖିପତାର ନମ୍ରତା ବେଶ୍‌ ବାରିହୋଇ ପଡ଼ୁଥିଲା । ନିଜ ଗାଲରେ ହାତ ପାପୁଲିକୁ ବୁଲାଇଲା । ଗାଲ ଗରମ ଜଣାଯାଉଚି । ତା’ ହାତ ଦିଓଟି ଛୋଟ ଓ ଥଣ୍ଡା, ତାର ହାତ ସବୁବେଳେ ଥଣ୍ଡା । ଯଦି ସେ ତାର ହାତ ଛୁଇଁବାକୁ ଚାହେଁ, ଯେମିତି କି ଆମେରିକାନ୍‌ ମାନେ ସାକ୍ଷାତ ବେଳେ ହାତ ମିଳାନ୍ତି । ସେ ତାକୁ ଅନୁମତି ଦବ ନାଇଁ । ଝିଅମାନଙ୍କ ହାତ ପାପୁଲି ଏକାନ୍ତ ଗୋପନୀୟ ରହିବା କଥା । ଅଚିହ୍ନା ଲେକାର ହାତପାପୁଲି ଛୁଇଁଲେ ଦେହରେ ତଡ଼ିତ୍‌ ଖେଳିଯାଏ । ତା ହାତର ପାପୁଲି ଧରିବାକୁ କେବଳ ତା ସ୍ୱାମୀ ଅନୁମତି ପାଇବ ।

 

ସେ ଏଇ କଥା ଭାବିଲାବେଳେ ପର୍ଦ୍ଦା ଆଡ଼େଇ ଉମି ଠିଆହେଲା—ନୀଳକନାରେ କିମାନୋ ପିନ୍ଧି ସେ ନିଶ୍ଚଳ ଜଣାଯାଉଥିଲା । ଅଇନା ଆଗରେ ଥିବା ଜୋସୁକୁ ସେ ଚାହିଁରହିଲା ।

 

ସେ ବଡ଼ ପାଟିରେ କହିଲା, ‘‘ତୁମ ବାପା ଡ଼ାକୁଚନ୍ତି । ସେ ପାଇନ୍‌ ବଣରେ ଅଛନ୍ତି ।’’

 

ଜୋସୁ ଦର୍ପଣ ବନ୍ଦ କରି ଢାଙ୍କୁଣି ଦେଲା ଓ ଛୋଟ ସିନ୍ଦୁକଟିକୁ ଘୋଡ଼ାଇଦେଲା, ‘‘ତାଙ୍କୁ କହ, ମୁଁ ଯାଉଚି ।’’

 

ଉମି ଜଣାଇବାକୁ ଆସିଲାବେଳେ ଡକ୍ଟର ସାକାଇ ବଗିଚାର ପାଇନ୍‌ ବଣରେ ବୁଲୁଥିଲେ । ତାଙ୍କ ପାଦତଳେ ନେଳିଆ ଶିଉଳି ବେଶ୍‌ ମୁଲାୟମ୍‌ ବୋଧ୍ୟ ହେଉଥିଲା । ଦିନର ସୂର୍ଯ୍ୟ ତାପରେ ଉତ୍ତପ୍ତ ବାୟୁ ସଜଫୁଟା ଫୁଲର ବାସ୍ନାରେ ସିକ୍ତ ହୋଇଥିଲା ।

 

‘‘ସାନ ସାଆନ୍ତାଣୀ ଆସୁଛନ୍ତି’’—ଉମି ଟିକିଏ ନଇଁ କହିଲା ।

 

‘‘ସେ କ’ଣ କରୁଥିଲା ?’’ ଡକ୍ଟର ସାକାଇ ପଚାରିଲେ ।

 

‘‘ଦର୍ପଣରେ ସେ ନିଜ ମୁହଁ ଦେଖୁଥିଲେ’’—ଉମି ଉତ୍ତର ଦେଲା ।

 

ସେ ଚାଲିଗଲା ଓ ଡକ୍ଟର ସାକାଇ ନିଶ୍ଚଳ ହୋଇ ଠିଆହେଲେ । ଜୋସୁ ମୁହଁକୁ ଅଇନାରେ ଦେଖୁଚି ! ଏଥିରେ କିଛି ଅର୍ଥ ଥାଇପାରେ । ସେ ବି ଆମେରିକାନ୍‌କୁ ଦେଖିଚି ନା କଣ-? କିଛି ସଂପର୍କ ଘଟି ଥାଇପାରେ । ପଦେ ଦିପଦ କଥାବାର୍ତ୍ତା ! କୌଣସି ଝିଅକୁ ଦେଖି କଥା ବା ବାର୍ତ୍ତା କରିବା ଆମେରିକାନ୍‌ ସୈନ୍ୟମାନଙ୍କ ପକ୍ଷରେ ବିଚିତ୍ର ନୁହେଁ । ଏବଂ ଜୋସୁ ସୁନ୍ଦରୀ; ଅତି ସୁନ୍ଦରୀ । ସେ ନିଶ୍ଚୟ ତା ଆଖିରେ ପଡ଼ିଥିବ । କୌଣସି ଗୋପନ କଥା ଯେପରି ନ ରହେ । ବିଶେଷତଃ ସ୍ତ୍ରୀମାନଙ୍କ ସମ୍ୱନ୍ଧ ସହିତ ଆମେରିକାନ୍‌ମାନଙ୍କୁ ବିଶ୍ୱାସ କରାଯାଇ ନ ପାରେ । ତାଙ୍କ ଝିଅ ଜୋସୁ ମାମୁଲି ଝିଅ ନୁହେଁ । ସେ ବାଜେ ଝିଅ ହୋଇ ନ ପାରେ ।

 

ଧୀରେ ଧୀରେ ଚାଲି ଚାଲି ଜୋସୁ ବାପାଙ୍କୁ ପାଖକୁ ଆସିଲା ଏବଂ ତାଙ୍କ ଜ୍ୱଳନ୍ତ କଳା ଆଖିକୁ ସାମ୍ନା କଲା । ତାଙ୍କ ଆଖିପତା ଚଞ୍ଚଳ ଉପରକୁ ଉଠିଲା । ସେ ଜଳ ଜଳ କରି ତାଙ୍କୁ ଚାହିଁ ରହିଲେ । ଭ୍ରୂ ମଧ୍ୟରେ ଗୋଟିଏ ଗଣ୍ଠି, ଯେଉଁଠାରୁ ଦୁଇଟି କଳାଗାର ପକ୍ଷୀର ଡ଼େଣା ଭଳି ବା ପ୍ରଜାପତିର ପକ୍ଷ ଭଳି ଉପରକୁ ଉଠିଯାଇଚି । କିନ୍ତୁ କିଏ ଭାବିବ ଯେ ଗୋଟିଏ ପ୍ରଜାପତି ତା ବାପାଙ୍କର କଳା ଆଖି ଭିତରେ ଏପଟ ସେପଟ ହେଉଚି ?

 

ସେ ନିଜକୁ ସଂଯତ କରି ନ ପାରି ହଠାତ୍‌ ଆରମ୍ଭ କଲେ, ‘‘ମୁଁ ଭାବୁଚି, ତୁ ମୋତେ କିଛି ଲୁଚାଉଛୁ ।’’

 

ଏ ଅପ୍ରତ୍ୟାଶିତ ଆକ୍ରମଣ ପାଇଁ ଜୋସୁ ପ୍ରସ୍ତୁତ ନ ଥିଲା । ସେ ଚମକି ପଡ଼ିଲା । ଆମେରିକାରେ ସେ ଭାରି ରାଗିଲୋକ ଥିଲେ । ଅନେକ ସମୟରେ ସେ ରାଗି ଯାଉଥିଲେ ଏବଂ ସାଙ୍ଗେ ସାଙ୍ଗେ ଅନୁତାପ ମଧ୍ୟ କରୁଥିଲେ । ବିରକ୍ତ ହେଲାବେଳେ ସେ ରୋଗକୁ ସଂଯତ କରିପାରୁ ନ ଥିଲେ । ଏଠାକୁ ଫେରିବାର ମାତ୍ର ତିନୋଟି ବର୍ଷ ହେଲା ଆତ୍ମସଂଯମ ପାଇଁ ସାଧନା କରି କରି ସେ ଜଣେ ନୀରବ ଓ ସଂଯତ ମଣିଷ ହୋଇପାରିଚନ୍ତି ।

 

ଜୋସୁ ମୁଣ୍ଡ ଟେକିଲା । ‘‘କ’ଣ ମୁଁ ଆପଣଙ୍କଠାରୁ ଲୁଚାଇଲି ?’’

 

‘‘ମୁଁ ବୋକା ନୁହେଁ ।’’ ସେ ବିରକ୍ତ ହୋଇ ପାଟିକଲେ । ‘‘ମୁଁ ଜଣେ ଡ଼ାକ୍ତରଙ୍କଠାରୁ ଅଧିକ କିଛି ମଧ୍ୟ ଜାଣେ....ମୁଁ ବି ଜଣେ ମନସ୍ତତ୍ତ୍ୱଜ୍ଞ, ତୋର ମତିଗତି ବଦଳିଛି । ଗତକାଲି ଯାହା ଥିଲୁ, ଆଜି ବି ତ ତା ନାହୁଁ । ତୋର ନିଶ୍ଚୟ କିଛି ଘଟିଚି ।’’

 

ସେ ଉତ୍ତେଜନାରେ କହି ଚାଲିଲାବେଳେ ତାଙ୍କର ଅନ୍ତର୍ଦୃଷ୍ଟିରେ ଜୋସୁ ଆଶ୍ଚର୍ଯ୍ୟ ହେଉଥିଲା; ଏତେ ସହଜରେ କ’ଣ ସେ ନିଜକୁ ତାଙ୍କ ନିକଟରେ ଖୋଲିଦେବ !

 

‘‘ପ୍ରକୃତରେ କିଛି ଘଟିନି’’—ସେ କହିଲା । ‘‘ହଁ, ଆପଣ ହୁଏ ତ ଠିକ୍ କହିଚନ୍ତି । ଆଜି ଆମେରିକାନ୍‌ମାନଙ୍କୁ ଦେଖି ମୁଁ ଭୁଲିଯାଇଚି ବୋଲି ଭାବିଥିବା ଅନେକ ସ୍ମୃତି ମୋର ମନେପଡ଼ିଲା-। ସେଠି ପନ୍ଦର ବର୍ଷ କଟେଇଚି ବାପା; ଏଠି ମୋଟେ ପାଞ୍ଚଟା ବର୍ଷ ।’’

 

ତାଙ୍କ ସାଙ୍ଗେ ସାଙ୍ଗେ ଚାଲିବାକୁ ସେ ମୁଣ୍ଡ ହଲାଇ ଜୋସୁକୁ ସଂକେତ ଦେଲେ । ସେ ଏତେ ଉତ୍ତେଜିତ, ବିସ୍ଫୋରକ ଓ ବିବ୍ରତ ହୋଇ ପଡ଼ିଥିଲେ ଯେ ବସିପାରିଲେ ନାହିଁ । ଜୋସୁ ବୁଝିଲା—ଏବଂ ଦୁହେଁ ପାଇନ୍‌ବଣ ତଳେ ଚାଲିଲେ । ଆସନ୍ନ ସୂର୍ଯ୍ୟାସ୍ତର ବିଳମ୍ୱିତ ରଶ୍ମି ସବୁଜ ଶିଉଳି ଉପରେ ଜଳି ଉଠୁଥିଲା ।

 

‘‘ତୁ ମତେ ବିଶ୍ୱାସ କରିପାରୁ’’—ତା ବାପା କହିଲେ । ‘‘ପ୍ରକୃତରେ ତୁ ମତେ ବିଶ୍ୱାସ କରିବା ଉଚିତ୍‌; କାହିଁକି ନା ମୋର ଯାହା କିଛି ଅଛି, ତା’ ଭିତରେ ତୁ ମୋର ସର୍ବସ୍ୱ । ତୋ ମାଆ, ସ୍ତ୍ରୀ ଓ ମା’ ହିସାବରେ ଅତି ଭଲ, ତୁ ବି ଏକ ବନ୍ଧୁ, ତୋ ଭାଇ ତୋ ମାଆ ଭଳି; କିନ୍ତୁ ତୁ ମୋ ଭଳି-।’’ ‘‘ମୁଁ ପୂରା ଭିନ୍ନ’’ ଜୋସୁ କଣ୍ଠରେ ବିପ୍ଳବର ସୂଚନା ଦେଇ କହିଲା ।

 

‘‘ବର୍ତ୍ତମାନ ଅପେକ୍ଷା ତୁ ଭବିଷ୍ୟତରେ ଆହୁରି ଭିନ୍ନ ହୋଇ ପଡ଼ିବୁ ।’’ ତା ବାପା ସ୍ୱୀକାର କଲେ ।

 

‘‘ପୁରୁଷନୁକ୍ରମିକ ଭିନ୍ନତା ତୋ ଠାରେ କମି ଆସିଲାଣି । ପରେ ଯେତେବେଳେ ତୋ ଜୀବନ ନିର୍ଦ୍ଦିଷ୍ଟ ହୋଇ ଯାଇଥିବ ଏବଂ ତୁ ତୋର ସ୍ୱାଧୀନତା ଦେଖେଇବା ପାଇଁ ମୋ ବିରୁଦ୍ଧରେ ବିପ୍ଳବ କରିବୁ, ସେତେବେଳେ ତୁ କେତେ ପରିମାଣରେ ଭିନ୍ନ, ଜାଣିପାରିବୁ ।’’

 

ବାପାଙ୍କ ସ୍ନେହର ଦୃଢ଼ ରଜ୍ଜୁ ତାକୁ ଯତ୍ନର ସହିତ ଘେରି ରହିଥିବା ଭଳି ସେ ମନେକଲା-। ସମସ୍ତ ଶକ୍ତିସଂଚୟ କରି ସେ ନିଜକୁ ମୁକ୍ତ କଲା; ତଥାପି ତାଙ୍କର ମହତ୍‌ ନୀତି ତାକୁ ତାଙ୍କର ଅତି ପାଖକୁ ଟାଣିନେଲା । ସେଇଠି, ତା ଛାତି ଭିତରେ ଅସ୍ତ୍ର ଛୋଟ ଛୁରୀଟିଏ ପରି ଅଛି । ଏଇ ଜାଲକୁ ତା କାଟି ପକାଇବ—ଯଦିଓ ଏଇ ଜାଲ, ଯାହାକୁ ତାର ବାପା ତାକୁ ଘେରାଇ ଦେଇଛନ୍ତି, ସେ ଖଣ୍ଡେ ବାଦଲଠାରୁ ଅଧିକ କଠିନ ନୁହେଁ । ସେ ଛାତିରେ ହାତ ପୂରାଇ ସେଇ କାର୍ଡ଼ଟି କାଢିଲା । କିଛି ନ କହି ବାପାଙ୍କୁ ଦେଖାଇଲା । ନାମକୁ ପଢ଼ିବାକୁ ସେ ନଇଁପଡ଼ିଲେ ଏବଂ ନାଁଟା ଜାଣି ତାଙ୍କ ଛାତି ଭିତରେ ହାତ ପୂରାଇ ଠକ୍‌ ଏଇ କାର୍ଡ଼ ପରି ଆଉ ଖଣ୍ଡେ କାର୍ଡ଼ କାଢ଼ି ପକାଇଲେ ।

 

‘‘ଆପଣ ତାକୁ କେଉଁଠୁ ପାଇଲେ ?’’ ଆଶ୍ଚର୍ଯ୍ୟନ୍ୱିତ ହୋଇ ଜୋସୁ ଚିତ୍କାର କରି ଉଠିଲା-

 

‘‘ମୁଁ ମଧ୍ୟ ତତେ ସେହି ପ୍ରଶ୍ନ ପଚାରୁଛି’’— ସେ ଗମ୍ଭୀର ଭାବେ ଉତ୍ତର ଦେଲେ ।

 

‘‘ମତେ କେହି ଜଣେ ଦେଇଗଲା’’—ସେ କହିଲା ।

 

‘‘ମୁଁ ବାହାରେ ଥିଲାବେଳେ ସେ ଏଠିକି ଆସି ତୋ ମାଆକୁ ଏଇଟା ଦେଇଥିଲା ।’’

 

ସେମାନେ ପରସ୍ପରକୁ ଚାହିଁଲେ । ସେ ନଇଁପଡ଼ି ଭୟଙ୍କର ଆଖିରେ ଜୋସୁକୁ ଚାହିଁଲେ ଏବଂ ଜୋସୁ ତାଙ୍କୁ ଚାହିଁ ରହିଲା । ମନେ ମନେ ସେ ନ ଡ଼ରିବାକୁ ସ୍ଥିର କରି ନେଇଥିଲା ।

 

‘‘ଆଃ ! ଜୋସୁ !’’ ତାଙ୍କର କଣ୍ଠ ଆହୁରି ଗମ୍ଭୀର ହୋଇ ଉଠିଲା ।

 

ସେ ମୁଣ୍ଡ ତଳକୁ ନଇଁ କିଛି ନ କହି ସେଇ ଅଣଓସାରିଆ କାର୍ଡ଼ଟିକୁ ବାପାଙ୍କୁ ଦେଲା । ସେ ତାକୁ ନେଇ ଦୁଇଟି କାର୍ଡ଼କୁ ଛାତି ପକେଟରେ ରଖିଲେ ।

 

‘‘ଦେଖ, ମୁଁ ଠିକ୍‌ କହୁଥିଲି’’—ସେ ଦୁଃଖରେ ନରମ କଣ୍ଠରେ କହିଲେ ।

 

‘‘ଏବେ କହି ଦେ ଝିଅ—କ’ଣ ତୋର ଘଟିଚି ?’’

 

କିନ୍ତୁ ଜୋସୁ ତାଙ୍କୁ କିଛି କହିପାରିଲଶ ନାହିଁ । ତା ଆଖିରୁ ଲୁହ ଝରି ଗାଲ ଦେଇ ବହିଚାଲିଲା । ସେମାନେ ପୁଣି ଚାଲିବାକୁ ଆରମ୍ଭ କଲେ ଓ ସେ କିମୋନୋରରେ ଆଖି ପୋଛିଲା-

 

‘‘ତୋ ବାପା-ମା’ଠାରୁ ନିଜକୁ ନ ଲୁଚାଇବାକୁ ମୁଁ ତତେ ଅନୁରୋଧ କରୁଚି’’ଦୀର୍ଘ ନୀରବତା ପରେ ଡ଼ଃ.ସାକାଇ କହିଲେ । ‘‘ତୋ ଭଲ ପାଇଁ ଯାହା ଦରକାର, ମୁଁ ସେଥିରେ ବାରଣ କରିବି ନାହିଁ । ମୁଁ ଏଇଲେ ଭାବୁଛି ଯେ ତୁ ଆମକୁ ଛାଡ଼ି ଯାଉ, ମୋ ହୃଦୟ ଭାଙ୍ଗି ପଡ଼ିବ; କିନ୍ତୁ ଏହା ହେବ ନାହିଁ ବୋଲି ନିଃସନ୍ଦେହରେ କୁହାଯାଇପାରେ, ମୋ ହୃଦୟ ଆଗରୁ ଭାଙ୍ଗିଯାଇଛି ।’’ ଜୋସୁ ମୁଣ୍ଡ ଟେକିଲା । ‘‘କାଇଁକି ନା, କେନ୍‌ସାନ୍‌ ମରିଯାଇଛି ?’’ —ଜୋସୁ ଜିଜ୍ଞାସା କଲା ।

 

‘‘ନାଇଁ—କେନ୍‌ସାନ୍‌ ଜନ୍ମ ହେବାଯର ବହୁତ ପୂର୍ବରୁ, ଯେତେବେଳେ ମୁଁ ଜଣେ ଯୁବକଥାଉ, ସେ କଥାର ଆଉ କିଛି ମୂଲ୍ୟ ନାହିଁ ।’’

 

ପ୍ରକୃତରେ ସେ କଥାରେ ଆଉ କିଛି ମୂଲ୍ୟ ନାହିଁ । ତାଙ୍କୁ ବର୍ତ୍ତମାନ ପାଖାପାଖି ପଚାଶ ବର୍ଷ ହେଲାଣି । ଜୋସୁ ଭାବିଲା, ତାଙ୍କୁ ଯୁବାବସ୍ଥାରେ କ’ଣ ଘଟିଥିଲା, ତା’ର ବର୍ତ୍ତମାନ କିଛି ମାନେ ନାହିଁ । ସେ ସେ କଥା ଜାଣିବାକୁ ଶଙ୍କିଗଲା । ସେ ଅନୁଭବକଲା ତା ଜାଣିବା ଭିତରେ ଜଣେ ଲୋକ, ଯାହାର ଖୁବ୍‌ ପ୍ରାଧାନ୍ୟ ବିସ୍ତାରି କଲା ଭଳି ସ୍ୱଭାବ—ସେ ତୀକ୍ଷ୍‍ଣ, ଭୟଙ୍କର, କୋମଳ, ଜିଦ୍‌ଖୋର ଏବଂ ନିଜର ସମସ୍ତଙ୍କ ଉପରେ ସେ ପ୍ରଭୃତି ଚାହାନ୍ତି । ସେ ତା’ର ବାପା, ସେ ନିଜ କଥା ନିଜେ ଭାବିବ ।

 

‘କହ, ତୁ କାହିଁକି ସେ କାର୍ଡ଼ଟା ରଖିଚୁ ?’’ ଖୋସାମତ କଲା ପରି ତା ବାପା ପଚାରିଲେ-

 

ତାଙ୍କର କୋମଳତା ଜୋସୁକୁ ତରଳାଇ ଦେଲା ଓ ସେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ଜାମା କାନିକୁ ପାଟିରେ ଦେଇ କାନ୍ଦ ବନ୍ଦ କରିବାକୁ ଚେଷ୍ଟା କରି କଥା କହିବାକୁ ଲାଗିଲା ।

 

‘‘ମୁଁ କିମିତି ଜାଣିବି ? କହିଲା ଭଳି ତ କିଛି ନାହିଁ, ସେ ଉଇଷ୍ଟେରିଆ ଗଛ ପାଖରେ ମତେ ଅଟକାଇ ମୋ ନାଁ ପଚାରିଲା । ମୁଁ—ମୁଁ....ମୁଁ ତାକୁ କହିଲି—ସେତିକି ତ କଥା । ‘‘ତୁ କହ ମା’ କେତେ ଥର ଦେଖିଲୁଣି’’ ?

 

‘‘କେବଳ ଆଜି—ଥରେ....ମୁଁ ନିୟମ କରୁଚି–ସେ ମତେ ଆଜି ସକାଳେ ଦେଖି ଫେରିଆସିଲା । ପ୍ରଥମ ଥର ଗଲାବେଳେ ସେମାନେ ଏତେ ସଂଖ୍ୟାରେ ଥିଲେ ଯେ, ମୁଁ ତାକୁ ଦେଖିପାରି ନ ଥିଲି ।

 

ସତ କଥା ଶୁଣି ତା ବାପାଙ୍କର ଦୟା ହେଲା । ‘‘ସେ କ’ଣ କଲା, ସେଥିଲାଗି ମୁଁ ତୋତେ ଦୋଷ ଦେଉ ନି, ତୁ ହୁଏ ତ ତୋ ନାଁ । କହିବାକୁ ମନାକରି ଦେଇଥାନ୍ତୁ । ଠିକ୍‌ ତୁ ଯେପରି କହୁ—ତୁ ଅନେକ ବର୍ଷ ଆମେରିକାରେ ଥିଲୁ ବୋଲି ତୋ ଆଚରଣ ଭିନ୍ନ ହୋଇଚି ।’’

 

‘‘ମୁଁ ମୋ ନାଁ ତାକୁ କହି ନି ।’’

 

‘‘ତା’ ହେଲେ ଅନେକ ବର୍ଷର ସ୍ମୃତି ପାସୋରି ଦେଇଛୁ ।’’ ସେ ସ୍ୱୀକାର କଲେ, ‘‘କିନ୍ତୁ ଆମେମାନେ ଆଉ ଫେରିବା ନି । ଏଇଠି ସବୁବେଳେ ରହିବା । ତୋ ଜୀବନ ଏଇଠି ବିତିବ ମା; ତୋର ବିବାହ ହବ ଏଇଠି । ମୁଁ ଶପଥ କରୁଚି; ମୁଁ ତତେ ବିଭା ହେବାକୁ ବାଧ୍ୟ କରିବି ନି । ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ପୁଣି କହୁଚି ।’’ ନିଜ ମନକୁ ହାଲୁକା କରି ସେ କହିଲେ । କେବଳ ପ୍ରଥମ କାମନା ଆସିଲାବେଳେ ଯୌବନାବସ୍ଥାରେ ବାହା ହେବା ଭଲ । ବିଶେଷ କରି ସ୍ତ୍ରୀ ଲୋକ ଅନେକ ଦିନ ଅପେକ୍ଷା କରିବା ଭଲ ନୁହେଁ । ପ୍ରକୃତ କାମନା ବୃଦ୍ଧିଲାଭ କରେ ଏବଂ ଅନ୍ୟ ଲାଭ ଆଶା ପହଞ୍ଚିଯାଏ । ପ୍ରବୃତ୍ତିକୁ ନଷ୍ଟ କରିଥିବା ଅନେକ ସ୍ତ୍ରୀ ଲୋକଙ୍କୁ ମୁଁ ଆମେରିକାରେ ଦେଖିଚି । ସେମାନଙ୍କର ଚରିତ୍ର ହୁଏ ତ ଭଲ—ସେଥିରେ; ସେମାନେ ମଗ୍ନ; କିନ୍ତୁ ନାରୀତ୍ୱ ତାଙ୍କର ନଷ୍ଟ ହୁଏ-। ତେଣୁ ଦେଖାଯାଉ, କ’ଣ ଆମେମାନେ କରିପାରିବା ! ଯଦି କୋବରୀ ମାତ୍ସୁୟୀ ନ ହେଲା–ଆମେ ଅନ୍ୟ କାହାକୁ ଦେଖିବା । ମୁଁ ପସନ୍ଦ କରିବି । ସେଥିରୁ ମୋତେ ଢେର ଆନନ୍ଦ ମିଳିବ-

 

ତାକୁ ସାନ୍ତ୍ୱନା ଦେବା ପାଇଁ ଏଇ ଇଚ୍ଛା, ଯାହା ପଛରେ ରହିଛି ତାଙ୍କର ଅବର୍ଣ୍ଣନୀୟ ସ୍ନେହ, ତାଙ୍କ ପ୍ରତି ଜୋସୁର ଏତେ ଦୟା ହେଲା ଯେ ତାଙ୍କୁ ଅମାନ୍ୟ କରିବା ଭଳି ସାହସ ତାର ନ ଥିଲା ।

 

‘‘ମୁଁ ଆଉ ବର୍ଷେ ମାତ୍ର ପଢ଼ି କଲେଜଟା ଛାଡ଼େ—ମୁଁ ପଢ଼ାଟା ସାରିବାକୁ ଚାହୁଁଚି ।’’

 

‘‘ଅବଶ୍ୟ; ମୋର ମତ ବି ସେଇଆ’’—ସେ କହିଲେ । ‘‘ଆଉ ଆମେ କିଛି କଥାବାର୍ତ୍ତା ହବା ନି । ଆମେ ପରସ୍ପରକୁ ବୁଝିଲେ ତ ?’’

 

‘‘ହଁ’’ ଅନିଚ୍ଛା ସତ୍ତ୍ୱେ ଜୋସୁ ଗୁଣୁ ଗୁଣୁ ହୋଇ କହିଲା ।

 

‘‘ତା ହେଲେ...ସେ ଅଟକି ଗଲେ । ଜୋସୁ ଦେଖିଲା ଯେ ସେ ଛାତି ପକେଟରୁ କାର୍ଡ଼ ଦୁଇଟି କାଢ଼ି ଟିକି ଟିକି କରି ଚିରିଦେଲେ । ଏହାପରେ ସେ କ୍ଷଣକ ପାଇଁ ଅଟକି ଯାଇ ଘାସ ତାଡ଼ି ତା ତଳେ ଏଇ ଟୁକୁରାଗୁଡ଼ିକ ରଖିଲେ—ଛୋଟ ଏକ ସମାଧି ପରି । ତାକୁ ଘାସରେ ଘୋଡ଼ାଇଦେଇ ସେ ଠିଆହେଲେ, ‘‘ଆ’’—ସେ କହିଲେ ‘‘ଘରକୁ ଯିବା; ରାତି ହେଲାଣି ।’’

 

ପ୍ରକୃତରେ ରାତି ହେଲାଣି । ପାଇନ୍‌ ବଣ ତଳେ ଜୁଳୁଜୁଳିଆ ପୋକଙ୍କ ମେଳା ବସିଲାଣି ।

 

ବହଳ ଶେଯ ଉପରେ ବ୍ୟସ୍ତ ହୋଇ କଡ଼ ଲେଉଟାଇଲା ଆଲେନ କେନେଡ଼ି । ଜାପାନୀ ଶେଯଗୁଡ଼ିକ ନରମ ନୁହେଁ, ଶେଯ ଭିତରେ ପଶି ସିଲ୍‌କ୍‌ କନାର ଖୋଳ ହୋଇଥାଏ । ତଳେ ଥିବା ମସିଣା ମୋଟା ଓ ନରମ । ଜଣେ ଶୋଇ ପଡ଼ିଲାବେଳକୁ ବେଶ୍‌ ନରମ ଲାଗେ; କିନ୍ତୁ ସେ ମସିଣା ତଳେ ଥିବର ଚିକ୍‌କଣ କାଠର ଚଟାଣରେ ଶେଯ ନ ଥାଇ ଶୋଇଲେ ତାର କଠିନତା ହାତକୁ ବେଶ୍‌ କାଟେ । କଥା ହେଉଚି, ସେ ଯଥେଷ୍ଟ କ୍ଳାନ୍ତ ନୁହେଁ । ଶତ୍ରୁ ଏବଂ ଏକ ଆଚ୍ଛନ୍ନ କାମନା ତା ରକ୍ତରେ ଭରି ଦେଲା ଉତ୍ତାପ । ସେଇ ସୁନ୍ଦରୀ ଝିଅଟି ତାର ସମସ୍ତ ଯୋଜନା, ଅଭ୍ୟାସ ଓ ଯତ୍ନବର୍ଦ୍ଧିତ ସଂଯମକୁ ଓଲଟ ପାଲଟ କରିଦେଲା । ଯୁଦ୍ଧ ସମୟରେ ସାଧାରଣ ମଣିଷଙ୍କ ଭଳି ସେ ସାଧାସିଧା ଭାବରେ ଅନିଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ନିଜ ଭିତରେ ସେହିପରି ପାଶବିକ କାମନା ଅନୁଭବ କଲା । ସେ ଯେ ଏମିତି ସମର୍ଥ ଓ ସୁନ୍ଦର ଭାବେ ଜଣେ ସ୍ତ୍ରୀ ଲୋକର ଦେହ ବିଷୟରେ ଅଥୟ ହୋଇ କହିପାରିବ, ଏ କଥା ତାର ବିଶ୍ୱାସ ନ ଥିଲା; ତଥାପି ସେ କହିପାରିଲା । ତା’ର ସବୁ ଦିନର ଅଭାବ, ଯାହାକୁ ସେ ଆଉ ଥରେ ଯେତେ ଜରୁରୀ ହୋଇ ପଡ଼ିଲେ ବି ପୂର୍ଣ୍ଣ କରିବାକୁ ଚେଷ୍ଟା କରିବ ନି; ତାହା ଆଜି ଏଇ ରାତିରେ ତା ମନ ଭିତରେ ବିଦ୍ରୋହ କରି ମଥା ଟେକୁଚି । ସେ ଝିଅଟି ଯେ ଗୋଟିଏ ସୁନ୍ଦର ଛବି—ଏଇ କଥା ସେ ଭାବିବାକୁ ଯଦିଓ ଚାହୁଁଚି, ତଥାପି ସେ ମାତ୍ର ଗୋଟିଏ ବୋଲି ନାରୀ....ଯାହାର ଜନ୍ମ ପ୍ରେମରେ; ଆବଦ୍ଧ ହେବା ପାଇଁ । ଏଇ ଯୌକ୍ତିକତା ଅନେକ ପରିମାଣରେ ତା ଭିତରର କୋଳାହଳାକୁ ଅବନମିତ କରିଦେଲା ।

 

ଭାବନାରେ ବାଧା ଦେଇ ସେ ହଠାତ୍‌ ବସିପଡ଼ିଲା ଓ ତାର ଦୀର୍ଘ ବାହୁରେ ଦୁଇ ଗୋଡ଼କୁ ବେଷ୍ଟନ କରି ଆଣ୍ଠୁରେ ମୁହଁ ମାଡ଼ିଦେଲା । ସେ ଚାହୁଁଥିଲା ତାର ଭାବନା ଏପରି ଗଣ୍ଡଗୋଳ ନ ହୁଅନ୍ତା କି ! ଏଇ ପ୍ରେମ ଓ କାମନାକୁ ନେଇ ଏମିତି ବିବ୍ରତ ନ ହୁଅନ୍ତା କି ! ଅସରନ୍ତି ଆଗ୍ରହର ସେଇ ଗେଡ଼ା ଜିଦ୍‌ଖୋର ଲୋକ ତାର ମା ତା’ ପାଇଁ ପ୍ରେମ ଓ କାମନାକୁ ଅବିଭାଜ୍ୟ ରଖିଚି । ତାରି କଥା ଭାବୁ ଭାବୁ କୋମଳତା ତା ଭିତରେ ଜମି ଉଠୁଥିଲା । ଯଦିଓ ତା ଦେହ ଅନେକ ସମୟରେ ଦୁରନ୍ତ କାମନାର ନିର୍ବହଣ ଚାହେଁ, ତଥାପି ସେ ବେଶ୍ୟାଟି ସହିତ ଅତୀତରେ ତାର ସାକ୍ଷାତ୍‌ ତାର ଯୁକ୍ତିବାଦୀ ମନକୁ ଆଜି ଭାରାକ୍ରାନ୍ତ କରିଦେଲା । ସେ ନିଷ୍କ୍ରିୟ ହୋଇପଡ଼ିଥିଲା । କାମନାର ନିର୍ବାପନ ପୂର୍ବରୁ ସେ ଭଲ ପାଇବାକୁ ବାଧ୍ୟ । ଲାଜ କରିବାରେ କାରଣ ଥିଲା ଏଇଠି । ଯେଉଁ ବାଜେ ଲୋକମାନେ ତୃଷାର୍ତ୍ତ ଓ ଗର୍ବିତ ହୋଇ ଫେରିଆସନ୍ତି, ସେମାନଙ୍କ ପ୍ରତି ତାର ଈର୍ଷା ହୁଏ, ସେ ବେଶି ଈର୍ଷାକରେ, କାରଣ ସେମାନେ ନିଜକୁ ବାଜେ ଲୋକ ବୋଲି ଜାଣନ୍ତି ନାହିଁ, ସୈନ୍ୟବିଭାଗ ସେଇମାନଙ୍କ ଦ୍ୱାରା ହିଁ ପୂର୍ଣ୍ଣ; ଆଉ ସେଇମାନେ ହିଁ ବେଶ୍‌ ସୁନ୍ଦର ଚଳନ୍ତି । କିନ୍ତୁ ସେ ପୂର୍ବପରି ସ୍ୱତନ୍ତ୍ର । ତାର ସୁନ୍ଦର ଛୋଟ ମନଟି କୁତ୍ସିତ ନ ହେଉ । ତାର ସୁନ୍ଦର ଏରିଏଲ୍‌ ପରି ମମତାପ୍ରବଣ ପ୍ରାଣରେ କାଲିବନ୍ର ବୀଭତ୍ସତା ରେଖାପାତ୍‌ ନ କରୁ । ଏ କଥା ସେ ହୁଏ ତ ବାରମ୍ୱାର ଚାହୁଥିଲା । ସେ ଅତି ବିବ୍ରତ ହୋଇ ଉଠି ପଡ଼ିଲା—ଶୋଇବାର ଛଳନା କରିପାରିଲା ନାହିଁ । ପ୍ରତ୍ୟେକ ଜାପାନୀ ହୋଟେଲ ତାହାର ଅତିଥିମାନଙ୍କୁ ଯୋଗାଇଥିବା ଶୋଇବା ପୋଷାକରେ ସେ ନିଜକୁ ଆବୃତ କଲା । ଜାପାନର ସୁନ୍ଦର ରୁଚି ପୃଥିବୀରେ ପ୍ରାଧାନ୍ୟଲାଭ କରିଚି । ଆଉ ସେଇଥିପାଇଁ ବୋଧହୁଏ ସେ ଏ ଦେଶଟାକୁ ଭଲପାଏ । ଶସ୍ତାକନାର ପୋଷାକଗୁଡ଼ିକ ନୀଳ ଓ ଧଳାରେ ସୁନ୍ଦରଭାବେ ଚିତ୍ରିତ ହୋଇଥାଏ । ଯେତେବେଳେ ସେମାନେ ପାଶ୍ଚାତ୍ୟ ପ୍ରଣାଳୀରେ ଚଳିବାକୁ ଚେଷ୍ଟା କରନ୍ତି, କେବଳ ସେତିକିବେଳେ ଏ ସୁନ୍ଦର ରୁଚି ନଷ୍ଟହୁଏ । ତା’ ମା ଯଦି ଚାହାଁନ୍ତି ସେ ଏଇ ଚିତ୍ରିତ ଅସାଧାରଣ ମାଟିର ପାତ୍ର, ସୁନ୍ଦର ଛାପା ଓ ନରମ ସିଲ୍‌କକୁ ଘରେ ସବୁଠାରୁ ଅଧିକ ଉପଭୋଗ କରିବେ । ଆଜି ଚାରିଟାବେଳେ ଯିବାକୁ ମିସେସ୍‌ ସାକାଇ ତାକଚ ଅନୁମତି ଦେଲେ ନି । କିନ୍ତୁ ତାଙ୍କର ଅଳ୍ପ ଆନନ୍ଦ ମୁଣ୍ଡ ଆଢ଼ୁଆଳରୁ ସୂର୍ଯ୍ୟକିରଣ ପଡ଼ୁଥିବା ଅଣଓସାରିଆ ଧାଡ଼ି ଧାଡ଼ି କାଗଜଘର ଦେଖିଚି । ଶିକ୍ଷିତ ଜାପାନୀମାନଙ୍କ ସଂସ୍ପର୍ଶରେ ଆସିବାକୁ ସୁଯୋଗ ସେ ପାଇ ନି । ଆମେରିକାନ୍‌ମାନେ ଥିବା ଘରକୁ ଜାପାନୀମାନେ ଆସିବାକୁ ବାରଣ କରିବାରେ କଠିନ ନିୟମ ରହିଚି । ରେଳଗାଡ଼ିରେ ବି ସେମାନେ ମିଶିବାକୁ ଅନୁମତି ପାଆନ୍ତି ନି । ସେ ନୀଚ ଲୋକଙ୍କ ସହିତ ମିଶିବାକୁ ଚାହେଁ ନି । ତା ମତରେ ଜଣେ ପତିତ ଜାପାନୀ, ବିଶେଷତଃ ଜଣେ ଝିଅ ଜଣେ ପତିତ ଆମେରିକାନ୍‌ ଠାରୁ ଆଉରି ତଳେ ।

 

କିନ୍ତୁ ଉଇଷ୍ଟେରିଆ ଗଛ ତଳର ସେଇ ସୁନ୍ଦର ଝିଅ ଜଣକ ନିଶ୍ଚୟ ଶିକ୍ଷିତ ପରିବାରର କନ୍ୟା ଏବଂ ତା ନାଁ ଜୋସୁ.....ସେ ଯଦି ନିଜେ ନ କହିଥାଆନ୍ତା, ସେ ବୋଧହୁଏ ତା ନାଁ ଟା ଉଚ୍ଚାରଣ କରିପାରି ନ ଥାନ୍ତା ତା ମୁହଁ—ସେ ଭୁଲିପାରିବ ନି, ଏତେ ସୁନ୍ଦର ନିର୍ମଳ, ତା ଆୟତ ଆଖି-। ତା’ର ମାଂସଳ ତଳ ଓଠ, ସେ ପୂର୍ବାଞ୍ଚଳ ଲୋକମାନଙ୍କ ଆଖିକୁ ପସନ୍ଦ କରେ । ସ୍ୱଚ୍ଛନ୍ଦରେ ନ ହେଲେ ବି ସେ ଆମେରିକାନ୍‌ ଭଳି ଇଂରାଜୀ କହିଲା । ତା’ର ଉଚ୍ଚାରଣ ଭଲ ଓ ତାର କଣ୍ଠ କୋମଳ । ସେ ଅସାଧାରଣ ଭାବେ ସୁନ୍ଦରୀ । ସୁନ୍ଦରୀ ଝିଅମାନେ ଲୁଚନ୍ତି ଓ ଆମେରିକାନ୍‌ମାନଙ୍କ ସହିତ ସାକ୍ଷାତ ହେବାକୁ ସୁଯୋଗ ନିଅନ୍ତି ନାଇଁ, କିନ୍ତୁ ଜୋସୁ ଆମେରିକାରେ ଥିଲା ଓ ସେଇଥିପାଇଁ ସବୁଠୁଁ ସେ ଭଲ ଲୁଚି ଜାଣେ । ମୋଟାମୋଟି ସେ ଧୀରସ୍ଥିର । ହୋଟେଲର ବାହର କାନ୍ଥରେ ଏକ ବାରଣ୍ଡା ପରି ହୋଇ ବଗିଚାର ଛୋଟ କଣକୁ ଖୋଲାଥିବାର ଦରଜା ପାଖରେ ସେ ଠିଆହେଲା । ତଥାପି ସେଠି ବେସିନ୍‌ ଆକାରରେ ଗୋଟିଏ ପୋଖରୀ ଓ ଛୋଟ ଛୋଟ ଗଛ ଗୋଟିଏ ଦୁଇଟି ଅଛି । ଏଇ ଝିଅ ଜୋସୁଠାରୁ ସେ କ’ଣ ଚାହେଁ ତାହା ସେ ନିଜକୁ ନିଜେ ପଚାରିବା ଭଲ । ମନେକର, ସେ ନିଜର କାମନାକୁ ବଢ଼ାଇବ । ଯେମିତି ସେ ସାଙ୍ଗେ ସାଙ୍ଗେ ତାକୁ ଦମନ କରି ନି—ତା’ ହେଲେ ତାର ପରିଣତି କ’ଣ ହେବ ? ଏ ଗୋଟିଏ ନିରାଶ ଓ ହୃଦୟବିଦାରକ ବ୍ୟାପାର ହେବ । ଆଉ କିଛି ଅଧିକା ହବ ନି । ଜୋସୁ ରାଣୀ ପ୍ରଜାପତିଟିଏ ନୁହେଁ ଯେ ତାକୁ ଭଲପାଇ ଛାଡ଼ି ଦେଇହେବ ।

 

ନିର୍ଜ୍ଜନ ଓ ଗଭୀର । ନାଚା କାନ୍ଥର ତଳେ ଦୂର ପର୍ବତର ଅସ୍ପଷ୍ଟ ଧାଡ଼ିଗୁଡ଼ିକ—ଆକାଶଠାରୁ ବି ଆଉରି କଳା ଦିଶୁଛି । ଐତିହାସିକ ସ୍ତଶନ ଦେଖିବାକୁ ସେ କିଓଟୋକୁ ଆସିଛି, କିଛି ହେଲେ ଦେଖି ନି । ସେ ଯାହା ଯୋଜନା କରିଥିଲା–ସେପରି କାହିଁକି ହୋଇପାରିଲା ନାଇଁ-? ଏଇ ରାତିର କେତୋଟି ଘଣ୍ଟାରେ କିଛି ସ୍ଥିର କରିଦେବା ଉଚିତ ନୁହେଁ । କାହିଁକି ନା କିଛି ଗୋଟାଏ ସ୍ଥିର କରିବା ପାଇଁ ଚବିଶ ଘଣ୍ଟା ମଧ୍ୟରେ ସବୁଠାରୁ ଖରାପ ହେଉଚି ରାତିର ଏଇ ସଙ୍କୁଚିତ ବିଷାଦପୂର୍ଣ୍ଣ ସମୟ । ଏ କଥା ସେ ବେଶ୍‌ ଜାଣେ—ଏଇ ରାତିର ଖରାପ ସମୟରେ ତା ଭିତରର ଯାହା କିଛି ଖରାପ, ସବୁ ଚେଇଁ ଉଠି ତା’ର ନିର୍ଦ୍ଦେଶକ ବହି ଦେଖି ଯୋଜନା ପ୍ରସ୍ତୁତ କରିବ । କିଓଟୋ ଦେଖିବାକୁ ଯେତେଦିନ ଲାଗିବ, ସେ ରହିବ ଓ ତା ପରେ ଟୋକିଓ ଯିବ ।

 

କାର୍ଯ୍ୟବ୍ୟସ୍ତ ରହିଲେ ସେ ହୁଏ ତ ଝିଅଟିକୁ ଭୁଲିଯିବ କିମ୍ୱା ଅନ୍ୟମାନଙ୍କ ପରି ଝିଅଟି ନିଜକୁ ଲୁଚାଇ ରଖିବ ।

 

ଏହା ସ୍ଥିର କଲା ପରେ ତାକୁ ବେଶ୍‌ ଭଲ ଲାଗିଲା । ସେ ଶେଯ ଉପରେ ପୁନର୍ବାର ଶୋଇ ଆଖି ବୁଜିଲା । ମାଂସପେଶୀଗୁଡ଼ିକ ବିଶ୍ରାମ ନେଲା । ଚଟାଣର କଠିନତା ହାତକୁ ତାର କାଟିଲାନି ଏବଂ ଶେଯତଳ ବେଶ୍‌ ନରମ ଓ ଉଷୁମ ଲାଗିଲା । ଖୋଲା ଦରଜା ପାଖରେ ଠିଆହୋଇ ତାକୁ ଖୁବ୍‌ ଥଣ୍ଡା ଧରି ଯାଇଥିଲା ।

 

ପରଦିନ ଯଦି ବର୍ଷା ହେଇଥାନ୍ତା, ତେବେ ଘରେ ରହିଯିବାକୁ ସୁବିଧା ମିଳିଥାଆନ୍ତା । ଜୋସୁର ଗୋଟିଏ ମାତ୍ର କ୍ଲାସ ଥିଲା ମାଥମେଟିକ୍‌ସରେ—ତା ତାକୁ ଭଲ ଲାଗେ ନି । ତାକୁ ବି ଟିକେ ଥଣ୍ଡା ହୋଇଥିଲା, କିମ୍ୱା ଥଣ୍ଡା ହୋଇଛି ବୋଲି ସେ ଭାବିଲା । ସେ ନିଦରେ ବ୍ୟସ୍ତ ହୋଇ ପଡ଼ିଥିଲା ଓ ପାହାନ୍ତାରୁ ଉଠିଲାବେଳକୁ ଶେଯଟା ଇତସ୍ତତଃ ହୋଇ ପଡ଼ିଥିଲା । ସେ ନରମ ତକିଆରେ ଶୁଏ । ଟାଣ ଜାପାନୀ ତକିଆ ବ୍ୟବହାର କରୁଥିଲେ ତା ବେକ ଦମ୍ଭଭାବରେ ରହିଥାନ୍ତା, ଯେପରି କି ସେ ବେକ ବୁଲାଇ ପାରନ୍ତା ନି । ଅନ୍ୟ ଝିଅମାନେ ଏମିତି ଶୋଇବା ଶିଖନ୍ତି; କିନ୍ତୁ ସେ ଶିଖି ନି । ଏଠାକାର ଜୀବନକୁ ପୂରାପୂରି ନିଜର କରିନେବାକୁ ସେ ସ୍ଥିର କରି ନି—ଏଇଆ ହେଲା ତାର କଷ୍ଟର କାରଣ । ତା ଅପେକ୍ଷା ତାର ବାପା ଓ ମା ଉଭୟେ ଅଧିକ ସାହସୀ, ତା ମାନେ ତା ବାପା ଯାହା କହନ୍ତି, ମା ମାନି ନିଅନ୍ତି । ଏଥିପାଇଁ ସେ ତାର ଛୋଟ ଛୋଟ ଅଭିଯୋଗ ରଖିଚି—ତା ମଧ୍ୟରୁ ତକିଆ ଗୋଟିଏ, ତା ପାଇଁ ମଧ୍ୟ ସେ ବିଦ୍ରୋହ କରେ ।

 

କିନ୍ତୁ ସେ ଦିନ ଖରାପାଗ ଥିଲା । ମେଘହୀନ ନିର୍ମଳ ଆକାଶରୁ ସୂର୍ଯ୍ୟ ଉଠିଲେ ଏବଂ ପର୍ବତ ଉପରେ ଯେତେ ବୃତ୍ତାକାର ବୁଢ଼ିଆଣୀ ବସା ବୁଣା ହେଇଥିଲା, ସୂର୍ଯ୍ୟ ଉଠିବା ପରେ ପରେ ସବୁ ମିଳେଇଗଲା । ସେ ଉଠିବାକୁ ବାଧ୍ୟହେଲା ଓ ପାଗଟି ସୁନ୍ଦର ଥିବାରୁ ଫିକା ହଳଦିଆ ରଙ୍ଗର ଇସ୍ତ୍ରୀ ପୋଷାକ ପିନ୍ଧିବାକୁ ତା’ର ଇଚ୍ଛାହେଲା । ସେ କୌଣସି ସାଧାରଣ କାରଣରୁ ଆଜି କିମୋନୋ ପିନ୍ଧିବାକୁ ଇଚ୍ଛା କରୁଛି । କିନ୍ତୁ ତାର ସହପାଠିନୀ ଏଥିରେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଜୀବନଟା ପୂରାପୁରି ବିଭକ୍ତ ହୋଇ ପଡ଼ିଛି । ଯା’ହେଉ, ହଳଦିଆ ପୋଷାକଟା ନରମ ଥିଲା ଓ କଠିନ ଧଳା ବୋତାମ ସେଥିରେ ନ ଥିଲା । ତା’ର କଳାକେଶ ସହିତ ପୋଷାକରେ ଥିବା ଧଳା ଏମ୍ୱ୍ରାଡ଼ଏରୀ ତାକୁ ସୁନ୍ଦର ମାନୁଥିଲା । ମୁଣ୍ଡରେ ଆଜି ତେଲ ଲଗାଇ ନି । ଏହାଦ୍ୱାରା ଅନ୍ୟମାନଙ୍କଠୁ ସେ ଅଲଗା ଦେଖାଯିବ । ତା’ର କାନ ପାଖରେ ଛୋଟ ଛୋଟ କଅଁଳ କେଶଗୁଡ଼ିକ କୁଞ୍ଚିତ ନ ହେଲେ ବି ପୂରା ସିଧା ନୁହେଁ । ସେ ଜଳଖିଆ ଖାଇବାକୁ ଆସିଲାବେଳେ ତା ବାପା ତାକୁ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁଲେ ।

 

ମୁଁ ଆଜି ସ୍କୁଲ ସମୟରେ ଯିବି ନି । ସେ କହିଲା, ‘‘ମୁଁ ଅତି ଚଞ୍ଚଳ ଯାଇ ଘଣ୍ଟାଏ ଖଣ୍ଡେ ଜ୍ୟାମିତି ପଢ଼ିବି ।’’ ସେ ବୁଝିଲେ ଯେ ଏହାଦ୍ୱାରା ସେ ଆମେରିକାନ୍‌ ସହିତ ସାକ୍ଷାତ କରିବାକୁ ଚାହୁଚି । ଯଦି ଆମେରିକାନ୍‌ ତାକୁ ଖୋଜିବ, ତା ହେଲେ ସ୍କୁଲ ଟାଇମ୍‌ରେ ଯେତେବେଳେ ସେ ଗତକାଲି ଦେଖିଥିଲା ।

 

ନୀରବରେ ଖିଆ ସରିଲା । ମା ପଦେ ବି କଥା କହିନାହାନ୍ତି । ନୀରବରେ ସେମାନେ ଉଠିଲେ ଓ ସାଙ୍ଗେ ସାଙ୍ଗେ ଫୁଲ ଆଣିବାକୁ ଜୋସୁ ପଛପଟ ବଗିଚାକୁ ଗଲା । ଫୁଲ ହଉ, ଡ଼ାଳ ହଉ, ପତ୍ର ହଉ, ଯାହା ଏ ଋତୁରେ ଫୁଲଦାନୀ ପାଇଁ ଥିବ । ଏହା ଗୋଟିଏ ଆନନ୍ଦଦାୟକ କାମ । ତା’ ବାପା ଆନନ୍ଦାତିଶଯ୍ୟରେ ତା କାମକୁ ଥଟ୍ଟା କରନ୍ତି । କାହିଁକି ନା ସେ ଏହାକୁ ସ୍ମୃତିର ସମ୍ୱଳ ରୂପେ ନେଇଥାଆନ୍ତି । ଏଇ ଦୀର୍ଘ ବଗିଚାରେ ବୁଲି ଆଜି ସେ ଛୋଟ ଛୋଟ ଗଛ ଖୋଜିଲା । ବସନ୍ତଋତୁ ହେତୁ ଆଜି ସେ ଗୁଡ଼ାଏ ଫୁଲ ବ୍ୟବହାର କରିବ ନି । ଗ୍ରୀଷ୍ମରେ କେବଳ ଫୁଲ ବେଶି ନ ଥାଏ ଓ ଫୁଲଦାନୀର ସାଜ ଋତୁ ଅନୁଯାୟୀ ହେବା ଦରକାର । ସେ ମୋରିବନା ଫୁଲରେ ଦାନୀ ସଜେଇବାକୁ ଠିକ୍‌ କଲା । ପାଣିଶିଉଳି ଫୁଲ ସେ ପସନ୍ଦ କରେ ନି । ପାଣିଶିଉଳି ଫୁଲ ଗୁଡ଼ାକ ସ୍ଥଳରେ ଫୁଟିଥିବା ଫୁଲ ସେ ପସନ୍ଦ କରେ ନି । ପାଣିଶିଉଳି ଫୁଲ ଗୁଡ଼ାକ ସ୍ଥଳରେ ଫୁଟିଥିବା ଫୁଲ ପରି ସୁନ୍ଦର ଦିଶେ ନି । ଖୋଜି ଖୋଜି ସେ ଯାହା ଚାହୁଁଥିଲା, ପାଇଲା । ଓହଳି ପଡ଼ିଥିବା ଲାଲ୍‌ ମେପଲ ଦ୍ୱାରା ଅଧା ଲୁଚି ଯାଇଥିବା ନୀଳ ମାର୍ଟିର ଫୁଲ ତାର ଗହଳ କୁଞ୍ଜରେ ଫୁଟିଚି । ଅତି ଯତ୍ନରେ ସେ ମେପଲ୍‌ ଡ଼ାଳ ଖଣ୍ଡେ କାଟିଲା ଯେମିତି ତା ନଷ୍ଟ ନ ହୋଇଯାଏ; ଏବଂ ଦୁଇ ଗୁଣ ଲମ୍ୱା କରି ଲତାକୁ କାଟିଲା । ଏତିକିରେ ତାର ଯଥେଷ୍ଟ ଓ ରୋଷଘର ପାଖର ଦ୍ୱାରଦେଶରେ ଥିବା ଟବୁଲ ପାଖେ ଅଧଘଣ୍ଟାଏ ଖଣ୍ଡେ ଠିଆହୋଇ ସଜେଇବାରେ ଲାଗିଲା । ଆଜିପାଇଁ ବାଛିଥବା ସବୁଜରଙ୍ଗର ନାଚୀ ପୋଟୁଆ ଆକାର ଦାନୀର ସାମ୍ନାରେ ସେ ଯେମିତି ଶିଖିଥିଲା, ସେମିତି ଠିଆହୋଇ ଡ଼ାଳ, ଫୁଲ ଓ ଲତାକୁ ସୂର୍ଯ୍ୟଙ୍କ ଆଡ଼କୁ ମୁହାଁଇ ସଜାଇବାକୁ ଲାଗିଲା । ସବୁ ବର୍ଦ୍ଧିଷ୍ଣୁ ଗଛ ତ ଏଇ ସୂର୍ଯ୍ୟଙ୍କ ଆନକୁ ଚାହାନ୍ତି । ତିନି ଭାଗରେ ସଜା ହୋଇଥାଏ । ମେପଲ୍‌ଡ଼ାଳ ସବୁଠୁ ଉଚ୍ଚ ଓ ଲତା ପଛଆଡ଼େ ଖେଳେଇ ହେଇଚି । ନୀଳଫୁଲଗୁଡ଼ିକ ଏକ ପାଖରୁ ଅନ୍ୟ ପାଖରେ ଅଧିକ ତଳକୁ ରଖାଯାଇଚି । ତା ବାପା ହସପିଟାଲ ଗଲା ପୂର୍ବରୁ ଯେଛଁଠି ବସନ୍ତି, ସେଇ ପ୍ରାର୍ଥନାଘରୁ ବାପା ତାକୁ ଚାହିଁଛନ୍ତି ଓ ମା’ ବି ରୋଷାଇଘରୁ ଝୁଙ୍କିପଡ଼ି ଚାହିଁଛନ୍ତି । ଆଦୌ ସଚେତନ ନ ହୋଇ ସେ କାମରେ ମଗ୍ନ ହୋଇ ଯାଇଥିଲା । ଛୋଟ ଲତାଟି ନିଜ ଇଚ୍ଛାରେ ବୁଲିଗଲଶ ପରି ହେବାରୁ ହଠାତ୍‌ ଖୁସି ହେଇଯାଇ ଜୋସୁ ଦାନୀଟିକୁ ଯତ୍ନ ସହିତ କାନ୍ଥକୁରା ଭିତରକୁ ନେଇ ଟିକିଏ କଡ଼କ ରଖିଦେଲା । ସେ ଆଜି ସୁନ୍ଦର ଚିତ୍ରିତ ଟେବୁଲ୍‌ କ୍ଳଥଟିକୁ ବଦଳାଇବାକୁ ଚାହିଁଲା ନାହିଁ; କିନ୍ତୁ ଦାନୀଟି ବଦଳାଇଲା । ଗୋଲାପ କାଠର ରୁଖାରେ ଥିବା ଏକ ଧଳା ପଥରର ଦାନୀ ସେ ବାଛିଲା । ତା ପରେ ନିଜ କାରୁକାମକୁ ଦେଖିବାକୁ ଟିକିଏ ପଛକୁ ଘୁଞ୍ଚିଗଲା ।

 

‘‘ବାଃ, ଭଲ ହୋଇଛି’’—ତା ବାପାଙ୍କ କଣ୍ଠସ୍ୱର ଶୁଭିଲା ।

 

ସେ ବୁଲିପଡ଼ି ହସିଦେଲା । ଘର ଛାଡ଼ିଯିବାକୁ ପ୍ରସ୍ତୁତ ହୋଇ ସେ ତାଙ୍କର ପାଶ୍ଚାତ୍ୟ ପୋଷାକରେ ଠିଆ ହୋଇଛନ୍ତି । ସେ କଡ଼ା ପୋଷାକରେ—ହାତରେ ଫେଲ୍‌ଟ୍‌ ହ୍ୟାଟ, ବାଡ଼ି, ଗ୍ଳୋବସ ବେଶ୍‌ ସୁନ୍ଦର ଦିଶୁଛନ୍ତି । ତାଙ୍କର ଯତ୍ନରେ ଇସ୍ତ୍ରୀ ହୋଇଥିବା ସୁଟ୍‌ ଠିକ୍‌ ଅଛି । ସେ କିନ୍ତୁ ପୂରା ଜାପାନୀ ନୁହଁନ୍ତି । ପୋଷାକଗୁଡ଼ିକ ଏମିତି କାଇଦାରେ କୌଣସି ଜାପାନୀ ପିନ୍ଧିପାରିବ ନି । ଆମେରିକା ସ୍ମୃତିକୁ ବାପା ତାର ମନ ଭିତରେ ଚେତାଇ ଦେଲେ; କିନ୍ତୁ ଏ କଥାଗୁଡ଼ିକ କହିବାର ନୁହେଁ—ସେ କହିଲା ନାହିଁ ।

 

‘‘ଭାରି ସୁନ୍ଦର’’ ତା’ ବାପା କହିଲେ, ‘‘ନୀଳ ମାର୍ଟିଲ୍‌ ଫୁଲ, ଶାଗୁଆ ଡ଼ାଳ ଏବଂ ନାଲି ମେପଲ୍‌ ଯେ ଏତେ ଭଲ ଦେଖାଯିବ,ମୋର ଧାରଣା ନ ଥିଲା; କିନ୍ତୁ ବେଶ୍‌ ଭଲ ଦିଶୁଚି । ଏହା ପ୍ରାକୃତିକ ହୋଇଚି ଏବଂ ତା ସହିତ ଚିତ୍ରିତ ଛାଲ ଶୁଭ୍ର କୁହୁଡ଼ି ଭଳି ଦିଶୁଚି ।’’

 

ସେ ମୁଣ୍ଡ ହଲାଇ ଟିକିଏ ହସିଲେ ଏବଂ ବାହାରକୁ ଗଲେ ।

 

ଏଇମିତି ସକାଳ ହୋଇ ଦିନ ବଢ଼ି ଚାଲିଲା । ରାସ୍ତା ପରେ ରାସ୍ତା ପାର ହେଲାବେଳେ ସେ କାହାକୁ ହେଲେ ଖୋଜିବାକୁ ପସନ୍ଦ କଲା ନି । କିନ୍ତୁ ସେ ତା’ର ନିତିଦିନିଆ ବାଟରେ-ଇ ଗଲା-। ସେ ଚଞ୍ଚଳ ସ୍କୁଲକୁ ଆସି ଝିଅମାନଙ୍କ କମନ୍‌ ରୁମ୍‌କୁ ଯାଇ ସ୍ୱତଃପ୍ରବୃତ୍ତ ଭାବେ ପଢ଼ିବାକୁ ଆରମ୍ଭ କଲା । ଜ୍ୟାମିତିଟି ମନକୁ ଆଚ୍ଛନ୍ନ ରଖିବାକୁ ଉପଯୋଗୀ । ଯତ୍ନର ସହିତ ବୃତ୍ତ ଟାଣି, ତା ଭିତରେ ତ୍ରିଭୁଜ ଆଙ୍କି ସେ କୋଣଗୁଡ଼ିକ ମାପିବାକୁ ଲାଗିଲା । ଏହି ଜ୍ୟାମିତି ପାଠ ସ୍ୱଭାବତଃ ସୁନ୍ଦର; କିନ୍ତୁ ନିତାନ୍ତ ଜଡ଼ । ଏକଦା ପ୍ରାଣପ୍ରାଚୁର୍ଯ୍ୟ ଭରିଥିବା, ଆନୁପାତିକ ଆକାର ଥିବା ଯେଉଁ ଜିନିଷରୁ ଆତ୍ମ ଚାଲି ଯାଇଚି; ତାହାରି ଫସିଲ୍‌ କଳ୍ପନାତୀତ ଭାବେ ସମୟର ବାଲୁଚରରେ ଶୀତଳ ନିର୍ଜୀବ ନିଷ୍ଫଳ ଭାବରେ ଉତ୍ତାନକୁ ଚାହିଁ ପଡ଼ିରହିଛନ୍ତି । ସେ ସବୁକୁ ମାପିବା ହିଁ ଏଇ ଜ୍ୟାମିତି ପାଠର କାମ । ଜୋସୁ ନିଜ କାମରେ ମଗ୍ନ ରହି, କେବଳ ମଝିରେ ମଝିରେ ଜଣ ଜଣକୁ ସ୍ୱାଗତ ଜଣାଉଥିଲା । ଦିନ କ୍ରମେ ବଢ଼ିଚାଲିଲା । ସେ କ୍ଳାସକୁ ଗଲା; ବାହାରକୁ ଆସିଲା । ନିର୍ଜନତା, ଅନାସକ୍ତି ଓ ଅଯତ୍ନ ଅନୁଭବ କଲା । ଦିନ ଶେଷ ବେଳକୁ ଅନ୍ୟଦିନଠାରୁ ଟିକିଏ ସହଳ ସେ ଘରକୁ ଫେରିଲା । ରାସ୍ତା ଜନଶୂନ୍ୟ ଥିଲା । ନିଶ୍ଚୟ ସେ ନାରା ଯାଇ ସାଙ୍ଗମାନଙ୍କ ସହିତ ମିଶିଚି, ସେ ନିଜକୁ ନିଜେ କହିଲା-। ସେ କାହିଁକି ନ ଯିବ, ତାର କିଛି କାରଣ ତ ନାହିଁ । ନିଶ୍ଚୟ ସେ ତାକୁ ଆଉ ଥରେ ଦେଖିପାରିବ ନାହିଁ ।

 

ପରଦିନ ତାକୁ ଭଲ ଲାଗିଲା ନି । ପୂର୍ବ ସକାଳ ଅପେକ୍ଷା ଏହି ସକାଳ ଆଉରି ସୁନ୍ଦର; କିନ୍ତୁ ଅବଶ ଓ ନିସ୍ତେଜ ହୋଇ ଜୋସୁ ବିଛଣା ଛାଡ଼ିଲା । ତା ରୁମ୍‌ରେ ସେ ରହିଲା ଓ ବାହାରକୁ ନ ଆସିବାର ମା ଉମିକୁ ପଠାଇଲେ କ’ଣ ଘଟିଲା ଜାଣିବାକୁ ।

 

‘‘ମତେ ଭଲ ଲାଗୁନି’’ ଜୋସୁ କହିଲା । ‘‘ମୁଁ ଭାବୁଚି ମୋ ଦେହ ଭଲନାଇଁ ।’’ ଉମି ଏଇ ବିଷାଦକର ସମ୍ୱାଦ ତା’ ବାପା, ମା’ଙ୍କୁ ଜଣାଇଲା ଓ ସେମାନେ ପରସ୍ପରକୁ ମୁହଁକୁ ଚାହିଁଲେ ।

 

‘‘ତୁମେ ତା ପ୍ରତି କଡ଼ା ବ୍ୟବହାର କରିଚି’’—ମିସେସ୍‌ ସାକାଇ ତାଙ୍କ ସ୍ୱାମୀଙ୍କୁ ଜଣେଇଲେ । ସେ ଏତେ ଧୀର ପ୍ରକୃତିର ଯେ, ଏଇ ଗାଳିଗୁଡ଼ିକ ବି ଶାନ୍ତ କଣ୍ଠରେ କହିଲେ ।

 

‘‘ମୁଁ ତ କଠୋର ବ୍ୟବହାର ଦେଖେଇ ନି’’—ଡକ୍ଟର ସାକାଇ ପ୍ରତିବାଦ କଲେ । ‘‘ଫୁଲସଜା ବ୍ୟତୀତ ମୁଁ ତ ତାକୁ ଗଲାକାଲି କିଛି କହି ନି । ତୁମେ ଜାଣ, ମୁଁ ଗତ ରାତିରେ ଅନେକ ଡ଼େରିରେ ଫେରିଥିଲି ।’’

 

‘‘ତା ପୂର୍ବଦିନ କହିଥିଲ’’—ଶ୍ରୀମତୀ ସାକାଇ ଜୋର ଦେଇ କହିଲେ ।

 

‘‘ଆମେ ତ ଗୋଟାଏ ସାଲିସ୍‌ କରିନେଲୁ’’—ଡକ୍ଟର ସାକାଇଙ୍କ କଣ୍ଠରେ ଦୃଢ଼ତା । ‘‘ମନେ ପକେଇଲ, କାଲି ସେ ସକାଳେ କେମିତି ଦିଶୁଥିଲା ଓ ଟୋକୋନୋମାକୁ କେମିତି ସୁନ୍ଦର ସଜେଇଥିଲା । ସେ ଭାରି ଶାନ୍ତ ଥିଲା ।’’

 

‘‘ଆଜି ସକାଳେ ଆଉ ଫୁଲ ଫୁଟି ନି’’—ମିସେସ ସାକାଇ କହିଲେ । ‘‘ତୁମେ ଦେଖୁ ନ, ୟା’ର ମାନେ ଗତକାଲି ବି ତା ଦେହରେ ତାତି ଭରି ରହିଥିଲା ।’’

 

କହୁ କହୁ ସେ ଉଠିଲେ ଓ ଗାଲିଚା ଉପରେ ଧୀରେ ଧୀରେ ଆଗକୁ ଚାଲିଲେ । ସେ ଜୋସୁ ରୁମରେ ପହଞ୍ଚି ଝିଅକୁ ଚାହିଁ ଠିଆହେଲେ । ଜୋସୁର ହାତ ସିଲକ୍‌ ଶେଯର ବାହାରେ ପଡ଼ିଚି । ତା’ର ପାପୁଲି ସ୍ଥିର ଓ ମୁଠା ହୋଇ ରହିଚି । ମିସେସ୍‌ ସାକାଇ ଆଣ୍ଠେଇ ପଡ଼ିସ ତା ଡ଼ାହାଣ ପାପୁଲିରେ ତିନୋଟି ଆଙ୍ଗୁଠି ରଖିଲେ ।

 

‘‘ତତେ ଜର ହୋଇଚି । ତୋ ଚମ ଶୁଖିଲା ଦିଶୁଚି । ମୁଁ ତୋ ବାପାଙ୍କୁ ଜଣେଇଦେବି ।’’

 

‘‘ସେ ଖାଲି ମୋତେ ପିତା ଓଷଦ ଦେବେ ।’’ ଜୋସୁ ଅଭିଯୋଗ କଲା ।

 

‘‘ତା କେବଳ ତୋ ଭଲ ପାଇଁ’’—ମା କହିଲେ ।

 

ତା ମା’ ଠିଆ ହୋଇ ଧଳା ତକିଆ ଉପରେ ସୁନ୍ଦର ମୁହଁଟିକୁ ବ୍ୟଗ୍ରଭାବରେ ଚାହିଁ ରହିଲେ ।

 

‘‘କହ, ତୋର କ’ଣ ହଉଚି !’’ ସେ ଅଭିଯୋଗଭରା କଣ୍ଠରେ କହିଲେ ।

 

‘‘କିଛି ନାଇଁ’’—ଜୋସୁ ଦୀର୍ଘଶ୍ୱାସ ଛାଡ଼ିଲା । ‘‘ଏଇ ତ ହେଲା ହଇରାଣ—ମୁଁ ଜାଣିପାରୁ ନି କ’ଣ ହଉଚି । ମୋର କିଛିମାତ୍ର ଅନୁଭୂତି ନାଇଁ ।’’

 

‘‘ୟା ଭଲ ନୁହଁ’’ ଶ୍ରୀମତୀ ସାକାଇ କହିଲେ । ‘‘ଏଇ ବୟସରେ ତୁ କିଛି ଅନୁଭବ କରିବା କଥା—ନିହାତି ଅସନ୍ତୋଷ ହେଲେ ବି..... ।’’

 

ଜୋସୁ ଉତ୍ତର ଦେଲା ନି ଓ ମିସେସ୍‌ ସାକାଇ ଉତ୍ତେଜିତ ଭାବେ ସ୍ୱାମୀଙ୍କ ପାଖକୁ ଚାଲିଗଲେ । ‘‘ତୁମେ ନିଜେ ଯାଇ ଦେଖ, ପିଲାଟା କିଛି ଅନୁଭବ କରିପାରୁ ନି । ସେ ସେଠି ଶୋଇଚି । ପାପୁଲି ଦି’ଟା ତାର ଗରମ, କ’ଣ ହଉଚି ସେ ଜାଣିପାରୁ ନି ।’’

 

‘‘ତା’ ହେଲେ ସେ କିଛି ନୁହେଁ ।’’ ଡକ୍ଟର ସାକାଇ ଖୋଲାଖୋଲି କହିଲେ । ସେ ଘରୁ ବାହାରିଗଲେ ଓ ବାଟରୁ ଡ଼ାକ୍ତରୀ ଔଷଧ ବ୍ୟାଗ ନେଲେ । ବ୍ୟାଗ ଠିକ୍‌ ଅଛି—ବ୍ୟବହାର ଉପଯୋଗୀ, ଥର୍ମୋମିଟର, ଆଲକହଲ୍‌ ଭିତରେ ବିଶୋଧିତ ହୋଇଚି । ସେ ଝିଅର ରୁମ୍‌କୁ ଯାଇ କାଗଜ ପର୍ଦ୍ଦାରେ ମୃଦୁ ଆଘାତ କଲେ ଓ ପରେ ଭିତରକୁ ଗଲେ ।

 

‘‘ତା’ ହେଲେ ତୁ କିଛି ଜାଣିପାରୁ ନୁ ।’’ ସେ ନିରାଶ କଣ୍ଠରେ କହିଲେ ।

 

‘‘ନାଁ’’ ଜୋସୁ ତାଙ୍କ ଆଡ଼କୁ ନ ଚାହିଁ କହିଲା ।

 

‘‘ତୁ ମୋଠୁଁ ପୁଣି କିଛି ଲୁଚାଉନୁ ତ ?’’ ସେ ରୁକ୍ଷ ଭାବରେ ପ୍ରଶ୍ନ କଲେ ।

 

‘‘ନାଁ’’—ସେ ପୁଣି କହିଲା ।

 

ଥର୍ମୋମିଟର ତା ପାଟିରେ ଦେଇ ତା ପାଖରେ ଆଣ୍ଠେଇ ପଡ଼ିଲେ । ତାଙ୍କ ମୁହଁ ବ୍ୟଗ୍ରତାରେ ଭାରି ହୋଇ ଉଠିଲା ।

 

‘‘ତୁ କାଲି ଆମେରିକାନ୍‌କୁ ଦେଖିନୁ ?’’ —ସେ ସିଧା ପଚାରିଲେ ।

 

କିଛି ନ କହି ପାରି ସେ ମୁଣ୍ଡ ହଲାଇଲା ।

 

ସେ କିଛିକ୍ଷଣ ଅପେକ୍ଷା କରି ଥର୍ମୋମିଟର କାଢ଼ିଲେ ।

 

‘‘ମୁଁ କାହାକୁ ଦେଖି ନି’’ ଜୋସୁ ତାଙ୍କୁ କହିଲା, ‘‘ମୁଁ ସ୍କୁଲକୁ ଗଲି, ପଢ଼ିଲି, ଆସିଲି ।’’

 

‘‘ତୁ କେବେଠାରୁ ଏମିତି ଅନୁଭବଶୂନ୍ୟ ହୋଇପଡ଼ିଲୁ ?’’ ସେ ପଚାରିଲେ । ‘‘ତୋ ଦେହରେ ତ ଜର ନାହିଁ ?’’

 

‘‘ମୋର ଆଜି ସକାଳେ ନିଦ ଭାଙ୍ଗିବା ପରେ ଉଠିବାକୁ ଇଚ୍ଛା ହଉନି ।’’

 

ସେ କ’ଣ ଭାବୁଚନ୍ତି ତାହା ତାକୁ ସତର୍କତାର ସହିତ ଲୁଚାଇ ରଖିଲେ । କାଲି ସେ ଆମେରିକାନ୍‌କୁ ନ ଦେଖିଥିବାରୁ ଏ ଶୂନ୍ୟଭାବ ଆସିଚି ନା କ’ଣ ?

 

‘‘ଯଦି ତୁ ଚାହୁଁ, ଏଇଠି ଶେଯରେ ଚୁପ୍‌ଚାପ୍‌ ଶୋଇପଡ଼ିବା ଭଲ’’ ସେ—କହିଲେ । ଅଳ୍ପଟିକେ ଖାଇ ନେ, ଶୋଇବୁ ଯଦି ଶୁଅ ଏବଂ ମୁଣ୍ଡ ଗୋଳମାଳ କର ନା; ତୁ ମତେ ଡ଼କେଇଲେ ମୁଁ ଘରକୁ ଆସିବି ।’’

 

Unknown

‘‘ହଉ ବାପା ! ଧନ୍ୟବାଦ ।’’

 

ସେ ଉଠି ତାର ନିଶ୍ଚଳ ମୁହଁକୁ ଚାହିଁବାରେ ଲାଗିଲେ । ଜୋସୁ ତାଙ୍କୁ ଚାହିଁଲା ନି । ଆଖି ବୁଜିହେବା ପର୍ଯ୍ୟନ୍ତ ସେ ପତାକୁ ନଇଁ ଆଣିଲା । ସେ ଯାହା ଜାଣିଲେ ତା ମୁହଁ ଶୁଖିଯାଇଚି । ତେଣୁ ଦିନେ ବିଶ୍ରାମ ନେଲେ ତା ପାଇଁ ଭଲହେବ । ସେ ବ୍ୟାଗଟି ଧରି ଚାଲିଗଲେ ଓ ପର୍ଦ୍ଦା ବାହାରେ ତା ମାଆଙ୍କୁ ଠିଆ ହେବାର ଦେଖି ଅପ୍ରତ୍ୟାଶିତ ଭାବେ କହିଲେ ତା ଦେହ ଭଲ ଅଛି, ବୋଧହୁଏ ବସନ୍ତଋତୁ ଯୋଗୁଁ ସେ କ୍ଳାନ୍ତି ଅନୁଭବ କରୁଚି । ତୁମେ ଜାଣ, କେତେ ଡ଼େରିରେ ଶୀତ ପଡ଼ୁଥିଲା ଓ କେତେ ଶୀଘ୍ର ପାଗ ବଦଳିଗଲା । ଜୋସୁ ଭଳି ଭାବପ୍ରବଣ ଝିଅ ପାଇଁ ଏହା ନିଶ୍ଚୟ କ୍ଳାନ୍ତିପ୍ରଦ । ଶୋଇରହିବାକୁ ତାକୁ ମୁଁ କହିଚି ।’’’

 

‘‘ଧନ୍ୟବାଦ’’ । ଶ୍ରୀମତୀ ସାକାଇ ଧନ୍ୟବାଦ ଜଣାଇଲେ । ‘‘ଏବେ କ’ଣ କରିବାକୁ ହେବ ମୁଁ ଜାଣୁଚି ।’’

 

ସେ ଗଲାପରେ ଘର ନିଃଶଦ୍ଦ ଜଣାଗଲା । ଶ୍ରୀମତୀ ସାକାଇ ନୀଳ ମାର୍ଟିଲ ଫୁଲକୁ ଦାନିରୁ ବଦଳେଇଲେ ଓ ପରେ ସମସ୍ତ ସାଜକୁ ବଦଳେଇବାକୁ ସ୍ଥିର କଲେ । ପେଟୁଆ ଦାନୀ ସବୁକୁ କାଢ଼ିବା ସ୍ଥାନରେ ଗୋଟିଏ ସରୁ ଉଚ୍ଚାଦାନୀ ରଖିଲେ ଓ ନୂଆ ସବୁଜପତ୍ର ଥିବା ଖଣ୍ଡେ ଭଙ୍ଗା ବାଉଁଶଡ଼ାଳ ରଖିଲେ । ବାଉଁଶବୁଦାର ଛାଇରେ ଫୁଟିଥିବା ଦୁଇଟି ଧଳା ତରାଫୁଲ ରଖିଲେ । ସେ ଫୁଲସଜ୍ଜା ଜାଣଇ ନ ଥିବାରୁ କ୍ୱଚିତ ସଜେଇବାକୁ ଚେଷ୍ଟା କରନ୍ତି; କିନ୍ତୁ ଆଜିର ସଜା ତାଙ୍କୁ ଭଲ ଲାଗୁଚି; କାରଣ ତାଙ୍କ ଭୁଲ୍‌କୁ ସୂଚେଇବାକୁ ତାଙ୍କ ସ୍ୱାମୀ ସେଠି ନାହାନ୍ତି ।

 

ସଜେଇ ସାରି ସେ ମୁହୂର୍ତ୍ତେ ତାକୁ ଚାହିଁ ଠିଆହେଲେ । ଉମି ସେଠାରେ ପହଞ୍ଚିଲା । ‘‘ଆଜି ମାଛ ନାଇଁ’’—ସେ କହି ପକାଇଲା ।

 

‘‘କ’ଣ କହୁଚୁ ତୁ ?’’ ଶ୍ରୀମତୀ ସାକାଇ ହଠାତ୍‌ ଉତ୍ତେଜିତ ହୋଇ ପଚାରିଲେ ।

 

‘‘କାଲି ଗୋଟାଏ ମାଛ ଥିଲା । ଛୋଟ ଗାଡ଼ିଆରେ ମୁଁ ତାକୁ ଛାଡ଼ିଥିଲି । ସେଇ ତ ଯଥେଷ୍ଟ ହେବ ।’’

 

‘‘ସେଇଟା ମରିଯାଇଚି’’—ଉମି କହିଲା ।

 

‘‘ଅସମ୍ଭବ’’ ! ଶ୍ରୀମତୀ ସାକାଇ ଆଶ୍ଚାର୍ଯ୍ୟ ହେଲେ ।

 

କିନ୍ତୁ ପ୍ରକୃତରେ ସେଇଆ । କୌଣସି ଅଜ୍ଞାତ କାରଣରୁ ମାଛଟି ମରିଯାଇଚି । ବଜାରରୁ ଆସିଥିବା ମାଛକୁ ସଜ ସଜ ଜୀଅନ୍ତା ରଖିବା ପାଇଁ ବ୍ୟବହୃତ ହେଉଥିବା ପାତ୍ର ରୋଷାଇଘରେ ଗୋଟାଏ କଣରେ ପୋତା ହୋଇଥିଲା । ସେଇ ଗାଡ଼ିଆ ଭିତରୁ ଉମି ମାଛଟି କାଢ଼ିଥିଲା । ତା ହାତରେ ମାଛଟି ସ୍ଥିର ରହିଲା । ତା’ ଆଖିଗୁଡ଼ିକ ଶଙ୍ଖମଲ୍‌ମଲ୍‌ ପଥର ପରି, କାତିଗୁଡ଼ିକ ମଳିନ ଓ ଦେହଟି ଫୁଲି ଯାଇଥିଲା ।

 

‘‘ତାକୁ ପୋତି ଦେ’’—ଶ୍ରୀମତୀ ସାକାଇ ଦୁଃଖରେ କହିଲେ । ମୁଁ ନିଜେ ବଜାରକୁ ଯାଇ କେଉଟକୁ କହିବ । ସେ ବୋଧହୁଏ ଅଧିକ ଓଜନ ଉଠେଇବାକୁ ମାଛକୁ ବହୁତ ଖୁଆଇ ଦେଇଥିଲା-

 

ବଜାର ଦୂରରେ ନୁହେଁ—ଉର୍ମି ଘରେ ରହିଲା, ସେ ବଜାରକୁ ଯାଉଛନ୍ତି ବୋଲି ଜୋସୁକୁ କହିବାକୁ ଗଲେ । ପର୍ଦ୍ଦା ଟେକିଲାବେଳକୁ ଝିଅଟା ଶୋଇପଡ଼ିଚି । ସେ ଚିତ୍‌ ହୋଇ ଆଖି ବୁଜି ଶୋଇ ଶାନ୍ତିରେ ନିଶ୍ୱାସ ମାରୁଚି ଏବଂ ଶ୍ରୀମତୀ ସାକାଇ ତାକୁ ଉଠେଇଲେ ନି । ସେ ଧୀରେ ଚାଲିଗଲେ । ଜୋସୁର ଯାହା ହେଉ ପଛେ, ସେ ଅନିଦ୍ରା ହୋଇ ନି, ଏଥିରେ ସେ ଖୁସି ହେଲେ । ‘‘ଜୋସୁ ଶୋଇଚି’’ ସେ ଉମିକୁ କହିଲେ—‘‘ମୁଁ ଶୀଘ୍ର ଫେରିବି ।’’

 

‘‘ହଉ, ଆପଣ ଯାଆନ୍ତୁ’’ ଉମି କହିଲା ଏବଂ ସେ ବାରିଆଡ଼େ ଲୁଗାପଟା କାଚିବାକୁ ବାହାରିଗଲା । ତା ପରେ ସାଆନ୍ତାଣୀ ଫେରିଲା ବେଳକୁ ସେ ପରିବା ଓ ମାଛ କଟାକଟି କରିବାରେ ଲାଗିଯିବ ।

 

ଭାରି ସୁନ୍ଦର ପାଗ ଥିଲା । ଚାରିଆଡ଼େ ସୂର୍ଯ୍ୟଙ୍କ କିରଣ ବେଶ୍‌ ଉଷୁମ ଲାଗୁଥିଲା ଏବଂ ଉମି ବି ସବୁଦିନ ପରି ଶୀଘ୍ର ଉଠିଥିଲେ । ଅଳ୍ପ ସମୟ ଭିତରେ ସେ ଲୁଗା କାଚି ସାରିଲା । ସେତେବେଳକୁ ନିଦ ତାକୁ ଘାରିଲାଣି । ଘରସାରା ନୀରବତା । ସେ ରୋଷେଇଘର ଚୁଲି ପଛପଟେ କିଛି ସମୟ ଶୋଇପାରିବ, କେହି ବି ତାକୁ ଦେଖିବେ ନି । ଯଦି ସାଆନ୍ତାଣୀ ତା ପାଖକୁ ଆସିବେ, ସେ କହିବ ଯେ ଚୁଲି ଲଗାଇବାକୁ ସେ ମାତ୍ର ଅପେକ୍ଷା କରି ରହିଥିଲା । ତେଣୁ ସେ ଖଣ୍ଡେ କାଠ ମୁଣ୍ଡ ତଳେ ଦେଇ ଚଟାଣରେ ଶୋଇପଡ଼ିଲା । ତାକୁ ନିଦ ହୋଇଗଲା । ସେ ଗାଉଁଲି ଝିଅ, ସୁସ୍ଥ ସବଳ ଏବଂ ଯେ କୌଣସି ସମୟରେ ଖାଇବା ଓ ଶୋଇବାରେ ସେ ଅଭ୍ୟସ୍ତ, ଏବଂ ତା ନିଦ ଏତେ ଗାଢ଼ ହୁଏ ଯେ ତାର ସହଜରେ ଉଠିବା ଅସମ୍ଭବ ହୋଇ ପଡ଼େ । ଏଣୁ ଦାଣ୍ଡ ଦରଜାରେ ଯେ କେହି ଡ଼ାକୁଚି, ଏ କଥା ସେ ଜାଣିପାରିଲା ନାହିଁ ଏବଂ ଶ୍ରୀମତୀ ସାକାଇ ଫାଟକକୁ ଖାଲି ବୁଜିଦେଇ ଯାଇଥିଲେ ।

 

ଜୋସୁର ନିଦ ଭାଙ୍ଗିଗଲା । ସେ ଛାଇନିଦର ଶୋଇଥିଲା ଓ ତା’ର ରୁମ୍‌ଟି ଘର ମଧ୍ୟରେ ସବୁଠାରୁ ବଗିଚାର ନିକଟତମ ଥିଲା । ସେ ଶୁଣିଲା, କେହି ଫାଟକରେ ବାଡ଼ଉଚି । ପ୍ରଥମେ ହାତମୁଠାରେ ଏବଂ ପରେ କଲିଙ୍ଗ ବେଲ୍‌ ଚିପିଲା । ସେ ଉଠିଲା, ଶୁଣିଲା ଏବଂ ପ୍ରଥମେ ମା ଓ ଚାକରାଣୀକୁ ଡ଼ାକିଲା । କାହାଠୁ ଜବାବ ନାହିଁ । କବାଟ ବାଡ଼େଇବା କ୍ରମେ ଦ୍ରୁତ ହେଲା । ସେ ବାଧ୍ୟ ହୋଇ ଉଠି ତାର ଫିକା ଗୋଲାପୀ କିମାନୋ ପିନ୍ଧି ମୁଣ୍ଡବାଳକୁ ସାଉଁଳାଇ ବାହାରିଲା । ଘର ପାଖରେ ଅଣଓସାରିଆ ଦ୍ୱାରଦେଶରେ ଠିଆହୋଇ ଦେଖିବ—କିଏ ଆସିଚି । ନିଜେ କିନ୍ତୁ ଦେଖା ଦେବ ନି । ସେ ଛପି ଛପି ଗଲା । ଘରକୋଣରେ ଠିଆ ହୋଇ, କଣ ଦେଇ ଉଙ୍କିମାରିଲା ଓ ନିଜେ ଲୁଚି ରହିଲା ।

 

ଏ ତ ସେଇ, ସେ ଏଇଠି ଦରଜା ବାଉଉଚି, କେହି ତାକୁ ଜବାବ ଦଉନାହାନ୍ତି । ସେ ପଛକୁ ଫେରି ଆସି କାଠ–କାନ୍ଥ ଦେହରେ ଲାଗିଗଲା, ଯେଉଁଠି ସେ ତାକୁ ଦେଖିପାରିବ ନି । ଯଦି ସେ ସ୍ଥିର ରହିବ, ତା’ର ଉପସ୍ଥିତି ଜଣାପଡ଼ିବ ନି । ସେ ପୁଣି ଫେରିଯିବ । ଦରଜା ବାଡ଼େଇବା ବନ୍ଦ ହେବାଯାଏ ସେ ସେଠାରେ ଠିଆ ହୋଇ ରହିଲା । ତା ପରେ ସେ ଭାବିଲା—ସେ ଗଲାଣି କି ନାହିଁ; ନିଜେ ଦେଖିବ । ସେ ଖାଲି ଟିକେ ଦେଖିନେବା ପାଇଁ ମୁଣ୍ଡ ଉଠାଇଲା । ସେ ଯାଇ ନାହିଁ; ପାହାଚ ଉପରେ ବସିଚି—ଏଣେ ତେଣେ ଚାହୁଁଚି । ସେ ଶୀଘ୍ର ପଛକୁ ହଟିଗଲା; କିନ୍ତୁ ଅତି ଶୀଘ୍ର ନୁହେଁ । ଶୁଣିଲା, ସେ ହସୁଚି । ତା ଗମ୍ଭୀର ହସିଲା ସ୍ୱରରେ ଧୀରେ ଅଳ୍ପ ପରିହାସ ଭଙ୍ଗୀରେ କହୁଚି, ‘‘ମୁଁ ତୁମକୁ ଦେଖିସାରିଲିଣି ଜୋସୁ ସାକାଇ ।’’

 

ସେ ଜଡ଼ ପାଲଟି ଗଲା । ନିସ୍ପନ୍ଦ ହୋଇଗଲା । ଯଦି ଘର ଭିତରକୁ ଦଉଡ଼ି ପଳାଏ, ତେବେ ସେ ତା ପଛେ ପଛେ ଧାଇଁଆସିବ କି ? ତା ହେଲେ ତ ଭାରି ଖରାପ ହେବ । ସେ ନିଶ୍ଚେ ରୁମ୍‌କୁ ଚାଲିଆସିବ । ମା କାହାନ୍ତି ? ଉମି ବା କାହିଁ ? ଦୁହେଁ କେବେ ଶୋଇବା ଅବସ୍ଥାରେ ତାକୁ ଛାଡ଼ି ପଦାକୁ ଯାଇ ନ ଥିବେ । ସେ ଗମ୍ଭୀର କଣ୍ଠରେ ପୁଣି ହସି ହସି କହିଲା, ‘‘ତୁମେ ମୋ ପାଖକୁ ଆସିବ ନା, ମୁଁ ତୁମ ପାଖକୁ ଯିବି ?’’

 

ଏଥର ସେ ସାହସ ସଞ୍ଚୟ କଲା ଏବଂ ବେକ ଓ ଅଣ୍ଟା ପାଖରେ କିମୋନୋକୁ ଭିଡ଼ିଦେଲା । ଏହି ଲମ୍ୱା ଜୋତା ତଳେ ଫିକା ଗୋଲାପୀ ଚପଲରେ ଥିବା ନଗ୍ନ ପାଦ ଯୋଡ଼ିକୁ ସେ ଦେଖିପାରିବି ନାଇଁ । ଗମ୍ଭୀର ହୋଇ ଜୋସୁ ପଦାକୁ ଆସିଲା ।

 

‘‘ମା ଅଳ୍ପ ସମୟ ପାଇ: ପଦାକୁ ଯାଇଛନ୍ତି । ସେ ଶୀଘ୍ର ଫେରିବେ । ମୁଁ ଚାକରାଣୀକୁ ତୁମ ପାଖକୁ ପଠାଉଚି ।’’

 

ଏତିକି କହି ସେ ଚାଲିଆସିଲା ଓ ଘରଆଡ଼େ ଯାଇ ଉମିକୁ ଖୋଜିଲା । ‘‘ୟୁ ମି’’ ଆସ୍ତେ ଆସ୍ତେ ଡ଼ାକିଲା, କିନ୍ତୁ ଜବାବ ନାହିଁ । ରୋଷେଇଘର ଖାଲି । ୟୁମି ଦେଖାଯାଉ ନି । ତେଣୁ ନିଜେ ଦାଣ୍ଡ ଦରଜାକୁ ନ ଯାଇ ଆଉ କ’ଣ କରିବ ?

 

‘‘ମୋ ମା ଶୀଘ୍ର ଫେରିବେ’’—ସେ ପୁଣି କହିଲା । ତା ମୁହଁସାରା ଉଷ୍ମ ଅରୁଣିମା ଖେଳିଗଲା । ‘‘ମୁଁ ତୁମ ମାଆଙ୍କୁ ଦେଖିବାକୁ ଚାହେଁ ନି ।’’ ସେ କହିଲା । ଉଠିପଡ଼ି ଠିଆହେଲା—ନିଜ ଟୋପି ଖୋଲି ହାତରେ ଧରି ଘୂରାଇବାକୁ ଲାଗିଲା । ଜୋସୁ ଅସହାୟ ହୋଇ ପଡ଼ିଲା । ସେ ଏବେ ୟାକୁ ନେଇ କ’ଣ କରିବ ? ତାକୁ ଭିତରକୁ ସେ ଡ଼ାକିପାରିଲା ନି । ତା ମା ଭଲ ଭାବିବେ ନି-

 

‘‘ଜୋସୁ ସାକାଇ—ତୁମେ ସ୍କୁଲକୁ ଯିବ ନି ?’’

 

‘‘ନାଁ–ମୁଁ–ମତେ କ୍ଳାନ୍ତ ଲାଗୁଚି ।’’ ସେ ଜଣେଇଲା ।

 

‘‘ତୁମେ ତ ଫୁଟନ୍ତା ଗୋଲାପ ପରି ଦିଶୁଚି’’—ଉତ୍ତର ଆସିଲା ।

 

ସେ ଦୁଇ ହାତକୁ ଏକାଠି କରି ମକଚିବାକୁ ଲାଗିଲା—କ’ଣ କରିବ, କିଛି ଭାବିପାରିଲା ନି । ତା ହାତ ଦୁଇଟି ଦେଖି ସେ କହିଲା—‘‘ମୁଁ ଏଠାକୁ ଆସେ, ଏହା ତୁମେ ଚାହିଁ ନା—’’

 

‘‘ଠିକ୍‌ ତା ନୁହେ’’—ଜୋସୁ ପ୍ରତିବାଦ କଲା । ମୁଁ ବର୍ତ୍ତମାନ ଏକୁଟିଆ ଅଛି, ତେଣୁ.....‘‘ସୁନ୍ଦର ଝିଅଟିଏ ହୋଇ ବି ତୁମେ ଜାଣିପାରୁ ନ—ମୋତେ ନେଇ କ’ଣ କରିବ ।’’

 

ନିଜେ ଏକୁଟିଆ ଅଛି ବୋଲି ତାକୁ ଜଣାଇବା ଏକଦମ ଭୁଲ୍‌ ହୋଇଗଲା । ସେ କିଛି ନ ଭାବି ତ କହିଦେଇଛି । ‘‘ଦୟାକରି ଚାଲି ଯାଆନ୍ତୁ’’ । ସେ ଚୁପ୍‌ ଚୁପ୍‌ କହିଲା । ସେ ହୁଏତ ନିଜେ ଜାଣିପାରିଲା ନି ଯେ ସେ ଉପରକୁ ଚାହିଁଲାବେଳେ ତା’ର ମୁହଁ ସୂର୍ଯ୍ୟାଲୋକରେ ଫୁଟିଥିବା ଏକ ଫୁଲ ପରି ଦିଶୁଥିଲା ଓ ଓଠ ଦୁଇଟି ନରମ ଓ ରକ୍ତିମ ଦେଖାଯାଉଥିଲା । ଆଲେନ୍‌ ତା ଆଡ଼କୁ ପାଦେ ଆଗେଇଲା ଏବଂ ତାର ଅବନମିତ ହୋଇଥିବା ସମସ୍ତ କାମନାର ପୀଡ଼ନ ହଠାତ୍‌ ଆସି ତା’ର ଶରୀରକୁ ଆଚ୍ଛନ୍ନ କରି ପକାଇଲା । ଏହା ଫାଙ୍କିଦେବାର ନୁହେଁ । ସେ ହଠାତ୍‌ ଅନ୍ଧ ହୋଇପଡ଼ିଲା । ସେ ଜୋସୁର ମୁଖ ଦେଖିପାରିଲା ନାହିଁ ଓ ନିଜ ପାଦକୁ ପଛେଇ ଦେଇ ପାରିଲା ନାହିଁ । ସେ ଜୋସୁ ଉପରେ ନଇଁପଡ଼ିଲା, ଯଦିଓ ସେ ଜାଣୁଥିଲା, ସେଇ ଅନାଗତ କାମନାରେ ସେ ନିଜକୁ ସମର୍ପଣ କରିବ । ତଥାପି ସେ ତା ନ କରିବାକୁ ଚେଷ୍ଟା କରିଥିଲା । ଯଥେଷ୍ଟ ହେବ ଗୋଟିଏ ଚୁମ୍ୱନ ତାର ଓଠରେଏକ ଯୁବତୀର ସରସ କୋମଳ ଓଠ, ପୁଣି ଏଇ ସୁନ୍ଦର ବଗିଚା ଭିତରେଯେଉଁଠାରେ ପବନ ସୁଗନ୍ଧିତ ଏବଂ ଯେଉଁଠାରେ ଶବ୍ଦ–ଇ ଏକ ଜଳପ୍ରପାତର ଶବ୍ଦ । ଜୋସୁ ଏକାକୀ । ଜୋସୁ ନିଜେ କହିଚି—ସେ ଏକାକୀ । ସେ ଗୁଣୁ ଗୁଣୁ ହେଲା, ଏବଂ ଅତି ଆସ୍ତେ ଶୀଘ୍ର ନିଜର ଦୁଇ ବାହୁରେ ଜୋସୁକୁ ବେଷ୍ଟନ କଲା; ଏବଂ ନିଜ ଦେହରେ ଭିଡ଼ିଧରିଲା । ସେ ଜୋସୁର ମୁହଁକୁ ଦେଖିଲା ନିଜ ମୁହଁର ତଳେ, ତା’ ଓଠକୁ ନିଜ ଓଠର ତଳେ । ସେ ମୁଣ୍ଡ ନୁଆଇଁ ଓଠଦୁଇଟିକୁ ଜୋସୁର ଓଠ ଉପରେ ରଖିଲା, ତା’ର ଶ୍ୱାସପ୍ରଶ୍ୱାସକୁ ସେ ଉପଭୋଗ କଲା, ଜୋସୁ ମୁଣ୍ଡକୁ ଏପଟ ସେପଟ କରିବା ପର୍ଯ୍ୟନ୍ତ । ଗୋଟିଏ ହାତରେ ତା’ର ମୁଖକୁ ସ୍ଥିର କରି ଧରିଲା । ହଠାତ୍‌ ତାର ଟଣାଭିଡ଼ା ବନ୍ଦ ହେଲା ଓ ଆଲେନ୍‌ ପାଖରେ ସେ ନିଜକୁ ସମର୍ପଣ କଲା ଏଇ ବିଳମ୍ୱିତ ମୁହୂର୍ତ୍ତରେ ।

 

ସ୍ୱପ୍ନ ଆଲେନ୍‌ ସାରା ରାତି ଦେଖିଚି ଏବଂ ଏଇ ମୁହୂର୍ତ୍ତର କଳ୍ପନା ମଧ୍ୟ ଜୋସୁ ମନକୁ ଛୁଇଁ ନ ଥିଲା । ଆଲେନ୍‌ର ବାହୁବେଷ୍ଟନରେ ସେ ମୂର୍ଚ୍ଛିତାପ୍ରାୟ ହୋଇଗଲା ଏବଂ ଆସ୍ତେ ଆଲେନ୍‌ ନିଜକୁ ସଂଯତ କଲା ଓ ତାକୁ ସେହିପରି ଦୁଇ ବାହୁର ବୃତ୍ତରେ ଧରିରଖିଲା ।

 

ଜୋସୁ ଆଲେନ୍‌କୁ ଚାହିଁଲା ନାଇଁ, ତାର ବନ୍ଧନରୁ ମୁକ୍ତ ହେବାକୁ ଚେଷ୍ଟା କଲା ନାଇଁ, କିନ୍ତୁ; ନିଜର ମୁଣ୍ଡକୁ ବୁଲାଇନେଲା । ତା’ର ଗାଲ ରହିଲା ଆଲେନ୍‌ର କାନ୍ଧ ଉପରେ, ଯେପରି କି ଆଲେନ୍‌ ତାର ମୁହଁ ଦେଖିପାରିବ ନାହିଁ । ତାର କପାଳ ଉପରେ ଆଲେନ୍‌ ନିଜ ମୁହଁକୁ ନୁଆଇଁ ଆଣିଲା—ତାର କୃଷ୍ଣକୋମଳ କେଶଗୁଚ୍ଛ ଉପରେ । ‘‘ଏହା ହେବାର ଥିଲା’’ ସେ ଗୁଣୁ ଗୁଣୁ କରି କହିଲା । ଜୋସୁ କିଛି କହିପାରିଲା ନାଇଁ....ତେଣୁ ତାର ମୁଖକୁ ଉଠାଇ ଦୁଇ ଗାଲକୁ...ଦୁଇ ନରମ ସୁଗୋଲ ଗାଲକୁ ଆଲେନ୍‌ ତୋଳି ଧରିଲା ।

 

‘‘ତୁମେ ଜାଣି ନ—ଏହା ହେବାର ଥିଲା ?’’ ସେ ପଚାରିଲା ।

 

‘‘ମୁଁ ଜାଣେ ନା...ମୁଁ କେବେ ଏପରି କରି ନି’’ ଜୋସୁ ଆସ୍ତେ କହିଲା । ଏମିତି ଜୋସୁ ମୁହଁରୁ ତାର ନିରୀହ ନିର୍ମଳ କଥା ଶୁଣି ଆଲେନ୍‌ ଆନନ୍ଦରେ ଉଚ୍ଛ୍ୱସିତ ହୋଇପଡ଼ିଲା ।

 

‘‘ଆଃ ! ମୋର ପ୍ରିୟତମା’’ କହି ସେ ମୁଣ୍ଡକୁ ପୁଣି ନୁଆଇଁ ଆଣିଲା ।

 

‘‘ଆଉ ନୁହେଁ’’ ଜୋସୁ ଅନୁରୋଧ କଲା । ‘‘ପ୍ରଥମ ଥର ଏତିକି ଯଥେଷ୍ଟ ।’’

 

‘‘ମୁଁ କ’ଣ କରିବି ? ଏହାର ଅର୍ଥ କ’ଣ ମତେ ଜାଣିବାକୁ ପଡ଼ିବ ?’’

 

‘‘ୟା ମାନେ ମୁଁ ତୁମକୁ ଭଲଯାଏ ।’’

 

‘‘ତୁମେ ତ ମୋତେ ଚିହ୍ନ ନା ।’’

 

‘‘ଜଣେ ପୁରୁଷ ଜଣେ ନାରୀକୁ ଭଲପାଇବାକୁ ଗଲେ ଚିହ୍ନିବା କିଛି ଦରକାର ନାହିଁ । ତାକୁ ଭଲ ପାଇ ପୁରୁଷ ଜଣକ ତାକୁ ଜାଣିବାକୁ ଚେଷ୍ଟା କରେ ।’’

 

‘‘ଆଃ ! ଏ ଯେ ଜାପାନ ଦେଶ !’’

 

‘‘ତଥାପି ତୁମେ ଓ ମୁଁ–ପୁରୁଷ ଓ ନରୀ ।’’

 

ଜୋସୁ ଫାଟକ ପାଖକୁ ଚାହୁଥିଲା, ତା ମା’ ଫେରି ଆସିଥିବେ । ସବୁଦିନ ପରି ସେ ନିଶ୍ଚୟ ବଜାର ଯାଇଥିବେ ଏବଂ ଉମି ତାଙ୍କ ସହିତ ଯାଇ ପାରିଥାଏ ।

 

‘‘ମୁଁ ଏଠି ଠିଆହୋଇ ପାରିବି ନି—ମା’ ଫେରିବେ ।’’

 

‘‘ମୁଁ ତାଙ୍କୁ ଦେଖା କରେ’’—ଆଲେନ୍‌ ହଠାତ୍‌ କହି ପକାଇଲା ।

 

‘‘ନା–ନା; ଜୋସୁ ତରତରରେ କହିଲା—‘‘ଏତେ ସହଜ ନୁହେଁ, ମୋ ବାପା ଆମେରିକାନ୍‌ଙ୍କୁ ଘୃଣା କରନ୍ତି, ମତେ କିନ୍ତୁ ସେ ଭାରି ଭଲପାଆନ୍ତି ।’’

 

ବାପାଙ୍କ ନାଁ କହୁ କହୁ ସେ ଘୁଞ୍ଚିଆସିଲା । ଏବଂ ଆଲେନ୍ ତାର ପରିବର୍ତ୍ତନ ଲକ୍ଷ୍ୟ କରି ତାକୁ ଛାଡ଼ିଦେଲା ।

 

‘‘ଜୋସୁ, ତୁମେ କ’ଣ ସବୁବେଳେ ବାପାଙ୍କୁ ମାନିଥାଅ ?’’

 

‘‘ହଁ’’ ।

 

‘‘ମତେ ଗୋଟିଏ ସୁଯୋଗ ଦେବ କି ?’’’

 

‘‘ସୁଯୋଗ ?’’

 

‘‘ତୁମ ପାଖରେ ମୋ ନିଜକୁ ଅଧିକ ପରିଚିତ କରିବାକୁ’’ ଜୋସୁ ଦୀର୍ଘଶ୍ୱାସ ଛାଡ଼ି କହିଲା—

 

‘‘କେମିତି ପାରିବ ?’’

 

‘‘ଡ଼ାର୍ଲିଙ୍ଗ, ମୁଁ ତାର ଉପାୟ କରିଦେବି ।’’

 

‘‘ସେ ଡ଼ାର୍ଲିଙ୍ଗ’ ଶବ୍ଦଟି ତାର ମନେ ନ ଥିଲା...ହଠାତ୍‌ ମନେ ପଡ଼ିଲା । ଥରେ ଯେଉଁ ଝିଅକୁ ବିବାହ କରିବାର ଥିଲା, ତାକୁ କେନ୍‌ସାନ୍‌ ଏଇ ଶବ୍ଦଟି କହିଥିଲା । ଏ ଏକ ପ୍ରେମପୂର୍ଣ୍ଣ ଶବ୍ଦ, ଏଇ ଶବ୍ଦ ଗମ୍ଭୀର କଣ୍ଠରେ କୁହା ହବାରୁ ସେ ଥରି ଉଠିଲା...ଭୟଭୀତ ହୋଇପଡ଼ିଲା ।

 

କେଉଁଠି ସେ ଏପରି ପ୍ରେମ ପାଇବ ? ଏ ପ୍ରେମ କେବଳ ଆମେରିକାରେ ସମ୍ଭବ । ସେଠାରେ ପ୍ରେମରେ ସେମାନଙ୍କର ଭୟ ନ ଥାଏ ।

 

ସେ ହଠାତ୍‌ ଆଲେନକୁ ସିଧା ଚାହିଁଲା—‘‘ମୁଁ ତୁମକୁ ବିଶ୍ୱାସ କରେ ଆଲେନ୍‌—ମୁଁ ତୁମର ନାଁ ଧରି ଡ଼ାକିପାରେ ?’’

 

‘‘ତୁମେ ମୋର ନାଁ ଧରି କହିଲେ ମତେ ଭଲ ଲାଗିବ ।’’

 

ଜୋସୁ ଦେଖିଲା, ଆଲେନ୍‌ ପୁଣି ନଇଁ ପଡ଼ୁଚି, ‘‘ଆଃ ! ତୁମେ ଯାଅ ।’’

 

‘‘କେଉଁଠି ଆମେ ସାକ୍ଷାତ କରିବା—ମୁଁ ଏଠିକି ଆସିବି କି ?’’

 

‘‘ନା, ନା, ମୁଁ ଚିନ୍ତା କରେ ।’’

 

‘‘କାଲି ସେଇ ଉଇଷ୍ଟେରିଆ ଗଛତଳେ ପୁଣି ଦେଖାହେବ ?’’

 

‘‘ହଁ’’ ।

 

ଆଲେନ୍‌ ପୁଣି ମୁଣ୍ଡ ନୋଇଁଲା ଏବଂ ଜୋସୁ ତା’ର ଓଠର ଉଷ୍ଣସ୍ପର୍ଶ ଅନୁଭବ କଲା । କେତେ ସୁନ୍ଦର କୋମଳ ଓଠ ! ଅଥଚ କେତେ ଜବରଦସ୍ତିଆ...ସେମାନେ କ୍ଷଣକ ପାଇଁ ସବୁ ଭୁଲିଗଲେ । ଜୋସୁ ଏତିକି ଜାଣିଲା–ସେ ଆଲେନ୍‌କୁ ଭଲପାଏ । ହଠାତ୍‌ ଗୁଡ଼ାଏ ପତ୍ର ଖସିବାର ଶବ୍ଦ ଶୁଭିଲା । ସେମାନେ ଚମକି ଉଠିଲେ । ତାଙ୍କର ଓଠ ଦୁଇଟି ଅଲଗା ହେଲା । ଦରଜା ଉପରେ ଡ଼ାଳ ଝୁଲେଇଥିବା ବାଉଁଶଗଛର ବୁଦାକୁ ସେମାନେ ଚାହିଁଲେ । ନୂଆ ସବୁଜପତ୍ରଗୁଡ଼ିକ ଚିକ୍‌ ଚିକ୍‌ ହୋଇ ମୃଦୁ ପବନରେ ମୁହୁର୍ମୁହୁ ଦୋଳି ଖେଳୁଚି ।

 

‘‘କି ଅଦ୍ଭୁତ’’ ! ଜୋସୁ ଆସ୍ତେ ପାଟି କରି ଉଠିଲା ।

 

‘‘ସେଠି କିଛି ଅଛି କି ?’’ ଆଲେନ୍‌ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।

 

ମୁହୁର୍ତ୍ତକ ପାଇଁ ସେମାନେ ପରସ୍ପରକୁ ଭୁଲି ପତ୍ରର ନୃତ୍ୟ ଦେଖିବାକୁ ଲାଗିଲେ । ଜୋସୁ ହଠାତ୍‌ ସ୍ମରଣ କଲା ଯେ, ସେ, ପର୍ଯ୍ୟନ୍ତ ଆଲେନ୍‌ର ବାହୁବନ୍ଧନରେ ଅଛି । ତେଣୁ ଦୂରକୁ ଘୁଞ୍ଚିଯାଇ ସେ ଘର ଆଡ଼କୁ ଦୌଡ଼ି ପଳାଇଲା ।

 

ତା’ର ଦୁଷ୍ଟାମୀ କଳ୍ପନାତୀତ ହୋଇଚି, କେମିତି ବା ସେ ଏଥିରେ ରାଜି ହେଲା ? ନିଜକୁ ଆଶ୍ଚର୍ଯ୍ୟ ରକମର ସଂଯତ କରି ସେ ପରଦିନ ସକାଳେ ତାର ହଳଦୀରଙ୍ଗର ପୋଷାକ ପିନ୍ଧି କଲେଜ ବାହାରିଲା ଏବଂ ହଳଦିଆ ଫୁଲ ଏମ୍ବ୍ରାୟାଡ଼ରୀ ହୋଇଥିବା ଛୋଟ ଧଳା ଛତାଟିକୁ ବି ନେଲା । ତାର ବାପ ମା’ ତାକୁ କିଛି କହିଲେ ନି କି ସେ ବି ସେମାନଙ୍କୁ କିଛି କହିଲା ନି । କାରଣ ତା ହାତରେ ସେ ଗୁଡ଼ାଏ ବହି ବାହୁତଳେ ଯାକିଥିଲା ଓ ମୁନିଆଁ ପେନ୍‌ସିଲ୍‌ର ଡ଼ବାଟାଏ ଧରିଥିଲା-। ସେ ଯେ ଏକ କଠିନ କାମ କରିବାକୁ ଯାଉଚି ଏହା ସ୍ପଷ୍ଟ; ସେ ନିଜେ ବି କଠିନ କାମ କରିବାକୁ ଚାହେଁ ।

 

ସେ ଫାଟକ ପାଖରେ ପହଞ୍ଚିବା ପୁର୍ବରୁ ଆଲେନ୍‌ ତାକୁ ଦେଖାଗଲା । ଆଲେନ୍‌ ବହୁ ଆଗରୁ ସେଠାକୁ ଆସି ଅପେକ୍ଷା କରିଥିଲା । ତାର ପୋଷାକ ଆଜି ପରିଷ୍କାର ଓ ଇସ୍ତ୍ରୀ କରା, ଏବଂ ସେ ଆଗ ଅପେକ୍ଷା ସୁନ୍ଦର ଦିଶୁଥିଲା । ଜୋସୁକୁ ଦେଖି ସେ ଦମ୍ଭରେ କହିଲା—

‘‘ମୁଁ ତୁମକୁ ଦେଖାକରିବାକୁ ଅପେକ୍ଷା କରିଚି ।’’

ଜୋସୁ ଭୟରେ ଜଡ଼ସଡ଼ ହେଲା । ଏଇପରି ଗୋଟିଏ ଦିନରେ କୌଣସି ଉତ୍ତେଜନା କ’ଣ ରୋଧ କରିହେବ ? ସେ ନିଜେ ଏକ ସୁଧାର ଝିଅ ବୋଲି ତାକୁ ମନେରଖିବାକୁ ପଡ଼ିବ; ସେ ଗମ୍ଭୀର ହେବାକୁ ଚେଷ୍ଟାକଲା । ଅନେକ ଝିଅ ଲଗାଉଥିବ ପରି ଚଷମା ଲଗାଇବାକୁ ଭୁଲିଯାଇଥିବାରୁ ତା’ ମନ କଷ୍ଟ ହେଲା ।

‘‘ତୁମର ରୁପ ଭାରି ସୁନ୍ଦର....ଏଇ ରୁପ ସହଜରେ ମଣିଷକୁ ଉତ୍ତେଜିତ କରିବ ।’’ ଆଲେନ୍‌ କହିଲା ।

‘‘ଦେଖନ୍ତୁ, ମୁଁ ସ୍କୁଲକୁ ଯିବି’’—ଜୋସୁ ଅନୁନୟ କଲା ।

ଆଲେନ୍‌ ବେଶ୍‌ ଭଦ୍ର ହୋଇଗଲା । ଜୋସୁ ସାକାଇ, ମୋର ଛୁଟିରୁ ଆଉ ମାତ୍ର ପାଞ୍ଚ ଦିନ ବାକି, ମୁଁ କିଓଟୋ ଭଳି ପୃଥିବୀର ପ୍ରସିଦ୍ଧ ସହରର କିଛି ହେଲେ ଦେଖିନି, ତୁମେ ଆଜି ମୋ ସଙ୍ଗେ ଆସି କ’ଣ କ’ଣ ଦେଖିବାର କଥା, ମୋତେ ଦେଖାଇ ଦେବ କି ?—ଏ ତ ଜଣେ ଦେଶପ୍ରେମୀର କର୍ତ୍ତବ୍ୟ ।’’

ଜୋସୁ ଭୟରେ ନିର୍ବାକ ହୋଇଗଲା ।

‘‘ଏ ତ ଅତି ମହତ୍‌ କାମ ।’’ ଆଲେନ୍‌ ଜିଦ୍‌ କଲା । ‘‘ମୁଁ ଜଣେ ନିର୍ବୋଧ ଆମେରିକାନ୍‌-। ମୁଁ ଯେ ତୁମ ଦେଶକୁ ଅଧିକାର କରିବି—ଏକଥା ମୁ ଆଉ ଥରେ କହିବାକୁ ଯାଉ ନି-। ବର୍ତ୍ତମାନ ପାଇଁ ଧରିନିଅ ମୁଁ ଜଣେ ପରିଦର୍ଶକ । ଜାପାନ ବିଷୟରେ ଭଲ ଧାରଣା ନେଇ ମୁଁ ମୋ ଦେଶକୁ ଫେରିଯିବାକୁ ଚାହେଁ । ତେଣୁ ସବୁଠାରୁ ସୁନ୍ଦର ଏଇ ସହରକୁ ଆସିଚି । ମୁଁ ପୁଣି ଆମେରିକା ଫେରିଲେ ଆଉ ଜାପାନ ଦେଖିପାରିବି ନି । ମୁଁ ସମସ୍ତଙ୍କୂ କିଓଟୋ କଥା ତାର ସମସ୍ତ ସୌନ୍ଦର୍ଯ୍ୟ ଦେଖିଲି......ଯାହା ଅବିସ୍ମରଣୀୟ ।’’

 

ତା’ର ହସ ହସ ଉଜ୍ଜ୍ୱଳ ଆଖିର ଚାହାଣୀ ତଳେ ଜୋସୁର ଦମ୍ଭ ଭାଙ୍ଗି ପଡ଼ିଲା । ଆସ୍ତେ ଆସ୍ତେ ତା ଦେହ ସାରା ଏକ ଅବୋଧ ଉଲ୍ଲାସର ଢେଉ ଖେଳିଗଲା—ସତେ ଯେପରି ତାହା ଆଲେନ୍ ହସର ପ୍ରତିଧ୍ୱନି ।

 

‘‘ତୁମେ ଭାରି ଉତ୍ତେଜିତ...ମୁଁ । ଏତେଟା ହେଇପାରିବି ନି ।’’ ମୁଁ ମୋ ସାର ଙ୍କୁ’ଣ କହିବି ? ମନେକରନ୍ତୁ, ଆମକୁ ଜଣେ କେହି ଏକାଠି ଦେଖିନେବ । ମୋ ବାପ ଭାରି ବିରକ୍ତ ହେବେ ।’’

 

ଆଲେନ୍‌ ତାର ବିଶାଳ କାନ୍ଧକୁ ହଲାଇଲା ।

 

‘‘ମତେ କ୍ଷମା କର ।’’ ନାରୀ ହିଁ ସବୁଠାରେ ଭୁଲଭ୍ରାନ୍ତ ପାଇଁ ଦୋଷୀ ବିବେଚିତ ହୁଏ । ଆମେ ଉତ୍ତେଜିତ ହେବାନାଇଁ । ତୁମେ ସ୍କୁଲକୁ ଯାଅ ।’’ ତା ଆଖିରୁ ହସ ଲିଭିଗଲା । ସେମାନେ ପାଖ ପାଖ ହୋଇ ଫାଟକ ଆଡ଼କୁ ଚାଲିଲେ । ସେ ଜୋସୁର ବହି ଧରିବାକୁ ମାଗିଲା ଓ ଜୋସୁର ମନେପଡ଼ିଲା—ଆମେରିକାରେ ପୁଅମାନେ କେତେଥର ତାର ବହି ଧରିଛନ୍ତି । ସେଠାକାର ଏହା ଏକ ପ୍ରଥା । ଜୋସୁ ଚାଲିଲା । ଆଲେନ୍‌ ନିଜର ପ୍ରସ୍ତାବ ଏତେଶୀଘ୍ର ଫେରାଇ ନେଉ, ଏହା ସେ ଚାହୁଁ ନ ଥିବାରୁ ମନେ ମନେ ଲଜ୍ଜା ପାଇଲା । ସେ ଠିକ୍‌ କରିଚି କିନ୍ତୁ ଭାବୁଚି ଯେ ସେ ଠିକ୍‌ ଓ ଭୁଲ ବାଛିବାକୁ ସକ୍ଷମ ହୋଇ ନି । ଯଦି ଜଣେ ଠିକ୍‌ଭୁଲ ବାଛିପାରିବ ନାହିଁ, ତେବେ ଭୁଲଟା–ଇ ଭଲ ଲାଗିବ ।

 

ତା’ର ଆୟତ ଆଖିକୋଣରୁ ସେ ଆଲେନ୍‌ କୁ ନିରୀକ୍ଷଣ କରି ଦେଖିଲା...ଆଲେନ୍‌ବି ତାକୁ ଚାହିଁଚି । ତାର ଆଖି ପୁଣି ନୀଳ ହୋଇ ଉଠିଚି–ଓଠ ଦୁଇଟି ମେଲା ରହିଚି–ସତେ କି ସେ ହସିବାକୁ ଚାହେଁ !

 

‘‘ମୁଁ ଏ ବହିଗୁଡ଼ିକ ଉଇଷ୍ଟେରିଆ ଗଛମୂଳେ ରଖୁଚି ।’’ ଆଲେନ୍‌ କହିଲା–‘‘ତୁମକୁ ବି ଲୁଚାଇବାକୁ ଏଇ ଘଞ୍ଚ, ଝାମ୍ପୁରା ବୁଦା ସକ୍ଷମ ହବ...ମୁଁ ୟା ଦେଖୁଥିଲି । ‘‘ତାହା ହିଁ କରିବି’’—ଜୋସୁ ଈଷିତ୍‌ ହସି କହିଲା, ‘‘ଚମତ୍କାର ପ୍ରସ୍ତାବ ।’’

 

ସେ ବହି ଲୁଚାଇଦେଲା । ତାକୁ କେହି ଦେଖିଲେ ନାହିଁ । ଏବେ ବି ଅନ୍ୟମାନେ ସ୍କୁଲକୁ ଆସିନାହାନ୍ତି । ବହିଗୁଡ଼ାକ ବୁଦାମୂଳେ ଲୁଚାଇ ସେ ଆଲେନ୍‌ ପାଖୁ ଫେରିଆସିଲା ଏବଂ ସେମାନେ ଶୀଘ୍ର ଗୋଟିଏ ସଂକୀର୍ଣ୍ଣ ଛୋଟ ଗଳିରେ ଚାଲିଗଲେ ।

 

‘‘କିଓଟୋ କଥା ମତେ କୁହ’’ ଆଲେନ୍‌ କହିଲା, ସତେ ଯେମିତି ସେ ଜାଣିବାକୁ ଚାହୁଁଚି-। ନିଜର ବିସ୍ମୟଭାବ ଲୁଚାଇ ଜୋସୁ ଭଲଭାବରେ ସବୁ କହିଲା ।

 

‘‘ଏ ଭାରି ପୁରୁଣା ସହର...ହଜାର ହଜାର ବର୍ଷଧରି ଜାପାନର ରାଜଧାନୀ ଥିଲା । ଚଉଦ ଶହ ପୁରୁଣା ବୌଦ୍ଧମନ୍ଦିର ଏଠାରେ ଅଛି । ଲକ୍ଷାଧିକ ଲୋକ ଏଠି ରହନ୍ତି । ପୁରୁଣା ରାଜବାଟୀ ଓ ଉଦ୍ୟାନସବୁ ରହିଚି...ଏ ଗୁଡ଼ିକ ପୃଥିବୀରେ ସବୁଠଁ ଭଲ ।’’

 

‘‘ମୋର ଛୋଟ ଗାଇଡ଼ ! ମୋତେ ବଗିଚାଗୁଡ଼ିକ ଦେଖେଇବାକୁ ନିଅ ।’’ —ଆଲେନ୍‌ କହିଲା । ଆଲେନ ଭାବିଲା, ବଗିଚା ଭିତରେ ଲୁଚିବାକୁ ଜାଗା ଥିବ, ଅନ୍ତତଃ ଛୋଟ ପାହାଡ଼, କୁଦ, ପୋଖରୀ, ବାଡ଼ ସ ବୁଦାଗୁଡ଼ାଏ ଥିବ । ଯେତେବେଳେ ସେ କୌଣସି ବଗିଚା ନ ଦେଖିଲା, ସେ ଭାବିଲା—ଜୋସୁ ହୁଏତ ଜାଣି ଜାଣି ବଦମାସୀ କରୁଚି ।

 

‘‘ଏ ରେଆନଜୀ ମନ୍ଦିର—ଏ ଷ୍ଟୋନ ବଗିଚା’’ ଜୋସୁ କହିଲା—‘‘ଏହା ଅତି ପ୍ରସିଦ୍ଧସ୍ଥାନ’’-। ସେ ଏକ ଅନୁଚ୍ଚ ପ୍ରାଚୀର ପରିବେଷ୍ଟିତ ଶୁଖିଲା ଆୟତାକାର ସ୍ଥାନକୁ ଚାହିଁଲା । ଧଳା ଶୁଷ୍କ ବାଲିର ସମୁଦ୍ର ମଧ୍ୟରେ ରୁଷ ପାହାଡ଼ଗୁଡ଼ା ଦ୍ୱୀପ ପରି ଠିଆହୋଇଚି ।

 

ସତେ ଯେପରି ବାଲି ଉପରେ ସେ ଏକ ସ୍ଥିର ଓ ବଙ୍କା ଅଚଳନ୍ତି ତରଙ୍ଗ । ‘‘ବଗିଚା’’ ଆଲେନ୍‌ ସେ ଦିନ ନିଜର ଉଦ୍ଦେଶ୍ୟ ଭୁଲିଗଲା । ଏପରି କଳ୍ପନାତୀତ—ସୁନ୍ଦର ଗୌରବମୟ ଜିନିଷ ସେ ଦେଖୁଚି.....ଯାହା ସେ ବୁଝିପାରୁନି ।

 

‘‘ଦେଖ ଜୋସୁ ସକାଇ, ଯଦି ପାର ପଥରଗୁଡ଼ା ଗଣିନିଅ’’ ସେ ଗମ୍ଭୀର ହୋଇ କହିଲା-। ସେଠାରେ ପାଞ୍ଚଟି, ଦୁଇଟି, ପାଞ୍ଚଟି, ତିନିଟି, ତିନିଟି, ତିନିଟି, ହୋଇ ପନ୍ଦରଟି ଗ୍ରୁପର ପଥର ଥିଲା-

 

‘‘ଏ ସବୁ ଦ୍ୱୀପ ନୁହେଁ’’ ଜୋସୁ ବୁଝାଇଲା, ସ୍ଥିର ପ୍ରପାତ ପରି ଦିଶିବାକୁ କୃତ୍ରିମ ଭାବରେ ତିଆରି ହୋଇଚି—ତାର ଟିକି ଟିକି ଆଙ୍ଗୁଠିରେ ସେ ଦେଖେଇଲା ।

 

‘‘ସେଠାରେ ହେଇ ଦେଖ—ବନହଂସୀମାନେ ।’’

 

ପଥରଗୁଡ଼ିକ ସ୍ୱାଭାବିକ ଚିକ୍‌କଣ, ପାଣି ପବନ ଦ୍ୱାରା ଯାହା ଆକାରରେ ପରିବର୍ତ୍ତନ ପାଇଛି ଏବଂ ଶୋଇ ରହିଚି; କିନ୍ତୁ ସେ ଗୁଡ଼ିକ ସତରେ ପାଣିହଂସ ପରି ଦିଶୁଛନ୍ତି ।

 

‘‘ତୁମେ ଏ ବଗିଚା କଥା ବୁଝିପାରୁଚ ?’’ ଆଲେନ୍‌ ଜାଣିବାକୁ ଚାହିଁଲା । ‘‘ମୁଁ ବିଶେଷ ଜାଣେ ନା’’ ଜୋସୁ ସ୍ୱୀକାର କଲା, ‘‘ବାପା ମତେ ଏଠାକୁ ଆଣିଥିବାରୁ ମୁଁ କିଛି ଜାଣେ ।’’ ଆଲେନ୍‌ ବୁଝିଲା—ଏଇ ବଗିଚା ନିଜ ନିର୍ମାତାର ନିର୍ମଳ ଆତ୍ମକଥା ଘୋଷଣା କରୁଚି । ଏହାର ପ୍ରସିଦ୍ଧି ଓ ପୁରୁଣାତ୍ୱ, ଆମେ ଯଦି ଏଠାରେ ନୀରବରେ ଘଣ୍ଟା ଘଣ୍ଟା ଧରି ବସିବା ତେବେ ବୁଝିବାକୁ ଆରମ୍ଭ କରିବା ।

 

ଆଲେନ୍‌ ମୁଣ୍ଡ ହଲାଇଲା, ‘‘ନା, ଏତେ ବେଳେ ବା କାହିଁ ? ମୁଁ ଅଧିକ ଆମୋଦ ଚାହେଁ-। ଧୈର୍ଯ୍ୟର ସହିତ ଜୋସୁ ଆଲେନକୁ ପୁରାତନ ରାଜବାଟୀର ଏକ ସବୁଜ ଉଦ୍ୟାନକୁ ଆକାଶ ସହିତ ସଂଯୁକ୍ତ କରିଛନ୍ତି, ତଥାପି ଏ ସ୍ଥାନ ପ୍ରେମ ପାଇଁ ଅନୁକୂଳ ନୁହେଁ ।’’ ଏ ବଗିଚାଟିର ପ୍ରତ୍ୟେକ ପତ୍ର ପର୍ଯ୍ୟନ୍ତ ସୁରକ୍ଷିତ । ସେମାନେ କୌଣସି ଜଗୁଆଳିକୁ ଦେଖିଲେ ନାହିଁ, କେବଳ ସେଇମାନଙ୍କ ଭଳି କେତେକ ପରିଦର୍ଶକ ବୁଲୁଥିଲେ; କିନ୍ତୁ ସେଠାରେ ଗହଳି ନ ଥିଲା । ଆଲେନ୍‌ ଏକାଗ୍ର ବିସ୍ମୟ ଚିତ୍ତରେ ଏସବୁ ଦୃଶ୍ୟ ଦେଖି ବିହ୍ୱଳ ହେଉଥିଲା । ଜୋସୁର ହାତ ସୁଦ୍ଧା ଛୁଇଁବାକୁ ତା’ର ସାହସ ହେଲା ନି । ଜୋସୁ ମଧ୍ୟ ଚିନ୍ତାନ୍ୱିତା ଜଣାଗଲା । ଆଲେନ୍‌ ଅନୁଭବ କଲା ଯେ ଏ ଜୋସୁର ଦେଶ, ତା’ର ନୁହେଁ ।

 

ମଧ୍ୟାହ୍ନ ହେବାରୁ ଆଲେନ୍‌ ଆଉ କୌଣସି ପ୍ରାସାଦ, ମନ୍ଦିର, ଉଦ୍ୟାନ ବା ଦେବଦେବୀ କିଛି ଦେଖିବାକୁ ଚାହିଁଲା ନି । ସେ ହଠାତ୍‌ କହିଲା, ‘‘ମତେ ଭୋକ ହେଲାଣି । ଚିକ୍‌କଣ ପଥର ଉପରେ ମୁଁ ବି ମାଇଲ ମାଇଲ ଚାଲିଲିଣି । ଆମେ କେଉଁଠି ଯାଇ ଖାଇବା ଏବଂ ପରେ ଗାଡ଼ିଟିଏ ଭଡ଼ା କରି ସହର ବାହାରକୁ ଯିବା । ମୁଁ ମଧ୍ୟ ଜାପାନର ଗହଳ ମଫସଲ ଦେଖିବାକୁ ଚାହେଁ ।’’

 

ଜୋସୁ ସ୍ୱପ୍ନଚାଳିତ ପରି ସମର୍ଥନ କଲା । ନିଜକୁ ସମର୍ପଣ କରିବା ପରେ, ସେ ଯେ କୌଣସି କାମ ପାଇଁ ରାଜି ଥିଲା, ଏହା ଭାବି ଆଲେନ୍‌ର ରକ୍ତ ଦ୍ରୁତଗତିରେ ସଂଚାଳିତ ହେଲା ।

 

ଖାଇବା ସମୟରେ ଜୋସୁ ଭାରି ଖୁସିଥିଲା । ଆଲେନ୍‌ ପ୍ରଶ୍ନର ଉତ୍ତର ଦେଉଥିଲା ଏବଂ ଛୋଟ ରେଷ୍ଟୁରେଣ୍ଟରେ କେତେ କମ୍‌ ଲୋକ ଖାଉଛନ୍ତି, ସେ କଥା କଳୁଥିଲା ।

 

ଏକ ଅଖ୍ୟାତ ଗଳିର ସେଇ ଅପରିଚିତ ସ୍ଥାନକୁ ସେ କେବେ ଆସି ନ ଥିଲା । ସେଠାରେ କେବଳ ସୁନ୍ଦର ଭାସ୍କର୍ଯ୍ୟପୂର୍ଣ୍ଣ ମନ୍ଦିରମାନ ରହିଚି; ଏବଂ ଫକା ସବୁଜ ରଙ୍ଗର ଓ ଥଣ୍ଡା ଶୁଖିଲା ଭାତ–ଇ ସେଠାରେ ମିଳେ । ଛୋଟ, ପତଳା, ଗେଡ଼ା ସୁଟ୍‌ ପିନ୍ଧା ଲୋକଟିକୁ ଜୋସୁ ‘କିରାଣୀ’ ବୋଲି ଦେଖାଇ ଦେବାରୁ ଆଲେନ୍‌ ବି ମୁଣ୍ଡ ହଲାଇ ସମ୍ମତି ଜଣାଇଲା । କେତୋଟି କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି କିଣୁଥିବା ପରିଚାରିକାଟି, ଘର ଛାଡ଼ି ଏଠାରେ ଏକାକୀ ଖାଉଥିବା ଗୋଟିଏ ବୃଦ୍ଧ ଲୋକ, କୌଣସି ମଧ୍ୟବୟସ୍କ, ଭଲ ସୁଆଦିଆ ଖାଇବାକୁ ଚାହୁଁଥିବାରୁ ଘରେ ଅନେକ ପିଲା ମେଳରେ ଖାଇ ନ ପାରି ସେଠାକୁ ଆସିଥାଆନ୍ତି । ଏମାନଙ୍କୁ ଜୋସୁ ଦେଖାଉଥାଏ ଓ ଆଲେନ୍‌ ମୁଣ୍ଡ ହଲାଇ ସମ୍ମତି ଜଣାଉଥାଏ ।

 

କିନ୍ତୁ ପରେ ପାହାଡ଼ କରରେ ଆଲେନ୍‌ ଜୋସୁକୁ ପୁଣି ଚିନ୍ତାନ୍ୱିତ ଥିବାର ଦେଖିଲା ।

 

ପାହାଡ଼ର ପାଦଦେଶରେ ସେମାନେ ସେ ମନ୍ଥର ଗତିଶୀଳ ଗାଡ଼ିକୁ ଛାଡ଼ିଲେ । ସେ ଗାଡ଼ିର ବୁଢ଼ା ଧଳା ଘୋଡ଼ା ଘୁମାଉଥାଏ ଓ ଚାଳକ ଅତି ଅନାଗ୍ରହୀ । ତେଣୁ ଏ ସବୁ ଏକ ୟୁନିଫର୍ମ ପିନ୍ଧା ଆମେରିକାନ୍‌ ପାଖରେ ନିହାତି ମୂଲ୍ୟହୀନ । ବାଉଁଶବଣ ଭିତରେ ହୋଇଥିବା ଇଟାର ପାହାଚ ଦେଇ ସେମାନେ ପାହାଡ଼ ଚଢ଼ିଲେ । ଏହା ନିର୍ଜ୍ଜନ ଜଣାପଡ଼ିଲେ ମଧ୍ୟ ଆଲେନ୍‌ର ସନ୍ଦେହ ହେଲା । ଇଟାଗୁଡ଼ିକ ଅତି ପରିଷ୍କାର । ବାଉଁଶବଣରେ ମଧ୍ୟ ଫର୍ଣ୍ଣ ଗଛଗୁଡ଼ିକ ସଜା ହୋଇ ଲଗାଯାଇଥାଏ । ଗହଳ ବୁଦା ମଧ୍ୟ ନ ଥାଏ । ଗୋଟିଏ ଶିଉଳି ଲଗା ସ୍ଥାନ ଦେଖି ଆଲେନ୍‌ ଠିଆହେଲା !

 

‘‘ଏ ତ ବେଶ୍‌ କୁସନ ଭଳି ନରମ, ନୁହେଁ ? ଜୋସୁ ! ଏଠାରେ ବସତ ।’’

 

ଜୋସୁ ବାଧ୍ୟ ପିଲାଟି ପରି ଆଣ୍ଠୁମାଡ଼ି ଆଲେନଠାରୁ ଅଳ୍ପଦୂରରେ ବସିଲା । ତା କପାଳ ଉପରେ ଥିବା ସୁନ୍ଦର କେଶଗୁଡ଼ିକ ଓଦା ହୋଇ ତା’ର ମଥାର ସିକ୍ତ, କୋମଳ ଚର୍ମ ଉପରେ ଲାଗି ରହିଥିଲା । ଆଲେନ୍‌ ତା ଆଡ଼କୁ ମୁହୁର୍ତ୍ତେ ଚାହିଁ, ଜୋସୁ ରଖିଥିବା ଦୂରତାକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲା । ସେ ସିଧା ଜୋସୁ ପାଖକୁ ଯାଇ ତା’ର ହାତଟି ଧରିଲା ।

 

‘‘ଜୋସୁ !’’

 

ଜୋସୁ ତା’ର ଉଜ୍ଜ୍ୱଳ ଆଖି ଯୋଡ଼ିକ ଟେକି ଚାହିଁ କହିଲା, ‘‘ମତେ ଆମେରିକା କଥା କୁହ ।’’ ଆମେରିକା ବର୍ତ୍ତମାନ ପାଇଁ ଆଲେନ୍‌ର ମନରୁ ବହୁତ ଦୂରରେ । ‘‘ସାରା ସକାଳଟା ମୁଁ ତୁମକୁ ଜାପାନ ଦେଖାଇଲି, ମତେ ଆମେରିକାବିଷୟ କିଛି ଜଣାଅ । ମୋର କାଲିଫର୍ଣ୍ଣିଆ କଥା ମନେ ଅଛି । ମତେ ଭର୍ଜିନିଆ କଥା, ତୁମ ଘର ଓ ବାପ ମା’ଙ୍କ କଥା କୁହ, ସେମାନେ ଅଛନ୍ତି ତ ?’’ ଜୋସୁ ପଚାରିଲା ।

 

ସେ ହାତକୁ ଟାଣିନେଲା ନି କି ଆଲେନ୍‌ଠାରୁ ଦୂରକୁ ଗଲା ନି, କିନ୍ତୁ ଭର୍ଜିନିଆ କଥା କହିବା, ଆଲେନ୍‌ର ଘର କଥା କହିବା ଅର୍ଥ—ତାଠୁଁ ଅତି ଦୂରକୁ ଚାଲିଯିବା ।

 

‘‘ମୁଁ ଜାଣିବାକୁ ଭାରି ଆଗ୍ରହୀ’’—ଜୋସୁ ଅନୁରୋଧ କଲା ।

 

ଅନିଚ୍ଛା ସତ୍ତ୍ୱେ ଆଲେନ୍‌ ଆରମ୍ଭ କଲା, ‘‘ଆଚ୍ଛା—ମୁଁ ଛୋଟ ସହରଟିରେ ରହେ, ମାନେ ଆମ ଘର ରିଚ୍‌ମଣ୍ଡ ପାଖର ଛୋଟ ସହରଟିରେ ।’’

 

‘‘ରିଚ୍‌ମଣ୍ଡ ?’’

 

‘‘ଟୋକିଓ ପରି, କିନ୍ତୁ ଏତେ ବଡ଼ ନୁହେଁ, ସେ ଭର୍ଜିନିଆର ରାଜଧାନୀ’’ ଆଲେନ୍‌ ବୁଝାଇଲା ।

 

‘‘ତୁମ ଘର କେମିତି କୁହ’’ ଜୋସୁ ଜିଦ୍‌ କଲା ।

 

ଆଲେନ୍‌ ତା’ର ହାତକୁ ଚାହିଁ ତା’ର ଆଙ୍ଗୁଠିଗୁଡ଼ିକରେ ଖେଳିବାକୁ ଲାଗିଲା । ତାର ଛୋଟ ବାମହାତ, ଆଙ୍ଗୁଠିରେ ମୁଦି ନାହିଁ, ସେ ଗହଣା ପିନ୍ଧେ ନାହିଁ ।

 

‘‘କାଠ ତିଆରି ବଡ଼ ଘରଟାଏ, ଧଳା ରଙ୍ଗର । ଛ’ଟା ବଡ଼ ବଡ଼ ଧଳା ଖୁଣ୍ଟ । ପୁରୁଣା ଘରଟା—ମୋ ପଣଅଜାଙ୍କ ଘର । ଘର ଚାରିପାଖେ ହଜାର ମାଣ ଯାଏ ଜମି । ବଣ ଓ ପାହାଡ଼ ଆଉ ଗୋଟାଏ ନଈ ।’’ ଆଲେନ୍‌ ବର୍ଣ୍ଣନା କଲା ।

 

‘‘ବା ! —ବେଶ୍‌ ତ’’, ଜୋସୁ ଦୀର୍ଘଶ୍ୱାସ ଛାଡ଼ିଲା ।

 

‘‘ଦ୍ୱାର ଭିତରେ ଗୋଟାଏ ହଲ୍‌, ଛାତକୁ ଯିବାକୁ ଗୋଟାଏ ସିଡ଼ି, ଆଉସବୁ ସାଧାରଣ ଘର ପରି ।’’

 

‘‘ତୁମ ରୁମ୍‌ କେଉଁଠି ? ଜୋସୁ ପଚାରିଲା ।

 

‘‘ଉପର ମହଲାରେ—ସାମନାର ବାମ ପାଖକୁ ।’’

 

‘‘ମୁଁ ଆମେରିକାର ଗାଲିଚା, ଛବି ଓ ପର୍ଦ୍ଦା ଏବଂ ଆଉରି ଅନେକ କିଛି ମନେରଖିଚି-।’’-–ଜୋସୁ କହିଲା ।

 

‘‘ଏମିତି ଅନେକ’’ ଆଲେନ୍‌ ସମ୍ମତିସୂଚକ ମୁଣ୍ଡ ହଲାଇଲା ।

 

‘‘ଗୋଡ଼ଥିବା ଖଟ, ଚେୟାର ଓ ଟେବୁଲଗୁଡ଼ାକୁ ବି ?’’

 

‘‘ସବୁ ଗୁଡ଼ିକର ଗୋଡ଼ଥାଏ ।’’

 

‘‘ତୁମ ଘରେ କିଏ—ବାପା ବୋଉ ?’’

 

‘‘ଆଉ ମୁଁ—ଏକମାତ୍ର ।’’

 

‘‘ତୁମେ ଏକମାତ୍ର ସନ୍ତାନ ?’’

 

‘‘ଗୋଟିଏ ।’’

 

ୟା ପରେ ଜୋସୁ ଧୀରସ୍ଥିର ହୋଇ ପଡ଼ିଲା । ‘‘ତୁମେ ବୋଧହୁଏ ଖୁବ୍‌ ଗେହ୍ଲା’’—ସେ କହିଲା ।

 

ଆଲେନ୍‌ ହସିଲା, ‘‘ବେଳେ ବେଳେ ମୁଁ ସେଇଆ ଭାବେ ।’’

 

ଜୋସୁ ଟିକିଏ ଚିନ୍ତାନ୍ୱିତା ପରି ଦେଖାଗଲା । ‘‘ଆଉ ତୁମ ମାଆ—କିପରି ଲୋକ ?’’

 

‘‘ମୋର ବିଶ୍ୱାସ, ଭଲ ।’’

 

‘‘ମୁଁ ଚେହେରା କଥା କହୁଚି ।’’

 

‘‘ଓ ! ସେ ବୁଝିଲାଟିକେ ଛୋଟ, ପାତଳା, ବେଶ୍‌ ସୁନ୍ଦର, କିନ୍ତୁ ଭାରି ବଳୁଆ ।’’

 

‘‘ଆଉ ବାପା ?’’

 

‘‘ଖୁବ୍‌ ବିରାଟ ଚେହେରାର ମଣିଷ—ଅଳସୁଆ ମୁ ଭାବେ, ମା’ ବି ତାଙ୍କୁ ସେଇୟା କହନ୍ତି-।’’

 

‘‘ସେ କି କାମ କରନ୍ତି ?’’

 

‘‘ସେ ଓକିଲ; କିନ୍ତୁ ପ୍ରାକ୍ଟିସ୍‌ କରନ୍ତି ନାହିଁ, ବୋଧହୁଏ ସେ ଆମ ଜେଜେବାପା ମଲାଦିନୁ ପ୍ରାକ୍ଟିସ୍‌ କରୁନାହାନ୍ତି ।’’

 

ଜୋସୁ ବୁଝିଲା ଯେ ସେମାନେ ଧନୀ, କିନ୍ତୁ ସେ ଟଙ୍କା କଥା କହିବାକୁ ଚାହିଲା ନାହିଁ ।

 

ତାଙ୍କ ବସିବା ଠାରୁ କେଇ ଗଜ ଦୂରରେଥିବା ଛୋଟ କୁଦତଳୁ ସେ ବାଉଁଶବୁଦାର ଆଗକୁ ନଜର ରଖି ଚାହିଁଲା । କିଓଟୋ ସହର ଦୂରରେ ରହିଲା, କିନ୍ତୁ ଯେତେ ଦୂର ଜଣାଯାଉଛି, ପ୍ରକୃତରେ ସେତେ ଦୂର ନୁହେଁ ।

 

‘‘ମୁଁ ଶୀଘ୍ର ଘରକୁ ଯିବି, ଅନ୍ତତଃ କଲେଜ କ୍ଳାସ ଓଭର ହେବାବେଳକୁ’’—ଜୋସୁ ହଠାତ୍‌ କହିଲା ।

 

କଥାରେ କଥାରେ ଦିନ ଯେ ଧୀରେ ଧୀରେ ଗଡ଼ି ଚାଲିଯାଉଚି–ଏହା ଆଲେନ୍‌ର ମନେ ପଡ଼ିଗଲା । ସେ ଘାସ ଉପରେ ଦୁଇ ବାହୁରେ ମୁଣ୍ଡରଖି ଚିତ୍‌ହୋଇ ଶୋଇପଡ଼ଲା ଓ କହିଲା, ‘‘ବର୍ତ୍ତମାନ ନୁହେଁ ଜୋସୁ !’’

 

ଜୋସୁର ଚାହାଣୀର ଅର୍ଥ ଆଲେନ୍‌ ବୁଝିବାରିଲା ନାହିଁ । ଭୟାକୁଳ ଚାହାଣୀ ନିଶ୍ଚୟ ନୁହେଁ ।

 

‘‘ଜୋସୁ ଏଠି ଶୋଇପଡ଼ି ପାର ।’’

 

ଜୋସୁ ମୁଣ୍ଡ ହଲାଇ ମନାକଲା ଓ ତାର ବେକମୂଳ ରକ୍ତିମ ହୋଇ ଉଠିଲା ।

 

‘‘କାହଁକି ନାହିଁ କରୁଚ ଡ଼ାର୍ଲିଙ୍ଗ୍‌ ?’’

 

ଜୋସୁ ଉତ୍ତର ଦେଲା ନାହିଁ; କିନ୍ତୁ ଆଲେନ୍‌ ଦେଖିଲା, ତାର ତଳ ଓଠ ଥରୁଛି ଓ ସେ ତାକୁ ଦାନ୍ତ ମଝିରେ ଚାପି ଧରୁଚି ।

 

‘‘ତୁମେ ମତେ ଭୟ କରୁଚ ?’’ ଆଲେନ୍‌ କୋମଳ ସ୍ୱରରେ ପଚାରିଲା ।

 

‘‘ହଁ ଟିକେ ଟିକେ ।’’ ସେ ସତକଥା କହି ପକାଇଲା ।

 

‘‘ମୁଁ ତୁମର କ୍ଷତି କରିବି ନି ।’’

 

ସେ ମୁଣ୍ଡ ହଲାଇ ମନା କଲା ।

 

‘‘ତୁମେ କ’ଣ ଭୁଲିଗଲଣି ଯେ ମୁଁ ତୁମକୁ ଭଲପାଏ ?’’ ସେ—ଆହୁରି ନରମ ଗଳାରେ ପଚାରିଲା ।

 

‘‘ନାଁ’’—ଜୋସୁ ଧୀର ଗଳାରେ କହିଲା । ‘‘ମୁଁ ସବୁବେଳେ ମନେ ରଖିଚି । ହେଲେ, ତୁମେ ମତେ କାହିଁକି ଭଲପାଅ ?’’ ସେ ବର୍ତ୍ତମାନ ବୁଲିପଡ଼ି ଆଲେନ୍‌କୁ ପ୍ରଶ୍ନିଳ ଆଖିରେ ଚାହିଁଲା । ତା ଆଖି ଗମ୍ଭୀର ଓ ଉଜ୍ଜ୍ୱଳ ଦିଶିଲା । ଆଲେନ୍‌ ହଠାତ୍‌ ଉଠିବସିଲା । ସତରେ ସେ କାହିଁକି ଜୋସୁକୁ ଭଲପାଏ ? ସେ ଯାହା କରିବାକୁ ଇଚ୍ଛା କରିଥିଲା, ଜୋସୁ ତା କରିବା ଅସମ୍ଭବ କରିଦେଲା । ସେ କହିଲା—ମୁଁ ଜାଣେ ନି—ମୁଁ ନିଜକୁ ପଚାରେ—ଭାବୁଚି, ଭଲ ପାଇବା ପାଇଁ ମୁଁ କ୍ଷୁଧାର୍ତ୍ତ ବୋଲି ତୁମେ କହିପାର, ମୁଁ ଭଲ ପାଇଲା ଭଳି ଏଠାରେ କାହାକୁ ଦେଖି ନି । କେବଳ ତୁମକୁ ।’’

 

‘‘ତୁମେ ତ ଅଳ୍ପଦିନ ପରେ ଏଠୁ ଚାଲିଯିବ ।’’

 

‘‘ମୁଁ ପୁଣି ଫେରିଆସିବି ।’’

 

ଜୋସୁ ଅଳ୍ପ ହସିଲା । ‘‘ତା ହେଲେ ଆମେ ଅପେକ୍ଷା କରିବା ।’’

 

ସେ କହିଲା—‘‘କାହିଁକି ତୁମେ ମତେ ଭଲପାଅ, ତା’ ଠିକ୍‌ କରି କହିବା ବର୍ତ୍ତମାନ ଆବଶ୍ୟକ ନାହିଁ ।’’

 

ସେ ହଠାତ୍‌ ଉଠି ପଡ଼ିଲା ଓ ଆଲେନ୍‌ର କାମାତୁର ମୁହଁକୁ ଚାହିଁଲା । ତା ପରେ ସେ ଏମିତି ହଠାତ୍‌ ଧୀରେ ଧୀରେ ପାହାଡ଼ ତଳକୁ ଦୌଡ଼ିବାକୁ ଆରମ୍ଭ କଲା ଯେ, ଆଲେନ୍‌ ଅଧା ରାଗ ଓ ଅଧା ଆନନ୍ଦରେ ତାକୁ ଅନୁସରଣ କରିବା ବ୍ୟତୀତ କିଛି ଉପାୟ ପାଇଲା ନାହିଁ । ଗାଡ଼ି ପାଖରେ ନ ପହଞ୍ଚିବା ପର୍ଯ୍ୟନ୍ତ ଜୋସୁ ଠିଆହେଲା ନାହିଁ—ତା’ପରେ ସେ ପାଟିକରି କହିଲା, ‘‘ଓ ! ମୁଁ ଜାପାନରେ ଥିଲା ଭିତରେ ଏପରି କେବେ ଦୌଡ଼ି ନାହିଁ, ମୁଁ କାଲିଫର୍ଣ୍ଣିଆରେ ଏମିତି ଦୌଡ଼ୁଥିଲି, କିନ୍ତୁ ଏଠି କେବେ ନୁହେଁ ।’’

 

ବୁଢ଼ା କଚୁଆନ୍‌ଟି ଡ଼ବ ଡ଼ବ ଆଖିରେ ଚାହିଁଲା । ଘୋଡ଼ାଟି ଉଠି ଦୀର୍ଘଶ୍ୱାସ ଛାଡ଼ିଲା ।

 

‘‘ଆଜି ଦିନଟିର ପରିସମାପ୍ତି କ’ଣ ଏଇପରି ?’’ ଅଲେନ୍‌ ଦାବିକଲା ।

 

‘‘ଅବଶ୍ୟ ଗୋଟିଏ ଦିନର—ତୁମ ସଙ୍ଗେ ଗୋଟିଏ ଦିନର ପରିସମାପ୍ତି ଆଲେନ୍‌ କେନେଡ଼ି ।’’ ସେ ଆଗରୁ କେବେ ଆଲେନ୍‌ର ପୁରା ନା କହି ନ ଥିଲା ଏବଂ ସେ ଅକ୍ଷରଗୁଡ଼ିକୁ ଟିକେ ଜୋରଦେଇ ଅଲଗା ଅଲଗା କରି କହିଲା—ଭବିଷ୍ୟତରେ ଅନେକ ଥର କହିବା ପାଇଁ ଏହା ଏକ ଶପଥ ବୋଧହୁଏ—

 

ଯେଉଁ ଦିନଟି ଆରମ୍ଭରେ (ସକାଳେ) ଜୋସୁକୁ ଏତେ ବିଚଳିତ କରୁଥିଲା—ତାହା ଏକ ସ୍ୱପ୍ନମୟ ଆନନ୍ଦରେ ଶେଷ ହେଲା ।

 

ସେ ଦେଖିଲା, ତାର ବହିଗୁଡ଼ିକ ଇଉଷ୍ଟେରିଆ ମୂଳେ ପୂର୍ବପରି ଥୁଆ ହୋଇଚି । ଡ଼େରି ହୋଇଗଲାଣି । ବୁଢ଼ା ଦରୁଆନକୁ ଛାଡ଼ି ଅନ୍ୟ ସମସ୍ତେ ଘରକୁ ଗଲେଣି । କଚୁଆନ୍‌ଟି ତାର ଛୋଟ କୋଠରୀରେ ବସି ଘୁମାଉଚି—କଲେଜ ବନ୍ଦ ହେଲେ ପିଲାଏ ଘରକୁ ଗଲା ପରେ ସେ ଏମିତି ସବୁବେଳେ ଶୋଇପଡ଼େ । ଆଲେନ୍‌ ଦେଖିଲା, ଜୋସୁ ଯାଉନାହିଁ କି ଆସୁନାହିଁ, ଏବଂ ରାସ୍ତାରେ ଜୋସୁ ମୁହୂର୍ତ୍ତେ ପାଇଁ ଠିଆହେଲା । ସେ ଆଲେନ୍‌କୁ ବିଦାୟ ସମ୍ଭାଷଣ ଜଣାଇବା ପାଇଁ ପ୍ରସ୍ତୁତ ହେଲା ।

 

‘‘କିନ୍ତୁ ମୁଁ ସବୁ ଦେଖିପାରି ନି । ମୁଁ ନାରା ଦେଖି ନି । ପ୍ରତ୍ୟେକ ଲୋକ ନାରା ଦେଖିବା ଉଚିତ ।’’

 

‘‘ଏ ତ ମୋର ଦୋଷ ନୁହେଁ, ତୁମେ ତୁମ ବନ୍ଧୁ ମାନଙ୍କ ସହ ଯିବା ଉଚିତ ।’’ ସେ ସିଧା କହିଦେଲା ।

 

‘‘ଏ ଦୋଷ ତୁମର—ମୁଁ ତୁମକୁ ଦେଖିଲି ଓ ତୁମେ କିଏ ଖୋଜି ବାହାର କଲି ।’’

 

ଆଲେନ୍‌ ତର୍କ ଆରମ୍ଭ କଲା । ଜୋସୁ ପାଖରେ ନିଜକୁ ପଞ୍ଚାଇବାକୁ ଯାଇ ସେ ତାକୁ ଥଟା କରି ପିଲାଳିଆ ଢଙ୍ଗରେ ଏତକ କହିଲା ।

 

ସେ ନିଜ ଉଦ୍ଦେଶ୍ୟର ଗଭୀରତା ବୁଝି ନିଜେ ଭୀତ ହୋଇ ପଡ଼ିଲା ଓ ନିଜର ମତକୁ ଜୋସୁ ଉପରେ ଲଦି ଦେବାକୁ ଇଚ୍ଛାକଲା ନି । ସେ ଲୋକମାନଙ୍କୁ ନିତି ଯାହା କରିବାର ଦେଖେ ନିଜେ ତାହା କଲା ନାହିଁ । ସେ ନିଜକୁ ଅନ୍ୟମାନଙ୍କ ସହିତ ସମାନ ବୋଲି ବିଶ୍ୱାସ ପରିପାରିଲା ନାହିଁ । ସେ ମଧ୍ୟ ବିଶ୍ୱାସ କରିବାକୁ ଚାହିଁଲା ନି ଯେ ଜୋସୁ ଟୋକିଓରେ ସେ ଦେଖିଥିବା ସାଧାରଣ ଜାପାନୀ ଝିଅଟିଏ ଯେ ଆମେରିକା ରାସ୍ତାର ଅତି ସାଧାରଣ ଝିଅଙ୍କୁ ଅନୁକରଣ କରେ ।

 

ଜୋସୁ ମୁହଁ ଗମ୍ଭୀର ହୋଇଗଲା । ସେ ଆଲେନ୍‌କୁ ଦୁଃଖ ଓ ବିସ୍ମୟରେ ଚାହିଁଥିବା ଦେଖି ଆଲେନ୍‌ ଆଶ୍ଚର୍ଯ୍ୟ ହେଲା ।

 

‘‘ମୁଁ ତୁମ ସହିତ କାଲି ନାରା ଯିବାକୁ ତୁମେ ଚାହୁଁଚ କି ?’’ ସେ ପଚାରିଲା ।

 

‘‘ମୁଁ ଅତି ବିନୀତ ଭାବରେ ଏଇଆ ଚାହୁଁଚି ।’’ ଆଲେନ୍‌ କହିଲା ।

 

ସେ ତାକୁ ସେମିତି ଚାହିଁ ରହିଲା । ‘‘ଆଚ୍ଛା ମୁଁ ଭାବି ଦେଖିବି’’ ସେ ଶେଷରେ କହିଲା ।

 

‘‘ତୁମେ କ’ଣ ଭାବିବ ମୁଁ କେମିତି ଜାଣିବି ଜୋସୁ !’’

 

‘‘ଯଦି ମୁଁ ଯିବି—ତା’ହେଲେ କାଲି ସକାଳୁ ମୁଁ ବହି ନ ଆଣି ଏଇଠିକି ଆସିବି ।’’

 

‘‘ମୁଁ ଅପେକ୍ଷା କରିଥିବି ।’’

 

ସେମାନେ ପରସ୍ପର ହାତ ସୁଦ୍ଧା ସ୍ପର୍ଶ ନ ନରି ବିଦାୟ ନେଲେ । ସତେ ଯେପରି ପ୍ରତ୍ୟେକ ଅନ୍ୟର ଜିଦ୍‌ ଓ ଭୟଙ୍କର ଅଭିଳାଷକୁ ବୁଝିଥିଲେ ।

 

ଜୋସୁ ନିଜର ଦୁଷ୍ଟାମୀ ପାଇଁ ନୀରବ ଥିଲା । କାରଣ ସେ କଲେଜରୁ ଫେରିଲା ଭଳି ଘରକୁ ଫେରିଗଲା । ତା ବାପାଙ୍କ ଫେରିବା ଡ଼େରି ଥିଲା । ସେ ଜରୁରୀ ଡ଼ାକରାରେ ଯାଇଥିଲେ । ତେଣୁ ତା ମା ଓ ସେ ଦୁହେଁ ମିଶି ସାଂଧ୍ୟଭୋଜନ କଲେ । ବଡ଼ ଅସୁବିଧା ହେଲା—ବାପା ଯଦି ସବୁଦିନ ପରି ଘରେ ଥାଆନ୍ତେ, ତେବେ ସେ ସହଜରେ ଗମ୍ଭୀର ରହି ପାରିଥାଆନ୍ତା ।

 

ତା’ ମା କିନ୍ତୁ ସୁଧାର, ନମ୍ର, ଭଲ ଏବଂ ସେ ସବୁବେଳେ ଚାହାନ୍ତି ଯେ ଜୋସୁ ଖୁସି ରହୁ-। ତାଙ୍କ ତୀକ୍ଷଣ ଓ କୋମଳ ପ୍ରଶ୍ନର ଉତ୍ତର ଦେବା କଷ୍ଟକର । ଜୋସୁ ମିଛକୁ ଘୃଣା କରେ, କିନ୍ତୁ ବର୍ତ୍ତମାନ କିପରି ସେ ମିଛ ପଚାରିଲେ ।

 

‘‘ଆଜି ଅବଶ୍ୟ ସ୍କୁଲ ଘରେ ଭାରି ଗରମ ହୋଇଥିବ’’ ମା କହିଲେ ।

 

‘‘ସ୍କୁଲ ଘରଟା ଉତ୍ତର ପଟକୁ’’—ଜୋସୁ ଉତ୍ତର ଦେଲା ।

 

ସେ ମା’ଙ୍କର ଟ୍ରେରେ ଛୋଟ ଛୋଟ ପ୍ଳେଟସବୁ ସଜାଡ଼ି ରଖିଲା । ‘‘ଥାଉ ତୁ ହଇରାଣ ହୋ’ ନା–’’ ତା’ ମା ବାରଣ କଲେ । ‘‘ମୋତେ ଭୋକ ନାହିଁ । ତୋତେ ଗୋଟିଏ ହେଲେ କାମ କହିବାକୁ ମୋର ସାହସ କୁଳାଉ ନାହିଁ ।’’

 

‘‘କ’ଣ ମତେ କୁହ ତ ମା’ ଜୋସୁ ପଚାରିଲା ।

 

‘‘ମାତ୍ସୁୟୀ ପରିବାରର ଏମରଜେନ୍‌ସିକଲ୍‌ରେ ବାପା ଯାଇଚନ୍ତି । କୋବରୀପାଇଁ ତୋ ବାପା ଚିନ୍ତିତ ତାକୁ ଆପେଣ୍ଡିସାଇଟିସ୍‌ ହୋଇପାରେ’’ । ଜୋସୁ ନିଶ୍ଚୟ କିଛି କହିବ—ଏ କଥା ମା’ ଆଶା କରୁଥିଲେ । ‘‘କୋବରୀ,—ଓ, ମୁଁ ଭାବୁଚି ଏତେ କିଛି ସାଘାଂତିକ ନୁହେ । ସେ କରିବାରର ସାନପୁଅ’’ ‘‘କିନ୍ତୁ କୋବରୀ ଭାରି ପିଲାଟିଏ’’—ମା କହିଲେ ।

 

‘‘ସେ ଭଲ ବୋଲି ମୁଁ ଅନେକଥର ଶୁଣିଚି’’ ଜୋସୁ ଉତ୍ତର ଦେଲା । ସେ ମୁଣ୍ଡ ନୁଆଇଁ ଆଖିପତାକୁ ତଳକୁ କରି ଖାଇବାକୁ ଆରମ୍ଭ କଲା ।

 

‘‘ତୋ ବାପା ତାଙ୍କ ଦାୟିତ୍ୱ ବିଷୟରେ ଏବେ ସଚେତନ’’ ମା କହିବାକୁ ଆରମ୍ଭ କଲେ ।

 

‘‘ଶ୍ରୀଯୁକ୍ତ ମାତ୍ସୁୟୀ ବାପାଙ୍କର ପ୍ରିୟ ବନ୍ଧୁ’’ ଜୋସୁ କହିଲା ।

 

‘‘କେବଳ ସେତିକି ନୁହେଁ ତୋ ବାପା କୋବରୀର କଥା ବି ଭାବୁଛନ୍ତି । ତା’ ପ୍ରତି ତାଙ୍କର ଅସୀମ ଶ୍ରଦ୍ଧା । ସେ ସବୁବେଳେ ଭାବନ୍ତି—ବହୁତ କିଛି ।’’

 

ତା’ବାପା କ’ଣ ଚିନ୍ତା କରନ୍ତି ଜୋସୁ ଜାଣେ; କିନ୍ତୁ ନିଜକୁ ବଞ୍ଚାଇବାକୁ ଯାଇ ସେ କିଛି ମାତ୍ର ଉତ୍ତର ଦେଇ ପାରିଲା ନି । ସେ ଗୋପନ ପ୍ରେମର ସ୍ୱପ୍ନରେ ବିଭୋର । ତା’ର ସମସ୍ତ ଆତ୍ମିକ ସତ୍ତା ତା’ ବାପା ମା’ଙ୍କ ଠାରୁ ଦୂରେଇ ଯାଇଚି । ଆମେରିକାନ୍‌ ତରୁଣ ଆଡ଼କୁ ତାର ଦେହ ଓ ମନ ଢଳି ପଡ଼ିଲାଣି—ସେ ଏକାବେଳକେ ବାପ ମା’ଙ୍କୁ ଭୁଲିଲାଣି । ଛଳନା କରିବାର କଥା କିଛି ନାଇଁ, ସେ କେବଳ ଆଲେନ୍‌ର କାର୍ଯ୍ୟକଳାପ ଓ ଅଭିଳାଷ ଜାଣିବା ପର୍ଯ୍ୟନ୍ତ ସତ୍ୟକୁ ଗୋପନ ରଖିଥିବ । ସେ ଅନେକ ଆମେରିକାନ୍‌ ତରୁଣଙ୍କୁ ଦେଖିଚି—ଜଣେ ବି କେହି ଆଲେନ୍‌ ପରି ନୁହେଁ । ଯେଉଁମାନଙ୍କୁ ସେ ଦେଖିଚି—ସେମାନେ ରାସ୍ତାରେ ଗଣ୍ଡଗୋଳ କରନ୍ତି, ଦୁଷ୍ଟ ପିଲାମାନେ ମଦ୍ୟପ ସୈନ୍ୟମାନେ, ଠେଲାଠେଲି କରୁଥିବା ବାଜେ ଲୋକମାନେ । ପ୍ୟାରେଡ଼୍‌ରେ ସେମାନେ ବିନୀତ ଓ ବାଧ୍ୟ ପରି ଜଣାଯାନ୍ତି । ଖୁବ୍‌ ଶୃଙ୍ଖଳାରେ ସେମାନଙ୍କର ପାଦ ଏକତ୍ର ଉଠେ ଓ ପଡ଼େ । ସେମାନେ ଏକ ଧାଡ଼ିରେ ମାର୍ଚ୍ଚିଂ କରନ୍ତି । ପ୍ୟାରେଡ଼ରେ କୁହା ନ ଯିବା ପର୍ଯ୍ୟନ୍ତ ସମାନେ ବାଁ ପଟ, ଡ଼ାହାଣ ପଟ ବା କେଉଁଠିକୁ ଚାହାନ୍ତି ନି । ଆଦେଶ ମାତ୍ରେ ସମସ୍ତଙ୍କ ଆଖି ଏକ ହୋଇ ଢଳିପଡ଼େ । ପ୍ୟାରେଡ଼ରେ ନ ଥିଲା ବେଳେ ସେମାନେ ଛିନ୍ନଛତ୍ର ହୋଇ ଖେଳେଇ ହୋଇଯାଆନ୍ତି । ଆଉ ପ୍ରତ୍ୟେକଟି ଅନ୍ୟମାନଙ୍କ ଭଳି ଗୋଳମାଳ କରନ୍ତି । ସେ ସେମାନଙ୍କୁ ଘୃଣା କରେ, ବିରକ୍ତ ହୁଏ, ସେମାନେ ଚାଲିଯିବା ଯାଏ କୌଣସି ଫାଟକ ତଳେ ଲୁଚିଯାଏ । ବେଳେ ବେଳେ ଜାପାନୀ କାଳିକାମାନଙ୍କୁ ସେମାନେ ନେଇଯାଆନ୍ତି । ଜୋସୁ ଏସବୁ ଘଟଣାରୁ ଦୂରରେ । ସେ ଅସଧାରଣ, ଏବଂ ଆଲେନ୍‌ ମଧ୍ୟ ଅସାଧାରଣ । ତେଣୁ ତାଙ୍କର ପ୍ରେମ ଅନ୍ୟମାନଙ୍କ ପ୍ରେମ ପରି ନୁହେଁ; ତଥାପି ସେମାନେ କ’ଣ କରିବା ଉଚିତ୍‌, ଜୋସୁ ଚିନ୍ତା କରିପାରିଲା ନାହିଁ ।

 

ସେ ମିଛସତ କରି ଅନ୍ୟମନସ୍କ ଭାବରେ ମା’ଙ୍କୁ ଉତ୍ତର ଦେଲା ।

 

ଖାଇ ସାରିବା ପରେ ଦେଖିଲା ତା’ର ମା ଚିନ୍ତାକୁଳ ଆଖିରେ ତା ମୁହଁକୁ ଚାହିଁଛନ୍ତି ।

 

‘‘ଏମିତି କିଛି ଘଟଣା ଅଛି କି—ଯାହା ତୁ ଭାବୁଚୁ, ମୋ ଆଗରେ କହୁନୁ ?’’ ମା ପଚାରିଲେ ।

 

‘‘ଗୋଟିଏ ଅଛିଣ୍ଡା ଅଙ୍କ କଥା ଭାବୁଚି—’’ ଜୋସୁ କହିଲା । ଏତେ ସହଜରେ ଏପରି ଉତ୍ତର ସେ ଦେଇ ପାରିଚି—ଏ କଥା ଭାବି ସେ ଆଶ୍ଚଯ୍ୟ ହୋଇଗଲା । ଚଳେଇନେଇ ସେ ନିହାତି ମିଛ କଥା କହିପାରିଲା । ଅନ୍ୟ ଦିନ ହୋଇଥିଲେ ସେ ମିଛ କହୁଚି ଭାବି ଦୁଃଖ କରିଥାନ୍ତା; କିନ୍ତୁ ଏଇ ମୁହୁର୍ତ୍ତରେ ଯେତେବେଳେ ତାହାର ସମସ୍ତ ମନ ଓ ରକ୍ତ ସେଇ ମଧୁର ଭାବାବେଶରେ ପରିପୂର୍ଣ୍ଣ—ସେ ମିଛ ପ୍ରତି ଖାତିର କଲା ନି ।

 

ସେ ଖୁବ୍‌ ଶୀଘ୍ର କାମ ଅଛି କହି ଉଠିଗଲା ଓ ସାଙ୍ଗେ ସଙ୍ଗେ ବିଛଣା ଧରିଲା । ରାତି ନିର୍ମଳ ଥିଲା । ବିଛଣା ଉପରୁ ସେ ଖୋଲାପର୍ଦ୍ଦ । ଦେଇ ତାରାଖଚିତ ଆକାଶକୁ ଚାହିଁଲା । ବୋଧହୁଏ ପବନ ଆର୍ଦ୍ର ଥିଲା ଓ ବେଳେ ବେଳେ ଥମି ଯାଉଥିଲା । ତାରାଗୁଡ଼ିକ ବାରି ହୋଇ ପଡ଼ୁଥିଲେ । ସେ ଗୁଡ଼ିକ ମିଟି ମିଟି କରୁ ନ ଥିଲେ । ଦୂରରୁ ସିଲକ୍‌ର ଲଣ୍ଠନ ପରି ସେ ଗୁଡ଼ିକ ହଳଦଆ ଆଲୋକ ବିଚ୍ଛୁରଣ କରୁଥିଲେ ।

 

ତା ଧାରଣାରେ ଆଲେନ୍‌ ଏକ ଆଶ୍ଚର୍ଯ୍ୟ ମଣିଷ ଭାବରେ ଠିଆ ହେଲା । ଆମେରିକାର ରୀତି ଅନୁସାରେ ଯେତେବେଳେ ଦି’ଜଣ ପ୍ରେମରେ ପଡ଼ନ୍ତ, ସେତେବେଳେ କିଛି ନ କରିବା ସମ୍ଭବ କି ? କିଛି ନା କିଛି ଗୋଟାଏ ସବୁବେଳେ କରିବାକୁ ହୋଇଥାଏ । କାଲିଫର୍ଣ୍ଣିଆରେ ପଢ଼ିଥିବା ମ୍ୟାଗାଜିନ୍‌ର ଗଳ୍ପସବୁ ସେମାନେ ପକାଇଲା । ପ୍ରେମର ପରିଣତି ବିବାହରେ । ପ୍ରଥମ ଚୁମ୍ୱନ, ତା’ପରେ ପରିପ୍ରକାଶ, ତା’ପରେ ବିବାହ ତିଥିପାଇଁ ଅନୁରୋଧ । ସେ ଚୁମ୍ୱନ ଗ୍ରହଣ କରିଚି ଓ ଆଲେନ୍‌ ପ୍ରେମ ପ୍ରକାଶ କରି ସାରିଲାଣି । ତେଣୁ କେବଳ ବିବାହ ତିଥିଟା ପଚାରିବାକୁ ତା’ ପକ୍ଷରେ ବାକି ଅଛି । ଚିରାଚରିତ ପ୍ରଥା ଅନୁଯାୟୀ ଏହା ହିଁ ହୁଏ । ଜାପାନରେ ଯୁଦ୍ଧଲାଗି ବହୁତ ପରିବର୍ତ୍ତନ ଆସିଛି । ତେଣୁ ଏଠିକା କଥା ନିଆରା । ଆମେରିକାରେ, ବିଶେଷତଃ ଭର୍ଜିନିଆରେ ଏହା ସମ୍ଭବ ହୋଇପାରେ ।

 

ସେ ଦୀର୍ଘଶ୍ୱାସ ଛାଡ଼ିଲା । ଆଲେନ୍‌ର ମୁହଁ ମନେପକାଇ ଟିକେ ଉଲ୍ଲସିତ ହଲା ଓ ଆସନ୍ତାକାଲିକୁ ଅପେକ୍ଷା କଲା ।

 

ତା’ ପରଦିନ ପାଗଟି ପୁଣି ସୂର୍ଯ୍ୟାଲୋକରେ ହସି ଉଠିଲା । ସୂର୍ଯ୍ୟାଲୋକ ପଡ଼ିବାରୁ ଜୋସୁ ଶୀଘ୍ର ଉଠି ପଡ଼ିଲା ଓ ମା’ଙ୍କୁ ଦେଖିଥିଲେ ବି ବାପାଙ୍କ ସାକ୍ଷାତ କରିବାକୁ ଗଲା ନି । ମା କହୁଥିଲେ ବାପା ଡ଼େରିରେ ଫେରିଲେ । କୋବରୀର ଅପରେସନ୍‌ ହେଲା । ଏବେ ବି ତାର ବିପଦର ଆଶଙ୍କା ରହିଚି । ଆପେଣ୍ଡିକ୍‌ସ ଫାଟିଯାଇଛଚି; ତେଣୁ ବାପା ଏବେ ବି ଉତ୍କଣ୍ଠିତ । ସେ ସକାଳ ହେବା ପର୍ବରୁ ଘରକୁ ଆସି ନ ଥିଲେ ଏବଂ କହିଚନ୍ତି ଯେ ଯଦି ସେ ନିଜେ ନ ଉଠିବେ, ତେବେ ସକାଳ ୯ଟାରେ ତାଙ୍କୁ ଉଠାଇ ଦିଆଯିବ ।

 

ଜୋସୁ ଆଠଟା ପୂର୍ବରୁ ଚାଲିଗଲା । ବାପାଙ୍କ ପାଇଁ ଭଲ ଖବର ସବୁ ଦେଇଗଲା ଓ ଅନ୍ୟ ସବୁ କଥା ଭୁଲିଗଲା । ଗତ ରାତିରେ ଛୋଟ ଏକ ଝଡ଼ହୋଇ ଯାଇଥିବାରୁ ରାସ୍ତାସବୁ ଓଦା ଥିଲା ଓ ଆକାଶ ଉଜ୍ଜ୍ୱଳ ଦିଶୁଥିଲା । ଆଲେନ୍‌ ସେହିଠାରେ ତାକୁ ଅପେକ୍ଷା କରିଥିଲା । ଏଥର ବୁଢ଼ା ଦରୁଆନ୍‌ଟି ଚିନ୍ତାନ୍ୱିତ ଭାବେ ରାସ୍ତାକୁ ଚାହିଁଥିଲା । ଜୋସୁ ସେଇଠି ଆଲେନ୍‌କୁ ଦେଖି ଠିଆ ହେଇଗଲା ଓ ଆଲେନ୍‌ କ୍ରମେ ତା ପାଖକୁ ଲାଗିଆସିଲା । କଲେଜର ପଶ୍ଚିମକୁ ଥିବା ସଂକୀର୍ଣ୍ଣ ଗଳି ମଧ୍ୟରେ ସେମାନେ ପରସ୍ପରକୁ ଭେଟିଲେ ।

 

‘‘ସେ ତୁମକୁ ଦେଖି ନି’’ ଅଲେନ୍‌—କହିଲା ।

 

‘‘ଆମେ ପଛ ରାସ୍ତାରେ ରେଳଷ୍ଟେସନକୁ ଯିବା । ଏଠୁ ନାରୀ ଯିବାକୁ ଘଣ୍ଟାକରୁ କମ୍‌ ସମୟ ଲାଗିବ ।’’ ଜୋସୁ କହିଲା ।

 

ସେମାନେ ତତ୍‌କ୍ଷଣାତ ହାତ ଧରାଧରି ହୋଇ ଓଦା ରାସ୍ତାରେ ନୀରବରେ ଆଗେଇଲେ । ଅଳ୍ପ ବର୍ଷାରେ ମୁଣ୍ଡ ଉପରେ ଝୁଲୁଥିବା ଗଛରୁ ପାଣିବୁନ୍ଦା ତାଙ୍କ ଉପରେ ପଡ଼ୁଥିଲା-। ସେ ଗୋଟିଏ ଉଜ୍ଜ୍ୱଳ ନୀଳରଙ୍ଗର ସୁତା ସ୍କାର୍ଟ ଏବଂ ପତଳା ଧଳା ବ୍ଳାଉଜ ପିନ୍ଧଥିଲା । ଏହି ପାଣିବୁନ୍ଦାଗୁଡ଼ିକ ଦେହରେ ଭିଜି ତା’ର ଚମ ଦେଖାଯାଉଥିଲା । ସେ ଟୋପି ପିନ୍ଧେ ନାଇଁ; ତେଣୁ ପାଣି ବୁନ୍ଦାମାନ ତା ମୁହଁ ଓ କେଶରେ ପଡ଼ୁଥିଲା ।

 

‘‘ଫୁଲ ଉପରେ ଶିଶିରବିନ୍ଦୁ ପଡ଼ିଚି’’ ଆଲେନ୍‌ କହିଲା ।

 

ଜୋସୁ ଅଳ୍ପ ହସି ପ୍ରେମସିକ୍ତ ଆଖିରେ ଆଲେନକୁ ଚାହିଁଲା ।

 

ପାଖ ଟ୍ରେନ୍‌ଟା ଭିଡ଼ି ନ ଥିଲା । ସେକେଣ୍ଡ କ୍ଳାସରେ ଯିବାକୁ ଆଲେନ ଜିଦ୍‌ କଲା । ଜୋସୁ ଦେଖିଲା, ଜଣେ ଆମେରିକାନ୍‌ ସହିତ ଭଲ ଜାପାନୀ ପରିବାରର ଝିଅ ଯାଉଥିବାର ଦେଖି ଲୋକମାନେ ବିସ୍ମୟ ଓ ଜିଜ୍ଞାସାରେ ଚାହୁଁଥିଲେ । ଜୋସୁକୁ ଭଲଲାଗିଲା ନି । ଏଥିରେ କିଛି ଘଟିବ ନି କିନ୍ତୁ ଲୋକେ ଅନୁମୋଦନ କରନ୍ତି ନି । ସ୍ତ୍ରୀ ଲୋକମାନେ ବିରକ୍ତିରେ ଓ ପୁରୁଷମାନେ ରାଗରେ ତାଙ୍କୁ ଚାହିଁଲେ । ସେ ଏହା ନ ଜାଣିବାର ଚେଷ୍ଟାକଲା ଓ ଟ୍ରେନ୍‌ ଗଲାବେଳେ ଗୋଟିଏ ପରେ ଗୋଟିଏ ସ୍ଥାନର ବର୍ଣ୍ଣନା ଇଂରାଜୀରେ ଶୀଘ୍ର ଶୀଘ୍ର କହିଗଲା ।

‘‘ନାରା ଜାପାନର ପ୍ରଥମ ଓ ସ୍ଥାୟୀ ରାଜଧାନୀ—’’ ସେ ପରିଷ୍କାର ଉଚ୍ଚକଣ୍ଠରେ କହିଲା-। ପ୍ରଥମେ ଆମର ନିର୍ଦ୍ଦିଷ୍ଟ ରାଜଧାନୀ ନ ଥିଲା । ଶାସକମାନେ ନିଜ ବାସସ୍ଥାନ ଅନୁସାରେ ରାଜଧାନୀ କରୁଥିଲେ । କିନ୍ତୁ ପ୍ରଥମ ଶତାବ୍ଦୀରେ ନାରା ସ୍ଥାୟୀ ହୋଇ ସାତଟି ରାଜତ୍ୱରେ ରାଜଧାନୀ ହେଲା ଓ ପରେ କିଓଟୋ ନିକଟବର୍ତ୍ତୀ ନାଗାଉକ। ହେଲା ରାଜଧାନୀ-

‘‘ନାରାରେ ଆମେ କ’ଣ ଦେଖିବା ?’’ ଆଲେନ୍‌ ପଚାରିଲା । ସେ ଜାଣିଥିଲା ଯେ, ତା’ ନିଜ ଅପେକ୍ଷା । ସହଯାତ୍ରୀମାନଙ୍କୁ ପ୍ରଭାବିତ କରିବା ଲାଗି ସେ କହୁଚି ।

‘‘କ’ଣ ତୁମେ ଚାହଁ....ସେଠି ଦୋକାନ, ରାଜବାଟୀ, ମନ୍ଦିର, ରମଣୀୟସ୍ଥାନ, ଭଗବାନ ବୁଦ୍ଧ, ରାଜୋଦ୍ୟାନ ଆଦି ଅଛି’’—ସେ ଉତ୍ତର ଦେଲା ।

‘‘ଉଦ୍ୟାନ—କ’ଣ ଭାରି ବଡ଼ ?’’ ସେ ହଠାତ୍‌ ପଚାରିଲା ।

‘‘ବାରଶହ ଏକରରୁ ବେଶି’’ ।

‘‘ଯାହାହେଉ, ଭଲ ଉଦ୍ୟାନଟିଏ ।’’

ଟ୍ରେନ ନାରା ଷ୍ଟେସନରେ ପହଞ୍ଚିବା ଯାଏ ଜୋସୁ ଗପି ଚାଲିଥାଏ ଓ ଯତ୍ନର ସହିତ ଆଲେନ୍‌ଠାରୁ ଦୂରରେ ବସିଥାଏ । ସେମାନେ ଗାଡ଼ିରୁ ଓହ୍ଲାଇଲେ ଓ ଲୋକ ଦେଖାଣିଆକୁ ଜୋସୁ ଯୋଡ଼ାଏ ରିକ୍‌ସା କଲା ଓ ସେମାନେ ପାର୍କକୁ ଗଲେ । ଯାତ୍ରୀମାନଙ୍କର ଦୋଷଯୁକ୍ତ ସନ୍ଦେହୀ ଚକ୍ଷୁର ଅପ୍ରୀତିକର ସ୍ମୃତିକୁ ଭୁଲିଯିବାକୁ ବହୁତ ସମୟ ଲାଗିଲା । ପାର୍କରେ ସେମାନେ ଘଣ୍ଟାଏ ଖଣ୍ଡେ ବୁଲିଲେ । ତା’ ପରେ ଏକ ନିଛାଟିଆ ଜାଗାକୁ ଆସିବା ପରେ ଆଲେନ୍‌ ତାର କାମନାକୁ ଅବଦମିତ କରିପାରିଲା ନାହିଁ । ଗୋଟିଏ ଗଳିରେ ସେ ଆଗେ ଆଗେ ଚାଲୁଥିଲା । ହଠାତ୍‌ ଜୋସୁ ପାଖକୁ ବୁଲିପଡ଼ି ତାକୁ ଦୁଇ ବାହୁରେ ଧରିନେଲା ।

ଚୁମ୍ୱନ ଗ୍ରହଣ କରିଲା ଭଳି ପ୍ରଶ୍ନ ଏଇଲେ ଆଉ ନାହିଁ । ଏବେ ଆଉ ଚୁମ୍ୱନ କିଛି ନୂଆ କଥା ନୁହେଁ । ଏହା ଜଣାଥିଲା ଓ ଏହା ଅତି ଉଗ୍ରଭାବେ ଭଲ ଲାଗୁଥିଲା । ଜୋସୁ ନୂଆ କିଛି ଚାହୁଁଥିଲା ଏବେ ବି ଏହା ପରୀକ୍ଷା ମୂଳକଭାବେ, ନିଜ ଚିନ୍ତାର ପରିପୂରକ ଥିଲା । ଆଲେନ୍‌ ପାଇଁ ଚୁମ୍ୱନଟା ଖାଲି ପ୍ରାରମ୍ଭ ମାତ୍ର । ଅପରଚିତକୁ ବି ବେଳେ ବେଳେ ଚୁମ୍ୱନ ଦିଆଯାଏ । ଏହା ଏକ ନିମନ୍ତ୍ରଣ—ସନ୍ଧାନର ଅନ୍ୟଦିଗ । ସେ ତାକୁ ବାରମ୍ୱାର ଚମ୍ୱନ କଲା; ପ୍ରତ୍ୟେକ ଥର ପୂର୍ବଥର ଅପେକ୍ଷା ଅଧିକ ନିବିଡ଼ ଓ ଆତ୍ମୀୟ ମନେ ହେଲା । ଗୋଟିଏ ବାହୁରେ ତା କଟି ବେଷ୍ଟନ କରିଥିଲା ଓ ଅନ୍ୟଟି ତା ଚିବୁକ ସ୍ପର୍ଶ କରିଥିଲା । ଚୁମ୍ୱନ ଶେଷ ହେଲାପରେ, ପରବର୍ତ୍ତୀ ପରିସ୍ଥିତି ପାଇଁ ସେ ଅସଂଯତ ଭାବରେ ବାଧ୍ୟହେଲା—ଜୋସୁକୁ ରାସ୍ତାରୁ ଟେକି ନେଇ ପାଇନ୍‌ ଆବୃତ ଘାସପଡ଼ିଆରେ ତାକୁ ଶୋଇଦେଲା । ସେ ନିଜେ ତା ପାଖରେ ଶୋଇ ପଡ଼ିଲା । ଅଧେ ତା’ ଉପରେ—ତାର ହାତ ଅଚାନକ ଭାବେ ଥରୁଥିଲା । ଦେହର ମାଂସପେଶୀ ହେଉଥିଲା ବାରମ୍ୱାର ସଙ୍କୁଚିତ ଓ ପ୍ରସାରିତ ।

ଜୋସୁ ଆଲେନ୍‌କୁ ଏପରି ବ୍ୟଗ୍ର ହେବାର କାରଣ ପ୍ରଶ୍ନକଲା । ସେ ତା’ର ହାତ ଧରିଲା ଓ ମୁହଁକୁ ଜୋରରେ ଦୂରକୁ ଠେଲିଦେଲା ।

‘‘ରହ’’ ! ସେ ଚୁପ୍‌ ଚୁପ୍‌ କହିଲା ‘‘ଏପରି କରିବ ଠିକ୍‌ ନୁହେଁ ଆଲେନ୍‌ କେନେଡ଼ି—ନାଁ ତା’ କଣ୍ଠର ଭର୍ତ୍ସନା ଅତି ତୀବ୍ର ଥିଲା । ଆଲେନ୍‌ର ଇଚ୍ଛା ବିରୁଦ୍ଧରେ ତା’ର ଭର୍ଜିନିଆର ବଡ଼ ଧଳା ଘରେ ବିତିକ୍ରିୟାଶୀଳ ହେଲା । ଯୁଦ୍ଧ ବର୍ଷଗୁଡ଼ିକ ଅତି ଅବସାଦକର ଥିଲା; ସେ ଏକ ଯଥାର୍ଥ ଅସନ୍ତୋଷ ଭୋଗୁଥିଲା—ଜୀବନ ମରଣକୁ ଏକତ୍ର ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଆଜିକାଲିର ଯୁବପ୍ରାଣର ସକଳ ଅବସାଦ ଓ ଅସନ୍ତୋଷ ତା ମନରେ ହେଉଥିଲା । ପୁଞ୍ଜୀଭୁତ । କିନ୍ତୁ ତାର ଅସନ୍ତୋଷ ଥିଲା ଉନ୍ନତ ଧରଣର । ଏଇ ଅଳ୍ପ କେତେକ ବର୍ଷ ଜାପାନର ରହଣୀ ଏହାକୁ ଦୂର କରିପାରି ନ ଥିଲା ।

ଜୋସୁର କାତର ସ୍ୱରରେ ତା’ର କାମନା ଶାନ୍ତ ହୋଇଗଲା ଏବଂ ସେ ଜୋସୁର ଛାତିରେ ମୁହଁ ଲୁଚାଇ ଚୁପ୍‌ହୋଇ ପଡ଼ିରହିଲା ।

କେତେ ମିନିଟ୍‌ ପାଇଁ ଜୋସୁ ଆଲେନ୍‌ର ମୁଣ୍ଡର ଓଜନକୁ ନିଜ ଛାତି ଉପରେ ସମ୍ଭାଳି ନେଇ ନିସ୍ପନ୍ଦ ହୋଇ ପଡ଼ି ରହିଲା; ତା ପରେ ସେ ଧୀରେ ଘୁଞ୍ଚିଗଲା ଏବଂ ଗତକାଲି ପରି ସେ ବସିପଡ଼ିଲା—ଆଲେନ୍‌ ଚିତହୋଇ ଶୋଇ ଗଛଗୁଡ଼ାକୁ ଚାହୁଁ ଥିଲା । ଜୋସୁ ହିଁ ପ୍ରଥମେ ଉଦ୍ଦେଶ୍ୟ ମୂଳକ ଭାବେ କଥା କହିବାକୁ ଆରମ୍ଭ କଲା ।

‘‘ମୁଁ ଠିକ୍‌ ଜାଣେ ନି...ମୁଁ ପ୍ରକୃତରେ କ’ଣ, ଅଧିକ ଜାପାନୀ କି ଅଧିକ ଆମେରିକାନ୍‌ । ମୁଁ ଭାବୁଚି—ମୁଁ ବାପାଙ୍କ ଝିଅ ଛଡ଼ା ଆଉ ଅଧିକ କିଛି । ମୁଁ ଜଣେ ସାକାଇ, ଆମେ ସାଧାରଣ ଲୋକ ନୋହୁଁ । ଆମେ ବରଂ ଉଚ୍ଚବଂଶଜ । ତୁମେ ଓ ମୁୀଁ ପରସ୍ପରକୁ କିପରି ଭଲପାଉ, ଏହା ପରୀକ୍ଷଣୀୟ, ଆମେ ସ୍ଥିର କରିବା, ଆମେ ବିଦାୟ ନେବା, କିମ୍ୱା...’’

ସେ ଆଉ କହିପାରିଲା ନି । ଯଦି ଆଲେନ୍‌ କହେ ‘‘ଆମେ ବିଦାୟ ନେବା’’ ତା ହେଲେ କ’ ଯେ ତା’ର ଦଶା ହେବ—ତା ସେ କଳ୍ପନା ର ବି ସହ୍ୟ କରପାରିଲା ନି । ତା ବାପାଙ୍କର ରୁକ୍ଷ, ସୁନ୍ଦର ମୁଖମଣ୍ଡଳକୁ ମନେ ପକାଇ ସାକାଇବଂଶର ଗର୍ବରେ ତା’ର ନିଜକୁ ଶକ୍ତିଶାଳୀ କରିବା ଉଚିତ୍‌ । ଆମେରିକାର ଅବରୁଦ୍ଧ ଶିବିର ଅପେକ୍ଷା ତା ବାପା ଜାପାନକୁ ପସନ୍ଦ କରନ୍ତି ।

‘‘ଆମେ ଆଜି ସବୁ ସ୍ଥିର କରିବା କି ?’’ ସେ ପଚାରିଲା ।

‘‘ନିଶ୍ଚୟ’’ ଜୋସୁ ଜୋର୍‌ରେ ମୁଣ୍ଡ ହଲାଇ କହିଲା ।

‘‘କାହିଁକି ?’’

ସେ ଟିକେ ଇତସ୍ତତଃ ହୋଇ ଦୃଢ଼ ଭାବରେ କହିଲା, ‘‘କାରଣ ଯେତେବେଳେ ଆମେ ଏକୁଟିଆ—ତୁମେ ମତେ ଆକ୍ରମଣ କରୁଚ ।’’

ଏ ପ୍ରକାର ସାହସିକତାରେ ଆଲେନ୍‌ ଭୀତ ହୋଇପଡ଼ିଲା ।

‘‘ଆଚ୍ଛା ଜୋସୁ—ଆସ ।’’

‘‘ଏ ଆକ୍ରମଣ ନୁହେଁ କି ?’’ ସେ ଦାବୀ କଲା । ତାର ଦୀର୍ଘ ଉଜ୍ଜ୍ୱଳ ଆଖିର ଚାହାଣୀରେ ସେ ଆଲେନ୍‌କୁ ଚାହିଁଲା ।

‘‘ତୁମେ ସାଧାସିଧା କହିବାକୁ ଚାହିଁଲେ, ମୁଁ ବି ସେଇଆ ଭାବୁଚି’’ ଆଲେନ୍‌ କହିଲା ।

 

‘‘ମୁଁ ନିଜକୁ ବି କ୍ଷମା ଦେଉ ନି’’—ମୁଁ ଯଦି ତୁମ ସହିତ ଏକୁଟିଆ ନିଜକୁ ଛାଡ଼ିବି, ତେବେ ଦାୟିତ୍ୱ ମୋର ହେବ ।’’ ଜୋସୁ ଶୀଘ୍ର କହିପକାଇଲା । ‘‘ଏ ଲମ୍ୱା କଥାଗୁଡ଼ାକ ତୁମେ କାଲିଫର୍ଣ୍ଣିଆରେ ଶିଖିଚ ?’’

‘‘ମୁଁ ୟାକୁ କାଲିଫର୍ଣ୍ଣିଆରେ ଶିଖି ନି । ମୁଁ ଏଇଠି ଜାପାନରେ ବାପାଙ୍କଠାରୁ ଶିଖିଚି ।’’

‘‘ବାପା ଖୁବ୍‌ କଡ଼ା ।’’

‘‘ବୋଧହୁଏ ।’’

ଯେତେବେଳେ ଆଲେନ୍‌ ଏଥିରେ କିଛି ନ କହିଲା—ଜୋସୁ କହିଲା, ‘‘ବୋଧହୁଏ ରାଗି–ଗୋଟିଏ ଝିଅ ପାଇଁ ତାହା ଭଲ ।’’ ସେ ନିଜର ଆଣ୍ଠୁ ଚାରିପାଖେ ବାହାକୁ ଛନ୍ଦି ମୁଣ୍ଡ ତଳକୁ ନୋଇଁ ବସିରହିଲା ।

ତା’ ବେକର ପଛପଟ ଫକା ଓ ଚିକ୍‌କଣ । ତା’ର ଜୁଡ଼ାରୁ ପଛପଟେ ଖସି ଯାଇଥିବା କେତୋଟି ସରୁ କେଶ ପାଇନ୍‌ ବାସ୍ନାଯୁକ୍ତ ପବନରେ ହଲିଯାଉଚି । ତା କାନ୍ଧ ଉପରେ ମୁଣ୍ଡଟି ଭାରି ସୁନ୍ଦର ଦିଶୁଚି । ତାର ବହୁ ଗୌର ଓ ବର୍ତ୍ତୁଳ । ତା’ ବ୍ଳାଉଜ ହାତ କହୁଣୀ ପର୍ଯ୍ୟନ୍ତ । ସେ ଗୁଡ଼ିକ ବି ସୁନ୍ଦର । ଅଧିକାଂଶ ଜାପାନୀ ଝିଅଙ୍କର ହାତ ଗୋଡ଼ ସୁନ୍ଦର ନୁହେଁ । ସେ ଧଳା ମୋଜା ଓ ସାଣ୍ଡାଲ ପନ୍ଧିଚି । ଆଲେନ୍‌ ତାର ପାଦ ଦେଖିପାରୁ ନାହିଁ ।

‘‘ତୁମେ ଯୋତା ଓହ୍ଲାଇ ଦିଅ, ମୁଁ ତୁମର ଛୋଟ ପାଦ ଦୁଇଟି ଦେଖେଁ । ତୁମର ହାତ ଦୁଇଟି ପରି ପାଦ ଦୁଇଟି ସୁନ୍ଦର କି ?’’ ସେ ହଠାତ୍‌ କହିଲା ।

ଜୋସୁ ଲଜ୍ଜାରୁଣ ହୋଇ ଉଠିବା ଦେଖି ଆଲେନ୍‌ ଆଶ୍ଚର୍ଯ୍ୟ ହେଲା । ସେ ଶୀଘ୍ର ଉଠିପଡ଼ି ଆଲେନ୍‌ଠୁଁ ଦୂରେଇ ଗଲା । ‘‘ମୁଁ ବର୍ତ୍ତମାନ ତୁମ ପାଖରେ ରହିବି ନି ।’’ ସେ ରାଗିକରି କହିଲା । ମୁଁ ଆଦୌ ରହିବି ନି । ତୁମେ ବେଶ୍‌ ମତେ ଅପମାନ୍‌ ଦେଇପାରୁଚ—ଆଲେନ୍‌ କେନେଡ଼ି-। ମୋର ନିହାତି ଆତ୍ମସମ୍ମାନ ଜ୍ଞାନ ଅଛି । ମୋ ପାଇଁ ଏତିକି ଯଥେଷ୍ଟ । ତୁମେ କ’ଣ ବର୍ତ୍ତମାନ ଅନୁଭବ କରୁଚ—ମୁଁ ଜାଣୁଚି । ପ୍ରେମ ? କ’ଣ ସିଏ ? ମୁଁ ଏପରି ପ୍ରେମ ଚାହେଁ ନାହିଁ-?’’

ସେ ଚାଲି ଯାଉଥିଲା—ଆଲେନ୍‌ ଡ଼େଇଁପଡ଼ି ତା ପଛେ ପଛେ ଧାଇଁଗଲା ଓ ତାର ହାତକୁ ଧରି ପକାଇଲା । ‘‘ଜୋସୁ ! କ’ଣ ମୁଁ କହିଲି ଯେ ! କାହିଁକି ତୁମକୁ ଅପମାନ ହେଲା ଶୁଣେ-! ମୁଁ କ’ଣ କିଛି ନ ବୁଝିଲା ପରି କହି ଦେଇଚି କି ! ତାର କାନ୍ଧକୁ ଧରି ପକାଇଲା, ‘‘ଜାସୁ–କୁହ-?’’

ଜୋସୁ ରାଗ ନିଆଁ ହୋଇଗଲା । ତା ଆଖି ଗୁଡ଼ାକ ଜଳି ଉଠିଲା । ଗାଲ ନାଲି ପଡ଼ଗଲା । ଓଠ କୁଞ୍ଚିତ ହୋଇଗଲା । ‘‘ତୁମେ ମତେ ଉତ୍ତର ଦେଉନା ଆଲେନ୍‌ କେନେଡ଼ି ? ମୁଁ କହିଲି ଆମେ କ’ଣ କରିବା; ତୁମେ କହୁଚ ମତେ ପାଦ ଦେଖାଅ..... ।’’

ସେ କମ୍ପି ଉଠି ମୁଣ୍ଡ ବୁଲାଇନେଲା ଓ ତା ଆଖିରୁ ଲୁହ ଝରି ପଡ଼ିଲା । ଆଲେନ୍‌ ନରମି ଯାଇ ସତ୍ୟ ପ୍ରକାଶ କରିବାକୁ ବାଧ୍ୟହେଲା, ‘‘ମୁଁ ଉତ୍ତର ଦେଲିନାଇଁ ଡ଼ାର୍ଲିଙ୍ଗ୍‌ ତାର କାରଣ କ’ଣ ଉତ୍ତର ଦେବି ଜାଣି ପାରିଲି ନି ।’’

‘‘ତୁମେ ଯଦି ନ ଜାଣ, ତେବେ ତୁମର ମତେ ଆଦୌ ସ୍ପର୍ଶ କରିବା ଉଚିତ୍‌ ନୁହେଁ ।’’

ଆଲେନ୍ ହାତ ଜୋସୁ ଉପରୁ ଖସି ପଡ଼ିଲା, ‘‘ଠିକ୍‌ କହିଚି ।’’

 

ଜୋସୁ କହିଚାଲିଲା, ‘‘ଯଦି ନ ଜାଣ, ତେବେ ଦୟାକରି ଆଜି ଟୋକିଓରୁ ଆମେରିକାକୁ ଫେରିଯାଅ–ତୁମେ ଯେ ମତେ ଦେଖିଚ–ଏ କଥା ଭୁଲିଯାଅ, ଆଉ ମତେ ବି ଭୁଲିବାକୁ......’’

 

‘‘ଜୋସୁ, ତୁମେ ଭୁଲିଯାଇ ପାରିବ ?’’

 

‘‘ହଁ, ବର୍ତ୍ତମାନ ସୁଦ୍ଧା ପାରିବି, କିନ୍ତୁ ୟା’ ପରେ କହିପାରୁ ନି ।’’

 

ଆଲେନ୍‌ ତାର ପତଳା ଓଜନିଆ ଚେହେରାକୁ ଚାହିଁ ଠିଆ ହୋଇରହିଲା ଏବଂ ଆଲେନ୍‌ର ନୀରବତା ଦେଖି ଜୋସୁ ହଠାତ୍‌ କହିଲା, ‘‘ମୁଁ ଘରକୁ ଯିବାକୁ ଚାହେଁ ।’’

 

ତେଣୁ ସେ ଦୁହେଁ କିଓଟୋକୁ ଥିବା ଟ୍ରେନ୍‌ର ଚାଲିଆସିଲେ ଏବଂ ଷ୍ଟେସ୍‌ରେ ସେମାନେ ଜୋସୁର ଇଚ୍ଛାନୁଯାୟୀ ଅଲଗା ଅଲଗା ହୋଇଗଲେ ।

 

‘‘ଜୋସୁ ତଥାପି—ମୁଁ ତୁମକୁ ଭୁଲିପାରିବି ନି ।’’

 

‘‘ହଁ, ତୁମେ ଭୁଲିଯିବ ।’’

 

‘‘ମୁଁ ଯଦି ଭୁଲି ନ ପାରେ—ତୁମକୁ ଲେଖିବି କି ?

 

‘‘ତୁମେ ଲେଖିବ ନାହିଁ ।’’

 

ବିଦାୟ ସମ୍ଭାଷଣ ନ ଜଣାଇ ଜୋସୁ ଏକ ଦୀର୍ଘ ଆହତ ଚାହାଣୀ ଚାହିଁଦେଇ, ଚାଲିଗଲା । ତା ପରେ ଯଦିଓ ଆଲେନ୍‌ ତାକୁ ଲୋକମାନଙ୍କ ଭିତରେ ଲୁଚିଯିବା ଯାଏଁ ଚାହିଁ ରହିଥିଲା—ସେ ଆଉ ଥରେ ବି ଫେରି ଚାହିଲା ନି ।

 

ଆଲେନ୍‌ ହୋଟେଲକୁ ଫେରି ତା’ର ଜିନିଷପତ୍ର ବାନ୍ଧି ଟୋକିଓକୁ ପରବର୍ତ୍ତୀ ରେଳଗାଡ଼ିରେ ପଳାଇଲା । ସେ ଆଉ ଛୁଟି ଚାହିଁଲା ନି । ସେ ଯେତେ ଶୀଘ୍ର କାମକୁ ଫେରିଯିବ, ସତେ ଭଲ ।

 

କୋବରୀ ଟିକେ ଭଲଅଛି—ତା ଦେହ ବେଶ୍‌ ସଫା ହୋଇଗଲାଣି । ନୂଆ ଔଷଧ ଭଲ କାମ ଦେଇଚି, ତାର ବାପା କହିଲେ ।

 

‘‘ବାଃ ଭଲ ହେଲା ତ’’—ଜୋସୁ କହିଲା ।

Unknown

 

ବାପା ଜାଣିଥିଲେ ଯେ ଜୋସୁର କିଛି ଅଘଟଣ ଘଟିଚି ଏବଂ ଆଜି ସକାଳ ସ୍ତ୍ରୀଙ୍କ ସହିତ ଏ ବିଷୟରେ କଥାବର୍ତ୍ତା ହୋଇଥିଲେ ।

 

‘‘ସେ ମତେ କିଛି କହି ନି । ମୁଁ ଯଦି ତାକୁ ତା’ର ଦୁଃଖର କାରଣ ପଚାରୁଚି, ସେ ମୋ ଉପରେ ରାଗି ଯାଉଚି । କହୁଚି ସେ ଦୁଃଖିତା ନୁହେଁ’’—ଶ୍ରୀମତୀ ସାକାଇ କହୁଥିଲେ ।

 

ତାଙ୍କର ସବୁଦିନିଆ ଧାରଣା ନେଇ ଡକ୍ଟର ସାକାଇ କହିଲେ, ‘‘ସେ ଜାଣେ ନାଇ କ’ଣ ତା’ର ହେଇଚି, ତାର ଦେହ ଖରାପ ଅଛି, ତା’ର ବିବାହ ବେଳ ହେଲାଣି ବୋଲି ସେ ଜାଣିନି । ମୁଁ ଏଣିକି ଏଥିପାଇଁ ଚେଷ୍ଟାକରିବି ।’’

 

ଅନ୍ୟଦିନ ହୋଇଥିଲେ ଶ୍ରୀମତୀ ସାକାଇ ଧୈର୍ଯ୍ୟ ଧରିଥାନ୍ତେ, କିନ୍ତୁ ଆଜି ସକାଳେ କେଜାଣି କାହିଁକି ସେ କହିଲେ, ‘‘ତୁମେ ଠିକ୍‌ କଥା କହୁଚ ?’’

 

ପରେ ଦିନବେଳା ଡକ୍ଟର ସାକାଇ ଜୋସୁ ସଙ୍ଗେ କଥାବାର୍ତ୍ତା କରୁ କରୁ କହିଲେ, ‘‘କୋବରୀକୁ ଯଥାର୍ଥରେ ଜାପାନୀ ଯୁବକ ବୋଲି କହିହେବ । ତଥାପି ସେ ଆଧୁନିକ । ସେ ଅତି ଉଚ୍ଛୃଙ୍ଖଳ ନୁହେଁ, ସେ ବାପାଙ୍କ ସମ୍ମାନ ଦେଖେଇଲେ ବି ତାଙ୍କଠୁ ଅଧିକ କିଛି କରିବ । ଦିନେ କୋବରୀ ବେଶ୍‌ ଜଣାଶୁଣା ଲୋକ ହେବ । ମୁଁ ଭାବୁଚି, ତୁ ବୋଧହୁଏ ତାର ସୁନ୍ଦର ସ୍ୱାସ୍ଥ୍ୟ ଦେଖିଚୁ-। ମୁଁ ଯେତେବେଳେ ଇଂଜେକ୍‌ସନ ଦେଲି ତା’ ରକ୍ତ ଭାରି ସ୍ୱଚ୍ଛ ଓ ନାଲି ଥିଲା ।’’ ରୁଷ ଭାବରେ ଜୋସୁ ତାଙ୍କ ମନେ ପକାଇଦେଲା—‘‘କିନ୍ତୁ ତାର ଯେ ଆପେଣ୍ଡିକ୍‌ସ ରୋଗ ହୋଇଚି-!’’

 

ଡକ୍ଟର ସାକାଇ ନ ଶୁଣିଲା ପରି କହିଲା, ପିଲାଦିନେ ଆପେଣ୍ଡିକ୍‌ସ ଭେଷ୍ଟିଜ ପ୍ରାୟ ହୁଏ-। ବଡ଼ ହେଲେ ଭଲ ହୋଇଯାଏ । ଏଥିପାଇଁ କୋବରୀକୁ ଦୋଷ ଦିଆଯାଇ ନ ପାରେ । ଏବେ ଆଉ ତାର କଷ୍ଟ କିଛି ନାଇଁ ।

 

ସେ କୋବରୀ କଥା ନ ପକେଇବାକୁ ଚାହୁଁଥିଲା, କିନ୍ତୁ ନିଜକୁ କୌଣସି କାରଣରୁ ସେଥିରୁ ନିବୃତ୍ତି କରି ନ ପାରି ସେ ଅତି ବିବ୍ରତ ସ୍ୱରରେ ପଚାରିଲା, ‘‘ବାପା, ତୁମେ କ’ଣ ଭାବୁଚ କାହିଁକି କହୁ ନା, ତୁମେ ମତେ କୋବରୀ ସହିତ ବିଭା ଦେବାକୁ ଇଚ୍ଛ କରୁଚ, ଏ କଥା କହୁନାହଁ କହିଁକି ?’’ ଡକ୍ଟର ସାକାଇ ପୁରାପୁରି ରାଗିଗଲେ । ‘‘ତୁ ଅତି ବିରକ୍ତିକର କଥା କହୁଚୁ’’ ସେ ଚତ୍କାର କଲେ । ତୁ ଭଲକରି ଜାଣୁ ମୁଁ କାହିଁକି ତୋତେ ସତକଥା କହିବାକୁ ସାହସ କରୁ ନି । ଆମେରିକାନ୍‌ ଝିଅମାନଙ୍କ ଭଳି ତୁ ଯଦି ଜାଣୁ ମୋ କଳ୍ପନା ବିଷୟରେ, ତା ହେଲେ ତୁ କଳ୍ପନାକୁ ଚୂନା କରିଦେବୁ-

 

ସେ ରାଗିଥିବାରୁ ଦୁଃଖିତ ହେଲେ ଓ ଜୋସୁ କ’ଣ କହିବ, ଶୁଣିବାକୁ ପ୍ରସ୍ତୁତ ହେଲେ । ନିଶ୍ଚୟ ସବୁ ବିଗିଡ଼ିଗଲା, ଜୋସୁ କେବେ ରାଜି ହବ ନି; କିନ୍ତୁ ତାର ନମ୍ର ଭାବ ଦେଖି ସେ ଆଶ୍ଚର୍ଯ୍ୟ ହେଲେ ।

 

‘‘ବାପା, ମୁଁ ବଦଳିବାକୁ ଆରମ୍ଭ କରୁଚି, ମୁଁ ବହୁତ ଭାବି ଦେଖିଲିଣି, ମୁଁ ଜାଣୁଚି—ତୁମରି ଉପଦେଶ ଅନୁଯାୟୀ ମୁଁ ଜଣେ ଜାପାନୀକୁ ବିଭାହେବା ଭଲ । ମୁଁ ବେଳେବେଳେ ପୁଣି ଆମେରିକା ଯିବାକୁ ଭାବେ; କିନ୍ତୁ ମୁଁ ଆଉ ସେ କଥା ଆଦୌ ଭାବିବି ନି । ମୁଁ ଏଇଠିକ ଝିଅ । ତେଣୁ କୋବରୀ ହେଉ ବା ଯେ କେହି ହେଉ ତାକୁ ମୁଁ ବିଭାହେବି ତୁମେ କହୁଚ ସେ ଭଲ । ମୁଁ ବି ଗୋଟିଏ ଭଲ ମଣିଷ ଚାହେଁ ।’’

 

ସେ ଏତେ ଚିନ୍ତାକୁଳ, ସ୍ଥିର ଓ ବିଷର୍ଣ୍ଣ ଭାବେ କହିଲା ଯେ, ବାପା ଭାବିପାରିଲେ ନି, ଜୋସୁ ଏହା କହୁଚି ବୋଲି । ସେ ରାଗ ଶାନ୍ତ କଲେ । କହିଲେ, ‘‘ଜୋସୁ ମା ମୋର ! ଏତେ ବୁଦ୍ଧି, ମୁଁ ଆଶ୍ଚର୍ଯ୍ୟ ହେଉଚି ! ତୁ କ’ଣ ଚାହୁଁଚୁ ମୁଁ କୋବରୀ ବାପାଙ୍କୁ କହିବି ? କହ ତ—ମୁଁ କ’ଣ କରିବାକୁ ତୁ ଇଚ୍ଛାକରୁ ?’’

 

ସେ ଆନତ ଦୃଷ୍ଟିରେ ବାପାଙ୍କୁ ଚାହିଁ କହିଲା—‘‘ଯାହା ତୁମର ଇଚ୍ଛାବାପା !’’ ଡକ୍ଟର ସାକାଇ ଆଶ୍ଚର୍ଯ୍ୟ ହେଲେ ଓ ପଚାରିଲେ, ‘‘ତୋ ଦେହ ଖରାପ ନାହିଁ ତ ଝିଅ ?’’

 

‘‘ନାଁ ବାପା, ଅନ୍ୟଦିନଗୁଡ଼ିକ ଅପେକ୍ଷା ମୁଁ ବେଶ୍‌ ଭଲ ଅଛି ।’’ ବାପାଙ୍କୁ ଚକିତ ହେବାର ଦେଖି ସେ ହସିବାକୁ ଚେଷ୍ଟା କଲା । ତା ପରେ କହିଲା, ‘‘ମୁଁ ତ ବଡ଼ ହେଲାଣି, ତୁମେ ଜାଣଟି ମତେ କୋଡ଼ିଏ ବର୍ଷ ହେଲାଣି ?’’

 

ଡକ୍ଟର ସାକାଇ ଖୁସି ହେଲେ ବି ଅସ୍ୱସ୍ତି ଅନୁଭବ କଲେ । ‘‘ମନେରଖ, ମୁ ତତେ ତରବର କରିବି ନି ।’’ ସେ ଶାନ୍ତ ଭାବେ କହିଲେ, ‘‘ମୁଁ ତତେ ବ୍ୟସ୍ତ କରିବାକୁ କୋବରୀକୁ କହିବି ନି-।’’ ଜୋସୁ ବାପାଙ୍କୁ ଧନ୍ୟବାଦ ଜଣାଇଲେ ଓ ଟିକେ ନଇଁପଡ଼ିବା ଭଙ୍ଗୀରେ ବାପାଙ୍କ ପାଖରୁ ଦୂରେଇଗଲା । ସେ ପୋଖରୀ ପାଖ ବଗିଚାକୁ ଗଲା । ପାଣିରୁ ଚକ୍‌କଣ ଗୋଲ ପଥର କେତୋଟି ବାଛି ପାହାଚରେ ଯତ୍ନରେ ସଜାଡ଼ି ରଖିଲା ଓ ଅସୁନ୍ଦର ପଥରଗୁଡ଼ିକ ଫୋପାଡ଼ିଦେଲା । ସେ ଏହି କ୍ରମରେ କୋଡ଼ିଏଟି ପଥର ରଖିଲା । ସ୍ଥିର ପାଣିରେ କେତୋଟି ତରଙ୍ଗ ଚହଲି ଉଠିଲା । ସେ ଏତେ ଧୀରେ ପଥରଗୁଡ଼ିକୁ ପାଣିରୁ ଗୋଟାଇଲା ଯେ ପାଣିରେ ଥିବା ତା’ର ପ୍ରତିବିମ୍ୱ ଟିକିଏ ହେଲେ ବି ହଲଚଲ ହେଲା ନାଇଁ ।

 

ଆଲେନ୍‌ ତା ପାଖକୁ ଖଣ୍ଡେ ଚିଠି ବି ଲେଖି ନି । ସେମାନେ ପରସ୍ପର ବିଦାୟ ନେବାର ମାସେ ହେଲାଣି । ଆଜିଯାଏ ସେ ତା ପାଖକୁ ଚିଠି ଦେଇ ନି । ଜୋସୁ ତା’ର ଠିକଣା ଯାଣି ନି; ଭଲ ହୋଇଚି । ତେଣୁ ସେ ତା ପାଖକୁ ଚିଠି ଲେଖିପାରିବ ନି । ପ୍ରଥମେ ପ୍ରଥମେ ଘଣ୍ଟା ଘଣ୍ଟା ଧରି ତାର ବିନିଦ୍ର ରାତି ବିତିଛି । ସେ ହୁଏ ତ ସେତେବେଳେ ଦୁଃଖ ଓ ଦୁର୍ବଳତାବଶତଃ ଚିଠି ଲେଖି ଦେଇଥାନ୍ତା । ସେ ହୁଏତ ତାକୁ ଆସିବାକୁ ଅଳି କରିଥଆନ୍ତା ବା ନିଜେ ତା ପାଖକୁ ଯିବାକୁ ଚାହିଁ ଥାଆନ୍ତା । ସେ ଯଦି ଏପରି ଲେଖିଥାଆନ୍ତା ଓ ଆଲେନ୍‌ ଉତ୍ତର ଦେଇଥାନ୍ତା, ତା ହେଲେ ତାକୁ ଗୋଟାଏ ନିର୍ଦ୍ଦିଷ୍ଟ ବାଟ ହୁଏ ତ ବାଛି ନେବାକୁ ପଡ଼ିଥାନ୍ତା । ବର୍ତ୍ତମାନ ବୁଝିବା ଶୁଝିବା ବୟସ ତା’ର ହୋଇଚି । ତାର ଆତ୍ମଭିମାନ ଚେଇଁ ଉଠିଚି । ତେଣୁ ତାଙ୍କର ପ୍ରେମର ଗଭୀରତା ଭିତରେ ବରଂ ଦୈହିକ କାମନାର ଅପବିତ୍ରତା ନ ରହିବା ଭଲ ।

 

କ୍ରମେ ସପ୍ତାହ ପରେ ସସ୍ତାହ ଅପେକ୍ଷାରେ ବିତିଲା । ଗୋଟିଏ ପରେ ଗୋଟିଏ ବିନିଦ୍ର ରଜନୀ ଚାଲିଗଲା । ତାର ଭବିଷ୍ୟତ ତାକୁ ସହଜ ଜଣାଗଲା । ଅତି ସରଳ ଭବିଷ୍ୟତ; ଜାପାନୀ ନାରୀର ନିହାତି ଯେଉଁ ଜୀବନ....ବିବାହ, ସ୍ୱାମୀ, ସନ୍ତାନ ଓ ଗୃହ ନେଇ ଗଢ଼ି ଉଠିଥାଏ । ଯେତେ ଆଧୁନିକ ନାରୀ ହେଲେ ବି ଏଇ ଅବଶ୍ୟମ୍ଭାବୀ ପରିଣତିକୁ କେହି ବଦଳାଇ ନାହଁ; ବଦଳାଇ ପାରିବ ନାହିଁ । ତେଣୁ ସେ ଠକ୍‌ ବାପାଙ୍କୁ କହିଚି, କୋବରୀ ତା ପାଇ ମନ୍ଦ ହେବ ନାହିଁ ।

 

କ୍ରମେ କୋବରୀ କଥା ଭାବିବାକୁ ସେ ନିଜକୁ ଅଭ୍ୟସ୍ତ କଲା । ତାର ମଳିନ ବଡ଼ ମୁହଁ, ତା’ର ଓଜନିଆ ଚେହେରା ଓ କରୁଣ ସରଳ ଭାବଭଙ୍ଗୀକୁ ମନେ ମନେ ଭାବିଲା । ସେ ଠିକ୍‌ ଭାବରେ ତା ସ୍ୱରକୁ ମନେ ପକାଇଲା । ଏକ ଗମ୍ଭୀର ସ୍ୱର–ସୁନ୍ଦର, ଧୀର ଖଣ୍ଡି ଖଣ୍ଡି କଥା ବୋଧହୁଏ ଟିକେ ରହି ରହି ସେକହେ । ସେ ଇଂରାଜୀ କମ୍‌ କହେ । ‘‘ମୁଁ ଭାଷାରେ ପ୍ରବୀଣ ନୁହେଁ-।’’ —ଥରେ ସେ ତାକୁ କହିଥିଲା । ସେ ବୋଧହୁଏ ନିଜକୁ ଖାତିରି କରୁ ନ ଥିଲା । ଯା ହେଲେ ବି ସେ ପ୍ରତିଘାତପରାୟଣ ହେବାକୁ ଚାହେଁ । ସେ ଅନ୍ୟକୁ ଆଘାତ ଦେବାକୁ ଭଲପାଏ ନାହିଁ । ସେ କେବେ ତା’ ଉପରେ ନିଜର ପ୍ରଭୁତ୍ୱ ଜାହିର କରିବ ନି । ତେଣୁ ସମୟକ୍ରମେ ସେ ତାକୁ ଯଥେଷ୍ଟ ଭଲ ପାଇପାରିବ । ନିହାତି ସେ ତାକୁ ସମ୍ମାନ ଦେଇପାରିବ । ସତ କହିବାକୁ ଗଲେ, ସେ ଚାହେଁ ସରଳ, ସତ୍‌ପୁରୁଷ । ଆଉ ସେ ଦେଖିଥିବ ଅନେକ ଲୋକ ଅପେକ୍ଷା କୋବରୀ ହିଁ ଅଧିକ ଭଲ । ସେ ଗୋଟିଏ ଈଷତ୍‌ ସବୁଜ ଗୋଲ ପଥରକୁ ତା’ର ନରମ ହାତ ପାପୁଲିରେ ଘଷି ଦେଇ ପାଣି ଭିତରକୁ ପକାଇଲା । ଚିକ୍‌ ଚିକ୍‌ ନ ମାରି ସେଇ ସବୁଜ ରଙ୍ଗଟି ଅଧିକ ମନୋରମ ଦିଶିଲା ।

 

ଟୋକିଓରେ ଗ୍ରୀଷ୍ମଋତୁରେ ଅତି ଗରମ ହୁଏ । ପ୍ରଖର ଉତ୍ତାପରେ ଆଧୁନିକ ଆସଫାଲ୍‌ଟର ରାସ୍ତାଗୁଡ଼ିକ ଜଳୁଥାଏ ଓ ଅନେକ ସମୟରେ ବତୀଖୁଣ୍ଟ ସବୁ ଭାଙ୍ଗି ଯାଇ ପଙ୍ଖାସବୁ ବନ୍ଦ ହୋଇଯାଏ । ସାଧାରଣତଃ ଦିନ ଓ ରାତିରେ ଅତି ଗରମ ବେଳେ ଏହା ଘଟିଥାଏ । ଅସହ୍ୟ ଗରମକୁ ସହିବାର ଉପାୟ ହେଉଚି ଆଖିବୁଜି ନିଜକୁ କର୍ମରେ ନିୟୋଗ କରିବା ।

 

‘‘ସାର୍‌, ଲେଫ୍‌ଟନାଣ୍ଟ କେନେଡ଼ି ।’’

 

ଡାକ ଧରି ଜଣେ ପିଅନ ଦ୍ୱାର ପାଖରେ ଠିଆ ହୋଇଥିଲା ।

 

‘‘ଡାକ ଆସିଚି ସାର୍‌ !’’

 

‘‘ସେଇ ଛୋଟ ଟେବୁଲ ଉପରେ ପକେଇ ଦେଇଯାଅ । ମୋର ଏଇ ରିପୋର୍ଟ ଶୀଘ୍ର ସରିବା ଦରକାର ।’’

 

‘‘ହଉ ସାର୍‌’’ ସୈନିକଟି ସାଲ୍ୟୁଟ୍‌ ମାରି ଦଶବାରଟି ଚିଠିର ଗୋଟିଏ ବିଡ଼ାକୁ ଯତ୍ନର ସହିତ ଟେବୁଲ୍‌ ଉପରେ ରଖିଦେଇ ଚାଲିଗଲା ।

 

ତାର ପରିବାର ବାପା, ବୋଉ, ଖୁଡ଼ୀ, କକେଇ, ଭାଇଭଉଣୀ ବରାବର ତାକୁ ଚିଠି ଲେଖନ୍ତି । ଜାପାନ ଭଳି ଏକ ପୁରୁଣା ପରମ୍ପରାଯୁକ୍ତ ଦେଶରେ ସେ ରହିଥିବାରୁ, ସେମାନେ ତାକୁ ଏକ ବିରାଟ ଐତିହ୍ୟ ଭିତରେ ରହିଥିବାର ମନେପକାଇ ଦିଅନ୍ତି; ଯେଉଁ ଐତିହ୍ୟ ବହୁ ବୀରତ୍ୱ ଓ ଗୌରବର ଇତିକଥା ଭାବରେ ଜାପାନୀ ଜୀବନକୁ ଉଲ୍ଲସିତ କରିଥାଏ ।

 

‘‘ବାବୁ, କେବେ ତୋତେ ସେମାନେ ଘରକୁ ଛାଡ଼ିବେ ?’’ ଏଇପରି ହାର୍ଦ୍ଦିକତାରେ ମା’ଙ୍କ ଚିଠି ବରାବର ଆରମ୍ଭ ହୋଇଥାଏ ।

 

ହାତଚଳନ୍ତି ଟାଇପ୍‌ ରାଇଟ୍‌ର ସଜାଡ଼ି ସେ ଶୀଘ୍ର ଲେଖିଚାଲିଲା—ଲେଫ୍‌ଟନାଣ୍ଟ ଚାକିରୀରେ ଏମିତି ବହୁତ କାମ—ଯେଉଁଗୁଡ଼ିକ ବଡ଼ ଅଫିସର କରିବାକୁ ଖାତିର କରନ୍ତି ନି ବା କରିପାରନ୍ତି ନି, ସେ ଗୁଡ଼ିକ କରିବାକୁ ହୁଏ । ସେ ଏମିତି କେତେ ଜେନେରାଲଙ୍କୁ ଜାଣେ ଯେଉଁମାନେ କି ଘଟଣାଟିକୁ ଠିକ୍‌ଭାବରେ ବର୍ଣ୍ଣନା କରିପାରନ୍ତି ନି କି ନିର୍ଭୁଲଭାବେ କହି ପାରନ୍ତି ନି-। ସେମାନେ ଯେତେବେଳେ ଯେତେକ ଜଟିଳ ଲେଖାଲେଖି କାମସବୁ ତା’ ଉପରେ ଲଦି ଦିଅନ୍ତି-। ସେ ବେଳେ ବେଳେ ଏଇପରି ବାଜେ ରିପୋର୍ଟ ଲେଖିବାକୁ ଭଲପାଏ । ଉଦାହରଣ ସ୍ୱରୂପ–କାମ କରୁଥିବା କୌଣସି ଜାପାନୀ ସଂସ୍କୃତି ଇଦ୍ୟୋକ୍ତାଙ୍କ ବିଷୟରେ ସାଧାରଣ ଷ୍ଟାଇଲରେ ଏକ ବଡ଼ ନମୁନା, ଅବଶ୍ୟ ଯେ କେହି ଏହାକୁ ପଢ଼ିଲେ ଏହା ଜାଣିପାରିବ ନାହିଁ । ତଥାପି ଏବେ ସେ ଜାପାନ ବିଷୟରେ ଯାହା ଲେଖିଲା, ସେଥିରେ ତାର ଅଧିକ କୌତୁହଳ ଥିଲା ଏବଂ ସେ ନିଜେ ନିଜକୁ ବୁଝାଇବାକୁ ଚାହୁଁଥିଲା ଯେ ଏହା କେବଳ ଜୋସୁ ଯୋଗୁଁ ସମ୍ଭବ ହୋଇଚି-

 

ଜୋସୁ ଜରିଆରେ ହିଁ ସେ ଏଇ ଲୋକମାନଙ୍କ ବାସ୍ତବ ସମ୍ପର୍କରେ ଆସିଛି, ଯଦି ଓ ଏବେ ବି ଜୋସୁ ତା ନିକଟରେ ଅବୋଧ୍ୟ ଓ ସ୍ୱତନ୍ତ୍ର ତା’ ଦେଖିବାରେ ସେ ସବୁଠୁଁ ସୁନ୍ଦର ଝିଅ । ତା’ର ସୌନ୍ଦର୍ଯ୍ୟ ସହିତ ସାହସ ମଧ୍ୟ ଅଛି । ଏଥିପାଇଁ ସେ ତାକୁ ଅଧିକ ଭଲପାଏ । ତା’ର ଉଦ୍ଦେଶ୍ୟରେ ବାଧା ଦେବା ଏଇ ଝିଅଟି ପକ୍ଷରେ ଯଦିଓ ଅତି କଷ୍ଟକର, ତଥାପି ସେ ବାଧା ଦେଇଚି-

 

ଜୋସୁ ଯେତେବେଳେ ତା’ ଚିନ୍ତା ଭିତରକୁ ପଶି ଆସେ, ହୁଏ ତ ଦିନରେ କୋଡ଼ିଏ ଥର, ରାତିରେ ଆହୁରି ଅନେକବାର, ସେତେବେଳେ ସେ ସମ୍ଭବ ଅସମ୍ଭବ ଅନେକ କଥା ଭାବେ । ମନେକର, ପରିଣତି ଅନ୍ୟ ପ୍ରକାର ହେବ...ସେ ତାକୁ ବିଭା ହେବାକୁ କହିବ, ଅବଶ୍ୟ ଏମିତି ଭଲ ପାଇଥିବା ଜଣେ ଆମେରିକାନ୍‌ ଝିଅ ହୋଇଥିଲେ ସେ ତାକୁ କେବେଠାରୁ କହିସାରନ୍ତାଣି—ତା ପରେ କ’ଣ ହେବ ? ସେ ଗୁଡ଼ାକ ଚିନ୍ତା ଭିତର ହଜିଗଲା ଓ ତା ଆଙ୍ଗୁଠିଗୁଡ଼ିକ ଚାବି ଉପରେ ସ୍ଥିର ରହିଲା । ସେମାନେ ଏହି ଜାପାନରେ ରହିପାରନ୍ତେ । ସେ କ’ଣ ନିଜେ ଜାପାନରେ ଜୀବନ କଟାଇବାକୁ ଭଲପାଇବ ? କିମ୍ୱା ସେମାନେ ରହିପାରନ୍ତି । ଆମେରିକାରେ ଏମିତି ଅନେକ ଜାଗା ଅଛି, ଯେଉଁଠି ସେ ଜୋସୁ ସହିତ ସୁଖରେ ରହିପାରିବ । ତାଙ୍କର ପିଲାଏ...ହଁ, ତାଙ୍କର ପିଲାଏ ! ତାଙ୍କର ଅବଶ୍ୟ ପିଲା ହେବ—ଜୋସୁ ନିଶ୍ଚେ ପିଲା ଚାହିଁବ; ସେ ନିଜେ ବି ସେତେବେଳେ ଚାହଁବ-। ସେ ସବୁବେଳେ ଭାବେ ଯେ ନିଜେ ବିବାହ କରିବ ଓ ତାର ପିଲାଗୁଡ଼ିଏ ହେବେ....ଗୁଡ଼ାଏ ପିଲା ରହିପାରିବା ଭଳି ଏତେ ବଡ଼ ଘରେ ସେ ଯେପରି ଏକୋଇର ବଳା ହୋଇ ବଢ଼ିଲା, ସେମିତି ନୁହେଁ । ସେ ଭାବିନେଇଚି ଯେ ତାର ପିଲାମାନେ ସେଇ ଘରେ ରହିବେ-। ଯୁଦ୍ଧବେଳ ନ ହୋଇଥିଲେ ଏତେବେଳକୁ ସେ କୌଣସି ଝିଅକୁ ବିଭାହୋଇ ସାରନ୍ତାଣି-। ବେଶ୍‌ ଖୁସିରେ ଥାଆନ୍ତେ—କାରଣ ସେ ଜୋସୁକୁ ଆଦୌ ଦେଖିପାରି ନ ଥାନ୍ତା । ସେ ହୁଏ ତ ସିନ୍ଥିଆ ଏଡ଼ମଣ୍ଡକୁ ବିଭା ହୋଇଥାନ୍ତା, ଯାହାକୁ ତା’ର ମାଆ ନିଜ ଝିଅ ପରି ଭଲ ପାଉଥିଲେ-। ତା’ ଆଗରେ କହିଲାବେଳେ ମାଆ ଏକ ପ୍ରକାର ଯୋର ଦେଇ କହନ୍ତି ଯେ ସେ ତାଙ୍କର ଗୋଟିଏ ଅଲିଅଳି ଝିଅ-

 

‘‘ସିନ୍ଥିଆ କଥା ମତେ ବାର ବାର କୁହ ନା ମା ! ମା, ମୁଁ ଅବଶ୍ୟ ତାକୁ ନିଜ ଇଚ୍ଛାରେ ଦିନେ ବିବାହ କରିବି ।’’ ସେ ମାଆଙ୍କୁ ବିରକ୍ତ କରେ ।

 

‘‘ହେତ୍‌, ପାଟି କର ନା ।’’ ମା ତା’ର ମିଠାସ୍ୱରରେ ଖୁସିହୋଇ କହନ୍ତି, ମନେ ମନେ ତୁ ବଡ଼ ହୋଇ କେଉଁଦିନ ଜଣେ ମଣିଷ ହୋଇ ଗଲୁଣି ?’’

 

ସେଇ ବଣ୍ଡଲରେ ସମ୍ଭବତଃ ସିନ୍ଥିଆର ଚିଠିଟାଏ ଥିବ । ସେ ବେଶି ଲେଖେ ନି । ବେଳେବେଳେ ଲେଖେ, ତା’ର ଦୀର୍ଘ ମଧୁରପତ୍ର–ନିଜ ସହରର ଓ ଘରର କବରରେ ତାହା ପୂର୍ଣ୍ଣ ହୋଇ ଥାଏ । ତା ନିଜ ଘରୁ ଯାଇଥିବା ପ୍ରଶସ୍ତ ନିର୍ଜନ ରାସ୍ତାର ଅନତିଦୂରରେ ଥିବା ଘରେ ସିନ୍ଥିଆ ରହେ, ଜୀବନ ଭରି ସେ ତାକୁ ଚିହ୍ନେ । ବାସ୍ତବିକ ତିନି ପୁରୁଷ ତଳେ ସିନ୍ଥିଆ ଓ ତା’ ନିଜର ପୁର୍ବପୁରୁଷମାନେ ବୈବାହିକ ସମ୍ୱନ୍ଧରେ ଆବଦ୍ଧ ଥିଲେ । ‘‘କେତେଦିନ ତଳେ ?’’–ଥରେ ସେ ମାଆକୁ ପଚାରିଥିଲା । –‘‘ଅନେକ ଦିନ ତଳେ ତେଣୁ ଭଲ’’–ସେ ମଜାକରି କହିଲେ । ସେ ହାତ ବଢ଼ାଇ ଚିଠି ବଣ୍ଡଲ ନେଲା ଓ ଖୋଲି ପକାଇଲା । ସେଥିରେ ତା ମାଆର, ଏପିସୋ ପାଲ ଚର୍ଚ୍ଚର ମନ୍ତ୍ରୀ ଓ ଆଉ ଦି’ଜଣ ଅଚିହ୍ନା ଲୋକଙ୍କର ଚିଠି ଥିଲା ଏବଂ ସିନ୍ଥିଅଠାରୁ ଏକ ବଡ଼ ଲଫାପା ଆସିଥିଲା । ସେ ସିନ୍ଥିଆର ଚେହେରାକୁ ମନେ ପକାଇବାକୁ ଚେଷ୍ଟାକଲା । ସିନ୍ଥିଆର ଅଣ୍ଟାକୁ ଛାଡ଼ିଦେଲେ ଆଉ କିଛି ଛୋଟ ନୁହେଁ । ସେ ଡ଼େଙ୍ଗୀ, ତା’ର ସୁନ୍ଦର ଗଠନ । ମନ, ହୃଦୟ ପ୍ରଶସ୍ତ ଆଉ ଉଦାର । ଦିନେ ସେ ଭାବୁଥିଲା, ସିନ୍ଥିଆକୁ ଭଲପାଇବ ବର୍ତ୍ତମାନ ତାକୁ ଜୋସ୍‌ ବିଷୟ ଜଣାଇବାକୁ ସେ ନିହାତି ଚାହୁଁଚି ।

 

‘‘ସେ ନିଶ୍ଚୟ ବୁଝିବ’’—ଆଲେନ ଗୁଣୁ ଗୁଣୁ କରି କହିଲା । ଚିରିବାକୁ ଲେଖାଥିବା ଅଂଶର ଧାରେ ଧାରେ କାଗଜର ଲଫାପାକୁ ସେ ଚିରିଦେଇ ଚିଠି ଖୋଲିଲା । ଚଉତା ହୋଇଥିବା ଓ ନୀଳ ହସ୍ତାକ୍ଷରରେ ଲେଖାଥିବା ତିନି ଫର୍ଦ୍ଦ କାଗଜ ସେ କାଢ଼ିଲା, ଚିଠିଗୁଡ଼ାକ ବଡ଼; କିନ୍ତୁ ବିରକ୍ତିକର ନୁହେଁ ।

 

‘‘ପ୍ରିୟ ଆଲେନ୍‌’’—ଏମିତି ସେ ଚିଠି ସବୁବେଳେ ଆରମ୍ଭ କରିଥାଏ । ସେମାନେ ପରସ୍ପରକୁ ବର୍ଷ ବର୍ଷ ଧରି ମଝିରେ ମଝିରେ ଚିଠି ଲେଖୁଛନ୍ତି । ସେତେବେଳେ ସେ କଲେଜରେ ପଢ଼ୁଥାଏ ଓ ସିନ୍ଥିଆ ସ୍କୁଲର ଶେଷ ଶ୍ରେଣୀର ଛାତ୍ରୀ ଥାଏ । ‘‘ପ୍ରିୟ ଆଲେନ୍‌, ଏମିତିକା ବସନ୍ତଋତୁ ଆଉ କେଉଁବର୍ଷ ନ ଥିଲା । ହେଇପାରେ ମୁଁ ହୁଏ ତ ଆଗରୁ ଆଦୌ ବସନ୍ତକାଳ ଦେଖି ନ ଥିଲି । ଏଇ ବର୍ଷ ମୁଁ ଦେଖିବାକୁ ସମୟ ପାଇଚି ।’’

 

ସେ ଧୀରେ ଧୀରେ ପଢ଼ୁଥାଏ—ତା’ର ସହରର ଚିହ୍ନାରାସ୍ତା ଗୁଡ଼ିକ ପଡ଼ୋଶୀ ଓ ବନ୍ଧୁ ମାନଙ୍କର ପରିଚିତ ମୁହଁସବୁ ତା’ର ଆଖି ଆଗରେ ନାଚି ଯାଇଥାଏ । ତଥାପି ସେ ଏଇ ଟୋକିଓରେ ବସିଚି ଓ ସେମାନେ ଏତେ ଦୂରରେ ଅଛନ୍ତି—ଯେମିତି ଜଣାଯାଉଚି, ସେମାନେ ଅନ୍ୟ ଏକ ପୃଥିବୀର ମଣିଷ । ପ୍ରକୃତରେ ବି ସେଇଆ । ସେମାନେ ଅନ୍ୟଏକ ପୃଥିବୀର ମଣିଷ । ସେମାନେ ଏଇ ରାଜଧାନୀ ଟୋକିଓ ସହର ଓ ଜାପାନ ବଷୟରେ ଧାରଣା କରିବାରିବେ ନାହିଁ । ସେ ଯେତେ ବୁଝାଉ, ଯାହା କିଛି କରୁ ନା କାହଁକି, ସେମାନେ ଆଦୌ ବୁଝିପାରିବେ ନାହିଁ । ସେମାନଙ୍କୁ ବୁଝାଇବାର କୌଣସି ଉପାୟ ନାହିଁ । କେବଳ କେଉଁ ଦେଶରେ ଓ କେଉଁମାନଙ୍କ ସହିତ ସେ ବାସକରିବ, ଏହା ବର୍ତ୍ତମାନ ତା’ର ସିଦ୍ଧାନ୍ତର ବିଷୟ ।

 

ସେ କାଗଜଗୁଡ଼ିକ ଭଲକରି ଚଉତାଇ ଲଫାପା ଭିତରେ ଖଣ୍ଡି ଖଣ୍ଡି ପୁରାଇଲା ଓ ତା’ପରେ ତା କଲେଇଛଡ଼ା ଟାଇପରାଇଟ୍‌ରର ନିଷ୍‌ପ୍ରଭ ରଙ୍ଗ ଆଡ଼େ ଚାହିଁ ରହିଲା । କେବଳ ତା ବାପା ଚିଠି ଦେଇନାହାନ୍ତି । ତା’ ବାପା ଅଳ୍ପକଥା କହନ୍ତି ଓ ଚିଠି ବି ଲେଖନ୍ତି କ୍ୱଚିତ । ଯେତେଦୂର ମନେପଡ଼େ, ତା’ ବାପା କେବେ ଗୁଡ଼ାଏ କିଛି ମନେରଖିଲାଭଳି କଥା କହିନାହାନ୍ତି । ବେଳେବେଳେ ଖାଇବା ସମୟ ଭିତରେ ସେ ଅତି ବେଶି ହେଲେ କହିଥାଆନ୍ତି, ‘‘ବାବୁ, ମତେ ଲହୁଣୀ ଟିକେ ଦେଲୁ’’ କିମ୍ୱା ଖୁବ୍ ବେଶିରେ ‘‘ଏ ବିସ୍କୁଟ୍‌ ସାଧାରଣ ବିସ୍କୁଟ୍‌ ଅପେକ୍ଷା ଭଲ ଲାଗୁନି–ଚିନି !’’ ଚିନି ହେଉଚି ତାର ମାଆ ଯାହାଙ୍କ ଭଲ ନାଁ ଜୋସେ ଫାଇନ୍‌ । ଆଉ ବାପା ମଜାକରି କହନ୍ତି ଯେ ଫ୍ରାନ୍‌ସର ନେପୋଲିୟନ୍‌ ନ ହେଲେ ଆଉ କେହି ଏ ନାଆଁରେ ଡ଼ାକି ପାରିବେ ନି ।

 

ମା ହଠାତ୍‌ କହିପକାନ୍ତି, ‘‘ଦେଖ ମି. କେନେଡ଼ି ! ମୋର ମନେ ହେଉଚି, ଆମେ ଯେମିତି ୟାଠୁଁ ଆଉ ଭଲ ବିସ୍କୁଟ କେବେ ପାଉ ନା ।’’

 

‘‘ଆମେ ପାଉ ଯେ, ସେଇଥିପାଇଁ ମୁଁ କହୁଚି ଏ ଆହୁରି ଭଲ ବିସ୍କୁଟ ।’’

 

ତାଙ୍କ ଅଳସୁଆମୀ ଓ ଉଦାସୀନତା ବିଷୟ ଭାବି ସେ ବେଳେ ବେଳେ ହସି ଦିଅନ୍ତି ଓ ସବୁ କଥାରେ ମାଧ୍ୟମତେ ଆଗ୍ରହ ପ୍ରକାଶ କରି କହନ୍ତି—‘‘ଚିନି ତ ମୋ ତରଫରୁ ବି ପ୍ରଗ୍‌ଲଭା ହୋଇ ଗପୁଚି । ମୋର ଆଉ ଗପିବାରେ କି ଦରକାର ?’’ ବାପାଙ୍କୁ ବୁଝିବାକୁ ସେ ଛଳନା କରେ ନାହିଁ ବା କେବେ ସେପରି କରିବାର ଆବଶ୍ୟକତା ଅନୁଭବ କରି ନି । ଏବେ ଭାବୁଚି ଯେ ତା’ର ବାପାଙ୍କ ସହିତ ବିଶେଷ ସଖ୍ୟ ନାହିଁ, ନ ହେଲେ ସେ ତାଙ୍କୁ ଜୋସୁ ବିଷୟ ଲେଖନ୍ତା ଓ ପଚାରନ୍ତା-

 

କ’ଣ ପଚାରନ୍ତା ?

 

ସେଇ ଗୋଟିଏ ପ୍ରଶ୍ନ । ଅତି ଏକାନ୍ତ ବ୍ୟକ୍ତିଗତ ଏଇ ପ୍ରଶ୍ନ । ସେ ନିଜେ ନିଜକୁ ପଚାରିଲା—‘‘ସେ କ’ଣ ବିବାହ କଲା ଭଳି ତାକୁ ଭଲପାଏ ? ଏହି ଯେଉଁ ଅବାରିତ ବର୍ଦ୍ଧିଷ୍ଣୁ କାମନା ସେ ଦିନରାତି ଅନୁଭବ କରୁଛି, ତା’ କଣ ପ୍ରକୃତ ପ୍ରେମ ? ଏବେ ଜାଣୁଚି ଯେ, ପୂର୍ବରୁ ସେ କେବେ ପ୍ରେମ କରି ନ ଥିଲା । କିନ୍ତୁ ବର୍ତ୍ତମାନ ପ୍ରେମ କରୁଚି କି ?

 

ଚିଠିଗୁଡ଼ିକୁ ଡ଼େସ୍‌କର ଡ଼୍ରୟାରରେ ରଖି ସେ ଗାଧୋଇପଡ଼ି ପୋଷାକ ପିନ୍ଧିନେଲା । ତା’ର ଆଜି କଲୋନେଲ ଓ ତାଙ୍କ ସ୍ତ୍ରୀଙ୍କଠାରୁ ଭୋଜିର ନିମନ୍ତ୍ରଣ ଅଛି । ସେ ଦମ୍ପତି ଏତେ ଅମାୟିକ ଯେ ନିଜର, ଅଧସ୍ତନ ଓ ଅଡ଼ର୍ଲିମାନଙ୍କ ସହିତ କିପରି ବ୍ୟବହାର କରିବାକୁ ହେବ, ଜାଣିପାରନ୍ତି ନି । ‘‘ଜାପାନୀମାନେ କୌଣସି ବିଷୟରେ ହୁସିଆର ନୁହନ୍ତି ।’’ ଏ କଥା କଲୋନେଲ୍‌ଙ୍କ ସ୍ତ୍ରୀ ଗତଥର ତାଙ୍କ ଘର ଭୋଜିରେ କହିଥିଲେ । ‘‘ମ୍ୟାଡ଼ାମ୍‌ ବଟରଫ୍ଳାଇଙ୍କ ସମୟରେ ଲୋକ ଭଳି ସେମାନେ ଚଳୁଛନ୍ତି ।’’

 

ତାଙ୍କ କଥା ସେ ବୁଝିପାରିଲା । ନାରାର ରାଜକୀୟ ପାର୍କରେ ବି ଟିକେ ଏଇପରି ଅନୁଭବ କରୁଥିଲା । ଏଇ ଜାପାନୀମାନେ ଅଳ୍ପଦିନ ତଳେ ଆମେରିକାନ୍‌ମାନଙ୍କୁ ନିର୍ଦ୍ଦୟଭାବେ ହତ୍ୟା କରିଥିଲେ—ଏହା ବେଳେ ବେଳେ ବିଶ୍ୱାସ କରିହୁଏ ନି ଯଦିଓ ନିଜେ ଯୁଦ୍ଧରେ ଅଂଶଗ୍ରହଣ କରିଥିଲା; ତଥାପି ସେ ଏକଥା ପୂରାପୁରି ଭୁଲି ଯାଇଥିଲା; କିନ୍ତୁ ଯେଉଁ ଗେଡ଼ା ମଣିଷମାନେ ଦ୍ୱୀପର ଜଙ୍ଗଲ ଭିତରକୁ ତାଙ୍କ ଉପରକୁ ମାଡ଼ି ଆସିଲେ, ସେମାନଙ୍କର ଏଇ ସବୁଜ ପର୍ବତମାଳା, ନୀଳ ପୋଟାକ ପିନ୍ଧିଥିବା ଚାଷୀକୁଳ, କିମୋନୋ ଓ ଗେଟା ପିନ୍ଧଥିବା ସୁନ୍ଦରୀ ଝିଅ, ବିଶେଷତଃ ଜୋସୁ ଏସବୁ ସହିତ କୌଣସି ସମ୍ୱନ୍ଧ ଥିଲାପରି ଜଣାଯାଏ ନି । ଜୋସୁ ଜାପାନୀ ଅପେକ୍ଷା ଆମେରିକାନ୍‌ ପରି ଅଧିକ ଦେଖାଯାଏ, କେବଳ ଆଖି ଦୁଇଟିକୁ ଛାଡ଼ି । ବୋଧହୁଏ ଅତି ଶୁଦ୍ଧଭାବେ ଇଂରାଜୀ ଉଚ୍ଚାରଣ କରେ ।

 

ଯେତେବେଳେ ସେ ଜୋସୁର ନାଁକୁ ମନେ ମନେ ଉଚ୍ଚ ରଣ କରେ, ସେତେବେଳେ ତା’ର ଅନ୍ତର ଥରେ ଦୁଇଥର ପାଇଁ ଉଲ୍ଲସିତ ହୋଇଉଠେ । ହାତ ଦୁଇଟିକୁ ବଢ଼ାଇବାକୁ ଚାହେଁ, ସତେ ଯେମିତି ଜୋସୁ ପାଖରେ ଠିଆହୋଇଛି । ସେ କେଜାଣି କେମିତି ବିସ୍ମିତ ହୋଇ ଭାବୁଥିଲା, ଖାଇବା ପରେ କଲୋନେଲଙ୍କ ସ୍ତ୍ରୀ ଉଚ୍ଚବଂଶୀୟା । ସେ ପ୍ରାୟ କଫି ଖାଇଲାବେଳେ ସମସ୍ତଙ୍କୁ ଅଧଘଣ୍ଟାଏ ସମୟ ଦେଇଥାନ୍ତି–ଜଣେ ମାତ୍ର ସ୍ତ୍ରୀ ଲୋକ ହୋଇଥିବାରୁ ସେ ସେଠାରେ ବେଶିବେଳ ରହନ୍ତି ନାହିଁ । ବେଳେବେଳେ ଆଉ ଜଣେ ସ୍ତ୍ରୀଲୋକ ଜୁଟିଲେ ସେ ଅଧଘଣ୍ଟାକ ଆଉ ପନ୍ଦରମିନିଟ ବଢ଼ିଯାଏ ।

 

ଏସବୁ ବିଷୟରେ ସେ ନଜକୁ ଏତେ ଶୀଘ୍ର ପଦାରେ ପକାଇବାକୁ ସାହସ କରୁ ନି । ଜଣେ ଜାପାନୀ ପୂଜାରୀର ରନ୍ଧା ଜଣେ ଜାପାନୀ ବବୁର୍ଚ୍ଚିର ପରଷା ସୁସ୍ୱାଦୁ ଭୋଜି ଖାଇଲା ପରେ ସେ ହୁଏ ତ ଏତିକି କଲୋନେଲଙ୍କୁ ପଚାରିଲା ଯେ, ଏଇ ସମୟ ଭିତରେ କେତେଜଣ ଆମେରିକାନ୍‌ ଜାପାନୀ ଝିଅଙ୍କ ବିବାହ କରିଛନ୍ତି ? କଲୋନେଲ ଅସନ୍ତୁଷ୍ଟ ଜଣାପଡ଼ିଲେ ଓ କହିଲେ—‘‘ମୁଁ ଅବଶ୍ୟ କେତେଜଣଙ୍କୁ କେଉଁଠି କେମିତି ଦେଖିଚି । ମୁଁ ସେମାନଙ୍କୁ ସାକ୍ଷାତ କରିବାକୁ ଚାହେଁ ନାହିଁ । ତୁମେ ବିବାହ କଥା କହୁଚ ନାଁ ଏମିତି ।’’

 

‘‘ନାଇଁ, ବିବାହ କଥା କହୁଚି ।’’

 

‘‘ବେଶି ନାହାନ୍ତି ବୋଧେ ।’’ କଲୋନେଲ ଆଶାନ୍ୱିତ ହୋଇ କହିଲେ—‘‘କିଏ ଜାଣେ ବିବାହିତା କି ରକ୍ଷତା । ହଜାର ହଜାର ବର୍ଣ୍ଣସଙ୍କର ପିଲା ଦେଖିଲେ କ’ଣ ଘଟିଚି ଠିକ୍‌ କହି ହେବନାହିଁ ବୋଲି ମୁଁ ବୁଝିବାରେନି । ମୁଁ ଜଣେ ବୃଦ୍ଧ ଅଫିସର ହେଲେ ବି ଏଥିରେ ଆଶ୍ଚର୍ଯ୍ୟ ହୁଏ । ଆଚ୍ଛା, ଏଇ ପିଲାମାନଙ୍କର କ’ଣ ହୁଏ ?’’ ସେ ଉଦ୍ଦେଶ୍ୟମୂଳକ ପ୍ରଶ୍ନ କଲା ।

 

କଲୋନେଲ ଦୁଃଖ କଲାପରି ଦିଶିଲେ—‘‘ମୁଁ ଜାଣେ ନା, ମୋର ବନ୍ଧୁ ବାରକ୍ଳେ କହୁଥିଲେ—ତା’ର ସ୍ତ୍ରୀ ଗୋଟିଏ ଛୁଆକୁ ଜଣେ ପଡ଼ୋଶୀ ଘରେ ଲୁଚି ରହିଥିବାର ଦେଖିଲା, ପଡ଼ୋଶୀଟି ବେଶ୍‌ ସମ୍ମାନାସ୍ପଦ, ଜଣେ ବଣକ ବୋଧହୁଏ । ବାରକ୍ଳେ ଓ ତା’ର ସ୍ତ୍ରୀ ପାଖ ଘରର ଦୁଆରୁ ଶୁଭୁଥିବା ଏକ ଶିଶୁର ମଧୁର କ୍ରନ୍ଦନରେ ରାତିସାରା ଶୋଇପାରିଲେ ନି । ତା ସ୍ତ୍ରୀ ବୁଝିବାକୁ ଗଲା । ପ୍ରସୂତୀ ଝିଅଟିର ବୁଢ଼ୀ ମା ଛୁଆଟିକୁ କମ୍ୱଳରେ ଧରି ଲଜ୍ଜାରେ ନଇଁ ପଡ଼ିଥିଲା ।’’

 

‘‘ବାରକ୍ଲେ କ’ଣ କଲେ ?’’

 

‘‘ସେ ବୋଧହୁଏ କ୍ୟାଥୋଲିକ ଅନାଥାଶ୍ରମକୁ ଲେଖିଲେ ଓ ସେମାନେ ପିଲାଟାକୁ ନେଇଗଲେ । ପରିବାରର ସମସ୍ତେ କୃତଜ୍ଞତା ଜଣାଇଲେ । ସେ ସୁନ୍ଦରୀ ଝିଅଟି ଆଶ୍ୱସ୍ତ ହେଲା । ତା’ର ମାଆ ଏକ ବିରାଟ ବୋଝରୁ ରକ୍ଷା ପାଇଲେ । ପିଲାଟିର ରଙ୍ଗ ଦୋମିଶା ଦିଶୁଥିବା । ବାରକ୍ଳେ କହୁଥିଲେ—ସେ ଏସବୁ କରନ୍ତି ନି । କିନ୍ତୁ ଗୋଟିଏ ହାତରେ କେବେ କ’ଣ ତାଳି ବାଜିପାରେ ?’’

 

ତେଣୁ ଏଠାରେ ଜୋସୁ କଥା କୁହାଯାଇ ନ ପାରେ । ଦମ୍ପତିଙ୍କ ସହିତ ଅଳ୍ପ ସମୟ ବସିବା ପରେ ଏକ ଅସମ୍ପର୍ଣ୍ଣ ରିପୋର୍ଟ ସାରିବାକୁ ଅଛି କହି ସେ ଶୀଘ୍ର ଶୀଘ୍ର ଚାଲି ଆସିଲା ।

 

ଛୁଟି କଟାଇବାକୁ କାରୁଜାଓ୍ୱା ଯିବାକୁ ସେ ଇଚ୍ଛା କଲା ନି ବା ସାଧ୍ୟାରେ ସିନେମା ଦେଖିବାକୁ ଚାହିଁଲା ନି । ଗ୍ରୀଷ୍ମ କାଳରେ ସେ ଅଳ୍ପ କେତେ ମିନିଟ୍‌ ପାଇଁ ବାରରେ ନାଚିଥିଲା । ତାକୁ ଆକର୍ଷଣ କଲାଭଳି କେହି ଝିଅ ନ ଥିଲେ ବା ସେ ଦ୍ୱିତୀୟବାର ଦେଖିବାକୁ ଆଗ୍ରହ କଲା ଭଳି କୌଣସି ଝିଅ ଘରେ ଥିବା ଭଳି ତା’ର ମନେହେଲା ନି । ସିନ୍ଥିଆ ସଙ୍ଗରେ ଯଦିଓ ଗପ କରିବାକୁ ମଜାଲାଗେ—ତଥାପି ତା’ର ମନେହୁଏ, ସିନ୍ଥିଆ ତା’ଠାରେ ପ୍ରେମ ଉଦ୍ରେକ କରାଇ ପାରିବ ନି । ଜୀବନ ତା’ର ନିତାନ୍ତ ରସହୀନ ହୋଇଯିବ ।

 

ଏତକ କହିସାରିବା ପରେ ସେ ନିଜେ ଜାଣିପାରିଲା, ପ୍ରକୃତ ଆନନ୍ଦ କେଉଁଠାରେ ଅଛି-। ଜୋସୁ ସଙ୍ଗେ ଥିଲାବେଳେ ତା ଦେହରେ ତଡ଼ିତ୍‌ ଜାଗିଉଠେ; ତେଣୁ ନିର୍ଜନ ଗୀଷ୍ମ ରାତିରେ ସେ ତାକୁ ପ୍ରତ୍ୟେକ ଥର ଦେଖିଥିବା ପରି ମନେ ପକାଏ—ସେଇ ପୁରାତନ ସହରରେ ସେ କେମିତି ଇଉଷ୍ଟେରିଆ ବୁଦାମୂଳେ ଠିଆ ହୋଇଥିଲା, କେମିତି ଠିଆ ହୋଇଥିବା ସ୍ଥାନରେ ତା’ ଆଖିକୁ ଅଟକାଇ ଭଲ ପାଇଲା, ବିଶେଷ କରି ସେଇ ଯେଉଁ ମୁହୂର୍ତ୍ତରେ ସେ ନିଜ ଘରର କୋଣରୁ ତାକୁ ଉଣ୍ଡିକରି ଦେଖୁଥିଲା । ସେଦିନ କିମୋନୋ ପିନ୍ଧି ସେ କି ସୁନ୍ଦର ଦିଶୁଥିଲା—ସେଇ ଥରକ ବୋଧହୁଏ ତାକୁ ତା’ ନିଜର ସବୁଦିନିଆଁ ପୋଷାକରେ ଦେଖିଥିଲା, ତା’ର ବିରାଟ ଘର, ରୁଚିପୂର୍ଣ୍ଣ ସରଳ ନିରାଡ଼ମ୍ୱର ସାଜସଜ୍ଜା । ତା’ର ଯେଉଁ ସମ୍ଭ୍ରନ୍ତ ବାପ ଅଜା ଅମଳର ଘର—ସେ ଭାରି ଭଲ । ଏଇ ଘରର ମାନ ମର୍ଯ୍ୟାଦାକୁ ରକ୍ଷାକରି ଜୋସୁ ତାର ଏଇ ଘରେ ରହିବାକୁ ପସନ୍ଦ କରେ । ସେ ଅସାଧାରଣଭାବେ ଭଲ ଝିଅଟିଏ ଏପରି କି ଯେତେବେଳେ ସେ ନିଜକୁ ସମ୍ଭାଳି ନ ପାରି ତାକୁ ଚୁମ୍ୱନ କଲା, ସେତେବେଳେ ଜୋସୁ ତାକୁ ଭଲ ପାଉଥିଲେ ବି ଅତି ଅନିଚ୍ଛା ସତ୍ତ୍ୱେ ସମ୍ମତି ଦେଲା, ଏ କଥା ସେ ବେଶ୍‌ ଅନୁଭବ କରି ପାରିଛି । ଆଲେନ୍‌ ଭାବିଲା ବିଚରା ଛୋଟ ଝିଅଟି ପ୍ରଥମ ପ୍ରଣୟର ମୋହରେ ନିଜ ଭିତରେ ଉଠୁଥିବା ଝଡ଼ର ସମାଧାନ ଖୋଜି ପାଉନି । ସେ ତାକୁ ପ୍ରତାରଣା କରିଛି—ଏକମାତ୍ର ଉତ୍ତର ହେଉଛି—ସେ ବେଶି ଡ଼େରିହବା ପୂର୍ବରୁ ଦୂରକୁ ଚାଲି ଆସିଛି । ଏହିପରି ତା’କଥା ଭାବି ତା’ର ଚେହେରା ବାରବାର ମନେ ପକାଇ ସେ ବୁଝିଲା ଯେ, ଏପରି ପ୍ରତାରଣା କରିବା ମହା ଅପରାଧ । ତଥାପି ଏଇ ଗ୍ରୀଷ୍ମକାଳରେ ଦୀର୍ଘ ନିଃସଙ୍ଗତା ଭିତରେ ତା’ର ଏ ଅଭ୍ୟାସ କ୍ରମେ ବଢ଼ୁଥିଲା । ଏ ସମୟରେ ସବୁ ଲୋକମାନେ ଗୋଟି ଗୋଟି ହୋଇ ପାହାଡ଼କୁ ବା ସମୁଦ୍ର କୁଳକୁ ଯାଉଥିଲେ ଓ କଲୋନେଲ ଘରେ ଚାବିଦେଇ ଅନ୍ତତଃ ପନ୍ଦରଦିନ ପାଇଁ ଆମେରିକା ପଳାଉଥିଲେ । ଅଗଷ୍ଟମାସ ଶେଷରେ ସେ ଜୋସୁକୁ ଥରେ ମାତ୍ର ଦେଖିବାକୁ ଇଚ୍ଛାକଲା, ଅନ୍ତତଃ ନିଜକୁ ପରୀକ୍ଷା କରିବା ପାଇଁ ସେ,ପରି ସାକ୍ଷାତ ଲୋଡ଼ୁଥିଲା । ସେ ତାକୁ ପ୍ରକୃତରେ ଭୁଲିଯାଇ କେଉଁଦିନ ହେଲେ ଆଉ ଜଣକୁ ବିବାହ କରିପାରିବ କି ନାହିଁ, ତାହା ସେ ବୁଝିବାକୁ ଚାହୁଁଥିଲା । ତାକୁ ସେ ଯେପରି ମନେ ପକାଇଛି, ସେପରି ସୁନ୍ଦରୀ ସେ ନୁହେଁ । ଏସବୁ ଭାବପ୍ରବଣତା ବା ପ୍ରକୃତ ଭଲପାଇବା । ଏହାର ଏକ ମୀମାଂସା ସେ ନିଜ ଭିତରେ ଲୋଡ଼ୁଥିଲା ।

 

ଟୋକିଓରେ ଖରାଦିନେ ବହୁତ ଗରମ ହେଲେ ବି ଡକ୍ଟର ସାକାଇଙ୍କ ସେ କଥା ଭାବିବାକୁ ବେଳ ନାହିଁ । ଅତି ତରତର ନ ହେଲେ ବି ଜୋସୁ ବିବାହର ଆୟୋଜନରେ ସେ ଲାଗିପଡ଼ିଲେ । ଆମେରିକାରେ ରହିଥିବାରୁ ସେ କି ଗଭୀର ଦୁଃଖ ନ କରିଛନ୍ତି ! ଜାପାନର ବିବାହ ନୀତି କିଛି ନ ଜାଣି ସେ ବାଧ୍ୟ ହୋଇ ଗୋଟିଏ ପୁରୁଣା ବହି ପଢ଼ିଛନ୍ତି । ଅନ୍ୟକୁ ପଚାରୁଛନ୍ତି, ଯେମିତି କି ସେ ନିଜର ଅଜ୍ଞାତ କାହାକୁ ନ ଜଣାଇ ଏକ ଧନୀ ଉଚ୍ଚବଂଶର ଯୁବକ ସହିତ ତାଙ୍କ ଝିଅର ବିବାହ ବିଧିମତେ କରିପାରିବେ । ଜଣେ ଅଖ୍ୟାତନାମା ଡ଼ାକ୍ତର ଭାବରେ ସର୍ବଦା କାର୍ଯ୍ୟବ୍ୟସ୍ତ ଥାଇ ମଧ୍ୟ ଜୋସୁର ନୂଆ ରକମର କିମୋନୋ, ସିଲ୍‌କ ଓ ଏମ୍ବ୍ରୋଡ଼ରୀ ସୂତା ପୋଷାକ ସେ ନିଜେଇ ପସନ୍ଦ କରି ତିଆରି କରାଇବେ ବୋଲି ସ୍ଥିର କଲେ । ସେ ଏସବୁ ମନଇଚ୍ଛା କରିବାକୁ ଚାହିଁଲେ ବି ଜୋସୁକୁ ସାଙ୍ଗରେ ନେବାକୁ ଠିକ୍‌ କଲେ । ଯାହା ଜୋସୁକୁ ଭଲ ଲାଗିବ, ତା ମନମୁତାବକ ସେ ପୋଷାକ ବରାହ କରିବେ । ତା ମାଆ ବି ସେ ସମୟରେ ପାଖରେ ଥିବା ଦରକାର । ସମସ୍ତ ଥିଲେ ବି ମାତ୍ସୁୟୀ ପରିବାରର ଆଦବ କାଇଦା ଅନୁଯାୟୀ ତାଙ୍କୁ ହିଁ ଅଧିକ ଭାବିବାକୁ ହେଉଚି । ସେ ଯଥାସାଧ୍ୟ ତାଙ୍କ ପରିବାରର ଚାହିଦା ପୂରଣ କରିବେ ବୋଲି ମନେ ମନେ ସ୍ଥିର କରିଛନ୍ତି ।

 

ପୂର୍ବପୁରୁଷମାନଙ୍କ ଭଳି ସେ ଅନ୍ଧ ଭାବରେ ନିଜ ଝିଅଠାରୁ ଆଜ୍ଞାଧୀନତା ଆଶା କରୁ ନ ଥିଲେ । ଯଦି ଜୋସୁ ଚାହେଁ, ତେବେ ତାଙ୍କର ଏଇ ଘରେ ସେ କୋବରୀ ସହିତ ତାକୁ ଏକୁଟିଆ ସାକ୍ଷାତ କରିବାକୁ ସୁବିଧା ଦେବାକୁ ମଧ୍ୟ ରାଜି । ବିବାହ ପର୍ଯ୍ୟନ୍ତ ସେ ନିଜ ଝିଅକୁ କୋବରୀ ସହିତ ବାହାରେ ବୁଲିବା ଦେଖିବାକୁ ଚାହାନ୍ତି ନାହିଁ; କିନ୍ତୁ ବାପା, ମା’ ଉଭୟ ଘରେ, ଥିଲାବେଳେ କୋବରୀ ତା’ ସହିତ ଦେଖାସାକ୍ଷାତ କରିପାରେ । ବିବାହ ସେପ୍‌ଟେମ୍ବର ମାସ ଦ୍ୱିତୀୟ ସପ୍ତାହକୁ ହେବ; କିନ୍ତୁ ତା ପୂର୍ବରୁ ଦିନ ଓ ସମୟ ସ୍ଥିରକରି ଆଗରୁ ଜଣାଇଲେ କୋବରୀ ତାଙ୍କ ଘରୁକୁ ଆସିପାରିବ । ଏଥିରେ ସାକାଇ ପରିବାରର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ ନାହିଁ ।

 

ଡକ୍ଟର ଓ ଶ୍ରୀମତୀ ସାକାଇ ସବୁବେଳେ କୋବରୀକୁ ସ୍ୱାଗତ କରୁଥିଲେ । ପ୍ରଥମଥର ତା’ ରହିବା ସମୟ ଭିତରେ ସେମାନେ ପାଖରେ ବରାବର ରହିଲେ; କିନ୍ତୁ ଦେଖିଲେ ଜୋସୁ ଖୁବ୍‌ କମ୍‌ କଥାବାର୍ତ୍ତା କରୁଚି । କୋବରୀ ଯାହା କହିଲା, ସେ ମୁଣ୍ଡ ହଲାଇ ସମ୍ମତି ଜଣାଇଲା, ତା’ର ପ୍ରଶ୍ନର ଉତ୍ତର ହିଁ, ନାଁ ସେ ଦେଇଦେଲା ଓ ନିଜେ କିଛି କହିଲା ନି ।

 

‘‘ଆମେ ସେ ଦୁହିଙ୍କୁ ଏକୁଟିଆ ଛାଡ଼ିଦେଲେ ଭଲ ହେବ କି ?’’ ଡକ୍ଟର ସାକାଇ ରାତିରେ ଶୋଇବାଘରେ ସ୍ତ୍ରୀଙ୍କୁ ପଚାରିଲେ ।

 

‘‘ତା’ ପରେ ବି ଆମେ ଏତେଦିନ ଆମେରିକାରେ ଥିଲେ ଯେତେବେଳେ’’...ଶ୍ରୀମତୀ ସାକାଇ ଦେଲେ ।

 

‘‘ଏବେ ଆମେ ଜାପାନରେ’’ ସେ ଟିକେ ଉତ୍ତେଜିତ ହୋଇ କହିଲେ; କାଲିଫର୍ଣ୍ଣିଆ ପରି କୌଣସି କଥା ଏଠାରେ କରିବାକୁ ସେ ରାଜି ନୁଅନ୍ତି । ଆମେରିକାରେ ଥିବା ଜାପାନୀମାନଙ୍କର ଅବରୁଦ୍ଧ ଶିବିର ସେଠାରେ ଥିବା ବନ୍ଧୁ ପରିବାରବର୍ଗଙ୍କ କଥା ବାରବାର ମନେ ପକାଇଲେ ଯଦି ଓ ବହୁ ପୂର୍ବରୁ ଶିବିରଗୁଡ଼ିକ ଭାଙ୍ଗିଯାଇ ଜାପନୀମାନେ ଆମେରିକାର ଚାରିଆଡ଼େ ବେଶ୍‌ ସୁବିଧାରେ ଖେଳେଇ ହୋଇ ରହିଯାଇଥିଲେ । ତଥାପି ସେ ଶିବିରର ଭୟାବହ କଥା ହିଁ ଭାବିବାକୁ ଲାଗିଲେ-

 

‘‘ଜୋସୁର ଆମେରିକା କଥା ମନେ ଅଛି’’ ଶ୍ରୀମତୀ ସାକାଇ କହିଲେ । ‘‘ଯାହାକୁ ବିଭା ହେବ, ତା ସହିତ ଯେ ସେ ଏକାନ୍ତରେ କଥାବାର୍ତ୍ତା କରିପାରିବ ନାହିଁ, ଏହା ତାକୁ ଅଦ୍ଭୁତ ଜଣାଯାଉଥିବ ।’’

 

ସେଥିଯୋଗୁଁ ସେଥରକ କିଛି ସମୟ ପାଗ ବିଷୟରେ ଓ ସେବତୀ ଫୁଲର ଚାଷ ବିଷୟରେ ଗପସପ କରି ଏବଂ ନିଜ କାମ ବିଷୟରେ କିଛି ନ କହି, ଡକ୍ଟର ସାକାଇ ସ୍ତ୍ରୀଙ୍କୁ ଅନ୍ୟତ୍ର ଯିବାକୁ ନିର୍ଦ୍ଦେଶ ଦେଲେ ଓ ଦୁହେଁ ସେଠାରୁ ଉଠି ଚାଲିଆସିଲେ । ସେମାନେ ଗଲା ପରେ କୋବରୀ ମାତ୍ସୁୟୀ ମୃଦୁ ହସି ଜୋସୁ ଆଡ଼କୁ ବୁଲିପଡ଼ି ଖସିରେ ପଚାରିଲା, ‘‘ତୁମ ବାପା ଜଣେ ବିରାଟ ଲୋକ ।’’ କୋବରୀ ସ୍ୱରରେ ଉତ୍ସାହ ଓ କୋମଳତା ମିଶି ରହିଥିବା ଅନୁଭବ କଲା ।

 

‘‘ସେ କେମିତି ତୁମକୁ ବିରାଟ ଜଣାଗଲେ ?’’ ଜୋସୁ ପଚାରିଲା ।

 

‘‘ଆମମାନଙ୍କଠାରୁ ସେ ଅଧିକ ଜାପାନୀ, ତେବେ ବି ସେ ଜାଣିପାରନ୍ତି ଦି ଯେ, ତାଙ୍କଠାରେ ଏପରି କିଛି ଅଛି, ଯେତେ ଚେଷ୍ଟାକଲେ ବି ତାହା ଆଦୌ ଜାପାନୀ ଲୋକଙ୍କର ହୋଇ ନ ପାରେ । ଆମେରିକା ତାଙ୍କ ଉପରେ ଦାଗ ରଖି ଦେଇଚି ।’’

 

‘‘ମୋ ଉପରେ ବି ସେ ଦାଗ ରହିଚି ବୋଲି ମୁଁ ଭାବୁଚି ।’’ ଜୋସୁ କହିଲା । ‘‘ହଁ, ତୁମଠାରେ ବି, କିନ୍ତୁ ମୁଁ ଆମେରିକାନ୍‌ଙ୍କୁ ଭଲପାଏଁ ।’’ କୋବରୀ କହିଲା ।

 

‘‘ଏଠି ଯେଉଁମାନେ କାମ କରୁଛନ୍ତି, ସେମାନଙ୍କୁ ବି !’’ ଜୋସୁ ସନ୍ଦେହୀ ଭାବରେ ପ୍ରଶ୍ନ କଲା ।

 

‘‘ସେମାନଙ୍କୁ ବି, ତେବେ ସେମାନେ ଯେଉଁ କାମ କରନ୍ତି, ମୁଁ ସବୁବେଳେ ତା ପସନ୍ଦ କରିପାରେ ନି । ତାଙ୍କ ଉପରେ ଦୟା ଆସେ ଏକ ବିରାଟ କାମରେ ସେମାନେ ନିଯୁକ୍ତ ।’’

 

‘‘କି କାମରେ ?’’

 

କୋବରୀ ପୁଣି ହସିଲା ଓ କହିଲା—‘‘ଆମ ଭିତରୁ ଜାପାନର ଜୀବନଧାରାକୁ ଦୂରେଇ ଦେବାକୁ, କିନ୍ତୁ କି ଅସମ୍ଭବ କଥା !’’

 

‘‘ତଥାପି ସେମାନେ ଆମ ଭିତରେ ପରିବର୍ତ୍ତନ ଆଣୁଚନ୍ତି’’ ଜୋସୁ କହିଲା ।

 

‘‘କେତେକଙ୍କ ଭିତରେ’’ କୋବରୀ ରାଜିହେଲା ।

 

‘‘ତୁମେ କ’ଣ ଭାବୁଛ—ସେମାନେ ଯିବା ପରେ ସବୁକଥା ପୂର୍ବଭଳି ହୋଇଯିବ ?’’ ଜୋସୁ ପଚାରିଲା ।

 

‘‘ପ୍ରଥମ ପୂର୍ବଠାରୁ ଅଧିକ ହୋଇଯିବ’’ କୋବରୀ କହିଲା । ଆମର ପୂର୍ବଗୌରବ ରକ୍ଷାକରି ଆମେ ନୈଷ୍ଠିକ ଜାପାନୀ ହୋଇଯିବା, ତା ପରେ ପୁରୁଷେ ଦୁଇ ପୁରୁଷ ପରେ ଆମେ ପୁଣି ବଦଳିଯିବା, ଯାହା ଆମେ ବର୍ଜନ କରିଥିଲେ, ତାକୁ ପରୀକ୍ଷା କରି ପୁଣି ସେଥିରୁ କିଛି କିଛି ଗ୍ରହଣ କରିବା । ଆମେମାନେ କ’ଣ କରିବା ଏହା ଜାଣିବାକୁ ପଚାଷବର୍ଷ ଲାଗିଯିବ; କିନ୍ତୁ ସେତେବେଳକୁ ପୃଥିବୀର ଅବସ୍ଥା କ’ଣ ହୋଇଥିବ, କିଏ କହିପାରିବ ?

 

ଜୋସୁ ଭାବୁଥିଲା କୋବରୀ ବେଶ୍‌ ଗମ୍ଭୀର ଭାବରେ ଅଧୈର୍ଯ୍ୟ ନ ହୋଇ ଭଲ କଥା କହିପାରେ ।

 

‘‘ତୁମକୁ ଭୟ ଲାଗୁ ନି ? ଜୋସୁ ପଚାରିଲା ।

 

‘‘କାହିଁକି ମତେ ଭୟ ଲାଗିବ ? ମୁଁ ଏକ ପୁରାତନ ରକ୍ଷଣଶୀଳ ପରିବାର ଲୋକ ବୋଲି ତୁମେ ଜାଣ । ମୁଁ ଭବିଷ୍ୟତର ସେଇ ରକ୍ଷଣଶୀଳତା ଭିତରେ ନିଜକୁ ଖାପ୍‌ଖୋଇ ବେଶ୍‌ ଭଲ ଚଳିପାରିବି । ଏଇ ଅନାଥାଶ୍ରମରେ ରହୁଥିବା ହଜାର ପିଲାଙ୍କୁ ଦେଖିଲେ ମୋତେ ଭାରି ଦୁଃଖ ଲାଗେ, ସେମାନଙ୍କର ବାପା ଆମେରିକାନ୍‌ ଓ ମା’ ଜାପାନୀ; ସୁତରାଂ ସେମାନେ ଅନାଥ ଓ କୁଳହୀନ’’—ସେ ଉତ୍ତର ଦେଲା ।

 

ସେମାନଙ୍କ କଥା ଯେ ସେ କେବେ ଭାବିନି–ଏଥିପାଇଁ ସେ ନିଜକୁ ଲଜ୍ଜିତ ଅନୁଭବ କଲା । ଯଦି ଆଲେନ୍‌ କେନେଡ଼ି ତାକୁ ବିଭାହେବାକୁ ସମ୍ମତି ଦେବାରେ ସେ ପ୍ରଶୟ ଦେଇଥାଆନ୍ତା, ତେବେ ସେମାନଙ୍କର ତ ପିଲାପିଲି ହୋଇଥାଆନ୍ତେ ! ଆଲେନ୍‌—ଆଉ—ନିଜେ କ’ଣ ସେମାନେ ତାଙ୍କ ପିଲାଙ୍କୁ ଏମିତି ଛାଡ଼ି ଦେଇଥାନ୍ତେ ? ନା ଏହା କେବେ ସେମାନଙ୍କ ପକ୍ଷେ ସମ୍ଭବ ହୋଇ ନ ଥାନ୍ତା ।

 

‘ବିଚରା ଛୋଟ ପିଲାମାନେ—ସେମାନେ ଜନ୍ମ ନ ହୋଇଥିଲେ ଭଲ ହୋଇଥାନ୍ତା ।’’ କୋବରୀ କଣ୍ଠରେ ଦୟା ଓ କୋମଳତା ଭରି ରହିଥିଲା ।

 

ସେ ହଠାତ୍‌ ଇଚ୍ଛାକଲା କୋବରୀକୁ ସବୁ କଥା ଜଣାଇଦେବ । ତା’ର ଭଲଗୁଣ—ସେ ଭାରି ଦୟାବନ୍ତ । କୋବରୀ ଆଗ୍ରହର ସହିତ ସବୁ କଥା ଶୁଣୁଥିବାର ସେ କଳ୍ପନା କଲା । ଜୋସୁ ଏ ବିଷୟରେ କିଛିଟା କଳ୍ପନା କରିଥିଲେ ମଧ୍ୟ କୋବରୀକୁ କହିଲା ନାହିଁ । ବିଶେଷତଃ ସେ କୋବରୀର ସ୍ତ୍ରୀ ହେବାକୁ ଯାଉଥିବାବେଳେ, ତାକୁ ଏ କଥା କହିବା ତା’ର ଉଚିତ୍‌ ନୁହେଁ । ସେ କୋବରୀକୁ ଚାହିଁଲା । ତା’ ଆଖିରେ ଯେ ପ୍ରଶ୍ନବାଚୀ ଭରି ରହିଛି, ଏ କଥା ସେ ଜାଣିପାରିଲା ନାହିଁ-। କୋବରୀ ଅଳ୍ପ ହସି କହିଲା, ‘‘କଣ କହୁଚ ? କିଛି ପଚାରିବାକୁ ଚାହୁଁଚ କି ?’’

 

‘‘ତୁମେ କେମିତି ଜାଣିଲ ?’’ ସେ ଚମକି ପଡ଼ିଲା ।

 

‘‘ତୁମର ମୁହଁରୁ ଜଣାପଡ଼ୁଚି—ତୁମେ କ’ଣ ଭାବୁଚ ତା ଅବଶ୍ୟ ମୁଁ ଜାଣି ନେବି ।’’

 

‘‘ମୁଁ ଭାବୁଚି’’ ! ସେ ରହିଗଲା—ଏଇଟା କହିଦେବା ସମୟ କି ନୁହେଁ, ଭାବିଲା—ବାସ୍ତବିକ୍‌ ତା’ର ସବୁ କଥା କହିଦେବା ଉଚିତ୍‌ ।

 

ତାହାହେଲେ ଉଭୟଙ୍କ ଭିତରେ ଗୋପନୀୟ କିଛି ରହିବ ନି ।

 

‘‘ତୁମେ ମନେ ମନେ ପଚାରୁଚ—ଯାହାକୁ ମୁଁ ବିଭାହେବି ସେ କିପରି ଲୋକ ?’’ ସେ ଜଣାଇଲା ।

 

‘‘ସବୁ ସ୍ତ୍ରୀ ଲୋକ ଏଇଆ ପଚାରିବେ ନି କି ?’’ ସେ ଭୁଲାଇ ଦେଲା । ‘‘ସେ କଥା ସତ-।’’

 

ସେମାନେ ଜାପାନୀ କାଇଦାରେ ଆଣ୍ଠୁମାଡ଼ି ବସି ଗପ କରୁଥିଲେ । କୋବରୀ ଜୋସୁଠାରୁ କିଛି ଦୂରରେ ଥିବାରୁ ଜୋସୁକୁ ଭଲ ଲାଗୁଥିଲା । ବିବାହ ପୂର୍ବରୁ କୋବରୀ କେବେ ତାକୁ ସ୍ପର୍ଶ କରିବାକୁ ଚାହିଁବ ନାହିଁ । ତଥାପି କୋବରୀ ତା’ର ବାପାଙ୍କୁ କହିଲା ଯେ ଗପସପ ଦ୍ୱାରା ସେମାନେ ପରସ୍ପରକୁ ଅଧିକ ଚିହ୍ନିପାରିବେ ବୋଲି ସେ ବିଶ୍ୱାସ କରେ ।

 

କୋବରୀ ଜାଣିବାଶୁଣିବା ପିଲା । ସେ କହିଲା, ‘‘ମୁଁ ଭାବୁଚି ମୁଁ ଜଟିଳ ନୁହେଁ । ଯେତିକି ବର୍ଷ ମୁଁ ବାଧ୍ୟତାମୂଳକ ଭାବେ ସୈନ୍ୟ ବାହିନୀରେ ଥିଲି, ଯାହା ଶିଖିଥିଲି, ବର୍ତ୍ତମାନ ମୁଁ ତାର ଓଲଟା ହୋଇଯାଉଚି । ମୁଁ ଏବେ କିଛି ମାରୁନାହିଁ । ମୂଷାଟିଏ ବି ମୁଁ ମାରୁ ନି ବୋଲି ତୁମେ ଧରିନେଇପାର । ମିଲିଟାରୀରେ ଥିଲାବେଳେ କେତେଗୁଡ଼ିଏ ବର୍ଷ ମିଲିଟାରୀ ଅଫିସରମାନଙ୍କର ଯାବତୀୟ ଗର୍ଜନ ଶୁଣି ଶୁଣି ମୁଁ ବେଳେ ବେଳେ ଭାବୁଥିଲି ଯେ ମୋ ଜୀବନର ବାକି ସମୟତକ ମୁଁ କେବଳ ଫୁସ୍‌ଫୁସ୍‌ କରି କଥା କହିବି । ଛୋଟ ଛୋଟ ଭୁଲ୍‌ଯୋଗୁଁ ଲୋକମାନେ ମାଡ଼ ଓ ଗୋଇଠା ଖାଇବା ମୁଁ ଦେଖିଚି । ତେଣୁ ଭାବ ନାହିଁ ଯେ ମୁଁ କେବେ ଗୋଟିଏ ଛୁଆକୁ ମାଡ଼ଦେଇ ପାରିବି । ମୁଁ ଏତେ ନିଷ୍ଠୁରତା ଦେଖିଚି ଯେ ଏବେ ଏକମାତ୍ର ନିଜର ଦୟାନୁବର୍ତ୍ତିତାରେ ମୁଁ ବଞ୍ଚିବାକୁ ଚାହେଁ । ଏସବୁ କେବଳ ମୋ ନିଜ ପାଇଁ । ଏହାକୁ ତୁମେ ଦୁର୍ବଳତା କହିପାର । ତଥାପି ମୁଁ ଯେତେବେଳେ ଭାବେ ଯେ ନିଷ୍ଠୁରତାର ବିଷକୁ ମୁଁ ପ୍ରତିରୋଧ କରୁଚି—ଯାହା କି ଭୟଙ୍କର ରୋଗ ଭଳି ଜଣକଠୁଁ ଆଉ ଜଣକୁ ବ୍ୟାପି ଚାଲିଚି, ସେତେବେଳେ ମୋର ମନେହୁଏ, ମୋ ପରି ଆହୁରି ଅନେକ ଅଛନ୍ତି-। ତେଣୁ ଦିନେ ନା ଦିନେ ମଣିଷର ଏଇ ନିଷ୍ଠୁରତା ନିଶ୍ଚୟ ଲୋପ ପାଇବ ।’’

 

କୋବରୀ କେବେ ଏପରି ଗମ୍ଭୀରଭାବେ ଏତେ କଥା କହିବାର ସେ ଶୁଣି ନ ଥିଲା ଓ ତା’ ପ୍ରତି କୃତଜ୍ଞ ହୋଇ ପଡ଼ିଲା । ନିଜର ପରିଚୟ ତା’ ଆଗରେ ଦେବା କର୍ତ୍ତବ୍ୟ ଭାବି କୋବରୀ ଏତକ କହିଗଲା; କିନ୍ତୁ ଅଜ୍ଞାତ ଭାବରେ ଜୋସୁ ପ୍ରଶ୍ନଗୁଡ଼ିକର ଉତ୍ତର ସେ ଦେଇ ପକାଇଚି । ଅନ୍ୟ ଜଣକ ପ୍ରତି ତା’ର ପ୍ରେମ ବିଷୟ ସେ ତାକୁ କହିଲେ, ଦୟାପରାୟଣ ହୋଇ ସେ ହୁଏ ତ ସେଥିରେ ସମ୍ମତି ଦେବ କିମ୍ବା ସେ ଭୁଲିଯିବା ଯାଏ ବା ବଦଳି ଯିବାଯାଏ ନିଜକୁ ତା ଠାରୁ ଦୂରେଇ ରଖିବ । ନିଶ୍ଚୟ ସେ ଭୁଲିଯିବ, ଆଉ ସେ ନିଶ୍ଚୟ ବି ବଦଳି ଯିବ । ଅପେକ୍ଷା କରିବାକୁ ସେ ଚାହେଁ ନାହିଁ । ସେ ବିଭାହେବାକୁ ଚାହେଁ; କାରଣ ବିବାହ ତା ମନକୁ କରି ତାର ସମୟକୁ କର୍ମବ୍ୟସ୍ତ କରି ରଖିପାରିବ ।

 

‘‘ତୁମର କଥା ତୁମେ ମୋତେ ବୁଝାଇ ଦେଇଥିବାରୁ ଧନ୍ୟବାଦ’’ ସେ କହିଲା । ‘‘ମୁଁ ତୁମକୁ ସମ୍ମାନ ଦିଏ କୋବରୀ ମାତ୍ସୁୟୀ ! ପୁରୁଷ ବା ନାରୀ ଭିତରେ ମମତା ଓ ସହନଶୀଳତା ହିଁ ସବୁଠାରୁ ବଡ଼ଗୁଣ ବୋଲି ମୁଁ ଭାବେ । ମୁଁ ନିଜେ ନିଜକୁ ସେଇ ଅନୁକମ୍ପାରେ ବଞ୍ଚାଇବାକୁ ଚାହେ ।’

 

ସେ ତାକୁ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଚାହିଁଲା—ହୁଏ ତ ତା’ ପ୍ରତି ତା ନିଜର ସ୍ନେହ ଉଦ୍ରୋକ ହେଲା । ଶତାବ୍ଦୀ ଶତାବ୍ଦୀ ଧରି ଜାପାନରେ ପ୍ରେମବିହୀନ ବିବାହ ହୋଇଛି । ସମ୍ମାନ ଓ ସ୍ନେହ ହିଁ ଯଥେଷ୍ଟ । ଅନ୍ତତଃ ତା’ର ପୂର୍ବପୁରୁଷମାନେ ଏଇଆ ଭାବନ୍ତି ।

 

କୋବରୀ ଟିକିଏ ନଇଁଯାଇ ତାକୁ ପ୍ରତି—ଅଭିବାଦନ ଜଣାଇଲା ଏହିପରି ତାଙ୍କର ଦ୍ୱିତୀୟ ଥର ସାକ୍ଷାତ ହୋଇଥିଲା ।

 

ଗ୍ରୀଷ୍ମଋତୁରେ ଯେତେ ଗରମ ହେଲେ ବି ଅଗଷ୍ଟ ମାସର ଗରମ ସେପ୍‌ଟେମ୍ବର ମାସକୁ ଏ ଥାଏ । ଅଗଷ୍ଟରେ ଏତେ ଗରମ ହେଲା ଯେ ସହରର ବୁଢ଼ା ବୁଢ଼ା ଲୋକମାନେ କହିଲେ, ଏ ବୋଧହୁଏ ହିରୋସୀମା ଓ ନାଗାସାକୀ ଉପରେ ଆମେରିକା ଯେଉଁ ଆଟମବମ୍‌ ପକେଇଥିଲା, ତାହାରି ଫଳ । ଅଗଷ୍ଟ ଷୋଳ ତାରିଖ ଦିନ ଯେତେବେଳେ କିଓଟୋ ନିକଟରେ ଡ଼ାଇମଞ୍ଜି ପର୍ବତରେ ବନାଗ୍ନି ଲାଗିଲା, ଏତେ ଗରମ ହେଲା ଯେ, ଯେଉଁମାନେ ନିକଟରେ ଥିଲେ, ସେମାନେ ଡ଼ହଳ ବିକଳ ହୋଇପଡ଼ିଲେ ।

 

ଡକ୍ଟର ସାକାଇ ଭୀକ୍ଷଣ କ୍ଳାନ୍ତ ଅନୁଭବ କରୁଥିଲେ । ଯେଉଁ ସହରରେ ପରମାଣୁ ବୋମା ପଡ଼ିଥିଲା, ସେଇ ଦୁଇ ସହରରେ ଆସିଥିବା ରୋଗୀମାନଙ୍କ ଦ୍ୱାରା ହସପିଟାଲ ହଠାତ୍‌ ଭର୍ତ୍ତି ହୋଇଗଲା–ସେମାନଙ୍କର ଅତି ପୁରୁଣା ଶୂଖି ନ ଥିବା ଘା ଗୁଡ଼ିକ ଥାଏ । ତାଙ୍କର ସୁଖ୍ୟାତି ଲୋକଙ୍କ ମୁହଁରେ ଏପରି ବ୍ୟାପିଥିଲା ଯେ ଶେଷ ମୁହୂର୍ତ୍ତରେ ଆଶାଶୂନ୍ୟ ରୋଗୀମାନେ ତାଙ୍କ ପାଖକୁ ଆସୁଥିଲେ । ଅତି ଉତ୍ସାହର ସହିତ ସେମାନଙ୍କର ଜୀବନରକ୍ଷା କରିବାକୁ ସେ ଲାଗି ପଡ଼ୁଥିଲେ ଏବଂ ଏଇ ଉତ୍ସାହ ସହିତ ଆମେରିକାନ୍‌ମାନଙ୍କ ପ୍ରତି ବରାବର ସ୍ୱାଭାବିକ ଘୃଣା ଓ ଉତ୍‌କ୍ଷିପ୍ତତା ମିଶି ରହିଥିଲା ।

 

ଏଇ ଗରମ ଓ ବ୍ୟସ୍ତତା ଏକାଠି ମିଶି ତାଙ୍କ ଦେହକୁ ଖରାପ କରିଦେଲା ଓ ସେ ବାଧ୍ୟ ହୋଇ କିଛିଦିନ ଘରେ ରହିଲେ; ଯଦିଓ ସେ ଜାଣିଥିଲେ ଯେ ତାଙ୍କ ଦେହ ଅତିଶୟ ଖରାପ । ସବୁବେଳେ ତାଙ୍କୁ ବ୍ୟସ୍ତ ଲାଗୁଥିଲା । ବିଛଣାରେ ଶୋଇରହିବା ଉଚିତ୍‌ ମନେକଲେ ବି ପାରୁ ନ ଥିଲେ । ତେଣୁ ସେ ପ୍ରାର୍ଥନା କରି ଓ ବଗିଚାରେ ବୁଲି ଶାନ୍ତି ପାଇବାକୁ ଚାହୁଁଥିଲେ । ବଗିଚା ମଧ୍ୟ ଖରାତେଜରେ ଝାଉଁଳି ପଡ଼ିଥିଲା । ବଗିଚାର ସୌନ୍ଦର୍ଯ୍ୟରେ ମୁଗଧ୍ ହେବା ଛାଡ଼ି ସେ ଦେଖିଲେ ଯେ ପାଣିର ପରିମାଣ ଦ୍ୱାରା ପ୍ରପାତଟିର ଗତି ମନ୍ଥର ହୋଇଛି । ଫର୍ଣ୍ଣଗଛଗୁଡ଼ିକ ଶୁଖି ବାଦାମୀରଙ୍ଗ ହୋଇଯାଇଛି, ଆଉ ସୂର୍ଯ୍ୟତାପରେ ପୋଖରୀର ପାଣି ତାତି ଯିବାରୁ ସେଥିରେ ଥିବା ସୁନେଲି ମାଛଟି ମରିଯାଇଛି ।

 

ଦିନେ ତାଙ୍କ ମନ ଭଲ ନ ଥିଲାବେଳେ, ସାମ୍ନାର ଫାଟକରେ ଛୋଟ ପିତଳ ଘଣ୍ଟିକୁ କେହି ଖୁବ୍‌ ଜୋରରେ ଲାଗି ଲାଗି ବଜାଇବାର ଶୁଣିଲେ । ଦରଓ୍ୱାନ୍‌ ନିଶ୍ଚୟ ଶୋଇ ପଡ଼ିଚି । ଯଦି ଓ ଡକ୍ଟର ସାକାଇଙ୍କୁ ଭାରି ଅଶ୍ୱସ୍ତି ଲାଗୁଥିଲା, ତଥାପି ସେ ନିଜେ ଯାଇ ଫାଟକ ଖୋଲିଦେଲେ । ୟୁନିଫର୍ମପିନ୍ଧା ଗୋଟିଏ ଡ଼େଙ୍ଗା ଆମେରିକାନ୍‌ ଅଫିସର ସେଠାରେ ଠିଆ ହୋଇଥିଲା । ଡକ୍ଟର ସାକାଇ ତାକୁ ତରାଟି ଚାହିଁ ପଚାରିଲେ, ‘‘ତୁମର କ’ଣ ଦରକାର ?’’

 

‘‘ଡକ୍ଟର ସାକାଇ ଅଛନ୍ତି କି ?’’ ଲୋକଟି ପଚାରିଲା ।

 

‘‘ହଁ, ମୁଁ ଡକ୍ଟର ସାକାଇ ।’

 

ସେ ନିଜର ଆଖିପତାକୁ କୁଞ୍ଚିତ କରି ଆମେରିକାନ୍‌କୁ ହତୋତ୍ସାହ କରିବାକୁ ଚାହିଁଲେ । ଏ ଲୋକମେନେ ସାଧାରଣ ନାଗରିକମାନଙ୍କ ଘରକୁ ଜବରଦସ୍ତ ପଶିବେ ।

 

‘‘ମୁଁ ଆଲେନ୍‌ କେନେଡ଼ି’’ଲୋକଟି କହିଲା ।

 

ଡକ୍ଟର ସାକାଇଙ୍କର ନାଁଟି ପୂରା ମନେ ରହିଲା । ଯେତେ ଭୁଲିଯିବାକୁ ଚାହିଁଲେ ବି ଭୁଲିପାରିଲେ ନାହିଁ ।

 

‘‘ମୁଁ ତୁମକୁ ଚିହ୍ନିନି’’ ସେ ବିରକ୍ତ ହୋଇ କହିଲେ । ଲୋକଟି ହସିଲା ‘‘ନାଇଁ, କିନ୍ତୁ ମୁଁ ଆପଣଙ୍କ ଝିଅକୁ ସାକ୍ଷାତ କରିଥିଲି ।’’

 

‘‘ମୋ ଝିଅ ସ୍ୱାଧୀନା ନୁହେଁ ।’’

 

‘‘ଆଚ୍ଛା ଡକ୍ଟର ସାକାଇ, ମୁଁ ତା ହେଲେ ଆପଣଙ୍କ ସହିତ କଥାବାର୍ତ୍ତା କରିବି ?’’

 

ଡକ୍ଟର ସାକାଇ ହଠାତ୍‌ କିଛି ଉତ୍ତର ଦେଇପାରିଲେ ନାହିଁ । କେଉଁ ଉପାୟରେ ତାକୁ ମନା କରିବେ, ସେଇ କଥା ସେ ମନେ ମନେ ଭାବୁଥିଲେ । ଜଣେ ଅଫିସରକୁ ସହଜରେ ତ ମନା କରି ହେବ ନି !

 

‘‘ମୋ ଦେହ ଭଲ ନାହିଁ; ନ ହେଲେ ମୁଁ ହସ୍‌ପିଟାଲରେ ଥାଆନ୍ତି । ମତେ ଡ଼ିଷ୍ଟର୍ବ ନ କଲେ ଭଲ ।’’

 

ଦିଜଣଯାକ ପ୍ରତିଯୋଗୀତା କରି ପରସ୍ପରର ଆଖିକୁ ଦୃଢ଼ଭାବେ ଚାହିଁ ରହିଲେ ।

 

‘‘ମୁଁ ତେବେ ପୁଣି ଆସିବି ।’’ ଆଲେନ୍‌ କହିଲା ।

 

‘‘ଦରକାର ନାହିଁ’’—ଡକ୍ଟର ସାକାଇ ବଡ଼ପାଟିରେ କହିଲେ ।

 

‘‘ଦରକାର ଅଛି, ମୁଁ ବାରମ୍ବାର କହୁଚି, ମୋର ଦରକାର ଅଛି’’ ଆଲେନ୍‌ କହିଲା ।

 

ଏଇ ସୁନ୍ଦର ଜାପାନୀ ମୁହଁ ପ୍ରତି ତା ମନ ଭିତରେ ପ୍ରକୃତ ରାଗ ଆସିବାର ଜାଣି ସେ ଆଶଙ୍କିତ ହେଲା । କେଉଁ ଅଧିକାରରେ ଏଇ ଲୋକ ଘରକୁ ଆସିବାକୁ ତାକୁ ମନା କରୁଚି । ଏ ଜୋସୁର ଘର । ଏ ଜାପାନ—ଯେଉଁ ଦେଶ କି ଆମେରିକା ଦ୍ୱାରା ଶାସିତ, ଏ କଥା ସେ ଭୁଲି ନ ଥିଲା ।

‘‘ତୁମେ ବାଧ୍ୟ କରି ନ ପାର’’ ଡକ୍ଟର ସାକାଇ ସତର୍କ ହୋଇ କହିଲେ ।

‘‘ମୁଁ ଆପଣଙ୍କ ଝିଅକୁ ଦେଖିବା ପାଇଁ ଚାହେଁ ।’’ ଆଲେନ୍‌ ପ୍ରତିବାଦ କଲା ।

ଡକ୍ଟର ସାକାଇଙ୍କର କ୍ଷଣକୋପ ସଂଯମର ସୀମା ଅତିକ୍ରମ କଲା । ଆମେରିକାରେ ଏତେଦିନ ରହିଥିବାରୁ ସେ ମନେ ମନେ ଜାଣି ପାରିଲେ ଓ ବୁଝିପାରିଲେ ଯେ ସେ ଲୋକଟି ପିଲାଦିନେ ଉପଯୁକ୍ତ ଶିକ୍ଷା ପାଇ ନି କି କୌଣସି ପବ୍ଳିକ ସ୍କୁଲରେ ଆତ୍ମଶୃଙ୍ଗଳା ଶିକ୍ଷା କରି ନି କିନ୍ତୁ ସେତ ଗଲା, ଗତକଥା । କ୍ରୋଧଜନିତ ବେଳକୁ ସେ ଏ ଆମେରିକାନ୍‌ଙ୍କ ବିରୁଦ୍ଧରେ କିମ୍ବା ନିଜ ବିରୁଦ୍ଧରେ ଲଗାଇ ପାରିବେ ନି । କାରଣ ସେ ପୂରାପୂରି ଜାପାନୀ ନୁହନ୍ତି ।

‘‘ଆମେରିକାନ୍‌ମାନଙ୍କୁ ଏଠାକୁ ଆସିବାକୁ ମୁଁ ଅନୁମତି ଦିଏ ନାହିଁ ।’’ ସେ ଚିତ୍କାର କରି ଫାଟକକୁ ଜୋର୍‌ରେ ଦେଇଦେବାକୁ ଚେଷ୍ଟାକଲେ । ଆଲେନ୍‌ ମନ ଭିତରେ ଦ୍ୱନ୍ଦ ଜାଗିଉଠିଲା, ଯଦିଓ ସେ ନିଜକୁ ବିଜୟୀ ରାଜ୍ୟର ଲୋକ ବୋଲି ପରିଚୟ ଦେବାକୁ ଚାହେଁ ନି, ତଥାପି ଏକ ଶୂନ୍ୟ ଅହମିକା ତା’ ମନକୁ ଅଧିକାର କଲା । ଡକ୍ଟର ସାକାଇଙ୍କୁ ଏ ଅଧିକାର ସାବ୍ୟସ୍ତ କରିବାକୁ ସେ ଦେଲା ନାହିଁ । ଫାଟକ ଭିତରେ ନିଜର ବାନ୍ଧକୁ ସେ ପୂରାଇ ଦେଲା । ଦି ଜଣ ଯାକଙ୍କୁ ଲଜ୍ଜା ଓ ଦୁଃଖ ଲାଗିଲେ ବି ଦୁହେଁ ଅନୁଭବ କଲେ ଯେ, ସେମାନେ ଯୁଦ୍ଧ କରୁଚନ୍ତି । ଜାପାନୀ ଜଣକ ଫାଟକ ବନ୍ଦ କରିବାକୁ ଚାହଁଲା ବେଳକୁ ଆମେରିକାନ୍‌ ଜଣକ ତାକୁ ଜବରଦସ୍ତ ଖୋଲୁଚି ।

ଫାଟକର ନିକଟରେ ଥିବା ଅଂଶଟି ରୋଷେଇଘର । ମଧ୍ୟାହ୍ନ ଭୋଜନ ପାଇଁ ବାସନ ଓ ଜଟାଣ ସଫା କରିସାରି ଉମି ସେଠାରେ ଆରାମରେ ଶୋଇ ପଡ଼ିଥିଲା । ବିଦେଶୀ ଲୋକର ଚିତ୍କାର ଶୁଣି ସେ ଉଠି ପଡ଼ିଲା ଓ ଦୁଆର ପାଖକୁ ଦୌଡ଼ିଗଲା ।

ତା’ର ମାଲିକ ଗୋଟିଏ ଆମେରିକାନ୍‌ ଯୁବକ ଅଫିସରଙ୍କ ସହିତ ଫାଟକ ବନ୍ଦ କରିଦେବାକୁ କଳି କରୁଛନ୍ତି ଦେଖି ସେ ଭୟ ପାଇଗଲା । ବଡ଼ ପାଟିରେ ‘‘ଇଲୋ ବାପା ଲୋ’’ କହି ଖାଉନ୍ଦାଣୀଙ୍କୁ ଖୋଜିବାକୁ ଘର ଭିତରକୁ ଦୌଡ଼ି ଆସିଲା ।

ବିବାହ ଉଦ୍ଦେଶ୍ୟରେ ଭିତରପନ୍ଧ । ପୋଷାକକୁ ଶ୍ରୀମତୀ ସାକାଇ ଓ ଜୋସୁ ବସି ସିଲାଇ କରୁଥିଲେ । ସେମାନଙ୍କର ଶାନ୍ତ ନୀରବତାରେ ଉମି ଏକ ବିସ୍ଫୋରଣ ସୃଷ୍ଟି କଲ ।

‘‘ସାନ୍ତାଣୀ ! ସାନ୍ତ ଜଣେ ଆମେରିକାନ୍‌ ଅଫିସର ସାଙ୍ଗରେ କଳି କରୁଛନ୍ତ ।’’

ଶ୍ରୀମତୀ ସାକାଇ ବସିବା ଜାଗାରୁ ଉଠିପଡ଼ି ଘର ବାହାରକୁ ତରତର ହୋଇ ବାହାରିଗଲେ ଓ ଉମି ତାଙ୍କ ପଛେ ପଛେ ଗଲା ।

 

ଜୋସୁ ବିବ୍ରତ ହେଲା ନି । ସେ ଜାଣିଲା—ଆଲେନ୍‌ ନିଶ୍ଚୟ ଫେରିଛି । କି ଦୁର୍ଭାଗ୍ୟ ! ଫାଟକ ପାଖକୁ ସେ କାହିଁକି ଆସିଲା ? ସେ ଚିଠି ଲେଖିଲା ନି କାହିଁକି ? କିନ୍ତୁ ସେ ଏଠି ରହିବ ନି-। ଯେଉଁପ୍ରକାର ଝଗଡ଼ା ହେଉ ପଛେ, ସେଥିରେ ସେ ଯୋଗ ଦେବ ଓ ଶାନ୍ତି ଆଣିବ ।

 

ଆଲେନ୍‌ କେନେଡ଼ି ଏଥର ତା’ର ପ୍ରେମିକା ଆସୁଥିବାର ଦେଖିଲା । ସେଇ ତନୁପାତଳୀ ଝିଅଟି, ଗୋଟଏ ନୀଳ ଓ ଧଳାର ପୁଲପକା କିମୋନୋ ପିନ୍ଧି ସ୍ମୃତିଠାରୁ ଆହୁରି ସୁନ୍ଦର ଏକ ଉନ୍ଦଭରା ଗତିରେ ତା ଆଡ଼କୁ ଆସୁଚି । ତା ମୁଖ ଓ ଦୁଃଖାହତ ଦିଶୁଥିଲା । ସେ ଫାଟକ ଭିତରକୁ ବର୍ତ୍ତମାନ ଚାଲି ଆସୁଥିବାରୁ ତାକୁ ଭେଟିବାକୁ ଗଲା ।

 

ଡକ୍ଟର ସାକାଇ ବିବ୍ରତ ହୋଇ ଦୁଇଟିକୁ ଚାପି ଠିଆ ହୋଇଥିଲେ । ତାଙ୍କ ସାମ୍ନାରେ ଦେହରକ୍ଷୀ ଭଳି ଉମି ଓ ଶ୍ରୀମତୀ ସାକାଇ ଛିଡ଼ା ହୋଇଥିଲେ । ସେ ହାରି ଯାଇଛନ୍ତି । ଦେଖିଲେ, ତାଙ୍କ ଝିଅ ଆସୁଚି ଓ ହଠାତ୍‌ ଆମେରିକାନ୍‌ର ବାହୁ ପାଶରେ ଆବନ୍ଧ ହୋଇଯାଉଚି । ସେ ଛାଟିପିଟି ହେଉଥିଲା ସତ, କିନ୍ତୁ ଡକ୍ଟର ସାକାଇ ଭାବିଲେ ଯେ ମା, ଉମି ଓ ତାଙ୍କ ଉପସ୍ଥିତି ଯୋଗୁଁ ସେ ଏପରି ହେଉଛି । ସେ ଏକୁଟିଆ ଥିଲେ, ଯାହାହେଲେ ବି ଏପରି ଛାଟିପିଟି ହେଉ ନ ଥାନ୍ତା । ଜାଣିଲେ, ଝିଅକୁ ସେ ହଜାଇଛନ୍ତି, ଏକ ଉପାୟ ଚିନ୍ତା କରିବା ଦରକାର ପଡ଼ୁଛି ।

 

ତାଙ୍କର ଆଖି ଦୁଇଟିରେ ପରାଜୟର ଗ୍ଲାନି ସ୍ପଷ୍ଟ ହୋଇ ଉଠୁଥିଲା । ସେ ଆହତ ମନ ନେଇ ନିଜ ସ୍ତ୍ରୀଙ୍କ ଆଡ଼କୁ ଚାହିଁଲେ—‘‘ତୁମ ଝିଅକୁ ମୋ ପାଖକୁ ଆଣ ।’’ ଏକ ପରାହତ ଗ୍ଲାନିରେ ଡକ୍ଟର ସାକାଇ ଆଦେଶ ଦେଇ ଘର ଭିତରକୁ ଚାଲିଗଲେ ।

 

ଅଳ୍ପ କେତେ ମିନିଟ୍‌ ଏକୁଟିଆ ରହିବାକୁ ସେ ଚାହିଁଲେ । ଏଇ ଆମେରିକାନ୍‌କୁ କୌଣସି ଉପାୟରେ ବିଦାୟ କରିବାକୁ ପଡ଼ିବ ବୋଲି ସ୍ଥିର କଲେ । ସିଧା ବିଦାୟ କରିଦେବାକୁ କିଛି କଷ୍ଟ ପଡ଼ିବ ନି । କିନ୍ତୁ ସରଳ ଭାବରେ ପରିଦର୍ଶକର ଅଭିଳାଷ ବୁଝିବେ । କିଛି ଭଲ ଅଭିଳାଷ ଥିବାର ବିଶ୍ୱାସ ତାଙ୍କର ନାହିଁ । ଆମେରିକାନ୍‌ମାନେ ଜାପାନୀମାନଙ୍କ ବିବାହ କରିବାକୁ ଚାହାନ୍ତି ନାହିଁ । ସେ ଏ କଥା ଜାଣନ୍ତି ଓ ପ୍ରମାଣ ମଧ୍ୟ ତାଙ୍କ ପାଖରେ ଅଛି । ଦରକାର ପଡ଼ିଲେ ନିଜର ପ୍ରମାଣ ଦେଖାଇ ପାରନ୍ତି । କେମିତି ସେ କଥା ନିଜର ସ୍ତ୍ରୀ ଆଗରେ ସେ ଖୋଲି ଦେଇ ପାରିବେ ? ସେ ଯନ୍ତ୍ରଣା ଅନୁଭବ କଲେ ଓ ଗୋଟିଏ ଛୋଟ କୁସନ ଉପରେ ଅନେକ ଦିନ ପର୍ଯ୍ୟନ୍ତ ଶିଖିଥିବା ଭଙ୍ଗୀରେ ଗୋଡ଼ ଦୁଇଟିକୁ ଛନ୍ଦିଦେଇ ବସି ପଡ଼ିଲେ ।

 

ବର୍ତ୍ତମାନ ସେମାନେ ଭିତରକୁ ଆସିଲେ । ଯୁବକଟି ଏବେ ବେଶ୍‌ ଭଦ୍ର ଜଣାଯାଉଥିଲା-। ‘‘ଡକ୍ଟର ସାକାଇ, ପ୍ରକୃତରେ ମୁଁ ଭାରି ଦୁଃଖିତ । ସେଇ ମୂହୁର୍ତ୍ତରେ କ’ଣ ମୋର ହେଲା ଜାଣିପାରିଲି ନି । ଆପଣଙ୍କ ଉପରେ ନିଜକୁ ଲଦି ଦେବାର କୌଣସି ଅଧିକାର ମୋର ନାହିଁ ।

 

ଡକ୍ଟର ସାକାଇ ଏହାର କିଛି ଉତ୍ତର ଦେଲା ନାହିଁ । ଗୋଟିଏ ଗେଷ୍ଟ କୁସନ ତା ଆଡ଼କୁ ଦେଲେ ଓ ସେଥିରେ ଯୁବକଟି ସୁବିଧାରେ ବସିପାରୁ ନି ଦେଖି ଖୁସିହେଲେ । ଜୋସୁକୁ ଠିଆହେବାକୁ କହିଲେ ଓ ଉମି ଆଡ଼କୁ ଟିକିଏ ଆଖି ତରାଟି ଚାହିଁଲେ । ସେ ପଳାଇଗଲା; ତାଙ୍କ ପଛପଟେ ଶ୍ରୀମତୀ ସାକାଇ ଆଣ୍ଠୁ ମାଡ଼ି ବସି ରହିଲେ ।

 

ହଠାତ୍‌ ଯୁବକଟି ପୁଣି ଥରେ ଉଠିପଡ଼ିଲା । ତା ଗୋଡ଼ ବୋଧହୁଏ...ଆରେ ନାଁ—ଜୋସୁକୁ ବସିବାକୁ ଦେବା ପାଇଁ ସେ ଉଠିପଡ଼ିଲା । ‘‘ତୁମେ କେଉଁଠି ବସିବ ?’’ ସେ ଧୀରେ ପଚାରିଲା ।

 

‘‘ଦୟାକରି ମୋ କଥା ଭାବ ନାହିଁ’’—ଜୋସୁ ବିମର୍ଷ ଭାବରେ ଉତ୍ତର ଦେଲା ।

 

‘‘ମୁଁ ତୁମ କଥା—ଇ ଭାବୁଚି ।’’

 

‘‘ବସିପଡ଼ି !’’ ଡକ୍ଟର ସାକାଇ ଝିଅ ଉପରେ ପାଟିକଲେ । ଜୋସୁ ମା ପାଖରେ ଆଣ୍ଠୁ ବସିଲା ଓ ପୁଣି ଆଲେନ୍‌ ଅସୁବିଧାରେ ସେଇ କୁସନରେ ବସିଲା ।

 

ଡକ୍ଟର ସାକାଇ ଅପେକ୍ଷା କଲେ । କ’ଣ ତାଙ୍କୁ କୁହାଯାଉଚି, ଯାଉ । ସେ ତ ଏ ପରିସ୍ଥିତି ଘଟାଇବାକୁ ଚାହିଁ ନ ଥିଲେ । ତେଣୁ ଦୁଃଖିତ ଥିଲେ । ସେ ସମୟରେ ସେ ଭାବୁଥିଲେ, ଘଟଣାଟି ପ୍ରକାଶ ହେଲେ ସେ ନ୍ୟାୟ ଓ ଧୈର୍ଯ୍ୟର ସହିତ ବିଚାର କରିବେ ।

 

‘‘ବାପା’’ ଜୋସୁ ! ଭୀରୁ ସ୍ୱରରେ କଣ ଯେପରି କହିବାକୁ ଯାଉଥିଲା । ସଙ୍ଗେ ସଙ୍ଗେ ଡକ୍ଟର ସାକାଇ ଆଗନ୍ତୁକର ଅଜାଣତରେ ଏପରି ତୀବ୍ର କଟାକ୍ଷପାତ କଲେ ଯେ ଜୋସୁ ଆଉ କିଛି କହିପାରିଲା ନାହିଁ । ଆମେରିକାନ୍‌ ଯୁବକଟି ତାକୁ ରକ୍ଷାକରିବାକୁ ବାହାରିଲା । ‘‘ତୁମେ କିଛି କୁହ ନାହିଁ ଜୋସୁ ମୁଁ କହୁଚି ।’’

 

ଆଲେନ୍‌ ତେଣୁ କହିବାକୁ ବାଧ୍ୟ ହେଲା । କିଓଟୋକୁ ଆସିଲାବେଳକୁ ସେ ଦ୍ୱନ୍ଦରେ ପଡ଼ିଥିଲା । ତା’ର ଏକମାତ୍ର ଉଦ୍ଦେଶ୍ୟ ଥିଲା, ସେ ଜୋସୁକୁ ଥରେ ମାତ୍ର ଦେଖିବ; ଯଦି ପାରେ, ତା ନିଜର ପ୍ରେମ କେତେ ଗଭୀର, ସେ ତା ଠାରୁ ଦୂରେଇ ଯାଇପାରିବ ନାହିଁ । ତା’ ବାପାଙ୍କ ସହିତ ଯୁଦ୍ଧ କଲା ପରେ ସେ ବାଧ୍ୟ୍ୟ ହୋଇ ଏଇ ସିଦ୍ଧାନ୍ତ କରିଚି; କିନ୍ତୁ ପ୍ରକୃତରେ ଜୋସୁର ମଳିନ ସୁନ୍ଦର ମୁହଁ ତାକୁ ଏ ସିଦ୍ଧାନ୍ତ ନେବାକୁ ବାଧ୍ୟ୍ୟ କରିଚି ।

 

‘‘ତାହାହେଲେ କୁହ’’ ଡକ୍ଟର ସାକାଇ କହିଲେ, ‘‘ତୁମେ କାହିଁକି ଏଠାକୁ ଆସିୁ, ମୁଁ ଜାଣିବାକୁ ଚାହେଁ ।’’

 

‘‘ମୁଁ ଆପଣଙ୍କ ଝିଅକୁ ଦେଖିବାକୁ ଆସିଚି ।’’

 

‘‘ତୁ ଏ ଲୋକକୁ ଚିହ୍ନୁ ?’’ ଡକ୍ଟର ସାକାଇ ଝିଅ ଆଡ଼କୁ ବୁଲିପଡ଼େ ପଚାରିଲେ ।

 

‘‘ଆମେ ପରସ୍ପରକୁ ଜାଣୁ’’—ଆଲେନ୍‌ କେନେଡ଼ି କହି ପକାଇଲା । ତା ପରେ ସେ ସହଜ ଭାବରେ ତା’ର ବନ୍ଧୁତା ବିଷୟରେ ଛୋଟ କାହାଣୀଟିଏ କହିଲା ଓ ସେମାନେ ଅଳ୍ପ କେତେ ଘଣ୍ଟା ପରେ ବିଦାୟ ନେଇଥିବାର ଜଣାଇଲା ।

 

‘‘ତେବେ ତୁମେ ପୁଣି କାହିଁକି ଫେରିଲ ?’’ ଡକ୍ଟର ସାକାଇ ପଚାରିଲେ । ‘‘ତାକୁ ମୁଁ ଅତି ଭଲ ପାଉଥିବାରୁ ଫେରିଆସିଲି’’—ଆଲେନ୍‌ କହିଲା । ଡ଼ାକ୍ତର ସାକାଇ ବିରକ୍ତ ହେଲେ, ‘‘ତୁମେ ତାକୁ ପ୍ରେମ କରିପାରିବ ନାହିଁ । ମୋର ବନ୍ଧୁପତ୍ର କୋବରୀ ମାତ୍ସୁୟୀ ସହିତ ତା’ର ନିର୍ବନ୍ଧ ସରିଚି । ପନ୍ଦର ଦିନ ଭିତରେ ବାହାଘର ହେବ ।’’

 

ଯୁବକଟି କିଛି ସମୟ ନୀରବ ହୋଇ ବସିରହିଲା । ତା ପରେ କୋସୁକୁ ପଚାରିଲା, ‘‘ଏ କଣ ସତ କଥା ?’’

 

ସେ କାନ୍ଦ କାନ୍ଦ ହୋଇ ମୁଣ୍ଡ ହଲାଇ ସମ୍ମତି ଜଣାଇଲା । ‘‘ତୁମେ ମତେ କହି ପାରିଥାନ୍ତ’’ସେ କହିଲା ।

 

ଚିନ୍ତିତ ଭାବରେ କିଛି ସମୟ ସେ ନୀରବ ହୋଇ ବସିଲା । ତା ପରେ ଜୋସୁକୁ କହିଲା, ‘‘ଜୋସୁ, ମୁଁ ଜାଣୁଚି, ମୁଁ ତୁମକୁ ଆଉ ଏକୁଟିଆ ଦେଖିପାରିବି ନାହିଁ । ତେଣୁ ଆମେ ଏକୁଟିଆ ଅଛେ ମନେକରି ମୁଁ ତୁମକୁ କିଛି କହିବି ଓ ତୁମେ ବି ମତେ ସେହିପରି ଉତ୍ତର ଦେବ । ତୁମେ ଯାହାକୁ ବିଭା ହେବ, ତାକୁ ଭଲପାଅ କି ?’’

 

‘‘ନାଇଁ—କିନ୍ତୁ ସେ ଭାରି ଭଲ ଲୋକ’’ ଜୋସୁ ଚୁପ୍‌ଚୁପ୍‌ କହିଲା । ‘‘ଜୋସୁ ! ମତେ ସତ କରି ଆଉ ଥରେ କୁହ—ତୁମେ ମତେ ଭଲପାଅ ତ ?’’

 

ତା’ର ଅଶ୍ରୁସିକ୍ତ ମୁହଁଟି ଉଠାଇ ସେ କହିଲା ‘‘ହଁ—ହଁ ଆଲେନ୍‌ ।’’

 

‘‘ତା ହେଲେ ତୁମେ ମତେ ବିଭା ହେବ କି ?’’

 

ଡକ୍ଟର ସାକାଇ ଭାବିଲେ, ଆମେରିକାନ୍‌ କାଇଦାରେ ସବୁବେଳେ ଗୁରୁଜନମାନଙ୍କୁ ଅମାନ୍ୟ କରିବାରେ ପିଲାମାନଙ୍କର ଦ୍ୱିଧା ନ ଥାଏ ।

 

‘‘ନିର୍ବନ୍ଧ କେବେ ଭାଙ୍ଗିବନି; ଅନ୍ତତଃ ଜାପାନରେ ଏହା ସମ୍ଭବ ନୁହେଁ ।’’ ଡକ୍ଟର ସାକାଇ ବିରକ୍ତ ଓ ଦୃଢ଼ତାର ସହିତ କହିଲେ ।

 

‘‘ମୁଁ ଆଜ୍ଞା ମନେକରୁଚି, ଯଦି ଦୁହେଁ ପରସ୍ପରକୁ ବିଭା ହେବାକୁ ନ ଚାହିଁବେ, ତେବେ ଆଧୁନିକ ଜାପାନରେ ବିବାହ କଣ ହୋଇପାରିବ ?’’ ଆଲେନ ପଚାରିଲା ।

 

ଡକ୍ଟର ସାକାଇ ବିବ୍ରତ ହୋଇପଡ଼ିଲେ । ସେ ଗଳା ପରିଷ୍କାର କରି, ଦୁଇ ଆଣ୍ଠୁରେ ହାତ ପକାଇ ତାଙ୍କ ସାମାର ଚଟାଣକୁ ଚାହି ହଠାତ୍‌ କହିଲେ, ‘‘ମୁଁ ତୁମକୁ କିଛି କହିବାକୁ ଚାହେଁ ।’’

 

‘‘କୁହ ବାପା’’ ଜୋସୁ ଅନୁରୋଧ କଲା ।

 

‘‘ଯେଉଁ କଥା ମୁଁ କାହାରିକି କହି ନି—ଏପରି କି ମୋ ସ୍ତ୍ରୀକୁ ମଧ୍ୟ ସେ କଥା କହ ନି ।’’ ଡକ୍ଟର ସାକାଇ ନିଜ ସ୍ତ୍ରୀଙ୍କ ଦୟନୀୟ ମୁହଁଟିକୁ ନିଜର ଓଜନିଆ ଆଖିପତା ଉଠାଇ ଚାହିଁଲେ ।

 

‘‘ହାରିକୋ, ମତେ କ୍ଷମା ଦିଅ, ମୁଁ ତୁମକୁ କହି ନି । ମୁଁ ଅନେକ ବର୍ଷ ହେଲା ଏ କଥା ଭୁଲିଯାଇଥିଲି । ତୁମର ଝିଅ ପାଇଁ ପୁଣି ଆଜି ମୋର ସେ କଥା ମନେପଡ଼ିଲା ।’’

 

‘‘ମୋ କଥା ଭାବ ନାଇଁ’’ ଶ୍ରୀମତୀ ସାକାଇ ଚାପାକଣ୍ଠରେ କହିଲେ । ‘‘ଜୋସୁ, ମୋର ଏକୋଇର ବଳା । ତୁ ଜଣେ ଆମେରିକାନ୍‌କୁ ବିଭା ହେବା ଅସମ୍ଭବ ।’’ ସେ ଏମିତି ଆରମ୍ଭ କଲେ, ‘‘ମୁଁ ଏକଥା ଜାଣିକରି କହୁଛି । ଏପରି କି ମୁଁ ଯାହା ଜାଣେ, ଏ ଯୁବକ ତାହା ଜାଣେ ନାହିଁ । ସେ ତତେ ଭଲପାଏ, ଏ କଥା ସତ ହୋଇପାରେ, ତୁ ବି ତାକୁ ଭଲପାଉ; କିନ୍ତୁ ପ୍ରେମରେ ବିଚାର ନ ଥାଏ । ଏହା ଏକ ଉଚ୍ଛ୍ୱାସ । ଏ ଉଚ୍ଛ୍ୱାସ ଶୀଘ୍ର ସରିଯାଏ, କିନ୍ତୁ ଜୀବନ ଓ ସମୟ ଅପେକ୍ଷା ପ କରି ଗଡ଼ିଯାଏ ଆଗକୁ ।’’

 

ଏତେ ଦୁଃଖ ଓ ଗାମ୍ଭୀର୍ଯ୍ୟ ନେଇ ସେ କହୁଥିଲେ ଯେ ସେମାନେ ସମସ୍ତ ଶୁଣିବାକୁ ଚାହୁଁଥିଲେ । ଘରେ ଅତି ଗଭୀର ନୀରବତା ଥିଲା । ବିହାତି ସାଧାରଣ ବ ଶୁଭିବା ଶବ୍ଦ ମଧ୍ୟ ଶୁଭୁଥିଲା । ଗୋଟିଏ ବାଦୁଡ଼ି ଗଛରୁ ଓହଳିଥିବା ଅବସ୍ଥାର ତା’ର ଶକ୍ତ ଡ଼େଣାର କମ୍ପନ, ଗୋଟିଏ ମୁଖର ପକ୍ଷୀର କୂଜନ, ପ୍ରପାତର ଶବ୍ଦ ଘରର ଏହି ଅସ୍ୱାଭାବିକ ନୀରବତାକୁ ପରିହାସ କରି ବେଶ୍‌ ଶବ୍ଦାୟିତ ହୋଇ ଉଠୁଥିଲା ।

 

‘‘ଆମେରିକାରେ ଯେତେବେଳେ ମୁଁ ଯୁବକ ଥିଲି’’ ଡକ୍ଟର ସାକାଇ ଦୁଃଖରେ କହୁଥିଲେ-। ‘‘ମୁଁ ଏକ ଆମେରିକାନ୍‌ ନାରୀକୁ ଭଲ ପାଇଲି । ସେ ବି ମତେ ଭଲପାଇଲା ବୋଲି ମୁଁ କହିପାରେ । ଆମେ ଏ କଥା ପରସ୍ପରକୁ ଜଣାଇଲୁ । ମୋ ବାପା, ମା ପ୍ରତିବାଦ କଲେ, କିନ୍ତୁ ମୁଁ ଆମେରିକାନ୍‌ କାଇଦାରେ ବଢ଼ିଥିବାରୁ ଭାବିଲି ଯେ, ମୁଁ ଅନ୍ତର ସହିତ ଯାହା ଚାହେଁ, ସେଥିରେ ବାଧାଦେବାର ଅଧିକାର ସେମାନଙ୍କର ନାହିଁ ।’’

 

ଶ୍ରୀମତୀ ସାକାଇ ହଠାତ୍‌ ଗମ୍ଭୀର ହୋଇଗଲେ । ସେ ହାତ ଦୁଇଟିକୁ ମୁଠାକରି ଚାହିଁ ରହିଲେ । ଡକ୍ଟର ସାକାଇ ତାଙ୍କୁ ଚାହିଁଲେ ନାହିଁ ।

 

‘‘ମା ଗୋ !’’ ଜୋସୁ ଧୀରେ ପାଟି କରି ଉଠିଲା । ତା ବାପା କହିଚାଲିଲେ, ‘‘ମୁଁ ସବୁକିଛି ତ୍ୟାଗ କରିବାକୁ ପ୍ରସ୍ତୁତ ଥିଲି ।’’ ସେ ଶୀତଳ ଓ ଗମ୍ଭୀର ସ୍ୱରରେ କହିଲେ । ‘‘ଏମିତିକି ମୋ ବାପା–ମାଙ୍କୁ ଛାଡ଼ିବାକୁ ମୁଁ ପ୍ରସ୍ତୁତ ଥିଲି । ତା ପରେ ଗୋଟିଏ କଥା ଘଟିଲା । ତା‘ର ଭାଇ ତମେ ଗୋଟାଏ ପିସ୍ତଲ ଦେଖାଇ ଧମକାଇଲା । ମୁଁ ଯେଉଁଦିନ ୟୁନିଭର୍‌ସିଟିରୁ ଗଭୀର ରାତିରେ ଫେରିଥିଲି, ସେଇଦିନ । ମୁଁ ସେଇବାଟେ ଆସିବି ବୋଲି ସେ କେମିତି ଜାଣିଲା ? ଝିଅଟି ନିଶ୍ଚୟ ତାକୁ କହିଥିଲା । ସେ ମୋ ଛାତି ହାଡ଼ରେ ପିସ୍ତଲ ଲଗାଇ କହିଲା, ‘‘ଶୁଣ୍ ତୁ ମୋ ଭଉଣୀକୁ ଛାଡ଼ି ଦେ ।’’ ‘‘ଆମ ପରିବାରରେ ଏହି ହୀନ ଜାପାନୀ ଲୋକକୁ ଚାହୁଁନା ।’’ ଏଇ କଥା କହିଲା । ସେହି ଦିନୁ ମୁଁ ସେ ଝିଅକୁ ଆଉ ଦେଖିନାହିଁ ।

 

‘‘ଏତିକି କଥା ତ ?’’—ଆଲେନ୍‌ ପଚାରିଲା ।

 

‘‘ତୁମେ କେମିତି ଏତିକି କଥା ବୋଲି ପଚାରୁଚ ?’’ ଡକ୍ଟର ସାକାଇ ଅଧୀର ହୋଇ ପଚାରିଲେ । ଏଇତକ ସେତେବେଳେ ମୋ ପାଇଁ ସବୁ ଅଛି । ବର୍ତ୍ତମାନ ବି ମୋ ପାଇଁ ସବୁ କିଛି । ସେ ତାଙ୍କର ବିଶିଆଙ୍ଗୁଠିକୁ ଦେଖାଇ, କହିଲେ ‘‘ତେଣୁ ମୁଁ କହୁଚି, ଏମିତି ପୁଣି ମୋ ଝିଅ ଜୀବନରେ ବି ଘଟିବ ।’’

 

‘‘ମୋ ପରିବାରର କେହି କୌଣସି ଲୋକଙ୍କୁ ପିସ୍ତଲ ଦେଖାଇ ଧମକାଇ ନାହିଁ ।’’ ଆଲେନ୍‌ ଜୋର ଦେଇ କହିଲା ।

 

‘‘ଏକା କଥା ଘଟିବ’’—ଡକ୍ଟର ସାକାଇ ପୁଣି କହିଲେ, ‘‘ପିସ୍ତଲ ଦ୍ୱାରା ନୁହେଁ–ଅନ୍ୟ କିଛି ଦ୍ୱାରା । ଜଣେ ହୀନ ଜାପାନୀକୁ ସେମାନେ ପରିବାରରେ ରଖିବାକୁ ଚାହିଁବେ ନି, ମୁଁ ତୁମକୁ କହିଦେଉଚି ।’’

 

‘‘ମୁଁ ଜାଣୁଚି, ଆପଣ କ’ଣ ଭାବୁଚନ୍ତି ।’’ ଆଲେନ୍‌ ସମବେଦନା ଜଣାଇଲା । କିନ୍ତୁ ସେ ତ ବହୁ ପୂର୍ବର କଥା । ଡକ୍ଟର ସାକାଇ ଜୋସୁଜନ୍ମର ବହୁ ପୂର୍ବର କଥା । ବର୍ତ୍ତମାନ କିନ୍ତୁ ପରିସ୍ଥିତି ବହୁତ ବଦଳିଚି ।

 

‘‘ହେବ’’—ଡକ୍ଟର ସାକାଇ ପାଟିକରି କହିଲେ ‘‘ମୁଁ ଖବର କାଗଜ ପଢ଼ୁଛି; କିଛି ବଦଳି ନି-। ଅନେକ ରାଜ୍ୟରେ, ଗୋରା, କଳା ମଣିଷଙ୍କର ବିବାହ ଚଳୁନାହିଁ । ମତେ କୁହ, ତୁମ ପରିବାର ଜାପାନୀମାନଙ୍କ ସହିତ ଏକା ଟେବୁଲରେ ଖାଆନ୍ତି କି ?’’

 

ଆଲେନ୍‌ ଚମକି ପଡ଼ିଲା । ‘‘ମୁଁ ତ ଜୋସୁକୁ କଳାମଣିଷ ବୋଲି ଭାବି ପାରେ ନା ।’’

 

ଜୋସୁର ଗଣ୍ଡ ଲଜ୍ଜାରୁଣ ଦିଶିଲା । ‘‘ମୁଁ ଆଲେନ୍‌ କେନେଡ଼ି ସହିତ ଏକୁଟିଆ କଥାବାର୍ତ୍ତା ହେବି’’ ସେ ହଠାତ୍‌ କହିଲା । ‘‘ବର୍ତ୍ତମାନ ସବୁ କଥା ଗଣ୍ଡଗୋଳିଆ ଧରିଲାଣି । ଆମେ ଦୁହେଁ ପରସ୍ପର ନିକଟରେ ଖୋଲା ହେବା ଦରକାର, ବାପା !’’

 

ସେ ଏପରି ଦୃଢ଼ତାରେ କହିଉଠିଲା ଯେ ତା’ ବାପା ତାକୁ ବାରଣ କରିପାରିଲେ ନି । ହୁଏ ତ ବାରଣ କରିଥିଲେ ବି କିଛି ଫଳ ହୋଇ ନ ଥାନ୍ତା । ସେମାନେ ବଗିଚାରେ ଯାଇ ଗପସପ କରନ୍ତୁ । ଯୁବକଯୁବତୀମାନେ ଗପ କରିବା ଦରକାର; କିନ୍ତୁ ସେ ତାଙ୍କ ଜୀବନର ତିକ୍ତ ଗୋପନ ଅନୁଭୂତିଟି କହି ସାରିଲେଣି । ସେମାନେ ସେ କଥା ଭୁଲିପାରିବେ ନି ।

 

ସେ ବର୍ତ୍ତମାନ ସ୍ତ୍ରୀଙ୍କ ସଙ୍ଗେ ଏକୁଟିଆ । ଶ୍ରୀମତୀ ସାକାଇ ସେମିତି ଧ୍ୟାନନିଶ୍ଚଳ ଭାବରେ ବସିଥାଆନ୍ତି । ସେ ସ୍ତ୍ରୀଙ୍କ ଆଡ଼କୁ ଚାହିଁ ତାଙ୍କ ହାତମୁଠାକୁ ଦେଖି ଭାବିଲେ ଯେ ତାଙ୍କ ହାତ ଅରୁଚି । ନିଜର ଡ଼ାହାଣ ହାତ ତାଙ୍କର ଦୁଇ ହାତର ମୁଠା ଉପରେ ରଖି କହିଲେ, ‘‘ତୁମେ ଯେତେ ଭଲ, ତୁମର ଫଟୋ ସେତେ ଭଲ ଦିଶୁ ନ ଥିଲେ ମଧ୍ୟ, ତାକୁ ଦେଖି ମୁଁ ଭାବିଥିଲି ତୁମେ ଭଲ ସ୍ତ୍ରୀ ହେବ । ତୁମେଇ ମୋ ପାଇଁ ଏକମାତ୍ର ସୌଭାଗ୍ୟ । ମୁଁ ଯଦି ଅନ୍ୟ ରାସ୍ତା ଧରି ଥାଆନ୍ତି, ମୋ ଜୀବନ କି ଦୁଃଖମୟ ହୋଇ ନ ଥାନ୍ତା ! ସେଇ ଡ଼ାକୁଟାକୁ ଧନ୍ୟବାଦ, ଯେ ମୋ ଛାତିକୁ ପିସ୍ତଲ ଦେଖାଇଥିଲା ।’’

 

ଶ୍ରୀମତୀ ସାକାଇ କୋହକୁ ଚାପି ରଖିଥିଲେ । ‘‘ମୁଁ ଜାଣେ, ତୁମେ ତାକୁ ଡ଼ରୁ ନ ଥିଲି ।’’ ସେ ସରଳ ଭାବରେ କହିଲେ ।

 

ଡକ୍ଟର ସାକାଇ କହିଲେ ‘‘ମୁଁ ସାଙ୍ଗେ ସାଙ୍ଗେ ଉତ୍ତର ଦେଇ ତାକୁ କହିଥିଲି ଯେ କେବେହେଲେ ମୁଁ ତୋ ଭଉଣୀକୁ ବିଭାହେବି ନାହିଁ, ଏ କଥା ସତ ।’’

 

‘‘ସେ କଥା ଭୁଲିଯାଅ ।’’ ଶ୍ରୀମତୀ ସାକାଇ ଅନୁରୋଧ କଲେ । ସ୍ୱାମୀଙ୍କର ପାପୁଲି ତଳୁ ହାତକୁ ଖସାଇ ନେଇ ସେ ପଣତରେ ଆଖି ପୋଛିଲେ । ‘‘ଆମେ ଆମ ଦେଶରେ ଅଛେଁ । ଅନ୍ୟ କଥା ମନେରଖିବା ଦରକାର ନାହିଁ ।’’

 

‘‘ଠିକ୍‌ କହିଚ; କିନ୍ତୁ ଯାହା ଭୁଲି ଯାଇଥିଲି, ସେ କଥା କାହିଁକି କହିଲି ?’’ ଡକ୍ଟର ସାକାଇ କହିଲେ ।

 

‘‘ଥାଉ’’—ସେ ଅଧୈର୍ଯ୍ୟ ହୋଇପଡ଼ିଲେ ।

 

‘‘ମୁଁ ଭୁଲିଯାଇ ନ ଥିଲେ, କେଉଁଦିନୁ ତୁମକୁ କହିସାରନ୍ତିଣି ।’’

 

ସେ ଆଉ ସହିପାରିଲେନି । ତାଙ୍କର ଗୋଡ଼ ଛୋଟ ହେଲେ ବି ସିଧା ଉଠି ସ୍ୱାମୀଙ୍କୁ ନଇଁପଡ଼ି ଅଭିବାଦନ କଲେ ।

 

‘‘ମତେ କ୍ଷମାକର—ମୋର ଟିକେ କାମ ଅଛି ।’’ ସେ ଧୀର ସ୍ୱରରେ କହିଲେ ।

 

ସେ ଘରୁ ଉଠିଯାଇ ଜୋସୁ ଓ ସେ ସିଲାଇ କରୁଥିବା ରୁମ୍‌କୁ ଚାଲିଗଲେ—ତାଙ୍କ ଜୋତାର ଆବାଜ ଅଳ୍ପ ଅଳ୍ପ ଶୁଭୁଥିଲା । ଗୋଟିଏ ପତଳା ଧଳା ସିଲ୍‌କ କନା ନେଇ ସିଲାଇ କରିବାକୁ ଲାଗିଲେ । ଲୁହରେ କାଳେ କନା ଦାଗ ହୋଇଯିବ, ସେଥିପାଇଁ ଆଖି ଭରିଗଲା କ୍ଷଣି ସେ ହାତରେ ପୋଛି ପକାଉଥିଲେ । ସେ ସୁନ୍ଦରୀ ନ ଥିଲେ । ସେ ଏ ଚାଷିଘରର ସ୍ୱାସ୍ଥ୍ୟବତୀ ଝିଅ–ପ୍ରଶସ୍ତ ଓ ଚାରିକୋଣିଆ । ସ୍ୱାମୀ ତାଙ୍କୁ ପସନ୍ଦ କରିନାହାନ୍ତି । ସେ ପ୍ରକୃତରେ ସୁସ୍ଥ ଓ ବିର୍ନତ ଜଣାଯିବାରୁ ତାଙ୍କ ବାପ ମା ପସନ୍ଦ କରିଛନ୍ତି । ସେ ଅସୁନ୍ଦର ହେଲେ ବି ହତାଶ ପ୍ରେମିକ ସ୍ୱାମୀ ତାଙ୍କର ସେଥିପ୍ରତି ଦୃଷ୍ଟି ଦେଇନାହାନ୍ତି । ହଠାତ୍‌ ସେ ଛୁଞ୍ଚି ରଖିଦେଲେ । ଏଇ ପୋଷାକ ହୁଏତ ଦରକାରରେ ଆସି ନ ପାରେ । ତେଣୁ ସିଲେଇ କରିବାରେ ଲାଭ କଣ ?

 

ବଗିଚାରେ ଏଇ ଦୁଇଜଣ ଯୁବକ—ଯୁବତୀ ବାଉଁଶବୁଦା ତଳେ ବସିଲେ—ଏ ଋତୁରେ ବୁଦାଟି କାନ୍ଥ ପାଖରେ ମୋଟା ପର୍ଦା ପରି ଥାଏ । ଗୋଟିଏ ପୁରୁଣା କାଠ ବେଞ୍ଚରେ ସେମାନେ ପାଖ ପାଖ ହୋଇ ବସିଲେ । ତାଙ୍କର ଅଶାନ୍ତି ଟିକେ କମି ଆସିଥାଏ । ନିଜ ପ୍ରେମର ଗଭୀରତା ବୁଝିବାକୁ ଆଲେନ୍‌ ଛଳନା କରିପାରିଲା ନାହିଁ । କେବଳ ଜାଣେ ଯେ ସେ ଜୋସୁକୁ ଭଲପାଏ, ଯାହା କିଛି ହେଲେ ମଧ୍ୟ ସେ ଅତିମ୍ରମ କରି ତା ଉପରେ ନିଜର ଅଧିକାର ସାବ୍ୟସ୍ତ କରିବ ।

 

‘‘ତୁମେ ଜାଣ, ମୋ ଛଡ଼ା ତୁମେ କାହାକୁ ବିଭା ହୋଇ ପାରିବ ନି ।’’ ସେ ତା ଓଠ ପାଖରେ ଚୁପ୍‌ ଚୁପ୍‌ କହିଲା ।

 

‘‘ମୁଁ ବର୍ତ୍ତମାନ ଜାଣୁଚି’’–ଭଙ୍ଗା କଣ୍ଠରେ ଜୋସୁ କହିଲା ।

 

‘‘ଆମେ ପଳାଇଯିବା’’—ଅଧୈର୍ଯ୍ୟ ହୋଇ କହିଲା ଆଲେନ୍‌ । ‘‘ଜୋସୁ, ତୁମେ ଆମେରିକାରେ ଜନ୍ମ ହୋଇଚ । ଆମେ ଆମେରିକାନ୍‌ ଭଳି ଚଳିବା, ଆମେ ଛୋଟ ପିଲା ଭଳି କଥା ମାନିବା ନାହିଁ ।’’

 

‘‘ନାଁ, ଆମେ ପଳାଇଯାଇ ପାରିବା ନି ।’’ ଜୋସୁ ଦୃଢ଼ଭାବରେ କହିଲା । ଆଲେନ୍‌ର ଅଣ୍ଟା ଚାରି ପାଖରେ ବାହୁବେଷ୍ଟନ କରି ସେ ମୁଣ୍ଡ ଟେକିଲା, ଯେପରି ତାକୁ ଦେଖିପାରିବ । ‘‘ତୁମେ କୋବରୀ ମାତ୍ସୁୟୀଙ୍କୁ ଜାଣି ନା, ସେ ଭାରି ଭଲ ଲୋକ । ମୁଁ ତାଙ୍କୁ ସମ୍ମାନ ସହିତ କହିବି । ସେ ବୁଝିଯିବେ ।’’

 

ଅକାରଣରେ ବି ଆଲେନ୍‌ ଭାବୁଥିଲା ଯେ ସେ ଲୋକଟା ଭଲ ହୋଇ ନ ଥିବ । ତା‘ ବାପାଙ୍କ ପରି ଜଣେ ମୋଟାବେକ ଥିବା ଜାପାନୀ ଲୋକଠାରୁ ଜୋସୁକୁ ଦୂରକୁ ନେଇଯିବା ହୁଏ ତ ସହଜ ହେବନାହିଁ ।

 

‘‘ମୁଁ ସେ ଲୋକକୁ ସାକ୍ଷାତ କରିବାକୁ ଚାହେଁ ନି ।’’ ସେ ସିଧା ସିଧା କହିଲା ।

 

‘‘ଦୟାକରି ତୁମେ ସବୁକଥା ମୋ ଉପରେ ଛାଡ଼ିଦିଅ । ମୁଁ ବାପାମାଙ୍କ ସାଙ୍ଗରେ ପରାମର୍ଶ କରିବି । ସାମାନ୍ୟ ଛୋଟ ଘଟଣାରେ ଆମେ ବାପାଙ୍କୁ ମାନିବା, ବୁଝିଲ ଆଲେନ୍‌ କେନେଡ଼ି’’—ଜୋସୁ କହିଲା ।

 

‘‘ହେଇ ଶୁଣ ଜୋସୁ, ତୁମେ ମତେ ସେମିତି ଡ଼ାକିବ ନି, ଖାଲି ଆଲେନ୍‌ ବୋଲି କହିବ-।’

 

‘‘ଆଲେନ୍‌’’ ସେ କହିଚାଲିଲା । ଯେପରି ଆଲେନ୍‌ ଦ୍ୱାରା ତା’ର କଥା ବାଧାପ୍ରାପ୍ତ ହୋଇ ନି । ‘‘ଅତି ବଡ଼ ଘଟଣାରେ ଆମେ ବାପାଙ୍କୁ ମାନିପାରିବା ନାହିଁ ସତ;ମାତ୍ର ବାପାଙ୍କଠାରୁ ଆମେ ଅଲଗା ହୋଇପାରିବା ନି । କିନ୍ତୁ ଯେତେବେଳେ ସେ ପରିସ୍ଥିତି ଦେଖିବେ, ମୋର ବିଶ୍ୱାସ, ସେ ଅରାଜି ହେବେନାହିଁ । ଆମେ ଅନ୍ତତଃ ତାଙ୍କ ଇଛା ଅନୁସାରେ କାମ କରିବା ଉଚିତ୍‌ ହେବ ।’’

 

‘‘ଯେ କୌଣସିଠାରେ ହେଉ ବର୍ତ୍ତମାନ ସେ ବିଭା ହେବାକୁ ମତଦେବାକୁ ପ୍ରସ୍ତୁତ ହୋଇଛି । ଯା ହେଉ, ଏହାର ଶୀଘ୍ର ଫଇସଲା ହୋଇଯିବା ଦରକାର ।’’

 

ଆଲେନ୍‌ର ଛାତିରେ ମୁଣ୍ଡ ରଖି ଜୋସୁ ପ୍ରତିଧ୍ୱନି ପରି କହିଲା ‘‘ହଁ, ଶୀଘ୍ର’’ ।

 

ଏକ ବଡ଼ ଘଟଣା ସ୍ଥିର କରିବାବେଳେ ସେମାନେ ପରସ୍ପରକୁ ପ୍ରେମ କରିପାରିଲେ ନାହିଁ, ଏହା ଅତି ଅଦ୍ଭୁତ । ସେମାନେ ଗମ୍ଭରୀ ଭାବରେ ଲାଗି ଲାଗି ବସିଥିଲେ । ଆଲେନ୍‍ କିଛି ନ ଭାବି ଜୋସୁର ଆଙ୍ଗୁଳିଗୁଡ଼ିକୁ ନେଇ ଖେଳୁଥିଲା, ସତେ କି ସି ଗୋଟିଏ ଖେଳନା ! ଅନେମ ସମସ୍ୟା ଯେ ଆସିବ, ସେ ସଚେତନ ଥିଲା, କିନ୍ତୁ ସେଗୁଡ଼ିକର ରୂପରେଖ ଠିକ୍‌ ଜାଣି ନ ଥିଲା; କିନ୍ତୁ ଏଠି ଜାପାନର ବଗିଚାରେ ବସି ଆମେରିକାର ସେ ଧଳାଘରେ ଭବିଷ୍ୟତରେ ଯେଉଁ ଝଡ଼ ଉଠବ, ତା’ ସେ ସହଜରେ କଳ୍ପନା କରିପାରିଲା ନାହିଁ । କେବଳ ଅନୁମାନ କଲା, ସତେ ଯେପରି ସମୁଦ୍ରର ଲହଡ଼ି ସେଠି ଉଦ୍‌ବେଳ ହୋଇ ମଥା ପିଟିବାକୁ ଯାଉଚି, ସେଠି ଉଠୁଚି ପ୍ରବଳ ସାମୁଦ୍ରିକ ଝଡ଼–ସେମାନେ ସେ ଲହଡ଼ି ଉପରେ ବନ୍ଧ ବାନ୍ଧିବା କେତେଦୂର ସମ୍ଭବ, ତା ସେ ଭାବିପାରୁ ନ ଥିଲା । ତା ପରିବାର କଣ ଭାବିବେ ? ସେମାନଙ୍କୁ ନ କହିବାକୁ ସେ ସ୍ଥିର କରିଚି । ଜୋସୁକୁ ସେମାନେ ଦେଖିବାଯାଏଁ ଅପେକ୍ଷା କରିବ । ଏ କିଛି ତର୍କର କଥା ନୁହେଁ, ଏଇ ମହିୟସୀ ନାରୀକୁ ସେମାନେ ଦେଖନ୍ତୁ, ଏଇ କୋମଳ ଓ ପାତଳୀ ଝିଅଟିକୁ । ସେ ଯେତିକି ମଧୁର ସେତିକି, ବଳବତୀ-। ଯଦି ଓ ବିଚରାଟି ଅତି ଛୋଟ, କିନ୍ତୁ ଏତେ ବୁଦ୍ଧିମତୀ, ଏଇ କଥା ଆଲେନ୍‌କୁ ବିବ୍ରତ କରୁଚି । କିନ୍ତୁ ସେ ସାହସୀ, ବିନୀତ ଓ ଭଦ୍ର ଭାବରେ ଜୋସୁ ତା’ର ମା ପାଖକୁ ଯିବାର ସେ କଳ୍ପନା କଲା । ଠିକ୍‌ ଏହା ହିଁ ହେବ । ସେ ନିଜର ସନ୍ଦେହକୁ ଜୋସୁଠାରୁ ଲୁଚେଇଲା । ଜୋସୁ ପାଇଁ ନୁହେଁ କି ନିଜ ପାଇଁ ନୁହେଁ, ଜୀବନ ପାଇଁ, ଯେଉଁ ଜୀବନର ଗତାନୁଗତିକ ଧାରା ସେମାନେ ଭାଙ୍ଗି ଦେବାକୁ ଯାଉଚନ୍ତି । ସେମାନେ ଯୁବକ ଓ ଯୁବତୀ, ସେମାନଙ୍କର ଧନ ଓ ସମ୍ମାନ ମଧ୍ୟ ଅଛି-। ତା ଛଡ଼ା ଆଜିକାଲି ସବୁ ଗତାନୁଗତିକକତା ଭାଙ୍ଗି ଯାଇଚି । ଅନ୍ୟ ଆମେରିକାନ୍‌ମାନେ ଜାପାନୀ ଝିଅକୁ ବିଭା ହୋଇ ଘରକୁ ନେଉଚନ୍ତି । କେତେକ ବିବାହରେ ଭଲ ଘଟୁଚି, କେତେକରେ ମନ୍ଦ ବି ଘଟୁଛି-। ସାହସ ଥିଲେ ସେମାନଙ୍କ ଜୀବନ କାହିଁକି ଭଲ ନ ହେବ ? ତଥାପି ଏଥିରେ ସେ ଜୋସୁର ମୁଣ୍ଡକୁ ପୁରାଇ ବ୍ୟସ୍ତ କରିବ ନି; ତା ନିଜ ପରିବାରର ଦାୟିତ୍ୱ ତା’ର ପୁଣି ଏଇ ଯେଉଁ ନିର୍ବନ୍ଧ ଶୀଘ୍ର ଭାଙ୍ଗିବ, ଏ ଦାୟିତ୍ୱ ବି ତା’ର । ସେ ଯେ ଆଉ ଜଣକୁ ବିଭା ହେବାର ଅଛି, ଏ କଥା ଆଲେନ୍‌ ସହ୍ୟ କରିପାରୁ ନ ଥିଲା ।

 

‘‘ତୁମେ କେମିତି ଅନ୍ୟଜଣକୁ ବିଭାହେବାକୁ ଶପଥ କରି ପାରିଲ ?’’ ଆଲେନ୍‌ ହଠାତ୍‌ ଦାବୀ କଲା ।

 

‘‘କାହିଁକି ପାରିବି ନି ? ମୁଁ ଜାପାନରେ ଯାହାକୁ ହେଲେ ବି ବିଭା ହୋଇଥାଆନ୍ତି । ତୁମେ ତ ଆଗରୁ ମୋତେ ଏ କଥା ପୁଚାରି ନ ଥିଲା ।’’ ଜୋସୁ କହିଲା ।

 

ଏ ଅବଶ୍ୟ ତା’ର ଭୁଲ । ଏ କଥା ସେ କେବେ ଭୁଲିପାରିନି । ‘‘ଆମ ବିବାହ କେବେ ହେବ ?’’ ସେ ଅଧୈର୍ଯ୍ୟ ହୋଇ ପଚାରିଲା ।

 

‘‘କେମିତି ହବ ?’’ ଜୋସୁ ଦୀର୍ଘଶ୍ୱାସ ପକାଇଲା । ପ୍ରଥମେ ମୁଁ କୋବରୀ ସହିତ କଥାବାର୍ତ୍ତା କରେ । ସୁବିଧାରେ ସେ ସବୁ କରାଇ ଦେବେ ।’’ ‘‘ଆଚ୍ଛା’’—ଆଲେନ୍‌ ଠିଆ ହୋଇପଡ଼ିଲା । ‘‘ତୁମ ଉପରେ ଏ ଦାୟିତ୍ୱ ଦେବାକୁ ମୋର ସଙ୍କୋଚ ଆସୁଛି, ହେଲେ, ମୋର ଅନ୍ୟ ଉପାୟ ନାହିଁ । ମୁଁ ବୁଝିପାରୁ ନି ତୁମେ କି ଉପାୟରେ ଏହାର ସମାଧାନ କରିବ ?’’

 

କିନ୍ତୁ ସେ ହଠାତ୍‌ ଈର୍ଷାନ୍ୱିତ ହୋଇ ପଡ଼ିଲା । ‘‘ତୁମେ ତ ସେ ଜାପାନୀକୁ ବିଭା ହେଲେ ଭଲ ହୁଅନ୍ତା । କାହାରିକୁ ଅସୁବିଧାରେ ପଡ଼ିବାକୁ ହୁଅନ୍ତା ନି ।’’

 

ତା ଓଠରେ ଜୋସୁ ଆଙ୍ଗୁଠି ଲଗାଇଲା । ‘‘ଚୁପ୍‌ ! ତୁମେ କହିଚ ମୁଁ ଆମେରିକାନ୍‌ । ତା ହେଲେ ମୁଁ ଆମେରିକାନ୍‌କୁ ବିଭା ହେବାକୁ ଚାହେଁ ।’’ ସେ ଆଲେନ୍‌କୁ ପ୍ରେମସିକ୍ତ ଆଖିରେ ଚାହିଁଲା-

 

‘‘ମୁଁ ତୁମକୁ ବିଭା ହେବାକୁ ଚାହେଁ ।’’

 

ସେମାନେ ପରସ୍ପରର ବାହୁପାଶ ମଧ୍ୟରେ ଆବନ୍ଧ ହେଲେ । ସେଇ ପୁରାତନ ଭୟାନଙ୍କ ଅଭିଳାଷ ଆଲେନ୍‌ର ରକ୍ତରେ ପଶିଗଲା । ତା’ର ହୃତ୍‌ସ୍ପନ୍ଦନରେ ବି ସେ ଅଣନିଶ୍ୱାସୀ ହୋଇପଡ଼ିଲା । ‘‘ଜୋସୁ ଡ଼େରି ଯେମିତି ନ ହୁଏ । କାଲିଠାରୁ ମୁଁ ମୋ ଆଡ଼ୁ ବ୍ୟବସ୍ଥା ଆରମ୍ଭ କରିବି । ମୁଁ ମୋ କଲୋନେଲ୍‌ଙ୍କୁ କହି ତାଙ୍କ ସାହାଯ୍ୟ ମାଗିବି । ଆମେ କିଛି ନାଲି ରିବନ୍‌ କାଟିବା-। ଶୀଘ୍ର ଯେମିତି ଏହା ହେବ । ବାପାଙ୍କୁ ପ୍ରବର୍ତ୍ତାଇବା ଦାୟିତ୍ୱ ତୁମର ।

 

‘‘ନାଁ–ନାଁ–କୋବରୀ ଜାଣିଲେ ସେ ଆଉ ମନା କରିବେ ନି ।’’ ଜୋସୁ କହିଲା ।

 

‘‘ଆାଚ୍ଛା, ତାହାହେଲେ ମୁଁ ପାଞ୍ଚଟା ଗାଡ଼ିରେ ଯିବି । ଛୁଟି ନ ନେଇ ମୁଁ ଆସିଚି, ଭାବୁଥିଲି, ମୋର ଦିନଟାଯାକ ନଷ୍ଟ ହେବ ନି ।’’

 

‘‘ମୋତେ ଚିଠି ଦବ ଆଲେନ୍‌ ।’’

 

‘‘ତୁମେ ବି ମତେ ଚିଠି ଲେଖିବ ଜୋସୁ ।’’

 

‘‘ମୁଁ ଭଲ ଲେଖିପାରେ ନା ଅବଶ୍ୟ, ତେବେ ଯେତିକି ପାରିବି ।’’

 

ବାପା କାଳେ ପାଟି କରିବେ, ଏତେବେଳ ହେଲାଣି,ଆଲେନ୍‌ ସନ୍ଧ୍ୟେ ଗାଡ଼ି ପାଇବ ନ-। ଏସବୁ ଭାବି ଡ଼ରିଗଲା । ଗୋଟିଏ ଦୀର୍ଘ ଚୁମ୍ଭନ, ତା ପରେ....ଆଉ ଗୋଟିଏ...’’

 

‘‘ଜୋସୁ. ତୁମେ ଆମେରିକାନ୍‌ ଝିଅ ଭଳି ଚୁମ୍ଭନ ଦେଇ ଶିଖିଚ ବା ସେ କଥା ବି ତୁମେ ତା ହେଲେ ଜାଣ ।’’

 

‘‘ଦୁଷ୍ଟ ! ଯେ ବୁଲିବାକୁ ଯିବ, ସେ ବି ଜାଣିବ ।’’

 

‘‘ହଁ, ଏଠାରେ ଲୋକଚକ୍ଷୁର ଅନ୍ତରାଳରେ ଚୁମ୍ବନ ଦିଆନିଆ ହୁଏ ।’’

 

‘‘କିନ୍ତୁ ଆମେରିକାରେ ଏପରି ନୁହେଁ—ତୁମେ ମତେ ଆଜି ରାତିରେ ଚିଠି ଲେଖିବ, ଶୁଣିପାରୁଚ ଜୋସୁ ।’’

 

‘‘ମୁଁ ଚେଷ୍ଟା କରିବି । କିନ୍ତୁ ତୁମେ ବି ଚିଠି ଲେଖିବ ଆଲେନ୍‌ ।’’

 

‘‘ମୁଁ ଟାଇପରାଇଟରରେ ଲେଖିଲେ ତୁମେ କିଛି ଭାବିବ ନି ତ ?’’

 

‘‘ନା...ନା....’’ ତାର ‘‘ନା’’ ଟି ଗୋଟିଏ ଦୀର୍ଘଶ୍ୱାସ ପରି ଲମ୍ବିଗଲା । ସେମାନେ ବିଦାୟ ନେଲେ । ଜୋସୁ ଠିଆ ହେବାରୁ ପୁଣି ଥରେ ତା’ର ପ୍ରତିବିମ୍ବ ପୋଖରୀ ଭିତରେ ଦିଶିଲା । ଅନେକ ଅଡ଼ୁଆ ଚିନ୍ତା ଜୋସୁ ମନକୁ କ୍ରମେ ଭାରାକ୍ରାନ୍ତ କରି ପକାଉଥିଲା । ପ୍ରେମକଲେ ଏତେ ଦୁଃଖ ମିଳେ କାହିଁକି ? ସେ ଆଲେନ୍‌କୁ ଅତି ଭଲପାଏ । କୋବରୀକୁ ଭଲ ପାଇଥିଲେ ବରଂ ଭଲ ହୋଇଥାଆନ୍ତା, ସମସ୍ତେ ବି ଖୁସି ହୋଇଥାଆନ୍ତେ । ଆମେରିକାନ୍‌ ସୈନ୍ୟମାନେ ଗଲାବେଳେ ସେ ଯଦି ଉଇଷ୍ଟେରିଆ ବୁଦାମୂଳେ ଠିଆହୋଇ ନ ଥାନ୍ତା, ତେବେ ଆଲେନ୍‌କୁ ଦେଖି ନ ଥାନ୍ତା, ସେ ବି ତାକୁ ଦେଖିପାରି ନ ଥିନ୍ତା, ତା ହେଲେ ସମସ୍ତେ ଖୁସି ହୋଇଥାଆନ୍ତେ, କିନ୍ତୁ ବର୍ତ୍ତମାନ ଆଉ ସେ ବେଳ ନାହିଁ । ଯେଉଁ ପ୍ରେମର ଦୁଃଖ ଓ କ୍ଳାନ୍ତିରେ ସେମ୍ରିୟମାଣ, ସେଇ ପ୍ରେମରେ ତା’ ବାପା ମା ଆଘାତ ପାଇବେ । ଆଲେନ୍‌ର ଘର ଭର୍ଜିନିଆ ଆଡ଼େ—କିଏ କହିବ ? କିନ୍ତୁ ସେ ଏମିତି ଭଲ ବୋହୂ ହେବ ଯେ ସେମାନେ ତାକୁ ଘୃଣା କରିପାରିବେ ନାହିଁ ।’’

 

ଜୋସୁ ଘର ଭିତରକୁ ପଶି ଚାରିଆଡ଼କୁ ଚାହିଁଲା । ବାପା କେଉଁଠି ଦିଶୁ ନ ଥିଲେ, କେତେ ମିନ୍‌ଟ ପରେ ମା’ ବାପାଙ୍କ ପଢ଼ିବା ଓ ଶୋଇବା ଘରୁ ବାହାରି ଆସିଲେ; ଯେଉଁ ଘରର ପର୍ଦ୍ଦା କେତେବେଳେ ବି ଟେକା ହୁଏ ନି ।

 

‘‘ତୋ ବାପାଙ୍କ ଦେହ ଭଲ ନାହିଁ—ଆଜି ତାଙ୍କୁ ବଡ଼ କଷ୍ଟ ହେଉଛି । ଆଜି ରାତିରେ ତାକୁ କିଛି କହନାହିଁ । ଯଦି କିଛି କହିବାକୁ ଚାହୁଁ ତେବେ ମତେ କହ’’—ମା’ କହିଲେ ।

 

ମା ଓ ଝିଅ ପରସ୍ପରକୁ କିଛି ନ କହି ଛିଡ଼ା ହେଲେ । ଜୋସୁ ଜାଣି ଜାଣି କେମିତି ମାକୁ ଆହୁରି ଅଧିକ ଦୁଃଖ ଦେବ ? ପ୍ରେମ ଏକ ଭୟଙ୍କର ଶକ୍ତି, ମଣିଷକୁ ନିଷ୍ଠୁର କରିଦିଏ । ସେ ପିଲାଦିନୁ ଅତି ନମ୍ର ଥିବାରୁ ନିଷ୍ଠୁରତାକୁ ଘୃଣା କରୁଥିଲା । ବର୍ତ୍ତମାନ ସେ ତା’ ମାଙ୍କୁ ବି ଆଘାତ ଦେବ । ମା ତାକୁ କେବେ ନରମ କଥା ଛଡ଼ା ଟାଣ କଥା ପଦିଏ ବି କହିନାହାନ୍ତି, ତାଙ୍କ ପରିବାର ପାଇଁ ଗଭୀର ନିଷ୍ଠାର ସହିତ ଜୀବନକୁ ଉତ୍ସର୍ଗ କରିଚନ୍ତି । ଜୋସୁ ଆଖିରେ ଲୁହ ଭରିଗଲା । ସେ କିଛି କହି ପାରିଲେ ନି । କବେଳ କରୁଣ ଭାବରେ ଚାହିଁ ରହିଲା । ତା’ ପାଇଁ ତା ମା’ କହିଲେ ‘‘ତୁ ଏଇ ଆମେରିକାନ୍‌ କୁ ବିଭା ହେବାକୁ ଚାହୁଁଚୁ–ନୁହେଁ କି ?

 

‘‘ହଁ ମା, ମୁଁ ସେଇ ଆମେରିକାନ୍‌କୁ ଦେଖି ନ ଥିଲେ ଭଲ ହୋଇଥାନ୍ତା । ମୁଁ କୋବରୀକୁ ବିଭା ହୋଇ ସୁଖୀ ହୋଇପାରିଥାଆନ୍ତ, କାରଣ ମୁଁ ଅନ୍ୟ କିଛି ଜାଣି ନ ଥାଆନ୍ତି । ତୁମେ ଯେମିତି ବାପାଙ୍କୁ ଭଲ ପାଉଚ, ମୁଁ ସେମିତି ସ୍ୱାମୀଙ୍କୁ ଭଲ ପାଇବାକୁ ଶିଖିଥାଆନ୍ତି । ତୁମେ ତ ବୋଧହୁଏ ବିଭାଘର ପୂର୍ବରୁ ବାପାଙ୍କ ଦେଖି ନ ଥିଲ–ନୁହେଁ କି ?’’

 

ମା ହସିଲେ ନି । ତାଙ୍କର ଧୈର୍ଯ୍ୟଶୀଳ, ସରଳ ମୁହଁଟିରେ କିଛି ପରିବର୍ତ୍ତନ ଦେଖାଗଲା ନି । ସେ ସ୍ୱାଭାବିକ ଭାବରେ କହିଲେ, ‘‘ସେ ସମୟ ନିଆରା ଥିଲା । ମୋ ଜୀବନ ତୋ ଜୀବନଠାରୁ ପୁରା ଅଲଗା । ମୁଁ କେବଳ ଆଜ୍ଞାଧୀନ, ରହିଲି । ମୋର ଭାଗ୍ୟ ସେଇଆ ।’’

 

‘‘କିନ୍ତୁ ତମେ ତ ବେଶି ଖୁସିରେ ଅଛ’’ ଜୋସୁ ଉଚ୍ଚସ୍ୱରରେ କହିଲା । ‘‘ହଁ, ମୋ ପରି ସୁଖ ପାଇବା ସହଜ । ମୁଁ ଯେତିକି ପାଇଛି କେବେ ସେତେ ସୁଖ ଆଶାକରି ନ ଥିଲି ।’’

 

ସେମାନେ ସେମିତି ଠିଆ ହେଇଥିଲେ ସ ଜୋସୁ ମାଙ୍କ କାନ୍ଧରେ ହାତ ପକାଇଲା । ‘‘ମୁଁ ତାକୁ ବହୁତ ଭଲପାଏ । ଯାହା ମୋର କରିବା କଥା ମୁଁ କରିବି—ଏଥିରେ ତୁମେ ମୋ ଉପରେ ରାଗୁ ନାହଁ ତ ?’’

 

ଅସହ୍ୟ ଦୁଃଖରେ ମା ତାକୁ ଚାହିଁଲେ । ଗତକାଲି ହୁଏ ତ ମୁଁ ତୋତେ ବୁଝି ପାରି ନ ଥିଲି—ଆଜି କିନ୍ତୁ ବୁଝି ପାରୁଚି ।’’ ମା’ଙ୍କ ସ୍ୱର କ୍ରମେ ଥରି ଉଠୁଥିଲା ।

 

ସେ ଝିଅଠାରୁ ମୁହଁ ବୁଲାଇ ନେଲେ, ଓଠ ତାଙ୍କର ଥରୁଥିଲା ଅଃ—ମା’, ମନକଷ୍ଟ କର ନା । ସେତ ଅନେକ ଦିନର କଥା—ବାପା ଭୁଲିଗଲେଣି ।

 

ଧୀର ଅଥଚ ଦୃଢ଼କଣ୍ଠରେ ମା କହିଲେ । ‘‘ସେ ଭୁଲିନାହାନ୍ତି’’ ‘‘ନିଜର ଆହତ ଗର୍ବରେ ସେ ବେଳେ ବେଳେ ସେ ସବୁ ମନେ ପକାନ୍ତି—ତୁମେ ଜାଣ ମା ସେ କେତେ ଗର୍ବୀ’’ ଜୋସୁ ଦୃଢ଼ ଭାବରେ କହିଲା, ‘‘ନାଁ, ଏ ତାଙ୍କର ଗର୍ବ ନୁହେଁ—ତାଙ୍କର ପ୍ରେମ ହିଁ ଆହତ ହୋଇଛି ।’’ ସେ ପୂର୍ବପରି ଦୃଢ଼କଣ୍ଠରେ କହିଲେ, ‘‘ସେଇ ଯେବେ ଆମେରିକା ଛାଡ଼ିଲେ । ତାଙ୍କର ଆହତ ପ୍ରେମ—ହଁ, ସେ ଆମେରିକାକୁ ଭଲ ପାଉଥିଲେ, କିନ୍ତୁ ଯେତେବେଳେ ସେମାନେ ବଦଳି ଗଲେ—ଯେମିତି ଥରେ ସେ ଆମେରିକାନ୍‌ ଝିଅ ବଦଳି ଗଲାଠିକ୍‌ ସେଇଠାରୁ ବଢ଼ୁଥିଲା । ଆମେରିକା ତାଙ୍କର ଦେଶ ।’’

 

‘‘ଓଃ—ମା, ମା’’ ଜୋସୁ ଚୁପ୍‌ଚାପ୍‌ କହଲା ମାଙ୍କୁ । କେମିତି ବୁଝାଇବ, ସେ ଜାଣିପାରୁ ନ ଥିଲା ।

 

‘‘ଆମେରିକାନ୍‌କୁ ତୁ ଭଲ ପାଇବା ସ୍ୱାଭାବିକ ।’’ ମା କହି ଚାଲିଲେ ‘‘ତୁ ତାକୁ ନିଶ୍ଚେ ବିଭାହେବୁ । କୋବରୀକୁ ବିଭା ହେବା ଠିକ୍‌ ନୁହେଁ । ତୋ ବାପା ଯାହା କରିପାରି ନାହାନ୍ତି, ତୁ ତା’ କରିବୁ ଓ ଆମେରିକାକୁ ଫେରିଯିବୁ, ମୁଁଇ କେବଳ ଜାପାନର ଲୋକ, କେବଳ ମୁଁ; ତେଣୁ ମଁ ତୋତେ ସାହାଯ୍ୟ କରିବି ।’’

 

ପ୍ରଥମ ଥର ପାଇଁ ଦି ଜଣଯାକ ପରସ୍ପରକୁ ଆଲିଙ୍ଗନ କରି ଅଧୀର ଭାବରେ କାନ୍ଦିଉଠିଲେ ।

 

ଡକ୍ଟର ସାକାଇ ଅତିରିକ୍ତ କ୍ଳାନ୍ତ ହୋଇ ପଡ଼ିଥିଲେ । ତେଣୁ ସକାଳେ ଶଯ୍ୟ ତ୍ୟାଗ କରିବାକୁ ତାଙ୍କର ବିଳମ୍ବ ହେଲା । ତାଙ୍କର ଏଇ ସ୍ତ୍ରୀ, ଯାହାକୁ ସେ ସବୁଦିନେ ଜଣେ ବାଧ୍ୟ ଓ ସରଳ ଲୋକ ବୋଲି ଭାବି ଆସିଛନ୍ତି, କାଲି ରାତିରେ ହଠାତ୍‌ ସେ ଭିନ୍ନ ଜଣାଗଲା । ଜୋସୁର ପକ୍ଷ ନେଇ ସେ କହିବ ବୋଲି ଡକ୍ଟର ସାକାଇ ଭାବି ନ ଥିଲେ । ପୁଣି ଏ ସବୁ ବିଭ୍ରାଟର କାରଣ ସେ ନିଜେ ବୋଲି ଅନ୍ୟାୟ ଭାବରେ ସେ ତାଙ୍କୁ ଦୋଷୀ ସାବସ୍ତ କଲା । ତା ମୁଣ୍ଡ ବିଗିଡ଼ି ଗଲା ନା କଣ ? ନ ହେଲେ ସେ କଣ ତାଙ୍କ ଆଦ୍ୟଯୌବନର ଗୋଟିଏ ବିସ୍ମୃତ କଥାକୁ ମନେପକାଇ ଏପରି ଯୁକ୍ତି ଦେଇ ପାରିଥାନ୍ତା ? ସେ ଭଲ ପାଉଥିବା ଆମେରିକାନ୍‌ ଝିଅଟିକୁ ବିଭା ହୋଇପାରିଲା ନାହିଁ, ତେଣୁ ଜୋସୁ ନିଶ୍ଚେ ଆମେରିକାନ୍‌କୁ ବିଭା ହେବ । କି ଅଦ୍ଭୁତ ଯୁକ୍ତି ? ନା—ଏ ଅଭିମାନ ?

 

ଅଧରାତିରେ ଘଣ୍ଟା ଘଣ୍ଟା ଧରି ସେ ତା’ ସହିତ ତର୍କ କରିଥିଲେ, ‘‘ମୁଁ ତୁମକୁ କହି ରଖୁଚି ହାରିକୋ, ମୋର ସୌଭାଗ୍ୟ ମୁଁ ସେଠି ବିଭା ହୋଇ ନି । ଯେତେବେଳେ ସେମାନେ ମୋତେ ଅବରୁଦ୍ଧ ଶିବିରରେ ପୁରେଇଥାନ୍ତେ, ମୋ ଅବସ୍ଥା କ’ଣ ହୋଇଥାନ୍ତା ? ମୋର ହୁଏ ତ ପିଲା ଥାନ୍ତେ । ସେମାନେ କୁଆଡ଼େ ଯାଇଥାନ୍ତେ ? ଶିବିରକୁ ବି ? ମୁଁ ତ ସେ ବର୍ଣ୍ଣସଙ୍କର ଛୁଆଁ ଙ୍କୁ ଜାପାନ ଆଣିପାରି ନ ଥାନ୍ତି । ତୁମେ ଜାଣ, ଏଠିକା ଲୋକମାନେ ସେପରି ଲୋକଙ୍କୁ କେତେ ଘୃଣା କରନ୍ତି ? ସେମାନେ କୌଣସି ଦେଶର ହୋଇପାରି ନ ଥାନ୍ତେ । ନିର୍ବାସିତ ପରି ଥାନ୍ତେ । ନା–ସେ ଦୋଷରୁ ମୁକ୍ତ ହୋଇ ମୁଁ ଖୁସି, ମୁଁ ମୋ ଝିଅକୁ ବିରକ୍ଷା କରିବାକୁ ଚେଷ୍ଟା କରିବି ।’’

 

ତା’ ପରେ ତାଙ୍କ ସ୍ତ୍ରୀ ସଂପର୍ଣ୍ଣ ଆଶାତୀତ ଉତ୍ତର ଦେଲେ । ‘‘ଆମେରିକାନକୁ ପ୍ରେମ କରୁଥିବା ଗୋଟିଏ ଝିଅଠାରୁ ମୁଁ ଜଣେ ନିରୀହ ଜାପାନୀ ଯୁବକଙ୍କୁ ରକ୍ଷାକରିବି । ଜୋସୁ ତାର ସ୍ତ୍ରୀ ହେବ ନାହିଁ । ତୁମେ ନ କହିଲେ ମଧ୍ୟ ମୁଁ ଯାଇ କୋବରୀକୁ ସବୁ କଥା ଖୋଲି କହିବି ।

 

ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ଯେ, ତାଙ୍କ ପାଖରେ ଛବିଶ ବର୍ଷ ହେଲା ଚଳି ଆସିଥିବା ନିରୀହ ସ୍ତ୍ରୀ ଲୋକଟି ଏପରି ବିଦ୍ରୋହୀ ହୋଇଉଠିବ । ଏଇ ବିଦ୍ରୋହରେ ସେ ପ୍ରକୃତରେ ଭୟ ପାଇଗଲେ । କାରଣ ପୂର୍ବରୁ କେବେ ସେ ଏପରି ଦେଖି ନ ଥିଲେ । ନାରୀଜାତିର ମନ୍ଦଗୁଣ ସେ ଜାଣିଥିଲେ ଯେ, ଦୁଃଖରୁ ରକ୍ଷା ପାଇବା ପାଇଁ ସେମାନେ ଆତ୍ମହତ୍ୟା କରିଥାନ୍ତି । ଜାପାନୀ ଲୋକପାଇଁ ଜୀବନ ମରଣ ମଧ୍ୟରେ ଏକ ପ୍ରଶସ୍ତ ସୀମାରେଖା ଅଛି । ନିଜର ଅଜ୍ଞତା ଓ ଜିଦ୍‌ ନେଇ ସୀମାରେଖା ଡ଼େଇଁବା ଖୁବ୍‌ ସହଜ । ତାଙ୍କ ଜୀବନ କାହାଣୀକୁ ସ୍ତ୍ରୀ ତାଙ୍କର ଭୁଲ ବୁଝିଚି-। ତାଙ୍କ ନିଜଠାରୁ ପୂରା ଭିନ୍ନ ଏକ ଅର୍ଥ ସେ ସେଥିରୁ କାଢ଼ିଚି । ସ୍ତ୍ରୀ ଲୋକ ଥରେ ଯାହା ବୁଝିଥାଏ, ସେଥିରୁ ତାକୁ ନିବର୍ତ୍ତାଇ ହେବନାହିଁ । ସେ ନିଜେ ହୁଏ ତ ଶ୍ରୀଯୁକ୍ତ ମାତ୍ସୁୟୀ ବା କୋବରୀ ପାଖକୁ ଯିବା ସହଜ ହେବ; କିନ୍ତୁ ଯଦି ସ୍ତ୍ରୀକୁ ମନା କରିବେ ବା ଜବରଦସ୍ତ ବନ୍ଦ କରି ରଖିବେ, ସେ ହୁଏ ତ ଆତ୍ମହତ୍ୟ କରିଦେବ ।

 

ତେଣୁ ସେ ବିବ୍ରତ ହୋଇ ସକାଳୁ ବିଛଣାରୁ ଉଠିଲେ । ମନେ ମନେ ସ୍ଥିର କଲେ ଯେ, ତାଙ୍କ ନିଜ ଝିଅଠାରେ ତାଙ୍କର ଭରସା ରଖିବା ଉଚିତ; ସେ ଶିକ୍ଷତା ।

 

ଜୋସୁ କେଉଁଠି ଦେଖାଯାଉ ନି । ଖରାବେଳ ହେଲା, ତଥାପି ଜୋସୁର ଦେଖାନାହିଁ । ସେ ଉମିଠାରୁ ଶୁଣିଲେ ଯେ, ଦଶଟାବେଳୁ ଜୋସୁ କୁଆଡ଼େ ଯାଇଚି । ସେ ବାପା ମାଆଙ୍କ ବଚସା ବିଷୟରେ ଜାଣିବ । ଉମି ନୀରବରେ ତାଙ୍କୁ ଖରାବେଳେ ଖାଇବାକୁ ଦେଲା । ବୋଧହୁଏ ଶୀଘ୍ର ଉଠି ନ ଥିଲା; ତେଣୁ ସାନ୍ତଣୀ କାହାନ୍ତି ବୋଲି ଉମିକୁ ପଚାରିବାରୁ ସେ କହିଲା, ଆଜି ସକାଳୁ ସୟରସ କରିବାରେ ସେ ଲାଗିଚନ୍ତି । ଏଇ ଦରକାରି ସୟରସ କିଣିବାକୁ ମିସେସ୍‌ ସାକାଇ ମନାକଲେ ଓ ଫାର୍ମରେ ହେଲା ପରି ତାକୁ ଆବଶ୍ୟକ ମତେ ସିଝାଇଦେଲେ । ଏଇ କାମରେ ସେ ଡ଼ିଷ୍ଟର୍ବ ହେବାକୁ ଚାହାନ୍ତି ନି । ସେ ଦେଖିଲେ, ଘରସାରା ଯାପରି ଶୃଙ୍ଖଳା ନାହିଁ ତେଣୁ ହସ୍‌ପିଟାଲ ଯାଇ କାମ କରିବାକୁ ସେ ସ୍ଥିରକଲେ ।

 

‘‘ତୋ ସାନ ସାଆନ୍ତାଣୀ କୁଆଡ଼େ ଗଲେ କହିଛନ୍ତି କି ?’’ ଉମି ତାଙ୍କର ବାଡ଼ି ଓ ଟୋପି ଆଣିଲାବେଳେ ସେ ପଚାରିଲେ ।

 

‘‘କଲେଜରୁ କ’ଣ ବହି ଆଣିବାକୁ ଗଲେ ବୋଲି କହିଲେ ।’’

 

Unknown

‘‘ମିଛକଥା, କାହାକୁ ନ କହି ଯୁଆଡ଼େ ଇଛା ଜୋସୁ ବାହାରି ଯାଉଚି ।’’ ସାଆନ୍ତଙ୍କ ଶୁଖିଲା ମୁହଁକୁ ଦେଖି ଉମିର ଦୟା ଆସିଲା । ଆଉ କିଛି ନ କହି ସାଆନ୍ତ ଚାଲିଗଲେ ।

 

ସେତେବେଳେ ଜୋସୁ ହୁଏ ତ କୋବରୀ ସହିତ ଗପ କରୁଥିଲା । ଗତ ରାତିରେ ସେ ପ୍ରାୟ ଶୋଇ ନ ଥିଲା । ବିଛଣାରେ ଚୁପ୍‌ହୋଇ ପଡ଼ି ରହି ସେ ରାତି ବିତାଇ ଦେଲା । ସକାଳକୁ ତା ମନରେ ଏକ ଅସମ୍ଭବ ଦୃଢ଼ତା ଆସିଥିଲା । ଯେତେ ଶୀଘ୍ର କୋବରୀକୁ ସାକ୍ଷାତ କରିବ, ସେତେ ଭଲ । ବାପାଙ୍କୁ ଆଉ ଥରେ ଦେଖିବା ପୂର୍ବରୁ କୋବରୀକୁ ଭାଟିବା ତା’ର ନିହାତି ଦରକାର । ତା’ ହେଲେ ସେ ଅନ୍ତତଃ ବାପାଙ୍କୁ କହି ପାରିବ ଯେ, ‘‘ବାପା, ସବୁ ଠିକ୍‌ ହୋଇଗଲା । ଘଟଣାକ୍ରମେ କୋବରୀ ମତେ ବିଭା ହେବାକୁ ଚାହୁଁ ନାହିଁ । ତାଣୁ ଆଉ କିଛି ଦୁଃଖ ନାହିଁ ।’’

 

ଏତକ ବାପାଙ୍କ କହି ସାରିଲା, ଆଲେନ୍‌କୁ ସେ ଚିଠି ଲେଖିବ—ସବୁ କଥା ଜଣାଇବ, ଯେ ସେ ପ୍ରସ୍ତୁତ ହେଲାଣି । କେଉଁଠାକୁ ଗଲେ ଆଲେନ୍‌କୁ ସେ ଅତି ନିବିଡ଼ ଭାବରେ ପାଇବାରିବ, ତାହା ଯେମିତି ଆଲେନ୍‌ ଜଣାଏ ।

 

ତା ମନ ନିର୍ମଳ ଓ ଚିନ୍ତା ସ୍ଥିର ହେବାରୁ ସେ ନିଘୋଡ଼ ନିଦରେ ଶୋଇପଡ଼ିଲା । ତଥାପି ସକାଳୁ ଉଠିପଡ଼ି ଧୋଇଧାଇ ହେଲା ଓ କଳାନୀଳ ମିଶା ସିଲ୍‌କ ପୋଷାକ ପିନ୍ଧିଲା । ସେ ଭାବୁଥିଲା, ସେ ସୁନ୍ଦର ଦିଶୁ ନ ଥିବ । ବାଳକୁ ସାଦା କୁଣ୍ଡାଇ ନେଲା । କେଜାଣି କାହିଁକି ଟଏଲେଟ୍‌ ଲଗାଇଲା ନି କି ଲିପ୍‌ଷ୍ଟିକ୍‌ ମଧ୍ୟ ଲଗାଇଲା ନି । ଉମି ଦେଇଥିବା ଖାଦ୍ୟ ଖାଇ, ମାଆକୁ ସୁଦ୍ଧା ଦେଖା ନ କରି ସେ ଘରୁ ବାହାରିଗଲା ।

 

ସାରାଦିନର ପ୍ରାତ୍ୟହିକ କାମ ବିଷୟରେ କୋବରୀ ଯାହା ବର୍ଣ୍ଣନା କରିଥିଲା, ସେଥିରୁ ସେ ଜାଣିଥିଲା ଯେ, କୋବରୀ ଡ଼େରିରେ ଅଫିସ ଯାଏ; ତେଣୁ ଗୋଟିଏ ପାର୍କକୁ ଯାଇ, ଛୋଟ ହ୍ରଦକୂଳରେ ସେ କିଛି ସମୟ ବସିଲା ।

 

କେତୋଟି ନୂଆ ସେବତୀ ଫୁଟିବାକୁ ଆରମ୍ଭ କଲାଣି । ହ୍ରଦରେ ସୁନେଲି ମାଛ ଖେଳୁଚନ୍ତି । ପବନ ଥଣ୍ଡା ଲାଗୁଛି । ଗ୍ରୀଷଋତୁ ବିଗତପ୍ରାୟ । ଏପରି ନିର୍ଜ୍ଜନତା ଭିତରେ ଏକାକୀ ବସି ସେ ବୁଦ୍ଧିର କ୍ଷିପ୍ରତା ଓ ପୃଥିବୀର ମରଣଶୀଳତା କଥା ଚିନ୍ତା କରୁ କରୁ କ୍ରମେ ଏକ ଅହେତୁକ ବ୍ୟାଥା ଅନୁଭବ କଲା । ତା ଜୀବନର କିଛି ଅଂଶ—ତା’ର ପ୍ରଥମ ଯୌବନ, କୈଶୋର ବୟସ ବାସ୍ତବିକ୍‌ ଶେଷ ହୋଇଗଲାଣି । ନାରୀ ହିସାବରେ ନିଜର ଭାଗ୍ୟ ସେ ନିରୂପଣ କଲାଣି । ସେ ଭୀରୁ ପ୍ରକୃତିର ହୋଇଥିଲେ ବର୍ତ୍ତମାନର ଏଇ ନିର୍ଜ୍ଜନତାରେ ନିଶ୍ଚୟ ଭୟଭୀତ ହୋଇଥାନ୍ତା; କିନ୍ତୁ ସେ ଡ଼ରୁଆ ନୁହେଁ । ତା ଭିତରେ ସେ ଅକଳନ୍ତି ବଳ ଥିବାର ଅନୁଭବ କଲା—ଯାହା କିଛି ଆସିଲେ ସେ ସାମ୍ନା କରି ପାରିବ । ତା’ର ଏଇ ସାହସିକତା ତା ମନରେ ଏଇ ଗଭୀର ପ୍ରତ୍ୟୟ ଆଣିଦେଲା-। କେବଳ ନିଜକୁ ନୁହେଁ, ଯାହା ସେ ଆପଣାର ଭାବିଚି ଓ ଭାବିବ, ସେ ସବୁକୁ ସେ ବିଶ୍ୱାସ କରି ଶିଖିବ । ସେ ଆଲେନ୍‌କୁ ପୂରା ବିଶ୍ୱାସ କରିଚି । ପୃଥିବୀ ବଦଳୁଚି; ତେଣୁ ସେ ଦୁହେଁ ଯାହା କିଛି ଆସିଲେ ବି ଚଳିଯାଇ ପାରିବେ ।

 

ଖରାବେଳର କିଞ୍ଚିତ୍‌ ପୂର୍ବରୁ ମାତ୍ସୁଇ—ଅଫିସ ବାଟରେ ବଡ଼ ଆଧୁନିକ ଧରଣର କୋଠା ଦେଇ ଯାଇଥିବା ସହରର ରାସ୍ତା ଆଡ଼କୁ ଜୋସୁ ଆଗେଇଲା । ତାକୁ ଲିଫ୍‌ଟ ଛ ମହଲାକୁ ନେଇଗଲା । ମାତ୍ସୁଇ ଘରକୁ ଯିବା ପାଇଁ ସେ ଅନୁମତି ନେଲା । ପାଶ୍ଚାତ୍ୟ ବ୍ୟବସାୟର ପୋଷାକରେ ଏକ ଜାପାନୀ ଯୁବକ ପଦାକୁ ଆସି ଇଂରାଜୀରେ ପଚାରିଲେ—

 

‘‘ମୁଁ ତୁମକୁ ସାହାଯ୍ୟ କରିପାରେ କି ?’’

 

ଜୋସୁ ଇଂରାଜୀରେ ଉତ୍ତର ଦେଲା, ‘‘ଦୟାକରି କୋବରୀ ମାତ୍ସୁୟୀଙ୍କୁ କୁହନ୍ତୁ, ମିସ୍‌ ସାକାଇ ତାଙ୍କ ସହିତ କିଛି ସମୟ କଥା ହେବାକୁ ଚାହନ୍ତି ।’’

 

ଜାପାନୀ ଭାଷାରେ କଥା କହିଥିଲେ ହୁଏ ତ ସେ ଏତେ ଶୀଘ୍ର ଅନୁମତି ପାଇନଥାନ୍ତା-। ହଠାତ୍‌ ଲୋକଟି ଚାଲିଗଲା ଓ ପରେ ପରେ କୋବରୀକୁ ଆସୁଥିବାର ଜୋସୁ ଦେଖିପାରିଲା—ସେ ଧୂସର ଫ୍ଳାନେଲର ପାଶ୍ଚାତ୍ୟ ପୋଷାକ ପିନ୍ଧି ଭାରି ସତେଚ ଓ ଖୁସି ଜଣା ଯାଉଥିଲା । ଅତି ଆନନ୍ଦରେ ଅଭିନନ୍ଦନ ଜଣାଇ ସେ ପାଖକୁ ଆସିଲା । ହାତକୁ ସ୍ପର୍ଶ ନକରି ସେମାନେ ନଇଁପଡ଼ି ପରସ୍ପରକୁ ଅଭିବାଦନ କଲେ ।

 

‘‘ଭିତରକୁ ଆସ’’—କୋବରୀ କହିଲା ।

 

‘‘ତୁମେ ବୋଧହୁଏ କାର୍ଯ୍ୟ ବ୍ୟସ୍ତ ଅଛ’’ ଜୋସୁ ଜାପାନୀ ଭାଷାରେ କହିଲା । ‘‘ମୁଁ ବ୍ୟସ୍ତ ନୁହେଁ,’’ ଟିକିଏ ହସି ସେ କହିଲା, ‘‘ମୋ ସେକ୍ରେଟାରୀକୁ ଡ଼ାକିବି କି ?’’

 

ହୁଏ ତ ଅଫିସ ଭିତରକୁ ଏକାକୀ ତା ସହିତ ଆସିବାକୁ ଜୋସୁ ସଙ୍କୋଚ କରିପାରେ ଭାବି ସେ ଏ କଥା କହିଲା ।

 

‘‘ଦରକାର ନାଇଁ’’—ଜୋସୁ କହିଲା ।

 

ଦରଜା ଅଳ୍ପ ଖୋଲା ରଖି ସେ ଅଫିସକୁ ଆଗେ ଆଗେ ଗଲା ‘‘ବସ’’ କହି ଗୋଟିଏ ଭଲ ଆମେରିକାନ୍‌ ଚୌକି ତାକୁ ଦେଲା । ଘରଟି ବଡ଼ ଓ ଆସିବାବପତ୍ରଗୁଡ଼ିକ ଓଜନିଆ । କେବଳ ତା ଟେବୁଲ ତଳେ ଯୋଡ଼ିଏ ସୁନ୍ଦର ରୂପାର କାରୁକାର୍ଯ୍ୟ ଛିଡ଼ା ଘରଟିର ସଫେଦ୍‌ କାନ୍ଥରେ ଅନ୍ୟ କିଛି ପେଣ୍ଟିଙ୍ଗ୍‌ ନ ଥିଲା । ଜୋସୁ ସେ ମୂଲ୍ୟବାନ୍‌ ଚେୟାରରେ ନ ବସି ଗୋଟିଏ ଛୋଟ ଆଭରଣ ହୀନଚେୟାର ନିଜ ପାଇଁ ବାଛିନେଲା । ଆଗରେ କୋବରୀ—ତା ମୁହଁରୁ ସଲଜ୍ଜ ହାସ୍ୟରେଖା ଏବେ ବି ନିଭିନାହିଁ । ତାକୁ ସାମ୍ନାକରି ଜୋସୁ ଦୁଃଖ କଲା—କାରଣ ସେ ଏକ ନିଷ୍ଠୁର ଉଦ୍ଦେଶ୍ୟରେ ଆସିଥିଲା । ତା ଆଗରେ କୋବରୀ—ଲମ୍ବା ଚଉଡ଼ା ବ୍ୟକ୍ତିତ୍ୱ, ସେ ଖୁବ୍‌ ଦୟାଶୀଳ, ତା’ର ଚିକ୍‌କଣ ପାନପତ୍ର ପରି ହସ ହସ ମୁହଁରେ ବାଦାମୀ ଗଙ୍ଗର ଆଖି ଦୁଇଟି ତା ଆଡ଼କୁ ଉଜ୍ଜ୍ୱଳ ଭାବେ ଚାହିଁ ରହିଥିଲା । ଜୋସୁ କୋବରୀର ସରଳ ବିଶ୍ୱାସ ଅନୁଭବ କଲା ଏବଂ ତାର ସାହଚର୍ଯ୍ୟରେ କୋବରୀ ସୁଖ ଓ ସୌଭାଗ୍ୟ ପାଇବାର ବିଶ୍ୱାସ ରଖିଛି, ଏକଥା ଜାଣିପାରିଲା । ସେ ଯେ କେବେ ହତାଶା ଏବଂ ଦୁଃଖ କ’ଣ ଜାଣି ନି, ଏ କଥା ତା ମୁହଁରୁ ଅନୁମାନ କରିବା ବେଶ୍ ସହଜ ଥିଲା । ଏକ ଧନୀଘରର ଗେହ୍ଳାପୁଅ, ବାପର ସବୁ ସମ୍ପତ୍ତିର ମାଲିକ । ଆଲେନ୍‌କୁ ଦେଖି ନ ଥିଲେ ସେ କେତେ ଖୁସିରେ ରହିଥାନ୍ତା ସତେ !

 

ସେ ନିଜକୁ ଧିକ୍‌କାର କଲା । କିପରି ଭଲ ହୋଇଥାନ୍ତା ? ଜୀବନର ସାର୍ଥକତା ପ୍ରେମରେ; କିନ୍ତୁ କୋବରୀକୁ ବିଭା ହୋଇଥିଲେ ପ୍ରେମ କ’ଣ ସେ ଜାଣି ନ ଥାନ୍ତା ।

 

ଦୁଇ ହାତରେ ନିଜର ଚମଡ଼ା ବ୍ୟାଗକୁ ଧରି ଆଗକୁ ଝୁଲିପଡ଼ି ସେ କହିଲା, ‘‘ମୁଁ ଏକ ନିଷ୍ଠୁର, ଅବାଞ୍ଛିତ କଥା କହିବାକୁ ଆସିଚି କୋବରୀ । ଭାରି କଷ୍ଟ ଲାଗୁଚି କହିବାକୁ ।’’ ସେ ନିଶ୍ଚଳ ହୋଇ ବସି ରହିଲା । ‘‘ଜୋସୁ, ତୁମର ମତେ ଡ଼ରିବା ଦରକାର ନାହିଁ ।’’

 

ଜୋସୁ ଧୈର୍ଯ୍ୟର ସହିତ ରହି ରହି କହିଲା, ‘‘ମୁଁ ତୁମକୁ ବିଭା ହୋଇପାରିବି ନାହିଁ କୋବରୀ !’’

 

ତଥାପି ନିଶ୍ଚଳ ହୋଇ ସେ ତାକୁ ଅପେକ୍ଷା କରି ଚାହିଁଲା । ଆଃ–ସେ ଏକଥା ଶୁଣି ଭାଙ୍ଗି ପଡ଼ୁଚି–ଜୋସୁ ଭାବିଲା ।

 

‘‘ମୋର ଭୁଲ ହୋଇଚି–ମୋର ଶପଥ କରିବା ଉଚିତ ନ ଥିଲା । ମୋର ଅପରାଧ ହୋଇଛି । ମୁଁ ମନ ଭିତରେ ଯାହା ଲୁଚାଇଥିଲି, ତା’ ମୁଁ ଜାଣିଥିଲି କିନ୍ତୁ ମୁଁ ଭାବୁଥିଲି ତା ନିଷ୍ଫଳ, ବାଜେ କଥା; କିନ୍ତୁ ଆଜି ଦେଖୁଚି, ମୁଁ ନ ଭାବିଲେ ବି, ଇଛା ନ କଲେ ବି ସେ କଥା ମୋ ଭିତରେ ଅତି ଜୀବନ୍ତ । ଅଗ୍ନିଶିଖା ପରି ତାହା ଜ୍ୱଳନ୍ତ । ମୋର ଚେତନ ଓ ଅବଚେତନାକୁ ତା ଯେପରି ଆବୋରି ରହିଛି ।’’ ସେ କହିଲା ।

 

ଖୁବ୍‌ ଯତ୍ନର ସହିତ ଶୁଷ୍କ କଣ୍ଠରେ କୋବରୀ କହିଲା, ‘‘ତୁମେ ସବୁ କଥା ଖୋଲାଖୋଲି କହିବ କି ?’’

 

ଜୋସୁ ନିଜର ହାତବ୍ୟାଗକୁ ଚାହିଁ କ୍ଷୀଣକଣ୍ଠରେ କହିଲା, ‘‘ରାତ ବସନ୍ତରେ ମୁଁ ଏକ ଆମେରିକାନକୁ ଭେଟିଥିଲି । ଆମେ ଜାଣିଲୁ ଯେ, ଆମ ପରସ୍ପରକୁ ଭଲପାଉ । କିନ୍ତୁ ଖୁବ୍‌ ଶୀଘ୍ର ଆମ ପ୍ରେମର ପରିସମାପ୍ତି ଘଟାଇବାକୁ ଆମେ ଚାହିଁଲୁ । ସେ ଚାଲିଗଲା । ମୁଁ ଭାବିଥିଲି; ଏକଥା ମୁଁ ଭୁଲିଯିବି—କିନ୍ତୁ ସେ କାଲି ଫେରିଆସିଚି । ସେ ଆସିବାକୁ ବାଧ୍ୟ ହେଲା ଏବଂ ବୁଝିଲି ଯେ, ମୁଁ ତାକୁ ଭୁଲିନାହିଁ, ଭୁଲିପାରିବି ନି । ସତକଥା ନ କହିଥିଲେ ମୁଁ ତୁମ ପ୍ରତି ଅନ୍ୟାୟ କରିଥାନ୍ତି ।’’

 

ତା’ର ମଳିନ ଓଠକୁ ସେ ଭିଜାଇଲା, ‘‘ମତେ ଏ କଥା କହି ପାରିଥିବାରୁ ତୁମକୁ ଧନ୍ୟବାଦ,’’ ସେ କହିଲା ।

 

ସେ ଭାବିଥିଲା, କୋବରୀ ଆଛ ଅଧିକ କିଛି କହିବ; କିନ୍ତୁ ସେ କିଛି ନ କହିବାରୁ, ଜୋସୁ ତା ଆଡ଼କୁ ଚାହିଁପାରିଲା ନାହିଁ; କିନ୍ତୁ କୋବରୀର କହିବାର କିଛି ନ ଥିଲା ।

 

‘‘ତୁମ ବାପା ମା କଣ କହୁଚନ୍ତି ?’’—ଶେଷକୁ ପଚାରିଲା । ‘‘ସେମାନେ ପସନ୍ଦ କରୁନାହାନ୍ତି—ମା କିନ୍ତୁ ମୋତେ ବୁଝିଚନ୍ତି । ସେ କହୁଚନ୍ତି—ମୁଁ ଯାହା କରୁଚି, ତାହା ହିଁ କରିବା ଉଚତ୍‌-। କେବଳ ବାପା ଭାବୁଚନ୍ତି ! କିଛି ଗଠନମୂଳକ କଥା ସେ କହୁନାହାନ୍ତି । ତୁମେ ଜାଣ, ସେ ଆମେରିକାକୁ ଘୃଣା କରନ୍ତି । ମୁଁ ଯେ ସେଠାକୁ ଫେରିଯିବି, ଏ କଥା ତାଙ୍କୁ ଖରାପ ଲାଗୁଚ ।’’ ଜୋସୁ ଏକା ନିଃଶ୍ୱାସକେ ଏତେଗୁଡ଼ାଏ କଥା କହିଯାଇଥିବାରୁ ନିଜକୁ ଆଶ୍ୱସ୍ତ ମନେ କଲା ।

 

‘‘ତୁମେ ଆମେରିକାକୁ ଭଲ ପାଅ’’—ଚିନ୍ତାନ୍ୱିତ ହୋଇ କୋବାରୀ କହିଲା, ‘‘ମୁଁ ଏ କଥା ଭଲ ଭାବରେ ଜାଣେ । ଛୁଟିଦିନରେ ମୁଁ ବେଳେ ବେଳେ ତୁମକୁ ସେଠାକୁ ନେଇଯିବି ବୋଲି ଭାବିଥିଲି । ଆମେ ଆମେରିକାନ୍‌ ଫାର୍ମ ସହିତ ବ୍ୟବସାୟ କରୁ, ବିଜୟ ହାସଲ ପରେ ଅଧିକ ବ୍ୟବସାୟ ମଧ୍ୟ କରିବୁ । ମୁଁ ଠିକ୍‌ କରିଥିଲି, ଆମେ ହୁଏ ତ କାଲିଫର୍ଣ୍ଣଆରେ କେତେ ମାସ ରହିଥାନ୍ତେ ।’’ ସେ ହଠାତ୍‌ ଆଗକୁ ଝୁଙ୍କିପଡ଼ି ଦୁଇ ହାତରେ ମୁହଁ ଘୋଡ଼ାଇଲା ।

 

‘‘ମୁଁ ଅତି ଦୁଃଖିତ...ସତରେ’’ ଜୋସୁ ଚୁପ୍‌ଚୁପ୍‌ କହିଲା ।

 

‘‘ଆଚ୍ଛା, ଆଉ କଣ ବା ଉପାୟ ଅଛି ! ତୁମେ ନିଜେ ଏଠାକୁ ଆସି ମତେ କହିଲ, ଭଲ ହେଲା । ଅବଶ୍ୟ, କିଛି ସମୟ ଭିତରେ—ମୁଁ ଭାବିଚିନ୍ତି କିଛି କରିବି ।’’ ସେ ତା’ର ହାତ ପିଠିରେ ମୁହଁ ରଖି କହିଲା ।

 

‘‘ମୁଁ ଆଶା କରୁଚି, ତୁମେ ଆଉ କାହାକୁ ବିଭା ହୋଇ ସୁଖରେ ରହିପାରିବ ।’’ ଜୋସୁ କହିଲା ଓ ନିଜେ ବୁଝିଲା, କି ବାଜେ କଥା ସେ କହୁଚି ।

 

‘‘ସେ କଥା ମୁଁ ଭାବିପାରୁ ନି ।’’ ସେ ମୁହଁରୁ ହାତ କାଢ଼ିଲା ସେ କାନ୍ଦୁନାହିଁ, ଏହା ଦେଖି ଜୋସୁ ଆଶ୍ୱସ୍ତ ହେଲା—ତଥାପି ସେ ତାକୁ ଦୁଃଖ ଓ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଚାହିଁ ରହିଲା । ‘‘ମୁଁ ଭାବୁଚି—ଆମେ ଦୁହେଁ ଏଣିକି ଆଉ କେବେ ଏକାକୀ ସାକ୍ଷାତ କରିପାରିବା ନାହିଁ ଜୋସୁ ।’’

 

‘‘ଦରକାର ପଡ଼ିବ ନି ଭାବୁଚି । ମମେ ସାକ୍ଷାତ ନ କରିବା–ଇ ଭଲ ।’’ ସେ ଉତ୍ତର ଦେଲା ।

 

‘‘ତୁମେ ଅନୁମତି ଦେଲେ ମୋର ଯାହା କହିବାର କଥା, ମୁଁ ବର୍ତ୍ତମାନ କହିଦେବି ।

 

‘‘ନିଶ୍ଚୟ କୁହ ।’’

 

ତା ଅନ୍ତରରେ ବିଜୁଳିର ଚମକ ଲାଗୁଥିଲା—ସେ ଅନୁଭବ କରି ପାରୁଥିଲା, ଚାଲିଯିବାକୁ ଆଗ୍ରହୀ ଥିଲା । ତଥାପି କୋବରୀ କ’ଣ କହିବ, ଏ କଥା ସେ ଅବଶ୍ୟ ଶୁଣିବ ।

 

ସେ ଆଗକୁ ଝୁଙ୍କିପଡ଼ି ଦୁଇ ଆଣ୍ଠୁ ଉପରେ କହୁଣୀ ରଖିଲା ଓ ତା ଆଡ଼କୁ ଆହୁରି ଗମ୍ଭୀର ଭାବରେ ଚାହିଁଲା ।

 

‘‘ଜୋସୁ, ଖୁବ୍‌ ତରତରରେ ଏ କଥା କହିଦେଲି । କେବଳ ଏତିକି, ଯଦି ତୁମର ମୋ ଠାରେ କେବେ ଦରକାର ପଡ଼ିବ, ଯେ କୌଣସି କାରଣରୁ ହେଉପଛେ, ମତେ ଜଣାଇବ । ଆତ୍ମଗର୍ବରେ ଦୂରେଇ ଯିବ ନି ।’’

 

‘‘ଓଃ କୋବରୀ, ମୁଁ ପ୍ରକୃତରେ ଭାରି ଖୁସି....ତୁମଠାରେ ଆଉ ଦରକାର ହେବନାହିଁ, କିନ୍ତୁ ତୁମେ ଏତେ ଭଲ !’’ ବିସ୍ମୃତ ହୋଇ ଜୋସୁ କହିଲା ।

 

କୋବରୀ ହସିବାକୁ ଚେଷ୍ଟାକଲା । ‘‘କେବଳ ବନ୍ଧୁତ୍ୱ ପାଇଁ ସୁନ୍ଦୋଗ ରହୁ, ଏଇଆା ମୁଁ କହୁଚି ।’’

 

ଜୋସୁ ଠିଆ ହୋଇପଡ଼ି ପଳାଇଯିବାକୁ ବ୍ୟସ୍ତ ହୋଇପଡ଼ିଲା । ‘‘ମୁଁ ଶପଥ କରୁଚି ତା ନିଶ୍ଚୟ ହେବ କୋବରୀ’’—ଏମିତି ବାଜେ ଶବ୍ଦଟାଏ—ତା’ ପାଟିରୁ ବାହାରି ଗଲାକ୍ଷଣି ସେ ବୁଝିପାରିଲା, ଶପଥ ! କୋବରୀଠାରେ ତା’ର ପ୍ରଥମ ଶପଥକୁ ସେ ରକ୍ଷାକରି ନି । କେଉଁ ସାହସରେ ପୁଣି ଶପଥ ଶବ୍ଦ ସେ ଉଚ୍ଚାରଣ କରୁଛି । ସେ ହାତ ମିଳାଇବାକୁ ହାତ ବଢ଼ାଇଲା ଓ ପ୍ରଥମ ଥର ପାଇଁ ତା’ର ବଡ଼ କଠିନ ଓ ଉଷ୍ଣ ହାତ ଦ୍ୱାରା ନିଜର କୋମଳ ଓ ନରମ ହାତକୁ ମିଳାଇଲା—ତା’ର ଛୋଟ ହାତକୁ କୋବରୀର ହାତ ଘୋଡ଼ାଇ ପକାଇଥିଲା ।

 

ମୁହୂର୍ତ୍ତକ ପାଇଁ କୋବରୀର ମନ ଚହଲିଗଲା ଓ ତା’ର ଆଖିରେ ଲୁହ ଝଲସି ଉଠିଲା । କିନ୍ତୁ ସେ ମୃହ ହସି ଅଭିବାଦନ କଲା ଓ ଜୋସୁ ନଇଁପଡ଼ି ଅଭିବାଦନ ଜଣାଇଲା । ଏଇପରି ଘଟଣାର ଅବସାନ ହେଲା । ସେ ଗଲା ପରେ ଇଜିଚେୟାରରେ କୋବରୀ କିଛି ସମୟ ବସି ରହିଲା । ପ୍ରକାଣ୍ଡ ଏକ ଢେଉ ପରି, ଏଇ ଝଡ଼କୁ ନିଜ ଉପର ଦେଇ ବୋହିଯିବାକୁ ସେ ସୁଯୋଗ ଦେଇପାରିଲା । ବହୁଦିନ ତଳେ ଯେତେବେଳେ ସେ ପିଲାଟିଏ ହୋଇଥିଲା...ସମୁଦ୍ର ଭିତରେ କିପରି ଯିବାକୁ ହୁଏ ତା ବାପା ତାକୁ ଶିଖାଇଥିଲେ । କ୍ୟୁସୁ ଉପକୂଳରେ ସେତେବେଳେ ତାଙ୍କର ଗୋଟିଏ ଘର ଥିଲା । ଖରାଦିନ ଦିନବେଳା ସେ ଅଧିକାଂଶ ସମୟ ପାଣି ଭିତରେ ବିତାଉଥିଲା । ସେ ଖୁବ୍‌ ପିଲାଦିନୁ ପହଁରି ଶିଖିଥିଲା ଓ ସହଜରେ କିପରି ପହଁରିବାକୁ ହୁଏ, ବାପା ତାକୁ ଶିଖାଇଥିଲେ ।

 

‘‘ସମୁଦ୍ରକୁ ତୁ ପାର ହୋଇ ପାରିବୁ ନି’’—ବାପା ତାକୁ କହିଥିଲେ । ଚିରନ୍ତନ କାଳ ପରି ଏ ଅସୀମା, ଭାଗ୍ୟ ପରି ଅଲଂଘନୀୟ । ସମୁଦ୍ର ତୁଳନାରେ ମଣିଷ ଗୋଟିଏ ଛୋଟ ମାଛଠାରୁ ବି ହୀନ । ସମୁଦ୍ର ସଙ୍ଗେ ଯୁଦ୍ଧ କର ନା, ଢେଉ ସହିତ ବଳ କଷ ନା । ଢେଉ ପାଖରେ ନଇଁ ପଡ଼ ଓ ଢେଉ ଚାଲିଗଲା ପରେ ତା ପଛେ ପଛେ ଚାଲିଯାଆ । ତେବେ ତୁ କ୍ରମେ ଶକ୍ତିମାନ ହେବୁ ଓ ସମୁଦ୍ର ତୋତେ ଧରି ରଖିବ ।’’

 

ସେଇ ଅତୀତର କଥାଗୁଡ଼ିକ ସେ ଏଇଲେ ଭାବିଲା । ଯେଉଁ କଥା ସେ ଏଇଲେ ଶୁଣଲା, ସେଥିରେ ସେ ଅଭିଭୂତ ହୋଇପଡ଼ିଲା । ଜୋସୁକୁ ଯେ ସେ ଭଲ ପାଉଥିଲା—ଏ କଥା ନିଶ୍ଚିତ ଭାବେ ସ୍ୱୀକାର କଲା । ଅନ୍ୟ କୌଣସି ନାରୀକୁ ସେ ଭଲପାଇ ନ ଥିଲା । ଅନେକ ଲୋକଙ୍କ ପରି ସେ ରଙ୍ଗମହଲକୁ ଯାଉଥିଲା । ଲୋକମାନେ ପରସ୍ପରକୁ ଦେଉଥିବା ଭୋଜିରେ ସେ ଯୋଗ ଦେଉଥିଲା । ସୁନ୍ଦରୀ ଝିଅମାନଙ୍କ ସହିତ ହସି ହସି ସେମାନଙ୍କର ଗୀତ ଶୁଣୁଥିଲା; କିନ୍ତୁ ଜୋସୁ ଛଡ଼ା ଅନ୍ୟ କୌଣସି ନାରୀକୁ ନିଜର ସ୍ତ୍ରୀ କରିବାକୁ ସେ ଚାହିଁ ନ ଥିଲା । ବର୍ତ୍ତମାନ ସେ ଆଦୌ ତା’ର ସ୍ତ୍ରୀ ହୋଇପାରିବ ନି । ଏଇ ଚିନ୍ତା ଏଡ଼େ ଭୀଷଣ ଥିଲା ଯେ ମୁହୂର୍ତ୍ତେ ସୁଦ୍ଧା ସେ କିଛି ଜାଣି ପାରିଲା ନି–ତାକୁ ଲାଗିଲା ତା ପାଦତଳୁ ଯେମିତି ମାଟି ଖସି ଖସି ଯାଉଚି ଆଉ ମୁଣ୍ଡ ଉପରେ ଢେଉଗୁଡ଼ାକ ଧକକା ମାରୁଚି । ସେ ଆଖି ବୁଜିଦେଇ କୁସନ ଚେୟାରକୁ ଆଉଜି ପଡ଼ିଲା–ପୁରା ନିଶ୍ଚଳ ହୋଇ ବସି ରହି ଅସହାୟ ବର୍ତ୍ତମାନର ସମସ୍ତ କ୍ଳେଶକୁ ସହ୍ୟ କରିବାକୁ ଚେଷ୍ଟା କଲା-। ଏମିତି ନିଶ୍ଚୟ ହେବନିଶ୍ଚୟ ହେବ ।

 

ପ୍ରାୟ ଘଣ୍ଟାଏ ପରେ ସେ ଆଖି ଖୋଲିଲା ଓ ହଠାତ୍‌ ଉଠିପଡ଼ି ପାଖ ଡ଼େସ୍କରେ ଥିବା ଥରମୋଫ୍ଳୋସ୍କରୁ କପେ ଗରମ ଚାହା ଢାଳିଲା । ନିଜର କ୍ଳାନ୍ତ ଓ ମାନସିକ ଅସ୍ଥିରତାକୁ ଦୂର କରିବା ପାଇଁ ଆସ୍ତେ ଆସ୍ତେ ଚାହା ପିଇଲା, ସତେ ଯେମିତି ସେ ସମୁଦ୍ର ଭିତରେ ଅଛି । ଦିଗନ୍ତବିସ୍ତାରୀ ବାରିରାଶି । ଅଜସ୍ର ତା’ର ଢେଉ—ଅସ୍ଥିର ଆଉ ଉଦ୍‌ବେଳ । ଆଃ—ଏ ମାନସିକ ଶୀତଳତାରୁ ସେ ସହଜରେ ମୁକ୍ତି ପାଇବ ନି । ଅଧଘଣ୍ଟାଏ ପରେ ସେ ଡ଼େସ୍କ ନିକଟରେ ଥିବା କଲିଂ ବେଲକୁ ଚିପିଲା । ତା’ର ସେକ୍ରେଟରୀ ଆସିଲେ ଓ ସେ ସକାଳର ଚିଠିଗୁଡ଼ାକ ଡ଼ାକିଗଲା, ଯେମିତି କି ଆଜି ରାତିରେ ସେ ସବୁ କରୁଚି । ସେ ଘରକୁ ଗଲାକ୍ଷଣି ବାପାକୁ ଏକଥା ନିଶ୍ଚୟ କହିବ । ଶୀଘ୍ର ବିବାହର ଆୟୋଜନ ବନ୍ଦ ହେବା ଦରକାର । ନିମନ୍ତ୍ରଣପତ୍ରଗୁଡ଼ା ଫେରାଇ ଆଣିବାକୁ ପଡ଼ିବ । ଜୋସୁ ପାଇଁ ଯେଉଁ ଗହଣା ତିଆରି ହେବାକୁ ବଣିଆକୁ ବରାଦ ଦିଆଯାଇଥିଲା, ତାହା ଫେରାଇ ଆଣିବାର ସମୟ ଆଉ ନାହିଁ । ଭାରତର ଉପକୂଳରୁ ଆସିଥିବା ଖାଣ୍ଟି ଗୋଲାପୀରଙ୍ଗର ମୁକ୍ତାର ଅଳଙ୍କାରଗୁଡ଼ିକ...କାହିଁକି ଆଉ ଏ ସବୁର ଆୟୋଜନ ?

 

‘‘ମୁଁ କୋବରୀକୁ କହି ସାରିଲିଣି’’—ଜୋସୁ କହିଲା । ବାପା ଅଧରାତିଯାଏ ଘରକୁ ଫେରି ନ ଥିଲେ ବି ସେ ତାଙ୍କୁ ଅପେକ୍ଷା କଲା । ମା ଜାଣିଲେ । ବିବାହ ପାଇଁ କିଣା ପୋଷାକଗୁଡ଼ିକୁ ମା ଯତ୍ନରେ ରଖିଦେଲେ । ସେ ଗୁଡ଼ିକ ଦରକାରରେ ଆସିବ ନି । ମା’ କଣ ଭାବିଲେ, ଜୋସୁ ଜାଣିପାରିଲା ନାହିଁ । ଜୋସୁକୁ ଛୁଆଁ ଇ ନ ଦେଇ ପୋଷାକଗୁଡ଼ିକୁ ସେ ଯତ୍ନରେ ସଜାଡ଼ଲେ ଏବଂ ଦାମିକା ଜିନିଷ ଷ୍ଟୋରଘରର ଷ୍ଟୋରଘରର କର୍ପୂର କାଠର ସିନ୍ଦୁକରେ ରଖିଦେଲେ । ସନ୍ଧ୍ୟା ସାରା ଏଇ କାମ ସେମାନେ କଲେ । ମା’ ପଦେ ହେଲେ କଥା ତାକୁ ପଚାରିଲେ ନି, ଏପରି କି କୋବରୀ କ’ଣ କହିଲା, ସେ କଥା ବି ପଚାରିଲେ ନି ।

 

ତା କଥା ଶୁଣିବାକୁ ବାପାଙ୍କୁ କହିବାରୁ ବାପା କହିଲେ, ‘‘ଅତି ଡ଼େରି ହୋଇଗଲା ।’’

 

‘‘ମୁଁ କଣ କରିଚି ନ କହିବା ଯାଏ ଶୋଇପାରିବି ନାହିଁ,’’ଜୋସୁ କହିଲା ।

 

ତେଣୁ ନିଜର ଦୁଃଖ ଓ କ୍ଳାନ୍ତିକୁ ଲୁଚାଇ ମି. ସାକାଇ ବସି ପଡ଼ିଲେ । ଜୋସୁ ଠିଆହୋଇ ରହି ଅଳ୍ପ କଥା ଢୋକି କହିଲା ଯେ, ସେ ଆମେରିକାନ୍‌କୁ ବିଭା ହେବାକୁ ସ୍ଥିର କରିଛି ।

 

‘‘ମୁଁ ଜାଣିପାରୁ ନି ବନ୍ଧୁ ତକାସୀ ମାତ୍ସୁୟୀଙ୍କୁ ମୁଁ କିପରି କହିବି, କଣ କହି ତାଙ୍କୁ ବୁଝାଇ ପାରିବି ? ସେ ପୁଣି ଏ ସମ୍ବାଦ କିପରି କୋବରୀକୁ କହିବେ ।’’ —ସେ କହିଲେ ।

 

ଜୋସୁ ଟାଉ ଟାଉ କହିଦେଲା ଯେ କୋବରୀ ଜାଣି ସାରିଚି, ସେ କୋବରୀକୁ କହିଚି ।

 

‘‘ତୁ ତାକୁ କହିଚୁ ?’’ ବାପା ବିଶ୍ୱାସ କରିପାରିଲେ ନାହିଁ ‘‘ଏତେ ସାହସ ତୋର କେଉଁଠୁ ଆସିଲା, ତୁ କେତେ ଶୀଘ୍ର ବଦଳି ଗଲୁ !’’

 

ମୁଣ୍ଡ ତଳକୁ ନଇଁ ସେ କହିଲା, ‘‘କୋବରୀ ଏତେ ଭଲ ଯେ ମୁଁ ତାକୁ ଏ କଥା କହିବାକୁ କୌଣସି ଦ୍ୱାଧା ରଖିଲି ନାହିଁ ।’’

 

‘‘ଏତେ ଭଲ ସେ—ସେ ଏତେ ଭଲ ।’’ ବାପା ଦୁଃଖମିଶା କଣ୍ଠରେ ବିଦ୍ରୂପ କଲେ । ‘‘କିନ୍ତୁ ତୋତେ ବିଭା ହେବାର ଯୋଗ୍ୟତା ତା’ର ନ ଥିଲା ପରି ଜଣାପଡ଼ୁଚି ।’’ ବାପା ଖତେଇ ହୋଇ କହିଲେ ।

 

‘‘ସେ ଅତି ଭଲଲୋକ—କେବଳ ମୁଁ ଜଣକୁ ଭଲପାଏ ଆଉ କୋବରୀକୁ ଜଣାଇବା ମୋର ଉଚିତ । ସେ ସବୁକଥା ବୁଝୁଚି ।’’ —ଜୋସୁ ସାହସର ସହିତ କହିଲା ।

 

‘‘ଏଇ କଥା ଅପମାନକୁ ଘୁଞ୍ଚାଇ ଦେଇ ପାରିବ ନି ।’’ —ବାପା କହିଲେ । ସେ ଉତ୍ତେଜିତ, ଦୁଃଖିତ ହୋଇ ବସିଲେ; କିନ୍ତୁ ଜୋସୁ ଜାଣିଲା ଯେ ସେ କ୍ଳାନ୍ତ ହୋଇ ପଡ଼ିଚନ୍ତି । ସୁନ୍ଦର ମୁଁ ହଟି ତାଙ୍କର ମହମ ଭଳି ସାଦା ଦିଶୁଥିଲା । ତା ପରେ ତିନି ଥର ସେ ହାତ ମୁଠା ମୁଠା କଲେ । ‘‘ଏ ଆମେରିକାନ୍‌ଟି ଅନ୍ତତଃ ଭଦ୍ରବ୍ୟବହାର କରିବା ଉଚିତ । ତୁମେ ରୀତିମତ ବିବାହ କରିବ । ଆମେରିକାରେ ବିବାହ ଚର୍ଚ୍ଚରେ ହୁଏ । ଲୌକିକ ବିବାହ ଯଥେଷ୍ଟ ନୁହେଁ । ସେମାନେ ଏହାକୁ ଯଥେଷ୍ଟ ଭାବନ୍ତି ନି । ଆମେରିକାନ୍‌ ସହିତ ତା’ର ପରିବାରକୁ ଆବଦ୍ଧ କରିବାର ଉପାୟରେ ହିଁ ବିବାହ ହେବ । କଣ ବୁଝୁଚୁ ତ ? ଭୋଜି ହବନି, ଅତିଥି ଆସିବେନି । କେବଳ ମୁଁ, ତୋର ମା ଓ ସାକ୍ଷୀମାନେ ରହିବେ । ଆମେରିକା ପରମ୍ପରା ଦୃଷ୍ଟିରୁ ସାକ୍ଷୀମାନେ ରହିବା ଦରକାର-।’’

 

‘‘ଭୋଜି ବା ଅତିଥି ଆମର ଦରକାର ନାହିଁ । କ’ଣ ଆମର ଧର୍ମ କୁହ ତ ବାପା ? ଆମର ତ ଚର୍ଚ୍ଚ ନାହିଁ ।’’ —ଜୋସୁ କହିଲା ।

 

‘‘ମୁଁ ବୌଦ୍ଧ । ବୌଦ୍ଧମନ୍ଦିରରେ ବିବାହ ହେବ....ପୁରୋହିତ ଓ ଠାକୁରଙ୍କ ସାମ୍ନାରେ । ଆମେରିକାନ୍‌ମାନଙ୍କର ଠାକୁର ଓ ପୁରୋହିତ ଅଛିନ୍ତି, ଆମର ବି ଅଛନ୍ତି ।’’

 

‘‘ମୁଁ ନିଶ୍ଚିତ ଯେ ଆଲେନ୍‌ ଏଥିରେ ନିଶ୍ଚୟ ରାଜି ହେବେ । ତୁମେ ଯାହା ଚାହଁ, ତା କରିବାକୁ ସେ ରାଜି’’–ଜୋସୁ କହିଲା ।

 

‘‘କେବଳ ତତେ ଛାଡ଼ିବାକୁ ସେ ପ୍ରସ୍ତୁତ ନୁହେଁ—ଏତକ ସେ କରିପାରିବ ନି । ମୋ ଘରେ ଚୋର ପରି ପଶି, ମୋର ସଂପଦକୁ ନେଇଯିବ ଓ ମତେ ଆଉ ଫେରାଇବନି । ଆଉ ଅଧିକ ମୁଁ କଣ ଚାହିଁବି ?’’ ତା ବାପା ବିରକ୍ତିମିଶା କାରୁଣ୍ୟରେ ଚାହିଁରହିଲେ ।

 

ଜୋସୁର ମୁଣ୍ଡ ଆହୁରି ତଳକୁ ନଇଁଗଲା । ତଥାପି ତା’ ମୁହଁକୁ ଚାହିଁ ରାଜି ହେବାର କୌଣସି ଲକ୍ଷଣ ଡକ୍ଟର ସାକାଇ ଦେଖିଲେ ନାହିଁ ତା’ର ଲାଲ ଓଠ ଦୁଇଟି ଥରିଉଠିଲା ନାହିଁ । ସେ ସଙ୍ଗେ ସଙ୍ଗେ ଉଠି ଠିଆହେଲେ ଓ ହାତରେ ତାକୁ ଟିକେ ଠେଲିଦେଲେ—ଗୋଟିଏ ବିଧା ମାରିଲା ପରି । ‘‘ଆମେରିକା ଯାଆ—କିନ୍ତୁ ଆମ ସମସ୍ତଙ୍କୁ ଫୋପାଡ଼ି ଦେଲା ପରି ଯେତେବେଳେ ସେମାନେ ତୋତେ ଫୋପାଡ଼ି ଦେବେ, ତୁ ଆଉ ମୋ ପାଖକୁ ଆସିବୁ ନି ।’’

 

ବାପାଙ୍କ ପରି ରାଗ ଓ ଗର୍ବରେ ସେ ବି ମୁଣ୍ଡ ଟେକିଲା । ‘‘ମୁଁ ନିୟମ କରୁଛି ବାପା—ତୁମ ପାଖକୁ କେବେ ଅସହାୟ ଭାବରେ ଫେରି ଆସିବି ନି ।’’

 

ଟୋକିଓରେ ଆଲେନ୍‌ ତା’ର କଲୋନେଲ୍‌ଙ୍କ ସଙ୍ଗେ କଥାବାର୍ତ୍ତା କଲା । କଲୋନେଲଙ୍କ ଅଫିସର ଦୁଇଜଣ ଯାକ ବସିଲେ । ଗୁଡ଼ାଏ କାଗଜର କାମ ବାକୀ ପଡ଼ିଥାଏ । କଲୋନେଲ୍‌ ଫାଇଲ କାମରେ ବ୍ୟସ୍ତ ଥାଇ ମଝିରେ ମଝିରେ ଲୁଚେଇ କରି ତାକୁ ଚାହିଁଥାନ୍ତି । ଆଲେନ୍‌ କେନେଡ଼ି କଥା କହୁଥିଲାବେଳେ ତାଙ୍କୁ ଲାଗୁଥିଲା ଯେପରି ଅଯଥା ଗୁଡ଼ାଏ ମନସ୍ତାପ ଓ ଦୁଃଖକୁ ଏ ଯୁବକ ଆମନ୍ତ୍ରଣ କରି ଆଣିଛି । ନିଜ ଓଜନଠୁ ଆହୁରି ଅଧିକ ସେ ଦୁଃଖର ବୋଝ । ସେ ଭାରବାହୀ ମାତ୍ର ।

 

‘‘ଏ ଅବଶ୍ୟ ତୁମର ବ୍ୟକ୍ତିଗତ କଥା ।’’ କଲୋନେଲ୍‌ ଗମ୍ଭୀର ଭାବେ କହିଲା । ‘‘ତଥାପି ମୁଁ ତୁମକୁ ମୁଁ କିଛି କହୁଚି । ସାଧାରଣ ସୈନ୍ୟ ଅପେକ୍ଷା ତୁମର ବୁଦ୍ଧି ଅଧିକ । ମୋ ମତରେ ତୁମେ ଯଦି ଉପରକୁ ଉଠିବାକୁ ଚାହଁ, ତା ହେଲେ ତୁମ ଭାଗ୍ୟର ରେଖା ଆପେ ଜଳିଉଠିବ, ଠିକ୍‌ ଆକାଶର ତାରା ପରି । କିନ୍ତୁ ଜାପାନୀ ସ୍ତ୍ରୀଟିଏ ଥିଲେ ଏ ସୁଯୋଗରୁ ତୁମେ ବଞ୍ଚିତ ହେବ । ଯଦି ନିଜର କର୍ମରେ ଉନ୍ନତି କରିବାର ଆଶା ଥାଏ, ତେବେ ସ୍ତ୍ରୀ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ।’’

 

‘‘ମୁଁ ଜାଣୁଚି ଆପଣ ଠିକ୍‌ କହୁଚନ୍ତି ।’’ ଆଲେନ୍‌ କେନେଡ଼ି କହିଲା । ସିନ୍ଥିଆ ହୁଏ ତ ତା ପାଇଁ ଉପଯକ୍ତ ସ୍ତ୍ରୀ ହୋଇପାରିବ ତାର ଉଚ୍ଚତା ଅଛି । ସେ ଦେଖିବାକୁ ସୁନ୍ଦର ଓ ଚତୁର, ଅର୍ଥାତ ବୋକା ନୁହେଁ, କିନ୍ତୁ ଅତିମାତ୍ରାରେ ସରଳ ଓ ନିରୀହ । କିନ୍ତୁ ସେ ସିନ୍ଥିଆକୁ ପ୍ରେମ କରେନାହିଁ ।

 

‘‘ଆମର ବିବାହ ପଦ୍ଧତି ନିଆରା ।’’ କଲୋନେଲ୍ ପୁଣି କହିଲେ, ‘‘ଆମେ ଏସବୁ କଥା ଯେପରି ଭାବୁ, ଜାପାନୀମାନେ ସେପରି ଭାବନ୍ତି ନାହିଁ । ଏଠାରେ ବିବାହ ବାପା ମାଆଙ୍କ ଯୋଗାଡ଼ ଉପରେ ହୋଇଥାଏ । ଝିଆମାନେ ନିଜ ରୁଚି ଅନୁସାରେ ବିଭା ହେବାକୁ ଆଶା କରନ୍ତି ନି । ଜାପାନୀମାନେ ପ୍ରେମ କଥା ନ ଭାବି ଅତି ଭଲଘରେ ବିଭା ହୋଇଥାଆନ୍ତି । ସେମାନେଙ୍କ ଆଖିରେ ପ୍ରେମ ଏକ ନିଆରା କଥା ।’’

 

କଲୋନେଲ୍‌ ଜଣେ ଶିକ୍ଷିତ ଲୋକ । ସେ ଜାଣନ୍ତି ମଣିଷର ଯୌନପ୍ରବୃତ୍ତି ସବୁବେଳେ ସମାନ ଉପାଦାନରେ ଗଢ଼ା ଓ ଅନେକ ଉପାୟରେ ତାହା ପରିତୃପ୍ତି ଲୋଡ଼ିଥାଏ । ତଥାପି ଅନେକ ପ୍ରକାର ମଣିଷ ଥାନ୍ତି । ତାଙ୍କ ସାମ୍ନାରେ ବସିଥିବା ଏଇ ଭାବପ୍ରବଣ ନମ୍ର ସୁନ୍ଦର ମୁହଁଟିରେ ଆଖି ଦୁଇଟି ଦୀପ ଓ ନୀଳ । ସେ ଏପରି ଏକ ମନୋଭାବ ବ୍ୟକ୍ତି କଲା, ଯାହା ସାଧାରଣ ସୈନ୍ୟଙ୍କ ପକ୍ଷେ ସମ୍ଭବ ନୁହେଁ । ଏପରି ଏକ ଅନ୍ତରରେ ଯୌନକ୍ଷୁଧା ପ୍ରଜ୍ଜ୍ୱଳିତ ହେବା ସ୍ୱାଭାବିକ; ପଶୁ ତାହା କେବଳ ଅଦ୍ଭୁତ ରୋମାଣ୍ଟିକ ଉପାୟରେ ତୃପ୍ତ ହୋଇପାରିବ । ପଶୁ ପରି ଏହାର କାମନା ଏତେ ଉଗ୍ର ନ ହେଲେ ମଧ୍ୟ ତା’ର ସମସ୍ତ ଚେତନାରେ ସେ କାମନା ଭରି ରହିଛି । ମନ ଓ ଆତ୍ମା ଭିତରେ ତାହା ଅବରୁଦ୍ଧ ତେଣୁ ତାକୁ ତୃପ୍ତ କରିବା ସାଧ୍ୟାତୀତ ବ୍ୟାପାର ।

 

‘‘ମୁଁ ଭାବୁଚି..ଆପଣଙ୍କ କଥା ମୁଁ ଯଦି ଗ୍ରହଣ କରିପାରନ୍ତି, ଭଲ ହୁଅନ୍ତା । କିନ୍ତୁ ମୋର ଦୁର୍ଭାଗ୍ୟ ଯେ ମୁଁ ପାରିବି ନି...’’ ଆଲେନ୍‌ ଜିଦ୍‌ ଧରିଲା ।

 

କଲୋନେଲ ମୁଣ୍ଡ ହଲାଇଲେ । ‘‘ଆଚ୍ଛା ହଉ, ସମସ୍ତେ ସମାନ ନୁହନ୍ତି । ଏ କଥା ଭାବି ଠକ୍‌ କରିବାକୁ ମତେ କିଛିଦିନ ସମୟ ଦିଅ ।’’

 

ଚାକିରୀରୁ ଦରଖାସ୍ତ ହେବା ବିଷୟରେ ସଚେତନ ହୋଇ ଆଲେନ୍‌ ହଠାତ୍‌ ଉଠି ପଡ଼ିଲା । ‘‘ମୁଁ କଣ.....’’

 

‘‘ମୁଁ ଠିକ୍‌ କରିସାରିଲେ ତୁମକୁ ଡ଼କାଇବି’’ କଲୋନେଲ କହିଲେ । ସେତେବେଳେକୁ ସେ ପୁଣି କାଗଜ ପତ୍ର କାମ ଆରମ୍ଭ କରିଥିଲେ ।

 

‘‘ଆଉ ଗୋଟିଏ କଥା ଅଛି ସାର୍‌’’ ଆଲେନ୍‌ ନିଜ ପକ୍ଷ ନେଇ କହିଲା ‘‘ଆମେ ସ୍ଥିରକରି ସାରିଚୁ । ତେଣୁ ହେବା ନ ହେବା ପ୍ରଶ୍ନ ଆଉ ଉଠି ନ ପାରେ । ଆମେ ଯାହା ଚାହିଁଛୁ କିପରି କରିବୁ, ଏଇଆ ହେଉଚି କଥା । ଜଣେ ଉଚ୍ଚବଂଶୀୟ ଜାପାନୀ ଝିଅକୁ ବିଭା ହେବାକୁ ଜଣେ ଆମେରିକାନ୍‌ କଣ କରିବ, ଏଇଆ ମୁଁ ଆପଣଙ୍କୁ ପଚାରୁଚି ସାର୍‌ !’’

 

କଲୋନେଲ୍ ତାଙ୍କୁ ରାଗିକରି ଚାହିଁଲେ ‘‘ମୋ ଉପରେ ସେ କଥା ଛାଡ଼ିଦେବ କେନେଡ଼ି–ନୁହେଁ କି ? ମୁଁ ଚାହେଁ ନାହିଁ ମୋର ଜଣେ ଖୁବ୍‌ ଭଲ ଅଫିସର ନ ଭାବି ନ ଚିନ୍ତି ଏପରି କାମ କରୁ । ମୁଁ ବର୍ତ୍ତମାନ ଭାବି ପାରୁ ନି । ଏଇଆକୁ ଦେଖ—’’ସେ ପୁଳାଏ କାଗଜ ଧରି ହଲାଇଲେ ।

 

‘‘ହଉ ସାର୍ ।’’ ଆଲେନ୍‌ ଚାଲିଗଲା ।

 

ପ୍ରକୃତରେ କଲୋନେଲ୍‌ ଚାହିଁଥିଲେ ଘରକୁ ଯାଇ ସ୍ତ୍ରୀ ସହିତ ପରାମର୍ଶ କରିବେ; କିନ୍ତୁ ଜଣେ ଅବିବାହିତ ଲୋକ ଏ କଥା କଣ ବୁଝିପାରିବ ? ଆଲେନ୍‌ ଗଲାପରେ କଲୋନେଲ୍‌ ଆଉ କାମର ଛଳନା କଲେ ନାହିଁ, ଭାବିଲାବେଳେ ଗୁଡ଼ିଏ ସିଗାରେଟ୍‌ ସେ ଶୋଷିଲେ ଓ ଫୋନରେ ସ୍ତ୍ରୀଙ୍କୁ ଡ଼ାକିଲେ । ସ୍ତ୍ରୀଙ୍କର କିଛି କାମ ନାହିଁ ବୋଲି ସେ ଉତ୍ତର ଦେଲେ ।

 

‘‘ତୁମେ ଆଜି ବ୍ରିଜ ଖେଳିବାକୁ ଯାଉଛ କି ?’’ ସେ ପଚାରିଲେ । ‘‘ସେ ତ କାଲି କଥା’’ ସ୍ତ୍ରୀ ମନେ ପକାଇଦେଲେ ।

 

‘‘ଓ ! ଆଚ୍ଛା, ମୁଁ ଭାବୁଚି ଶୀଘ୍ର ଯାଇ ତୁମ ସହିତ ଭୋଜନ କରିବି । କେତେକ ଗୋଳମାଳିଆ ଖବର ଅଛି ।’’

 

ସେ ଅଫିସ ଛାଡ଼ିଲେ ଓ ସାଙ୍ଗରେ ଗୋଟିଏ ଟପ୍‌କୋଟ ଆଣିଥିଲେ ଭଲ ହୋଇଥାନ୍ତା ବୋଲି ଭାବୁଥିଲେ । ଶୀତଳ ପବନ ଅତି ଆରାମଦାୟକ ଲାଗୁଥିଲା । ସେବତୀ ଫୁଲ ବିକ୍ରେତାମାନେ ରାସ୍ତାରେ ଚାରିଆଡ଼େ ବୁଲୁଥିଲେ । ସେ ଏମିତି ଫୁଲ କେବେ ଦେଖି ନ ଥିଲେ । ତାଙ୍କ ହଳଦିଆ ବଲ୍‌ଠାରୁ ବି ଆହୁରି ବଡ଼—ଯାହାକୁ ପିନ୍ଧି ତାଙ୍କ ସ୍ତ୍ରୀ ଏଡ଼୍‌ନା ନିଉହିଉନ୍‌ରେ ହେଉଥିବା ଫୁଟବଲ ଖେଳ ଦେଖିବାକୁ ଯିବେ ବୋଲି ସେ କିଣିଥିଲେ । ଏଡ଼୍‌ନା ଜଣେ ଆର୍ମି ଅଫିସରଙ୍କ ସୁଯୋଗ୍ୟ ସ୍ତ୍ରୀ ହୋଇ ପାରିଥିଲେ କେଉଁଟା ଭଲ ଓ କେଉଁଟା ମନ୍ଦ ତାହା ଜାଣି ସେ ସବୁବେଳେ କରୁଥିଲେ । ଅଧଃସ୍ତନମାନେ ସ୍ତ୍ରୀମାନଙ୍କୁ ସରଳ ବ୍ୟବହାର କରୁଥିଲେ ଓ ଉପରିସ୍ଥମାନଙ୍କର ସ୍ତ୍ରୀକୁ ଅତି ବେଶି ନ ହେଲେ ବି ସେମାନଙ୍କ ମନ ରଖିଲା ଭଳି ବ୍ୟବହାର କରୁଥିଲେ । ସେ ଟିକେ ଥଟ୍ଟାଳିଆ କଥା କହୁଥିଲେ ତଥାପି ଇଶ୍ୱରଙ୍କ ଦୟାରୁ ଅତି ବେଶି ଯଦିଓ ନୁହେଁ, ତଥାପି ଜଣେ କଲୋନେଲଙ୍କୁ ବିଭା ହୋଇ ଜଣେ ଆମେରିକାନ୍‌ ନାରୀସୈନିକ ଜୀବନକୁ ଯେତିକି ସମ୍ମାନ ଦେବା କଥା ସେ ସେତିକି ଦେଇଛନ୍ତି ।

 

ଗୋଟିଏ ବାଦାମୀ ରଙ୍ଗର ଉଲେନ୍ ସୁଟ, ଓଜନିଆ ନ ହେଲେ ମଧ ବେଶ୍‌ ଗରମ ଲାଗେ । ତାକୁ ପିନ୍ଧି ସ୍ତ୍ରୀ ତାଙ୍କୁ ଅପେକ୍ଷା କରିଥିଲେ । ତାଙ୍କର ଆଖି ଓ କେଶ ବାଦାମୀ ରଙ୍ଗର ଥିଲା, ଯଦିଓ କେଶର ଧୂସର ରଙ୍ଗ ଲୁଚାଇବାକୁ ସେ ବହୁତ ରଙ୍ଗ ଖେଳୁଥିଲେ ବୋଲି ତାଙ୍କର ଧାରଣା, ତାଥାପି ସେ ସ୍ତ୍ରୀଙ୍କର କୌଣସି ଗୋପନ କଥା ଟିକିନିଖି ବୁଝୁ ନ ଥିଲେ । ତାଙ୍କ ସ୍ତ୍ରୀ କେବେ ଆତ୍ମଗର୍ବୀ ନୁହନ୍ତି । ମଣିଷକୁ ସେ ବୁଝପାରନ୍ତି । ଡ଼୍ରେସିଂ ହେଉଥିଲାବେଳେ ସେ ଏକା ରହିବାକୁ ଚାହାନ୍ତି ଓ ସେ ମଧ୍ୟ ଜାଣନ୍ତି ଯେ ତାଙ୍କ ଭାଷାରେ ସ୍ତ୍ରୀ ପ୍ରସାଧନ କରୁଥିଲା ବେଳେ ତାଙ୍କର ଉପସ୍ଥିତି ବାଞ୍ଚନୀୟ ନୁହେଁ । ବର୍ତ୍ତମାନ ତାଙ୍କୁ ଦେଖି ସେ ହସିଲେ ।

 

‘‘ତୁମେ ସୁନ୍ଦର ଦିଶୁଚି ନୂଆ ପୋଷାକ ପିନ୍ଧିଚ କି ?’’ ‘‘ହେ ଭଗବାନ ! ଏ ନିହାତି କମ୍‌ରେ ଦଶବର୍ଷ ତଳର ପୁରୁଣା ପୋଷାକ । ତୁମର ମନେ ନାହିଁ ଆମେ ଲଣ୍ଡନରେ ରହୁଥିଲାବେଳେ ୟାକୁ କିଣିଥିଲେ ।’’

 

‘‘ତୁମେ କ’ଣ, ମୁଁ ଜାଣି ନି’’ ସେ ପ୍ରତିବାଦ କଲେ । ‘‘ଖାଇବାକୁ ହେଲାଣି ତ ?’’

 

‘‘ମୁଁ ତ ବର୍ତ୍ତମାନ କୁକୁଡ଼ା ତରକାରି କଲି ।’’

 

‘‘ବାଃ’’ !

 

ସୂର୍ଯ୍ୟକିରଣରେ ଆଲୋକିତ ସେଇ ବଡ଼ ଘରଟି ଜଣେ ଜାପାନୀ କୋଟିପତିଠାରୁ ସେ ନେଇଥିଲେ । ସେଠି ବସି କୁକୁଡ଼ା ତରକାରି ଖାଉ ସ୍ତ୍ରୀ ଙ୍କୁ ସେ ଆଲେନ୍‌ ସଂପର୍କରେ ସମସ୍ତ ଘଟଣା କହିଲେ ।

‘‘‘କେନେଡ଼ିର ଗୋଟିଏ ଅତି ସୁନ୍ଦର ଉଚ୍ଚବଂଶଜ ଜାପାନୀ ଝିଅ ସହିତ ମିଳାମିଶା ହୋଇଚି, ସେ ତାଙ୍କୁ ବିଭା ହେବାକୁ ଚାହିଁଚି’’—ସେ ସିଧା ଆାରମ୍ଭ କଲେ ।

‘‘ଓଃ ରବର୍ଟ ?’’ ସ୍ତ୍ରୀ ବିରକ୍ତିରେ ପାଟିକଲେ ସତେ ଯେମିତି ସେ ଏ ବିବାହକୁ ବନ୍ଦକରି ପାରିବେ ।

‘‘ମୁଁ ଜାଣେ, କିନ୍ତୁ ଆମେ କଣ କରିପାରିବା ? ତୁମେ ଯାହା ଭାବୁଚ ମୁଁ ତାଙ୍କୁ ସବୁ କଥା କହିଚି ।’’

‘‘ସେ ତାଙ୍କୁ ବିବାହ ନ କରି ରକ୍ଷିତା ଭାବରେ ରଖୁନାହିଁ ?’’

‘‘ସେ କଥା ମୁଁ ତାଙ୍କୁ କହୁଥିଲି ।’’

‘‘ସତେ ?’’

କଲୋନେଲ୍‌ କୁକୁଡ଼ା ଖାଇ ଓଠ ଚାଟିନେଲେ ଓ ରୁମାଲ୍‌ରେ ଓଠ ପୋଚୁନେଲେ । ‘‘କେନେଡ଼ି କିଛି ବୁଦ୍ଧିଆର କାମ କଲା ନାହିଁ । ଏଥିରେ କିଛି ନୈତିକତାର ଘଟଣା ଥିଲା ଭଳି ମୁଁ ଭାବୁନାଇଁ ତ ।’’ ସେ ଚତୁରତାର ସହିତ କହିଲେ ।

 

‘‘ଆଉ କଣ ?’’ —ଏଡ଼୍‌ନା ପଚାରିଲେ ।

 

‘‘ସେ ନିହାତି ଏକଜିଦିଆ, ବୁଝୁଚ ମୁଁ କଣ କହୁଚି—ସେ ନାରୀକୁ ଉପଭୋଗ କରି ଅପାଙକ୍ତେୟ ଭାବରେ ଛାଡ଼ିଯିବ ନାହିଁ । ସ୍ତ୍ରୀକୁ ନିଜର ଗୋପନ ଅଭିସନ୍ଧି ନ ଜଣାଇ ଆମେରିକାର ଅନେକ ଲୋକ ସେପରି କାମ କରିପାରିନ୍ତି । କିନ୍ତୁ ଆଲେନ୍‌ କେବେହେଲେ ସେଭଳି ବ୍ୟବହାର କରିପାରିବ ନାହିଁ ।’’

 

‘‘ଓ, ସେ ତା ହେଲେ ଖୁବ୍‌ ରୋମାଣ୍ଟିକ୍‌’’ ସେ ପାଟିକରି କହିଲେ,’’ ହୋଇପାରେ—ତୁମେ ତାକୁ ଯାହା କହିପାର ! କିନ୍ତୁ ମୁଁ ଲୋକ ଦେଖିଚି ଯେଉଁମାନେ ରୋମାଣ୍ଟିକ୍‌ ! କାମ ବ୍ୟତୀତ ଅନ୍ୟ କାମ ତୁଳେଇ ପାରନ୍ତି ନି । ଅବଶ୍ୟ ଏଇଟା ବୋକାମି । ଅବାସ୍ତବତା, ତୁମେ ଏମିତି ଲୋକଙ୍କ କଥା ଭାବିପାରିବ ନି । କେତୋଟି ମୁଦ୍ରା ପାଇଁ ଲାଇନରେ ଠିଆ ହୋଇ ପାଇଲା ପରେ କାମ ଉପରକୁ ଯିବା ଲୋକକୁ ବରଂ ମୁଁ ପସନ୍ଦ କରିବି, କିନ୍ତୁ ଏଭଳି ଲୋକକୁ ନୁହେଁ ।’’

 

ଏଡ଼୍‌ନା ବେଶ୍‌ ଆରାମ କରିବା ଲୋକ । ଏଭଳି ପ୍ରେମ ସଂପର୍କୀୟ କଥାରେ ସେ ସବୁଦିନେ ଉଦାସୀନା । ଲୋକର କହିବା ନ କହିବାକୁ ଭାବ ସେ ଭଲ ବୁଝେ । ଲୋକ ଚରିତ୍ର ସଂପର୍କରରେ ତାର ଅନୁଧ୍ୟାନ ଅତି ନିବିଡ଼ । ତେଣୁ କାହା ପ୍ରତି ଅତିରିକ୍ତ ଆସକ୍ତି ସେ ଦେଖାଏ ନାହିଁ ବା ସ୍ୱାମୀଙ୍କ ବିଷୟରେ କାହା ସହିତ ଗପ ମଧ କରେ ନି ।

 

‘‘ଦୁଇଥର ଠୁଁ ବେଶି ପିଅନି ରବର୍ଟ’’ ! ଯେତେବେଳେ ସେ ଆଉ ଥରେ ଗ୍ଳାସ ଭର୍ତ୍ତି କରୁଥିଲେ ସ୍ତ୍ରୀ ସତର୍କ କରିଦେଲେ ।’’ ‘‘ଖରାବେଳେ ଏପରି ପିଇଲେ ତୁମର ରାତିରେ ଯେପରି ପୀଡ଼ା ହୁଏ—ଏ କଥା କଣ ଭୁଲିଯାଉଚ ?’’

 

‘‘ହଉ, ଯାହା ହଉଚି’’ ସେ ମନମାରି କହିଲେ । ସ୍ତ୍ରୀ ଖଟାଳିଆ ଓ ବହଳିଆ କରି ଏକ ସୁନ୍ଦର ପାନୀୟ ତିଆରି କଲେ । ମିଠା ଜିନିଷ ସେ ଘୃଣା କରନ୍ତି’’ ହେଲା ତ ?’’ ସେ କହିଲେ ।

 

‘‘ମୁଁ ଭାବୁଚି’’ ସ୍ତ୍ରୀ ଆରମ୍ଭ କଲେ । ଅତି କମ୍‌ ହେଲେ ବି ତାଙ୍କ ସହିତ ପିଇବାକୁ ସେ କେବେ ମନା କରନ୍ତି ନି । ଅତି ଆଗ୍ରାହୀ ନ ହେଲେ ବି ସେ ସବୁ କଥାରେ ଉତ୍ସୁକ; ଅତି ଭଲ ଘଟଣା ନ ହେଲେ ସେ ପ୍ରାୟ ଆଗ୍ରହ ପ୍ରକାଶ କରନ୍ତି ନି ।

 

‘‘ମୁଁ ତୁମକୁ କହିବି’’ କେତେକ ମିନିଟ୍‌ ପରେ ସେ କହିଲେ, ‘‘ତୁମେ କାହିଁକି ତାକୁ ଛୁଟି ଦେଇ ଦେଉ ନ ?’’

 

‘‘ବର୍ତ୍ତମାନ ? ଯେତେବେଳେ କୋରିଆ ଯୁଦ୍ଧର ଧମକ ଦଉଚି’’ ସେ ପଚାରିଲେ ।

 

‘‘ତାକୁ ଘରକୁ ପଠାଇଦିଅ—ଘରର ଆବହାଓ୍ୱା ଭିତରେ ସେ ରହୁ—ସେ ଭର୍ଜିନିଆରେ ରହେ ଟି ? ସେଇ ବଡ଼ ବଡ଼ ସ୍ତମ୍ଭ ଥିବା ଧଳା ଘରଟାର ଛବି ସେ ଥିରେ ଆମକୁ ଦେଖାଉଥିଲା । ମନେ ଅଛି ? ତାକୁ ଶୀଘ୍ର ଘରକୁ ପଠାଇଦିଅ । ତୁମେ ତାର କରିଦିଅ—ତା ଘରେ ସେ ଏପରି ଝିଅଟିଏ ପାଇପାରିବ ଓ ଏସବୁ କଥା ସେ ଭୁଲିଯିବ । ମୁଁ ଭାବୁଚି ତା ଘଟଣାଟା ବିବେକ ଅନୁମୋଦିତ ନୁହେଁ । ଆତ୍ମୀୟତାର ପ୍ରବାହ ମାତ୍ର ।’’

 

ସ୍ୱାମୀଙ୍କ ଆଡ଼କୁ ଚାହିଁ ତାଙ୍କର ବାଦାମୀ ଆଖିରେ ଏଡ଼୍‌ନା କଣ ଇଙ୍ଗିତ ଦେଲେ ଓ ଦୁହେଁ ହସିଲେ । ସେମାନେ ବେଳେବେଳେ ଏମିତି ବାଜେ କଥାରେ ବି ଥଟ୍ଟା–ମଜା କରନ୍ତି, କିନ୍ତୁ ଜଣକର ଅନ୍ତରର ନିର୍ମଳତା ଅନ୍ୟ ଜଣକୁ ବେଶ୍‌ ଜଣାଯାଏ ।

 

‘‘ବେଶ୍‌ ଫୁର୍ତ୍ତି ଝିଅଟି’’ ସେ ଅନୁଭବ କରିଥିଲେ । ମଦ୍ୟ ନିଶାରେ କିଞ୍ଚତ ଉଷୁମ ଅନୁଭବ କରୁଥିଲେ । ସୂର୍ଯ୍ୟକିରଣରେ ଆଲୋକିତ ବଡ଼ଘର ଭିତରେ ଓ ଜୀବନର ସାଧାରଣ ଆରାମ; ନିରାପତ୍ତା ଓ କ୍ଷମତାର ସେ ଉଷ୍ମ ହୋଇ ଉଠୁଥିଲେ । ବାହୁ ପ୍ରସାରିତ କରି ସ୍ତ୍ରୀଙ୍କର ବେକରେ ହାତ ପକାଇ ନିଜ ଆଡ଼କୁ ଭିଡ଼ି ଧରିଲେ ଓ ଏକ ଦୀର୍ଘ ଚୁମ୍ୱନ ଦେଲେ । ‘‘ତୁମେ ପୃଥିବୀରେ ସବୁଠୁଁ ଭଲ ଝିଅ’’ ସ୍ତ୍ରୀଙ୍କ ଓଠ ପାଖରେ ସେ ଚୁପ୍‌ଚୁପ୍‌ କହିଲେ ।

 

ଅତି ଦୁଃଖିତ ଓ କ୍ଳାନ୍ତ ହୋଇଥିଲେ ବି କୋବରୀ ସେଦିନ ଶୀଘ୍ର ଘରକୁ ଫେରିଲା ନାହିଁ-। ସେ ସୁସ୍ଥ ଓ ସବଳ; ତା’ର କୋମଳ ଦୀର୍ଘ ଦେହ କେବେ କ୍ଳାନ୍ତ ହୁଏନି; କିନ୍ତୁ ମନ ସହଜରେ କ୍ଳାନ୍ତି ଅନୁଭବ କରେ । ସବୁବେଳେ ସୁଖୀ ଓ ସନ୍ତୁଷ୍ଟ ରହିବା ତାର ଧର୍ମ । ବାପା-ମାଙ୍କର ଏକମାତ୍ର ଜୀବିତ ସନ୍ତାନ ହିସାବରେ ତା’ର ପବିତ୍ର କର୍ତ୍ତବ୍ୟ ହେଉଚି ସୁଖ ଓ ସନ୍ତୋଷରେ ରହିବା । ନୀତି ରକ୍ଷାପାଇଁ ତା ବାପା ଅନେକ ତ୍ୟାଗ କରିଥିବାରୁ ସେ ବାପାଙ୍କୁ ସବୁଠାରୁ ଅଧିକ ସମ୍ମାନ ଦିଏ-। ତା’ର ବାପା ଯୁଦ୍ଧ ପୂର୍ବରୁ ବାଣିଜ୍ୟ କରୁଥିବା ଯେଉଁ ଜାପାନୀ ଯୁବରାଜମାନଙ୍କ ସହିତ ରହୁ ଥିଲେ ତାଙ୍କୁ କହିଥିଲେ ଯେ ଆମ ଦେଶର ସରକାରକୁ ନିୟନ୍ତ୍ରଣ କରୁଥିବା ଯୁଦ୍ଧଖୋରମାନଙ୍କ ଯୋଜନା ଭୁଲ ଅଛି ।’’

 

‘‘ଶକ୍ତି ପ୍ରୟୋଗ କରି ଆମ ପକ୍ଷରେ କେବେ ସାମ୍ରାଜ୍ୟ ରକ୍ଷାକରିବା ସମ୍ଭବ ହେବ ନାହିଁ-।’’ ଖାଦ୍ୟ କମିଟି ଯେତେବେଳେ ବସିଲା ସେଠି ତକାସୀ ମାତ୍ସୁୟୀ ମତ ଦେଇଥିଲେ ।

 

‘‘ଇଂଲଣ୍ଡ ସେପରି କରିଚି’’ ଜଣେ ଜେନେରାଲ୍ କହିଲେ; ‘‘କିନ୍ତୁ ସମୟ ବଦଳୁଚି’’ ମିଷ୍ଟର ମାତ୍ସୁୟୀ ତାଙ୍କୁ ମନେ ପକାଇଦେଲେ ।’’ ଚୀନ ଆଜି ଯାହା ହୋଇଚି ତିନି ଶହ ବର୍ଷ ତଳେ ଭାରତ ତାହା ବି ନ ଥିଲା । ଚୀନମାନେ ଜାପାନ ଶାସନକୁ ସ୍ୱୀକାର କରିବେ ନାହିଁ । ସେମାନେ କେବେ ଶାସିତ ଜାତି ହୋଇନାହାନ୍ତିଁ ।’’

 

‘‘ଆମେ ଯଦି ସାମ୍ରାଜ୍ୟ ଗଠନର ନୀତିକୁ ବଜାୟ ନ ରଖୁ, ଆମେ ନିଜେ ଔପନିବେଶିକଙ୍କ ଶାସନରେ ଆମର ନିଜତ୍ୱ ହରାଇ ବସିବୁ । ପାଶ୍ଚାତ୍ୟ ଦେଶସବୁ ସାମ୍ରାଜ୍ୟ ଗଠନର ଅଭିଳାଷ ଏବେ ବି ତ୍ୟାଗ କରି ନାହାନ୍ତି ।’’

 

‘‘କେବଳ ଆମେରିକା ବର୍ତ୍ତମାନ ଶକ୍ତିଶାଳୀ ହୋଇଉଠୁଛି । ସେମାନେ କେବଳ ସାମ୍ରାଜ୍ୟର ସ୍ୱପ୍ନ ଦେଖୁଚନ୍ତି’’ ଜଣେ ଜେନେରାଲା କହିଲା ।

 

‘‘ସେମାନେ ବାଣିଜ୍ୟ କରିବାର ସ୍ୱପ୍ନ ଦେଖିଚନ୍ତି ।’’ ମିଷ୍ଟର ମତ୍ସୁୟୀ ଦୃଢ଼ ଭାବରେ ମନ୍ତବ୍ୟ ଦେଲେ ।

 

‘‘ବାଣିଜ୍ୟ–ବାଣିଜ୍ୟ !’’ ଜେନେରାଲ ପାଟିକରି କହିଲେ ।’’ସବୁ ସାମ୍ରାଜ୍ୟ ଆରମ୍ଭ ବାଣିଜ୍ୟରେ । ଇଂରେଜମାନେ ବାଣିଜ୍ୟ କରିବାକୁ ଭାରତ ଆସିଥିଲେ ଓ ଶେଷରେ ତିନି ଶହ ବର୍ଷ ସାମ୍ରାଜ୍ୟ ବିସ୍ତାର କଲେ । ଆମେ ଏସିଆ ଜୟ ନ କଲେ ଆମେରିକାନ୍‌ମାନେ ନିଶ୍ଚୟ ଏସିଆ ଆଧିକାର କରିବେ ।’’

 

‘‘ଆପଣ ମନେରଖନ୍ତୁ ସାର—ଏବେ ରୁଷିଆ ବି ଶକ୍ତିଶାଳୀ ହୋଇଉଠିଛି । ଆମେରିକାଠାରୁ ରୁଷିଆକୁ ବେଶି ଭୟ କରିବା କଥା ।’’ ମିଷ୍ଟର ମାତ୍ସୁୟୀ ଭଦ୍ରଭାବରେ କହିଲେ ।

 

ଜେନେରାଲ ଜଣକ ଘର ଫଟାଇ ବଡ଼ପାଟିରେ କହିଲେ, ‘‘ତୁମେ ବାବୁ ଚୁପ୍‌ ରହିଲେ ଆମେ ସମସ୍ତଙ୍କୁ ଏକାଥରେ ଜୟ କରିବା ।’’

 

ତକାସୀ ମାତ୍ସୁୟୀ ଦୁଃଖ ନ କରି ନୀରବରେ ଚାଲି ଆସିଲେ ଦୁଃଖ କରିବାଠୁଁ ସେ ବହୁତ ଦୂରରେ । ଖାନଦାନୀ ବଂଶର ଆଭିଜାତ୍ୟ ତାଙ୍କୁ ପରିସ୍ଥିତି ସହିତ ସମତାଳରେ ଚାଲିବା ସେତେବେଳେ ଶିଖାଇ ଥିଲା । ସେ ତେଣୁ ଏ ଆଲୋଚନାରେ କ୍ଷୁବ୍‌ଧ ନ ହୋଇ ବିଶ୍ରାମ ପାଇଁ ଚାଲିଆସିଲେ । ଯୁଦ୍ଧ ଚାଲିଥାଏ । ମାତ୍ସୁୟୀ ପରିବାର ସବୁପ୍ରକାର ସୁଖ ସୁବିଧାରୁ ବଞ୍ଚିତ ହେଲେ; କିନ୍ତୁ ବିଜୟ ହାସଲ ପରେ ସେମାନେ ପୁଣି ପାରି ଉଠିବାକୁ ଆରମ୍ଭ କଲେ । ଏହା ଭିତରେ କୋବରୀର ବଡ଼ଭାଇ ମରିଗଲେ ଓ ମଝିଆ ଭାଇ ରୁଷିଆରେ ମଲେ । ବାପା–ମାଙ୍କର ଗଭୀର ଦୁଃଖ ଜାଣି ସେ ଆଶ୍ୱାସନା ଦେବାକୁ ସବୁମନ୍ତେ ଚେଷ୍ଟାକଲା; ତାଙ୍କ ଆଗରେ ସବୁବେଳେ ଖୁସିରହି ସେମାନଙ୍କୁ ସୁଖୀ କରାଇ ପାରିବ ବୋଲି ଭାବିଲା । ତେଣୁ ନିଜର କୌଣସି ଅସନ୍ତୋଷକୁ ତାଙ୍କ ଆଗରେ ସେ ପ୍ରକାଶ କରେନାହିଁ । ଏଇ ରୁକ୍ଷ ଆତ୍ମସଂଯମ ହିଁ କୋବରୀକୁ ସ୍ଥିର ଓ ବିଚାରବନ୍ତ କରିପାରିଥିଲା ।

 

ଅଭ୍ୟାସ ଅନୁସାରେ ଘରକୁ ଫେରିବା ବାଟରେ ତା’ର ପ୍ରଧାନ ଚିନ୍ତା ତା’ର ବାପା । ତାଙ୍କୁ ସେ କିପରି ତା’ ନିଜର ଏଇ ଆକସ୍ମିକ ଦୁଃଖର କଥା କହିବ ? ପୁଣି ସହଜ ଓ ସୁନ୍ଦର ଭାବେ କହିବ ଯେପରି କି ତା’ ବାପା ବିଚଳିତ ହେବେ ନାହିଁ । ସେ ଅନ୍ତତଃ ବୁଝିବେ ଯେ ସେପରି କିଛି ଦୁଃଖଦାୟକ ଘଟଣା ନୁହେଁ । ମା’ ବି ବାପାଙ୍କ ପରି ଅନୁଭବ କରିବେ । ସେ ପୁରୁଣାକାଳିଆ ଜାପାନୀ ସ୍ତ୍ରୀ ଏତେଦିନ ଧରି ସେ ଆଜ୍ଞାଧୀନା ଭାବରେ ଚଳି ଆସିଚନ୍ତି । ଏପରି କି ତାଙ୍କୁ ବାପାଙ୍କ ପ୍ରତିବିମ୍ୱ କହିଲେ ଚଳିବ । ଅନ୍ୟ କୌଣସି ସ୍ୱତନ୍ତ୍ର ସତ୍ତା ତାଙ୍କର ନାହିଁ ।

 

ସନ୍ଧ୍ୟାଟା ବେଶ ସୁନ୍ଦର ଓ ଶୀତଳ ଥିଲା । ରାସ୍ତରେ ସେବତୀ ଫୁଲବିକାଳୀଙ୍କର ବାକ୍‌ସ ଧାଡ଼ି ଧାଡ଼ି ହୋଇ ଥୁଆ ହୋଇଥିଲା ଯିବା ବାଟରେ ସେ ଚାରିଆଡ଼କୁ ଚାହିଁଥିଲା । ବାପାଙ୍କ ବଗିଚାରେ ନ ଥିଲା ଭଳି ଫୁଲ କାଳେ କିଛି ଥିବ । ଶେଷରେ ସେ ଗୋଟିଏ ଫିକା, ଶୁଭ୍ର ପାଟଳ ରଙ୍ଗର ଫୁଲ ଦେଖିଲା । ପାଖୁଡ଼ାଗୁଡ଼ା ତା’ର କୁଞ୍ଚିକୁଞ୍ଚିଆ ଓ ମଝିଟା ସୁନାଭଳି ହଳଦିରଙ୍ଗ । ସେ କିଛି ସମୟ ଅଟକି ଫୁଲକୁଣ୍ଡଟି କିଣିଲା ଓ ପୁରୁଣା ଖବର କାଗଜରେ ଗୁଡ଼ାଇଦେଲା । ଖୁବ୍‌ ଯତ୍ନରେ ଘର ପାଖ ଫାଟକଯାଏ ନେଇଗଲା । ବିଜୟ ହାସଲ ପୂର୍ବରୁ ଏପରି ଫୁଲକୁଣ୍ଡ କିଣିବା କଥା କେହି କଳ୍ପନା କରିପାରୁ ନଥିଲେ; କିନ୍ତୁ ବର୍ତ୍ତମାନ ଏସବୁ କରିବାର ଗଣତାନ୍ତ୍ରିକ ଅଧିକାର ମିଳିଛି । ଏଇସବୁ ସ୍ୱାଧୀନତାର ସୁଯୋଗକୁ ସେ ଉପଭୋଗ କରିବାକୁ ଚାହୁଁଥିଲା ।

 

ଏଇ ନୂଆ ସେବତୀଫୁଲକୁ ନେଇ ବାପାଙ୍କୁ ଉପହାର ଦେଲେ ଖୁବ୍‌ ଭଲ ହେବ । ଅନ୍ତତଃ ସେଇ ଦୁଃସମ୍ବାଦର ଆଘାତକୁ ଏହା ଅନେକ ପରିମାଣରେ ଉପଶମ କରିପାରବ । କୋବରୀ ମନ କ୍ରମେ ଭାରାକ୍ରାନ୍ତ ହୋଇ ପଡ଼ୁଥିଲା । ଯେତେବେଳେ ହେଉ ଘଟଣାଟା ସେ କହିବ-। ତେଣୁ ଶୀଘ୍ର କହିନେବା ବରଂ ଭଲ । ଏଥିରେ ଅନ୍ତତଃ ସେ ନିଜର ଦୁଃଖକୁ ଲାଘବ କରିପାରିବ । ସେ ବାପାଙ୍କ ମନରେ ନିଶ୍ଚିତ ଧାରଣା ଦେବ ଯେ ସେ ବିଶେଷ କିଛି ଦୁଃଖ କରୁନି...ତଥାପି କାଳେ ବାପା ଜାଣିପାରିବେ । ପ୍ରକୃତରେ ବି ସେ ଜଣେ ଉଦ୍ଧତ ସ୍ୱତନ୍ତ୍ରା ନାରୀକୁ ବିଭା ହେବାକୁ ଚାହେଁ ନାହିଁ ।

 

ସବୁଦିନ ପରି ଆଜି ବି ସନ୍ଧ୍ୟାବେଳେ ବାପା ତା’ର ବଗିଚାରେ ବୁଲୁଥିଲେ । ତାଙ୍କ ପରି ଫୁଲପ୍ରିୟ ଲୋକମାନେ ବଗିଚାରେ ଯେତେ ବୁଲିଲେ ବି ତାଙ୍କ ମନ ତୃପ୍ତ ହୁଏ ନାହିଁ । ତାଙ୍କର ଉତ୍ସାହୀ ଆଖି ସବୁ ବେଳେ କିଛି ବିଶେଷ ଖୋଜିବୁଲେ. ଯାହାକୁ କି ଜଣେ ନୂଆ ଲୋକ ଆଦୌ ଦେଖି ପାରିବ ନି ।

 

ସେବତୀଫୁଲର ବହଳ ଶେଯ ପାଖରେ କୋବରୀ ତା ବାପାଙ୍କୁ ଦେଖିଲା ଅତି ସୁନ୍ଦର ନାଲି ହଳଦି ମିଶା ଫୁଲବୁଦାମୁଳେ ଠିଆ ହେଲାକ୍ଷଣି ତା ଓଠ ଥରିଉଠିଲା ।

 

‘‘କୋବରୀ । ମୁଁ ଭାବୁଚି ଏ ଗୁଡ଼ିକ ଗତବର୍ଷ ପରି ଏତେ ଭଲ ହେବ ନି’’ ବାପା କହିଲେ ।

 

କୋବରୀ ମଥା ନୂଆଁଇଲା । କହିଲା, ‘‘ଆପଣ ଆଗେ କୁହନ୍ତୁ ତ ଏ ପାଟଳ ରଙ୍କର ଫୁଲକୁଣ୍ଡଟା ରଖିବା କି ? ମୁଁ ଏପରି ଫୁଲ କେବେ ଦେଖି ନି ।’’

 

ଆଗ୍ରହରେ ଶ୍ରୀଯୁକ୍ତ ମାତ୍ସୁୟୀ ହାତ ବଢ଼ାଇଲେ । କୋବରୀ ଏଇ ଲମ୍ୱି ଆସିଥିବା ହାତ ଦୁଇଟିକୁ ଦେଖି ଚମିକି ଉଠିଲା । ହାତ ଦୁଇଟି ଅତି ପତଳା ହାଡ଼ଗୁଡ଼ିକ ଗଣି ହେଉଚି । ବାପା ତା’ର ଏତେ ପତଳା, ବାପାଙ୍କର ପ୍ରିୟ ମୁଖଟିକୁ ଚାହିଁ ଦେଖିଲା ସତରେ ସେମିତି ସରୁଆ । ସବୁଦିନ ପରି ଶ୍ରୀଯୁକ୍ତ ମାତ୍ସୁୟୀ ଜାପାନୀ ପୋଷାକ ପିନ୍ଧିଥିଲେ ଓ ତାଙ୍କ ବେକ ଖୋଲାଥିଲା । କାନ୍ଧର ହାତ ପାଖରେ ବଡ଼ ବଡ଼ ଖୋଲା ଓ କପାଳ, କଡ଼ର ଖାଲଥିବାର କୋବରୀ ଲକ୍ଷ୍ୟ କଲା । ବାପାଙ୍କଠୁ ସେ ଡ଼େଙ୍ଗା, ମୋଟା ଓ ବଳୁଆ । ବାପା ବୟସବେଳେ ବି ତା’ ଭଳି ନ ଥିଲେ ଏଇ ବୟସ୍କ ଲୋକକୁ ସେ ଆଦର କଲା, ସତେ ଯେମିତି ସେ ନିଜେ ତାଙ୍କର ବାପା ମା । ସେ ମନକୁ ମନ ହସିଲା ।

 

‘‘ଆପଣଙ୍କ ପାଖେ ଏଇଟା ନାହିଁ–ମୁଁ ଆପଣଙ୍କ ପାଇଁ ପ୍ରକୃତରେ ନୂଆ ସେବତୀଗଛଟିଏ ଆଣିଛି ।’’

 

ବାପାଙ୍କର ଶୁଷ୍କ, ବାଦାମୀ ମୁହିଁଟି ଥରିଉଠିଲା । ‘‘ଅସମ୍ଭବ, ଆମ ବଗିଚାର ସେବତୀ ଫୁଲ ଜାପାନପ୍ରସିଦ୍ଧ ।’’

 

ଉଭୟେ ନୁଆ ଫୁଲଗଛ ଉପରେ ନଇଁପଡ଼ି ଫୁଲର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହେଉଥିଲେ-

 

‘‘ଆମେ ଏଇଲେ କେଉଠିଁ ରଖିବା’’ ଉତ୍ସାହୀ କଣ୍ଠରେ ଶ୍ରୀଯୁକ୍ତ ମାତ୍ସୁୟୀ କହିଲେ ।

 

‘‘ଏଇ ନାଲି ସୁନାରଙ୍ଗମିଶା ଫୁଲ ପାଖରେ ନୁହେଁ । ତୋ ମା ଏ ନୂଆ ଫୁଲକୁ ବେଶ୍‌ ଭଲ ପାଇବ । ତା’ରି ପରି ଦିଶୁଚି ଇଏ । ତା ଝରକା ବାଟେ ସେ ଦେଖିପାରିବ ବୋଲି ମୁଁ ଏଇ ଜାଗାରେ ବୁଦାଟାକୁ ରଖିବି ।’’

 

ଯତ୍ନର ସହିତ ସେ ଅନେକ ଗୁଡ଼ାଏ ଗଛ ସଙ୍ଗରେ ୟା କୁ ରଖିଲେ ଓ ଦୁଇ ହାତ ମଳିଧୂଳି ପୋଛିଲେ । ପରିସ୍ଥିତଟା ଏତେ ସୁଖକର; ପବନ ପୁଣି ଏତେ ଆରାମଦାୟକ କୋବରୀ ଏଇ ସମୟଟାକୁ ଉପଯୁକ୍ତ ମନେକଲା ।

 

‘‘ତୁମ ପାଇଁ ଫୁଲ ଆଣି ମୁଁ ଭାରି ଖୁସି ବାପା–ୟା ଦ୍ୱାରା ତୁମକୁ ଗୋଟିଏ ଅପ୍ରୀତିକର ଘଟଣା ଜଣାଇବାକୁ ସୁବିଧା ମିଳିଲା । ମୋ ବିଭାଘର ହୋଇପାରିବ ନି ।’’

 

ଶ୍ରୀଯୁକ୍ତ ମାତ୍ସୁୟୀ ପୁଅ ଆଡ଼କୁ ବୁଲିପଡ଼ିଲେ ।’’ କଣ କହୁଚୁ ?’’

 

‘‘ମିସ୍‌ ସାକାଇ ଏ ବିଭାଘର ଚାହିନ୍ତି ନାଇଁ’’ କୋବରୀ ଧୀର ସ୍ଥିର ଭାବରେ କହିଲା ।

 

ଶ୍ରୀଯୁକ୍ତ ମାତ୍ସୁୟୀ ମୂହୂର୍ତ୍ତକ ପାଇଁ ନିର୍ବାକ, ନିସ୍ପନ୍ଦ ହୋଇଗଲେ । ବାପାଙ୍କର ଏଇ ଦୁଃଖର ସୁଯୋଗ ନେଇ କୋବରୀ କୋମଳ ସ୍ୱରରେ କହିଲା, ‘‘ଏଥିରେ ତୁମର କିଛି ବ୍ୟସ୍ତ ହେବାର ନାହିଁ ବାପା ! ମୁଁ ଆଗରୁ ଭାବୁଥିଲି, ବିଭାଘର କେବେ ହୋଇପାରିବ ନି । ମୁଁ ଭାବୁଚି ତୁମ ସହିତ ବନ୍ଧୁତା ଥିବାରୁ ଡକ୍ଟର ସାକାଇ ଝିଅକୁ ବାଧ୍ୟ କରୁଥିଲେ । ତୁମେ ଜାଣ, ଯେ ତୁମକୁ କେତେ ଭଲପାଆନ୍ତି । ସେ ଭାରି ଦୁଃଖ କରିବେ । ଆମେ ତାଙ୍କୁ ଆଘାତ ନ ଦେବାକୁ ଚେଷ୍ଟାକରିବା । ମିସ୍‌ ସାକାଇ ଠିକ୍‌ ସମୟରେ ମତେ ଘଟଣାଟା ଜଣାଇ ବାରେ ଆମ ସମସ୍ତଙ୍କ ପାଇଁ ଭଲ ହେଲା ।’’

 

‘‘ସେ କ’ଣ ନିଜେ...’’ ବାପା ବିସ୍ମିତ ହେଲେ ।

 

‘‘ତୁମେ ତ ଜାଣ—ସେ ଆମେରିକାନ୍‌ ଝିଅ ପରି । ସେ ମୋ ଅଫିସକୁ ଆସି ତାଙ୍କ କଥା କହିଲେ । ସେ ଜଣେ ଆମେରିକାନ୍‌କୁ ବିଭା ହେବାକୁ ଚାହାନ୍ତି ।’’ କୋବରୀ ଶାନ୍ତଭାବେ କହିଲା ।

 

‘‘କେହି ଜଣେ ସେମିତି ଠିକ୍‌ ହୋଇଚି ?’’ ଶ୍ରୀଯୁକ୍ତ ମାତ୍ସୁୟୀ ପଚାରିଲେ ।

 

‘‘ବୋଧହୁଏ ଜଣାଯାଉଚି ତେଣୁ ମୁଁ ଏ ପରିସ୍ଥିତିରେ ଭାବୁଚି, ବିବାହ ବନ୍ଦ ହେବା ଭଲ-।’’

 

ଶ୍ରୀଯୁକ୍ତ ମାତ୍ସୁୟୀ ନିଜର ଦୁଃଖ ଓ ବିସ୍ମୟ ଭୁଲି ରାଗିଗଲେ । ‘‘ହଁ ନିଶ୍ଚୟ ଭଲ, ନିଶ୍ଚୟ । ଏପରି ଏକ ଯୁବତୀ ଆମ ଖାନଦାନ ଘରକୁ ଆସିବାକୁ ଯୋଗ୍ୟା ନୁହେଁ । କିନ୍ତୁ ତୁ କଣ ଭାବୁଛୁ କହିଲୁ ବାବୁ ?’’

 

କୋବରୀ ଟିକେ ହସିଲା, ‘‘ତୁମେ ଦେଖୁନା ମୁଁ ଭାରି ଖୁସି ଅଛି ।’’

 

ମି: ମାତ୍ସୁୟୀ ହାତ ବଢ଼ାଇ ପୁଅର ଦୁଇ କାନ୍ଧକୁ ଧରିଲେ । ଫ୍ଳାନେଲ କୋର୍ଟର ଆବରଣ ତଳେ ଏଇ ନରମ ଓ ବଳୁଆ ହାତ ତାଙ୍କୁ ସାହସ ଦେଲା ।’’ ବାବୁ ତତେ କେତେ ଖରାପ ଲାଗିଥିବ, ତୋ ସାମ୍ନାରେ ସେ ଏମିତି କହିପାରିଲା ?’’

 

‘‘ମୋଟେ ନୁହେଁ, ମୁଁ ବରଂ ତା’ର ସ୍ପଷ୍ଟବାଦିତା ପସନ୍ଦ କଲି’’ କୋବରୀ ସହଜ ଭାବରେ କହିଲା । ‘‘ଇଏ ନୂଆ କଥାଟେ । ସେ ଭାରି ବୁଦ୍ଧିଆ ଝିଅ । ମୁଁ ଭାବୁନି ସେ ଏଠିକା ଅପେକ୍ଷା ଆମେରିକାରେ ବେଶି ଖୁସିରେ ରହିବ । ତା ପରେ ବି ତାଙ୍କୁ ପନ୍ଦର ବର୍ଷ ହେବା ଯାଏ ସେ କାଲିଫର୍ଣ୍ଣଆରେ ଥିଲା । ସେ କେବେହେଲେ ଖାଣ୍ଟି ଜାପାନୀ ହୋଇପାରିବନି । ଆମେ କେବଳ ତା ବାପାଙ୍କ ଅବସ୍ଥା ଭାବିବା କଥା । ସେ ଭାରି ଭଲ ଲୋକ ବହୁତ କଷ୍ଟ କରିଛନ୍ତି, ଗୋଟିଏ ଦେଶକୁ ଛାଡ଼ି ଆଉ ଗୋଟିଏ ଦେଶରେ ସେ ଚଳି ପାରୁନାହିନ୍ତି ।’’

 

କାନ୍ଧରେ ହାତ ପକାପକି ହୋଇ ସେ ଘର ଆଡ଼କୁ ଚାଲିଲେ । ‘‘କେମିତି ତୋ ମାଆଙ୍କୁ କହିବି ?’’ ମି: ମାତ୍ସୁୟୀ ଗୁଣୁଗୁଣୁ କରି କହିଲେ ।

 

‘‘ତାଙ୍କୁ ସାଙ୍ଗେ ସାଙ୍ଗେ କହିବ ନି । ସନ୍ଧ୍ୟାବେଳେ ଖାଇ ସାରିବା, ରାତିରେ ଯେତେବେଳେ ଏକୁଟିଆ ଥିବେ, ବିଶ୍ରାମ କରୁଥିବେ ସେତେବେଳେ ତୁମେ ତାଙ୍କୁ କହିପାରିବ । କାଲି ଡକ୍ଟର ସାକାଇଙ୍କୁ କିପରି ସାକ୍ଷାତ କରିବାକୁ ହେବ, ପରେ ସ୍ଥିର କରିବା ବୋଧହୁଏ ଅତି ଶୀଘ୍ର ହେବ ନାହିଁ । ନିଜକୁ ସଜାଡ଼ି ମନ ସ୍ଥିର କରିବାକୁ ତାଙ୍କୁ ସମୟ ଦେବା । ତାଙ୍କର ଏଇ ମନର ସ୍ଥିରତାକୁ ଆମେ ଅପେକ୍ଷା କରିବା; ତେଣୁ ଆମକୁ ସାକ୍ଷାତ କରିବାକୁ ସୁବିଧା ହେବ ।’’

 

ମି: ମାତ୍ସୁୟୀ କୋବରୀର କାନ୍ଧ ଉପରେ ନଇଁପଡ଼ିଲେ । ‘‘ମୁଁ କେବଳ ତୋରି କଥା ଭାବୁଚି ବାବୁ ଆଜିଯାଏ ତୁ କେବେ ଏପରି ଆଘାତ ପାଇ ନ ଥିଲୁ ।’’

 

‘‘ନା, ଏ ସେପରି କିଛି ଗୁରୁତର କଥା ନୁହେଁ’’ କୋବରୀ ବାପାଙ୍କ ଉନ୍ନତ ମୁଖକୁ ଚାହିଁ ମୃଦୁ ହସିଲା ।

 

ତା’ର ବାଦାମୀ ଆଖି ଏତେ ନିର୍ମଳ ଦିଶୁଥିଲା ଓ ତା’ର କୋମଳ ସ୍ୱର ଏତେ ମଧୁର ଥିଲା ଯେ ମି: ମାତ୍ସୁୟୀ ତା’ କଥାରେ ବିଶ୍ୱାସ କରିଗଲେ ।

 

‘‘ତେଣୁ ତୁମେ ଆସନ୍ତା ଗୁରୁବାରଠାରୁ ଛୁଟିନେଇ ଘରକୁ ଚାଲିଯାଅ । ପରେ ଠିକଣା କାରଣ ଦେଖାଇ ତୁମେ ଯେତେବେଳେ ଚାହଁ, ସେତେଦିନ ଛୁଟି ଗଡ଼ାଇ ଦେଇପାରିବ ।’’

 

ଆଲେନ୍‌ ତା ଉପରିସ୍ଥଙ୍କ ଆଡ଼କୁ ଚାହିଁଲା, ‘‘ମତେ ଏତେ ବୋକା ବୋଲି ଭାବନ୍ତୁ ନି ସାର୍‌ !’’

 

ଦସ୍ତଖତ୍‌ କରୁଥିବା କାଗଜରୁ ମୁହଁ ଟେକି କଲୋନେଲ୍‌ ଚାହିଁଲେ ନି । ଏଇ ସକାଳେ ସେ ଭାରି ଫୁର୍ତ୍ତି ଓ ଆତ୍ମବିଶ୍ୱାସୀ ହୋଇପଡ଼ିଚନ୍ତି ।

 

‘‘କିଏ କାହାକୁ ବୋକା ବନଉଚି ? ତମେ ବୋକା କି ନୁହଁ, ମୋର ସେଥିରେ କିଛି ଯାଏ ଆସେ ନି । ତୁମେ ଘରକୁ ଯାଇ ଚିନ୍ତାକର ବୋଲି ମୁଁ ଚାହେଁ । ଘରର ଆବହାଓ୍ୱାକୁ ଫେରିଯାଅ—ପରିବାରକୁ ଦେଖ, ଝିଅମାନଙ୍କ ସହ ମିଶ ।’’ ସେ ପ୍ରତିବାଦ କଲେ ।

 

‘‘ଏଥିରେ କିଛି ବଦଳି ଯିବ ନି ସାର୍‌ !’’

 

‘‘ବଦଳି ପାରେ—ଆଉ ଯଦି ନ ବଦଳେ, ତେବେ ଏଠାକୁ ଆଉ ଆସିବ ନି ।’’ କଲୋନେଲ କହିଲେ ।

 

ଏଇ ସୁନ୍ଦର ଯୁବକ ଅଫିସରଟିର ସ୍ୱେଚ୍ଛାଚାରିତାରେ ରାଗିଯାଇ ସେ ହଠାତ୍‌ ଏ କଥା କହି ପକାଇଲେ । ଅନେକ ଦିନ ଧରି ଉପଦେଶ, ସ୍ନେହ ସେ କେନେଡ଼ିକୁ ଦେଇଛନ୍ତି । ତାଙ୍କର ସମସ୍ତ ଉପଦେଶ ଏଇ ଜାପାନୀ ଝିଅଟି ପାଇଁ ବିଫଳ ହୋଇଯିବ । ତାଙ୍କ ମନରେ ଏଥିପାଇଁ ପ୍ରତିକ୍ରିୟା ଓ ରାଗ ଆସୁଥିଲା । ହୁଏ ତ ସେ ଝିଅ ଭଲ ହୋଇଥିବ—ସେ ଭାବିଲେ । କିନ୍ତୁ ଆମେରିକାରେ କ’ଣ ଭଲ ଝିଅ ନାହାନ୍ତି ? ଏଇ ବର୍ଣ୍ଣସଂକର ଜାତିରେ ତାଙ୍କର ବିଶ୍ୱାସ ନାହିଁ । ଏବେ ବି ହଜାର ହଜାର ଆମେରିକାନ୍‌—ଜାପାନୀ ଛୁଆ ଅଛନ୍ତି । ହଜାର ହଜାର ଆମେରିକାନ୍‌–ଚୀନା ଓ ଶହ ଶହ ହଜାର ହଜାର ଇଂରେଜ—ଭାରତୀୟ ମିଶାମିଶି ଛୁଆ ଅଛନ୍ତି । ଏହି ସବୁ ଦୋଷ ଯୁଦ୍ଧ ସଙ୍ଗେ ସଙ୍ଗେ ଘଟିଚି ଓ ଭଲ ଅବସ୍ଥା ଆସିଲେ ବି ଏ ସମସ୍ୟାକୁ ସମାଧାନ କରି ହେବନାହିଁ-। ଆମେରିକାନ୍‌ ମାନଙ୍କୁ ନିରାପଦ ରଖିବାକୁ ପରିକଳ୍ପନା କରାଯାଉ ଥିବାବେଳେ ନିଜେ ନିଜେ ସେମାନେ ସବୁ ଯୋଜନା ପଣ୍ଡ କରି ଦେଉଛନ୍ତି । ଏପରି କି କେନେଡ଼ି ବିଭା ନ ହେଲେ, ସେ ହୁଏ ତ ଭାବନ୍ତେ ବିଦେଶରେ ଲୋକେ ରହିଲେ ଏପରି ହୁଏ । କିନ୍ତୁ ବିବାହ !

 

‘‘ଆପଣଙ୍କୁ ଧନ୍ୟବାଦ ସାର୍‌’’ ଆଲେନ୍‌ ନିଜକୁ କିଞ୍ଚିତ୍‌ ଅପସାରିତ କରି କହିଲା ।

 

‘‘ଆରେ, ତୁମେ ତ ଫେରି ଆସିବ’’ କଲୋନେଲ୍‌ ଚିଡ଼ି ଉଠି କହିଲେ ।

 

ଆଲେନ୍‌ ଚାଲିଗଲା । ତିନି ଦିନ ! କ’ଣ ବା ସେ ତିନି ଦିନରେ କରିପାରିଲା ! କଲୋନେଲ ତା’ପାଇଁ ଯେଉଁ ଫାନ୍ଦ ପାତିଲେ, ସେଥିରେ ସେ ଭାରି ରାଗିଥିଲା । ସେଇ ଫାନ୍ଦ ଭିତରେ ସେ ବର୍ତ୍ତମାନ ପଶିବ । ପ୍ରଶାନ୍ତ ମହାସାଗର ସେ ପାଖରୁ ଫୋନ୍‌ରେ କଥାବାର୍ତ୍ତା କରି ହେଉଥିବ ବୋଧହୁଏକାହାର ଏ ଯୋଜନା, ବୋଧହୁଏ କଲୋନେଲ୍‌ଙ୍କ ସ୍ତ୍ରୀଙ୍କର । ଏପରି ଚଟୁଳ ଧୂର୍ତ୍ତତା କେବଳ ଜଣେ ସ୍ତ୍ରୀଲୋକ କରିପାରେ । ଗତ ବସନ୍ତରେ ଘରକୁ ଯିବା କଥା ଭାବି ସେ ପାଗଳ ହୋଇ ଉଠୁଥିଲା । ବର୍ତ୍ତମାନ ସେ କେବଳ ଜାପାନରେ ରହିବାକୁ ହିଁ ଚାହୁଛି’’—ଯଦି ଜୋସୁ ସହିତ ରହିବାର ଏକମାତ୍ର ପନ୍ଥା ଏଇ, ତେବେ ସେ ସବୁଦିନ ପାଇଁ ରହିଯିବ । ତା’ର ବିଶ୍ୱାସଘାତକତା କଥା ଭାବି ସେ ନିଜେ ଆହତ ହେଲା । ଯଦି ଜୋସୁ ସହିତ ଜୀବନ ବିତାଇବାକୁ ନିଶ୍ଚିତ, ତେବେ ବର୍ତ୍ତମାନ ତା’ର ଖୁସିରେ ପ୍ରତିଜ୍ଞା କରିବା କଥା, ସେ ଆଉ ଘରକୁ ଯିବନି କି ବାପା ମାଙ୍କୁ ଦେଖିବ ନି । ତା’ ନିଷ୍ଫଳ କ୍ରୋଧ ଭିତରେ ପ୍ରେମର ଆସକ୍ତି ଭିନ୍ନ ଅନ୍ୟ କିଛି ନ ଥିଲା । ଏପରି ବଡ଼ ଫେସନରେ ସେ ଅଭ୍ୟସ୍ତ ନ ଥିଲା । ଜୀବନରେ ଅତି କମ୍‌ କଥା ତାକୁ ବାରଣ କରାଯାଇଛି । ବାପାଙ୍କର ଗୋଟିଏ ପୁଅ ବୋଲି ସେ କେବେ ହତାଶ ହୋଇ ନି । ଏବେ ବି ସେ ହତାଶ ହେବାକୁ ଚାହେଁ ନାହିଁ । ଯାହା ଚାହିଁଚି, ସବୁବେଳେ ପାଇଚି ।

 

ବିଶ୍ୱାସ-ଅବିଶ୍ୱାସ, ଚିନ୍ତା ଓ ସଂଶୟର ତିନୋଟି ଦିନ । ତିନୋଟି ଦିନର ଅବସାନ ପରେ ସେ ପୁଣି କଲୋନେଲ୍‌ଙ୍କୁ ଦେଖାକଲା । ‘‘ଜିନିଷ ପତ୍ର ସଜାଡ଼ି ନିଅ’’ କଲୋନେଲ୍‌ କହିଲେ, ‘‘ମୁଁ ତୁମକୁ କିଛି କହୁ ନି । ମୁଁ ଖାଲି କହୁଚି, ତୁମେ ସେ ଝିଅକୁ ଆଉ ଦେଖା ନ କରି ଚାଲିଯାଅ ଘରକୁ-।’’

 

ହେଲେ, ୟା ସେ କରିପାରିବ ନି । ଯେତେ ଶୀଘ୍ର ପାରେ ପ୍ରଥମ ଗାଡ଼ିଟାରେ ସେ କିଓଟୋ ଯିବ । ଅବଶ୍ୟ ତାକୁ ଘରକୁ ଯିବାକୁ ପଡ଼ିବ । ନ ଯିବା ଅର୍ଥ ଚରମ ଔଦ୍ଧତ୍ୟ ହେବ ଯାହାକି ସେ ପରେ ତୁଲାଇ ପାରିବି ନି । କିନ୍ତୁ କୌଣସି ମତେ ଜୋସୁକୁ କହିବ ସେ, ଫେରିଆସିବ ବୋଲି । ସେ ଚାହେଁ ଜାପାନୀମାନେ ଏତେ ବିଶ୍ୱାସୀ, ଶକ୍ତିଶାଳୀ ଓ ଚାଲାକ ନ ହୁଅନ୍ତୁ, ଜୋସୁ ଏତେ ଚାଲାକ ବି ନୁହେଁ, ଏଇଆ ତାର ସନ୍ଦେହ ।

 

ଏଇ ସନ୍ଦେହ ତାକୁ ଅସହ୍ୟ ଭାବେ ଉତ୍ତେଜିତ କଲା, ଜୋସୁକୁ ନିଶ୍ଚିନ୍ତ ନ କଲେ ସେ ଘରେ ଯାଇ ମଉଜ କରିପାରିବ ନାହିଁ । ସେ ଜାଣେ ଯେ, ତାକୁ ଖୁସି କରିବାର ଏକମାତ୍ର ଉପାୟ ହେଉଚି ବିବାହ କରିବା । ସେମାନେ ଯେତେଶୀଘ୍ର ପାରନ୍ତି ବିଭା ହୋଇଯିବେ । କିନ୍ତୁ କିପରି ? ସାରା ଜୀବନ ଚାହିଁଲେ ବି ସେ ଅନୁମତି ପାଇବେ ନି ଏବଂ କଲୋନେଲ ବୋଧହୁଏ ଅନୁମତି ପାଇବାର ସବୁ ବାଟ ବନ୍ଦ କରିଦେଲେ । କିପରି ଜାପାନୀମାନେ ବିଭା ହୁଅନ୍ତି ? କିମ୍ବା ସେ ଜୋସୁକୁ କହିବ–

 

ପରଦିନ ଓପରବେଳା ଗାଡିରେ ସେ ଯାଉଚି ବୋଲି ଜୋସୁକୁ ଟେଲିଗ୍ରାମ କଲା । ଆଜି ସକାଳ ଗାଡି ଧରିବାକୁ ଡେରି ହେଲାଣି । ସେ ଜିନିଷ ସଜାଡି ଛୁଟି ନେଇ ଯିବ ଓ ତା’ ସହିତ ପ୍ରତିଟି ମୁହୁର୍ତ୍ତ କଟାଇବ, ସେ ତା’ର ପ୍ରିୟତମାକୁ ପ୍ରବର୍ତ୍ତାଇବ, ଆପଣାର କରିବ । ସେ ବାରଣ ନ କରିବା ଯାଏ ତାକୁ ପ୍ରାଣଭରି ସେ ପ୍ରେମ କରିବ; ଯାହା ହେଉ ନ ହେଉ, ତାକୁ ସେ ଦୁରେଇ ଦେଇପାରିବ ନି । ତାକୁ ଛାଡ଼ି ସେ କେଉଁଠି ହେଲେ ଶାନ୍ତି ପାଇ ପାରିବ ନି । ସେ ଘରକୁ ଯାଇ ଶୀଘ୍ର ଫେରି ଆସିବ, କିମ୍ବା ସେ ବଦଳି ହୋଇଗଲେ ଭଲ ହେବ ? ଘରକୁ ଯିବା ବାଟରେ ତା’ ମନ ଚଞ୍ଚଳ ହୋଇ ଉଠୁଥିଲା । ସେ ଆମେରିକାରେ ରହି ପେଣ୍ଟାଗାନ୍‌ରେ ଏକ ଡେସ୍କ କାମ କରିବ-। ପ୍ରଶାନ୍ତ ମହାସାଗରର ଦ୍ୱୀପମାନଙ୍କରେ, ଜାପାନ, କୋରିଆରେ, ପୁଣି ଏବେ ଜାପାନରେ ଅନେକ ବର୍ଷ ରହିବାର ଅଭିଜ୍ଞତା ତା’ର ଅଛି । ସେ ବେଶ୍‌ ସୁବିଧାରେ ଚଳିଯିବ । ସେତେବେଳେ ଜୋସୁ ତା’ ପାଖକୁ ଯିବ । ସେ ଜନ୍ମରୁ ଆମେରିକାର ନାଗରିକା, ତେଣୁ ତାକୁ ନେବାକୁ ଅସୁବିଧା ହେବ ନି ।

 

ତା ମନ ଖୁସି ହେଲା । କଲୋନେଲ କହିଲେ ବି ଏଇ ବୋଧହୁଏ ସବୁଠୁଁ ଭଲ ହେବ । ପରିବାରକୁ ରାଜି କରିବାକୁ ତାକୁ କିଛି ସମୟ ଲାଗିବ । କିଏ ଜାଣେ, ଜାପାନୀମାନଙ୍କ ବିଷୟରେ ତାଙ୍କର କି ଅନ୍ଧବିଶ୍ୱାସ ରହିଚି ! ଏଠିକା ଜୀବନର ମଉଜ ଓ ଭଲ ଅନୁଭୁତି ଏବଂ ପ୍ରାକୃତିକ ଦୃଶ୍ୟ ବିଷୟରେ ସେ ମାଆଙ୍କୁ ବର୍ଣ୍ଣନା କରିପାରିବ ବୋଲି ମନେ ମନେ ଖୁସି ହେଲା । ଏଠି ସବୁ ତାକୁ ଭଲ ଲାଗେ । ତେଣୁ ସେ ଏଇଠି ରହିବାକୁ ଚାହେ । ଏ ଅତି ଭଲ ଦେଶ, ରହିବାକୁ ସୁବିଧା । ଲୋକମାନେ ବି ସରଳ । ହଁ, ଏବେ ସବୁ ଭଲ ଲାଗୁଚି । ରାତିରେ ଗୋଟିଏ ଖରାପ ସ୍ୱପ୍ନ ଦେଖି ଉଠିପଡ଼ିଲେ ତାକୁ ଅଦ୍ଭୁତ ଲାଗେ । ମନେକର ଗୋଟାଏ ଦୁଃସ୍ୱପ୍ନ, ଜଙ୍ଗଲଗୁଡାକ ଭୟଙ୍କର, ସେଠି ଗୋଟାଏ ଉଲଗ୍ନ ଜାପାନୀ ଲୋକ, ଅଳ୍ପ କେତେ ହାତ ଦୁରରେ ସେ ଅଦୃଶ୍ୟ ହେବାଯାଏ, ସବୁଜ ଛାୟାରେ ରଙ୍ଗୀନ ହେଲା ପରି ଜଣାଯାଏ ।

 

ଛାଇ ନିଦରେ ବି ସେ ଚମକି ଉଠୁଥିଲା । ସତେ ଯେପରି ସେଇଦିନଗୁଡ଼ିକରେ ସେ ଶତ୍ରୁର ଉପସ୍ଥିତି ଅନୁଭବ କରୁଚି । ଏ ହେଲା ସୈନିକର ଜୀବନ । ଥରେ ଶୋଇପଡ଼ିଲା ପରେ ସ୍ୱପ୍ନରେ ଉଠିପଡ଼ି ତାର ଧାରୁଆ ଛୁରୀକୁ ଜଣେ ମୋଟା ଜାପାନୀ ଲୋକର ଶରୀରରେ ଭୁଷି ଦେଇଥିଲା; କିନ୍ତୁ ସେ ଏଥିରେ ଅଭ୍ୟସ୍ତ ନ ଥିଲା । ସେ ହତ୍ୟାକାରୀ ନୁହେଁ । ଚମ ତଳେ ତାର ବ୍ଳେଡ଼ଟା ଗଳିଗଲାବେଳେ ଏଇ ଦୁଃସ୍ୱପ୍ନ ସେ ଦେଖିଥିଲା । ଛୁରୀ ଭୁଷିଲାବେଳକୁ ଚମ ପ୍ରଥମେ ମୋଟା ଥିଲା ଓ ପରେ—

 

ସେ ହଠାତ୍‌ ଗୋଟାଏ ଟେଲିଗ୍ରାଫ ଅଫିସକୁ ପଶିଯାଇ ଜୋସୁକୁ ଖବର ଦେଲା, ‘‘କାଲି ସନ୍ଧ୍ୟାରେ ପହଞ୍ଚିବି । ଘରକୁ ଯିବାକୁ ଆଦେଶ ପାଇଚି ।’’ ଏତିକି ଲେଖି ସେ ବନ୍ଦକଲା । ଏଥିରେ ସେ ଆଶଙ୍କା କରିପାରେ; କିନ୍ତୁ ତାର ଡରିବାର ବା କଣ ଅଛି ? ସେ ପୁଣି ପେନ୍‌ସିଲରେ ଆଉ ଧାଡ଼ିଏ ଲେଖିଲା ‘‘ତୁମର ଚିରସାଥୀ—ଆଲେନ୍‌ ।’’

 

ସେହିଦିନ ରାତିରେ ଜୋସୁ ନାମରେ ଏକ ଟେଲିଗ୍ରାମ୍‌ ପହଞ୍ଚିଲା । ଡକ୍ଟର ସାକାଇ ପିଅନଠାରୁ ସେଇଟା ନେଇ ଜୋସୁକୁ ଦେବା ପୂର୍ବରୁ ପଢ଼ିନେଲେ । ଜୋସୁ ଘଣ୍ଟି ଶୁଣିଲା, ପିଅନକୁ ଦେଖିଲା ଓ ନିଜର ଟେଲିଗ୍ରାମ୍‌ ବୋଲି ସନ୍ଦେହ କଲା । ବାପା ପ୍ରଥମେ ପଢ଼ିବାରେ ତା’ର ଆପତ୍ତି କରିବାର କିଛି ନ ଥିଲା । ସଅଳ ହେଉ ବା ଡେରିରେ ହେଉ, ସେ ତ ତାକୁ ଦେଖାଇଥାନ୍ତେ ।

 

ବାପା କିଛି ନ କହି ଟେଲିଗ୍ରାମ୍‌ଟିକୁ ତା ହାତକୁ ବଢ଼ାଇଦେଲେ; କିନ୍ତୁ ତାଙ୍କ ମୁହଁ ବେଶ ଉଜ୍ଜ୍ୱଳ ଦିଶୁଥିଲା ।

 

ଦୁଇ ଥର ଧୀରେ ଧୀରେ ପଢ଼ି ଆଲେନ୍‌ର ଉଦ୍ଦେଶ୍ୟ କଣ, କ’ଣ ଲେଖିଛି ସେ ବୁଝିନେଲା । ତା’ରି ଲାଗି ସେ ଘରକୁ ଯିବାକୁ ଆଦେଶ ପାଇଛି । ଜଣେ ଅଫିସର ହିସାବରେ ତା’ର ଚାହିଦା ଖୁବ୍‌ ବେଶି । ତାକୁ ଯିବାକୁ ହେବ । ସେ ଯେ ତାକୁ ବିଭା ହେବାକୁ ସ୍ଥିର କରିଚି, ଏଇ କଥା ଜଣାଇ ଦେବାକୁ ଚାହିଁଚି ।

 

କିନ୍ତୁ ଏସବୁ ହେବ କେମିତି ? ତା’ର ମନ ଚଞ୍ଚଳ, ବିଭିନ୍ନ ଘଟଣା ଭାବି ସେସବୁର ସମ୍ମୁଖୀନ ହେବାକୁ ଲାଗିଲା । ‘‘ଶୀଘ୍ର ଆମେ ବିଭା ହେବୁ’’ ସେ ବାପାଙ୍କୁ କହିଲା ।

 

‘‘ମୁଁ ମନା କରୁଚି, ସେ ଘରକୁ ଯାଉ, ସେ ଆସୁଚି କି ନାହିଁ ଆମେ ଅପେକ୍ଷା କରି ଦେଖିବା’’—ବାପା ବଡ଼ ପାଟିରେ କହିଲେ ।

 

‘‘ଆମେ ବିଭା ନ ହେଲେ, ମୁଁ ଯେ କୌଣସି ମତେ ତା ସହିତ ଚାଲିଯିବି,’’—ଜୋସୁ କହିଲା ।

 

‘‘ମୁଁ ତତେ ଘରେ ଚାବି ଦେଇଦେବି’’ ବାପାଙ୍କ ପାଟିରୁ ବାହାରି ପଡ଼ିଲା ।

 

ଖୁସିରେ ନ ହେଲେ ବି ଏ କଥା ଶୁଣି ସେ ହସିଲା । ତା’ ହସିବାର ଢଙ୍ଗରେ ବାପା ଖୁବ୍ ଆଘାତ ପାଇଲେ । ତା’ର ସୁନ୍ଦର ମୁହଁଟି କଦର୍ଯ୍ୟ ଭାବରେ ରୁକ୍ଷ ହୋଇଗଲା ।

 

ମୁହଁକୁ ତଳକୁ ଆନତ କରି ସେ ତାଙ୍କୁ ବିକ୍ରଭାବେ ଚାହିଁଲା । ‘‘ତୁମେ କଣ ଭାବିଚ ମୋତେ ତାଲା ଦେଇ ରଖିପାରିବ ? ସେ ସାରା ଘରଟା ଭାଙ୍ଗି ପକାଇବ । ଆମେରିକାନ୍‌ମାନେ କିପରି ଭାବରେ ବ୍ୟବହାର କରିପାରନ୍ତି, ତୁମେ କ’ଣ ଜାଣିନ ? ସେମାନଙ୍କ ସହିତ କ’ଣ ଜବାବସୁଆଲ କରାଯାଇପାରେ ? ସେମାନେ ଆମକୁ ଜୟ କରିଛନ୍ତି, ସେ କଥା ଭୁଲିଯାଅ ନାହିଁ ।’’

 

‘‘ତୋ ପ୍ରତି ମୋର ଆଉ କିଛି କହିବାର ନାହିଁ ।’’

 

‘‘ମୁଁ ତା ସହିତ ଚାଲିଯିବି ।’’

 

ମା ତା’ର ଏଇ ରାଗିବା ସ୍ୱର ଶୁଣି ଯେତେ ଶୀଘ୍ର ପାରନ୍ତି ଦୌଡ଼ି ଆସିଲେ । କରିଡରରେ ଉମି ତାଙ୍କୁ ଦେଖି ବୁଢ଼ା ଆଙ୍ଗୁଠିକୁ ଟାଣି ଧରିଲା । ‘‘ରାସ୍ତାରେ ଲୋକ ଅଛନ୍ତି’’—ସେ ଚାପା କଣ୍ଠରେ କହିଲା ।

 

‘‘ଜୋସୁ, ଜୋସୁ, ସେ ତୋ ବାପାଟି ! ଏତେ ବଦମାସୀ କର ନା’’ ଶ୍ରୀମତୀ ସାକାଇ ଚିତ୍କାର କଲେ । ସେ ମଝିକୁ ଦୌଡ଼ିଯାଇ ଗୋଟିଏ ହାତରେ ବାପାଙ୍କୁ ଓ ଗୋଟିଏ ହାତରେ ଝିଅକୁ ଠେଲିଦେଲେ ।

 

ତାଙ୍କୁ ଖାତିରି ନ କରି, ଦୁହେଁଯାକ ପରସ୍ପରକୁ କଟମଟ କରି ଚାହିଁଲେ ।

 

‘‘ବିଦେଶୀ ଲୋକଟିକୁ ପରୀକ୍ଷା କରିବାର ଏ ହେଉଚି ଏକ ଦୈବି ସୁଯୋଗ ।’’ ଡକ୍ଟର ସାକାଇ ରାଗରେ କହିଲେ, ‘‘କିନ୍ତୁ ଏ ନିର୍ଲ୍ଲଜୀ ଟୋକୀକୁ ଦେଖ ! ଯିବା ପୂର୍ବରୁ ଏହାକୁ ବିଭା ହବାକୁ ଚାହୁଁଚି, ଯେପରି କି ସେ ଏହାକୁ ଠକିଦେଇ ଯାଇପାରିବ ନି । ମତେ ଲାଗୁଚି, ସେ ପିଲାଟି ଭଲ, ଏଇ ସବୁ ବଦମାସୀର ମୂଳ । ଫାଟକ ପାଖରେ ନିଜକୁ ଦେଖାଇ ଠିଆ ହୋଇ, ତାକୁ ଲୁଚି ଦେଖୁଥିଲା । ମୋ ଝିଅ ପାଇଁ ମୋର କ୍ଷମାମାଗିବା ଉଚିତ୍‌ ।’’

 

ସେ ଛାତି ଆଡ଼କୁ ମୁହଁକରି ଦୁଇ ହାତକୁ ଲମ୍ବାଇଲେ । ଶ୍ରୀମତୀ ସାକାଇ ଜୋସୁ ଆଡ଼କୁ ବୁଲିପଡ଼ି କହିଲେ, ‘‘ତୁ ଶୀଘ୍ର ତାକୁ ବିଭା ହୋଇପାରିବୁ ନି । ସେଥିଲାଗି ସମୟ ଦରକାର-। ସେ ଘରୁ ଅନୁମତି ଆଣୁ ।’’

 

‘‘ମୁଁ ତା ସହିତ ଚାଲିଯିବି’’—ଜୋସୁ ଜିଦ୍‌ ଧରିଲା ।

 

ସେ ବାପା ଓ ମା ଦୁଇଜଣଙ୍କୁ ଚାହିଁଲା । ଦେଖିଲା, ସେମାନେ ତା ବିରୁଦ୍ଧରେ ଏକତ୍ରିତ ହୋଇଛନ୍ତି । ଏପରି ଦୃଶ୍ୟ ସେ ଆଗରୁ କେବେ ଦେଖି ନ ଥିଲା । ବିଶେଷ କରି କେନ୍‌ସାନ୍‌ ଇଟାଲୀରେ ମଲାପରେ ସେ ଏକମାତ୍ର ଜୀବିତ ସନ୍ତାନ ଭାବରେ ବାପାମାଆଙ୍କର ସ୍ନେହ–ସୋହାଗରେ ବଢ଼ିଥିଲା ।

 

‘‘ମୋ ଇଚ୍ଛା ମୁଁ ଯାହା କରିବି’’ ଜୋସୁ ଚିତ୍କାର କଲା । ତା ପରେ ସେ ବୁଲିପଡ଼ି ଘର ଭିତରେ ନିଜ ରୁମ୍‌କୁ ଦୌଡ଼ି ପଳାଇଗଲା ।

 

ଏକାକୀ ଠିଆହୋଇ ବାପା-ମା ପରସ୍ପରକୁ ଚାହିଁଲେ । ‘‘ଆମେ କଣ କରିବା ?’’ ଡକ୍ଟର ସାକାଇ ଅତି ବ୍ୟସ୍ତ ହୋଇ ପଚାରିଲେ ।

 

‘‘ସେ ଏତେ ଉଦ୍ଧତ ବୋଲି ମୋର ଧାରଣା ନ ଥିଲା ।’’ ଶ୍ରୀମତୀ ସାକାଇ ଦୁଃଖରେ କହିଲେ ।

 

‘‘ମନେରଖ, ସେ ଆମେରିକାରେ ବଢ଼ିଚି । ଏବେ ସେ ବଦଳି ପାରିବ ନି ।’’

 

‘‘ମୁଁ ମନ୍ଦିରକୁ ଯାଇ, ବୌଦ୍ଧ ମନ୍ତ୍ରୀ ହୋସୁ କଣ କହିବେ—ବୁଝି ଆସିବି ।’’ ଅବ୍ୟକ୍ତ ଏକ ଦୁଃଖରେ କୁହୁଳି କୁହୁଳି ଡକ୍ଟର ସାକାଇ ଉତ୍ତର ଦେଲେ । ‘‘ତାକୁ ବିଭାକରି ଦେବାକୁ ହେବ ।’’

 

ଦରଜାର ପିତଳ ଘଣ୍ଟାକୁ ଆଲେନ୍‌ କେନେଡ଼ି ହଲାଇଲା । ଆଗକୁ କଣ ଘଟିବ ସେ ବିଷୟରେ ତା’ ମନରେ ଆଶଙ୍କା ଜମାଟ ବାନ୍ଧିଥିଲା । କିନ୍ତୁ ସେ ଦୃଢ଼ପ୍ରତିଜ୍ଞ, ଯଦି ଡକ୍ଟର ସାକାଇ ତାକୁ ଘରେ ପୁରାଇ ନ ଦେବେ, ତେବେ ସେ ନିଜର ଦାବୀ ବାଢ଼ିବ । ଜୋସୁ କେବଳ ଯଦି ଏତେ ଛୋଟ ହୋଇ ନ ଥାନ୍ତା ! କିନ୍ତୁ କୋଡ଼ିଏ ବର୍ଷର ଝିଅ ନିଜ ମନକଥା ନିଜେ ବୁଝିବାକୁ ସମର୍ଥ ହେଲାଣି—ଏହି ଡକ୍ଟର ସାକାଇଙ୍କୁ ବୁଝାଇ ଦେବା କଷ୍ଟକର । ତଥାପି ଜୋସୁରୁ ଇଚ୍ଛା, ଶକ୍ତି, ଦୃଢ଼ତା, ଧୈର୍ଯ୍ୟ ଓ ବଳ ଜାଣିବା ଦରକାର । ଜୋସୁର ସୁନ୍ଦର ମୁଖଭଙ୍ଗୀ ତଳେ ରାଗ ଛପି ରହିଚି । ଅନେକ ସମୟରେ ତା’ ଜୀବନ ପଥରେ ଅନ୍ୟ ଲୋକମାନେ ଯେଉଁ ଅସୁବିଧା ସୃଷ୍ଟି କରନ୍ତି, ତା ବଡ଼ ଅସହ୍ୟ । ସେ କେବଳ ରାଗିଗଲେ ସେ ସବୁକୁ ଘଞ୍ଚାଇଦିଏ, ଠିକ୍‌ ଏଇଲେ ଯେମିତି ରାଗିଚି । କଲୋନେଲ ଡକ୍ଟର ସାକାଇ, ଏ ଦୁଇଜଣ କିଶିଲେ ମଧ୍ୟ ତା’ର ପ୍ରତିଜ୍ଞାରୁ ତାକୁ ଟଳାଇ ପାରିବେ ନି ।

 

ତେଣୁ ଦରଜା ପାଖରେ ସେ ଅପେକ୍ଷା କରି ଠିଆହେଲା । ମୁହୂର୍ତ୍ତକ ଭିତରେ ଦରଜା ଖୋଲିଗଲା ଓ ଚାକରାଣୀ ଉମି ଆସି କଣ ପଚାରି ବସିଲା । ସେ ଯେଉଁ କେତୋଟି ଜାପାନୀ ଶବ୍ଦ କହିଲା, ତାହାର ଅର୍ଥ ହେଉଚି ଆଲେନ୍‌ ଭିତରକୁ ନିମନ୍ତ୍ରିତ ହୋଇଛି । ଆଲେନ୍‌ ତେଣୁ ଭିତରକୁ ଯିବାକୁ ଉଦ୍ୟତ ହେଲା । ଉମି ବିରକ୍ତ ହେଲା ନାହିଁ; ବରଂ ନଇଁପଡ଼ି ଆଗନ୍ତୁକଙ୍କୁ ଅଭିବାଦନ କଲା ଓ ଆଗେ ଆଗେ ଭିତରକୁ ଗଲା । ଆଲେନ୍‌ ନିଃସଙ୍କୋଚରେ ତା’ର ଅନୁଗମନ କଲା । ଆଲେନ୍‌ ଏ ଆକସ୍ମିକ ପରିବର୍ତ୍ତନରେ ଆଶ୍ଚର୍ଯ୍ୟ ହେଲା । ଘରସାରା ନୀରବତା ରାଜୁତି କରୁଥିଲା । ଗୋଟିଏ ପଦପାତ ବା କଣ୍ଠଧ୍ୱନି ସେ ଶୁଣିପାରିଲା ନାହିଁ । ଏ କଣ ଯନ୍ତାଟାଏ ? ଅତି ଅଦ୍ଭୁତ ହେଲେ ବି ଏ ଧାରଣା ତା’ ମନକୁ କିପରି ଆନ୍ଦୋଳିତ କରିବାକୁ ଲାଗିଲା । ସେଇଟା ଯନ୍ତା ନୁହେଁ । ତାକୁ ଗୋଟିଏ ସୁନ୍ଦର ଓ ସୁସଜ୍ଜିତ । ବଗିଚା ଓ ପ୍ରପାତ ଦେଖିବା ନିମନ୍ତେ ଠାଏ ଠାଏ କାନ୍ଥରେ ରନ୍ଧ୍ର ଥିଲା । ସେଠାରୁ ଦୂର ଓ ନିକଟର ଦୃଶ୍ୟ ବେଶ ଉପଭୋଗ୍ୟ । ପର୍ବତ ପରି ଦିଶୁଥିବା ଗୋଟିଏ ଛୋଟ ପାହାଡ଼କଡ଼ରେ ସ୍ତର ସ୍ତର ହୋଇ ପାଣି ଧାର ଝରି ପଡୁଛି । ବଗିଚାର ପାଚେରୀରେ ଥିବା ବେଞ୍ଚ ସାମ୍ନାରେ ଶରତଋତୁର ଝରା ପତ୍ର ଜମା ହୋଇଛି, ସେଇଠି ଡକ୍ଟର ଓ ଶ୍ରୀମତୀ ସାକାଇ ବାମ ପାଖରେ । ସେ ପ୍ରବେଶ କଲାକ୍ଷଣି ସେମାନେ ଠିଆ ହେଲେ । ଦୁଇଜଣଙ୍କର ସାଧାରଣ ଜାପାନୀ ପୋଷାକ ଓ ପାଦରେ ଧଳାଯୋତା । ଶ୍ରୀମତୀ ସାକାଇଙ୍କ ଗାଢ଼ ପାଟଲରଙ୍ଗ କ୍ରେପସିଲ୍‌କ ଉପରେ ଇଉଷ୍ଟେରିଆ ଫୁଲପେନ୍ଥାର ଏମ୍ବ୍ରୟୋଡାରୀ ବେଶ୍‌ ରୁଚିକର । ଡକ୍ଟର ସାକାଇଙ୍କ ପୋଷାକ କଳାରଙ୍ଗର ଓ ତା’ଉପରେ ଛୋଟ କୋଟଟିଏ ସେ ପିନ୍ଧିଚନ୍ତି । ପୋଷାକ-ପରିଚ୍ଛଦ ଅତି ସାଧାରଣ ! କିନ୍ତୁ କାହିଁକି ?

 

‘‘ଦୟାକରି ବସିଯାଅ’’ ଡକ୍ଟର ସାକାଇ ଶୁଦ୍ଧ ଇଂରାଜୀରେ କହିଲେ । ‘‘ତୁମକୁ ବୋଧହୁଏ ପାଶ୍ଚାତ୍ୟ ଢାଞ୍ଚାର ଚେୟାର ଭଲ ଲାଗିବ ।’’

 

‘‘ମୁଁ ଜାପାନୀ କାଇଦା ସହିତ ପୂରା ଅଭ୍ୟସ୍ତ ହୋଇଗଲିଣି—’’ଆଲେନ୍‌ ଉତ୍ତର ଦେଲା ଓ ସେମାନଙ୍କୁ ଅଭିବାଦନ ଜଣାଇଲା ।

 

ଅସଜ ଲାଗୁଥିଲେ ବି ଯତ୍ନ ସହକାରେ ଲମ୍ବା ଗୋଡ଼ ଦୁଇଟା ଭାଙ୍ଗି ଚଟାଣର ମସିଣା ଉପରେ ବସିଲା, କିନ୍ତୁ ଜୋସୁ କାହିଁ ? ସେ ଅପେକ୍ଷା କରୁଥିଲା । ଯଦି ତାକୁ ଅନ୍ୟ କେଉଁଆଡ଼େ ପଠାଇ ଦେଇଥିବେ, ତେବେ ସେ ତା’ର ଅନୁସରଣ କରିବ ।

 

ସେ ଗ୍ରହଣୀୟ ନୁହେଁ, ଏଇ କଥା ତାକୁ ଜଣାଇବାକୁ ଯେ ବୋଧହୁଏ ଏ ପ୍ରହସନ ସୃଷ୍ଟି ହୋଇଚି; ଏହା ନିଃସନ୍ଦେହ ।

 

ଡକ୍ଟର ସାକାଇ ଯେତେବେଳେ ନ ରାଗି ସହଜ ଭାବରେ କଥା କହିବାକୁ ଆରମ୍ଭ କଲେ, ଆଲେନ୍‌ ଆଶ୍ଚର୍ଯ୍ୟ ହେଲା । ‘‘ମୁଁ ଆମେରିକାରେ ଅନେକ ବର୍ଷ ରହିଥିଲି ମିଃ କେନେଡ଼ି ! ମୁଁ ଜାଣେ ଆମେରିକାନ୍‌ମାନେ ସ୍ପଷ୍ଟ କଥାକୁ ଭଲପାଆନ୍ତି । ଚାଲ ସ୍ପଷ୍ଟ କଥାବାର୍ତ୍ତା କରିବା ।’’

 

‘‘ନିଶ୍ଚୟ’’ ଆଲେନ୍‌ ସମ୍ମତି ଜଣାଇଲା ।

 

‘‘ମୋ ଝିଅ ସହିତ କଥାବାର୍ତ୍ତା କରି ମୁଁ ସ୍ଥିର ସନ୍ଧାନ୍ତ କରିଚି ଯେ ଏଇ ଦୁର୍ଭାଗ୍ୟଜନକ ପରିସ୍ଥିତି ପାଇଁ ସେହ କେବଳ ଦାୟୀ ।’’ ଡକ୍ଟର ସାକାଇ କହି ଚାଲିଲେ ।

 

‘‘ଆମ ପରିବାରକୁ ଇଏ ବଡ଼ ଅପମାନର କଥା, କାରଣ ମୋର ସବୁଠୁଁ ପ୍ରିୟବନ୍ଧୁର ପୁତ୍ର ସହିତ ତାର ନିର୍ବନ୍ଧ ହୋଇଥିଲା । ମୁଁ ପୁଣି ବନ୍ଧୁତ୍ୱ ଫେରିପାଇବା ଲାଗି ଭାରି ଚିନ୍ତିତ ହୋଇପଡ଼ିଛି । ବର୍ତ୍ତମାନ, ତୁମର ଜରୁରୀ ଟେଲିଗ୍ରାମ ପାଇ, ମୋ ଝିଅ ପାଇଁ କ’ଣ କରିପାରିବ ତାହା ଦେଖିବାକୁ ମୁଁ ବାଧ୍ୟ ହେଉଚି । ତୁମର ଉଦ୍ଦେଶ୍ୟ କଣ ମିଃ କେନେଡ଼ି ?’’

 

ଡକ୍ଟର ସାକାଇ ମୁହାଁମୁହିଁ ଏ ପ୍ରଶ୍ନ ପଚାରି ଦେଲେ । ଆଲେନ୍‌ ସହଜ ଭାବରେ ଏହାର ସାମ୍ନାକଲା । ‘‘ମୁଁ ଘରକୁ ଫେରିବା ପୂର୍ବରୁ ତା’କୁ ବିଭା ହେବାକୁ ଚାହେଁ ! ଡକ୍ଟର ସାକାଇ ତା’ମାନେ, ଆଜି ବା କାଲି ଭିତରେ ।’’

 

‘‘ଏହା କିପରି ହୋଇପାରିବ ? ତୁମେ ଆବଶ୍ୟକୀୟ ଅନୁମତି ଆଗ ପାଇବା ଦରକାର-।’’ ଡକ୍ଟର ସାକାଇ ପଚାରିଲେ ।

 

‘‘ମୁଁ ତା ଜାଣେ ସାର୍‌, କିନ୍ତୁ ବିଭିନ୍ନ ଦେଶରେ ଏହି ନୀତିଗତ ବିବାହ ପାଇଁ ଅନେକ ପନ୍ଥା ରହିଚି । ମୋର ମନେ ଅଛି, ଫର୍ମୋଜାରେ ମୋର ଜଣେ ବନ୍ଧୁ ଜଣେ ଜାପାନୀ ଯୁବତୀବୁ ବିଭା ହେବାକୁ ଚାହିଁଲେ । ଜାପାନୀ ନିୟମ ଅନୁସାରେ ସେ ବିଭା ହେଲେ ଏବଂ ମାତ୍ର ବର୍ଷକ ପରେ ସେ ଫ୍ରାନ୍‌ସରେ ନୀତିଗତ ବିବାହ ଶେଷ କଲେ । ବିବାହ ଉତ୍ସବଟିକୁ ସମସ୍ତେ ମାନି ନେଇଥିଲେ ତ ! ସେମିତି କିଛି କରିବାକୁ ମୁଁ ଭାବୁଚି, ସାର୍‌ !’’

 

ତା’ର ସାଧୁତା, ସରଳତା, ସର୍ବୋପରି ତା’ର ଭଦ୍ରତା ଓ ସୁନ୍ଦର ଇଂରାଜୀ କହିବାର ଭଙ୍ଗୀ ଡକ୍ଟର ସାକାଇଙ୍କୁ କେମିତି ବିବ୍ରତ କଲା । ଜାପାନରେ ଏପରି ଆମେରିକାନ୍‌ ସେ ଦେଖିନାହାନ୍ତି । ରାସ୍ତାରେ ଯାଉଥିବା ଯେଉଁ ସୈନ୍ୟମାନଙ୍କୁ ସେ ଘୃଣା କରନ୍ତି ଓ କୌଣସି ଉପହାର ସେମାନଙ୍କଠୁ ଗ୍ରହଣ କରନ୍ତି ନାହିଁ, ଏ ଯୁବକଟି ଯେପରି ସେମାନଙ୍କଠାରୁ ବହୁତ ଭିନ୍ନ ।

 

‘‘ତଥାପି ଏହା ଠିକ ନୁହେଁ’’ ସେ ସନ୍ଦେହ କରି କହିଲେ । ‘‘ଆଜିକାଲି କିଛିଟାହିଁ ଠିକ୍‌ ନୁହେଁ । ଦେଶ ଦେଶ ମଧ୍ୟରେ ପ୍ରଥାଗୁଡ଼ିକ ଅତି ମାତ୍ରାରେ ବଦଳି ଗଲାଣି ।’’ ଆଲେନ୍‌ କହିଲା ।

 

ସେ ଆଗକୁ ଝୁଙ୍କିପଡ଼ି ଡକ୍ଟର ସାକାଇଙ୍କୁ ପ୍ରବର୍ତ୍ତାଇବାକୁ ଚାହିଁଲା । ‘‘ସାର୍‌, ମୁଁ ଆପଣଙ୍କ ଝିଅକୁ ଭଲପାଏ ଓ ବିବାହ କରିବାକୁ ଚାହେଁ । ମୁଁ ତାକୁ ଘରକୁ ନେଇ ବାପା, ମାଙ୍କୁ ଭେଟିବାକୁ ଚାହେଁ । ବର୍ତ୍ତମାନ ତାକୁ ସାଙ୍ଗରେ ନେବାକୁ ମୋତେ ବାରଣ କରାଯାଇଚି । ତେଣୁ ମୁଁ ତାକୁ ଆମେରିକା ନେବାଯାଏ ଏଠାରେ ଛାଡ଼ିଯିବାକୁ ବାଧ୍ୟ ହେବି । ଆମେ ଜାପାନରେ ରହିବାକୁ ଆଉ ଫେରି ଆସିବୁ ନି ବୋଲି ମୁଁ ସ୍ଥିର କରିଚି । ଅବଶ୍ୟ ମୁଁ ଏକଥା କାହାରିକୁ କହି ନି । ଟୋକିଓରେ ନ ରହି ଓ୍ୟାଶିଂଟନକୁ ବଦଳି ହୋଇଯିବାକୁ ମୁଁ ଚେଷ୍ଟା କରିବି । ଆପଣଙ୍କ ଝିଅ ସହିତ ସ୍ୱାଧୀନ ଭାବେ ଜୀବନ ବିତାଇବାକୁ ମୁଁ ଚାହେଁ । ମୁଁ ଭାବୁଚି, ଏଠା ଅପେକ୍ଷା ମୋ ଦେଶରେ ଆମେ ଭଲ ଭାବରେ ଚଳିପାରିବୁ । ମୁଁ ଆଶା କରିଚି—ଆପଣ ଓ ମିସେସ୍‌ ସାକାଇ ଆମ ପାଖକୁ ବୁଲିଯିବେ ଓ ଆମେ ଆପଣଙ୍କ ପାଖକୁ ବୁଲିଆସିବୁ; କିନ୍ତୁ ମୁଁ ତାକୁ ଛାଡ଼ିଯିବା ପୂର୍ବରୁ ଜୋସୁ ସହିତ ମୋର ବିବାହ ସରିଯିବା ଉଚିତ ସାର୍‌ ! ଏଥିରେ ସମସ୍ତଙ୍କର ସୁବିଧା ହେବ । ଅଧିକନ୍ତୁ ସେ ମୋ ପାଖକୁ ଯିବାରେ ଆଉ କିଛି ଅସୁବିଧା ରହିବ ନାହିଁ ।’’

 

ଡକ୍ଟର ସାକାଇ ଉତ୍ତରଦେବା ପୂର୍ବରୁ ଜୋସୁ ପରଦା ଟାଣି ସେଇ ମୁହୂର୍ତ୍ତରେ ଘରକୁ ପଶି ଆସିଲା । ପର୍ଦ୍ଦାଟି ଚଟାଣ ଉପରେ ପଡ଼ିଗଲା ଓ ଅଧୈର୍ଯ୍ୟ ହୋଇ ଘରେ ପଶି ସେ ବାପା ମାଙ୍କର ସାମ୍ନା କଲା ।

 

‘‘ବାପା ଓ ମା—ଆଲେନ୍‌ ଯାହା କହିଲେ ସେଥିରେ ମୁଁ ଏକମତ’’ ଜୋସୁ ସେଠି ଠିଆ ହୋଇଚି—ତା ଦେହରେ ରୌପ୍ୟ—ଶୁଭ୍ର କିମୋନୋ ଚିକ୍‌ ଚିକ୍ କରୁଚି—ବାହୁ ଯୋଡ଼ିକ ଝୁଲିପଡ଼ିଚି—ସତେକି ଯୋଡ଼ିଏ ଡେଣା । ସେ ଏକ ସୁନ୍ଦର ଚିତ୍ରିତ ଚଢ଼େଇ ପରି ଦିଶୁଚି—ମୁଣ୍ଡ ଟେକିଚି ଉପରକୁ, ଗାଲ ଦୁଇଟି ନାଲି ଦିଶୁଚି ଓ ଆଖି ଦିଶୁଚି ଗଭୀର କଳା ଓ ଅର୍ଥଭରା । ଏପରି ସୌନ୍ଦର୍ଯ୍ୟ ଆଲେନ୍‌ କେବେ ଦେଖି ନ ଥିଲା । ସେ ଠିଆହୋଇ ପଡ଼ି ଖୁସି ହୋଇ ତାକୁ ଚାହିଁରହିଲା ।

 

ବର୍ତ୍ତମାନ ଜୋସୁ ତା ଆଡ଼କୁ ବୁଲିପଡ଼ିଲା—ତାକୁ ହାତ ବଢ଼ାଇଲା ଓ ସେ ତା ପାଖକୁ ଯାଇ ହାତକୁ ମୁଠାଇ ଧରିଲା । ଅଳ୍ପ ସମୟପରେ...ଟିକିଏ କୁଣ୍ଠିତ ହେବାପରେ ସେ ଦେଖିଲା, ଜୋସୁର ଆଖିରେ ଆତ୍ମସମର୍ପଣର ନିଶା ଜଳି ଉଠିଛି, ସେ ତାକୁ ବାହୁ ପାଶରେ ଆବଦ୍ଧ କଲା । ତାଙ୍କ ପଛରେ ବାପ-ମା ନିଶ୍ଚଳ ହୋଇ ବସିରହିଲେ । ଶ୍ରୀମତୀ ସାକାଇ ମୁହଁ ବୁଲାଇଲେ; କିନ୍ତୁ ଡକ୍ଟର ସାକାଇ ନିଶ୍ଚଳ ହୋଇ ତାଙ୍କୁ ଚାହିଁରହିଲେ ।

 

ଜୋସୁ ତା’ର ପ୍ରେମିକର ବାହୁବନ୍ଧନ ମଧ୍ୟରେ ଥାଇ ବୁଲି ପଡ଼ିଲା । ‘‘ବାପା ଓ ମା—ଆମେ ପ୍ରସ୍ତୁତ ।’’ ବାପା, ମା ଠିଆ ହେଲେ । ଡକ୍ଟର ସାକାଇ ପାଟି ଖୋଲିଲେ ।

 

‘‘ମି: କେନେଡ଼ି ! ଏ କଥା ଜଳ ଜଳ ଦିଶୁଥିଲା । ଆମେମାନେ ବୌଦ୍ଧ । ବୌଦ୍ଧ ମନ୍ଦିରରେ ଆମେ ଆବଶ୍ୟକୀୟ ଆୟୋଜନ କରିଚୁ । ତୁମେ ଜାଣ, ଏ ସବୁ କିଛି ଠିକ୍‌ ନୁହେଁ, କିଛି ଗତାନୁଗତିକତା ଏଥିରେ ନାହିଁ । ବିଦେଶୀ ବିଜୟର ଅଦ୍ଭୁତ ପ୍ରତିଘାତ ବୌଦ୍ଧମନ୍ତ୍ରୀ ହୋସୁ ସର୍ବଦା ଆଶଙ୍କା କରୁଛନ୍ତି । ଆମମାନଙ୍କର ଉତ୍ସବ ସେ ଚଳାଇ ନେବେ । ତୁମ ଦେଶରେ ଉତ୍ସବ ବିଷୟରେ ତୁମ କଥାକୁ ଆମେ ବିଶ୍ୱାସ କରୁଚୁ ।’’

 

ସେ ମୁଣ୍ଡ ତଳକୁ ନୁଆଁଇଲେ । ଆଲେନ୍‌ର ଉତ୍ତରକୁ ଅପେକ୍ଷା ନ କରି ସେ ଅଗ୍ରସର ହେବାକୁ ଲାଗିଲେ । ଶ୍ରୀମତୀ ସାକାଇ ତାଙ୍କ ପଛେ ପଛେ ଗଲେ । ଆଲେନ୍‌କୁ ଅତିକ୍ରମ କଲାବେଳେ ତାକୁ ଚାହିଁଲେ ବି ନାହିଁ ।

 

ଜୋସୁ ଆଲେନ୍‌ ପଛରେ ଥାଇ ବାପା-ମାଆଙ୍କ ଯିବା ବାଟକୁ ଚାହିଁ ଠିଆହୋଇ ରହିଲା-। ତା’ପରେ ସେ ଆଲେନ୍‌ ଆଡ଼କୁ ବୁଲି ପଡ଼ିଲା । ଆଲେନ୍‌ ଦେଖିଲା, ତା’ ଆଖିରେ ଲୁହ ଛଳ ଛଳ ହେଉଛି । ‘‘ତୁମେ ସେମାନଙ୍କ କଥା ଧରିବ ନାହିଁ’’ ଜୋସୁ ଯୁକ୍ତି କଲା । ‘‘ଏହା ତାଙ୍କ ପାଇଁ ଅତି କଷ୍ଟକର, ତୁମେ କଳ୍ପନା କରିପାରିବ ନି । ତାଙ୍କର ଆଉ ସନ୍ତାନ ନାହିଁ । ମୋର ଭାବି ପତି ତାଙ୍କର ପୁଅ ପରି ଏ ଘରେ ଚଳିଥାନ୍ତା—ଏ କଥା ସେମାନେ ଚାହୁଁଥିଲେ ।’’

 

‘‘ମୁଁ କ’ଣ ସେମିତି ପୁଅ ହୋଇ ପାରିବି ନି ?’’ ସେ ପଚାରିଲେ । ଜୋସୁ ମୁଣ୍ଡ ହଲାଇଲା । ‘‘ସେମାନେ ତୁମକୁ ଗ୍ରହଣ କରିପାରୁ ନାହାନ୍ତି—ଅନ୍ତତଃ ବର୍ତ୍ତମାନ ପର୍ଯ୍ୟନ୍ତ ନୁହେଁ’’ ସାଧାରଣ ଭାବେ ସେ କହିଲା ।

 

ମୁହୂର୍ତ୍ତକ ପାଇଁ ତା’ର ଛାତି ଉପରେ ଜୋସୁ ମୁଣ୍ଡ ରଖିଲା ଓ କପାଳ ପାଖରେ ତା’ର ଛାତିର ସ୍ପନ୍ଦନ ଅନୁଭବ କଲା । ତାହାହେଲେ...ଏଇ ହୃଦୟକୁ ସେ ନିଶ୍ଚୟ ବିଶ୍ୱାସ କରିପାରିବ ।

 

‘‘ବୋଧହୁଏ ସେମାନେ ଏଣିକି ଗ୍ରହଣ କରିବାକୁ ଚେଷ୍ଟା କରିବେ’’ ସେ କହିଲା । ଜୋସୁର କଜଳ କଳା ମୁଣ୍ଡଟିକୁ ଦୁଇ ହାତରେ ଚିପିଧରି ସେ ନିଜ ଛାତିରେ ଆଶ୍ଳେଷ ଦେଲା ।

 

ବର୍ତ୍ତମାନ ପର୍ଯ୍ୟନ୍ତ ଜନ୍ମ ନ ପାଇଥିବା ଆତ୍ମା ବିଷୟରେ କିଏ କ’ଣ ଜାଣିପାରିବ ? ନିର୍ମଳ ସୁଗନ୍ଧି ବିଞ୍ଚି ଏ ହୁଏତ ଇଉଷ୍ଟୋରିଆ ବୁଦାକୁ ହଲାଇବ । ପାଇନ୍‌ଗଛ ତଳେ, ବସନ୍ତଋତୁରେ ପ୍ରଥମ ଜୁଳୁଜୁଳିଆ ପୋକର ଜ୍ୟୋତି ଧରି ଏ ହୁଏ ତ ଉଦ୍‌ଭାସିତ ହେବ । ଦୂରବର୍ତ୍ତୀ ଦୁଇଟି ବେଦନାର୍ଦ୍ର ହୃଦୟରେ ଏଇ ଆତ୍ମା ରୂପରେଖ ନିଏ । ଶେଷ ଚୁମ୍ବନରେ ଏ ନିକଟେଇ ଆସେ ଓ ଈଶ୍ୱରଙ୍କର ଅନୁମତିକୁ ଅପେକ୍ଷା ରଖେ । ଏହି ରହସ୍ୟ ମଧ୍ୟରେ ପୃଥିବୀର ସନ୍ତାନ ଜନ୍ମନେବାକୁ ଅପେକ୍ଷା କରିଥାଏ ।

 

ବୌଦ୍ଧ ମନ୍ଦିରର ଶହ ବର୍ଷ ଧରି ରହିଥିବା ସେଇ ଛାତ ତଳେ ଅଳ୍ପ କେତେକ ବିବାହ ଯାତ୍ରୀ ଠିଆ ହୋଇଥିଲେ । ଉମି ଓ ମାଳି ଥିଲେ ସାକ୍ଷୀ । ସେ ଦୁହେଁ ଶାନ୍ତ ଓ ନିରୁଦ୍‌ବିଗ୍ନ ଭାବରେ ସାନ୍ତାଣୀଙ୍କ ପଛରେ ଠିଆ ହୋଇଥିଲେ । ହୋସୁ ପ୍ରେମକ, ପ୍ରେମିକାଙ୍କ ସମ୍ମୁଖକୁ ଆସିଲେ ଓ ଅଧସ୍ତନ ଦୁଇଜଣ ପୁରୋହିତ ବାମ ଓ ଡାହାଣ ପାଖରେ ଠିଆ ହୋଇ ରହିଲେ । ସେ ଦୁହେଁ ସରଳ ମନରେ ଏ ବିବାହକୁ ଅନୁମୋଦନ କରି ପାରୁ ନ ଥିଲେ । କିନ୍ତୁ ଡକ୍ଟର ସାକାଇ ସମସ୍ତ ପରିସ୍ଥିତି ବିଷୟରେ ସୂଚାଇ ତାଙ୍କୁ ବାଧ୍ୟ କଲେ । ‘‘ଯଦି ଆମ ଧର୍ମକୁ ବଞ୍ଚାଇ ରଖିବାର ଇଚ୍ଛା ଥାଏ, ତେବେ ଏହାକୁ ପରିସ୍ଥିତି ସହିତ ଖାପ୍‌ ଖୁଆଇ ଚଳାଇ ନେବା ଉଚିତ ।’’ ସେ ଜିଦ୍‌ କରି କହିଲେ । ହୋସୁ ଏଥର ସନ୍ଦେହୀ ଦୃଷ୍ଟିରେ ଚାହିଁଲେ । ସେ ଜଣେ ଜ୍ଞାନୀ ନୈଷ୍ଠିକ ବୁଦ୍ଧ ଥିଲେ । ଖ୍ରୀଷ୍ଟଧର୍ମକୁ ଥଟ୍ଟା କରି ବୌଦ୍ଧଆଚାରକୁ ପସନ୍ଦ କରୁଥିବା ନକଲି ଖ୍ରୀଷ୍ଟିଆନମାନଙ୍କୁ ସେ ପସନ୍ଦ କରୁ ନ ଥିଲେ-। ଯୁବକମାନଙ୍କର ବୌଦ୍ଧସମିତିକୁ ବି ସେ ତାରିଫ୍‌ କରୁ ନ ଥିଲେ । ଏଇ ଉପାୟରେ ଈଶ୍ୱର ସେବା କରାଯାଏ ନାହିଁ ବୋଲି ତାଙ୍କର ଦୃଢ଼ ମତ ଥିଲା ।

 

‘‘ମୁଁ କିପରି କଷ୍ଟ ପାଉଛି—ତୁମେ ଭାବି ପାରିବ ନି ।’’ ଡକ୍ଟର ସାକାଇ କରୁଣ ଭାବରେ କହିଲେ । ‘‘ଝିଅଟିକୁ ହରାଇବି ବା କୌଣସି ଉପାୟରେ ଏହି ବିବାହଟି କରାଇ ଦେବି—ଏହି ଦୁଇଟି କଥାରୁ ଗୋଟିଏ କଥା ମୋର ପସନ୍ଦ କରିବା ଉଚିତ ।’’

 

‘‘ତୁମେ ତାକୁ ଅତ୍ୟଧିକ ସ୍ୱାଧୀନତା ଦେଇଛି ।’’ ହୋସୁ ମତ ଦେଲେ ।

 

‘‘ମୋର ଅତୀତର ସମସ୍ତ ଭୁଲ ବର୍ତ୍ତମାନକୁ ବଦଳାଇ ପାରିବି ନି ।’’ ଡକ୍ଟର ସାକାଇ ବୁଝିପାରି ପ୍ରତିବାଦ କଲେ ।

 

ସାକାଇଙ୍କର ନିଜର ନୈତିକତାପୂର୍ଣ୍ଣ ସାନ୍ତ୍ୱନାବାଣୀ ଓ ବଢ଼ି ଉଠୁଥିବା ଧୈର୍ଯ୍ୟହୀନତା ଏକତ୍ର ହୋଇ ବୌଦ୍ଧମନ୍ଦିରର ମନ୍ତ୍ରୀଙ୍କୁ ବୁଝିବାକୁ ବାଧ୍ୟ କଲା ଯେ ସେ ଏହି ଗୋଟିଏ ଘଟଣାରେ ନିଜକୁ ଟିକେ ପରିବର୍ତ୍ତନ କରାଇବା ଉଚିତ ହେବ । ତେଣୁ ତାଙ୍କୁ ଅପେକ୍ଷା ରଖୁଥିବା ଏହି ଉତ୍ସବଟିକୁ କୌଣସି ମତେ ସମାପ୍ତ କରିବାକୁ ସେ ସମ୍ମତି ଦେଇଥିଲେ । ଗର୍ବର ସହିତ ସେ ମନ୍ଦିରର ହଲ୍‌କୁ ପ୍ରବେଶ କଲେ ଓ ଉପରେ ଥିବା ବଡ଼ ଘଣ୍ଟାକୁ ବଜାଇ ଶବ୍ଦ ଛାତରେ ମିଳାଇ ଯିବାଯାଏ ଅପେକ୍ଷା କଲେ । ତା’ପରେ ବେଦୀ ପାଖକୁ ଆସି ଦମ୍ପତି ତଥା ତାଙ୍କ ପିତାମାତା ଓ ସାକ୍ଷୀମାନେ ପହଞ୍ଚିବାଯାଏ ଠିଆ ହୋଇ ରହିଲେ । ପୁରୋହିତ ଦୁହେଁ ପୋଷାକ ପିନ୍ଧି ଅଧିକ ଡେଙ୍ଗା ଦେଖାଯାଉଥିଲେ । ଆମେରିକାନ୍‌ଟି ଯେମିତି କଳାପୋଷାକ ପିନ୍ଧିବା କତା ପିନ୍ଧି ନ ଥିଲା; କିନ୍ତୁ ଡକ୍ଟର ସାକାଇ କହିଲେ—ଏବେ ବିଜୟର ସମୟ, ଯେତେକ ଅଦ୍‌ଭୁତ କଥା ସବୁ ଗ୍ରହଣ କରାଯିବ । ଯା ହେଉ, ଜୋସୁ କିନ୍ତୁ ଧଳା କିମୋନୋ ପିନ୍ଧିଥିଲା ।

 

ତାଙ୍କ ସାମ୍ନାରେ ଠିଆ ହୋଇଥିବା ଆମେରିକାନ୍‌ ଯୁବକକୁ ସେ ନିରେଖି ଚାହିଁଲେ ଓ ତା’ର ଧଳା ଆଖିକୁ ଅପସନ୍ଦ କଲେ । ଯୁବତୀଟି ଆଡ଼କୁ ସେ ଚାହିଁଲେ ନାହିଁ । ତା’ପରେ ପରିଷ୍କାର ଉଚ୍ଚସ୍ୱରରେ ସ୍ୱତଃପ୍ରବୃତ୍ତ ହୋଇ ବିବାହ ଉତ୍ସବର ମନ୍ତ୍ରଗାନ କଲେ ।

 

‘‘ଏହି ଦମ୍ପତିକୁ ଏକ ପବିତ୍ର ବୈବାହିକ ସୂତ୍ରରେ ଆବଦ୍ଧ କରିବାକୁ ଆମେ ସମସ୍ତେ ଏହି ନିଷ୍କାମ ବୁଦ୍ଧଙ୍କ ସମ୍ମୁଖରେ ଏକତ୍ରିତ ହୋଇଛୁ । ବିବାହ ହେଉଛି ପବିତ୍ର ଜୀବନର ଉତ୍ସ, ଯେଉଁଠାରେ ପରବର୍ତ୍ତୀ ପୁରୁଷମାନେ ଜନ୍ମ ନିଅନ୍ତି ଓ ଯେଉଁଠାରେ ଆଗାମୀ ପୁରୁଷ ପାଇଁ ନୀତିପୁତ ମୌଳିକ ତଥ୍ୟ ମିଳେ । କାରଣ ବିନାକାର୍ଯ୍ୟ ଘଟେ ନାହିଁ । ତେଣୁ ଜାଣିରଖ ଯେ ଦୁଇଜଣଙ୍କର ଏଇ ପବିତ୍ର ମିଳନ, ଆଜୀବନ ଅବିଚ୍ଛିନ୍ନ ରହିବ । ଏହା ଅକସ୍ମାତ ଘଟିନାହିଁ । ପ୍ରକୃତରେ ଏହା ଅନେକ ପୂର୍ବଜନ୍ମର ପୂର୍ବକଳ୍ପିତ ପରିସ୍ଥିତିର ଓ ବୁଦ୍ଧଙ୍କର ଆଶିଷଭରା ଉପଦେଶର ଫଳ । ସେ ହଠାତ୍‌ ସ୍ୱର କମାଇ ଗୁଣୁ ଗୁଣୁ ହୋଇ ପ୍ରାର୍ଥନା କଲେ । ‘‘ହୃଦୟରେ ପବିତ୍ର ସ୍ମୃତି ନେଇ ବୈବାହିକ ସୂତ୍ରରେ ଆବଦ୍ଧ ହୋଇଥିବା ଏହି ନୂତନ ଦମ୍ପତି ସେମାନଙ୍କ ଶପଥରେ ଅଟଳ ରହନ୍ତୁ । ପରସ୍ପର ପ୍ରତି ସ୍ନେହ, ସମ୍ମାନ ଓ ସାହାଯ୍ୟ, ସମବେଦନା ରଖନ୍ତୁ । ନିଜକୁ କାୟମନୋବାକ୍ୟରେ ପବିତ୍ର ରଖନ୍ତୁ ଏବଂ ପରସ୍ପରର ବୌଦ୍ଧିକ ବିକାଶରେ ସହାୟକ ହୁଅନ୍ତୁ । ଏଇସବୁ ଏକ ସୁଖୀ ବିବାହିତ ଜୀବନ ପାଇଁ ଆବଶ୍ୟକ ଓ ବୁଦ୍ଧଙ୍କ ଉପଦେଶ ଅନୁସାରେ ଚଳିବାର ଏକ ଉତ୍ତମ ପନ୍ଥା ।’’

 

ସେ ମୁଣ୍ଡ ଟେକି ସେମାନଙ୍କୁ ଭଲକରି ଚାହିଁଲେ ଓ ତାଙ୍କ ଦୃଷ୍ଟି ଆଲେନ୍‌ ଉପରେ ସ୍ଥିର ରହିଲା ।

 

ଆଦେଶ ସ୍ୱରରେ ସେ କହିଲେ, ‘‘ତେଣୁ ଏଇ ସବୁ ଶପଥ ନେବା ପୂର୍ବରୁ ମନେରଖ ଯେ ସ୍ତ୍ରୀକୁ ପୋଷଣ କରିବା ଓ ସୁଖୀ ରଖିବା ହେଉଛି ସ୍ୱାମୀର କର୍ତ୍ତବ୍ୟ । ଚିନ୍ତା ଓ କର୍ମରେ ସ୍ତ୍ରୀ ପ୍ରତି ବିଶ୍ୱସ୍ତ ହେବା, ଦୁଃଖ ରୋଗରେ ତାକୁ ସାନ୍ତ୍ୱନା ଦେବା ଏବଂ ପିଲାମାନଙ୍କୁ ଚଳାଇବାରେ ସାହାଯ୍ୟ କରିବା ସ୍ୱାମୀର କର୍ତ୍ତବ୍ୟ ।’

 

ଜୋସୁକୁ ସେ କହିଲେ, ‘‘ସ୍ୱାମୀକୁ ଭଲପାଇବା, ସାହାଯ୍ୟ କରିବା, ଧୈର୍ଯ୍ୟଶୀଳ ହେବା ଓ କୋମଳ ବ୍ୟବହାର କରିବା ସ୍ତ୍ରୀର କର୍ତ୍ତବ୍ୟ । ସବୁ କଥାରେ ସ୍ୱାମୀର ବିଶ୍ୱସ୍ତ ହେବା ସ୍ତ୍ରୀର ଧର୍ମ-।’’

 

ସେ ପ୍ରତ୍ୟେକଙ୍କୁ ଥର ଥର କରି ପଚାରି କହିବାକୁ ଲାଗିଲେ ‘‘ତୁମେ ଶପଥ କରି କହିପାରିବ କି ତୁମ ଦୁଇଜଣଙ୍କ ମଧ୍ୟରୁ କେହି ଜଣେ ହେଲେ ଏପରି କିଛି ଜାଣ ଯାହା କିଛି ତୁମକୁ ଆଇନଗତ ବିବାହରେ ବାଧା ଦେବ ?’’

 

‘‘ମୁଁ କୌଣସି ପ୍ରତିବନ୍ଧକ ଥିବାର ଜାଣେ ନାହିଁ’’ ଆଲେନ୍‌ ଉତ୍ତର ଦେଲା ।

 

ଜୋସୁ ଦୃଢ଼ ଭାବରେ କହିଲା, ‘‘ମୁଁ ଶପଥ କରୁଚି, କୌଣସି ବାଧା ଥିବାର ମୁଁ ଜାଣେ ନାହିଁ ।’’ କାରଣ ସେ ତ ସବୁ ବାଧାବନ୍ଧନ ଅତିକ୍ରମ କରିଆସିଚି ।’’

 

ପୁଣି ବୌଦ୍ଧମନ୍ତ୍ରୀ ହୋସୁ ଆଲେନ୍‌କୁ ପଚାରିଲେ—‘‘ତୁମେ ଆଲେନ୍‌ କେନେଡ଼ି ଏଇ ଯୁବତୀ ଜୋସୁ ସାକାଇକୁ ଆଇନସମ୍ମତ ସ୍ତ୍ରୀ ରୂପରେ ଗ୍ରହଣ କଲ ତ ?’’

 

‘‘ନିଶ୍ଚୟ’’ ଆଲେନ୍‌ କହିଲା । ଏଇକଥା କହିଲାବେଳେ ଯଦିଓ ସେ ସ୍ୱରକୁ ଦୃଢ଼ କରିବାକୁ ଚାହୁଁ ଥିଲା, ତଥାପି ସ୍ୱର ତା’ର ଥରିଉଠିଲା ।

 

ହୋସୁ ଜୋସୁକୁ ପଚାରିଲେ, ‘‘ଆଉ ତୁମେ ଜୋସୁ ସାକାଇ, ଏଇ ଯୁବକ ଆଲେନ୍‌ କେନେଡ଼ିକୁ ନିଜର ଆଇନସମ୍ମତ ବିବାହିତ ସ୍ୱାମୀ ବୋଲି ଗ୍ରହଣ କଲ ତ ?’’

 

‘‘ହଁ,’’ ଜୋସୁ କହିଲା ।

 

ମନ୍ଦିରକୁ ଆସିବା ବାଟରେ ଆଲେନ୍‌କୁ ଶିଖାଯାଇଥିବାରୁ ସେ ନିଜର କାଣି ଆଙ୍ଗୁଠିରୁ ନାମଲେଖା ମୁଦିକୁ କାଢ଼ି, ହୋସୁଙ୍କୁ ଦେଲା ଓ ହୋସୁ ତାକୁ ଜୋସୁର ଆଙ୍ଗୁଠିରେ ପିନ୍ଧାଇଦେଲେ । ସେମାନଙ୍କର ହାତକୁ ସେ ମିଳାଇ ଦେଲେ ଓ ମିଳିତ ହାତ ଉପରେ ନିଜର ପବିତ୍ର ଧର୍ମଶ୍ଳୋକର ପୁସ୍ତକ ରଖିଲେ ।

Unknown

 

ବୌଦ୍ଧରୀତିରେ ବିଭା ହେବାକୁ ତୁମେ ରାଜି ହେଲ ଦେଖି ମୁଁ ତୁମକୁ ସ୍ୱାମୀ-ସ୍ତ୍ରୀ ବୋଲି ଘୋଷଣା କଲି । ତୁମେ ଦୁହେଁ ସବୁବେଳେ ଅସୀମ ପ୍ରେମ ଓ ସହଯୋଗରେ ଆବଦ୍ଧ ରୁହ ।’’ ହୋସୁ ଭଦ୍ରଭାବରେ କହିଲେ ।

 

କିଛି ସମୟ ଠିଆହେବା ପରେ ସେ ବେଦୀ ଆଡ଼କୁ ଆଗେ ଆଗେ ଚାଲିଲେ ଓ ଆଲେନ୍‌ ତାଙ୍କ ଦ୍ୱାରା ଶିକ୍ଷା ପାଇ ବିଭିନ୍ନ ଭଙ୍ଗୀରେ ଚନ୍ଦନର କାଠିକୁ ପାଉଁଶ ଉପରେ ରଖିଲା ଓ ପରେ ଠାକୁରଙ୍କ ପ୍ରତୀକମାନେ ତା ଉପରକୁ ପରିକଳ୍ପନାନୁଯାୟୀ ଓହ୍ଳାଇଲେ ଏବଂ ହୋସୁ ଜଳନ୍ତା ସୁଗନ୍ଧ ଚନ୍ଦନକାଠିକୁ ସ୍ପର୍ଶ କଲେ ।

 

ଛୋଟ ଛୋଟ ଠାକୁରମାନଙ୍କ ମଧ୍ୟରେ ଉଚ୍ଚରେ ଥିବା ବୁଦ୍ଧଙ୍କ ବଡ଼ ଆସନ ତଳେ ଠିଆ ହୋଇ ହୋସୁ କହି ଚାଲିଲେ, ‘‘ଭଗବାନ ବୁଦ୍ଧ କହିଛନ୍ତି ବାପା, ମାଙ୍କୁ ସାହାଯ୍ୟ କର, ସ୍ତ୍ରୀ ପିଲାଙ୍କୁ ଭରଣପୋଷଣ କର ଓ ଶାନ୍ତିମୟ ଜୀବନ ଯାପନ କର । ଏହା ସବୁଠୁ ବଡ଼ ଆଶୀର୍ବାଦ ।’’

 

ଏହି କଥାଗୁଡ଼ା ସେ ଆଲେନ୍‌କୁ କହିଲେ ଓ ଉତ୍ସବ ଶେଷହେବାରୁ ସେ ବୁଲିପଡ଼ି ଠାକୁରମାନଙ୍କୁ ସାମ୍ନା କଲେ । ପୁରୋହିତମାନେ ତାଙ୍କ ପଛରେ ଏକ ମଣିଷର ପର୍ଦ୍ଦା ପରି ଠିଆ ହୋଇରହିଲେ ।

 

ହୋସୁ ଭଗବାନ ବୁଦ୍ଧଙ୍କୁ ଏତେ ଛୋଟ ସ୍ୱରରେ କ’ଣ କହିଲେ ଯେ କିଛି ଶୁଭିଲାନି । ବୋଧହୁଏ ଏହା ମୁକ୍ତି ନିମନ୍ତେ ଭିକ୍ଷା ଓ ଆଶିଷ ପାଇବାକୁ ପ୍ରାର୍ଥନାର ମନ୍ତ୍ର ଥିଲା । ଏଇ ବିବାହ ସମ୍ଭବ ହୁଏ ତ ଭଲ, ଯଦି ନ ହୁଏ, ତେବେ ଯୁବତୀଟିକୁ ନିଜ ଦେଶ ଓ ନିଜ ଲୋକଙ୍କ ପାଖକୁ ଫେରାଇ ଆଣିବାକୁ ଏହା ଥିଲା ଏକ ଆକୁଳୋକ୍ତି ।

 

ନିଦା ସୁନା ପରି ଚିକ୍‌ଚିକ୍‌ କରୁଥିବା ବୁଦ୍ଧଙ୍କ ମୂର୍ତ୍ତି ସବୁଦିନ ପରି ନିଶ୍ଚଳ ରହିଲେ । ହାତ ଦୁଇଟି ବିଶ୍ୱ ପାଇଁ ଢାଳୁଛି ଶାଶ୍ୱତ ଆଶିଷର ସ୍ୱସ୍ତୟନ । ଆଖି ଦୁଇଟିରେ ଯୁଗ ଯୁଗର ନିସ୍ପନ୍ଦ ନୀରବତା ଓ କରୁଣା କୋମଳ ସ୍ଥିରତା ।

 

ଆଲେନ୍‌ ଭାବିଲା, ଏ ସବୁ ଅଦ୍ଭୁତ ଅବାସ୍ତବତା । ତା’ର ମୁଣ୍ଡ ନଇଁଲା ନି । ହୋସୁ ଓ ପୁରୋହିତମାନଙ୍କର ପୋଷାକ ପିନ୍ଧା ମୁଣ୍ଡନୁଆଁ ଚେହେରାକୁ ସେ ଚାହିଁଲା ଓ ତାଙ୍କ ଉପରେ ଥିବା ମୂର୍ତ୍ତିକୁ ବି ଗଭୀର ଭାବରେ ନିରୀକ୍ଷଣ କଲା । ବୁଦ୍ଧଙ୍କର ସାକାଇ ଉପସ୍ଥିତି ଖ୍ରୀଷ୍ଟିୟାନ ଚର୍ଚ୍ଚର ଅଦୃଶ୍ୟ ଈଶ୍ୱରଙ୍କଠାରୁ ଅଧିକ ବାସ୍ତବ ନୁହେଁ ବା କମ୍‌ ବାସ୍ତବ ନୁହେଁ, କାହିଁକି ନା ମନ୍ଦିର ଆବହାଓ୍ୱା କିପରି ଏକ ପବିତ୍ରତାରେ ଭରିଥାଏ । ଈଶ୍ୱରଙ୍କ ଯୋଗେ ନୁହେଁ, ଯେଉଁମାନେ ଅଭିଯୋଗ କରିବାକୁ ଓ ନ ମିଳିବା ଜିନିଷ ମାଗିବାକୁ ଆସିଥାନ୍ତି ସେଇମାନଙ୍କ କାରୁଣ୍ୟ ଓ ପ୍ରାର୍ଥନା ଯୋଗେ । ମାନବିକତାର ଉପସ୍ଥିତି ଏଇଠି ଏଇ ଅଣାକାର, ଦୁର୍ଲ୍ଲଭ ଜିନିଷକୁ ପାଇବା ଅଭିଳାଷ ଭିତରେ ଓ ଉତ୍ତର ନ ମିଳୁଥିବା ପ୍ରଶ୍ନ ପଚାରିବାରେ ମାନବିକତାର କି ଉଦ୍‌ବେଗ ଭରି ରହିଛି ସତେ ! ଏଠାରେ ସେ ମଧ୍ୟ ଜୋସୁ ସହିତ ଠିଆ ହୋଇଛି ଓ ଅବଶେଷରେ ସେ ମଧ୍ୟ ମୁଣ୍ଡ ନୋଇଁ ଦେଇଚି । ଅନେକ ଦିନଠୁ ପ୍ରାର୍ଥନା ଓ ଇଶ୍ୱର ବିଶ୍ୱାସ ସେ ଛାଡ଼ିଚି, ତଥାପି ସେ ଘରେ ଥିବାବେଳେ ବାପା, ମାଙ୍କ ସହିତ ଚର୍ଚ୍ଚକୁ ଯାଏ, ଶୈଶବର ସଙ୍ଗୀତ ଗାଏ, ମୁଣ୍ଡ ନୁଆଁଇ ପ୍ରଣାମ କରେ । ତା’ର ଏକାନ୍ତ ବ୍ୟକ୍ତିଗତ କାମନାରୁ ହିଁ ଆଜି ଏ ପ୍ରାର୍ଥନା ତା ଅନ୍ତରରୁ ଆପେ ଆପେ ନିଗିଡ଼ି ଆସିଚି । ଏଇ ଆବଶ୍ୟକତାର ଜରୁରୀ ପରିସ୍ଥିତିରେ ସେ ଏକ ନୂତନ ସ୍ପନ୍ଦନରେ ହେଲା ବେପଥୁଗ୍ରସ୍ତ । ତା’ର ଭାଷାହୀନ ନୀରବ ପ୍ରାର୍ଥନା ଭିତରେ ସତେ ଯେପରି ବିଶ୍ୱସନ୍ତାନ ଜୀବନ ପାଇବାକୁ ଏକ ଉଷ୍ମ ଆବେଗରେ ଅପେକ୍ଷା ରଖୁଥିଲା ।

 

ଏଇ ବିଶ୍ୱସନ୍ତାନ ରାତିରେ ଆହୁରି ନିକଟେଇ ଆସିଲା; ଅତି ନିବିଡ଼ ଭାବରେ ଜୀବନ ସହିତ ମିଳିତ ହୋଇ ହେଲା ଏକାକାର । ଯେଉଁ ରୁମ୍‌ରେ ଜୋସୁ ତା’ର କୁମାରୀ ଜୀବନ କଟାଇଥିଲା, ସେଇଠି ଆଲେନ୍‌ ତା’ର ସ୍ୱାମୀରୂପେ ରାତ୍ରି ଯାପନ କଲା । ବାପାମା ଚାଲିଯାଇଥିଲେ-। ମନ୍ଦିରର ଉତ୍ସବ ସାରି ସେମାନେ ବହୁତ ଡେରିରେ ଫେରିଲେ । ଗୋଟିଏ ଛୋଟ ସ୍ୱାଗତିକାରେ ଡକ୍ଟର ସାକାଇ କହିଲେ ଯେ ‘‘ଆଲେନ୍‌ ବର୍ତ୍ତମାନ ଏ ଘରେ ଗ୍ରହଣୀୟ । ଏଣିକି ଆଉ ବାରଣ ନାହିଁ । ତା ଇଚ୍ଛା ଅନୁସାରେ ସେ ଯିବାଆସିବା କରିପାରିବ ।’’

 

ଆଲେନ୍‌ ତାଙ୍କୁ ଧନ୍ୟବାଦ ଦେବା ପୂର୍ବରୁ ସେ ଚାଲିଗଲେ । ଶ୍ରୀମତୀ ସାକାଇ ଦେଖାଯାଉ ନ ଥିଲେ । ଜୋସୁ ରୁମରେ ଉମି ବରକନ୍ୟାଙ୍କୁ ଏକୁଟିଆ ରାତ୍ରି ଭୋଜନ ପରିବେଷଣ କଲା । ଖାଇ ସାରିଲା ପରେ ଭୟଙ୍କର ନୀରବତାରେ ଟିକିଏ ବି ନ ହସି ଉମି ସିଲକ୍‌ ଶେଯଟା ଚଟାଣରୁ ମସିଣା ଉପରେ ପାରିଦେଇ ତାଙ୍କର ବିଛଣା ତିଆରି କରିଦେଲା । ତା ପରେ ସେ ଉଭୟଙ୍କୁ ଅଭିବାଦନ କରି ପରଦା ଟାଣିଦେଲା । ତା ପରେ ସେ ଉଭୟଙ୍କୁ ଅଭିବାଦନ କରି ପରଦା ଟାଣିଦେଲା ଓ କରିଡରର ଆଲୋକ ଲିଭାଇଦେଲା । ଶେଷରେ ସେମାନେ ଏକୁଟିଆ ହୋଇଗଲେ—ତାଙ୍କ ପାଖରେ କେହି ରହିଲେ ନି ।

 

ସେଇ ରାତିରେ ବିଶ୍ୱସନ୍ତାନଟି ଜୋସୁର ଗର୍ଭକୋଷରେ ନିଜ ସ୍ଥିତିର ବିଶ୍ୱାସ୍ୟ ଇସ୍ତାହାର ଘୋଷଣା କଲା । ସେମାନେ ତା କଥା ଭାବୁ ନ ଥିଲେ । ପ୍ରେମିକମାନେ ଭାବନ୍ତି ନାହିଁ । ସେମାନେ କେବଳ ସେମାନଙ୍କ ପ୍ରେମକୁ ଅନୁଭବ କରନ୍ତି । ପ୍ରେମ ଏତେ ବିରାଟ୍‌ ହୋଇ କେତେ ସହଜ ଭାବରେ ଆରମ୍ଭ ହୁଏ । ପୃଥିବୀର ସବୁ ଅଂଶରେ ଏହା ବିଦ୍ୟମାନ । ପୁରୁଷମାନେ କେବଳ ପ୍ରେମକୁ ଦେଖନ୍ତି, ପ୍ରେମକୁ–ଇ ସବୁଥିରେ ଅନୁଭବ କରନ୍ତି । ତା ପରେ ଯାହା ପରିବ୍ୟାପ୍ତ ଓ ନିରାକାର, ତାହା ଆକାର ଗ୍ରହଣ କରେ... । କିନ୍ତୁ ଏ ହେଉଚି ସେଇମାନଙ୍କର ନିଜର ଆକାର, ସେଇ ପୁରୁଷ ଓ ନାରୀର ମିଳନର ସୁରଭିତ ସ୍ୱପ୍ନ... । ରକ୍ତର ଗର୍ଜନରେ କେବଳ ଶରୀରର ଦାବୀ ହେତୁ ଏହା ଆକାର ଗ୍ରହଣ କରେ । ବାହାରର ପବନରେ ଅପେକ୍ଷାମାଣ ଥିବା ବିଶ୍ୱସନ୍ତାନ ପୂରାପୂରି ନ ହେଲେ ବି ଆକାର ଗ୍ରହଣ କରିବାକୁ ଆସିଲା । ମା ଥିଲା ଅପାପବିଦ୍ଧା ଯୁବତୀ ଓ ସ୍ୱାସ୍ଥ୍ୟବତୀ । ଯୁବତୀ ମା’ମାନଙ୍କ ପରି ଅନ୍ୟ କୁମାରୀମାନେ ଈଶ୍ୱରଙ୍କ କୃପାରୁ ଏତେ ଶୀଘ୍ର ଗର୍ଭଧାରଣ କରିପାରନ୍ତି ନାହିଁ । ପ୍ରଥମ ମିଳନ ଯଥେଷ୍ଟ ହୁଏ ନାହିଁ, କିମ୍ବା କୌଣସି ଶାରୀରିକ ଅସୁବିଧା ହୁଏ ତ ପୁରୁଷଠାରେ ଥାଇପାରେ । ପୁଣି ସବୁ ବାପା ଈଶ୍ୱରଙ୍କ ଦୟାରୁ ସୃଷ୍ଟି କାମୀ ହୋଇପାରନ୍ତି ନାହିଁ । ଜୋସୁ ଗର୍ଭରେ ଏହି ବିଶ୍ୱସନ୍ତାନ ପ୍ରାୟ ଆକାର ଗ୍ରହଣ କରିଥିଲା । ଗୋଟିଏ ଉଜ୍ଜ୍ୱଳ ଆଲୋକବିନ୍ଦୁ ସ୍ଥିରବିନ୍ଦୁର ପାଖକୁ ଆସିଥିଲା । ଚିରନ୍ତନତାର ପ୍ରତୀକ ଭାବରେ ମୁହୂର୍ତ୍ତକ ପାଇଁ ନାରୀମନର ମାତୃତ୍ୱ କାମନାକୁ ପୁରୁଷର ନିବିଡ଼ ବାହୁବନ୍ଧନ ଭିତରେ ଏହା କରିଥିଲା ଉଜ୍ଜୀବିତ ।

 

ବାପା, ମା ଏଇ ଅପେକ୍ଷମାଣ ଶିଶୁ ବିଷୟରେ ସଚେତନ ନ ଥିଲେ । ଦୈହିକ କାମନାର ପରିସମାପ୍ତି ପରେ ସେମାନେ ଖାଲି ପରସ୍ପରର କମ୍ପିତ ହାତ ଓ ଥରିଉଠୁଥିବା ଶରୀର ବିଷୟରେ ସଚେତନ ଥିଲେ । ଦେହରେ ଦେହରେ ଏକ ଅନୁଭୂତ କମ୍ପନ–ପେଶୀର ଅଜସ୍ର ସଙ୍କୋଚନ ଓ ପ୍ରସାରଣର ପୁଲକରେ ଜୋସୁ ଓ ଆଲେନ୍‌ କ୍ରମେ କ୍ଳାନ୍ତ ହୋଇ ପଡ଼ୁଥିଲେ ।

 

ଜୋସୁ ଓ ଆଲେନ୍‌ ଘରେ ପ୍ରାୟ ଏକୁଟିଆ ରହିବାକୁ ଲାଗିଲେ । ଏତେବଡ଼ ଘରେ ସେମାନଙ୍କୁ ନିଛାଟିଆ ଲାଗୁଥିଲା । ମିଷ୍ଟର ସାକାଇ ଓ ମିସେସ୍‌ ସାକାଇ ପର୍ଦ୍ଦାର ଅନ୍ତରାଳରେ ସଂପୂର୍ଣ୍ଣ ଅଲଗା ରହୁଥିଲେ । ସେମାନେ ସତେ ଯେପରି ଇଚ୍ଛାକରି ଆତ୍ମଗୋପନ କରିଥିଲେ । ଚାକରାଣୀଟି ଛଡା ଆଲେନ୍‌ ଆଉ କାହାରି ଦେଖାଯାଉ ନ ଥିଲା ।
 

‘‘ତୁମ ବାପା, ମାଙ୍କ କଥା ତ ଅଦ୍ଭୁତ ! ଆମଠାରୁ ଦୂରେଇ ଦୂରେଇ ରହୁଛନ୍ତି । ସେମାନଙ୍କର ଏପରି ଚଳିବା ମୁଁ ଚାହେଁ ନାହିଁ । ଆମେ ବରଂ ଧର୍ମଶାଳାରେ ଯାଇ ରହିପାରିଥାନ୍ତେ-।’’ —ପରଦିନ ଜୋସୁକୁ ଆଲେନ୍‌ କହିଲା ।

 

‘‘ଆରେ ନା; ଅଜଣା ଜାଗା ! ନାଇଁ । ଆମର ଘର ନ ହେବା ପର୍ଯ୍ୟନ୍ତ ଆମେ ଏଠାରେ ରହିବା ବାପା–ମାଙ୍କର ଇଚ୍ଛା । ଭବିଷ୍ୟତରେ ଆମେ ତାଙ୍କ ତ୍ୟାଗ ପାଇଁ ନିଶ୍ଚୟ ଧନ୍ୟବାଦ ଦେବା’’—ଜୋସୁ କହିଲା ।

 

ସେମାନେ କେହି ସନ୍ତାନର ସମ୍ଭାବନା ବିଷୟରେ କଥାବାର୍ତ୍ତା ହେଲେ ନାହିଁ । ହୁଏ ତ ପିଲା ଆଦୌ ହେବ ନାହିଁ, ଅଳ୍ପସମୟ ପରେ ଆଲେନ୍‌ ଚାଲିଯିବ, ଜୋସୁ ଏକୁଟିଆ ରହିବ ।

 

‘‘ବେଶି ଡେରି ନୁହେଁ; ମାତ୍ର କେତେ ସପ୍ତାହ ପାଇଁ ମୁଁ ଯାଉଛି, ଖୁବ୍‌ ଶୀଘ୍ର ଫେରିଆସିବି’’—ଆଲେନ୍‌ ତାକୁ କହିଲା ।

 

କିନ୍ତୁ ପ୍ରେମ ପାଇଁ ଯେତେବେଳେ କେତୋଟି ଘଣ୍ଟା ଦିନେ ଦୁଇଦିନ ପରି ଲାଗେ, ସେତେବେଳେ ସପ୍ତାହଗୁଡ଼ିକ ବର୍ଷ ବର୍ଷ ପରି ଲାଗିବା ସ୍ୱାଭାବିକ । ପ୍ରଥମ ରାତିରେ, ଶେଷ ରାତିରେ ଓ ଅନ୍ୟ ରାତିରେ ଜୋସୁ କାନ୍ଦିଲା; କାରଣ ପ୍ରେମ ସାନ୍ତ୍ୱନାକୁ ହିଁ ଅପେକ୍ଷା କରେ । ତାକୁ କେମିତି ଅଦ୍ଭୁତ ଭାବେ ନିରାଶ ଓ ଆଶଙ୍କିତ ଲାଗୁଥିଲା । ସତେ କି ସେ ଆଉ ଆଲେନ୍‌କୁ ଦେଖିପାରିବ ନାହିଁ । ସତେ କି ଆଲେନ୍‌ ସମୂଦ୍ରରେ ବୁଡିଯିବ ବା ଉଡ଼ାଜାହାଜ ପାହାଡ଼ରେ ପିଟି ହୋଇଯିବ କିମ୍ବା ତା ଘରର କେହି ଦୁଇ ଜଣଙ୍କୁ ସବୁଦିନ ପାଇଁ ଅଲଗା କରିଦେବ । ଆଲେନ୍‌ ତା’ର ଅସହାୟ ଭାବକୁ ଦେଖି କହେ—ସେମାନେ ସବୁଦିନ ପାଇଁ ଏକତ୍ରିତ ରହିବେ, ଅନ୍ୟ କିଛି ବିଘ୍ନ ହେବ ନାହିଁ । ଜୋସୁ ମନରେ କିଞ୍ଚିତ ଭରସା ଆସେ—ଶୂନ୍ୟ ମନରେ ଭରିଆସେ ପୁଣି ସବୁଜ-ସ୍ୱପ୍ନର ଆଶ୍ୱାସନା ।

 

ଆଲେନ୍‌ ତାକୁ ବାହୁରେ ବାନ୍ଧି ରଖିଲା ଓ ସେ ତା ଦେହରେ ମିଶିଯାଇ ଏକ ହୋଇଗଲା । ତା’ର ଖୋଲା ବୁକ୍‌ ଉପରେ ଜୋସୁ ମୁଣ୍ଡ ରଖି ଅଧୀର ଭାବେ କାନ୍ଦିଉଠିଲା । କୌଣସି ପ୍ରକାରେ ଆଲେନ୍‌ ନିଜ ଶପଥ ଉପରେ ତା’ର ବିଶ୍ୱାସ ରଖାଇ ପାରିଲା ନାହିଁ । ସେ ଭୟରେ ଜଡ଼ସଡ଼ । ଆଗାମୀକାଲିର ସୁନିଶ୍ଚିତ ବିଚ୍ଛେଦ ହୁଏ ତ ଚିରନ୍ତନ ହୋଇପାରେ—ତା’ର ଧାରଣା । ସେମାନେ ବିଚ୍ଛିନ୍ନ ହୋଇଯିବେ, ଆଉ ଜୀବନରେ ସେମାନଙ୍କର ମିଳନ ହେବ ନାହିଁ । ଶେଷରେ ବିରକ୍ତ ହୋଇ ଆଲେନ୍‌ ପଚାରିଲା, ‘‘କେମିତି ଏ କଥା ଭାବୁଚ ଜୋସୁ ? ଶହ ଶହ, ହଜାର ହଜାର ଲୋକ ଉଡ଼ାଜାହାଜରେ ବସି ସମୁଦ୍ରକୁ ଅତିକ୍ରମ କରୁଥିବାବେଳେ ମୁଁ କାହିଁକି ଏକା ବୁଡ଼ିଯିବି ବା ପାହାଡ଼ରେ ପିଟି ହୋଇମରିଯିବି ? ଆଉ ତୁମେ ମୋ ପରିବାରକୁ ନ ଜାଣି କେମିତି ତାଙ୍କୁ ସନ୍ଦେହ କରୁଚ ? ଆଉ ମତେ ଜାଣି ମଧ୍ୟ କେମିତି ତୁମେ ଏପରି ଅଯଥା ସନ୍ଦେହ କରୁଚ ?’’

 

ଶେଷରେ ତା’କୁ ରୁକ୍ଷ ହେବାକୁ ପଡ଼ିଲା । ‘‘ଜୋସୁ, ତୁମେ କଣ ଭାବୁଚ, ବିଚ୍ଛିନ୍ନ ହେବା ମୋ ପକ୍ଷେ ସହଜ ? ମୁଁ ତୁମକୁ ଭଲ ପାଇ ନ ଥିଲେ ଏଠି ଥାଆନ୍ତି କି ?’’

 

କିନ୍ତୁ ଏହାର ଉତ୍ତରରେ ତା ମନରେ ଭବିଷ୍ୟତର ଅମାଅନ୍ଧାର ପାଇଁ କେବଳ ଭୟ ଓ ପ୍ରଶ୍ନ ହିଁ ଉଙ୍କି ମାରୁଥିଲା । ସେମାନେ ଦେହରେ ଦେହ ମିଶାଇ ଓ ହୃଦୟରେ ହୃଦୟ ମିଳାଇ ପ୍ରେମକୁ ନୂତନ ରୂପେ ଅନୁଭବ କରୁଥିଲେ ।

ପରଦିନ ଦୁଃଖଦାୟକ ବିଦାୟବେଳ ଆସିଲା । ରେଳଗାଡ଼ି ଯାଏ ଜୋସୁକୁ ଆଲେନ୍‌ ଆସିବାକୁ ଦେଲା ନି କି ଜୋସୁ ବି ଆସିବାକୁ ସାହସ କରିପାରିଲା ନି । ବାପା, ମା କିଛି ସମୟ ପାଇଁ ପ୍ରତ୍ୟାଭିବାଦନ ଜଣାଇଲେ । ବାପା ହାତ ମିଳାଇଲେ, ତା ପରେ ପୁଣି ବାପା ଓ ମା ଦୁହିଁଙ୍କୁ ଏକାନ୍ତରେ ଛାଡ଼ି ଚାଲିଗଲେ । ଆଲେନ୍‌ ହୁଏତ କହିପାରିଥାନ୍ତା ଯେ ଜୋସୁକୁ ଛାଡ଼ି ଯାଉଥିବାରୁ ତା ଛାତି ଫାଟିଯାଉଚି । ଯେତେବେଳେ ଜୋସୁ ହାତକୁ ନିଜ ହାତକୁ ସେ ଖସାଇ ଆଣିଲା, ତା ପ୍ରାଣ ଏକ ଅଧୀର ଆବେଗରେ ବାହୁନି ଉଠିଲା ।

 

‘‘ମୁଁ ପ୍ରତିଦିନ ଚିଠି ଦେବି ।’’ ଆଲେନ୍‌ ଶପଥ କଲା । ‘‘ମୁଁ ବି’’—ଜୋସୁ କୋମଳ ସ୍ୱରରେ କହିଲା । କାନ୍ଦି କାନ୍ଦି ତା ମୁହଁ ଫୁଲି ଯାଇଥିଲା ।

 

‘‘ଆମେ ପରସ୍ପରକୁ ସବୁ କଥା କହିବା । ମୋ କଥା ଭାବିବ ଜୋସୁ, ତମକୁ ଆମେରିକା ନେବା ପାଇଁ ମୁଁ ଯତ୍ପରୋନାସ୍ତି ଚେଷ୍ଟା କରିବି । ହସ ରାଣୀ ମୋର ! ମୂହୁର୍ତ୍ତକ ପାଇଁ ହସ । ଗତ କଥା ମନେପକାଅ, କେଡ଼େ ଭଲ ଲାଗୁଥିଲା ।’’

 

ସେ ହଠାତ୍‌ ବାହାରିଗଲା । ମୁହଁ ବୁଲାଇ ଦେଖିଲା, ଦରଜା ପାଖରେ ଜୋସୁ ଅର୍ଦ୍ଧମୂର୍ଚ୍ଛିତ ଭାବରେ ଠିଆ ହୋଇ ରହିଛି । ପୁଣି ବେଗରେ ଫେରିଆସି ଆଲେନ୍‌ ତାକୁ ଆଲିଙ୍ଗନ କଲା ।

 

‘‘ମୁଁ ପଛକୁ ଆଉ ଚାହିଁବି ନି’’—ସେ କହିଲା । ନିଜ ମନକୁ ବାଧ୍ୟ କରି ଆଲେନ୍‌ ଆଗକୁ ଆଗକୁ ଚାଲିଲା । ସେତେବେଳେ ଗାଡ଼ି ଷ୍ଟେସନ ଛାଡ଼ିବାର ସମୟ ହୋଇଯାଇଥିଲା ।

 

ପୁଅ ଘରକୁ ଆସିବ ବୋଲି ଶ୍ରୀମତୀ କେନେଡ଼ି ନିଜକୁ ପ୍ରସ୍ତୁତ କରୁଥାଆନ୍ତି । କଲେନେଲଙ୍କର ସ୍ତ୍ରୀଙ୍କୁ ସେ କେବେ ଦେଖି ନ ଥିଲେ ବି ତାଙ୍କ ପାଖକୁ ଆଲେନ ବିଷୟରେ ସବୁ ଖୋଲାଖୋଲି ଲେଖିଛନ୍ତି ।

 

କଲୋନେଲଙ୍କ ସ୍ତ୍ରୀ କଲୋନେଲଙ୍କୁ କହିଲେ, ‘‘ମୁଁ ତା ମା ପାଖକୁ ଲେଖେଁ; ତୁମେ ଯଦି ଲେଖିବ ତେବେ ସେ ଭାବିବେ, ତୁମ ସହିତ ଆଲେନ୍‌ର ମନାନ୍ତର ଘଟିଛି । ତେଣୁ ତୁମେ ତା’ର ଚାକିରୀ ନେବାକୁ ଚାହୁଁଛ ।’’

 

ତେଣୁ ସେ ନିଜକୁ ଆଲେନ୍‌ର ମାତୃସ୍ଥାନୀୟା ଭାବି ଲେଖିଲେ—ଆଲେନ୍‌ର ମା’ ହୋଇଥିଲେ ସେ ଯାହା କରିଥାନ୍ତେ, ସେଇଆ କଲେ ବୋଲି ଶ୍ରୀମତୀ କେନେଡ଼ିଙ୍କୁ ଜଣାଇଲେ । ଆଲେନ୍‌ ଜଣେ ବୁଦ୍ଧିମାନ ତରୁଣ ଅଫିସର ଓ ତାଙ୍କ ସ୍ୱାମୀଙ୍କର ଡାହାଣ ହାତ ପରି; ତେଣୁ ଯେ କୌଣସି ମତେ ଏ ବିପଦରୁ ତାଙ୍କୁ ରକ୍ଷାକରିବା ଦରକାର ବୋଲି ସେ ଲେଖିଥିଲେ । ଏଇ ସମୟରେ ଏତେଗୁଡ଼ାଏ ନୂତନ କାର୍ଯ୍ୟକ୍ରମ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ କାର୍ଯ୍ୟକାରୀ ହେଉଥିବାବେଳେ ତାକୁ ଛୁଟିରେ ଛାଡ଼ିବା ବଡ଼ ଅସୁବିଧାଜନକ ହେଲେ ବି ତାଙ୍କ ସ୍ୱାମୀ ଏପରି ତ୍ୟାଗ—ସ୍ୱୀକାର କରିବାକୁ ପ୍ରସ୍ତୁତ ହୋଇଛନ୍ତି ।

 

ଆପଣଙ୍କ ପୁଅ ଏକ ଅସ୍ୱାଭାବିକ କାଣ୍ଡ ଘଟାଇ ବସିଚି । ତେଣୁ ସହଜପନ୍ଥା କାର୍ଯ୍ୟକାରୀ ହେବନାହିଁ । ସେ ଶ୍ରୀମତୀ କେନେଡ଼ିଙ୍କୁ ଲେଖିଲେ । ଶେଷ ସପ୍ତାହର ସ୍ମୃତି ବା ଅନ୍ୟ ସାଧାରଣ ବିଷୟରେ କଥାବାର୍ତ୍ତା ହୋଇ କିଛି ଲାଭ ନାହିଁ । ଆପଣଙ୍କର ପୁଅ ଆମେରିକାର ଜଣେ ଭଦ୍ରଯୁବକ, କିନ୍ତୁ ସେ ଜଣେ ଜାପାନୀ ଝିଅକୁ ଭଲପାଇଛି । ଅବଶ୍ୟ ଝିଅଟି ଅତି ଭଲ ଓ ତାକୁ ବିବାହ କରିବାରେ କିଛି କ୍ଷତି ନାହିଁ । ମୁଁ ଅବଶ୍ୟ ଠିକ୍‌ ଭାବିପାରୁ ନାହିଁ, ସେ ଆଉ କ’ଣ ସ୍ଥିର କରିଛି-! ଜାପାନୀ ଲୋକମାନେ ବି ଆମେରିକାକୁ ଆସିବାକୁ ଏତେ ପାଗଳ କାହିଁକି, ମୁଁ ଜାଣିପାରୁ ନାହିଁ । ସେମାନେ ଭାବନ୍ତି, ଆମେରିକା ପୃଥିବୀର ସ୍ୱର୍ଗ; ପ୍ରକୃତରେ ବି ଜାପାନ ତୁଳନାରେ ଆମେରିକା ସ୍ୱର୍ଗ ।’’ ଶ୍ରୀମତୀ କେନେଡ଼ିଙ୍କ ବ୍ୟକ୍ତିତ୍ୱରେ ବେଶ ଗମ୍ଭୀରତା ଫୁଟି ଉଠୁଥିଲା । ସେ କୃତଜ୍ଞତା ଜଣାଇ ଉତ୍ତର ଦେଲେ; କିନ୍ତୁ ପୁଅର ରୁଚି ଓ ବିଚାର ଉପରେ ତାଙ୍କର ଯଥେଷ୍ଟ ବିଶ୍ୱାସ ଥିଲା । ଏ ଗୋଟିଏ ତୁଚ୍ଛ ଚିଠି । କଲୋନେଲଙ୍କ ସ୍ତ୍ରୀ ଗମ୍ଭୀର ନ ଥିଲେ, ଭଦ୍ର ବି ନ ଥିଲେ । ତେଣୁ ଟୋକିଓରେ ଏ ଚିଠି ପଢ଼ି ଆଶ୍ଚର୍ଯ୍ୟ ହେଲେ । ଖାଇବା ଟେବୁଲରେ ଚିଠିଟାକୁ କଲୋନେଲଙ୍କ ଆଡ଼କୁ ପକେଇ ଦେଇ ତାଚ୍ଛଲ୍ୟର ସହ କହିଲେ, ‘‘ଏଇଟାକୁ ପଢ଼ ତ ! ଜାପାନୀ ବୋହୂଟିଏ ସେ ଚାହେଁ କି ନାହିଁ କହିଲ ?’’

 

କଲୋନେଲ ଚିଠିଟିକୁ ଯତ୍ନର ସହିତ ପଢ଼ିଲେ । ତାଙ୍କ ମୁହଁରେ ବିରକ୍ତିର ରେଖାମାନ କୁଞ୍ଚିତ ହୋଇଉଠିଲା । ସେ କହିଲେ, ‘‘ଏଥିରେ କଣ ଅଛି ? ତୁମେ ବରଂ ସବୁ କଥା ଖୋଲାଖୋଲି ଲେଖିଥାନ୍ତ । କେନେଡ଼ି ଘରକୁ ଯିବ ନାହିଁ ବୋଲି ତା’ କଥାରୁ ଜଣାଯାଉଥିଲା । ଯା ହେଉ, ମୁଁ ତା ଜାଗାରେ ଆଉ ଜଣକୁ ନିଯୁକ୍ତି ଦେବି ।’’

 

ଶ୍ରୀମତୀ କେନେଡ଼ି ଚିଠିଟି ସ୍ୱାମୀଙ୍କୁ ଦେଖେଇ ଦେଲେ । ସିନ୍ଥିଆକୁ ବି ଲୁଚେଇ କରି ପଢ଼ାଇଲେ, କାହିଁକି ନା ମିଃ କେନେଡ଼ି ଏ ଚିଠି କାହାକୁ ନ ଦେଖାଇବାକୁ କହିଥିଲେ । ‘‘ଗୋଟାଏ ତୁଣ୍ଡବାଇଦ ପରି ସହରରେ କଥା ବ୍ୟାପିଯିବ–ଠାକୁରଙ୍କ ରାଣ, ଆମ ଘର କଥା ଘରେ ଲୁଚି ରହୁ । ତା’ପରେ ପୁଅଠାରୁ ବି କିଛି ଶୁଣିବାକୁ ମିଳିବ ।’’ ସେ କହିଥିଲେ ।

 

ସିନ୍ଥିଆ ବେଶି କିଛି କହିଲା ନି । ଚିଠିଟି ଭଲକରି ପଢ଼ି ଶ୍ରୀମତୀ କେନେଡ଼ିଙ୍କ ହାତକୁ ବଢ଼ାଇଦେଲା । ‘‘କଲୋନେଲଙ୍କ ସ୍ତ୍ରୀ ହୁଏ ତ...’’ କଣ କହୁ କହୁ ସେ ରହିଗଲା ।

 

‘‘କଣ ?’’ ଶ୍ରୀମତୀ କେନେଡ଼ି ପଚାରିଲେ । ‘‘ନନ୍ଦଫନ୍ଦିଆ ଲୋକ ହୋଇଥିବେ ।’’ ଶେଷରେ ସିନ୍ଥିଆ କି ଭାଷା ପ୍ରୟୋଗ କରିବ ଠିକ୍‌ କରି ନ ପାରି କହିଲା, ‘‘ହୋଇପାରନ୍ତି ।’’ ଶ୍ରୀମତୀ କେନେଡ଼ି ମୁଣ୍ଡ ଟୁଙ୍ଗାରିଲେ । ‘‘ତା ପରେ ବି ଆଲେନ୍‌ ବଡ଼ ହେଲାଣି । ସେ ଅତି ସରଳ, ସୁନ୍ଦର ଥିଲା । ମୁଁ ଭାବେ, ସେ ଅନ୍ୟମାନଙ୍କଠାରୁ ସବୁବେଳେ ସ୍ୱତନ୍ତ୍ର । ନାଁ, ଏକଥା ଠିକ୍‌ ନୁହେଁ, ଆଲେନ୍‌ ଠିକ୍‌ ତା’ ବାପାଙ୍କ ପରି । ସାଧାରଣ ସମାଜରୁ ସେ ବାସନ୍ଦ ହୋଇପାରେ । ମୁଁ ଭାବୁଚି, ସିନ୍ଥିଆ ତୁ ମତେ ଏଥିରେ ସାହାଯ୍ୟ କରିବୁ ।’’

 

ସିନ୍ଥିଆ ତାର ନୀଳ ଆଖିଯୋଡିକୁ ବିସ୍ଫାରିତ କଲା । ‘‘ନିଶ୍ଚୟ; ମୁଁ ଅବଶ୍ୟ ସାହାଯ୍ୟ କରିବି । ଆଲେନ୍‌ ପାଇଁ ମୁଁ ସବୁ କିଛି କରିପାରେ ।’’ ଗୋଇଠିରେ ଅଳ୍ପ ଟେକି ଠିଆହୋଇ ଶ୍ରୀମତୀ କେନେଡ଼ି ତାକୁ ଶୀଘ୍ର ଚୁମ୍ବନ କଲେ । ଝିଅଟି ଯିବା ପରେ ସେ ଘରକୁ ପଶି ଦେଖିଲେ ଯେ ସବୁ ଜିନିଷ ଠିକ୍‌ ରହିଛି । ଦୋମହଲାରେ ଆଲେନ୍‌ ଶୋଇବାଘର ଓ ଡ୍ରଇଂରୁମ୍‌ ଦୁଇଟିଯାକ ଠିକ୍‌ ଅଛି । ସମୟ ଥିଲେ ସେ ହୁଏ ତ ପୁଣି ଥରେ ସଜାଇ ଥାଆନ୍ତେ । ସେ କେବଳ ଦେଖିଲେ, ନାଇଲନ୍‌ ପର୍ଦ୍ଦାଗୁଡ଼ିକ ଉଡ଼ୁଛି । କମ୍ବଳଗୁଡ଼ିକ ସଫା, ମାଣ୍ଟେଲ ଓ ଡେସ୍କ ଉପରେ ଉଜ୍ଜ୍ୱଳ ସେବତୀଫୁଲର ଛୋଟ ଛୋଟ ତୋଡ଼ା ରହିଛି । ଆଲମାରିର ଡ୍ରୟର ଉପରେ ଥିବା ଫୁଲଦାନିରେ ସବା ଶେଷକୁ ହଳଦିଆ ଗୋଲାପଟିଏ ତୋଳି ରଖିଦେଲେ । ସେ ଚାହୁଁଥିଲେ ଏକ ଆତ୍ମୀୟ ପରିବେଶ—ସୁନ୍ଦର ଓ ମଧୁର ପରଂପରା । ତାଙ୍କର ଏକମାତ୍ର ପୁତ୍ର ଓ ଏ ଘରର ଉତ୍ତରାଧିକାରୀ ପାଇଁ ସବୁ ବ୍ୟବସ୍ଥା ପ୍ରାଣପ୍ରାଚୁର୍ଯ୍ୟରେ ଥରି ଉଠିଥିବ । ସେହିପରି ମଧ୍ୟ ହୋଇଥିଲା । ପୂର୍ବରୁ ସେ ଜାଣିଥିଲେ ଯେ ତାଙ୍କୁ ବିରକ୍ତ କରିବା ବା ବାରଣ କରିବା ଅର୍ଥ ଅଧିକ କ୍ଷତି ସହିବା । ତାଙ୍କର ରାଗ ବଢ଼ିବା ଠିକ୍‌ ନୁହେଁ । ଜାପାନୀ ଝିଅ କଥା ସେ ଆଉ ତରକ ପାଇଁ ମଧ୍ୟ ତାଙ୍କ ସ୍ୱାମୀଙ୍କୁ କହିଲେ ନାହିଁ । ସେ ଭୁଲିଯିବେ । ସତେ କି, ସେପରି ଝିଅ ସଂସ୍ପର୍ଶରେ କେବେହେଲେ ତାଙ୍କ ପୁଅ ଆସିନାହିଁ ।

 

ଶେଷରେ ଯେତେବେଳେ ଆଲେନ୍‌ ପହଞ୍ଚିଲା, ସେ ତାଙ୍କର ଚିକ୍‌ ଚିକ୍‌ ମାରୁଥିବା ଧୂସର ରଙ୍ଗର ଗାଉନ୍‌ ପିନ୍ଧି ହଲରେ ଠିଆହୋଇଥିଲେ ଓ ହାତ ଦୁଇଟି ବଢ଼ାଇଦେଲେ । ହଠାତ୍‌ ଆଲେନ୍ ଘର ଭିତରକୁ ପଶି ଆସିଲା । ତା’ର କୋମଳ ତରୁଣ ବାହୁଯୁଗଳ ମାଆଙ୍କୁ ବେଷ୍ଟନ କଲା-। ମାଆଙ୍କ ଗାଲ ପାଖରେ ତା’ର ମୁହଁ ରହିଲା । ତାଙ୍କର ଏଇ ଡେଙ୍ଗା ପୁଅ କେମିତି ଏତେ ନଇଁ ପଡ଼ିଲା । ଆସ୍ତେ ତାକୁ ଠେଲିଦେଇ ହସି ହସି ସେ କହିଲେ, ‘‘ତୁ ସତରେ ବଡ଼ ହୋଇ ଗଲୁଣି-।’’

 

‘‘ତୁମେ ଠିକ୍‌ ପୂର୍ବଭଳି ବାସୁଚ’’ ଆଲେନ୍‌ କହିଲା । ସେମାନେ କେବେ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟରେ କଥାବାର୍ତ୍ତା ହୁଅନ୍ତି ନାହିଁ । ମା ସବୁ କଥାରେ ମନା କରନ୍ତି । ଉଡ଼ିଗଲା ଚଢ଼େଇର ଡେଣାର ଛାଇ ପରି ତାଙ୍କ ସହିତ ମୁହୂର୍ତ୍ତକର ଆଲୋଚନା ଆଲେନ୍‌ ମନରେ ଆନନ୍ଦର ଢ଼େଉ ଛୁଟାଏ । ‘‘ଓ...ତୋ ମୁହଁ କ’ଣ ହେଇଚି ! ଜାପାନ ଛାଡ଼ିଲା ଦିନୁ ତୁ ଆଉ ଖିଅର ହେଇନୁ-?’’ ନିଜ ଗାଲକୁ ତା’ ଗାଲରେ ଘଷି ମା କହିଲେ ।

 

ସତରେ ! ସେ ଗାଲ ଘଷିଥିବା ଜାଗାରେ ମାଆଙ୍କ କୋମଳ ଗାଲର ଚମ ଈଷତ୍‌ ଲାଲ ହୋଇ ଯାଇଥିଲା । ‘‘ମୁଁ ପାଞ୍ଚମିନିଟ ପରେ ଆସୁଚି’’—କହି ଆଲେନ୍‌ ଉପର ମହଲାକୁ ଚାଲିଗଲା-। ସେତିକିବେଳେ ତା’ ବାପ ଠିକ୍‌ ଓହ୍ଲାଇ ଆସୁଥିଲେ ଓ ସେ ଦୁହେଁ ପରସ୍ପରକୁ ନିବିଡ଼ ଆଲିଙ୍ଗନ କଲେ । ସ୍ନେହ ପ୍ରକାଶ କରିବାରେ ତା’ ବାପା ଅତ୍ୟଧୀକ ଭାବପ୍ରବଣ ହୋଇ ପଡ଼ନ୍ତି ନାହିଁ ।

 

‘‘ମାଆ’ ମୋତେ ଉପରକୁ ଖିଅର ହେବାକୁ ପଠାଇଛନ୍ତି’’—ଆଲେନ୍‌ କହିଲା । ‘‘ତା’ହେଲେ ତୁ ଯା’’—ବାପା ଧୀରେ ଧୀରେ କହିଲେ । ଏହିପରି ସ୍ୱାଭାବିକ ଭାବରେ ସବୁ ଘଟିଗଲା-। ଯେତେଦିନ ବାହାରେ ଥାଉନା କାହିଁକି, ସେ ଘରକୁ ଆସିଲେ ସେମାନେ ଠିକ୍‌ ଏମିତି ଚଳନ୍ତି । ସବୁ ସ୍ୱାଭାବିକ ! ସତେ କି ସେ ଦୂରକୁ କୁଆଡ଼େ ଯାଇ ନ ଥିଲା । ସେ ଘର ଭିତରକୁ ପଶିଯାଇ ତାର ବ୍ୟକ୍ତିଗତ ବସାଉଠା କରିବା ଘରକୁ ଚାହିଁ ରହିଲା, ସେଇଠି ତାର ବଡ଼ ଶୋଇବାଘର । ଯାହାର ସୁନ୍ଦର ଝରକାଗୁଡ଼ିକ ତଳକୁ ତାର ଗାଧୁଆଘର । ହଠାତ୍‌ ତାର ମନେହେଲା, ଏଇ ଘର ଭିତରେ ଜୋସୁ ଓ ସେ ରହିପାରିବେ । ବୋଧହୁଏ ତା’ ବାପା ବିରକ୍ତ ଓ ବ୍ୟସ୍ତ ନ ହୋଇ ସେମାନେ ଏଇଠି ରହିବାକୁ ପସନ୍ଦ କରିବେ । ତା’ ବାପା କେବେ ବିମର୍ଷ ଥିବା ସେ ଦେଖିନାହି । ଏଇ ଜଞ୍ଜାଳମୟ ସଂସାରରେ ଏଇ ସ୍ଥାନଟି ସତେ କି ଗୋଟିଏ ବୈକୁଣ୍ଠପୁର ! ଜୋସୁ ଓ ସେ ଏଠି ରହି ନ ପାରିବା ଭଳି କିଛି କାରଣ ସେ ଦେଖିପାରିଲା ନାହିଁ ।

 

ସେଇ ରାତିରେ ସେ ଜୋସୁକୁ ଲେଖିଲା, ‘‘ପ୍ରିୟତମ ! ମୁଁ ମୋର ନିଜ ଘରେ ବସିଚି—ଯେଉଁ ଘରେ ତୁମେ ମୋ ସହିତ ରହିବ । ତୁମକୁ ମୁଁ ସବୁ କଥା ବିଶଦ ଭାବରେ ଲେଖୁଚି; କାହିଁକି ନା ଆଗରୁ ଜାଣିଥିଲେ ତୁମେ ଏ ପରିବେଶକୁ ଖୁବ୍‌ ଆପଣାର କରିପାରି । ତୁମେ କ’ଣ ସେଇ ଅନ୍ଧବିଶ୍ୱାସକୁ ସତ ଭାବୁଚ ? ବଡ଼ ଆଶ୍ଚର୍ଯ୍ୟ କଥା !’’

 

ଏହିପରି ସେ ନିଜର ରୁମ୍‌, ଘରକଥା ସବୁ ବର୍ଣ୍ଣନା କଲା । ତା’ ବାପା—ମା ଦେଖିବାକୁ କେମିତି, ଜହ୍ନ ଆଲୁଅରେ ତା ଝରକା ପାଖରେ ଥିବା ଡେସ୍କଉପରୁ ପର୍ବତ ଓ ଉପତ୍ୟକାର ଦୃଶ୍ୟ କିପରି ଦିଶେ, ଏସବୁ ବି ଲେଖିଲା । ତା ଡେସ୍କ ଉପରେ ସେବତୀ ଫୁଲ ରଖା ହୋଇଥିଲା । ସେସବୁ ଜାପାନ ର ଫୁଲ ଭଳି ବଡ଼ ବଡ଼ ନ ହେଲେ ବି ଛୋଟ ଓ ସୁନ୍ଦର । ସେ ବାପ-ମାଙ୍କ ସହିତ ଖାଇଲା, ସିନ୍ଥିଆ ସହିତ ନୁହେଁ । ସିନ୍ଥିଆ ଏଡମଣ୍ଡ ତା’ର ପିଲାଦିନର ବନ୍ଧୁ । ଭଉଣୀ ଭଳି ହୋଇପାରେ; କିନ୍ତୁ ତା’ ଘର ପାଇଁ ତାର ଅନ୍ୟ କିଛି ସଂଜ୍ଞା ନାହିଁ; ଏ କଥା ସେ ଜୋସୁକୁ କହିଥିଲା-। ସେ ବି ଏଇଲେ ଏକମାତ୍ର ସନ୍ତାନ, କାରଣ ତା’ ଭାଇମାନେ ଯୁଦ୍ଧରେ ମରିଚନ୍ତି । ଜଣେ ପ୍ରଶାନ୍ତ ମହାସାଗରରେ ଓ ଆଉ ଜଣେ ଜର୍ମାନୀରେ । ‘‘ସେ ତୁମର ଭଲ ସାଙ୍ଗଟିଏ ହେବ । ସେ ବଡ଼ ସୁଶୀଳା ଓ ସ୍ନେହୀ । ସେ ତୁମଠାରୁ ବର୍ଷେ କି ଦୁଇ ବର୍ଷ ବଡ଼ ହେବ ।’’ ଏ କଥା ମଧ୍ୟ ସେ ଜୋସୁକୁ କହିଥିଲା ।

 

ସିନ୍ଥିଆ ଏଡେ ସୁନ୍ଦର ଓ ବଡ଼ ହୋଇଗଲାଣି ଦେଖି ଆଲେନ୍‌ ଆଶ୍ଚର୍ଯ୍ୟ ହେଲା । ଅବଶ୍ୟ ଡେରିରେ ତା’ ଦେହକୁ ଯୌବନ ଆସିଥିଲା । ତାକୁ ଆହୁରି ଭୀରୁ ଭଳି ଦେଖିଥିବାର ତା’ର ମନେଅଛି । ତା’ କୁଞ୍ଚକୁଞ୍ଚିଆ ବାଳଗୁଡ଼ାକ ଆଗେ ସିଧା ଥିଲା, ଚାଲିଚଳନରେ ଅତିମାତ୍ରାରେ ଭୟାତୁର ଭାବ ଫୁଟି ଉଠୁଥିଲା । ସାଙ୍ଗମାନଙ୍କ ଭିତରେ ସବୁଠୁଁ ଡେଙ୍ଗାଥିବା ହେତୁ ସମସ୍ତେ ତାକୁ ଥଟ୍ଟା କରୁଥିଲେ । ସେ ଆଗ ପରି ଭୀରୁ ନୁହେଁ । ତା’ର ସାଧାରଣ ଚେହେରାରେ ସୌନ୍ଦର୍ଯ୍ୟ ଭରି ଉଠିଛି । ତା’ର କେଶଗୁଡ଼ିକ ଚିକ୍‌ ଚିକ୍‌ କରୁଛି ମୋଡ଼ି ମୋଡ଼ି ହୋଇ । ଚମ ଚିକ୍‌କଣ । ତା’ର ଓଠ କୋମଳ ଓ ଅତି ଲାଲ ନୁହେଁ । ସେ ପତଳା ଓ ସୁନ୍ଦର ଦିଶୁଛି । ପୂର୍ବ ପରି ତା’ର ସ୍ୱାଭାବିକ ଗାମ୍ଭୀର୍ଯ୍ୟ ରହିଛି ଓ ସେ ମୁଣ୍ଡ ଉପରକୁ ଟେକି ରଖୁଚି ।

 

ସେ ଯେ ତାକୁ ଦେଖି ଖୁସିହୋଇଛି ଓ ଦେଖାଦେବାକୁ ଡ଼ରୁ ନାହିଁ, ଏ ବେଶ୍‌ ଖୁସିର କଥା । ସେ ତାକୁ ହଠାତ୍‌ ଜୋସୁ କଥା କହିଦେବା ପାଇଁ ଚାହୁଁଥିଲା; କିନ୍ତୁ ସେ ବାପା-ମା’ଙ୍କୁ କହି ନି-। ତେଣୁ ତାକୁ ଆଗ କହିଲେ କଥାଟା ସୁନ୍ଦର ହେବ ନାହିଁ, ତା’ପରେ ସେ ବି ତାକୁ ଏକାକୀ ଦେଖିବାକୁ ଚେଷ୍ଟା କଲା ନାହିଁ ।

 

ଜୋସୁ ପାଖକୁ ଏକ ଦୀର୍ଘ ଚିଠି ଲେଖିସାରି ସେ ଆଖିବୁଜି ବସିଲା ଓ ମା’ କଥା ମନେ ପକାଇ କଳ୍ପନା କରିବାକୁ ଲାଗିଲା । ଆସିବା ପୂର୍ବରୁ ତାକୁ ବିଭାହେବା ପାଇଁ ସେ ଠିକ୍‌ କରିଚି । ସେ ବର୍ତ୍ତମାନ ତା’ର ଓ ସେ ଏଇ ଘରକୁ ତା’ ପାଖକୁ ଶୀଘ୍ର ଆସିବ । କେହି ତାଙ୍କୁ ବିଚ୍ଛିନ୍ନ କରି ପାରିବେ ନାହିଁ । ସେ ମନେ ମନେ ଭାବିଲା—ଜୋସୁ ଏମିତି ତା’ର ଏଇ ବଡ଼ ଘରକୁ ପଶି ଆସୁଥିବ-। ସେ ହୁଏ ତ ଜାପାନୀ କିମୋନୋଟିଏ ପିନ୍ଧିଥିବ । ସେ ତାର ପ୍ରିୟତମା । ଏ ଘରର ସମସ୍ତଙ୍କ ପାଇଁ ସେ ଗୋଟିଏ ଛବି ପରି ସୁନ୍ଦର । ତାକୁ ପୂରା ଆମେରିକାନ୍‌ ଭାବରେ ସଜାଇବାକୁ ସେ ଚାହେଁ ନାହିଁ । ପ୍ରାଚ୍ୟ ସୌନ୍ଦର୍ଯ୍ୟ ରୀତିରେ ସେ ତାକୁ ସଜାଇ ରଖିବ । ଜୋସୁ ତା’ ଜୀବନରେ ଏକ ବଡ଼ ରହସ୍ୟ, ତା ଜୀବନର ଅଂଶୀଦାର—ଯେଉଁ ଅଂଶକୁ ଘରେ ଅନ୍ୟ କେହି ନେଇପାରିବେ ନାହିଁ ।

 

ବାଲ୍‌କୋନିରେ ମେଲାଥିବା ଫରାସୀ କବାଟ ପାଖକୁ ସେ ଗଲା । ବାହାରର ଜ୍ୟୋତ୍ସ୍ନାପୁଲକିତ ରାତିକୁ ଚାହିଁ ତା’ର ଜୀବନର ଅନେକ ବର୍ଷ ଯୁଦ୍ଧର ସମୟଗୁଡ଼ିକ ତା’ର ମନେପଡ଼ିଲା—ଅତି ଛୋଟ ଅବସ୍ଥାରେ ତାକୁ ନିଷ୍ଠୁର ଭାବେ ଜୀବନଠାରୁ ବିଚ୍ଛିନ୍ନ କରାହୋଇଥିଲା-। ସେ କଥା ସେ ଭାବିପାରୁ ନାହିଁ । ତା’ର ମସ୍ତିଷ୍କରେ ସେଇ ଦୃଶ୍ୟ ଏବେ ବି ଗଭୀରଦାଗ ରଖିଯାଇଛି—ସେଗୁଡ଼ିକ ଏପରି ତାକୁ ଆବୋରି ବସିଛନ୍ତି ଯେ ତାହାକୁ ସେ ଭୁଲି ପାରୁନାହିଁ । ଓଦା ଜଙ୍ଗଲର ମାଲେରିଆ ଜର ସତେ କି ସେ ଏବେ ବି ଅନୁଭବ କରିପାରୁଚି ! ଜୀବଜନ୍ତୁଙ୍କୁ ନେଇ ଭୟଙ୍କର ଜୀବନ । ଆଗରେ ମୃତ୍ୟୁର ଭୟ, କେବଳ ଶତ୍ରୁଙ୍କ ଯୋଗୁଁ ନୁହେ । ରୋଗ ଯୋଗୁ ବି । ଅଚାନକ ଭାବରେ ମୃତ୍ୟୁ ଆସି କେତେ ମୂଲ୍ୟବାନ ଜୀବନକୁ ନିର୍ମୂଳ କରିଦେଉଛି । ସୂର୍ଯ୍ୟକିରଣ ନ ପଡ଼ୁଥିବା ଦୂଷିତ ସ୍ଥାନ ରୋଗର ଜୀବାଣୁରେ ଭରପୁର । ସବୁଠାରୁ ଭୟଙ୍କର ସ୍ମୃତି ହେଉଛି ମଣିଷର କଠିନ ଚମ ଭିତରକୁ ଛୁରି ଚଳାଇବା ଓ ପରେ ଅତି କୋମଳ ଭାବରେ ଢଳିପଡ଼ିବା । ଆମେରିକାର ଏହି ସୌଧ ନିରାପତ୍ତା ମଧ୍ୟରେ ମୃତ୍ୟୁର ସେଇ ଆତଙ୍କ ସେ ଭୁଲିପାରୁନାହିଁ ।

 

ସେ ଘର ସାରା ଉଛୁଳା ଆନନ୍ଦରେ ଘୂରି ଆସିଲା । ବାଥ୍‌ରୁମ୍‌କୁ ଯାଇ ଗରମ ଓ ଥଣ୍ଡା ପାଣିର ପାଇପକୁ ଏକାବେଳକେ ମନ ଖୁସିରେ ଖୋଲିଦେଲା । ସୁବୃହତ୍‌ ଟବ୍‌ ଭିତରେ ଅନବରତ ଜଳର ଧାରା ଶବ୍ଦାୟିତ ହୋଇ ଝରି ପଡ଼ୁଥିଲା । ବର୍ତ୍ତମାନ ସେ ନିଜେ ସବୁ ଭୁଲିଯାଇ ଶୋଇ ପଡ଼ିବ ।

 

‘‘ତୁମେ କହିଲ ସେ କେମିତି ଦିଶୁଚି ?’’ ଶ୍ରୀମତୀ କେନେଡ଼ି ସ୍ୱାମୀଙ୍କୁ ପଚାରିଲେ ।

 

‘‘ବେଶ୍‌ ଖୁସି ଥିଲା ପରି ଜଣାଯାଉଚି’’ ସେ ଉତ୍ତର ଦେଲେ । ସେମାନେ ପରସ୍ପରର କକ୍ଷକୁ ଶୋଇବାକୁ ଯାଉଥିଲେ । ଖୋଲାଥିବା ମଝି ଦରଜାରେ ସେ ଠିଆ ହୋଇଥିଲେ । ତାଙ୍କର ରାତ୍ରିର ସିଲ୍‌କ ପୋଷାକ ଉପରେ ଗୋଟିଏ ଲେସର ଜାକେଟ ପିନ୍ଧିଥିଲେ ଏବଂ ସ୍ୱାମୀ ତାଙ୍କର ନିଜ ଅଣ୍ଟାର ଚାରିପାଖେ ପାଇଜାମାର ଫିତାକୁ ବାନ୍ଧୁଥିଲେ ।

 

‘‘ମୁଁ ଗୋଟିଏ ପଦ ବି କିଛି କହିବି ନି, ସେ ଜାଣୁ ଯେ ମୁଁ ସେ ବିଷୟରେ କିଛି ଜାଣିନାହିଁ-।’’ ଶ୍ରୀମତୀ କେନେଡ଼ି କହିଲେ । ‘‘ଭଲ କଥା ଗୁଡ଼ାଏ ଗପିବାରେ ମୋର ବିଶ୍ୱାସ ନାହିଁ-।’’ ମିଃ କେନେଡ଼ି ଉତ୍ତର ଦେଲେ । ଦରଜା ପାଖକୁ ଯାଇ ସେ ସ୍ତ୍ରୀଙ୍କୁ ଏକ ଗାଢ଼ ଚମ୍ବନ କଲେ । ‘‘ବରଂ ଶୋଇବାକୁ ଯାଅ-। ଆଜି ସାରାଦିନ ତୁମେ ଉତ୍ତେଜିତ ରହିଚ’’—ସେ ଉପଦେଶ ଦେଲେ ।

 

କିନ୍ତୁ ଶ୍ରୀମତୀ କେନେଡ଼ି କହିଚାଲିଲେ—‘‘ସେ ଭାରି ସୁନ୍ଦର ହୋଇଯାଇଚି । ତୁମେ ଜାଣ, ମୁଁ ପିଲାଦିନେ ଭାବି ନ ଥିଲି ଯେ ସେ ଏମିତି ହୋଇଯିବ ବୋଲି ! ସେ ତୁମରି ଭଳି ଦିଶୁଚି-। ତେଣୁ ମୁଁ ଖୁସି ।’’

 

‘‘କହିଯାଅ—କହିଯାଅ ।’’ ସ୍ୱାମୀ ପ୍ରତିବାଦ କଲେ । ‘‘ସେ ମୋ ଭଳି ଦିଶୁନି । ମୁଁ ମୋ ମା’ପରି । ସେ ମୋ ବାପାଙ୍କ ଭଳି ଦିଶୁଚି ।’’

 

ସେମାନେ ପରସ୍ପରକୁ ଚୁମ୍ବନ କରି ଅଲଗା ଅଲଗା ବିଛଣାକୁ ଚାଲିଗଲେ । ମଝି ଦରଜାଟି ଖୋଲା ରହିଲା । ରାତିରେ କୌଣସି ସମୟରେ ଶ୍ରୀମତୀ କେନେଡ଼ି ଉଠି ପଡ଼ି କବାଟ ପାଖକୁ ଆସି ବନ୍ଦକରି ଦିଅନ୍ତି । କେତେବେଳେ ସେ ବନ୍ଦ କରନ୍ତି, ସ୍ୱାମୀ ଜାଣନ୍ତି ନାହିଁ; କିନ୍ତୁ ପ୍ରତି ସକାଳେ ଏହା ବନ୍ଦଥାଏ । ତାର ମାନେ କ’ଣ—ସେ କେବେ ପଚାରନ୍ତି ନାହିଁ । ଯଦି ସେ କିଛି ପ୍ରତିକାର କରି ନ ପାରିବେ, ତେବେ ଖାଲି ପଚାରିବାରେ ତାଙ୍କର ବିଶ୍ୱାସ ନାହିଁ ।

 

‘‘ସେମାନେ ଜାଣନ୍ତି ।’’ —ସିନ୍ଥିଆ କହିଲା ।

 

ସିନ୍ଥିଆ ମାଙ୍କ ପାଇଁ ସକାଳେ ବଜାର ସଉଦା କରୁଥିଲା; କାହିଁକି ନା ମା’ ସବୁବେଳେ ପରିବା କିଣିବାକୁ ଭୁଲିଯାଆନ୍ତି । ସେ ଆକସ୍ମାତ୍‌ ଆଲେନକୁ ଭେଟିଲା । ପିଲାଦିନୁ ସିନ୍ଥିଆ ବଜାର ସଉଦା କରିବାକୁ ଏକା ଏକା ସହରକୁ ଆସେ । ସହର ଦୂର ନୁହେଁ । ଦି’ କଡ଼ରେ ଗଛ ଥିବା ରାସ୍ତାରେ ପନ୍ଦର ମିନିଟ୍‌ ଚାଲିଲେ ସେ ବଜାରରେ ପହଞ୍ଚି ହୁଏ । ତା’ର ନିଜର କାର ଥିଲେ ବି ସେ ଚାଲି ଚାଲି ଆସେ । ଏହା ଦ୍ୱାରା ଲୋକମାନଙ୍କ ସହିତ ଗପ କରିବାକୁ ସୁଯୋଗ ପାଏ । ତେଣୁ ସେ ଆଲେନ୍‌କୁ ଦେଖିଲା ଓ ଦୁହେଁ ସାଙ୍ଗ ହୋଇ ଚାଲିଲେ । ଯାଉ ଯାଉ ସେମାନେ ରାସ୍ତାରେ ଭେଟୁଥିବା ଚିହ୍ନା ଲୋକଙ୍କ ସହିତ ଗପସପ କଲେ ।

 

ତା’ପରେ ଆଲେନ ତାକୁ ଜୋସୁ କଥା କହିଲା । ସେ ତ କାହାକୁ ହେଲେ କହିବ । ସେ ସବୁବେଳେ ତା’ କଥା ଭାବିପାରୁନି, ପ୍ରତି ରାତ୍ରିରେ ଚିଠି ଲେଖିପାରୁ ନି, ପୁଣି କାହାକୁ କହି ବି ପାରୁନି । ଡ଼େରିରେ ହେଉ ବା ସଅଳ ହେଉ, ତା’ ବାପା ମା ନିଶ୍ଚୟ ଜାଣିବେ । ତେଣୁ ଯଥାସମୟରେ ସେମାନେ ବରଂ ଜାଣିବା ଉଚିତ୍‌ ।

 

ଯେ କେହି ତା’ରି ସ୍ତ୍ରୀ ହେଲେ ବି ତା ମା’ ସହଜରେ ସ୍ୱାଗତ କରିବେ ନି; ସେ ନିଜକୁ ନିଜେ ଭାବୁଥିଲା । ଥରେ ଯଦି ମା’ ଜାଣନ୍ତି ସେ ତାକୁ ବିଭା ହୋଇସାରିଚି, ତେବେ ଅନ୍ୟ କାହା ଅପେକ୍ଷା ଜୋସୁ ଯେ କମ୍‌ ଆଦର ପାଇବ, ଏ କଥା ଭାବିବାରେ କିଛି କାରଣ ନାହିଁ । କିନ୍ତୁ ଜୋସୁ ଯେ ଏଥିପାଇଁ ଅଧିକ ଆଦର ପାଇବ, ଏ କଥା ଆଲେନ୍‌ ଭାବିପାରୁ ନ ଥିଲା ।

 

ସେ ଚାହୁଁଥିଲା ଯେ ସିନ୍ଥିଆ ତା’ ନିଜ ପାଇଁ ଏସବୁ କଥା ଜାଣୁ । କିନ୍ତୁ ସେ ଏହା କାହାକୁ ଜଣାଇପାରୁ ନ ଥିଲା । ତା’ ନିଜକୁ ବି ନୁହେଁ । ଯେଉଁ ଲୋକମାନେ ଭାବନ୍ତି, ନାରୀମାନେ ସେମାନଙ୍କୁ ପ୍ରେମ କରନ୍ତି ବୋଲି, ସେ ସେମାନଙ୍କୁ ଘୃଣା କରେ । ସେମାନେ କେବଳ ବାହାଦୁରୀ ଦେଖାନ୍ତି । ତାର ଭାବପ୍ରବଣ ମନ ତାକୁ ବାରମ୍ବାର କହେ ଯେ ଜୋସୁକୁ ଦେଖି ନ ଥିଲେ ଘରକୁ ଆସି ସିନ୍ଥିଆ ପାଖକୁ ଫେରିଆସିବାକୁ ତାକୁ ସହଜ ହୋଇଥାଆନ୍ତା । ତା’ପ୍ରତି ସିବିଆର ସୁନ୍ଦର ରୁଚିକର ମଧୁର ବ୍ୟବହାରର ଆନ୍ତରିକତା ବିଷୟରେ ବୁଝିବାକୁ ଚେଷ୍ଟାକରି ନାହିଁ । ଏ କଥା ବି ହୋଇପାରେ ଯେ ସିନ୍ଥିଆ ସମସ୍ତଙ୍କ ସହିତ ଏମିତି ସମାନ ବ୍ୟବହାର କରେ । ସିନ୍ଥିଆ ଅତି ନିରୀହ ଭାବରେ କହିଲା, ସେମାନେ ସବୁକଥା ଜାଣିଛନ୍ତି । —‘‘ସେମାନେ ଜାଣନ୍ତି ?’’

 

ବିସ୍ମୟଭରା କଣ୍ଠରେ ଆଲେନ୍‌ ପଚାରିଲା ।

 

‘‘କଲୋନେଲଙ୍କ ସ୍ତ୍ରୀ ତୁମ ମାଆଙ୍କ ପାଖକୁ ସବୁକଥା ଲେଖିଥିଲେ’’—ସିନ୍ଥିଆ ତାର ଧୀର ମଧୁର ସ୍ୱରରେ କହିଲା । କଥା କହିଲାବେଳେ ତାର ପାଟି ତଳ ଆଡ଼କୁ କ୍ରମେ କ୍ରମେ ବଙ୍କା ହୋଇଯାଇଥିଲା । ତାର ବହୁତ ଚେଷ୍ଟା ସତ୍ତ୍ୱେ ପାଟି ସିଧା ରହିଲା ନି କାରଣ ଏଇଟା ତାର ଜନ୍ମଗତ ।

 

‘‘କଲୋନେଲ ତ ନିଜେ ବି ଜାଣନ୍ତି ନି ।’’ ଆଲେନ୍‌ ଆଶ୍ଚର୍ଯ୍ୟ ଭାବରେ ସିନ୍ଥିଆକୁ ଚାହିଁ ରହିଲା ।

 

‘‘ଏଠି ଠିଆ ହୁଏ ନା ଆଲେନ୍‌—ଲୋକମାନେ କଟମଟ କରି ଚାହୁଁଛନ୍ତି ।’’ ସିନ୍ଥିଆ କହିଲା ।

 

ସେ ଶୀଘ୍ର ଶୀଘ୍ର ଆଗକୁ ଚାଲିଲା । ତା’ ସାଙ୍ଗରେ ସିନ୍ଥିଆ ଦୌଡ଼ିଲା ପରି ଚାଲିଲା । ସିନ୍ଥିଆ ହସି ପକେଇଲା । ଆମେ ଦୌଡ଼ିବା କଥା ନୁହେଁ ତ । କ’ଣ କଲୋନେଲ ଜାଣିନାହାନ୍ତି ?’’

 

ସେ ନିଜର ଗତିକୁ କମାଇଲା । ‘‘ମୁଁ ଜୋସୁକୁ ବିବାହ କରିଚି । ତୁମ ଛଡ଼ା ଏ କଥା କେହି ଜାଣିନାହାନ୍ତି । ତୁମ ସାହାଯ୍ୟ ମୁଁ ଚାହେଁ; ତେଣୁ ତୁମକୁ ଜଣାଇଲି । ମୁଁ ସିଧା କିଓଟି ଯାଇ ବିବାହ କଲି । ତେଣୁ ଆମର ବିଚ୍ଛେଦ ହେଲା ନାହିଁ । ମୁଁ ଜାଣିଛି, ମତେ ଛୁଟି କାହିଁକି ଦିଆଯାଇଚି–କେମିତି ମୁଁ ଜୋସୁକୁ ଭୁଲିଯିବି ଏଇଥିପାଇଁ ।

‘‘କଲୋନେଲ ଓ ତାଙ୍କ ସ୍ତ୍ରୀ ଭାବିଲେ, ଯଦି ମୁଁ ଘରକୁ ଆସି ଏ ସବୁଥିରେ ପଶିଯିବି’’—ସେ ଦୃଷ୍ଟି ଲମ୍ବାଇ ଛାୟାଶୀତଳ ରାସ୍ତା, ଦୋକାନ ଓ ଅତିକ୍ରମ କରିଥିବା ବଡ଼ ଧଳାଘର ସବୁକୁ ଚାହିଁଗଲା । ‘‘ସେମାନେ ଭାବିଲେ ମୁଁ ଭୁଲିଯିବି । ତେଣୁ ସେ ଦୁଷ୍ଟ ସ୍ତ୍ରୀଲୋକଟା ମା’ଙ୍କ ପାଖକୁ ଲେଖି ଦେଇଚି ।’’

ସେ ବିରକ୍ତ ହେଉଥିଲା । ସିନ୍ଥିଆ ତାକୁ ରାଗରେ ତେରେଛି ଚାହିଁଲା ଓ ପରେ ପରେ ନିଜ ଲଜ୍ଜିତା ହେଲା । ବିଦେଶକୁ ଯାଇ ଗୋଟିଏ ବିଦେଶୀ ସ୍ତ୍ରୀକୁ ଗ୍ରହଣ କରିବାର କି ଅଧିକାର ତାର ଅଛି ? ତା’ପରି ଝିଅମାନଙ୍କର ଦଶା କଣ ହେବ ? ସେମାନେ ଆମେରିକାର ପଲ୍ଲୀ ଓ ଛୋଟ ସହରରେ କେତେ ଆଶା ନେଇ ଜୀବନର ସ୍ୱପ୍ନ ଦେଖୁଛନ୍ତି । ବିଦେଶୀ ସ୍ତ୍ରୀ ଲୋକମାନେ ନିଜ ଦେଶର ଲୋକଙ୍କୁ ବିଭା ହେବା ଉଚିତ । ଆଲେନ୍‌ ତାକୁ ବିଭା ହେବାର ଥିଲା । ସେ ବାଗ୍‌ଦତ୍ତା । ଯଦି ଆଲେନ୍‌କୁ ଏ ଯୁଦ୍ଧ ଯୋଗୁଁ ଜବରଦସ୍ତ ବିଦେଶ ପଠାହୋଇ ନ ଥାନ୍ତା, ବର୍ତ୍ତମାନ ସେମାନେ ବିଭାହୋଇ ସାରନ୍ତେଣି । ଏବକୁ ସେ କେନେଡ଼ିଙ୍କ ଘରେ ବାସ କରୁଥାନ୍ତା । ଜନ୍ମ ହେଲାଦିନୁ ଏଇ ଘରେ ସେ ଅଧିକାଂଶ ସମୟ କଟାଇଚି । ତା ବୟସ ଦିନୁ ଆଲେନ୍‌ ତା’ ଆଖିରେ ସୁନ୍ଦରତମ ରୂପନେଇ ଠିଆହୋଇଚି । ତା’ଠାରୁ ସେ ବେଶ୍‌ ଡ଼େଙ୍ଗା । ସେ କେବେ ତା’ଠାରୁ ଗେଡ଼ାଲୋକଙ୍କୁ ପସନ୍ଦ କରି ନ ଥାନ୍ତା । ଏଠି ଅଧିକାଂଶ ଲୋକ ତା’ ଠାରୁ ଗେଡ଼ା । ସେ ଏକ ସଭ୍ୟଦେଶର ଶିକ୍ଷିତା ନାରୀ ନ ହୋଇଥିଲେ ଏପରି ଏକ ଧାରଣା କରି ନ ଥାନ୍ତା । ସେ ଆଲେନ୍‌ ସହିତ ଏକମତ ନ ହୋଇ ତା’ ମାଙ୍କ ସହିତ ମନ୍ତ୍ରଣା କରିଥାନ୍ତା । ଜାପାନୀ ଝିଅକୁ ଏଠାକୁ ନ ଆଣିବାକୁ ଯଥାସାଧ୍ୟ ଚେଷ୍ଟା କରିଥାଆନ୍ତା ।

ସାମାନ୍ୟ ଦୁଃଖର ସହିତ ଆଲେନ ଗପି ଯାଉଥିଲା । ‘‘ମୁଁ ଯେତେ ଶୀଘ୍ର ଘରକୁ ଆଣିବାକୁ ଅନୁମତି ପାଇବି, ସେତେ ଶୀଘ୍ର ତାକୁ ଡ଼କାଇବି । ସୌଭାଗ୍ୟବଶତଃ ସେ ଆମେରିକାର ନାଗରିକ । ସେ ଏଠାରେ ଜନ୍ମ ହୋଇଚି । ସତରେ ସିନ୍ଥିଆ ପନ୍ଦର ବର୍ଷ ହେବାଯାଏ ଏଇ ଆମେରିକାରେ ସେ ଚଳିଥିଲା; ଏଇଠି ସ୍କୁଲରେ ପଢ଼ିଥିଲା । ତା’ର ଇଂରାଜୀ ଉଚ୍ଚାରଣ ଅତି ଭଲ । ସେ ନ ଭାବି ନ ଚିନ୍ତି ଆଲେନ୍‌ କେନେଡ଼ି ବୋଲି ଡ଼ାକୁଥିଲା ।’’

‘‘ମୁଁ ଭାବୁଚି, ଜଣେ ଜାପାନୀ ଝିଅକୁ ବିଭାହେବା କଷ୍ଟକର ।’’ ମିନ୍ଥିଆ କହିଲା । ତାର କ୍ରମ ରଙ୍‌ଗର ଫେଲଟର ଟୋପି ତଳେ ସେ ଗର୍ବର ସହିତ ହସୁଥିଲା । ରାସ୍ତାକୁ ଚାହୁଁଥିଲା ଓ ସମୟ ସମୟରେ ଚିହ୍ନା ଲୋକଙ୍କୁ ଅଭିବାଦନ କରୁଥିଲା ।

ସେମାନେ କେତେ ମିନିଟ୍‌ ପରେ ବରାବର ଠିଆହୋଇ ଉଭୟଙ୍‌କର ପରିଚିତ ଲୋକଙ୍କ ସହିତ ସାକ୍ଷାତ୍‌ କରୁଥିଲେ । ବର୍ତ୍ତମାନ ଆଲେନ୍‌ ଉତ୍ତର ଦେବା ପୂର୍ବରୁ ସେମାନେ ଠିଆ ହେଲେ ।

‘‘ଇଏ ତ ଆଲେନ୍‌ କେନେଡ଼ି !’’

ଦଳେ ସୁନ୍ଦରୀ ଝିଅ ତାଙ୍କର ଶୁକ୍ରବାରିଆ ସକାଳ କ୍ଲବକୁ ଯାଉ ଯାଉ ସେମାନଙ୍କୁ ଘେରିଗଲେ । ‘‘ଆମେ ତୁମକୁ ଏଇ ସକାଳ କ୍ଲବରେ ବୋଧହୁଏ ଦେଖିପାରିବୁ ନାହିଁ ସିନ୍ଥିଆ !’’

 

‘‘ଆମେ ତୁମକୁ ଦୋଷ ଦେବୁ ନାହିଁ ।’’

 

ସେମାନଙ୍କ କୋମଳ ଉଚ୍ଚକଣ୍ଠ ଶରତର ଶୀତଳ ପବନରେ ପ୍ରତିଧ୍ୱନିତ ହେଲା । ସେମାନଙ୍କର ଶରତକାଳୀନ ପୋଷାକ....ଛୋଟ ଛୋଟ ସୁନ୍ଦର ଜାକେଟ.... ଉଡ଼ୁଥିବା ସ୍ପାର୍ଟା, ଟାଇଟ ହେଉଥିବା ଟୋପି, ଚିକ୍‌ ଚିକ୍‌ ମାରୁଥିବା କେଶ ଓ ଉଜ୍ୱଳ ଆଖି । ଛୋଟ ସୁନ୍ଦର ଲୀଳାୟିତ ହାତଗୁଡ଼ିକରେ ସେମାନେ ଆଲେନ ଓ ସିନ୍ଥିଆକୁ ଘେରିଗଲେ—ସେମାନଙ୍କଠାରେ ଏକ ନିରୀହ, ନାରୀସୁଲଭ ଆଗ୍ରହ ଥିଲା । ସେମାନେ କଣେଇ କଣେଇ ଆଲେନ୍‌କୁ ଚାହୁଁଥିଲେ ଓ ନାଲି ଓଠରେ ଦର ଦର ହସ ଫୁଟାଉଥିଲେ ।

 

ପ୍ରତ୍ୟେକେ ସୁନ୍ଦର ସଜ୍ଜିତ ମୁଖମଣ୍ଡଳରେ ଏପରି ଏକ ସନ୍ଧାନୀ ଦୃଷ୍ଟିଥିଲା ଯେଉଁଥିରୁ ଜଣାପଡ଼ୁଥିଲା, ଜଣକର କେହି ପ୍ରିୟପୁରୁଷ ବନ୍ଧୁ ଆସିଲେ ସେ ଏହି ନାରୀ ବନ୍ଧୁମାନଙ୍କୁ ଛାଡ଼ି ବିନା ଦ୍ୱିଧାରେ ଚାଲିଯିବ । ପ୍ରତ୍ୟେକ ନାରୀ ଏୟା ଚାହୁଥିଲେ । କିନ୍ତୁ ସୌଭାଗ୍ୟବଶତଃ ସିନ୍ଥିଆ ଆଲେନ୍‌ ସହିତ ଯାଇଥିଲା । ସିନ୍ଥିଆର ସ୍ୱାଭାବିକ କୋମଳ ହୃଦୟରେ ପ୍ରତିଶୋଧର ଅଭିଳାଷ ଜାଗିଲା । ସେ ଝିଅମାନଙ୍କ ସହିତ ହସି ହସି ନରମ କଣ୍ଠରେ କହିଲା, ‘‘ଆଲେନ୍‌ ମୋତେ ଏକ ଅଦ୍ଭୁତ ସମ୍ବାଦ ଦେଉଥିଲେ । ଠିକ୍‌ ଘରକୁ ଆସିବା ପୂର୍ବରୁ ଏକ ସୁନ୍ଦରୀ ଜାପାନୀ ଝିଅକୁ ସେ ବିବାହ କରିଛନ୍ତି ।’’

 

ହଠାତ୍‌ ଝିଅମାନଙ୍କ ଚାହାଁଣୀ ବଦଳିଗଲା । ସେମାନଙ୍କ ମୁହଁରେ ପରିବର୍ତ୍ତନର ମୁଦ୍ରାମାନ କ୍ରମେ ସ୍ପଷ୍ଟ ହୋଇଉଠିଲା । ତଥାପି ସେମାନେ ଆପଣାକୁ ସଂଯତ କରି ମୁହଁରେ କୃତ୍ରିମ ଆନନ୍ଦ ପ୍ରକାଶ କଲେ ଏବଂ ଆଲେନ୍‌କୁ କହିଲେ, ‘‘ଓ ଆଲେନ୍‌, କି ଆଶ୍ଚର୍ଯ୍ୟ !’’

 

‘‘ତା’ କଥା ଆମକୁ କୁହ ।’’

 

‘‘ତୁମ ପାଖରେ ତା’ ଫଟୋ ଅଛି କି ?’’

 

ଆଲେନ୍‌ ସିନ୍ଥିଆକୁ ରାଗିକରି ଚାହିଁଲା । ‘‘କଥାଟାକୁ ଏମିତି ଖୋଲିଦେବାକୁ ମୁଁ କହି ନ ଥିଲି ।’’ ସେ କହିଲା ।

 

ଜୋସୁର ସ୍କୁଲପୋଷାକ ପିନ୍ଧିଥିବା ଏକ ଛୋଟ ଫଟୋ ବିଦାୟବେଳେ ସେ ଜୋସୁଠାରୁ ଆଣି ପାଖରେ ରଖିଥିଲା । ଏଇଟା ଭଲ ଫଟୋ ନୁହେଁ । ତା’ର ଚାହାଣୀ ଗମ୍ଭୀର, ପୋଷାକ ଭଲ ନୁହେଁ, କେଶ ମୁକୁଳା । କିନ୍ତୁ ସେମାନେ ତାକୁ ଝାମ୍ପି ନେଇ ପରସ୍ପରକୁ ଦେଖାଇଲେ ଓ ସେଇ ଯୁବତୀର ମୁଖକୁ ଦେଖି ଆଶ୍ୱସ୍ତ ହୋଇ ଦୟା ଦେଖାଇବା ଭଙ୍ଗୀରେ ପାଟିକଲେ, ‘‘ପ୍ରକୃତରେ ଆଲେନ୍‌ ! ତୁମେ ନିହାତି ରୁଚିହୀନ ନୁହଁ ।’’

 

ସେମାନେ ମୁଣ୍ଡ ହଲାଇ ହସି ହସି ଫଟୋଟିକୁ ସିନ୍ଥିଆକୁ ଦେଲେ ଓ ଚାଲିଗଲେ । ସିନ୍ଥିଆ ଯାଉ ଯାଉ ଜୋସୁର ମୁହଁକୁ ନିରୀକ୍ଷଣ କରୁଥିଲା । ଆଖିରେ ତାର ଭରି ରହିଥିଲା ବିଦ୍ରୁପ ଓ ବିସ୍ମୟ ।

 

‘‘ଏଇଟା ବିଶେଷ ଭଲ ଫଟୋ ନୁହେ । ସେ ପ୍ରକୃତରେ ସୁନ୍ଦର । ତାର ଜାପାନୀ ପୋଷାକରେ ସେ ଭାରି ସୁନ୍ଦର ଦିଶେ ।’’ ଆଲେନ କହିଲା । ‘‘ସେ ତ ଏଠି ଜାପାନୀ ପୋଷାକ ପିନ୍ଧି ପାରିବନି ନୁହେଁ କି ? ତାକୁ ଏଠାରେ ବଡ଼ ଅଡ଼ୁଆ ଅଡ଼ୁଆ ଲାଗିବ ।’’ ସିନ୍ଥିଆ ମତ ଦେଲା ।

 

‘‘ମୁଁ ସେଇଆ ଭାବୁଚି’’ ଆଲେନ୍‌ କହିଲା ଓ ଧୀରେ ଫଟୋଟି ତାଠୁଁ ନେଇ ତା’ର ବ୍ୟାଗରେ ରଖିଲା ।

 

ସେମାନେ କେତେ ମିନିଟ୍‌ ପାଇଁ ଚାଲିଲେ । ‘‘ତୁମେ କେମିତି ବିଭା ହେଲ, ମତେ କହିଲ ନାହିଁ ତ !’’ ସିନ୍ଥିଆ ପଚାରିଲା ।

 

‘‘ଆମେ ଏକ ବୌଦ୍ଧମନ୍ଦିରରେ ବିଭା ହେଲୁ । ବୌଦ୍ଧଧର୍ମ ସେମାନଙ୍କ ପରିବାରର ଧର୍ମ-।’’ ସେ ସରଳ ଭାବେ କହିଦେଲା !

 

‘‘ବାଃ, ବେଶ ମଜା ତ ! ସେ କଣ ଆମର ଚର୍ଚ୍ଚପରି ।’’ ଅଧିକ ଅନୁସନ୍ଧିତ୍ସାରେ ସିନ୍ଥିଆ ପଚାରିଲା ।

 

‘‘ହଁ, ସେମିତି । ଆବଶ୍ୟକୀୟ ବିଧିଗୁଡ଼ାକ ସବୁ ଧର୍ମରେ ସମାନ ବୋଲି ମୋର ମନେହୁଏ । ସେଠି ଜଣେ ମନ୍ତ୍ରୀ, ତାଙ୍କର ପୁରୋହିତ ଓ ଠାକୁର ଥିଲେ ।’’

 

‘‘ଠାକୁର ପୁଣି କଣ ?’’

 

–ମାନେ ମୂର୍ତ୍ତି । ଆମ କାଥୋଲିକ୍‌ମାନେ ପୂଜା କରୁଥିବା ମୂର୍ତ୍ତି ପରି । ଅବଶ୍ୟ ସେମାନେ ଠିକ୍‌ ମୂର୍ତ୍ତିକୁ ପୂଜା କରନ୍ତିନି । ମନକୁ ସନ୍ନ୍ୟାସୀ ଓ ଈଶ୍ୱରଙ୍କଠାରେ ଦୃଢ଼ କରି ରଖିବାକୁ ମୂର୍ତ୍ତ ଆବଶ୍ୟକ ହୋଇଥାଏ ।’’

 

‘‘ତୁମେ କ’ଣ ଶପଥ ନେଇଚି–ସବୁ କଥା ପାଳନ କରିଚ ?’’ ‘‘ହଁ, ମୁଁ ସବୁ ଶପଥ ନେଇଚି’’–ସେ ଦୃଢ଼ ଭାବରେ କହିଲା । ସିନ୍ଥିଆ କାହିଁକି ତାକୁ ଏତେ ଆପଣାର କରୁଚି । ତାର ବନ୍ଧୁ ହୋଇ ପଡ଼ୁଚି, ସେ ଆଶ୍ଚର୍ଯ୍ୟ ହେଲା । ‘‘କଣ ପାଇଁ ତୁମେ ସେ ଝିଅମାନଙ୍କ ଆଗରେ ସବୁ କଥା କହିଦେଲ ? ଏ କଥା ସାରା ସହରରେ ବ୍ୟାପିଯିବ ।’’ ସେ ପଚାରିଲା ।

 

‘‘ସେଇ ଯୋଗେ ତ ମୁଁ କହିଲି’’–ସେ ଅସାଧାରଣ ଭାବରେ ନମ୍ର ହୋଇ କହିଲା, ‘‘ଯେତେ ଶୀଘ୍ର ସମସ୍ତେ ଜାଣନ୍ତି, ସେତେ ଭଲ ।’’

 

‘‘ବିଦାୟ ଆଲେନ୍‌–ମୁଁ ଏଇଠି ରହିବି । ଏହା ଟୋପି ଦୋକାନ । ମୁଁ ଭାବୁଚି, ତୁମେ ଏଠିକି ଆସିବ ନାହିଁ ।’’

 

ସିନ୍ଥିଆ ମନେ ମନେ ଭାବିଲା, ଆଲେନ୍‌ ସହିତ ତାର ମିଳାମିଶା ଓ ବନ୍ଧୁତା ଆଉ ଲୋଡ଼ା ନାହିଁ ।

 

ଜୋସୁ ତାର ପ୍ରଥମ ଚିଠି ପାଇଲ । ତା’ ବିବାହ କଥା ଜାଣି ନ ଥିଲେ । ସେ ପୁଣି କଲେଜରେ ପଢ଼ୁଥିଲା । ତା ବାପା ଏ କଥା ପ୍ରଘଟ କରିବାକୁ ଚାହୁଁ ନ ଥିଲେ । କହୁଥିଲେ, ‘‘ଆମେରିକାରୁ ଆଇନସମ୍ମତ ପତ୍ର ନ ଆସିଲାଯାଏ ସେ ଏ କଥା ଜଣାଇବେ ନି ।’’ ଜୋସୁ ବାହାରେ ଥିଲା । ଏହି ସମୟରେ ପୋଷ୍ଟପିଅନ ଗୋଟିଏ ଲଫାପା—ଚିଠି ଦେଇଗଲା, ମା’ ଚିଠି ଯାଇ ଜାଣିଲେ ଓ ବାପାଙ୍କୁ ଦେଲେ । ଡକ୍ଟର ସାକାର ତାଙ୍କ ଡ଼େସ୍କର ଡ଼୍ରୟାରରେ ରଖିଲେ । ଦି’ଦିନ ଯାଏ ଜୋସୁକୁ ଦେଲେ ନାହିଁ । ଯେତେବେଳେ ଘରକୁ ଆସନ୍ତି ଓ ହସପିଟାଲକୁ ଯାଆନ୍ତି, ରୋଗୀମାନଙ୍କ ସହିତ ବ୍ୟସ୍ତ ଥାଆନ୍ତି । ଚିଠି ବିଷୟ ତାଙ୍କର ମନେପଡ଼େ, କିନ୍ତୁ ତାକୁ ଛୁଅଁନ୍ତି ନି । ସେ ଏବେ ତାଙ୍କର ପୁରୁଣା ବନ୍ଧୁ ମଃ ମାତ୍ସୁୟୀଙ୍କୁ ବରାବର ଦେଖାକରନ୍ତି; କାରଣ ତାଙ୍କର ଗଲବ୍ଲାଡ଼ର ପାଖ ଶ୍ୱାସନଳୀ ଫୁଲିଯାଇଛି ଓ ଶରତଋତୁରେ ଅଧିକ ଚିଙ୍ଗୁଡ଼ି ଖାଇବା ହେତୁ ତାହା ବଢ଼ୁଛି । ମିଃ ମାତ୍ସୁୟୀ ଭାବି ରକ୍ଷଣଶୀଳ । କିନ୍ତୁ ପ୍ରତି ଶରତ୍‌ରେ ସେ ମଦ ସହିତ କିଛି ଚିଙ୍ଗୁଡ଼ି ଖାଇବାକୁ ଚାହାଁନ୍ତି । ଏ ପ୍ରକାର ଖାଦ୍ୟ ସେ ଅତି ଭଲପାଆନ୍ତି । ଚିଙ୍ଗୁଡ଼ିମାଛ ତାଙ୍କୁ ବେଳେ ବେଳେ ରୋଗା କରାଏ ଓ ବେଳେ ବେଳେ ବେଶ୍‌ ରୁଚିକର ମନେହୁଏ; ଦେହ ଉପରେ କୌଣସି ଖରାପ ପ୍ରତିକ୍ରିୟା ବି ଆଣେ ନାହିଁ । ଶରତ୍‌ଋତୁରେ ଚିଙ୍ଗୁଡ଼ି ଲୋକଙ୍କୁ ରୋଗା କରେ । ତାଙ୍କ ଦେହ ଅତି ଖରାପ, ତେଣୁ କେତେଦିନ ହେଲା ତଃ ସାକାର ଉଦ୍‌ବିଗ୍ନ । କୋବରୀ ସବୁବେଳେ ତାଙ୍କ ଶଯ୍ୟା ପାଖରେ ବସିରହୁଚି । ବହୁ ଚେଷ୍ଟାରେ ଏଇ କେତେଦିନ ହେଲା ବାଗେଇଛନ୍ତି । କୋବରୀ ଏବେ ଘର ଛାଡ଼ି ନ ଗଲେ ବି ବାପାଙ୍କ ବିଛଣା ପାଖରେ ନ ରହି ଘରେ ପଢ଼ାପଢ଼ି କରୁଛି । ମିଃ ମାତ୍ସୁୟୀ ଯେ ଏଇ ଶକ୍ତ ବେମାରୀରୁ ବଞ୍ଚିଗଲେ, ଏଥିଲାଗି ସେ ଡକ୍ଟର ସାକାଚ୍ଚଙ୍କ ପାଖରେ ବଡ଼ କୃତଜ୍ଞ । ଲଜ୍ଜାର ସହିତ ସେ ଡକ୍ଟର ସାକାଇଙ୍କ କହିଲେ ଯେ, ସେ ଏ ବର୍ଷ ଏପରି ଶିକ୍ଷା ପାଇଛନ୍ତି ଯେ ଆଉ କେବେ ଚିଙ୍ଗୁଡ଼ି ଖାଇବେ ନି । ଆଜି ତାଙ୍କ ଦେହ ଖୁବ୍‌ ଭଲ ଲାଗୁଛି । ସେଥିପାଇଁ ଡକ୍ଟର ସାକାଇଙ୍କୁ ହସପିଟାଲ କାମ ପରେ ତାଙ୍କ ଘରକୁ ଯାଇ କିଛି ସମୟ ଗପ କରିବାକୁ ଡ଼ାକିଛନ୍ତି । ଡକ୍ଟର ସାକାର ନିମନ୍ତ୍ରଣ ରକ୍ଷାକଲେ । ସେ କ୍ଲାନ୍ତ ହୋଇଥିଲେ ବି ଝଅର ବ୍ୟବହାର ପାଇଁ ଅନ୍ତତଃ କୃତଜ୍ଞତା ଜଣାଇବା ଲାଗି ସୁଯୋଗ ପାଇବେ । ଡକ୍ଟର ସାକାର ଦୁଃଖର ସହିତ ଏ କଥା କହିଲେ, ମଃ ମାତ୍ସୁୟୀ ହସି ହସି ଡ଼ାହାଣ ହାତକୁ ହଲାଇଲେ । ‘‘ଏହା କିଛି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ ।’’ ସେ କହିଲେ । ତାଙ୍କ ବ୍ୟବହାର ଓ ଢଙ୍ଗରେ ଯେମିତି ଟିକେ ରାଗ ବା ପ୍ରତିଶୋଧର ଛାୟା ନ ପଡ଼େ, ଏଥିପାଇଁ ସେ ହୁସିଆର ଥିଲେ । ପୁଅପକ୍ଷ ପାଇଁ ଘଟଣାଟା ଏକ ଗୁରୁତ୍ୱପୂର୍ଣ୍ଣ ନୁହେଁ, ତେଣୁ ଡକ୍ଟର ସାକାର ଏ କଥା ବେଶ ଭୁଲିଯାଇ ପାରନ୍ତି—ଏହି ଭାବ ହିଁ ତାଙ୍କ ବ୍ୟବହାରରେ ପ୍ରକଟିତ ହେଉଥିଲା-

 

ଆଜିର ବିଳମ୍ବିତ ଅପରାହ୍ନରେ ବନ୍ଧୁଙ୍କ ବିଛଣା ପାଖରେ ବସି ସେ କଥା ଉଠାଇବାକୁ ଚାହିଁଲେ । ଘର ସାରା ନୀରବ । କବାଟ ବନ୍ଦ । ଶରତର ଥଣ୍ଡା ହେତୁ ଚଟାଣ ଉପରେ ଏକ ପିତଳ ଉହ୍ମେଇରେ କୋଇଲା ଜଳୁଥାଏ । ତେଣୁ ଘରଟି ବେଶ୍‌ ଉଷୁମ ଥାଏ । ଅଳ୍ପ ଖୋଲାଥିବା ଝରକା ବାଟେ ପବନ ପଶି ଘରୁ ଧୂଆଁ ଉଡ଼େଇ ନେଉଥାଏ ।

 

‘‘ମିଃ ମାତ୍ସୁୟୀ ତାଙ୍କର ଛାତିରେ ଭିଡ଼ା ହୋଇ ବାହୁତଳେ ବନ୍ଧା ହୋଇଥିବା ଧୂସର ସିଲକର ଛୋଟ କୋଟରେ ମୁଣ୍ଡ ଓ କାନ୍ଧ ଘୋଡ଼ାଇ ଶେଯରେ ଶୋଇଥାନ୍ତି । ସେ ଭଲ ହୋଇ ଯାଇଥାନ୍ତି ଓ ଦେହର ହଳଦିଆ ରଙ୍ଗ କମିଯାଇଥାଏ । ଯନ୍ତ୍ରଣାକାତର ମୁହଁ ତାଙ୍କର ଶାନ୍ତ ଦିଶୁଥାଏ-

 

‘‘ମୋ ଜୀବନ ପାଇଁ ମୁଁ ତୁମ ପାଖରେ ଋଣୀ’’—ସେ କହିଲେ । ‘‘ମୁଁ କେବଳ ମୋର କର୍ତ୍ତବ୍ୟ ହିଁ କରିଚି ।’’ ଡକ୍ଟର ସାକାର କହିଲେ । ‘‘କିଛି ଅଧିକ କରିଛନ୍ତି—ଯାହା ମୁଁ ଅନୁଭବ କରୁଚି-।’’ ମିଃ ମାତ୍ସୁୟୀ ପୁଣି କହିଲେ ।

 

ଡକ୍ଟର ସାକାଇ ବୁଝିପାରିଲେ । ତାଙ୍କ ଅନ୍ତର ପୂର୍ଣ୍ଣ ହୋଇଗଲା । ଆଗକୁ ଝୁଲିପଡ଼ି ଚୁପ୍‌ ଚୁପ୍‌ କରି କହିଲେ, ‘‘ମୁଁ ତୁମ ଉପଦେଶ ଚାହେଁ । ଗୋଟାଏ ଚିଠି ମୋ ଝିଅ ପାଖକୁ ଆସିଚି । ମୁଁ ଡ଼େସ୍କରେ ଅଛି । ମୁଁ ତାକୁ ନ ଦେଲେ କିଛି କ୍ଷତି ହେବ କି ? କେବଳ ତା’ର ସୁଖ ହିଁ ଏବେ ମୁଁ ଚାହୁଁଚି । ସେହି ଆମେରିକାନ୍‌ଠାରୁ ତାକୁ ଅଲଗା କରିବାକୁ ହେବ । ତୁମେ ଜାଣ—ତାରି ପାଇଁ ମୁଁ ସବୁବେଳେ ଚିନ୍ତିତ । ସେ ଆମେରିକାରେ ଦୁଃଖ ପାଇବ, ଯେମିତି ମୁଁ ପାଇଥିଲି ।’’

ଜଣେ ଅନ୍ତରଙ୍ଗ ବନ୍ଧୁ ପରି ମିଃ ମାତ୍ସୁୟୀ ସବୁ କଥା ବୁଝିଲେ । ବର୍ତ୍ତମାନ ସେ ଏଇ ଝିଅକୁ ବୋହୁ କରିବାକୁ ଚାହୁଁ ନ ଥିଲେ; କାରଣ ସେ ଜାଣିଥିଲେ ଯେ ବିବାହ ସରିଯାଇଛି । ତାଙ୍କ ପୁଅ ପାଇଁ ଏବେ ଜଣେ କୁମାରୀ କନ୍ୟା ଦରକାର ।

‘‘ମୁଁ ଭାବୁଚି, ତୁମେ ତାକୁ ଚିଠିଟା ଦେଇଦେଲେ ଭଲ ହେବ । ପୁଣି ସେ ତୁମ ଝିଅ । ମୁଁ ତୁମ କଥାରେ ରାଜି; କିନ୍ତୁ ପରିବାରରେ ଭଲ ସମ୍ବନ୍ଧଟା ରହିବା ଉଚିତ୍‌ ।’’ —ସେ କହିଲେ ।

ଡକ୍ଟର ସାକାଇ ଟିକିଏ ନଇଁ ପଡ଼ିଲେ । ମିଃ ମାତ୍ସୁୟୀ ହଠାତ୍‌ କଥା ବଦଳାଇଦେଲେ । ‘‘ମୁଁ ଭାବୁଛି, ଦାଣ୍ଡଘରଟାକୁ ଚାହାଭୋଜିର ଘର କରିଦେବି ।’’

ଏମିତି କେତେକ ମାମୁଲି କଥାବାର୍ତ୍ତା ପରେ ଡକ୍ଟର ସାକାଇ ବିଦାୟ ନେଲେ ।

ସଂଧ୍ୟାରେ ଯେତେବେଳେ ଜୋସୁ ବାପା-ମାଙ୍କୁ ଶୁଭରାତ୍ରି ଜ୍ଞାପନ କରିବାକୁ ଆସିଲା, ଡକ୍ଟର ସାକାଇ ତାଙ୍କ ଡ଼େସ୍କର ଡ଼୍ରୟାର ଖୋଲିଲେ ।

‘‘ତୁ ନ ଥିଲାବେଳେ ଏ ଚିଠିଟା ତୋର ଆସିଚି ।’’ —ସେ କହିଲେ । କେଉଁଦିନ ଚିଠିଟି ଆସିଚି; ସେ କହିଲେ ନାହିଁ କି ଜୋସୁ ବି ପଚାରିବାକୁ ଚାହିଁଲା ନାହିଁ । ସେ ବାପାଙ୍କୁ ଓ ପରେ ମାକୁ ନଇଁପଡ଼ି ଅଭିବାଦନ କଲା ଓ ଶୀଘ୍ର ଶୋଇବାଘରକୁ ପଶିଗଲା । ‘‘ଓ, ଏଇ ଚିଠି !’’ ପ୍ରଥମେ ସେ ଖୋଲି ପାରିଲା ନି । ଗାଲରେ, ଓଠରେ, ଛାତିରେ ଚାପିଧରିଲା । ତା’ପରେ ଭଲକରି ଦେଖିଲା । ଠିକଣାରେ ତା’ନାମ ସ୍ପଷ୍ଟ ଭାବେ ଲେଖାହୋଇଛି ଶ୍ରୀମତୀ ଆଲେନ୍‌ କେନେଡ଼ି; ତାକୁ କିମିତି କିମିତି ଲାଗିଲା । ତା’ ତଳକୁ ଜୋସୁ ସାକାଇ ଓ ରାସ୍ତାର ଠିକଣା, କିଓଟୋ, ଜାପାନ ଓ ସ୍ପଷ୍ଟ ଷ୍ଟାମ୍ପଗୁଡ଼ାକ—ଚିଠି ଏୟାରମେଲରେ ଆସିଚି—କେତେ ଖର୍ଚ୍ଚ ପଡ଼ିଲା ? ଜୋସୁ ଚିଠିଟି ପଢ଼ିବାକୁ ଖୁବ୍‌ ବ୍ୟଗ୍ର ହୋଇଉଠିଲା ! କିନ୍ତୁ ଆଗେ ସେ ଧୂଆଧୋଇ ହୋଇ ସଫାହୋଇ ସାରୁ । ତେଣୁ ତା’ ଛୋଟ ଆଲମିରାର ଡ଼୍ରୟାରରେ ଚିଠିଟି ରଖିଦେଇ ସେ ଶୋଇବାକୁ ପ୍ରସ୍ତୁତ ହେଲାଓ ତା’ର ନରମ ନୀଳ, ଧଳା ସିଲ୍‌କର ଶୋଇବା ପୋଷାକ ପିନ୍ଧିଲା । ବାଳ କୁଣ୍ଡାଇ ବାନ୍ଧିଦେଲା, କିନ୍ତୁ ମୁହଁରେ ସ୍ନୋ ଦେଲା ନି; କାଳେ ଚିଠିଟି ଦାଗ ହୋଇଯିବ । କଇଁଚି ନେଇ ଲଫାପାଟି ସାବଧାନରେ କାଟିଲା । ଷ୍ଟାମ୍ପକୁ ଛୁଇଁଲା ନି—ଧୀରେ ଭିତରର କାଗଜକୁ ଟାଣିଆଣିଲା ।

ସେ ତା’ ଜୀବନର ଏଇ ଅତି ଦରକାରୀ, ମୂଲ୍ୟବାନ ଚିଠିଟିକୁ ଭଲକରି ପଢ଼ିଲା ଓ ଆଲେନ୍‌ ଯାହା ଲେଖିଥିଲା, ତା ଆଖି ଆଗରେ ସେଗୁଡ଼ିକ ନାଚିଗଲା । ଲସ୍‌ ଆଞ୍ଜେଲସ୍‍ର ସ୍ମୃତି ପରି ତାକୁ ସବୁ କଥା ମନେହେଲା; କିନ୍ତୁ ସେ ଯାହା ମନେରଖିଛି, ତା’ ଅପେକ୍ଷା ଭର୍ଜିନିଆରେ ସବୁ କଥା ଭଲ । ସେ କଳ୍ପନାରେ କାଲିଫର୍ଣ୍ଣିଆର ପର୍ବତମାଳା, ବଗିଚା ଓ ଆଲେନ୍‌ର ପ୍ରାସାଦ ଭଳି ଘର ଦେଖିନେଲା । ସେ ଆଲେନ୍‌ ସହିତ ବାସକରିବା ଘରକୁ ବି ମନଖୁସିରେ ଅନ୍ଦାଜ କରିପାରିଲା-

ସେ ସବୁ କଥା ଲେଖିଥିଲା—ଗୋଟାଏ ବଡ଼ ବିଛଣା, ଯାହା ଉପରେ ସୁନେଲି ବ୍ରାଉନ କନା ଝୁଲୁଚି—ପର୍ଦ୍ଦାରେ ସୁନେଲୀ କ୍ରିମସନ୍‌ ଓ ଫିକା ହଳଦୀ ରଙ୍ଗ ଅଛି । ତଥାପି ଏ ଏକ ସାଧାରଣ ରୁମ । ସେ ଲେଖିଚି, କିନ୍ତୁ ସାଧାରଣ କେମିତି ହେବ ?

ବସିବା ଘର ନିଆଁ ଉନ୍ମେଇ ଅଛି, ତା’ପାଇ ଦୁଇଟା ବଡ଼ଘର ଜୋସୁ ପାଇଁ କି—ଏତେ ବଡ଼ ଘର ଯେ ପ୍ରାୟ ଏଠାକାର ବଗିଚା ଭଳି । ବଡ଼ ବଡ଼ ଝରକା, ଚୁଲି ଉପର କାନ୍ଥ ପାଖରେ ବହିଗୁଡ଼ାକ, ଗହୀରିଆ ପ୍ରଶସ୍ତ ଚୌକିସବୁ । ସେ ଲେଖିଚି—ସେ ଦୁହେଁ ବସିପାରିବେ । ସେ ବାରମ୍ବାର ଚିଠିରୁ ଘରକଥା ସବୁ ପଢ଼ିଲା, କାରଣ ସେଇ ଘରକୁ ସେ ନିଜର କରିବ । ଯେତେବେଳେ ସେ ପହଞ୍ଚିବ, ତାକୁ ଭଲ ଲାଗିବ । ତା ବାପା ମା’ ଭାରି ଭଲ ଲୋକ । କିନ୍ତୁ ଆଲେନ୍‌ ଏ ପର୍ଯ୍ୟନ୍ତ ସେମାନଙ୍କ ବିବାହ କଥା କହି ନି, ସେଥିପାଇଁ ଡ଼ରିବାର କିଛିନାଇଁ । ସେମାନେ ତାକୁ ଭାରି ଭଲପାଆନ୍ତି । ସେମାନେ ଜୋସୁକୁ ସ୍ୱାଗତ କରିବେ । ସେ ଯେମିତି ସୁନ୍ଦର ସୁନ୍ଦର କିମନୋ ନେବ, ରାସ୍ତାରେ ନ ପିନ୍ଧିଲେ ବି ସେଇ ଘରେ ପିନ୍ଧିବ ।

 

ପ୍ରଥମେ ସେ ଲ୍ୟାମ୍ପ ଲିଭାଇଦେଲା ଓ ଲେପତଳେ ପଶିଗଲା । ଚିଠିଟି ତା’ ଛାତିରେ ରହିଥାଏ । ନୀରବରେ ସେ ଅନେକବେଳ କାନ୍ଦିଲା; କାରଣ ଆଲେନ୍‌ ଏତେ ଦୂରରେ ସେ ତାରି ପ୍ରତିଟି ସ୍ମୃତିକୁ ସାଇତି କି ଛଟପଟ ନ ହେଉଛି !

 

ଆଲେନ୍‌ ଭାବିଲା—ଏଥର ସେ ତା ବାପା-ମାଙ୍କୁ ସବୁ କଥା ଫିଟାଇ କହିବ । ବାପା-ମା’ଙ୍କ କଥା ଭାବିଲାବେଳକୁ ମାଙ୍କୁ ହିଁ ସେ ଭାବେ । ତା’ ବାପା ବଡ଼ ଅମାୟିକ । ସେ ଏଥିରେ ନିଶ୍ଚୟ ରାଜି ହୋଇଯିବେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଆଗ ତା’ ବାପାଙ୍କୁ କହି ସେ ଯାହା କରିବ ତାହା ଠିକ୍‌ ଓ ଗ୍ରହଣୀୟ ହେବ କି ନା ? ତା’ ବାପାମାଆଙ୍କ ଭିତରେ ଥିବା ସମ୍ବୋଧନକୁ ସେ କଳନା କଲା । ସେ ଏ ସମ୍ବନ୍ଧର ସ୍ୱରୁପକୁ ଜାଣେ । ଛୋଟ ଛୋଟ ଘଟଣାରେ ବି ଜୀବନସାରା ଆଜି ପରି ଏଇ ସମ୍ବନ୍ଧ ସେ କଳନା କରି ଆସିଚି । ଯେତେବେଳେ ସେ ଭୀରୁ ବାଳକଟିଏ ହୋଇଥିଲା, ସେତେବେଳେ ସେ ବାପାଙ୍କ ପାଖକୁ ଯାଉଥିଲା, ମା ଓ ସେ ଦୁହେଁ ମିଶି ଗୁହାରି କରୁଥିଲେ । ତାର ପିଲାଦିନୁ ବଢ଼ି ଆସିଥିବା ନିଜର ଅଭିଜ୍ଞତା ଓ ଧାରଣା ଦ୍ୱାରା ସେ ମନାକଲା—ବାପା ତା’ ସାହାର୍ଯ୍ୟରେ ଆସିବେ ନି । ବାପାଙ୍କ ଜରିଆରେ କହିଲେ ମା ହୁଏ ତ ରାଜି ହେବେ । ସେ ଭାବିଲା—ବରଂ ଭଲ ମାଆଙ୍କ କହିବା । ତାର ମନେ ପଡ଼ିଲା ଚାରଲୋଟେସଭାଇଲର ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲାବେଳେ କାରଟିଏ ଅତି ଦରକାର ପଡ଼ିବାରୁ ସେ ମାଆଙ୍କୁ କହିଥିଲା । ବାପା ଟିକିଏ ଅନିଚ୍ଛା ପ୍ରକାଶ କରିଥିଲେ । ସେଥିପାଇଁ ମା’ ବେଶି ଜିଦ୍‌ କଲେ ।

 

‘‘ମୁଁ ଭାବୁଛି, ଆଲେନ୍‌ର କାର ଦରକାର । ସେ ଟିକିଏ ସ୍ୱାଧୀନତା ଚାହେଁ ।’’—ମାଆ କହିଲେ ।

 

ସେ ଏକ ଦୀର୍ଘ ନିଶ୍ୱାସ ଛାଡ଼ିଲା । ଆଚ୍ଛା, ଏବେ ବି ସେଇ ଆବଶ୍ୟକତା ରହିଛି । ସେ ତାଙ୍କ ପାଖକୁ ସିଧା ଚାଲିଯିବ, କାହିଁକି ନା ଘଟଣାଟା ଚାରିଆଡ଼େ ପ୍ରଚାର ହୋଇଗଲେ, ମାଆଙ୍କୁ ନ କହିଥିବାରୁ ସେ ରାଗିବେ ।

 

ଶଙ୍ଖମଲମଲ ପଥର ପାହାଚରେ ପ୍ରାୟ ଦଉଡ଼ି ଦଉଡ଼ି ସେ ବାରଣ୍ଡାକୁ ଗଲା ଓ ଘରକୁ ଯାଇ ମା’ଙ୍କୁ ଡ଼ାକ ପକାଇଲା ‘‘ମା ! କେଉଁଠି ଅଛି ?’’ ତା’ ଡ଼ାକ ମାଙ୍କୁ ଭଲ ଲାଗୁଥିଲା ।

 

‘‘ଏଇଠି, ଏଇ ଭଣ୍ଡାରଘର ।’’ ମାଆ ଦୂରରୁ କହିଲେ ।

 

ଘରେ ଏକ ପୁରୁଣା ଫେସନର ଆଠକଣିଆ ଭଣ୍ଡାରଘର ଥିଲା, ତା’ ଜେଜେଙ୍କ ବିଚିତ୍ର ରୁଚି ଅନୁସାରେ ପଛପାଖ ବାରଣ୍ଡାରେ ସେ ଘର ତିଆରି ହୋଇଥିଲା । ତା’ର ଦରଜା ଥିଲା ଖାଇବା ଘରକୁ । ସେତେବେଳେ ଏଇଟା ଡ଼୍ରଇଂ ରୁମ୍‌ ଥିଲା । ତା’ ବାପା ଡ଼୍ରଇଂ ରୁମକୁ ମରହଟ୍ଟୀ ଧରଣର ବୋଲି କହିଲେ । ତେଣୁ ପରେ ଲାଇବ୍ରେରୀ ଓ ତଳ ମହଲାର ଦାଣ୍ଡଘରଯାଏ ସେ ଘରଟି ବଢ଼ିଥିଲା ।

 

ଏକ ବଡ଼ ଫର୍ଣ୍ଣଗଛର କୁଣ୍ଡରୁ ମାଆ ମାଟି ଖୋଳୁଥିଲେ । ହାତରେ ଗ୍ଲୋଭସ୍‌ ପିନ୍ଧିଥିଲେ-। ତାଙ୍କ ପିତଳ କୋଡ଼ି ଝକ୍‌ ଝକ୍‌ ମାରୁଥିଲା । ସକାଳର ଲୋହିତ ସୂର୍ଯ୍ୟ ଫର୍ଣ୍ଣ ଉପରେ, ସେବତୀଫୁଲର କୁଣ୍ଡ ଉପରେ କିରଣ ଢାଳୁଥିଲା ।

 

‘‘କି ସୁନ୍ଦର ଏ ସେବତୀ ! ଜାପାନର ଫୁଲ ପରି ଏଗୁଡ଼ାକ ପରି ବଡ଼ ।’’ ସେ ଆଶ୍ଚର୍ଯ୍ୟ ହୋଇ କହିଲା । ସେ ଜାପାନ ବିଷୟରେ ଆଗ୍ରହ ଦେଖେଇଲେ ନି ।

 

‘‘ମୁଁ ଭାବୁଚି, ଆମେ ଏକ ନୃତ୍ୟର ଆୟୋଜନ କରିବା । ତତେ ସମସ୍ତେ ଦେଖିବାକୁ ଚାହୁଁଛନ୍ତି । ପ୍ରତି ମିନିଟ୍‌ରେ ଟେଲିଫୋନ ଆସୁଛି ।’’

 

‘‘ମୁଁ ତୁମକୁ ଗୋଟିଏ କଥା କହିବି । ସିନ୍ଥିଆ କହୁଚି, ତୁମେ ଜାଣି ସାରିଛ । ମୁଁ ଭାବୁଛି ତୁମେ ସବୁ କଥା ଜାଣି ନ । ସେ କହୁଚି, କଲୋନେଲଙ୍କ ସ୍ତ୍ରୀ ତୁମ ପାଖକୁ ଲେଖିଥିଲେ ।’’

 

ଶିଉଳିଲତା ଚେର ସବୁକୁ ମାଆ ଯତ୍ନର ସହିତ ଖୋଳୁ ଖୋଳୁ କହିଲେ, ‘‘ସେଇ ଜାପାନୀ ଝିଅ କଥା ତୁ କହୁଛୁ ?’’

 

‘‘ହଁ’’ ।

 

‘‘ଓ, ମୁଁ ତାକୁ ସେମିତି ଗୁରୁତ୍ୱ ଦେଇ ନି’’—ସେ ନରମ ଗଳାରେ କହିଲେ ।

 

‘‘ମୁଁ ଜାଣେ କଣ ଘଟିଛି । ତୁ ଦୂରରେ ରହିଲୁ, ସେଠି ବି କୌଣସି ସୁନ୍ଦର ଆମେରିକାନ ଝିଅ ନ ଥିଲେ, ଏଇଆ ହୋଇପାରେ; କିନ୍ତୁ ତୁ ତ ଘରକୁ ଆସିଲୁଣି—’’

 

‘‘ଟିକିଏ ରୁହ—ମା ।’’

 

ମା ଉପରକୁ ଚାହିଁ ଦେଖିଲେ, ପୁଅର ମୁହଁ ଶେଥା, ଓଠ କୁଞ୍ଚିତ ଓ ଶୁଖିଲା ହୋଇଯାଇଚି ।

 

‘‘କାହିଁକି, କ’ଣ ହୋଇଚି ଆଲେନ ?’’

 

‘‘ତୁମେ ଜୋସୁ ପ୍ରତି ଅନ୍ୟାୟ କରୁଛ । ତା ନାଁ ଜୋସୁ । ସେ ମୋର ସ୍ତ୍ରୀ ।’’

 

‘‘ଆଲେନ କେନେଡ଼ି !’’ ସେ ଦୁଷ୍ଟାମି କଲେ ପିଲାଦିନୁ ମା’ ତାକୁ ଏମିତି ପାଟିକରି ଡ଼ାକନ୍ତି । ଥରେ ସେ କ୍ଷୀର ଖାଉ ଖାଉ ସ୍ତନକୁ କାମୁଡ଼ି ଦେଇଥିଲା । ଖେଳନା ଫୋପାଡ଼ି ଦେଇଥିଲା । ତା’ ପୋଷାକକୁ ପ୍ରଥମ ଥର ପାଇଁ କାଦୁଅ କରିଦେଇ ସୁନ୍ଦର ହକି ଖେଳିଥିଲା । ତାଙ୍କ ମନିବ୍ୟାଗରୁ ଟଙ୍କା ଚୋରି କରିଥିଲା । ପ୍ରଥମ ଥର ଯେଉଁଦିନ ସିଗାରେଟ୍‌ ଖାଇଥିଲା ଓ ନାଚରୁ ମଦଖାଇ ଫେରିଥିଲା, ମା ଏଇ ସବୁଥିରେ ଏମିତି ପାଟି କରିଥିଲେ ।

 

‘‘ଆମେ ବିବାହ କରିଚୁ ମା’ ! ମୁଁ ତାକୁ ସିଧା ଘରକୁ ଆଣିବାକୁ ଚାହୁଁଚି ।’’

 

ସେ ଖଣତିଟା ରଖିଦେଲେ । ଗ୍ଲୋଭସ କାଢ଼ି ପକାଇଲେ । କହିଲେ, ‘‘ଲାଇବ୍ରେରୀକୁ ଆ—ଏ ବିଷୟରେ କଥା ହେବା ।’’

 

‘‘ଆଉ କହିବା ପାଇଁ ଅଧିକା କିଛି ନାହିଁ ମା’—ମୁଁ ବିବାହ କରି ସାରିଚି ।’’ ସେ ମାଆଙ୍କ ପଛେ ପଛେ ଗଲା । ନିଆଁ ନ ଥିବା ଚୁଲିର ଦୁଇ ପାଖରେ ଦୁହେଁ ବସିଲେ ।

 

‘‘କଣ ହୋଇଚି ମତେ କହ ।’’ ମାଆ ଜିଦ୍‍ କଲେ । ମାଆ ବସିଲେ । ହାତ ଦୁଇଟି ମୁଠାକରି । ସ୍ୱର ତାଙ୍କର କୋମଳ ଓ ଓଠରେ ମୃଦୁ ହସ । କିନ୍ତୁ ଆଖିରେ ଚାହାଁଣୀ ତାଙ୍କର ବିବ୍ରତ-। ଆଲେନ୍‌ ଦେଖିପାରିଲା ।

 

ସେ ମାଆଙ୍କୁ ସବୁ କଥା କହିଲା । ନିଜ ଉପରେ ଓ ତାଙ୍କ ଉପରେ ତା’ ମନରେ ରାଗ ଆସିଲା; କାରଣ ସେ ଆଉ ପିଲା ହୋଇ ରହିନାହିଁ, ତାକୁ ଆଉ ପିଲାଦିନର ପ୍ରେତ ଭଳି ଡ଼ରାଇ ହେବ ନି । ପିଲାଦିନେ ଭୁଲ କଲେ ଏଇ ଘରେ ମା’ ଯେମିତି ତାକୁ ବରାବର ଗାଳି ଦେଉଥିଲେ, ତା’ ଆଉ ହୋଇପାରିବ ନି । ସେ ସବୁବେଳେ କ୍ଷମା ମାଗୁଥିଲା ଓ ‘‘ମୁଁ ଦୁଃଖିତ’’ ବୋଲି ମାଙ୍କୁ କହୁଥିଲା । ସେ ଏବେ ଆଉ ତା’ କରିବନି । ମା’ଙ୍କୁ ସେ ଭଲପାଏ । ତାଙ୍କର ରାଗିବା ଚିଡ଼ିବା, ତାଙ୍କର କ୍ଷମା ମାଗିବା ପଦ୍ଧତି ବଦଳିବ ନି; ତେଣୁ ସେ ତାଙ୍କପ୍ରତି ସସ୍ନେହ ବ୍ୟବହାର କରିବା ଉଚିତ ହେବ ।

 

ସେ ବର୍ତ୍ତମାନ ଜିଦ୍‌ କରିବା ବାଟ ଧରିଲା ନି, ସେ ଖାଲି ମାଆଙ୍କୁ କହିବ । ଯଦି ସେ ତାକୁ ଘରେ ନ ପୂରାଇବେ, ସେ କଥା କୁହନ୍ତୁ—ପୃଥିବୀଟା ବେଶ୍‌ ପ୍ରଶସ୍ତ । ସେ ବି ବହୁଆଡ଼େ ବୁଲିଚି । ତା’ର ମନ ଯେଉଁଆଡ଼େ ହେବ, ସେଆଡ଼େ ଚାଲିଯିବ ।

 

କିନ୍ତୁ ମା’ ସବୁଦିନ ପରି ବ୍ୟବହାର ଦେଖାଇଲେ ନି । ସେ ସମସ୍ତ କଥା ସ୍ୱୀକାର କଲା-। ମା’ ବି ବେଶ୍‌ ଉଦାରତା ଦେଖାଇଲେ । କେବଳ ଜୋସୁ ସହିତ ଯେଉଁ ଦୁଇଟି ରାତି ସେ କଟାଇଥିଲା, ସେ କଥା କହିଲା ନି । ସେ ଶୁଣିଲେ । ରାଗିଲେ ନି; କିନ୍ତୁ ସେ ଯେ ଭୟଙ୍କର ବିଚଳିତ ହେଲେ, ଆଲେନ୍‌ ଏ କଥା ଦେଖିପାରିଲା । ସେ ନିଜକୁ ଏତେ ସଂଯତ କରୁଥିଲେ ଯେ, ଆଲେନ୍‌ ବାଧ୍ୟ ହୋଇ ନମ୍ର ହୋଇଗଲା । ସେ ରାଗିଥିଲେ ଭଲ ହୋଇଥାଆନ୍ତା । ତା ଦ୍ୱାରା ନିଜ ମତକୁ ଆଲେନ୍‌ ଦୃଢ଼ କରିପାରିଥାନ୍ତା ଓ ସବୁକଥା ନିଷ୍ପତ୍ତି ହୋଇ ପାରିଥା’ନ୍ତା ।

 

‘‘ତୁମେ ଜୋସୁକୁ ଶୀଘ୍ର ଭଲ ପାଇଯିବ । ସେ ଅନ୍ୟ ଜାପାନୀ ଝିଅ ଭଳି ନୁହେଁ, ମା ! ସେ ଭଲ ଇଂରାଜୀ କୁହେ, ଆମମାନଙ୍କ ଢଙ୍ଗରେ ଚଳେ ।’’ ଆଲେନ କହିଲା ଓ ତାର ତର୍କ କଲା ଭଳି ସୁର ତା’ ନିଜକୁ ବି ଖରାପ ଲାଗିଲା ।

 

‘‘ତୁ କଣ କହୁଚୁ ? ତା’ ରକ୍ତ ପୂରା ଜାପାନୀ ?’’ —ମାଆ ପଚାରିଲେ ।

 

‘‘ହଁ, କିନ୍ତୁ ତାର କାଲିଫର୍ଣ୍ଣିଆରେ ଜନ୍ମ । ମୁଁ ତୁମକୁ କହି ନି କି ?’’ ସେ ମାଆଙ୍କୁ କହିଥିଲା ଓ ପୁଣି ଥରେ କହିବାକୁ ଚାହିଁଲା । ‘‘ସେ ଜାପାନୀ ପରି ଦିଶେ ?’’ —ମାଆ ପଚାରିଲେ-

 

‘‘ସେମାନେ ନିଶ୍ଚୟ ଗୋରା ନୁହଁନ୍ତି ?’’ ମା’ ଟିକିଏ ଜୋରରେ କହିଲେ । ସେ ଏହାର ଉତ୍ତର ଦେଇପାରିଲା ନି । ମୁହୂର୍ତ୍ତକ ପାଇଁ ସେମାନେ ନୀରବ ରହିଲେ । ତା’ପରେ ମା’ ପୁଣି ଜୋରରେ କହିଲେ, ‘‘ଆମେ ଜାପାନୀ ସହିତ ଯୁଦ୍ଧ କରୁଚୁ, ସେମାନେ ଆମ ଶତ୍ରୁ । ପୁଣି ଏ କଥା ବଡ଼ ଅଦ୍ଭୁତ ! ପୂର୍ବ ପରି ଏ ସମୟ ନୁହେଁ । ତୁ ମତେ କହୁଚୁ ଜଣେ ଜାପାନୀ ଝିଅକୁ ଘରକୁ ସ୍ୱାଗତ କରିବା ପାଇଁ ?’’

 

‘‘ମା, ତୁମେ ଏକଥା କିପରି ଭାବୁଚ ? ମୁଁ ଯାହା କରିଚି, ସ୍ୱୀକାର କଲି । ଜୋସୁକୁ ଚିହ୍ନିଲା ଆଗରୁ ମୁଁ ବି ଏୟା ଭାବୁଥିଲୀ—ମୁଁ ଜାଣି ପାରୁ ନି, ଅନ୍ୟମାନଙ୍କ ସହିତ ମୁଁ ତାକୁ କାହିଁକି ଏକାପରି ଦେଖିପାରୁ ନି । କଥା ହେଉଛି, ମୋର ଚିହ୍ନା କୌଣସି ଲୋକ ସହିତ ମୁଁ ତାକୁ ତୁଳନା କରି ନି । ସେ ନିଜେଇ ଯଥେଷ୍ଟ । ମୁଁ ତାକୁ ଭଲପାଏ ଓ ବିବାହ କରିଚି । ଏଇଆ ହୋଇପାରେ, ତା’ର ପୂର୍ବପୁରୁଷମାନେ ପଶ୍ଚିମ ଦ୍ୱୀପର ନ ହୋଇ ପୂର୍ବ ଦ୍ୱୀପର ଲୋକ । ମନେକର ସେ ଇଂଲଣ୍ଡରେ ବି ଜନ୍ମ ହୋଇ ପାରିଥାନ୍ତା ।’’

 

‘‘ଆମ ପୂର୍ବପୁରୁଷମାନେ ଇଂଲଣ୍ଡରୁ ଆସିଚନ୍ତି,’’—ମା’ କହିଲେ । ‘‘ଏଇ ତ ଛୋଟ ଦ୍ୱୀପଟିଏ’’ ସେ ପୁଣି କହିଲା । ତା’ପରେ ସେ କଣ ଭାବି ଟିକିଏ ହସିଲା ‘‘ତୁମେ ଯାହା ଭାବୁଛ, ତା’ ବାପା ସେୟା ଭାବୁଥିଲେ । ମୁଁ ଗୋରା ବୋଲି ସେ ମତେ ଜାମାତା ପାଇଁ ମନା କରୁଥିଲେ ।’’

 

ଏଥିରେ ମାଆ ଆଗ୍ରହ ପ୍ରକାଶ କଲେ ନି । ସେ ଡକ୍ଟର ସାକାଇଙ୍କୁ କଳ୍ପନା କରିପାରିଲେ ନାହିଁ । ଆଲେନ୍‌ ଚିନ୍ତିତ ହୋଇ ରକ୍ତାଭ ଗାଲିଚାକୁ ଚାହିଁଲା ।

 

‘‘ଶ୍ରୀମତୀ ସାକାଇ ଭାରି ଭଲ ଲୋକ । ସେ ପ୍ରକୃତରେ ଜାପାନୀ, ଫଟୋରେ ଥିବା ଝିଅମାନଙ୍କ ପରି ।’’ ଆଲେନ୍‌ ମା’ ହଠାତ୍‌ ମୁଣ୍ଡ ଉଠାଇ ପଚାରିଲେ, ‘‘ଫଟୋରେ ଥିବା ଝିଅ ?’’

 

ସେ ଭାବିଲା, ଏ କଥା କହି ଠିକ୍‌ କରି ନି । ସେ ବହୁତ ଦିନ ତଳ କଥା । ଆମର ଏକତ୍ର ଆଶ୍ରୟ ଦେବା ଆଇନ୍‌ ଏସିଆନମାନଙ୍କର ପ୍ରବେଶକୁ ନିଷେଧ କରିଥାଏ । ଜାପାନର ଲୋକମାନେ ଜାପାନୀ ନାରୀ ଛବିରୁ କନ୍ୟା ପସନ୍ଦ କରନ୍ତି ଓ ନାଁ ରଖି ବିବାହ କରନ୍ତି ।

‘‘ଜାପାନରେ ବି ସେମାନେ କଦାପି ଖାନଦାନ ପରିବାର ହୋଇ ନ ଥିବେ ।’’ ସେ କହିଲେ, ତଥାପି ସେ ଆଗ୍ରହୀ ନ ଥିଲେ ।

ଆଲେନ ଆଣ୍ଠୁରେ କହୁଣୀ ଭରାଦେଇ ଆଗକୁ ନଇଁ ପଡ଼ିଲା; ମାଆଙ୍କ ମୁହଁରୁ ଟିକିଏ ହସ ଆଶାକରି ନିଜେ ହସିବାକୁ ଚେଷ୍ଟା କଲା ।

‘‘ଆଚ୍ଛା, ମା’ !’’

ମା’ ପୁଣି ତା’ ସହିତ ଆଖି ମିଳାଇଲେ । ‘‘ଯଦି ତୋରି କଥା ଅନୁସାରେ ବିବାହ ସରିଥାଏ—’’

‘‘ବିବାହ ସରିଚି’’, ସେ ଦୃଢ଼କଣ୍ଠରେ କହିଲା ।

‘‘କେବଳ ଏକମାତ୍ର କଥା ହେଉଚି—’’

‘‘କ’ଣ ମା ?’’

ସେ ଆଉ କହିଲେ ନି । ‘‘ନା କିଛି ନୁହେଁ । ମୋର ସେ ଗୋଟାଏ ବାଜେ ଧାରଣା ।’’

‘‘କିନ୍ତୁ ମା—’’

ଏଇ ସମୟରେ ସେ ଅଧୈର୍ଯ୍ୟ ହୋଇ ପାଟି କଲେ । ‘‘ନାଁ, ଆଲେନ୍‌ ମତେ କିଛି ସମୟ ଏକାକୀ ରହିବାକୁ ଦେ । ମୁଁ ତୋ ବାପାଙ୍କୁ କହିବି । ତାଙ୍କୁ ଆଘାତ ଲାଗିବ । ଆମେ ଏଇଠି ତତେ କୌଣସି ଝିଅ ସହିତ–ସିନ୍ଥିଆ ସହିତ ବିଭା ଦେବାକୁ ଭାବିଥିଲୁ । ଆମେ ଆଶା କରିଥିଲୁ–ସ୍ୱପ୍ନ ଦେଖିଥିଲୁ ଯେ, ଆମର ନାତିନାତୁଣୀ ଏଇ ଘର ଭିତରେ ଦୌଡ଼ିବେ । ଏଇଟା ଏଡ଼େ ବଡ଼ଘର । ମୁଁ ଯେତେ ସନ୍ତାନ ଚାହିଁଥିଲି, ତାହା ପାଇ ନ ଥିଲି । ତୁ ତ ଏହା ଜାଣୁ !’’

‘‘ପିଲା ବି ହୋଇପାରନ୍ତି ମା !’’ ମାଆଙ୍କୁ ସାନ୍ତ୍ୱନା ଦେବାକୁ କହିଲା ଓ ତା’ପରେ କଥାରେ ବଡ଼ ଭୁଲଟା ଦେଖିପାରିଲା । କାରଣ ମା’ ଏଇଲେ ପ୍ରକୃତରେ ନିଜକୁ ସଂଯତ କରିପାରିଲେ ନି ।

‘‘ଓ–ନା–ଆଲେନ୍‌’’ ପାଟି କରି ସେ ଦୌଡ଼ି ଚାଲିଗଲେ । ‘‘ମାଆ’’ ଭୟରେ ଆଲେନ୍‌ ପାଟିକରି ତାଙ୍କ ପଛରେ ଧରିବାକୁ ଦୌଡ଼ିଲା ।

 

ମା କାନ୍ଦି କାନ୍ଦି ତା’ ବାହୁରେ ପଡ଼ିଗଲେ । ତାଙ୍କ ଲୁହ କୌଣସି ମତେ ବନ୍ଦ କରିପାରିଲା ନି । ତା’ ଆଗରେ ମାଆ ଦୁର୍ବଳତା ଦେଖାଇ କାନ୍ଦନ୍ତି ନି ଏବଂ ସେ ଜାଣିଲା, ନିଜ ପାଇଁ ମା’ କାନ୍ଦୁନାହାନ୍ତି । ସେ ମା’ଙ୍କ ହାତ ଧରି କହିଲା, ‘‘ମା ! କାନ୍ଦନା ତୁମେ ଦେଖିବ—’’

 

କିନ୍ତୁ ମା’ ତା’ଠୁଁ ନିଜକୁ ଛଡ଼ାଇ ବାହାରିଗଲେ । ମି: କେନେଡ଼ି ସହରରୁ ବୁଲାବୁଲି ସାରି ଘରେ ପହଞ୍ଚିଲା ପରେ କିଛି ଗଣ୍ଡଗୋଳ ଘଟି ଥିବାର ଆଶଙ୍କା କଲେ । ବାପାଙ୍କ ମଲା ପରେ ସେ ନାସ୍‌ଭିଲ୍ଲେର ଟେନେସିର କପାକଳ ଓ କେଣ୍ଟକିର ଯୋତା କାରଖାନାର ଏକମାତ୍ର ଉତ୍ତରାଧିକାରୀ ହିସାବରେ ଅମାପ ଧନସମ୍ପତ୍ତି ପାଇଥିଲେ । ପ୍ରତ୍ୟେକ ଦିନ ସକାଳେ ଡ଼େରିରେ ଜଳଖିଆ ଖାଇସାରି ସେ କୌଣସି ବନ୍ଧୁ ଘରକୁ ଯାଆନ୍ତି । କିନ୍ତୁ କ୍ରମାନ୍ୱୟଭାବେ କୌଣସି ବନ୍ଧୁଙ୍କ ଘରକୁ ଯାଆନ୍ତି ନାହିଁ । ସେ ଅଳ୍ପ କଥାକହନ୍ତି ଓ ବହୁତ ଶୁଣନ୍ତି । ତେଣୁ ଦେଶ ଭିତରେ ବିଭିନ୍ନ ଜାଗାକୁ ଯାଇଥାଆନ୍ତି । ଅନାୟାସରେ କଂଗ୍ରେସକୁ ଯାଇ ସିନେଟକୁ ବି ଯିବା ଭଳି ଯୋଗ୍ୟତା ତାଙ୍କର ଅଛି; କିନ୍ତୁ ସେ ତାଙ୍କର ସାଧାରଣ ଜ୍ଞାନକୁ ଲୋକ ମଧ୍ୟରେ ବାଣ୍ଟିବାକୁ ଚାହାନ୍ତି ନାହିଁ । ଅନ୍ୟ କୌଣସି ପରିବାରରେ ବଢ଼ିଥିଲେ ହୁଏ ତ ସେ ଫିଲୋସଫିରେ ପ୍ରଫେସର ହୋଇ ପାରିଥାଆନ୍ତେ । ଭାଷା ସଂଯୋଜନା ଶକ୍ତି ଥିଲେ ସେ କବି ମଧ୍ୟ ହୋଇ ସାରନ୍ତେଣି । ଏ ସବୁ ନ ହେଲେ ବି ସେ ଜଣେ ଖୁସି ମିଜାଜ୍‌ର ଜ୍ଞାନୀଲୋକ । ନିଜର ଅପରିସୀମ ଜ୍ଞାନର ଗମ୍ଭୀରତାକୁ ସେ ଉପଭୋଗ କରନ୍ତି ।

 

ଚତୁର ଲୋକ ହୋଇଥିବାରୁ ସେ ଘରେ କ’ଣ ଘଟିଛି ଜାଣିବାକୁ, ଏଇ ମଜାଦାର ଦିନର ଦ୍ୱି ପହରବେଳେ ସାମ୍ନା ଦରଜା ଦେଇ ଭିତରକୁ ପଶିଲେ । ହାଙ୍ଗର ଉପରେ ନିଜର ଧୂସର ରଙ୍ଗ କନାର ଟପ୍‌ କୋଟଟିକୁ ଓ ଟୋପିଟିକୁ ଧୀରେ ଟଙ୍ଗାଇଦେଲେ ଓ ବାଡ଼ିଟିକୁ ହଲର କୋଣରେ ଥିବା ନୀଳ ରଙ୍ଗର ଚୀନାମାଟିର ବେସିନ୍‌ରେ ପକାଇ ଦେଲେ । ପ୍ରାୟ ସେହିକ୍ଷଣି ସେ ଉପର ମହଲାରୁ ତଳକୁ ଓହ୍ଲାଇ ଆସୁଥିବା ପୁଅର ପାଦଶବ୍ଦ ଶୁଣିବାକୁ ପାଇଲେ ।

 

ପାହାଚର ସବା ତଳ ମୋଡ଼ରେ ଓହ୍ଲାଇ ଆସୁ ଆସୁ ଆଲେନ୍‌ କହିଲା, ‘‘ବାପା ! ତୁମେ ଫେରିଲଣି, ଭଲ ହେଲା । ତୁମକୁ ମୁଁ ଖୋଜୁଥିଲି । ମୁଁ ବୋଧହୁଏ ମାଙ୍କୁ ଭୟଙ୍କର ବିଚଳିତ କରି ପକାଇଛି । ସେ ଘରେ କବାଟ ଦେଇଛନ୍ତି ।’’

 

କାବଟ ବନ୍ଦ କରିବା ଏକ ସଙ୍କେତ । ସେ ଦୁହେଁ ପରସ୍ପରକୁ ଚାହିଁଲେ ।

 

‘‘ମୁଁ ଜାଣିପାରୁ ନି କେମିତି ତୁମକୁ ଜଣାଇବି ?’’ ଆଲେନ୍‌ କହିଲା । ‘‘ମୁଁ ବୋଧହୁଏ ଅନୁମାନ କରିପାରିବି ।’’ ମି: କେନେଡ଼ି ଉତ୍ତର ଦେଲେ ।

 

ଶୂନ୍ୟ ଘରକୁ ସେ ଆଗେ ଆଗେ ଚାଲିଲେ ଓ ବସିପଡ଼ିଲେ । ‘‘ଏମିତି କିଛି ଘଟିବ ବୋଲି ମୁଁ ଜାଣେ ।’’ ସେ କହି ଚାଲିଲେ । ସେ କହି ଚାଲିଲେ ‘‘ଆମେ ଅନେକ ଆଗରୁ ଜାଣିଛୁ—ଜାପାନରେ ତୋର ବ୍ୟକ୍ତିଗତ ସ୍ୱାର୍ଥ ରହିଛି । କଲୋନେଲ...’’

 

ଅଧୈର୍ଯ୍ୟ ଓ ବ୍ୟସ୍ତ ହୋଇ ଆଲେନ କହିପକାଇଲା ‘‘ବାପା, ମୁଁ ଜୋସୁ ସାକାଇକୁ ବିଭା ହୋଇଛି ବୋଲି ମା ବିଚଳିତ ହୋଇ ପଡ଼ିଛନ୍ତି ।’’ ସେ ବଡ଼ ଭେଲଭେଟ ଚେୟାରରେ ବସି ପଡ଼ିଲା–ଏହା’ ଦ୍ୱାରା ସେ ଅଜାଣତରେ ପିଲାଦିନର ଶୃଙ୍ଖଳାକୁ ଅମାନ୍ୟ କଲା ।

 

ମି. କେନେଡ଼ିଙ୍କର ତଳକୁ କରିଥିବା ମଳିନ ବଡ଼ ମୁହଁଟି ଟିକିଏ ପାଟଳ ବର୍ଣ୍ଣ ଦିଶିଲା । ତାଙ୍କ ଚେହେରା ଖୁବ୍‌ ଭଲ...ମାଟିଆ ରଙ୍ଗର ଦାଢ଼ିକୁ ସେ ଭଲକରି ଖିଅର ହେଉଥିଲେ । ତଳ ଓଠରେ ଛେଳି ଦାଢ଼ି ପରି ଅଳ୍ପ ଦାଢ଼ି ରଖିଥିଲେ । ତାଙ୍କର ଧୂସର ମଳିନ ଆଖିପତା ନରମ ଓ ଅଧାବୁଜା ରହିଥିଲା । ସେ ବିବ୍ରତ ନ ହେବାଯାଏ ଆଖିପତା ଟେକୁ ନ ଥିଲେ । ବର୍ତ୍ତମାନ ସେ ଆଖିପତା ଉଠାଇଲେ ।

 

‘‘ବାବୁ, ତୁ ଏ କଥା ତ ଆମକୁ କହିପାରି ଥାଆନ୍ତୁ’’—ସେ କହିଲେ ।

 

‘‘ମୁଁ ଏତେ ଶୀଘ୍ର ବିଭା ହେବି ବୋଲି ଭାବି ନ ଥିଲି; କିନ୍ତୁ ହଠାତ୍‌ ବିଭା ହେବା ଠିକ୍‌ ମନେକଲି । ଏବେ ବି ମୁଁ ଭାବୁଛି ଠିକ୍‌ କରିଛି । ତା’ର ପରିବାର ଭଲ । ଖରାପ ପରିବାରରେ ବିଭା ହେବା ପିଲା ମୁଁ ନୁହେଁ—ମୁଁ ତା’ ଭାବିପାରେ ନାହିଁ । ହୁଏ ତ ଏଇ ସବୁକୁ ନିଜର କରି ମୁଁ ମାଆଙ୍କର ଧାରଣା ବଦଳାଇ ଦେଇଛି ।’’
 

ମି. କେନେଡ଼ି କିଛି ଉତ୍ତର ଦେଲେ ନାହିଁ । ତାଙ୍କର ପୁଅ ସହିତ ସମ୍ବନ୍ଧ ଅତି ନିବିଡ଼ ଓ ମଧୁର । ଭାବପ୍ରବଣତାର ସ୍ଥାନ ଏଠି ନାହିଁ ।

 

‘‘ଝିଅଟି କିପରି ?’’ ସେ ପଚାରିଲେ, ଚୌକି ଉପରେ ନିଜର ହାତକୁ ଲମ୍ବାଇ ଦେଇ । ହାତ ଦୁଇଟି ଅସହାୟ ଜଣା ପଡ଼ୁଥାଏ । ସତେ ଯେପରି ବହୁତ କାମ କରି ସେ ଦୁଇଟି କ୍ଲାନ୍ତ ।

 

‘‘ମା ଯଦି ପ୍ରକୃତରେ ଜୋସୁକୁ ବୋହୂ କରିବା ସମ୍ଭବ ବୋଲି ଭାବନ୍ତେ, ତେବେ ସେ ତାକୁ ଭଲପାଆନ୍ତେ ।’’ ଆଲେନ୍‌ ତର୍କ କଲା । ‘‘ସତ କଥା ବାପା, ମୁଁ ଭାଗ୍ୟବାନ । ଆମେ ପ୍ରଥମ ଦେଖାରେ ପରସ୍ପରକୁ ଭଲ ପାଇଲୁ । ସେ ଗୋଟିଏ ସରଳ ଝିଅ ପରି ଜଣାପଡ଼ୁଥିଲା; କିନ୍ତୁ ସେ ଭାରି ଭଲ ।’’

 

‘‘କେତେ ଦିନ ହେଲା ତୁ ତାକୁ ଜାଣିଲୁ ?’’ ମି. କେନେଡ଼ି ପଚାରିଲେ ।

 

‘‘ବେଶିଦିନ ନୁହେଁ । ତେବେ ମୋର ନିଶ୍ଚୟ ତାକୁ ଜାଣିବାକୁ ଏବେ ବି ଅନେକ ବାକି ଅଛି’’ । ସେ ଉଠିପଡ଼ି ଘରସାରା ବୁଲିଲା । ବାପାଙ୍କୁ ନ ଚାହିଁ କହି ଚାଲିଲା, ‘‘କେମିତି ଆଉ କାହିଁ କି ଏ ସବୁ ଘଟିଲା ମୁଁ କହିପାରୁ ନି । କାମ ଶେଷରେ ମୁଁ ଏବର୍ଷ ଅନେକ ବୁଲିଛି । ତା ପରେ ଦିନେ ସାଙ୍ଗମାନେ କହିଲେ, କିଛିଦିନ ଛୁଟି ନେଇ ସେମାନେ କିଓଟୋ ଓ ନାରାକୁ ବୁଲିବାକୁ ଯିବେ । ମୁଁ ମାସସାରା ଛୁଟି ନେଇଥିଲି । ତେଣୁ ତାଙ୍କ ସହିତ ଗଲି । ମୁଁ ତାକୁ କଲେଜ ଯାଉଥିବା ବେଳେ ଫାଟକ ପାଖରେ ଦେଖିଲି । ଆମେ ସେଇ ମନସ୍ତାତ୍ତ୍ୱିକ ମୁହୂର୍ତ୍ତରେ କେବଳ ପରସ୍ପରକୁ ଚାହିଁ ରହିଲୁ । ମୁଁ ସେଇ ମୁହୂର୍ତ୍ତରେ ତା’ ପାଖକୁ ଯାଇଥାଆନ୍ତି, ଭଗବାନଙ୍କ ଦୟାରୁ ସେତେବେଳେ ଗଲି ନାହିଁ । ପରଦିନ ମୁଁ ପୁଣିସେଇ ସମୟରେ ସେଇବାଟେ ଫେରିଲି ଓ ତାକୁ ଭେଟିଲି । ତୁମେ ଭାବ ନାହିଁ ଯେ, ସେ କେବଳ ସୁନ୍ଦର ବୋଲି ଏହା ଘଟିଛି । ବୋଧହୁଏ ତା ଠାରେ କିଛି ଅସାଧାରଣ ଶ୍ୟକ୍ତି ଥିଲା ଓ ମତେ ମଗ୍ନ କଲା । ମୁଁ ଏ ଭଳି ସ୍ତ୍ରୀଲୋକ ଦେଖିନାହିଁ । ବୋଧହୁଏ ସେ ପ୍ରାଚ୍ୟ ଦେଶର ବୋଲି ଏ ଭଳି ଲାଗେ—ମୁଁ କିପରି ବା ଜାଣିପାରିବି ? ମୁଁ ସେଠାରେ ତିନିବର୍ଷ ରହିଲି ଓ ଏଇ ପ୍ରାଚ୍ୟଭାବ ହୁଏ ତ ମୋ ରକ୍ତକୁ ଆସିଗଲା । ଏପରି ହୁଏ ବୋଲି ଲୋକେ କହନ୍ତି । ମୁଁ ସେମାନଙ୍କଠାରୁ ଶୁଣିଚି ଯେ, ସେମାନେ ଆମେରିକାନ୍‌ ଝିଅକୁ ବିଭା ହୋଇପାରନ୍ତି ନାହିଁ ।’’

 

ମିଃ କେନେଡ଼ି ଅସହାୟ ପରି ଜଣାଯାଉଥିଲେ । ତାଙ୍କର ମଳିନ ବଡ଼ ପାଟିଟା ବଙ୍କା ଦିଶୁଥିଲା । କିନ୍ତୁ ସେ ପ୍ରକୃତରେ ଅସହାୟ ହୋଇ ପଡ଼ି ନ ଥିଲେ । ସେ ଶୁଣୁଥିଲେ ଓ ଭାବୁଥିଲେ-। ସେ ଭଲଭାବରେ ଜାଣିଥିଲେ—ତାଙ୍କ ଜୋସେଫାଇନ, ତାଙ୍କ ଛୋଟ ସାମ୍ରାଜ୍ଞୀଟି ସବୁ କଥା ଠିକ୍‌ କରିଦେଇ ପାରିବ । ତାଙ୍କ ପୁଅର କଥା ସେ ବୁଝିଲେ । ଦକ୍ଷିଣ ଦେଶର ଲୋକମାନେ ସବୁ କଥା ବୁଝିପାରନ୍ତି ଓ ସ୍ତ୍ରୀମାନେ ସେମାନଙ୍କୁ ଏ ଦିଗରେ ସାହାଯ୍ୟ କରନ୍ତି ।

 

ଦକ୍ଷିଣର ଗୋରା ନାରୀମାନଙ୍କର ଶୃଙ୍ଖଳା ଓ ପ୍ରାଧାନ୍ୟ ବେଶି । ‘‘ତୋ ମାଆ କେବେ ଏ କଥା ପସନ୍ଦ କରିବେ ନି ।’’—ସେ କହିଲେ । ‘‘ଅନ୍ୟ କଥା ସେ ନ ଧରିପାରନ୍ତି; କାହିଁକି ନା ଆଉ ସବୁଥିରେ ସେ ଅଭ୍ୟସ୍ତ; କିନ୍ତୁ ଜଣେ ଗୋରା ନ ହୋଇଥିବା ନାରୀ, ମନେକର—ଏଇ ଘରକୁ ବୋହୂ ହୋଇଆସିବ—ଏ କଥା ପୂରାପୂରି...ମାନେ, ମୁଁ ଜାଣିପାରୁ ନି ସେ ୟାକୁ ଗ୍ରହଣ କରିବେ ବୋଲି । ବରଂ ଚାଲ, ଉପର ମହଲାକୁ ଯିବା ।’’

 

ତାଙ୍କର ଲମ୍ବା ଚୌଡ଼ା ହାତ ଉପରେ ଭରାଦେଇ ସେ ଉଠିଲେ । ଘରର ଚଟାଣ ଅତିକ୍ରମ କରି ପାହାଚରେ ଧୀରେ ପାଦ ଚିପି ଚିପି ଉପରକୁ ଉଠିଲେ । ସ୍ତ୍ରୀଙ୍କର ଶୋଇଲାଘର ଦରଜା ପାଖରେ ପହଞ୍ଚି ଆସ୍ତେ ଖଡ଼ଖଡ଼ କଲେ ।

 

‘‘କବାଟ ଖୋଲ ଚିନି—’’ ସେ ଡ଼ାକିଲେ । ସେ ଅପେକ୍ଷା କଲେ, କିଛି ସମୟ ପରେ ଚଟାଣରେ ତାଙ୍କର ପାଦଶବ୍ଦ ଶୁଭିଲା । ତା’ ପରେ କବାଟ ଫିଟିଲା ଓ ସେ ଭିତରକୁ ଯାଇ ଧୈର୍ଯ୍ୟ ଆଉ ସ୍ନେହର ସହିତ ତାଙ୍କୁ ବାହୁପାଶରେ ଆବଦ୍ଧ କଲେ । କାନ୍ଧରେ ମୁହଁ ରଖିବାରୁ ସେ ତାଙ୍କ ମସ୍ତକ ଥାପୁଡ଼ାଇ ଦେଲେ ।

 

‘‘ସେ ତୁମକୁ କହିଛି କି ?’’ ତାଙ୍କ କୋଳରେ ମୁହଁ ଗୁଞ୍ଜି ସ୍ତ୍ରୀ ପଚାରିଲେ ।

 

‘‘ହଁ ଚିନି ।’’

 

‘‘ଆମେ କ’ଣ କରିବା !’’

 

‘‘ମୁଁ ସବୁବେଳେ କହିବି ଚିନି, କିଛି ନ କରିବା ହେଉଛି ସବୁଠୁଁ ଭଲ । କ’ଣ ହେବାର ହୋଇଯାଉ ।’’

 

‘‘କିନ୍ତୁ ଝିଅଟାକୁ ସେ ଏଠାକୁ ନେଇଆସିବ ।’’

 

‘‘ଆମେ ତାକୁ ଆସିବାକୁ ଦେବା ।’’

 

‘‘ମୁଁ ଆସିବାକୁ ଦେବି ନାହିଁ ।’’

 

‘‘ଆଚ୍ଛା, ସେ ବି ଗୋଟାଏ କଥା । ତୁମେ ଯଦି ନ ଚାହଁ ସେ ହୁଏ ତ ଘର ଛାଡ଼ିଦେବ । ଅନ୍ୟ କେଉଁଠି ଯାଇ ରହିବ ।’’

 

ସ୍ତ୍ରୀ ତାଙ୍କୁ ଠେଲିଦେଲେ । ସେ ଦୀର୍ଘ ନିଃଶ୍ୱାସ ପକାଇ ଅପେକ୍ଷା କରି ରହିଲେ ଓ ସ୍ତ୍ରୀ ବିଷଣ୍ଣ ହୋଇ ଓଦା ରୁମାଲରେ କପାଳର ଦୁଇକଡ଼ ଘଷି ଘଷି ଘର ସାରା ବୁଲିଲେ ।

 

‘‘ମୋ ମୁଣ୍ଡ ବିନ୍ଧି ବିନ୍ଧି ଫାଟି ପଡ଼ୁଛି ।’’

 

‘‘ତୁମର ନିଶ୍ଚୟ ସେମିତି ହେବ ।’’

 

ସିଲ୍‌କ କନାରେ ଗୋଲାପ ଅଙ୍କାଥିବା ଏକ ଚୌକୀରେ ସେ ହୁସିଆର ହୋଇ ବସିପଡ଼ିଲେ । ଚୌକିଠାରୁ ସେ ଖୁବ୍‌ ବଡ଼, ତେଣୁ ତାଙ୍କୁ ଅସୁବିଧା ଲାଗିଲା । ଏ ଘରେ ଗୋଟାଏ ମାତ୍ର ଚୌକି ଅଛି, ଯେଉଁଥିରେ କି ସେ ଆରାମରେ ବସି ପାରନ୍ତି ।

 

ସ୍ତ୍ରୀ ମୁଣ୍ତ ଚିପିଲାବେଳେ ତାଙ୍କୁ ସାଦରେ ସେ ଅପେକ୍ଷା କରୁଥିଲେ । ସ୍ତ୍ରୀ ତାଙ୍କର ଯେତେ ମୁରବୀପଣ ଦେଖାଇଲେ ବି ଭାରି ନିରୀହ ଓ ଭଲଲୋକ । ନାରୀଜାତିର ସକଳ ଗୁଣ ତାଙ୍କଠାରେ ରହିଛି । ସ୍ତ୍ରୀ ତାଙ୍କ ନିଜ ଭଳି ହେଲେ ସୌନ୍ଦର୍ଯ୍ୟ ଓ ଶୃଙ୍ଖଳା କିଛି ରହିବ ନାହିଁ । ଘରଟା ମେସ୍‌ ପାଲଟିଯିବ ଓ ସହର ଗୋଟାକର ଲୋକେ ସୁବିଧା ମାରିନେବେ । ସେ ଆଶା କରୁଥିଲେ, ସ୍ତ୍ରୀଙ୍କଠାରୁ ଅଧିକା ସ୍ନେହ ପାଉଥିଲେ ଖୁସି ହୁଅନ୍ତେ; କିନ୍ତୁ ଜଣେ ଲୋକ ଏକ ସାଙ୍ଗରେ ଜଣେ ଭଲ ସ୍ତ୍ରୀ ଓ ପ୍ରେମିକା ହୋଇନପାରେ । ସେ ଅଧିକା ଉତ୍ସାହୀ ହୋଇଥିଲେ ବାହାରର ପ୍ରଲୋଭନରେ ପଡ଼ି ହଇରାଣ ହୋଇଥାନ୍ତେ । ସେ ଶାନ୍ତି ଚାହାନ୍ତି ଓ ଘରେ ହିଁ ତାଙ୍କର କାମ୍ୟ ଶାନ୍ତି ସେ ପାଆନ୍ତି ।

 

‘‘ଚିନି’’ ସେ ଧୀରେ ସମ୍ୱୋଧନ କଲେ । ‘‘ତୁମେ ଏକଥା ଗ୍ରହଣ କରିପାରିବ ନାହିଁ । ମନକଥା ମୁଁ ବେଶ୍ ଜାଣୁଛି । ମୁଁ ବି ସେହିଭଳି କିଛି ଅନୁଭବ କରୁଛି । ନାତିନାତୁଣୀଙ୍କ ମାଆ ହେବାକୁ ଆମେ ସିନ୍ଥିଆକୁ ଚାହିଁଥିଲେ । ହେଲେ, ଆମ ପୁଅ ଭିନ୍ନ କଥା ଚାହିଁଲା ଓ କଲା । ଆଉ ଏ କଥା ବଦଳାଇ ପାରିବାନି । ଆମକୁ ଗ୍ରହଣ କରିବାକୁ ହେବ । କି ଭଳି ଭାବେ ଏ ଘଟଣା ସୁନ୍ଦରଭାବେ ଗତି କରିବ, ତାହା ବର୍ତ୍ତମାନ ଦେଖିବା କଥା ।’’

 

ରୁମାଲଟା ବାରମ୍ୱାର ଗଣ୍ଠି ପକେଇ, ଫିଟେଇ, ଏ ପଟ ସେପଟ କରି ଚୂର୍ଣ୍ଣ କୁନ୍ତଳଜଡ଼ିତ ଆରକ୍ତ ମୁଖମଣ୍ତଳକୁ ନୁଆଇଁ ଏଇ ଦୁଃଖଦାୟକ ଘଟଣାକୁ ଭାବୁଥିଲେ । କେମିତି ଏ କଥା ସୁନ୍ଦର ଓ ସହଜ ହେବ । ‘‘ଟମ୍‌—କେବଳ ଦୁଇ ଜଣ ମଣିଷଙ୍କ ବ୍ୟତୀତ ବିବାହ ଏକ ଅଧିକ ଘଟଣା । ବିବାହରେ ଗୋଟିଏ ପରିବାର ଗଠନ ହୁଏ । ସେମାନଙ୍କର କ’ଣ ଛୁଆପିଲା ହେବ ନି ! ହେବ ନାହିଁ ତାଙ୍କର ସନ୍ତାନ ?’’

 

ସେ ଉତ୍ତର ଦେଲେ ନି । କ’ଣ ସେ ଲକ୍ଷ୍ୟକରି କହୁଛନ୍ତି ବୁଝିଲେ । ଛୋଟ ଛୋଟ ଅଧାଜାପାନୀ ନାତିନାତୁଣୀମାନେ ଏଇ ଘରେ ଦୌଡ଼ାଦୌଡ଼ି କରୁଥିବାର ଦୃଶ୍ୟ ବାସ୍ତବିକ ଅସହଣୀୟ । ‘‘ତାଙ୍କର ପିଲା ନ ହୋଇ ପାରନ୍ତି ।’’ ଏକ ପ୍ରକାର ଥମିଯାଇ ଉତ୍ତର ଦେଲେ ।

 

‘‘ତାଙ୍କର ପିଲା ହବ, ତୁମେ ଭଲକରି ଜାଣ । ସେଠାକାର ଜନ୍ମହାର ତୁମେ କ’ଣ ଜାଣ ନା । ପ୍ରାଚ୍ୟଦେଶର ସ୍ତ୍ରୀ ଗୁଡ଼ାକ ଠେକୁଆ ପରି ଜନ୍ମ କରନ୍ତି । ନା–ଏ ବିବାହର ପ୍ରତିରୋଧ କରାଯିବ ।’’ ସେ ପ୍ରତିବାଦ କଲେ ।

 

ସ୍ତ୍ରୀମାନଙ୍କ ପ୍ରତି ସେ ଅତି କୋମଳ ବ୍ୟବହାର କରଥାନ୍ତି । ତେଣୁ ସ୍ତ୍ରୀଙ୍କୁ ଅଧିକ କିଛି ପଚାରିଲେ ନି । ତାଙ୍କର ମୁହଁ ଓ ମାଟିଆ ରଙ୍ଗର କେଶ କ୍ଳାନ୍ତ ଓ ନିସ୍ପନ୍ଦ ଜଣାଗଲା ।

 

‘‘ଆଲେନ୍‌ର ବିବେକ ଫେରିଆସିବା ଉଚିତ୍‌ । ସେ ନିଜେ ଦେଖିବା ଉଚିତ ଯେ, ଏ କଥା ତା ପକ୍ଷରେ ଆଦୌ ସୁନ୍ଦର ହେବ ନାହିଁ ।’’

 

‘‘ଯଦି ସେ ବିଭାହୋଇ ସାରିଥାଏ ।’’ ସ୍ୱାମୀ କହିଲେ ।

 

‘‘ଛାଡ଼ପତ୍ର ଦେଇପାରିବ ।’’

 

ସ୍ତ୍ରୀଙ୍କର ମୁଖମଣ୍ତଳରେ ଉଜ୍ଜ୍ୱଳ ଚାହାଣୀ ଓ ଆଶା, ବିଶ୍ୱାସର ନିର୍ମଳ ଛାୟା ସେ ଦେଖିବାକୁ ପାଇଲେ । ରୁମାଲଟା ତାଙ୍କ ହାତରୁ ଖସିପଡ଼ିଲା ।

 

‘‘ଟମ୍, ହୁଏ ତ ସେମାନେ ପ୍ରକୃତରେ ବିଭା ହୋଇନାହାନ୍ତି ।’’

 

‘‘ସେ କହୁଛି ବିଭାହୋଇ ସାରିଛି ବୋଲି, ଚିନି ।’’

 

‘‘କିନ୍ତୁ ହୋଇପାରି ନ ଥାଏ । ତା’ପରେ ବୌଦ୍ଧଧର୍ମ କ’ଣ ? ସେ ତ ପ୍ରକୃତ ଧର୍ମ ନୁହେଁ-। ମନ୍ଦିରଟା ବି ଚର୍ଚ୍ଚ ନୁହେଁ । ମନ୍ଦିରରେ ପ୍ରତିମା ଗୁଡ଼ାଏ ଥାଆନ୍ତି । ସେହି ଜାପାନୀମାନେ ଆଲେନ୍‌ଠାରୁ ଫାଇଦା ଉଠେଇଛନ୍ତି ।’’

 

ବର୍ତ୍ତମାନ ସେ ସ୍ତ୍ରୀଙ୍କ ଲାଗି ଦୁଃଖ କଲେ । ‘‘ଆଲେନ୍‌ ପାଇଁ ଏସବୁର କିଛି ଅର୍ଥ ନାହିଁ । ସେ ତ ତାକୁ ବିଭାହୋଇଛି ବୋଲି ବିଶ୍ୱାସ କରିଛି ।’’

 

‘‘ଏବେ ଅବଶ୍ୟ ନୁହେଁ...କିନ୍ତୁ ଅପେକ୍ଷା କର । ଯେତେବେଳେ ସେ ଦେଖିବ, ଚଳିପାରିବ ନି—ଓଃ ଟମ୍‌, ଗୋଟାଏ ଗୋଟାଏ କଳାଆଖିଆ ସ୍ତ୍ରୀଲୋକ ଏଇ ଘରେ, ଏଇ ସହରରେ, ଚଳପ୍ରଚଳ ହେବା କଥା ତୁମେ ଭାବିପାରୁଚ ? ତାକୁ ଭୋଜିସଭାକୁ କିଏ ନିମନ୍ତ୍ରଣ କରିବ ? ଆମ ଜୀବନ ଶେଷ ହୋଇ ଯିବ ସିନା ।’’

 

ଭଲ ହେଉ ବା ମନ୍ଦ ହେଉ, ମିଃ କେନେଡ଼ି ସାମ୍ନା କରି ନେବାକୁ ପ୍ରସ୍ତୁତ । ‘‘ଚିନି, ମୁଁ ତଥାପି ଭାବୁଛି, ଏଇ ସହରରେ ତୁମ ଭଳି ଜଣେ ଦୀର୍ଘାଙ୍ଗୀ ନାରୀ ଏ ସବୁକଥା ଚଳାଇନେବ । ତୁମେ ଏ ସବୁ କଥା ଭଲରେ ଗ୍ରହଣକଲେ ଲୋକେ ତୁମକୁ ଭଲ ଭାବିବେ ।’’

 

ଶ୍ରୀମତୀ କେନେଡ଼ି ମୁଣ୍ତ ହଲାଇଲେ । ଥରିଲା ଓଠକୁ ଚାପି ରଖି କେଶ ଭିତରେ ହାତଦେଇ ମୁହଁ ଲୁଚାଇଲେ । ‘‘ମୁଁ ଏସବୁ ପାରିବି ନି ଟମ୍‌, ଏ କଥା ଘଟିବା ପାଇଁ ଓ ଆଲେନ୍‌ ମୋ କଥା ରଖିବା ପାଇଁ ମୁଁ ଚେଷ୍ଟା କରିବି ।’’

 

ମି:କେନେଡ଼ି ଉଠିପଡ଼ିଲେ । ‘‘ହଉ, ଏ ସ୍ଥଳରେ ମୁ ତୁମକୁ ସଦୁପଦେଶ ଦେଲି, ପୁଣି ଥରେ କହୁଛି—ତୁମ ପୁଅକୁ ତୁମେ ଜାଣ, ଚିନି—ତେଣୁ ତା’ର ଯତ୍ନ ନିଅ ।’’

 

ଅତିରିକ୍ତ ପିଇଦେଲେ ଦୁଃଖ ପାସୋର ଯିବ ଭାବି, ସେ ଚାଲିଗଲେ ।

 

ପାନୀୟକୁ ମିଶାଇ ସାରି ଫେଣ ମରିଯିବାକୁ ସମ୍ମୁଖସ୍ଥ ଦ୍ୱାର ପାଖରେ ରଖିଦେଇ ସେ ବସିଲେ—ଜୀବନରେ ଅଭିଳାଷ, ସମ୍ମାନ, ଜନମତ, ବିଳାସ ଓ ମାନବିକତାର ଚିତ୍କାର—ଏଇସବୁ ଦ୍ୱାରା ଅବରୁଦ୍ଧ ଜଣେ ମଣିଷର ସମସ୍ୟା ବିଷୟରେ ସେ ଭାବିବାକୁ ଲାଗିଲେ । ଯଦି ସେଇ ଛୋଟ ଜାପାନୀନାରୀଟି ଘରକୁ ଆସେ, ତାଙ୍କର କିଛି ଲାଭ ବା କ୍ଷତି ହେବ ନାହିଁ । ତାଙ୍କୁ ବିବ୍ରତ କଲାପରି କୌଣସି କାମ ସେ ଝଅଟି କରିବ ନି । ଯଦି ତାଙ୍କର ସ୍ତ୍ରୀ ଓ ପୁତ୍ର ଉଭୟେ ସୁଖ ନ ପାଇବେ, ସେ ନିଜେ ଅନ୍ତତଃ ସୁଖ ପାଇବେ ତ ! ଦାର୍ଶନିକମାନଙ୍କ ମତରେ ଭଲ ଖାଦ୍ୟ, ସୁନ୍ଦର ସ୍ୱାସ୍ଥ୍ୟ, ସବୁଠୁଁ ଭଲ ବିଛଣା ଓ ସୁନିଦ୍ରା ଦ୍ୱାରା ମଣିଷ ସୁଖୀ ହୁଏ—ସେ ସୁଖୀ ହେବେ । ସମସ୍ତ ମାନବିକ ଉତ୍ତେଜନା ସେ ହରାଉଥିବାର ଅନୁଭବ କଲେ । ସେ କିନ୍ତୁ ଉତ୍ତେଜିତ ହେବାକୁ ଚାହୁଁ ନ ଥିଲେ ଏଇ ଅଶୁଭ ସମ୍ୱାଦକୁ ସ୍ତ୍ରୀ ଯେ ସହ୍ୟ କରିପାରିଲେ, ଏଥିପାଇଁ ସେ ଖୁସି ହେଉଥିଲେ । ଭବିଷ୍ୟତ ପରିସ୍ଥିତି ବିଷୟରେ ସେ ନିଶ୍ଚିତ ନ ଥିଲେ । ସ୍ତ୍ରୀ ଓ ତାଙ୍କ ମଧ୍ୟରେ ଭଲ ବୁଝାମଣା ଥିଲେ, ସ୍ତ୍ରୀ ଏ ବିଷୟରେ ଅଧିକ କିଛି କହି ନ ଥାନ୍ତେ; ବରଂ ଯୋଜନାକୁ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ ଚାହିଁଥାଆନ୍ତେ । ଡେରିରେ ହେଉ ବା ସହଜ ହେଉ, ନିଜେ ସେ ସବୁ କଥା ଜାଣିଥାଆନ୍ତେ । ସେତେବେଳେ ସେ ବି କିଛି କହିନ୍ତେ ନାହିଁ । ଆଜି ରାତିରେ ଖାଇବା ଟେବୁଲରେ ସ୍ତ୍ରୀ ସ୍ୱାଭାବିକ ବ୍ୟବହାର କରିବେ । କାରଣ, ଘରେ ହଇଚଇ ସୃଷ୍ଟି ନ କରିବାର ଦକ୍ଷତା ତାଙ୍କର ଅଛି । ମା’ର ଏଇ ଭଲଗୁଣ ଆଲେନ୍‌ଠାରେ ବି ଅଛି । ସେ ବୋଧହୁଏ ସ୍ୱାଭାବିକ ବ୍ୟବହାର କରିବ । ସମୟକ୍ରମେ ସବୁ କଥା ସୁନ୍ଦର ଓ ସହଜ ହୋଇଯିବ । ଗୋଟିଏ ଘଟଣାରେ କିଛି ସମୟ ଜଡ଼ିତ ହେଲାପରେ, ସେମାନେ ହୁଏ ତ ଜୀବନର ଅବଶିଷ୍ଟ ସମୟ ପାଇଁ ତାହା ଗ୍ରହଣ କରିନେବେ । କଳାଆଖିଆ ଲୋକ ଦେଖିବାରେ ବି ଅଭ୍ୟସ୍ତ ହୋଇଯିବେ ।

 

ଆଲେନ୍‌ ଘରୁ ବାହାରି ଆସିଲାବେଳେ ଦେଖିଲା, ବାପା ଛାଇନିଦରେ ଶୋଇଛନ୍ତି ଓ ଖାଲି ଗ୍ଳାସଟା ତାଙ୍କ ଟେବୁଲ ଉପରେ ରହିଛି । ପାଦଶବ୍ଦରେ ମି. କେନେଡ଼ି ଉଠିପଡ଼ି ଦେଖିଲେ ଯେ, ତାଙ୍କ ପୁଅ ଖଣ୍ତେ ସୁଟ୍‌କେଶ୍‌ ଧରିଛି, କାନ୍ଧରେ ତାର ଟପ୍‌କୋଟ୍, ମୁଣ୍ତରେ ଟୋପି ।

 

‘‘ମୁଁ ଓ୍ୱାଶିଂଟନ୍‌ ।’’

 

‘‘କ’ଣ ପାଇଁ ସେଠାକୁ ଯାଉଛୁ କହିଲୁ ?’’

 

‘‘ମୁଁ ହୁଏ ତ ଚାକିରୀ ଖୋଜିବି । ଜୋସୁକୁ ନେଇଆସିବା ପାଇଁ କିପରି ସୁବିଧା କରାଯାଇପାରିବ, ଦେଖିବି ।’’

 

‘‘ମାଙ୍କୁ କହିଛୁ ?’’

 

‘‘ନା, ମୋ ପାଇଁ ଆପଣ କହିଦେବେ । ମୁଁ ଅଳ୍ପଦିନ ପାଇଁ ଯାଉଛି । ଚାକିରୀ ପାଇଗଲେ, ଆସି ମୋର ଜିନିଷପତ୍ର ନେଇଯିବି ।’’

 

‘‘ହଉ ବାବୁ ।’’

 

ବାପା ଆଖିପତା ନୁଆଇଲେ । ଆଲେନ୍‌ ରହିଯାଇ ପଚାରିଲା—

 

‘‘ମା କିପରି ଅଛନ୍ତି ?’’

 

‘‘ସେ ଭଲ ହୋଇଯିବ ।’’ ବାପା ନିଦୁଆ ସ୍ୱରରେ ହୁଇସ୍କି ଖାଇଲେ ସେ ବରାବର ଶୋଇପଡ଼ନ୍ତି ।

 

ପୁଅ ଦୁରରେ ଥିବା ବର୍ଷଗୁଡ଼ିକରେ ସେମାନେ ଅତି ଯତ୍ନରେ ତା’ପାଇଁ ଯେଉଁ କାର୍‌ଟି ରଖିଲେ, ପୁଅ ତା’ଉପରେ ବସିବା ସେ ଦେଖିଲେ ଓ ତା’ପରେ ଗଭୀର ଚିନ୍ତାରେ ଶୋଇଗଲେ ।

 

କୌଣସି ବସ୍ତୁ ଆବଶ୍ୟକ ବୋଲି ଶ୍ରୀମତୀ କେନେଡ଼ି ବିଶ୍ୱାସ କରୁ ନ ଥିଲେ । ତାଙ୍କର ଅନେକ ବନ୍ଧୁଙ୍କୁ ସେ ସନ୍ଦେହ କରୁଥିଲେ; କିନ୍ତୁ ବନ୍ଧୁମାନେ ପ୍ରତ୍ୟେକେ ଭାବୁଥିଲେ ଯେ, ଜୋସେଫାଇନ ତାଙ୍କର ପ୍ରିୟ ଓ ସେ ସେମାନଙ୍କୁ ବିଶ୍ୱାସ କରନ୍ତି । ସ୍ୱାମୀ ତାଙ୍କ ବିଷୟରେ ସାଧାରଣ ଭାବେ ଜାଣିଥିଲେ ଓ ସେତିକିରେ ସେ ଖୁସି । ଏ ସ୍ୱତନ୍ତ୍ର ନାରୀର ମନ ଓ ହୃଦୟ ସମ୍ପୂର୍ଣ୍ଣ ରୂପେ ଜାଣିବାକୁ ସେ ଭୟ କରନ୍ତି । ସେ ସ୍ୱାମୀଙ୍କୁ ସନ୍ଦେହ କରୁଥିଲେ ଯେ ସ୍ୱାମୀ ବେଶି କିଛି ଜାଣବାକୁ ଚାହାନ୍ତି । ସେ ନି, ଏବଂ ଭାବୁଥିଲେ ଯେ, ତାଙ୍କ ଘରକୁ ଆସିବାକୁ ଆାଶା କରୁଥିବା ଜାପାନୀ ଝିଅଟି ପ୍ରତି ସ୍ୱାମୀଙ୍କର ସମବେଦନା ଆସିଛି; ଯଦିଓ ଏହା ସ୍ୱାଭାବିକ ନୁହେଁ । ତଥାପି ସେ ସମବେଦନା ପ୍ରକାଶ କରିଦେବେ । ସେ ତ ଏ କଥାରେ କିଛି କରି କରିପାରିବେ ନି, ଗୁପ୍ତ ଭାବରେ ଆଲେନ୍‌ ପକ୍ଷ ସମର୍ଥନ କରିବେ । ପୁରୁଷମାନେ ପ୍ରେମ ଅପେକ୍ଷା ବିଦ୍ରୋହକୁ ବେଶି ଭଲ ପାଆନ୍ତି । ବେଳେବେଳେ ଶ୍ରୀମତୀ କେନେଡ଼ି ଭାବନ୍ତି, ବିଦ୍ରୋହ କରିବେ ।

 

ଆଲେନ୍‌ର ଅନୁପସ୍ଥିତିରେ ଘର ଭିତରେ ପୂର୍ବପରି ସବୁ ଚାଲିଲା ଓ ମି. କେନେଡ଼ି ଟେଲିଫୋନ୍‌ ରେ ସ୍ତ୍ରୀଙ୍କର ଆନନ୍ଦସୂଚକ ସ୍ୱର ଶୁଣିବାକୁ ବରାବର ପାଇଲେ ‘‘ଡ଼ାର୍ଲିଂ, ଆମେ ଏ କଥାକୁ ଗୁରୁତ୍ୱ ଦେବା ନି । ତୁମେ ତ ଜାଣ, ଆମେ ମା’ମାନେ ପୁଅମାନଙ୍କଠାରୁ କିଭଳି ଘଟଣା ଆଶାକରୁ...ଏଥିକି ବା ଉପାୟ କ’ଣ ? ଏହା ଯୁଦ୍ଧର ଏକ ଦୁର୍ଭାଗ୍ୟଜନକ ଅଂଶ ବୋଲି ଜାଣିବ ବା ସେ ସତରେ ବିଭା ହୋଇ ନି ମ, ମୁଁ ଭାବୁଛି ବୌଦ୍ଧମନ୍ଦିରରେ ତାଙ୍କର ନିର୍ବନ୍ଧ କରି କିଛି ଗୋଟିଏ ହୋଇଛି । ହୋଇଥିଲେ ବି ଏଠାରେ ତାର କିଛି ମୂଲ୍ୟ ନାହିଁ ବୋଲି ଭାବୁଛି । ଯାହା ହେଉ, ଆମେ ଏଇ କଥା ଆଉ କେବେ ପକାଇବା ନାହିଁ ।’’

 

ସୁଖର ଦିନ ଗୋଟିକ ପରେ ଗୋଟିଏ ଆସିଲା । ପୁଣି ବଗିଚାରେ ଗୋଲାପ ଫୁଟିବାକୁ ଆରମ୍ଭ କଲା । ଏ ଅଦିନିଆଁ ଗୋଲାପ ଫୁଲ ବସନ୍ତର ଫୁଲ ପରି ଏତେ ବଡ଼ ଓ ସୁନ୍ଦର ନୁହେଁ; କିନ୍ତୁ ଅଧିକ ସୁଗନ୍ଧଯୁକ୍ତ । ଆଲେନ୍‌ ମଝିରେ ମଝିରେ ପୋଷ୍ଟକାର୍ଡ଼ରେ ଶୀଘ୍ର ଘରକୁ ଯାଇ ଟ୍ରଙ୍କ ପତ୍ର ଆଣିବ ବୋଲି ଲେଖେ, କିନ୍ତୁ ଆସେ ନାହିଁ । ଡେରିର କାରଣ ସେମାନେ ଝୁଝିପାରନ୍ତି ନାହିଁ । ଓ୍ୱାଶିଂଟନର ଚାକଚକ୍ୟ ଭିତରେ ସେ ନିଜକୁ ବୋଧହୁଏ ହଜାଇ ଦେଇଛି । ଏବେ ବି ସେ ଯେଉଁ ଶପଥ କରିଛି, ତା’ର କିଛି ଅର୍ଥ ନଥାଇପାରେ ।

 

ଶ୍ରୀମତୀ କେନେଡ଼ି ଚିଠିଗୁଡ଼ିକ ବଡ଼ ପାଟିରେ ସ୍ୱାମୀଙ୍କ ଆଗରେ ପଢ଼ନ୍ତି । ତାଙ୍କ ଆଖିରେ ଅନାସକ୍ତ ଚାହାଣୀ ଥାଏ । ଏୟାରମେଲରେ ସେ କଲୋନେଲଙ୍କ ସ୍ତ୍ରୀଙ୍କ ପାଖକୁ ଚିଠ ପଠାନ୍ତି, ସମ୍ବାଦ ଜଣାଇ ଥିବାରୁ ଧନ୍ୟବାଦ ବିଅନ୍ତି ଓ ଅଧିକ ସାହାଯ୍ୟ ଆଶା କରନ୍ତି ।

 

‘‘ଆଲେନ୍‌କୁ ୟୁରୋପ ପଠାଇବା ସମ୍ଭବ କି ?’’ ସେ ବାଧ୍ୟ କଲେ ‘‘ତା ଦ୍ୱାରା ଅଦ୍ଭୁତ ଭାବରେ ସମାଧାନ ହୋଇଯାନ୍ତା, ଯଦି ସେ ଝିଅକୁ ଏଠାକୁ ଆଣିବା ପୂର୍ବରୁ ତାକୁ ଦୂରକୁ ପଠାଯାଆନ୍ତା, ତେବେ ଆମେ ସମସ୍ତେ ରକ୍ଷା ପାଆନ୍ତେ ।’’

ସେଥିପାଇଁ ଓ୍ୱାଶିଂଟନରେ ଅଫିସରୁ ଅଫିସ ବୁଲି ଆଲେନ୍‌ ଦେଖିଲା ଯେ, ପରିସ୍ଥିତି ଭିନ୍ନ ପ୍ରକାର ହୋଇଛି । ଜାପାନକୁ ଫେରି ନ ଯିବା ଭଲ । ସେ ସଙ୍ଗେ ସଙ୍ଗେ ତାର ବ୍ୟବସ୍ଥା କଲା-। ତା’ପରେ ଆକସ୍ମିକ ପ୍ରସ୍ତାବ ପାଇଲା, ସେ ୟୁରୋପ ଯିବ ଓ ଜାପାନ ଭଳି ସେଠାରେ କାମ କରିବ । ବିଦେଶୀ ରାଷ୍ଟ୍ରର ରାଜନୈତିକ ପରିସ୍ଥିତି ବିଶ୍ଳେଷଣ କରିବାରେ ତା’ର ବିଶେଷ ଦକ୍ଷତା ଥିବାରୁ ତାକୁ ଏ କାର୍ଯ୍ୟ ଦିଆଗଲା ଓ ଜର୍ମାନକୁ ଘେରି ରହିଥିବା କେତେକ ଦେଶର ଘଟଣା ଏଭଳି ବିଶ୍ଳେଷିତ ହେବା ଦରକାର ।

ଜଣେ ମୋଟା ରୁକ୍ଷ, ଅପାଠୁଆ ଅଫିସର ତାକୁ ବାଧ୍ୟକରି ଲେଖିଛି ‘‘ତୁମ ଫାଇଲ ପଢ଼ି ମୁଁ ଜାଣିଛି–କଲେଜ ଗ୍ରାଜୁଏଟଙ୍କ ଅପେକ୍ଷା ତୁମେ ଭଲ ଲେଖିପାର ।’’ ‘‘ଧନ୍ୟବାଦ’’ ଆଲେନ୍‌ କହିଲା ଓ ଜୋସୁକୁ ସାଥୀରେ ନେବଯିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସ୍ଥିରକଲା । ୟୁରୋପ ଭିନ୍ନ ଏକ ଜଗତ । ସେ ଅନେକ ଜାଗାରେ ରହି ସାରିଲାଣି । ମିଳାମିଶାର ମନୋବୃତ୍ତି ନେଇ ସେ ଘରକୁ ଗଲା । ଘଟଣାଟା ଭାବିବାକୁ ତାର ସମୟ ଦରକାର । ତେଣୁ ତାକୁ ଯଥେଷ୍ଟ ନନ୍‌ଅଫିସିଆଲ ଛୁଟି ନେବାକୁ ପଡ଼ିବ । ସେ ୟୁରୋପ ଯିବାକୁ ଇଚ୍ଛା ନ କଲେ ଭଲକଥା, ଏବେ ଓ୍ୱାଶିଂଟନରେ ତାର କିଛି କାମ ନାହିଁ । ସେ ଏ ଖବର ଭିତିରିଆ ଶୁଣିଛି । ସତେ ଯେମିତି ଜଣେ କେହି ତା ବିପକ୍ଷରେ କାମ କରୁଛି । କିନ୍ତୁ ତାର ଜାପାନ ଫେରିବାରେ ଆଗ୍ରହୀ ଥିବା ବୁଦ୍ଧ କଲୋନେଲ ଯେ ଏହା କରିବେ, ସେ ବିଶ୍ୱାସକରି ପାରିଲା ନି । ଓ୍ୱାଶିଂଟନରେ ଥିବା ଭିତରେ ସେ ସବୁ ଯୋଗାଡ଼ କରିଛି । ଜୋସୁ ଏଇ ଦେଶରେ ଜନ୍ମ, ତେଣୁ ଆସିବାରେ ପ୍ରତିବନ୍ଧକ ନ ଥିବା ସ୍ୱାଭାବିକ । ଭୁଲି ଯାଇଥିବା ବାଇବେଲ୍‌ର ପଂକ୍ତିଗୁଡ଼ିକ ତାକୁ ଶୁଭୁଥିଲା । ଏଣେ ତେଣେ ମନ ଉଡ଼ୁଥିବା ଛୋଟ ବାଳକଟି ଚର୍ଚ୍ଚରେ ବାଧ୍ୟ ହୋଇ ବସିଲେ ତା’ର ସ୍ୱରଟି ଯେଉଁଭଳି ଶୁଭିବ, ସେଣ୍ଟପାର୍ଲିଙ୍କର ସ୍ୱର ଜଣେ ରୋମାନ ଅଫିସର ଆଗରେ ସେହିଭଳି ଶୁଭୁଥିଲା । ରେମାନ୍‌ ଅଫିସର ରାଗିଯାଇ କହିଥିଲେ, ‘‘ବହୁତ ମୂଲ୍ୟଦେଇ ମୁଁ ମୋର ସ୍ୱାଧୀନତାକୁ କ୍ରୟ କରିଛି ।’’ ‘‘କିନ୍ତୁ ମୁଁ.....ସେଣ୍ଟପାର୍ଲ ଗର୍ବରେ ମୁଣ୍ଡଟେକି କହିଲେ, ମୁଁ ସ୍ୱାଧୀନ ହୋଇ ଜନ୍ମ ହୋଇଛି ।’’ ଜୋସୁ, ତା’ରି ପରି, ଆଲେନ କେନେଡ଼ି ପରି ସ୍ୱାଧୀନ ହୋଇ ଜନ୍ମ ହୋଇଛି । ଆଇନ ଅନୁସାରେ ସେ ଆମେରିକାନ୍‌ । ଏଇ ଅପରିବର୍ତ୍ତନୀୟ ସତ୍ୟକୁ ସେ ଧରିବ ।

ଦିନେ ରାତିରେ ଶୀଘ୍ର ଘରକୁ ଫେରିଲାବେଳକୁ ତାର ବାପା, ମା’ ବସି ଚେସ୍‌ ଖେଳୁଥିଲେ । ସେମାନେ ଭଲ ଖେଳାଳୀ, କିନ୍ତୁ ମା ଅପେକ୍ଷାକୃତ ବେଶୀ ଭଲ, କାରଣ ସେ ଜିତିଯାଆନ୍ତି । ବାପା ବେଶୀ ଖାତିରି କରନ୍ତି ନି । ଭିତରକୁ ପଶି ଆସି ଆସୁ ସେ କହିଲା, ‘‘କି ଓ ଚମ୍ପିୟାନ ମା’’ ସେମାନେ ଚମକି ପଡ଼ି ଖୁସିରେ ଚାହିଁଲେ, ତା’ର ମନେ ହେଲା ମା’ ଟିକେ ଗମ୍ଭୀର ଜଣା ପଡ଼ୁଥିଲେ । ନିଜ ଅନୁଭବକୁ ଜଣାଇ ସ୍ୱାଗତିକାର ଉଷ୍ମତାକୁ ନଷ୍ଟ କରିବାକୁ ସେ ଚାହିଁଲେ ନି-। ଉଠିପଡ଼ି ପୁଅର ଗାଲକୁ ଚୁମ୍ୱନ କଲେ ଓ ତାକୁ ବାହୁବେଷ୍ଟନୀରେ ରଖିଲେ ‘‘ଆଃ—ତୁ ଫେରି ଆସିଛୁ । ମୁଁ ଭାରି ଖୁସି । ମୁଁ ଭାବୁଛି ବାବୁ, ତୁ ଏ ପର୍ଯ୍ୟନ୍ତ ଚାକିରୀ ପାଇ ନୁ । ତୁ ନ ଥିଲାରୁ ଘର ଶୂନ୍ୟ ଲାଗୁଛି ।’’

‘‘ହଁ, ମୁଁ ଚାକିରୀ ପାଇଲି ନି । ବରଂ ସେମାନେ ଯେଉଁ ଚାକିରୀ ଦେଲେ, ମୁଁ ଚାହିଁଲି ନି-। ୟୁରୋପ ! ତୁମେ କହିଲ ମୁଁ କାହିଁକି ୟୁରୋପ ଯାଇ ଏସିଆରେ ଯାହା ଶିଖିଛି ତାହା ନଷ୍ଟ କରିବି ? ....କିଏ ଖେଳରେ ଜିତିବ ? ତୁମେ ? ମୁଁ ବାଜି ରଖୁଛି ।’’

‘‘ବସିପଡ଼ି । କ’ଣ କରିବା କହ । ସାଧାରଣତଃ ରାଣୀ ବେଶୀ ସଂପୃକ୍ତ ।’’ ବାପା କହିଲେ ।

 

‘‘ଧେତ୍‌, ଥାଉ । ଆଲେନ୍‌କୁ ଭୋକ ହବଣି । ବାବୁ, ତୁ ଖାଇ ସାରିଛୁ କି ?’’ ପାଟିକଲେ-

 

‘‘କିଛି ଖାଇ ନି ।’’ ଆଲେନ ଖୁସି ହୋଇଗଲା । ଏଇ ଦି’ଜଣ ତା’ ଉପରେ କଠୋର ହେଉ ନାହାନ୍ତି । ମା ତାଙ୍କ ନିଜ ରୀତିରେ ଜଣାଇ ଦେଉଛନ୍ତି ଯେ, ସେ ରାଗ ନାହାନ୍ତି । ସେ କେବେ ନିଜର ଭୁଲ ବୁଝିବେ ନି, ବୁଝିପାରିବେ ନି, ଇଏ ତାଙ୍କର ଢଙ୍ଗ । ସେ ଟିକେ ଆଶ୍ୱସ୍ତ ହୋଇ ହଠାତ୍‌ କ୍ଳାନ୍ତି ଅନୁଭବ କଲା । ହଜାର ଉପାୟରେ ଚଳିଲେ ବି ପୃଥିବୀରେ ସବୁ କିଛି ଜଟିଳ-। କିନ୍ତୁ ଏଇଠାରେ ସବୁଦିନ ଭଳି ଜୀବନ କଟିଯିବ । ଟିକି ଜୋସୁ ବି ଖୋଲା ଦରଜା ଦେଇ ଖସି ଆସିବ ଓ ଜୀବନରେ କିଛି ଅସଂଗତି ଦେଖାଯିବ ନି । ବଞ୍ଚଥିବା ଶାନ୍ତିରକ୍ଷା କରିବା ବାପା, ମା’ ଙ୍କର ଦାୟିତ୍ୱ । ମଲାପରେ ସେ ନିଜେ ଶାନ୍ତିରକ୍ଷା କରିବ । ତା’ର ଇଚ୍ଛାଶକ୍ତି ଓ ଶପଥ ବଳରେ ସେ ଏଇ ଘରର ସମ୍ମାନ ସବୁଦିନ ଭଳି ବଜାୟ ରଖିବ...ସୃଷ୍ଟିର ଶେଷ ପର୍ଯ୍ୟନ୍ତ ।

 

ଜୋସୁ ଚିଠିଟି ସବୁଦିନ ପରି ପ୍ରଥମେ ଶୀଘ୍ର ଶୀଘ୍ର ଓ ପ୍ରେମ ସମ୍ଭାଷଣକୁ ଟିକେ ସମୟ ଦେଇ ପଢ଼ିଲା । ଏ ଚିଠିଟା ଅତି ଗୁରୁତ୍ୱପୁର୍ଣ୍ଣ । ତା’ପରେ ଚିଠିରେ ଥିବା ସମସ୍ତ ଖବର, ନିର୍ଦ୍ଦେଶ ଓ ସବୁ ବର୍ଣ୍ଣନାଗୁଡ଼ିକୁ ହୃଦୟଙ୍ଗମ କଲାଭଳି ଅତି ଯତ୍ନ ସହକାରେ ପଢ଼ିନେଲା । ଏହାପରେ ଦିନରେ ଆହୁରି ଅନେକ ଥର ଚିଠିଟି ପଢ଼ିଲା, ଆଲେନର ନିକଟବର୍ତ୍ତୀ ହେବାର ଅନୁଭବ କଲା, ପରସ୍ପରଠାରୁ ଦୂରରେ ରହିଲେ ଅଦ୍ଭୁତ ଧରଣର ଭୁଲ ବୁଝାମଣା ସୃଷ୍ଟିହୁଏ । ତା’ର ବାହୁ ବନ୍ଧନରେ ଥିବାବେଳେ ବା ନିକଟବର୍ତ୍ତୀ ହେଲାବେଳେ ତା’ର ଚିନ୍ତା ନିର୍ବେଦ ହୁଏ ଓ ମନ ସ୍ଥିର ହୁଏ । କିନ୍ତୁ ତାଙ୍କ ଭିତରେ ସାତ ସମୁଦ୍ରର ଦୂରତ୍ୱ ଥାଇ ବି, ମନ ଭିତରେ ସେ ଦୁହେଁ ପରସ୍ପରର ସାନ୍ନିଧ୍ୟ ଲାଭ କରୁଛନ୍ତି । ଚିନ୍ତାର ସ୍ରୋତ ଏକତ୍ର ମିଳିତ ହେଉଛି ଓ ବୁଝାମଣା ସ୍ପଷ୍ଟ ହେଉଛି ।

 

ଏଇ କେତେମାସ ବିଚ୍ଛେଦ ଭିତରେ ଆଲେନ୍‌ର କିଛି ପରିବର୍ତ୍ତନ ହୋଇନାହିଁ । ପ୍ରକୃତରେ ତା’ର ପ୍ରଥମ ଧାରଣା ସତ, ଆଲେନ୍ ଏତେ ଦୃଢ଼ ନୁହେଁ । ସେ ବାପା ମା’ଙ୍କ ଉପରେ ନିର୍ଭରଶୀଳ । ଜୋସୁ ଭାବିଥିଲା, ଆମେରିକାରେ ଯୁବକ ଯୁବତୀମାନେ ପରିବାରଠାରୁ ପୁରା ସ୍ୱାଧୀନ । ଇଚ୍ଛାନୁସାରେ କାମ କରନ୍ତି । କିନ୍ତୁ ଆଲେନ୍‌ କଥାରେ ସେ ଆଶ୍ଚର୍ଯ୍ୟ ହେଲା । ଆଜ୍ଞଧୀନତା ନିହାତି ଆବଶ୍ୟକ ନୁହେଁ ବା କେହି କାହାକୁ ଶିଖାଏ ନାହିଁ । ହୁଏ ତ ଘରେ କିଛି ନିଷେଧାଦେଶ ଥିବ, ସେ ଏ ସବୁ ଦେଖି ବୁଝି ପାରୁଥିଲା । ଏଠାରେ ବାପା ବାରଣ କଲେ, ତା’ଘରେ ତାର ମା’ ହୁଏ ତ ବାରଣ କରିଥିବେ । ଚିନ୍ତା ତା’ ମନକୁ ଆଚ୍ଛନ୍ନ କଲା । ଆଲେନ୍‌ର ବାପାଙ୍କୁ ନ ହେଲେ ବି ମା’ଙ୍କୁ ସେ ଅବଶ୍ୟ ସୁଖୀ କରାଇବ । ଏଇ ଜାପାନରେ ବି ବୋହୁମାନଙ୍କ ଜୀବନର ସୁଖ, ଦୁଃଖ ଶାଶୁମାନଙ୍କ ମନୋବୃତ୍ତି ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ତା’ ପାଖକୁ ଆଲେନ୍ ଘରର ଓ ବାପା, ମା’ଙ୍କର ଛୋଟ ଛୋଟ ଫଟୋ ପଠାଇଛି । ଅନେକ ସମୟଧରି ସେ ମଝିରେ ମଝିରେ ବାପା, ମା’ଙ୍କ ମୁହଁଙ୍କୁ ନିରୀକ୍ଷଣ କରିଛି ଓ ବାଇଓଲଜି କ୍ଳାସରୁ ମାଗ୍‌ନିଫାଇଂ କାଚ ଆଣି ଫଟୋରେ ଥିବା ଚେହେରା ଓ ମୁଖର ଭଙ୍ଗି ଦେଖିଛି । ମା’ ତାଙ୍କର ମରହଟ୍ଟୀ ଧରଣର ଓ ମାନବିକତା ସମ୍ପନ୍ନା ଭଳି ମନେ ହେଉଛନ୍ତି । ଏହିପରି ଗୋପନରେ ଦେଖି ଦେଖି ଜୋସୁ ଆଲେନ୍‌ର ବାପା ମା’ଙ୍କୁ ଅନେକ ଜାଣି ନେଲା । ଥରେ ସିନ୍ଥିଆ ନାମକ ଝିଅ ବିଷୟରେ ତାକୁ ଭାରି ଖରାପ ଲାଗିଥିଲା । ସିନ୍ଥିଆ ତାଙ୍କର ବିବାହ କଥା ପ୍ରଥମେ ଜାଣିଲା ଓ ଆଲେନ୍‌ ତାକୁ ବନ୍ଧୁ ଭଳି ଭାବିଲା । ଏବେ ସେ ଆଉ ତା କଥା ଲେଖୁ ନି, ତା ଫଟୋ ମଧ୍ୟ ପଠାଇ ନି ।

 

ତା’ର ପ୍ରତି ଚିଠିରେ ଜୋସୁ ଯିବା କଥା ଲେଖିଥାଏ ଓ ଆଜିର ଏଇ ଚିଠିରେ ଶେଷରେ ଯିବାର ନିଶ୍ଚିତ ଆଦେଶ ଆସିଛି । ଉଡ଼ାଜାହାଜର ଟିକେଟ ବି ଆସିଯାଇଛି । ଏଇଟା ମୂଲ୍ୟବାନ । ସେ ପ୍ରତିଶବ୍ଦ, ପ୍ରତି ଅଂଶକୁ ବୁଝିବାକୁ ଚେଷ୍ଟା କରିଛି । ଏଇ ସରଳ ଓ ମୂଲ୍ୟବାନ ଚିଠିଟିରେ ସତେ ଯେପରି ତାକୁ ସ୍ୱର୍ଗକୁ ଯିବାକୁ ଅନୁମତି ମିଳିଛି । ଆଲେନ୍‌ର ନିର୍ଦ୍ଦେଶ ସ୍ପଷ୍ଟ ଜଣା ପଡ଼ୁଛି । କିଛି ଅସୁବିଧା ନାହିଁ, ତା’ର ପାସପୋର୍ଟ ଅଛି, ଭିସା ଆଣି ଟୋକିଓରେ ଉଡ଼ାଜାହାଜ ଧରିବ ଓ ଆଲେନ୍‌ ତାକୁ ସାନ୍‌ ଫ୍ରାନ୍‌ସିସ୍କୋଠାରେ କାର ଆଣି ଭେଟିବ—ହୁଏ ତ କାର୍‌ ଚଳାଇ ଯାଉ ଯାଉ ନିର୍ଜନତା ଭିତରେ ସେମାନେ ମଧୁଶଯ୍ୟା ଉପଭୋଗ କରିବେ ।

 

ଚିଠିଟି ଅନେକଥର ପଢ଼ିସାରି ସେ ମାଙ୍କୁ ଖୋଜିଲା । ବାପା ରାତିରେ ଘରକୁ ଆସିଲେ ସେ ଦୁହେଁ ତାଙ୍କୁ ଜଣାଇବେ । ଉଡ଼ାଜାହାଜରେ ଭିଡ଼ଥିବାରୁ ଟିକେଟ୍‌ଟି କେତୋଟି ସପ୍ତାହ ପରେ କାର୍ଯ୍ୟକାରୀ ହେବ; କିନ୍ତୁ ସେ ଆଙ୍ଗୁଠିରେ ଗଣି ଠିକ୍‌ କଲା—ମାସକରୁ ଦୁଇଦିନ କମ୍‌ରେ ସେ ଚାଲିଯିବ । ଖଣ୍ଡେ ବାଉଁଶରେ ଛୋଟ ପୋଖରୀ ପାଣି ଚହଲାଇ, ଫଣା ପରି ଲାଞ୍ଜ ଥିବା ସୁନେଲି ମାଛକୁ ଉପରକୁ ଉଠାଇ ମାଆ ଖାଇବାକୁ ଦେଉଥିବାର ସେ ଦେଖିଲା । ଥଣ୍ଡାରେ ମାଛମାନେ ଶେଠା ଦିଶୁଥିଲେ ବି ଖୁବ୍‌ ଶୀଘ୍ର କାଦୁଅ ଭିତରେ ଲୁଚି ଯାଇଥିଲେ ।

 

ସକାଳର କୁହୁଡ଼ିଘେରା ସୂର୍ଯ୍ୟାଲୋକ ଭିତରେ ବଗିଚାରେ ଚିକ୍‌ ଚିକ୍‌ ନୀଳ କିମୋନୋ ପିନ୍ଧିଥିବା ଗେଡ଼ୀ ମାଆଙ୍କର ଚେହେରା ଜୋସୁକୁ ଏକ ଚିତ୍ରଭଳି ଦିଶିଲା । ସେ ଏଇଟିକି ମା’କୁ ହରାଇବ । ଆଲେନ୍‌କୁ ପାଇବାର ଉତ୍କଣ୍ଠା । ଭିତରେ ଏ କଥା ସେ ମୋଟେ ଭାବି ନ ଥିଲା । ମା’ ସବୁବେଳେ ଅତି ନୀରବ, ଧୀର ସ୍ଥିର ଓ ନିରୀହ; ତଥାପି ସେ ତାଙ୍କଠାରୁ ଦୁରକୁ ଯିବାକୁ ଚାହୁଁଛି, ଏ କଥା ତାକୁ କଷ୍ଟ ଲାଗିଲା । ମଲାଘାସ ଉପରେ ସେ ମା’ଙ୍କ ପାଖରେ ଆଣ୍ଠେଇ ପଡ଼ିଲା ଓ କିଛି ସମୟ ପର୍ଯ୍ୟନ୍ତ ଚିଠିଟି ଛାତିରୁ କାଢ଼ିଲା ନାହିଁ ।

 

ବୁଢ଼ିଆଣୀ ଜାଲ ପରି ଓସାରିଆ ଲାଞ୍ଜ ଓ ଡ଼େଣାକୁ ହଲାଇ ହଲାଇ ବର୍ତ୍ତମାନ ମାଛଗୁଡ଼ିକ ପାହାଡ଼ ତଳୁ ବାହାରକୁ ଆସୁଥିଲେ । ଖାଇ ସାରିଛନ୍ତି କି ନାହିଁ ତା’ର ନଜର ନାହିଁ । ‘‘ସେମାନେ ଶୋଇବାକୁ ଚାହୁଁଛନ୍ତି’’ ଜୋସୁ କହିଲା । ‘‘ଶୀତ ଆସିବ ବୋଲି ସେମାନେ ଜାଣି ପାରୁଛନ୍ତି’’ ମା’ ଉତ୍ତର ଦେଲେ । କାମରେ ମଜ୍ଜି ରହି ମୁହୂର୍ତ୍ତକ ପାଇଁ ମା’ ତାଙ୍କୁ ଚାହିଁଲେ ନି । ତା’ପରେ ଜୋସୁ ଏକ ଉଦ୍ଦେଶ୍ୟ ନେଇ ଆସିଥିବା ସତେ ଯେମିତି ସେ ଜାଣିପାରି ଚମକିପଡ଼ି ଚାହିଁଲେ । ‘‘କିଛି କଥା ଅଛି କି ?’’ ‘‘ହଁ’’ କହି ଜୋସୁ ଚିଠିଟି କାଢ଼ିଲା । ‘‘ମୁଁ ଯିବାକୁ ସେ ଲେଖିଛନ୍ତି, ଟିକେଟ ପଠାଇଛନ୍ତି ।’’ ସେ ଟିକେଟ କାଢ଼ିଲା, ମା’ ତାକୁ ନେଇ ଏ ପଟ ସେ ପଟ କଲେ; କିନ୍ତୁ ପଢ଼ି ପାରିଲେ ନି । ଚିଠି, ଟିକେଟ, ଲଫାପା ସବୁ ସେ ଜୋସୁକୁ ଦେଇ ଦେଲେ । ‘‘ବାପା କ’ଣ କରିବେ କେଜାଣି ? ସେ କେବେ ବିଶ୍ୱାସ କରିବେ ନାହିଁ, ଆଲେନ୍‌ ମୋତେ ଡ଼କାଇଛି ବୋଲି’’ ଜୋସୁ ପଚାରିଲା । ‘‘ବର୍ତ୍ତମାନ ଏ କଥା ସେ ବିଶ୍ୱାସ କରିବେ ।’’ ମା’ ଉଠିପଡ଼ି ମାଛର ଖାଦ୍ୟଥିବା ପାତ୍ରରେ ଘୋଡ଼ଣୀ ଦେଇ ବନ୍ଦ କଲେ ।

 

ସେମାନେ ପାଣିକୁ ଚାହିଁ ଠିଆ ହେଲେ, ଖାଦ୍ୟଖାଇ ମାଛମାନେ ଖୁସି ହେଲେ । ସେମାନେ ଭୁଲିଯାଇଥିଲେ ଯେ, ଖାଦ୍ୟ ଖାଇବାକୁ ସମୟ ଅଛି ଓ ସେମାନେ ଖୁସିରେ ଖାଇବେ । ‘‘ଅନେକ ଦିନ ତୋତେ ଆଉ ମୁଁ ଦେଖି ପାରିବି ନି, ତା’ ମା କହିଲେ ‘‘ବୋଧହୁଏ ଆଉ କେବେ ବି ନୁହେଁ... । ତୋ ବାପା କଦାପି ଆମେରିକା ଯିବେ ନି । ଏକଥା ସେ ମୋତେ କହିଛନ୍ତି ।’’ ‘‘ମୁଁ ତୁମକୁ ଦେଖିବାକୁ ଆସିବି ।’’ ଜୋସୁ ଶପଥକଲା, ପିଲାଦିନ ଭଳି ମା’ଙ୍କର ହାତରେ ନିଜ ହାତକୁ ଗୁଡ଼ାଇ ଦେଲା ।

 

‘‘ଯଦି ପିଲାଟିଏ ହୁଏ—’’ ମା’ ଆରମ୍ଭ କରି ରହିଗଲେ । ଏଇ ପିଲା ! କ’ଣ ସେ ହେବ-! ନିଶ୍ଚିତ ଭାବେ ସେ ଜନ୍ମ ହେବ । କିନ୍ତୁ ତା’ର ଜନ୍ମ ବାଞ୍ଚିତ ହେବ ତ ? ଉଭୟେ ଏଇକଥା ମନକୁ ମନ ପଚାରିଲେ । ପ୍ରେମ ଥିଲେ, ସନ୍ତାନ କପରି ନ ହେବ ? ଶ୍ରୀମତୀ ସାକାଇ ଜାଣିଥିଲେ-। ଯେଉଁ ଅଦ୍ଭୁତ ପ୍ରେମ ସେ ଜୋସୁଠାରେ ଦେଖୁଛନ୍ତି, ସେ ପ୍ରେମ ତାଙ୍କର ଅଭିଜ୍ଞତାର ବାହାରେ-। ଏଇ ପ୍ରେମର ଶକ୍ତି ସେ ଜୋସୁ ଜରିଆରେ ଅନୁଭବ କରୁଛନ୍ତି, ଏହା ଏକ ନୂତନ ପ୍ରକାର ଶକ୍ତି, ଯେ କି ତାଙ୍କ ଝିଅକୁ ଏକ ସ୍ୱର୍ଗୀୟ ଅନୁଭବରେ ସମ୍ମୋହିତ କରି ପିତାମାତାଙ୍କୁ ଆମେରିକା ପଠାଇଲାବେଳେ ସେ କିଛି ହେଲେ ପଚାରି ନାହାନ୍ତି । ଏହାହିଁ ତାଙ୍କର ଭାଗ୍ୟ । ଜୋସୁ ତାଙ୍କଠୁ ଭାଗ୍ୟବତୀ, କାରଣ ସେ ଏକ ଚିହ୍ନାଲୋକ ପାଖକୁ ଯାଉଛି । ତଥାପି ଜଣେ ଜାପାନୀ ନାରୀ, ଗୋଟିଏ ଆମେରିକାନ୍‌ ପୁରୁଷ । ଠିକ୍‌ ବୁଝିପାରିବ କି କ’ଣ ହେବ, ନିଶ୍ଚୟ ଜଣାପଡ଼ିବ । ତା’ପରେ ସାକାଇ ଅନ୍ୟମାନଙ୍କଠାରୁ ଭଲ ହେଲେ ବି ଜଣେ ଜାପାନୀ ମଣିଷ ଥିଲେ, ଭିନ୍ନ କିଛି ନ ଥିଲେ-। ସେ ନିଜେ ଜଣାଇଥିଲେ ତାଙ୍କ ପିଲା ଜାପାନୀ ହେବେ । ତାଙ୍କର କଳାବାଳ, କଳାଆଖି ଓ ଦେହର ରଙ୍ଗ ହଳଦିଆ ହେବ; କିନ୍ତୁ ଜୋସୁ କିପରି ଜାଣିବ ? ତା’ପିଲା କିପରି ହେବେ ? ବାପ ପରା ସେମାନଙ୍କର ଚିଲାଆଖି ହୋଇପାରେ । କଣ କରାଯିବ ତା ହେଲେ ? ସେ ଏହି ଭାବନାରେ ଚମକି ଉଠିବାର ଜୋସୁ ଦେଖି ପାରିଲା । ‘‘କ’ଣ ହେଲା ମା ?’’ ‘‘ମୁଁ ଗୋଟେ କଥା ଭାବୁଥିଲି-।’’ ଅନ୍ୟାନ୍ୟୋପାୟ ହୋଇ ଶ୍ରୀମତୀ ସକାଇ ଉତ୍ତର ଦେଲେ ‘‘ଜୋସୁ, ମୁଁ କଥାଟିଏ ଭାବୁଥିଲି-।’’

 

‘‘କି କଥା ମା’ ?’’

 

‘‘ଆମେରିକାର ନାରୀମାନେ—ତାଙ୍କ ପିଲାମାନଙ୍କର ବାଳ ଓ ଆଖି କି ରଙ୍ଗର ହେବ ସେମାନେ ଜାଣିପାରିବେ ନି । ଏ ଅତି ଲଜ୍ଜାଜନକ ହେବ ନି ?’’ ‘‘ଏଥିରେ ମୋର କ’ଣ ଅଛି ମା-?’’ ଜୋସୁ ପଚାରିଲା । ‘‘ଅଛି’’ ଶ୍ରୀମତୀ ସାକାଇ ଚିନ୍ତିତ ହୋଇ କହିଲେ । ‘‘ଜୋସୁ, ତୋ ଆଖି କଳା ନ ହୋଇଥିଲେ ମୁଁ ତୋତେ ଦେଖି ଚିନ୍ତିତା ହୋଇ ଥାଆନ୍ତି । ପିଲାଟିର ଆଖି ଯଦି କଳା ହୋଇ ନ ଥିବ, କିମିତି ମୁଁ ଭାବିବି ସିଏ ମୋର ନାତି ବୋଲି ?’’

 

‘‘ଓଃ—ମା—’’ ଜୋସୁ ହସିବାକୁ ଚେଷ୍ଟାକଲା । କନ୍ତୁ ମୁହୂର୍ତ୍ତକ ପାଇଁ ଅତି ଦୁଃଖିତା ହୋଇପଡ଼ିଲା । ଯଦି ପିଲାଟିର ନୀଳ ଆଖି ହେବ, ସେ ନିଜେ ଆଶ୍ଚର୍ଯ୍ୟ ହେବ ନି କି ? ଯଦି ପିଲାଟି ପୁରା ତା ନିଜ ଭଳି ହେବ, ଆଲେନ ଆଶ୍ଚର୍ଯ୍ୟ ହେବ । ମା’ଙ୍କ କଥାରେ ଏହା ପ୍ରକୃତରେ ଲଜ୍ଜାଜନକ ।

 

‘‘ମୋର ପିଲା ନ ହୋଇପାରନ୍ତି’’—ସେ କହିଲା ।

 

ମା ମୁଣ୍ଡ ହଲାଇଲେ । ‘‘ଏକଥା ତୁ କହି ପାରିବୁ ନି ।’’ ବାସ୍ତବ ସ୍ୱରରେ ସେ କହିଲେ । ‘‘ଯଦି ପିଲାଟିଏ ରହିବାର ସମୟ ହୋଇଥିବ, ତେବେ ସେ ଗର୍ଭରେ ରହିଯିବ—ତା ଜୀବନକୁ କେହି ବାଧାଦେଇ ପାରିବେ ନି । ଏଇ ନିଯୁକ୍ତିର ସମୟକୁ ଆତ୍ମା ଅପେକ୍ଷା କରିଥାଏ । ଯେମିତି ବଞ୍ଚିବା ବେଳେ ଆମେ ବଞ୍ଚୁ, ମଲାବେଳେ ମରୁ । ଏହି ଜନ୍ମ ବା ମୃତ୍ୟୁ କେବେ ଶୀଘ୍ର ହେବ ନି କି ବିଳମ୍ୱ କରିବ ନି । କାହା ଜୀବନ କ୍ଷଣସ୍ଥାୟୀ କାହାର ଦୀର୍ଘ, ଭାଗ୍ୟ ଉପରେ ସବୁ ।’’

 

ମା’ଙ୍କର ଧୈର୍ଯ୍ୟ, ତାଙ୍କର ସବୁ କଥାକୁ ବାଧା ନ ଦେଇ ଗ୍ରହଣ କରି ନେବା ଏବଂ ତାଙ୍କର ପ୍ରବଳ ଶକ୍ତି ଏଇଭଳି ଜଣା ପଡ଼ିଲା । ଜୋସୁ ଏହାର ଉତ୍ତର ଦେଇ ପାରିଲା ନି । ମା’ଙ୍କର ଜ୍ଞାନ ଦେଖି ସେ ଅଭିବାଦନ ଜଣାଇ ଚାଲିଗଲା । ପ୍ରଥମ ଥର ପାଇଁ ମା’ଙ୍କ ଅନ୍ତରର ଏଇ ବିଚକ୍ଷଣ ବୁଦ୍ଧି ଦେଖି, ପିଲାଟିଏ ଯେ ନିଶ୍ଚିୟ ହେବ—ଜୋସୁ ଏହା ଅନୁଭବ କଲା ।

Unknown

 

ଯିବା ବିଷୟରେ ବାପା ଆଦୌ ପ୍ରତିବାଦ ନ କରିବାରୁ ଜୋସୁ ଆଶ୍ଚର୍ଯ୍ୟ ହେଲାଭଳି ଅନୁଭବ କଲା । ଟୋକିଓର ଅଫିସକୁ ବାପା ତା’ ସାଥରେ ଯାଇ ଭିସା ଯୋଗାଡ଼ କଲେ । ଯାହା ଘଟିବାର ଥିବ ଘଟିଯିବ । ବାପା ତାକୁ କହିଲେ ଯେ, ସାନଫ୍ରାନସିସ୍କୋର ସେଭିଂସ୍‌ ବ୍ୟାଙ୍କରେ ତାଙ୍କର କିଛି ଟଙ୍କା ଅଛି, ତା’କୁ ସେ କେନ୍‌ସାନ୍‌ ପାଇଁ ରଖିଥିଲେ, ସେ ମଲାପରେ ଟଙ୍କାଟା ସେଇଠି ରହିଛି । ବର୍ତ୍ତମାନ ଜୋସୁ ନାମରେ ସେ ଟଙ୍କାଟା କରିଦେଲେ । ଏତେ ସୁବିଧାରେ ସବୁ ଘଟିଗଲା ଯେ, ଜଣାଗଲା ଈଶ୍ୱର ସତେ କି ଆଗରେ ଚାଲି ବାଟ ଦେଖାଉଛନ୍ତି । ଲସ୍‌ ଆଂଜେଲସରେ ତା’ର ଜନ୍ମର ପ୍ରମାଣ ପତ୍ର, ତା’ ବାପ ମା’ ଓ ତା’ର ପାସପୋର୍ଟ, ଯୋଗାଡ଼ ହୋଇଗଲା । ବର୍ତ୍ତମାନ କେବଳ ଆଇନ ଅନୁସାରେ ତା’ର ଅଲଗା ଏକ ଫଟୋ ଦରକାର । ଗୋଟିଏ ଅସୁବିଧା ହେଉଛି—ତା’ର ନିଜର ପ୍ରସ୍ତୁତ ହେବା । ପାସପୋର୍ଟରେ ତା’ନାମ ଶ୍ରୀମତୀ ଆଲେନ କେନେଡ଼ି ହେବାକୁ ସେ ଚାହିଁଲା ।

 

ବାପା ମନାକଲେ । ‘‘ନାଁ—ମୁଁ ଏ ଅନୁମତି ଦେବି ନି । ତୁ ମୋର ଓ ତୋର ନା ଦେ—ଜୋସୁ ସାକାଇ । ହୁଏ ତ ଏ ନାମ ତୁ ପୁଣି ଦରକାର କରିପାରୁ ।’’

 

ଜୋସୁ ରାଗିଗଲା ‘‘ବାପା ତୁମେ କେମିତି ଏକଥା କହୁଚ ? ତୁମେ ମତେ ବିଶ୍ୱାସ କରୁନା !’’

 

‘‘ମୁଁ ଜୀବନକୁ ଇ ଅବିଶ୍ୱାସ କରେ ।’’ ସେ କହିଲେ । ସେ ସ୍ୱୀକାର କଲା, ଜୀବନ ତା’ପାଇଁ ଉତ୍ତମ ହେବା ଦରକାର । ଭଲରେ ଭଲରେ ସବୁ ଘଟିଗଲେ ବାପା ନିଜେ ଜାଣିବେ, ବର୍ତ୍ତମାନ ସେମିତି ଅବିଶ୍ୱାସ କରନ୍ତି । ସବୁ କାମ ଠିକ୍‌ କରି ସେମାନେ ପୁଣି ଘରକୁ ଗଲେ । ବାପାଙ୍କ ବ୍ୟବହାରରେ ସେ ଖୁସି ହେଲା । ତା’ର ବିଦାୟ କଥା ବାପା କିଛି କହିଲେ ନି, କିନ୍ତୁ ଟ୍ରେନର ଝରକାବାଟେ ଗୋଟିଏ ଦୃଶ୍ୟକୁ ଦେଖାଇଲେ—ଗୋଟାଏ ମଣିଷ ବେକରେ ଗୋଟାଏ ବଡ଼ ଭାତୁଡ଼ି, ଆଉ ଆଖିରୋଗୀ ପିଲାଟିଏ । ଲୋକ ଟିକୁ ଡ଼ାକିବାକୁ ସେ ଝରକା ଖୋଲିଲେ । ଲୋକଟି ଜଣେ ଦରଓ୍ୱାନ୍‌ । ‘‘ହେଇ ଶୁଣ, ତୁମ ବେକରେ ଭାତୁଡ଼ି ହୋଇଛି—ଭଲ ହୋଇଯିବ । ଟୋକିଓର ଡ଼ାକ୍ତରଖାନାକୁ କାହିଁକି ଯାଉ ନ ? କିମ୍ୱା କିଓଟୋରେ ମୋ ପାଖକୁ ଆସ ।’’

 

ଲୋକଟି ବୋକାଭଳି ପାଟିକଲା—‘‘ମୋ ଭାତୁଡ଼ିରେ ମୋ ଜୀବନ । ମୁଁ ଜୀବନକୁ କାଟିଦେବି ?’’ ଡକ୍ଟର ସାକାଇ ଦୀର୍ଘଶ୍ୱାସ ପକାଇ ଝରକଟା ବନ୍ଦ କରିଦେଲେ । ଡ଼ାକ୍ତରର କାମ ଅତି କଠିନ । ପ୍ରଥମ ରୋଗୀକୁ କହିବାକୁ ହେବ ଯେ, ସେ ନିଶ୍ଚୟ ଭଲହେବ । ତା’ପରେ ତାର ବିଶ୍ୱାସ ଉପୁଜାଇବେ । ଆରୋଗ୍ୟ କରିବାଟା ଶେଷକଥା ଓ ସହଜ ମଧ୍ୟ ।

 

ମଣିଷ ମନର ଏଇ ଅନ୍ଧବିଶ୍ୱାସ ବିଷୟରେ ସେ ଜୋସୁ ସହିତ କିଛି ସମୟ କଥାବାର୍ତ୍ତା ହେଲେ, ବିଶେଷକରି ମଣିଷ ସମାଜର ଅଧିକାଂଶ ଅଜ୍ଞ ଲୋକଙ୍କ ବିଷୟରେ । ଜୋସୁର ମନେହେଲା ସବୁଠୁଁ ବେଶୀ ଆଜ୍ଞ ହେଉଛନ୍ତି, ଅଳ୍ପବୟସ୍କା ଯୁବତୀମାନେ ।

 

ତା’ର ଆନନ୍ଦ କମିଯିବାର କୌଣସି କାରଣ ନ ଥିଲା । ଦିନ ଆସିଲା ଓ ଚାଲିଗଲା । ସକାଳ ଶୀଘ୍ର ହେଲା—ଦିନର ସମୟତକ ସୁଖର ଡ଼େଣା ମେଲି ଉଡ଼ି ଚାଲିଗଲା । ସେ ଏତେ ଖୁସି ହୋଇଯାଇଥିଲା ଯେ, ନିଜର ନିଷ୍ଠୁରତା ବିଷୟରେ କିଛି ଜାଣିପାରୁ ନ ଥିଲା । ପ୍ରତିବର୍ଷ ବାପାଙ୍କୁ ଆନନ୍ଦ ଦେଉଥିବା ବଗିଚାର ଲାଲ୍‌ବେରିକୁ ସେ ଦେଖିଲା ନାହିଁ, ଟୋକୋନେମାକୁ ସଜାଇବାକୁ ସେ ଦି’ଥର ଭୁଲିଗଲା; କିନ୍ତୁ ତା’ ବାପା ମା’ ଏଥିପ୍ରତି ତାକୁ ସଚେତନ କରାଇଲେ ନାହିଁ, ତାଙ୍କ ଦୃଷ୍ଟିରେ ଝିଅ ଥାଇ ନ ଥିବା ସଙ୍ଗେ ସମାନ ହୋଇଯାଇଛି ।

 

ଏଇ ଦୁଃଖ ସେ ବୁଝୁଥିଲେ ବି ତାଙ୍କ ଦୁଃଖରେ ଭାଗୀହୋଇ ପାରି ନାହିଁ, ତା’ ମଧ୍ୟ ବୁଝୁଥିଲା । ସେ ପ୍ରେମ ଓ ଉତ୍ତେଜନାରେ ଆକଣ୍ଠ ବୁଡ଼ି ରହିଥିବାରୁ ତା’ର ମନ ସମୁଦ୍ର ପାର ହୋଇ ସୁଦୂର ଉପକୂଳରେ ଅପେକ୍ଷା କରିଥିଲା । ବିଦାୟ ନେଲା, ବାପାଙ୍କ ସହିତ ଉଡ଼ାଜାହାଜ ପଡ଼ିଆକୁ ଗଲା । ସେ ଯେ କେବଳ ଅଳ୍ପ ସମୟ ପାଇଁ ଆଲେନ୍‌ଠାରୁ ଦୂରରେ ରହିଛି—ଏ କଥା ଭାବି ତା’ ମନ ଆନନ୍ଦରେ ନାଚି ଉଠିଲା । ଏଭଳି ସମୟରେ କେବଳ ବାପ ମା’ଙ୍କ ବିଷୟ ବା ଛାଡ଼ି ଯାଉଥିବା ବିଷୟ ଭାବିବା ସମ୍ଭବ ନୁହେଁ ।

 

ଯିବାକୁ ଅଳ୍ପଦିନ ଥିଲା, ସେ ଡ଼ାକରେ କୋବରୀ ମାତ୍ସୁୟୀଙ୍କଠାରୁ ଛୋଟ ଚିଠିଟିଏ ପାଇଥିଲା । ସ୍ନେହ ଓ ବନ୍ଧୁତ୍ୱର ସେ ଚିଠିଟିରେ କୋବରୀ ତା’ର ସୁଖର ଜୀବନ କାମନା କରିଥିଲେ ଓ ଛୋଟ ବିବାହ ଉପହାରଟିଏ ଆମେରିକାକୁ ପଠାଇବେ ବୋଲି ଲେଖିଥିଲେ । ପରବର୍ଷ ସେ ଆମେରିକା ବି ଯାଇପାରନ୍ତି—ତାଙ୍କ ବାପାଙ୍କର ବ୍ୟବସାୟ ପ୍ରସାର ଉଦ୍ଦେଶ୍ୟରେ ଜୋସୁ ଚାହିଁଲେ ସେ ତା’ପାଖକୁ ଯାଇ ନୂଆ ପରିବାର ସହିତ ବନ୍ଧୁତା ସ୍ଥାପନ କରିବେ । ତା’ ବନ୍ଧୁତାର କୋବରୀ ସର୍ବଦା ମୂଲ୍ୟ ଦେବ ଓ ସେ ବି ବନ୍ଧୁତା ରକ୍ଷା କରିବ, ତା’ର ନିହାତି ଆବଶ୍ୟକତା ଥାଉ କି ନ ଥାଉ-। ଚିଠିଟି ପଢ଼ିଲାବେଳେ କୋବରୀର ସହୃଦୟତା କଥା ଭାବିଲେ ମଧ୍ୟ ସେଇ ଗଭୀର ସହୃଦୟତାକୁ ସେ ଚିହ୍ନି ପାରିଲା ନାହିଁ । ଉହ୍ମେଇ ନିଆଁ ରେ ସେ ଚିଠିଟିକୁ ପୋଡ଼ିଦେଲା, ରଖିବାକୁ ଚାହିଁଲା ନି କିମ୍ୱା ଛାଡ଼ିଯିବାକୁ ବି ମନ କଲାନାହିଁ । ଉଡ଼ାଜାହାଜ ଛାଡ଼ିଲା—ବେଳକୁ ମୁହୂର୍ତ୍ତକ ପାଇଁ ତା’ର ନିଜ ବିଷୟରେ ସଚେତନତା ଆସିଲା । ଛୋଟ ଝରକା ଦଇ ସେ ଦେଖିଲା ବାପା ତଳେ ବାହାରେ ଛିଡ଼ାହୋଇଛନ୍ତି—ସିଧା ଓ ଡ଼େଙ୍ଗା ଦିଶୁଛନ୍ତି, ପବନରେ ତାଙ୍କର ଢିଲାକୋଟ ଉଡ଼ୁଛି, ବାଡ଼ି ଉପରେ ଦୁଇ ହାତ ଭରାଦେଇ, ଗୋଡ଼ ଦମ୍ଭକରି ସେ ଠିଆ ହୋଇଛନ୍ତି । ମୁଣ୍ଡଟେକି ତାକୁ ଚାହିଁଛନ୍ତି, ବାପା ତାକୁ ଦେଖି ପାରୁଛନ୍ତି କି ନାହିଁ କେଜାଣି, ସେ କିନ୍ତୁ ବାପାଙ୍କୁ ସ୍ପଷ୍ଟ ଦେଖିପାରୁଛି । ତିନିଦିନର ଝଡ଼ବର୍ଷା ପରେ ଆଜିର ଏଇ ତୀକ୍ଷ୍‍ଣ ଓ ତୋଫା ସୂର୍ଯ୍ୟକିରଣ ବାପାଙ୍କର ସୁନ୍ଦର ମୁହଁ ଉପରେ ପଡ଼ୁଛି । ତାଙ୍କ ମୁହଁରେ ଓ ଦୃଢ଼ ଚେହେରା ତଳେ ଏକ ବେଦନାର ଛାୟା ସେ ଦେଖିପାରିଲା, ବାପାଙ୍କୁ ସେ ବୁଝପାରିଲା—ତା’ର ଅନ୍ତର କାନ୍ଦିଉଠିଲା ।

 

କିନ୍ତୁ ବେଶୀ ସମୟପାଇଁ ନୁହେଁ । ଉଡ଼ାଜାହାଜର ସେଇ ଚିକ୍‌ ଚିକ୍‌ ପକ୍ଷ ତାକୁ ଆକାଶକୁ ଉଠାଇ ନେଲା ଓ ପୃଥିବୀ ଛୋଟ ଦିଶିଲା ଅଳ୍ପ ସମୟ ଭିତରେ । ସେ ସମୁଦ୍ର ଉପରେ ଉଡ଼ିଲା, ତା’ର ଚିନ୍ତା ଓ ସ୍ୱପ୍ନ କିନ୍ତୁ ବହୁ ଆଗରୁ ଆହୁରି ଦୂରକୁ ଉଡ଼ିଯାଇଥିଲା ।

 

ସାନ୍‌ଫାନ୍‌ସିସ୍କୋର ଉଡ଼ାଜାହାଜ ପଡ଼ିଆରେ ଆଲୋକ ଜୋସୁକୁ ଓହ୍ଲାଉଥିବାର ଦେଖିଲା; ଜୋସୁ ଟିକେ ଇତସ୍ତତଃ ହୋଇ ଏଣେତେଣେ ଚାହିଁ ତାକୁ ଖୋଜୁଛି । ଜନଗହଳି ଠେଲି ସେ ଆଗକୁ ଗଲା । ନିଜର ଟିକେ ଡ଼େରି ହୋଇ ଯାଇଥିବାରୁ ସେ ଲଜ୍ଜିତ ହେଲା; କାରଣ ସବୁଦିନଠାରୁ ଆଜି ସକାଳ ସେ ଟିକେ ଡ଼େରିଯାଏ ଶୋଇପଡ଼ିଲା ।

 

‘‘ଜୋସୁ’’ ସେ ଡ଼ାକିଲା ।

 

ତାକୁ ଦେଖି ଜୋସୁ ମୁହଁରେ ହସ ଫୁଟିଲା । ପ୍ରଥମ ଜୋସୁ ମୁହଁରେ ଉତ୍କଣ୍ଠା ଦେଖି ସେ ଭାବିଲା ଜୋସୁର ଚେହେରା ପୂର୍ବାପେକ୍ଷା ଖରାପ ଦିଶୁଛି । ତାକୁ ଟିକେ ଅଶାନ୍ତ ଲାଗିଲା । ଜୋସୁ ଧୂସରରଙ୍ଗର ସୁଟ ପିନ୍ଧିଛି ବୋଲି ବୋଧହୁଏ ପୁର୍ବଭଳି ସୁନ୍ଦର ଦିଶୁନାହିଁ; କିନ୍ତୁ ତା’ର ଗମ୍ଭୀର ହସ ତାକୁ ପୁର୍ବପରି କରିଦେଲା, ତାର ହସ ଅତି ସୁନ୍ଦର–ସେ ନୀରବରେ ଆଲେନ ଆଡ଼କୁ ଆସିଲା । ଅଚିହ୍ନା ଲୋକଙ୍କ ଭିଡ଼ ଭିତରେ ଆଲେନ୍‌ ତାକୁ ବାହୁ ବନ୍ଧନରେ ନିରାପଦରେ ଆଣିଲା । ତଥାପି ସେ ଦେଖିଲା ଲୋକମାନେ କୌତୁହଳରେ ଚାହୁଁଛନ୍ତି, ଜଣେ ସୁଶ୍ରୀ ଆମେରିକାନ ଯୁବକ ଗୋଟିଏ ଜାପାନୀ ଝିଅକୁ ଆଳିଙ୍ଗନ କରୁଛି । ଗୋଟିଏ ଦୁଇଟି ସେକେଣ୍ଡର କୌତୁହଳ ପରେ ଯେ ଯୁଆଡ଼େ ଯେଝା କାମରେ ଚାଲିଗଲେ । ପଦେ କେହି କିଛି କହିଲେ ନି । ବାହୁରେ ଧରି, ବାଟ କଢାଇ, ଅଚିହ୍ନା ଲୋକଙ୍କ ଚାହାଣୀକୁ ଭ୍ରୁକ୍ଷେପ ନ କରି ଆଲେନ ତାକୁ ନେଇ ଚାଲିଲା । କିନ୍ତୁ ଆଶ୍ଚର୍ଯ୍ୟାନ୍ୱିତ କୁତ୍ସିତ ଚାହାଣୀକୁ ଲକ୍ଷ୍ୟକର ଜୋସୁ ଆସ୍ତେ ନିଜକୁ ଦୂରେଇ ନେଲା ଓ ଆଲେନର ହାତଧରି ଚାଲିଲା ।

 

‘‘ଆମେ ସିଧା ହୋଟେଲକୁ ଯିବା । ସେଠାରେ ଘର ନେଇଛି । ଆମେ ସେଠି କିଛିଦିନ ରହିବା ଡ଼ାର୍ଲିଂ–କିଛି ତରତର ହେବା ଦରକାର ନାହିଁ । ମୁଁ ତୁମ ସହିତ କିଛି ସମୟ ନିରୋଳାରେ ରହିବାକୁ ଚାହେଁ, ମାସେ ଖଣ୍ଡେ ପରେ ଆମେ ଘରକୁ ଯିବା ।’’ ଆଲେନ୍‌ କହିଲା, ଏଇ ମାସକ ଭିତରେ ଠିକ୍‌ ସେଇକଥା ସେ ଜୋସୁକୁ କହିବ । ସେ ଯାହା ଜାଣିଛି, ତାକୁ କହିବି । ଅନେକ କଥା ଅନୁଭବ କଲେ ବି ସେ ଜାଣିଛି ଖୁବ୍‌ କମ୍‌ । ସେ ଯେତେ ଦୂର ଜାଣେ ତା’ ମା ସବୁ କଥାକୁ ବେଖାତିର କରିବାକୁ ସ୍ଥିର କରିଛନ୍ତି । କିନ୍ତୁ ଜୋସ୍‌କୁ ଦୁଆରେ ଛିଡ଼ା ହେବାର ଦେଖିଲେ ସେ କିପରି ବେଖାତିର କରି ପାରିବେ ? ପୁଣି ଆଲେନ୍‌ ତା’ ପାଖରେ ଛିଡ଼ା ହୋଇଥିବ ?

 

ଏ ସବୁ ଭାବନାକୁ ପୋଛି ଦେଲା । ସାରା ମାସଟା ସେମାନେ ଏକା ରହିବେ । ସେ ଭାବିଲେ ସିନ୍ଥିଆ ତାକୁ ବହୁତ ସାହାଯ୍ୟ କରିଥାଆନ୍ତା । ଭଲକଥା, ତାର କିଛି ସାହାଯ୍ୟ ଲୋଡ଼ା ନାହିଁ ।

 

‘‘ତୁମେ କିଛି କହୁ ନ ଯେ ଡ଼ାର୍ଲିଂ ?’’

 

‘‘ମୁଁ ଏତେ ଜିନିଷ ଦେଖୁଛି ।’’

 

ସେ କାର୍‌ ଆଣିଥିଲା ଓ ଦୁହେଁ ବସିଲେ ।

 

‘‘ଏ ଗାଡ଼ି ଆମର ଡ଼ାର୍ଲିଂ, ଯାହା ମୋର, ତା ବି ତୁମର ।’’

 

ଜୋସୁ ହସିଲା ଓ ଆଲେନ୍‌ ତାର ହାତ ଧରିଲା ।

 

‘‘ତୁମେ ହୁସିଆରରେ ଚଲାଅ ।’’ ଉତ୍କଣ୍ଠିତ ମୁହୂର୍ତ୍ତ ପରେ ଜୋସୁ କହିଲା । ଆଲେନ୍‌ ହସିଲା ‘‘ଏଇଟା ଆମେରିକା ଜୋସୁ । ତୁମେ କ’ଣ ଭୁଲି ଯାଉଛ ?’’

 

ମନ୍ଦିରର ସେଇ ଉତ୍ସବରେ ଜୋସୁ ହାତରେ ଦେଇଥିବା ସେଇ ନାମଲେଖା ସୁନାମୁଦି ଜୋସୁ ପିନ୍ଧିଥିଲା ଓ ତା’ର ସେଇ ହାତକୁ ଧରି ଆଲେନ୍‌ ଧୀରେ ଧୀରେ ଗାଡ଼ି ଚଳାଉଥିଲା । ସେଇ ରାତିରେ ସେଇ ଛାୟାଘେରା ସୁନ୍ଦର କକ୍ଷ, ଯାହା କି ଆଜି ଉଭୟଙ୍କଠୁଁ ଅନେକ ଦୂରରେ, ସେଇ କକ୍ଷରେ ଆଲେନ୍‌ ମୁଦିଟି କାଢ଼ି ପୁଣି ଜୋସୁକୁ ପିନ୍ଧାଇ ଦେଲା ଓ ସେଇ ପବିତ୍ର କଥାଟି କହିଲା । ‘‘ଏଇ ମୁଦି ଦେଇ ମୁଁ ତୁମକୁ ବିବାହ କଲି ।’’ ଜୋସୁ ଠିକ୍‌ ବୁଝିପାରି ନ ଥିଲା । ବର୍ତ୍ତମାନ କିନ୍ତୁ ସେ ତାକୁ ବେଶ୍‌ ବୁଝାଇ ଦେବ ।

 

ସେମାନେ ହୋଟେଲରେ ପହଞ୍ଚିଲେ, ଜୋସୁ ତଥାପି ନୀରବ । ଆଲେନ୍‌ ଭାବିଲା, ସେ ଆଶ୍ଚର୍ଯ୍ୟ ହୋଇ ଯାଇଛି । ତା ପରେ ଜୋସୁର ବ୍ୟାଗପତ୍ର ବୟକୁ ଦେଇ ଲିଫ୍‌ଟରେ ସେମାନେ ସତର ମହଲାକୁ ଗଲେ । ତାଙ୍କ ରୁମ୍‌ର ଝରକା ବାଟେ ସମୁଦ୍ର ଦିଶୁଥିଲା । ବୟକୁ ବିଦାକରି ସେ ଦରଜା ବନ୍ଦ କଲା । ଜୋସୁର ଟୋପି ସେ ଓହ୍ଲାଇ ଦେଲା—ଟୋପିଟା ତାକୁ ଭଲ ଦିଶୁ ନ ଥିଲା । ତା କାନ୍ଧରୁ, କୋଟ ଓହ୍ଲାଇ ଦେଇ ତାକୁ ବାହୁପାଶରେ ଆବଦ୍ଧ କଲା । ଆଉ ତା’ ଦେହର ସୁଗନ୍ଧ, ତା’ର ଆନତ ଗ୍ରୀବ ଓ ଛାତି ଉପରେ ତା’ର ବିକ୍ଷୋଜର ମୃଦୁ ଚାପ ! ସେ ଅପେକ୍ଷା କରି ପାରିଲା ନି । କାହିଁକି ବା ସେ ଅପେକ୍ଷା କରିବ ? ସେ ଦେଖିଲା ତା’ କଳା ଆଖି ଏତେ ଉଜ୍ଜ୍ୱଳ...ଓଠ ଦୁଇଟି ଅତି ନରମ । ତା’ର ଆବଶ୍ୟକତା ଜୋସୁ ଜାଣିଲା ଓ ବୁଝିଲା । ହୃଦୟ ବୁଝିଲା ଭଳି ନାରୀତ୍ୱ ତାର ଅଛି—ସେ ପ୍ରାଚ୍ୟଦେଶର ନାରୀ ।

 

‘‘ତୁମେ ଏବେ ବି ମତେ ଭଲ ପାଉଛ ?’’ ଏଇ କଥା ଶୁଣିବାକୁ ଆଲେନ୍‌ ପୁଣି ଦାବୀ କଲା ।

 

‘‘ମୁଁ ତୁମକୁ ଭଲପାଏ’’ ଚୁପ୍‌ ଚୁପ୍‌ ନ କହି ଜୋସୁ ବଡ଼ ପାଟିରେ ସ୍ପଷ୍ଟ ଭାବରେ ଉତ୍ତର ଦେଲା । ‘‘ଆଉ ତୁମକୁ ଭଲପାଏ ବୋଲି ମୁଁ ଏତେ ଦୂରକୁ ଚାଲି ଆସିଛି ଆଲେନ୍‌....’’

 

ଲେନି କେତେବେଳେ ଜୀବନ ପାଇଲା ? ଉଜ୍ଜ୍ୱଳ ଦିବସର କେଉଁ ମୂହୂର୍ତ୍ତରେ ବା ରାତିର କେଉଁ ଛାୟା ଭିତରେ ଆତ୍ମା ଚିରନ୍ତନୀରୁ ଆସି ପୃଥିବୀ ପୃଷ୍ଠରେ ଜୀବନ ଲୋଡ଼ିଲା ? ସମୁଦ୍ର କୁଳରେ ସେଇ ସୁଉଚ୍ଚ ପ୍ରାସାବରେ ବା ଯେଉଁ ପାର୍ବତ୍ୟ କାବିନ୍‌ରେ, ଦିଗହଜା ସମତଳ ଶଯ୍ୟାରେ ଥିବା ବରଫାବୃତ ଶୃଙ୍ଗରେ ବିହାର କରିବାକୁ ସେମାନେ କେତେଦିନ ରହିଥିଲେ ସେଠାରେ, କିମ୍ୱା ଛୋଟ ସହରର ଛୋଟ ହୋଟେଲ ଘର, କିମ୍ୱ ମଧ୍ୟ ପାଶ୍ଚାତ୍ୟର ପର୍ବତମାଳା ଭିତରେ; କିଏ କହି ପାରିବ କେଉଁଠାରେ ସେ ଜନ୍ମ ହେବାର ରୂପ ନେଲା ? ସେଇ ମାସର କୌଣସି ସମୟରେ ପ୍ରେମସିକ୍ତ ସେଇ ଦିନ ଓ ରାତି ଗୁଡ଼ିକରେ, କୌଣସି ସ୍ଥାନରେ ବିଶ୍ୱସନ୍ତାନ ଜୀବନ୍ୟାସ ପାଇବାକୁ ଆରମ୍ଭ କଲା ।

 

‘‘ଆମେ କେବେ ଘରକୁ ଯିବା, ତୁମ ବାପା ମା’ଙ୍କୁ ଜଣାଇବା ଉଚିତ’’—ଜୋସୁ କହିଲା-। ଏଇ କଥା ସେ ଦୁହେଁ ଭାବୁଥିଲେ, ପରସ୍ପରଠାରୁ ଗୋପନରେ.... । ପ୍ରତ୍ୟେକ ଜାଣୁଥିଲେ, ଏଇ ଯାତ୍ରା ଦିନେ ଶେଷ ହେବ, ଏଇ ସୁଖର ଦିନ ଓ ରାତି ବିତିଯିବ । ଈଶ୍ୱରଙ୍କ ଦୟାରୁ ବିଳମ୍ୱିତ ଗ୍ରୀଷ୍ମର ରାତିରେ ବି ପାଗ କୁହୁଡ଼ିଆ ଥିଲା ଓ ସେମାନେ ଅନେକ ଜାଗା ବୁଲିଲେ-। ସେମାନେ ଜାଣାଇଥିଲେ—ଏହାର ଶେଷ ହେବ, ଏ ଜୀବନ ନୁହେଁ, ଏ କେବଳ ପ୍ରେମ କରିବା-। ଅନ୍ୟ କୌଣସି ସ୍ଥନରେ ସେମାନଙ୍କର ମିଳନ ଇ ହେବ । ଶେଷଦିନ ଜୋସୁ ଅଧିକ ବାସ୍ତବବାଦିନୀ ହୋଇ ଏକଥା କହିଲା । ଆଲେନ୍‌ର ପ୍ରତ୍ୟେକ ହାବଭାବରୁ ସେ ଜାଣୁଥିଲା ଆଲେନ୍‌ ଏଇ କଥା ଏଡ଼ାଇ ଚାଲିଛି । ଭବିଷ୍ୟତରେ କିଛି ଅଛି, ଠିକ୍‌ କ’ଣ ଅବଶ୍ୟ ସେ ଜାଣେ ନା, କିନ୍ତୁ ସାମ୍ନା କରବାକୁ ସେ ପ୍ରସ୍ତୁତ ହୋଇଛି । ହୁଏ ତ ସେ ଅତି ଯତ୍ନଶୀଳ, କର୍ତ୍ତବ୍ୟପରାୟଣା ହୁଏ, ଗୁରୁଜନମାନଙ୍କୁ ଭକ୍ତି କରେ, ତେବେ ସେମାନେ ନିଶ୍ଚୟ ଖୁସି ହେବେ । ସେ ନିଜେ ସବୁକିଛିର ମୂଳ । ଏ କଥା ସେ ବୁଝିଛି । ରାତିରେ ଆଲେନ୍‌ ଶୋଇଲା ପରେ ସେଇ ନିକଟତମ ମଣିଷଟିକୁ ଜୋସୁ ଯେତିକି ବୁଝଇଥିଲା, ସେ ଜାଣୁଥିଲା ଯେ, ଜଣେ ପୁରୁଷ ଯାହା ଚାହେଁ, ତା’ଠୁଁ ଅଧିକ ଜଣେ ନାରୀ ନିଜକୁ ସମର୍ପଣ କରି ନ ପାରେ । ତଥାପି ଆଲେନ୍‌କୁ ସେ ଅଧିକରୁ ଅଧିକ ଭଲ ପାଉଥିଲା ଓ ତା’ର ଇଚ୍ଛାରେ ନିଜକୁ ସମର୍ପଣ କରୁଥିଲା । ପୁରୁଷ ଗ୍ରହଣ କରିବା ଶକ୍ତି ନାରୀର ଦାନ କରିବା ଶକ୍ତି ସହିତ ସମାନ ବୁଝୁଥିଲା । ଆଲେନ୍‌ ହୁଏ ତ ତା’ର ପୂର୍ଣ୍ଣ ଆତ୍ମସମର୍ପଣ ଚାହୁଁଛି ।

 

‘‘ଆମେ କେଉଁଠି ଆଉ କିଛି ଦିନ ନ ରହିଲେ ଆସନ୍ତାକାଲି ଘରକୁ ଯାଇ ପାରିବା ନି-।’’ ଆଲେନ୍‌ କହିଲା ।

 

‘‘ତୁମ ଘରକୁ ଯିବାକୁ ଚାହଁନି ?’’ ଜୋସୁ ପଚାରିଲା ।

 

‘‘ନିଶ୍ଚୟ ଚାହେଁ । ଆମ ନିଜ ଗୋଡ଼ରେ ଠିଆହେବା । ମୁଁ ଗୋଟାଏ ଚାକିରୀ ଦେଖିବି । ସୈନ୍ୟ ବିଭାଗ ପୁରା ମୁଁ ଛାଡ଼ିଦେଇ ପାରେ । ମୋର ବି ଅନେକ ଦିନୁ ସେ କାର୍ଯ୍ୟକାଳ ପୂରି ଯାଇଛି । ମୋ ବାପାଙ୍କ ପରି ମୁଁ ଜଣେ ସାଧାରଣ ଭଦ୍ରଲୋକ ହୋଇପାରେ ।’’

 

ପୂରା ମନୋଯୋଗ ସହକାରେ ଜୋସୁ ତା’ କଥା ସବୁ ବୁଝିଲା, କିନ୍ତୁ ସବୁବେଳେ ପୁରାପରି ବୁଝିପାରେ ନି । ବ୍ୟଂଜନାରେ ଅର୍ଥ କ’ଣ ହେବ, ଭାଷାର ପୂର୍ବାପର ସଂଗତି କ’ଣ, ପ୍ରତି ଇଂରାଜୀର ଶବ୍ଦର ଡ଼ିକ୍‌ସ୍‌ନାରୀ ଅର୍ଥ ଛଡ଼ା ସେ ଅଧିକ ବୁଝିପାରେ ନି ।

 

‘‘ଆମେ କେଉଁଦିନ ଯିବା ତାଙ୍କୁ ଜଣାଇବା ।’’ କର୍ତ୍ତବ୍ୟପରାୟଣା ହୋଇ ସେ କହିଲା ।

 

‘‘ପ’ରିଦିନ—ସନ୍ଧ୍ୟା ଛ’ଟାରେ ଯିବା’’ ଆଲେନ୍‌ କହିଲା ।

 

‘‘ତେଣୁ, କାଲି ତୁମେ ବାପା ମା’ଙ୍କୁ ଟେଲିଫୋନ୍‌ କର, ଆଲେନ୍‌ ।’’ ସେ ଖୋସାମତ୍‌ କଲା ।

 

ଆଲେନ୍‌ ଦେଖିଲା ଛୋଟ ପିଲାଟିପରି ଜୋସୁ ଅଳି କରି ତାକୁ ସଂଯତ କରିବାକୁ ଚାହୁଁଛି । ବିନୀତ ଭାବରେ ଉତ୍‌କଣ୍ଠିତ ହୋଇ, ମଧୁର ସ୍ୱରରେ ନିର୍ଦ୍ଦେଶ ଦେଉଛି । ଜୋସୁ ଆଗରେ ସେ ସମସ୍ତଙ୍କପ୍ରତି ଭଲ ବ୍ୟବହାର କରିବ । ତା’ ସଙ୍ଗେ ସେ ଦୁଷ୍ଟାମି କଲେ ସେ ହସେ, ସକାଳେ ନ ଉଠିଲେ, ପାଇଜାମାକୁ ତଳକୁ ଫୋପାଡ଼ି ଦେଲେ, ତା’ର ଚିକ୍‌କଣ କେଶକୁ ସାଉଁଳାଇଲେ, କିମ୍ୱା ତା’ ସହିତ ତର୍କ କରି ଚିଡ଼ାଇଲେ–ସେ ହସେ, ତର୍କକୁ ସତ ବୋଲି ଭାବି ମୁହଁ ଶୁଖାଏ—ଆଲେନ୍‌କୁ ଆଶ୍ଚର୍ଯ୍ୟ ଲାଗେ । ସେ ହସି ଉଠିଲେ, ଜୋସୁ ପାଟିକରେ ‘‘ଦୁଷ୍ଟ ଆଲେନ୍‌ !’’ ନିଜ ହସକୁ ଲୁଚାଇବାକୁ ଛୋଟ ଡ଼ାହାଣ ହାତକୁ ପାଟିରେ ଦେଇଦିଏ । ଜୋସୁ ରାଗିଲେ ଚିଡ଼ିଉଠେ—ଏହା ସେ ଜାଣେ । ସେମାନେ ରହିଥିବା ଛୋଟ ଘରଟିର କାମରେ ସେ ଆଲେନ୍‌ର ସାହାଯ୍ୟ ଲୋଡ଼େ ନାହିଁ । ଆଲେନ୍‌ ଗାଧୋଇ ସାରିବା ପରେ ସେ ତଉଲିଆ ଧରି ଠିଆ ହୋଇଥାଏ । ଖିଅର ସରିଲେ ଖିଅର ଜିନିଷ ସବୁ ଧୋଇଦିଏ ।

 

ପ୍ରଥମେ ଏଇସବୁ କାମରେ ସେ ବିରକ୍ତ ହେଉଥିଲା । ‘‘ହେ ଟିକି ମଣିଷଟି ! ଶୁଣ, ତୁମେ ମୋର ସ୍ତ୍ରୀ, ଚାକରାଣୀ ନୁହେଁ ।’’

 

କିନ୍ତୁ ସେ ଜିଦ୍‌ କରେ ଓ ଆଲେନ୍‌ ବି କ୍ରମେ ଅଭ୍ୟାସ କରନେଲା । ଏଇ ଉପାୟରେ ଜୋସୁ ତା’ର ପ୍ରେମ ଜଣାଏ । ଆଲେନ୍‌ କହେ, ଏ ଭାରି ମଜା; ନିଜ କାମ ନିଜେ ନ କରିବା ଭାରି ଆରାମଦାୟକ । ଏଥିରେ ସେ ଆରାମ ପାଏ । ଆତ୍ମନିର୍ଭରଶୀଳ ହୁଏ ନି । ଜୋସୁ ତା’ର ଜାପାନୀ ଅନ୍ତର ଦେଖାଏ । ଆମେରିକାନ୍‌ ଝିଅଟିଏ ତା’ର ଏପରି ସେବା କେବେହେଲେ କରିପାରି ନ ଥାନ୍ତା-। ଏଇଥିପାଇଁ ଲୋକେ କହନ୍ତି ଯେ ଜଣେ ଯଦି ପ୍ରାଚ୍ୟଦେଶ ନାରୀକୁ ଜାଣିଥିବ, ତେବେ ସେ କେବେହେଲେ ଜଣେ ଆମେରିକାନ୍‌ ନାରୀକୁ ଭଲପାଇ ପାରିବ ନି । ଏ କଥା ଆଲେନ୍‌ କ୍ରମେ ବୁଝିପାରିଲା ।

 

‘‘ତେଣୁ ଆଜି ସକାଳ ତୁମ ବାପ-ମା’ଙ୍କୁ ଫୋନ୍‌ କର’’ ଜୋସୁ ପରଦିନ ସକାଳ ଖୁସି ହୋଇକହିଲା ।

 

‘‘ହେଉ, କିଛି ସମୟ ଯାଉ,’’ ଆଲେନ୍‌ ବେଖାତିରରେ କହିଲା ।

 

ଆଲାମେନିଜର ପାତଳ କୁହୁଡ଼ି ଭିତରେ ଆଉ ଏକ ସୁଖର ଦିନ ଆରମ୍ଭ ହେଲାଏ ଦିନ ସମାପ୍ତି ବିଷୟରେ ସେ ଭାବିବାକୁ ଚାହେଁ ନାହଁ ।

 

ତଥାପି ଜୋସୁ ବ୍ୟସ୍ତ ହେବାର ସେ ଜାଣିପାରିଲା । ଜୋସୁର ଉତ୍କଣ୍ଠା ବିଷୟ ଆଲେନ୍‌ ଜାଣିପାରିଲା ।

 

‘‘ବ୍ୟସ୍ତ ହୁଅ ନା ଜୋସୁ, ମୁଁ ଟେଲିଫୋନ୍‌ କରିବି ।’’ ସେ କହିଲା । ‘‘ହଉ ଭଲ କଥା, ବର୍ତ୍ତମାନ କର—’’ ଜୋସୁ ରାଜି ହେଲା । ହଠାତ୍‌ ଆଲେନ ହସିଲା । ‘‘ବେଶ୍‌, ଆମେ ନିକଟସ୍ଥ ପବ୍ଳିକ୍‌ ଟେଲିଫୋନ୍‌ ପାଖକୁ ଯିବା—ପଶ୍ଚିମ ଦିଗର ନୀଳଘଣ୍ଟିକୁ ଲକ୍ଷ୍ୟ କର ।’’ ଦଶ ମିନିଟ୍‌ ଭିତରେ ଗ୍ରାମ୍ୟ ପରିବେଶର ଗୁଡ଼ାଏ ଲଗାଲଗି ଘରେ ଜୋସୁ ଆଗ ନୀଳଘଣ୍ଟି ଦେଖିଲା । ‘‘ସେଇଠି—ସେଇଠି ।’’ ଡ଼ାହାଣ ହାତର ମଝି ଆଙ୍ଗୁଠି ଦେଖାଇ ସେ ପାଟିକରି ଉଠିଲା ।

 

ତେଣୁ ଆଲେନ୍‌ ଫୋନ୍ କରିବାକୁ ବାଧ୍ୟହେଲା । କାର୍‌ ବନ୍ଦ କଲା । ‘‘ତୁମେ ଏଠି ଅପେକ୍ଷା କରିପାର’’–ସେ ଆଦେଶ ଦେଲା ।

 

ବର୍ତ୍ତମାନ ମୁହୂର୍ତ୍ତରେ ସେ ବ୍ୟସ୍ତ–ବିବ୍ରତ ହୋଇ ପଡ଼ିଲା । ଯାହା ଘଟିଲେ ବି ଡ଼ରିଲା ଭଳି ପିଲାଳିଆମି ତା’ର ନାହିଁ । ସେ ଜୋସୁକୁ ନେଇ ପୃଥିବୀର ଯେ କୌଣସି ସ୍ଥାନରେ ଖୁସିରେ ରହିପାରିବ । କିନ୍ତୁ ସେ ଘର ଛାଡ଼ିବାକୁ ଚାହେଁ ନି । ବହୁଦିନ ଦୂରରେ ରହି, ନିଜଦେଶ, ରାଜ୍ୟ ସହର ଓ ପୂର୍ବପୁରୁଷମାନେ ଭବିଷ୍ୟତ ବଂଶଧରମାରଙ୍କ ପାଇଁ ତୋଳିଥିବା ଏଇ ବିରାଟ ଘରଟି ପ୍ରତି ତା’ର ମମତା ବଢ଼ିଛି । ଏଇଭଳି ଆମେରିକାର ଜୀବନ ଯାପନ କରିବାକୁ ଚାହେଁ—ବାପାଙ୍କ ପରି ଜଣେ ଲୋକ ହେବାକୁ ଚାହେଁ—ସେହି ପରି ବୁଦ୍ଧିମାନ ଓ ସୁଖି ହେବାକୁ ଚାହେଁ ।

 

ବୁଥ୍‌ରେ ଅପେକ୍ଷା କଲାବେଳେ ସେ ଏଇ କଥା ହିଁ ଭାବୁଥିଲା । ଜୋସୁ ତା’ ମା’ଙ୍କ ପରି ହୋଇପାରିବ ତ ?

 

‘‘ଏଇ ତୁମର ବେଳ ଆସିଲା’’ —ଅପରେଟର୍‌ଙ୍କ ସ୍ୱର ତାର ଉପରେ ବାଜି ଉଠିଲା ।

 

‘‘ହାଲୋ ବାପା—ମୁଁ ଆଲେନ୍‌’’; ମୁହାଁମୁହିଁ ସେ ବାପାଙ୍କୁ ଡ଼ାକିଲା । ମା’ ଉପସ୍ଥିତ ଥିବେ କି କ’ଣ ଭାବି ଭୟ ପାଇଲା ।

 

‘‘ହେଁ ପୁଅ, ତୁ କେଉଁଠି ?’’ ତା’ ବାପାଙ୍କର ଗମ୍ଭୀର କଣ୍ଠ କମ୍ପିତ ହେଉଥିବା ଶୁଣି ସେ ଆଶ୍ଚର୍ଯ୍ୟ ହେଲା ।

 

‘‘ଆଲେନ୍‍ ନିଜରୁ ବାହାରି ଆମେ କାଲି ରାତିରେ ବା ତା’ ପରଦିନ ଘରେ ପହଞ୍ଚିବୁ—ଆମେ ସାଙ୍ଗହୋଇ ଯାଇପାରୁ, ଏଇଆ ଜଣାଇଦେବାକୁ ଚାହୁଁଛି ।’’

 

‘‘ହଁ, ଭଲ କଥା’’ । ସେ ଇତସ୍ତତଃ ହେଲେ । ‘‘ଆଲେନ, ତୁ ପ୍ରଥମ ରାତିଟା ହୋଟେଲରେ ରହ ପୁଅ ! ତୁ ଓ ମୁଁ କଥାବାର୍ତ୍ତା ହେବା ।’’

 

‘‘କ’ଣ ହେଇଛି ?’’ ସେ ପଚାରିଲା ।

 

‘‘ମୁଁ ବର୍ତ୍ତମାନ ଠିକ୍‌ କହିପାରୁ ନି । ଆମେ ବରଂ ପରେ କଥାଭାଷା ହେବା । ମନେକର, ତୁ ରିଚ୍‌ମଣ୍ଡରେ ରହିବୁ । ମୁଁ ଚାରିଟାବେଳେ ସେଠାକୁ ଯାଇ ତୋତେ ଅପେକ୍ଷା କରିବି । ତୁ ଆସିଲେ କ୍ଲବକୁ ଡ଼ାକିବୁ ।’’ ‘‘ହଉ, ଆମେ ସେଇଠି ରହିବୁ ।’’ ସେ ରାଜି ହେଲା । କ’ଣ କଥା ହେବେ ବୋଲି ବାପା କହିଲେ, ତା’ ଜାଣିବାକୁ ଓ ସେଥିଲାଗି ପ୍ରସ୍ତୁତ ହେଇ, ସେ ଚାହିଁଲା ।

 

‘‘ବିଦାୟ ବାପା, କାଲି ସାକ୍ଷାତ ହେବ ।’’

 

‘‘ହଉ, ପୁଅ ।’’

 

ସର୍ବସାଧାରଣଙ୍କ ଦୋକାନରେ ବେଲ୍‌ ବଜାଇ ସେ ଅପେକ୍ଷା କଲା । କିଛି ଚକୋଲେଟ୍‌ ଆଣି ରେଜା ଭଙ୍ଗାଇଲା । ଏଥିଭିତରେ ସେ ମୁହଁରୁ ଉତ୍କଣ୍ଠାର ଚିହ୍ନ ଲିଭାଇ ପାରିବ ।

 

ସର୍ବସାଧାରଣଙ୍କ ଦୋକାନରେ ବେଲ୍‌ ବଜାଇ ସେ ଅପେକ୍ଷା କଲା । କିଛି ଚକୋଲେଟ୍‌ ବାର୍‌ ଆଣି ରେଜା ଭଙ୍ଗାଇଲା । ଫଳରେ ଏହି ସମୟରେ ସେ ମୁହଁରୁ ଉତ୍କଣ୍ଠାର ଚିହ୍ନ ଲିଭାଇ ପାରିବ । ଜୋସୁର ଆଖି ଏତେ ଚପଳ ଯେ ସେ ତା’ର ଚିନ୍ତା ଓ ତା’ର ମନର ଅବସ୍ଥା ଧରିନେଇ ପାରିବ । କେବଳ ତାହାକୁ ଆଘାତ ନ ଦେବା ପାଇଁ ସେ ତା’ଠାରୁ ନିଜକୁ ଲୁଚାଇବାକୁ ଚାହେଁ । ସେ ତାକୁ ଚିହ୍ନିଲାଣି । ତା’ର ଶୀଘ୍ର ଦୁଃଖିତ ହେବାର, ନିରାଶ ହେବାର ଓ ଅବିଶ୍ୱାସ କରିବାର ଅଭ୍ୟାସ ରହିଚି । ସେ ଭାବେ, ଏଇ ହଉଚି ଜାପାନୀ ଲୋକଙ୍କ ପ୍ରକୃତି । ଆରମ୍ଭରୁ ସେ ହତାଶ ହେବା ଉଚିତ ନୁହେଁ । କାର୍‌କୁ ଫେରିଲାବେଳେ ସେ ହସିହସି ଚକୋଲେଟ୍‌ ଯାଚିଲା ।

 

‘‘ବାଃ ! ଧନ୍ୟବାଦ’’ ଜୋସୁ କହିଲା । ତା’ର ଆନ୍ତରିକ ମଧୁର ଭଦ୍ର କୃତଜ୍ଞତା ଶୁଣିବାକୁ ସେ ତାକୁ ଛୋଟ ଉପହାର ଦେବାକୁ ଭଲପାଏ । ମଧୁର ସ୍ୱରରେ ଗ୍ରହଣ କରି ସେ ଧନ୍ୟବାଦ ଦେଲା ଓ ପଚାରିଲା, ‘‘ତୁମେ ବାପାମା’ଙ୍କ ସହିତ କଥା ହେଲେ ?’’

 

‘‘ହଁ, ବାପାଙ୍କ ସହିତ । ଆମେ ପ୍ରଥମ ଗତିରେ ରିଚ୍‌ମଣ୍ଡର ଗୋଟିଏ ଭଲ ହୋଟେଲରେ ରହିବା । ବାପା ଆମକୁ ସେଇଠି ସାକ୍ଷାତ କରିବେ ।’’

 

‘‘ବାଃ–କେଡ଼େ ଭଲ କଥା’’ ! ତା’ ଆଖି ଲୁହରେ ଓଦା ହୋଇ ଆସିଲା । ‘‘ମୁଚଁ ଭାବୁଚି ସଏ ବେଶି ବୁଢ଼ା ନୁହଁନ୍ତି । କେତେ ହଇରାଣ ହେବେ ! ଆଉ ତୁମ ମା’ ?’’

 

ସେ କହିଲା ‘‘ସେ ଘରେ ରହି ଘର ସଜାଇବେ ।’’

 

ଏହାପରେ ଜୋସୁ ଭାରି ଖୁସି ହେଲା । ସେ ଡ଼୍ରାଇଭ୍‌ କରୁ କରୁ ଜୋସୁ ତାକୁ ଚକୋଲେଟ୍‌ ଖୁଆଇଲା, ନିଜେ ଅଳ୍ପ ଖାଇଲା ଓ ଯାହା ବଳିଲା, ତାକୁ ଜରିକଗଜ ଓ ତା’ଉପରେ ଖବର କାଗଜ ଦେଇ ଗୁଡ଼ାଇ ଅନ୍ୟ କେତେବେଳେ ଖାଇବା ପାଇଁ ଗ୍ଲୋଭରେ ରଖିଲା । ତାର ବ୍ୟୟସଙ୍କୋଚ ପ୍ରବୃତ୍ତି ଆଲେନ୍‌କୁ ଭାରି ଭଲ ଲାଗିଲା । ଉଦ୍‌ବୃତ୍ତ ଖାଦ୍ୟ ପାଇଁ, ଉଭୟଙ୍କର ପୋଷାକ ପାଇଁ—ଫାଳେ ଲେଖା କାଗଜ, ପେନି ଟିକେଟ୍‌ ଓ ନଷ୍ଟ ହେଇ ଯାଉଥିବା ଛୋଟ ଛୋଟ ଜିନିଷ ପାଇଁ ସେ ଭାରି ହୁସିଆର । ସଞ୍ଚୟ ଶିଖିଥିବା ଓ ସବୁକଥା ଅର୍ଥନୀତିକ ଦୃଷ୍ଟି କୋଣରୁ ବିଚାର କରୁଥିବା ଲୋକଙ୍କ ଭିତରେ ସେ ବଢ଼ିଚି । କିମିତି ସେ ନିଜ ବଡ଼ ଘରର ନଷ୍ଟ ହେଇ ଯାଉଥିବା ଜିନିଷଗୁଡ଼ାକୁ, ଚାରି ଚାରିଟା ଚାକରଙ୍କୁ ଘରକୁ ଆସୁଥିବା ଖାଦ୍ୟ ଝୁଡ଼ି, ଫୋପଡ଼ା ହେଉଥିବା ଖାଦ୍ୟ, ଟଙ୍କା ଓ ପୋଷାକ ପ୍ରତି ଯତ୍ନ ନେଇ ସହଜରେ ସାଇତା ହେଇପାରିବା ଜିନିଷକୁ ସଜାଡ଼ି ରଖିବ–ଏ କଥା କଳ୍ପନା କରି ଆଲେନ୍‌ ଆଶ୍ଚର୍ଯ୍ୟ ହୁଏ । ଜୋସୁ ପାଇଁ ସେ ବ୍ୟସ୍ତ ହୁଏ । ତା’ର ଅନେକ ଭଲଗୁଣ ଅଛି । ଏଇ କୋମଳ ମଧୁର ସମର୍ପଣ ତଳେ ତା’ର ଏଇ ନୀତି ଅଛି ଯାହା କେବେ ବଦଳିବ ନାହିଁ । ତା’ର ସ୍ପଷ୍ଟ କଠିନ ତରୁଣୀମନ ତଳେ ଏକ ନିର୍ଭୁଲ ନୀତି ରହିଚି—ଯଦିଓ ତା’ ପାଇଁ ପ୍ରେମରେ ସେ ଭାସିଆସିଚି । ତଥାପି ସେ ଦୃଢ଼ ଅଛି । ଚିନ୍ତାରେ, କଥାରେ ଓ ବ୍ୟବହାରରେ ଯାହା ସେ ଠିକ୍‌ ବୋଲି ଭାବେ, ସେ ଉତ୍ସାହରେ ତହିଁରେ ଲାଗିପଡ଼େ । ଆଲେନ୍‌ଠାରେ ସେଇ ସପ୍ତାହ ସେ ଦେଖେ ନାହିଁ, କିନ୍ତୁ ନିଜଠାରେ ସେ ଦେଖିପାରେ । ଆଲେନ୍‌ ଏକ ଭବିଷ୍ୟତ ଦେଖିପାରେ ଯେଉଁଠି ଜୋସୁ ତା’ର ଜୀବନ ପାଇଁ ଅର୍ଥସଞ୍ଚୟ, ଖାଦ୍ୟ ସଂରକ୍ଷଣ ଓ ସୁଖ ପାଇଁ ଉତ୍ସାହରେ ଲାଗି ପଡ଼ିବ । ନଷ୍ଟ ହେଇଯିବା ଭଲ ବୋଲି ସେ ଜୋସୁକୁ ପ୍ରବର୍ତ୍ତାଇ ପାରିବ ନି ବା ବୁଢ଼ା ଚାକରର ଛୋଟ ଛୋଟ ଚୋରି, ଚୋରି ନୁହେଁ ବୋଲି ବୁଝାଇ ପାରିବ ନି । ତା’ରି ପାଇଁ ସବୁ ସମ୍ଭବ ହେବ; କିନ୍ତୁ ସେ ହୃଦୟଙ୍ଗମ କଲା—ଏଇ ପ୍ରେମ କାମନାଜଡ଼ିତ କୋମଳ ହେଲେ ବି ଚିରସ୍ଥାୟୀ ହୋଇରହିବ ।

 

ରିଚ୍‌ମଣ୍ଡର ନିର୍ଜନ ରାସ୍ତାରେ ଥିବା ଗୋଟିଏ ଛୋଟ ହୋଟେଲରେ ରହିବାକୁ ସେ ପସନ୍ଦ କଲା । କାହିଁକି ନା, ଜୋସୁ ସହିତ ସେ ଗଲେ ଲୋକମାନେ ସନ୍ଦେହୀ ହୋଇପଡ଼ିବେ—ଏ କଥା ସେ ଜାଣିଥିଲା । ସେ ଅବଶ୍ୟ କୌତୁହଳପୂର୍ଣ୍ଣ ଚାହାଣୀ ଓ ନୀରବ ପ୍ରଶ୍ନଗୁଡ଼ିକୁ ସହ୍ୟ କରିବାରେ ଅଭ୍ୟସ୍ତ । ଜାପାନରେ ବି ତା’ ଉପରେ ସେମିତି କୌତୁହଳ ଓ ପ୍ରଶ୍ନିଳ ଚାହାଣୀ ପଡ଼ୁଥିଲା; କିନ୍ତୁ ସେ ଖାତିର କରୁ ନ ଥିଲା । ଜୋସୁ ହୁଏ ତ ସବୁ ସହି ଯାଉଥିଲା । ତାକୁ ସେ ବର୍ତ୍ତମାନ ଏ ସବୁ କଥା କହିବି ନି; କାଳେ ତା’ ମନରେ ସବୁ ହରାଇବାର ହତାଶା ଉପୁଜିବ ।

 

ହୋଟେଲ ଟି ଭଲ । ମରହଟି ଧରଣର ନୀରବତା ଜୋସୁକୁ ବେଶ୍‌ ଭଲ ଲାଗିଲା । ରାସ୍ତାର ଗଛଗୁଡ଼ିକ ଏବେ ଶରତର ଆଲୋକରେ ଉଜ୍ଜ୍ୱଳ ହୋଇ ଉଠିଛନ୍ତି । ସେମାନେ ଝରକା ବାଟେ ଅଳ୍ପ ଆଲୋକିତ ହେଉଥିବା ଛୋଟ କକ୍ଷଟିରେ ରହିଲେ । ଆଲେନ୍‌ ବାପାଙ୍କ କ୍ଲବକୁ ଫୋନ୍‌ କଲା ।

 

ମିଃ କେନେଡ଼ି ପୁଅର ଡ଼ାକକୁ ଅପେକ୍ଷା କରିଥିଲେ । ପୂର୍ବଦିନ ସେ ପହଞ୍ଚିଲେ ଓ ପୁରୁଣା ବନ୍ଧୁଙ୍କୁ ସାକ୍ଷାତ୍‌ କରି ସମୟ କଟାଇଥିଲେ । ସେ ବନ୍ଧୁଙ୍କ ଘରେ ରହି ନ ଥିଲେ । ନିହାତି ଅସୁବିଧା ନ ଥିଲେ ସେ କାହା ଘରେ ଖାଆନ୍ତି ନି । ବନ୍ଧୁମାନେ ଅଫିସକୁ ଯାଇଥିଲେ । ବିଶ୍ରାମ ଅସରନ୍ତି ମନେ ହେଲା । ପ୍ରତ୍ୟେକେ ତାଙ୍କୁ ଦେଖି ଖୁସି ହେଲେ, କାରଣ ସେ ଖୁବ୍‌ ଜ୍ଞାନ ପୁଣ୍ୟମୟ ତଥ୍ୟ ଗପି ବସନ୍ତି । ହେନେରି କେନେଡ଼ି ଖବର କାଗଜ ଠାରୁ ଆହୁରି ଭଲ ବୋଲି ବନ୍ଧୁମାନଙ୍କର ଧାରଣା ।

 

‘‘ମୁଁ ବର୍ତ୍ତମାନ ଯାଉଚି ପୁଅ’’–ଟେଲିଫୋନ୍‌ରେ ସେ ଆଲେନ୍‌ କଥାର ଉତ୍ତର ଦେଲେ ।

 

ରସିଭର ରଖିଦେଇ, କ୍ଲବରେ ପ୍ରାୟତଃ ସେ ଯେଉଁ ସୁନ୍ଦର ବଡ଼ ଘରଟି ଭଡ଼ା ନିଅନ୍ତି, ସେଇ ଘରେ ଶୀଘ୍ର ତାଙ୍କର ଧୂରିଆ ବାଦାମୀ ରଙ୍ଗର ଚପକୋଟ ଓ ନିର୍ଦ୍ଦିଷ୍ଟ ଆକାର ନ ଥିବା ବାଦାମୀ ଫେଲଟ୍‌ ହ୍ୟାଟ ପିନ୍ଧିନେଲେ ଓ ଓସାରିଆ ପାହାଚରେ ଓହ୍ଲାଇଗଲେ । ସେଠି ଲିଫ୍‌ଟ ନାହିଁ, ଥିଲେ ବି ସେ ଦରକାର କରି ନ ଥା’ନ୍ତେ ।

 

ବାହାର ଅତି ଅନ୍ଧାରୁଆ । ଓଦାଳିଆ ଉଷ୍ଣତାରେ ପରିବେଶ ଭରି ଥିଲା । ସେ ଟାକସି–କାବ୍‌କୁ ଡ଼ାକିଲେ । ‘‘ମତେ ମାନସ୍‌ଫିଲ୍‌ଡ଼ ନେଇ ଚାଲ’’—ସେ ଆଦେଶ ଦେଲେ ଓ କ୍ୟାବ୍‌ ସହରି ରାସ୍ତାରେ ଆଗେଇ ଚାଲିଲା । ଜୋସେଫାଇନ୍‌ ସହିତ ତାଙ୍କର ହୋଇଥିବା ଦୀର୍ଘ କଥାବାର୍ତ୍ତାକୁ ସେ ପୁଅଠାରୁ ଲୁଚାଇବାକୁ ଚାହାନ୍ତି ନି । ଆଲେନ୍‌କୁ କ’ଣ କରିବାକୁ ହେବ, ଶୀଘ୍ର ଜାଣିବା ଭଲ । ପରିଶେଷରେ କ’ଣ ହେବ ଜାଣିବା ପୂର୍ବରୁ ସମୟ ଅତିକ୍ରାନ୍ତ ହେଇଥିବ । ସେ ହୋଟେଲ ପାଖେ ଓହ୍ଲାଇ ଭଡ଼ାଦେଇ ଦେଲେ । ଦରଜା ପାଖରେ କଳା ବେଲବୟକୁ ଦେଖି ମୁଣ୍ଡ ହଲାଇଲେ ।

 

‘‘ମୁଁ ଏଠି ରହୁ ନି—ମୁଁ ଜଣକୁ ଦେଖିବାକୁ ଆସିଛି ।’’ କାହିଁକି ସେ କହିଲେ ନାହିଁ, ମୁଁ ମୋ ପୁଅକୁ ଦେଖିବାକୁ ଆସିଚି ବୋଲି ? ତାଙ୍କ ଭିତରେ ବି କିଛି ବାଜେ ଅନିଚ୍ଛା ରହିଛି ? ଯଦି ଥାଏ—ସେ ତାଙ୍କୁ ପୋଛିଦେବେ । ସେ ଅନ୍ଧବିଶ୍ୱାସକୁ ଘୃଣା କରନ୍ତି । ତାଙ୍କ ନିଜର ମସ୍ତିଷ୍କ ତଳେ ଗୋପନରେ ସେ ବିଶ୍ୱାସ କରନ୍ତି ଯେ ଯାହା ଅବଶ୍ୟମ୍ଭାବୀ, ତାହା ଆସିବ—ଶୀଘ୍ର ଆସିଲେ ଭଲ । ସବୁ ଲୋକ ଏକ ପ୍ରକାର ହୋଇ ଯିବେ; ସବୁଲୋକ ଟିକେ ଫିକା ବାଦାମୀ ରଙ୍ଗର ହୁଅନ୍ତୁ । ଏଥିରେ ବା କ’ଣ କ୍ଷତି ହୋଇଯିବ ? ତେଣୁ ମାନବିକ ଘଟଣାବଳୀର ଗୋଟିକ ପରେ ଗୋଟିଏ ଥିବା ପ୍ରତିବନ୍ଧକ ଶୀଘ୍ର ନଷ୍ଟ ହେଇଥା’ନ୍ତା । ଥରେ ସେ ନିଉୟର୍କରେ ଥିଲାବେଳେ ଗୋଟିଏ ସର୍ବସାଧାରଣଙ୍କ ଭୋଜିରେ ଜଣେ ଦେଶରକ୍ଷାକର୍ତ୍ତ୍ରୀ ନାରୀକୁ ଭେଟିଥିଲେ ।

 

‘‘କିନ୍ତୁ କ’ଣ ମିଃ କେନେଡ଼ି—ଆମେ କ’ଣ ଏଇ ରଙ୍ଗ ଭେଦାଭେଦକୁ ଧରି ବସିବା ?’’ ସେଇ ସ୍ତ୍ରୀଲୋକ ଜଣକ ପଚାରିଲେ ।

 

ଜନ୍ମସ୍ଥାନ ଦକ୍ଷିଣରୁ ଅନେକ ଦୂରରେ—ଅଚିହ୍ନା ଲୋକଙ୍କ ମେଳରେ ଓ ତାଙ୍କର କେତେକ ଚିହ୍ନାଲୋକଙ୍କ ମେଳରେ ଆରାମରେ ସେ ବସି ଏକ ଅତି ସୁସ୍ୱାଦୁ କୁକୁଡ଼ା ଖାଉଥିଲେ । ଖୁସିରେ ସେ କହିଲେ, ‘‘ସେ କଥା ଛାଡ଼; ଛାଡ଼ ।’’ ସ୍ତ୍ରୀଲୋକ ଜରଙ୍କ ତାଙ୍କୁ ପୁନର୍ବାର କିଛି କହି ନ ଥିଲେ ।

 

ସେ ଟେବୁଲ ପାଖକୁ ଯାଇ କହିଲେ, ‘‘ମିଃ ଆଲେନ୍‌ କେନେଡ଼ିକୁ କହ ଯେ, ତାର ବାପା ଉପର ମହଲାକୁ ଆସିଚନ୍ତି ।’’ ସେ ଅପେକ୍ଷମାଣ କିରାଣୀକୁ ଆଦେଶ କଲେ ।

 

‘‘ହଉ ସାର୍‌’’! ତାକୁ ନିରୀକ୍ଷଣ କରି କିରାଣୀ କହିଲା । ସେଇଥିପାଇଁ ସେ ନିରୀକ୍ଷଣ କଲା, ନୁହଁ କି ? ସେ ଏ କଥା ଧରିବେ ନି । ‘‘ଲିଫଟ ଏପଟେ ଅଛି ସାର୍‌ ।’’ —କିରାଣୀଟି କହିଲା-

 

‘‘ମୁଁ ଚାଲି କରି ଯିବ’’—ମି: କେନେଡ଼ି ଉତ୍ତର ଦେଲେ । ଗୋଟିଏ ମହଲା ଉପରେ ତ-! ସେ ବ୍ୟାୟମକୁ ଘୃଣା କରନ୍ତି ଓ ପାହାଚରେ ଉଠି ବିବେକକୁ ଉଦ୍‌ବୋଧନ ଦିଅନ୍ତି । ପାହାଚଗୁଡ଼ିକ ସୁବିଧାଜନକ, ଓସାରିଆ ଏବଂ କରିଡ଼ରରେ ମୋଟା ଗାଲିଚା ପଡ଼ିଚି । ତାଙ୍କ ପାଦଶବ୍ଦ ଶୁଭିଲା ନି-। ସେ ଜୋରରେ ଦରଜା ବାଡ଼େଇଲେ । ଆଲେନ୍‌ କହିଥିଲା, ବାଇଶି ନମ୍ବର-। ଖୋଲା ଦ୍ୱାର ଉପରର ଫାଙ୍କରେ ନାରୀକଣ୍ଠର ଏକ କ୍ଷୀଣ ପାଟି ସେ ଶୁଣିପାରିଲେ ଓ ପରେ ଆଲେନ୍‌ର ସ୍ୱର, ‘‘ସେ ମୋ ବାପା ।’’

 

ଦରଜା ତତ୍‌କ୍ଷଣାତ୍‌ ଖୋଲିଗଲା । ଘର ଶୂନ୍ୟ ଓ ଆଲେନ୍‌ ତାଙ୍କୁ ଦେଖି ହସୁଥିଲା । ‘‘ଜୋସୁ ଶୋଇବାଘରକୁ ଯାଇ ମୁଣ୍ଡ କୁଣ୍ଡାଉଛି । ସେ ସୁନ୍ଦର ଦିଶିବାକୁ ଭାରି ଆଗ୍ରହୀ ଓ ଭୟ ବି କରୁଛି । ବାପା, ଭିତରକୁ ଆସନ୍ତୁ ।’’

 

‘‘ମୁଁ ଭାବେ, ସବୁ ନାରୀ ତାଙ୍କ କେଶ ବିଷୟରେ ସଚେତନ ।’’ ମିଃ କେନେଡ଼ି କହିଲେ-। ସେ ଭିତରକୁ ଆସିଲେ ଓ ତାଙ୍ଗ କୋଟ, ଟୋପି ଓ ବାଡ଼ି ରଖିବାପାଇଁ ଆଲେନ୍‌କୁ କହିଲେ । ଅତି ଭଲ ଚୌକିରେ ସେ ବସି ପଡ଼ିଲେ ଓ ଛୋଟ ଘରଟିର ଚାରିଆଡ଼େ ସେ ଚାହିଁଲେ । ସେ ଡ଼େରି କରିବେ ନି, କିନ୍ତୁ ସିଗାରେଟ୍‌ ଲଗାଇବାକୁ ଟିକିଏ ଡ଼େରି କଲେ ।

 

‘‘ଝିଅଟି ଆସିବା ପୂର୍ବରୁ ମୁଁ ତୋତେ କହି ଦେଉଛି ପୁଅ—ତୋ ମାଆଙ୍କ ମନ ଭଲ ନାହିଁ-। ତୋ ସ୍ତ୍ରୀ ଆଗରେ ଏ କଥା କହିବାକୁ ମୁଁ ଚାହୁଁନି—କିନ୍ତୁ ତୁ ଓ ମୁଁ ସବୁ କଥା ଭାବିବା ଦରକାର ।’’

 

ଆଲେନ୍‌ ସ୍ତବ୍‌ଧ ହୋଇ ଠିଆ ହୋଇରହିଲା—ବାପାଙ୍କ ମୁହଁରେ ଦୁଃଖପୂର୍ଣ୍ଣ ଉତ୍ସାହ ଭରି ରହିଥିଲା । ‘‘ତୁମେ କହୁଛ–ସେ ଆମର ଘରକୁ ଯିବାପାଇଁ ଚାହୁଁ ନାହାନ୍ତି ।’’ ସେ ପଚାରିଲା ।

 

ମି: କେନେଡ଼ି ଦୁଃଖିତ ହେଲେ । ସେ ମୁଣ୍ଡ ବୁଲାଇ ନେଇ ସିଗାରେଟ୍‌ ଟାଣିଲେ । ‘‘ମୁଁ ଡ଼ରୁ ନି ପୁଅ । ମାନେ ତୋ ସ୍ତ୍ରୀକୁ ଘରକୁ ନେବାକୁ ସେ ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହିଁ । ଅବଶ୍ୟ ତୋତେ ଦେଖିବାକୁ ସେ ସବୁବେଳେ ଚାହିଁ ବସିଛି । ପ୍ରକୃତରେ ସେ ତୋତେ କହିବାକୁ ବସିଛି ଯେ ତୋ ପାଇଁ ସବୁବେଳେ ଦୁଆର ଖୋଲା । ସେ ତୋତେ କହିବାକୁ କହିଛି—ତୋ ଘର ସବୁବେଳେ ସଜା ହୋଇଛିତୁ ଯେତେବେଳେ ଇଚ୍ଛା ଯାଇପାରୁ ।’’

 

‘‘ଟିକେ ଅପେକ୍ଷା କର’’—

 

ଆଲେନ ସେ ଘରୁ ବାହାରି ବେଡ଼୍‌ରୁମକୁ ଗଲା ଓ ମଝି କବାଟ ବନ୍ଦ କରିଦେଲା । ଏକ ଦୀର୍ଘ ନୀରବତା ଓ ଦୀର୍ଘ ଅପେକ୍ଷା ବିରାଜମାନ କଲା । ମିଃ କେନେଡ଼ି ସିଗାରେଟ ଟାଣିବାରେ ଲାଗିଲେ । ଲମ୍ବା ସରୁ ସିଗାରେଟରେ ଦୀର୍ଘ ଟାଣ ଦେଲା ବେଳକୁ ଏକ ସରୁ ଧୂଆଁର କୁଣ୍ଡଳୀ ତାର ପ୍ରାନ୍ତରୁ ବାହାରୁଥାଏ । ସେ ଆଶା କରିଥିଲେ ଆଲେନ୍‌ ଏ କଥା ଝିଅକୁ କହିବ ନାହିଁ-। ସ୍ତ୍ରୀଲୋକମାନେ ନ ଜାଣିଲେ ଯ କୌଣସି ଘଟଣା ସହଜରେ ସମାଧାନ ହୋଇଯିବ; କିନ୍ତୁ ଅଧିକାଂଶ ସ୍ୱାମୀମାନଙ୍କୁ ପରି ଆଲେନ୍‌ ବୋଧହୁଏ ଭାବୁଚି ତା’ ସ୍ତ୍ରୀକୁ ସବୁ କଥା କହିଦେବ । ଏ କଥା ଶିଖିବାକୁ ପୁରୁଷମାନଙ୍କୁ ସମୟ ଲାଗେ ନି ଓ ବାପ ପକ୍ଷରେ ସବୁ କଥା ପୁଅକୁ ଶିକ୍ଷା ଦେବେ ସମ୍ଭବ ହୋଇପାରେ ନି ।

 

ତାଙ୍କ ମନ ସ୍ତ୍ରୀଙ୍କ ପାଖୁ ଓ ସେଇ ଅତିକ୍ରାନ୍ତ ହୋଇଥିବା ବିରକ୍ତିକର ସନ୍ଧ୍ୟାକୁ ଫେରିଗଲା । ସେ ସ୍ତ୍ରୀକୁ ସତ କଥା କହିଲେ ଯେ ସେ ରିଚ୍‌ମଣ୍ଡକୁ ଯାଉଛନ୍ତି ଆଲେନ୍‌ ଓ ତା’ର ବଧୂକୁ ସାକ୍ଷାତ କରିବାକୁ । ଖୁସି ନ ହୋଇ ସେ ତାଙ୍କୁ କଦର୍ଯ୍ୟ ଭାବେ ନିନ୍ଦା କଲା—ସେ କିନ୍ତୁ ସେଥିପାଇଁ କ’ଣ କରିପାରିବେ ?

 

‘‘ଆମେ ଘଟଣାଟାକୁ ସୁଧାରିନେବା କଥା’’—ସେ ଯୁକ୍ତି ବାଢ଼ିଲେ । ‘‘ଆମେ ନ କଲେ କିଏ କରିବ ? ତୁମେ ଓ ମୁଁ କେବଳ କରିବା । ସେମାନେ ହୁଏ ତ ଦୂରକୁ ଯାଇ ଅନ୍ୟ କେଉଁଠି ରହିବେ । ତୁମେ ଆଉ ମୁଁ କେବଳ ଏଇ ଘରେ ଏକା ରହିବା । ଆମେ ଆମର ଏକମାତ୍ର ପୁଅକୁ ତ୍ୟଜ୍ୟପୁତ୍ର କରିପାରିବା ନାହିଁ—ଚିନି !’’

 

‘‘ମୁଁ ତା କହୁନି । ମୁଁ କେବଳ କହୁଚି ଯେ ସେ ଝିଅକୁ ଏଠାକୁ ଆଲେନ୍‌ ଆଣି ପାରିବ ନି-।’’ ସ୍ତ୍ରୀ ପ୍ରତିବାଦ କଲେ । ‘‘ସେମାନେ ବିଭାହୋଇ ସାରିଛନ୍ତି, ଚିନି ’’—ସେ ମନେ ପକାଇଦେଲେ-। ସ୍ତ୍ରୀଙ୍କ ସୁନ୍ଦର ମୁହଁରେ ଏପରି ଏକ ଭାବ ଆସିଲା—ଯାହା ଏକ ପ୍ରକାର ଖତେଇ ହେବା ଭଳି—ଏହା ସେ ଅନେକ ଦିନୁଁ ଜାଣିଛନ୍ତି । ପ୍ରଥମ ଥର ତାଙ୍କର ମଧୁଶଯ୍ୟା ରାତିରେ ଏଇ ଭାବ ଦେଖିଥିଲେ; କିନ୍ତୁ ସେ ଘଟଣା ସେ ଘଟଣା ସେ ଭୁଲି ଯାଇଛନ୍ତି । ତାଙ୍କର ମନେ ପଡ଼ୁଛି ସେଇ ସୁନ୍ଦର ଓଠ—ଯାହାକୁ ସେ ଚୁମ୍ବନ କରିଥା’ନ୍ତେ—ସେଇ ଓଠ କିପରି ଆକାର ଧାରଣ କରି ତାଙ୍କର ପ୍ରେମ ଚୁମ୍ବନକୁ ଅଗ୍ରାହ୍ୟ କରି ଆଘାତ ଦେଇଥିଲା; କିନ୍ତୁ ସେତେବେଳେ ସେ ଜାଣି ନ ଥିଲେ ଯେ ପ୍ରେମ ପ୍ରେମିକାକୁ ବଦଳେଇ ଦେଇପାରେ ନି । ସେଇ ଦିନଠୁଁ ସେ ତାଙ୍କଠୁଁ ଭଲ ପଇବା କମାଇ ନାହାନ୍ତି; କିନ୍ତୁ ପୂର୍ଣ୍ଣଭାବେ ଭଲ ପାଇପାରି ନାହାନ୍ତି । ତାଙ୍କ ଅନ୍ତର ପ୍ରେମପୂର୍ଣ୍ଣ ଥିଲେ ବି କେତେକ ମୁହୂର୍ତ୍ତରେ, କେତେକ ସମୟରେ ଓ କେତେକ ଦିନରେ ସେ ସ୍ତ୍ରୀଙ୍କ ବିଷୟ ନ ଭାବିବାକୁ ସ୍ଥିର କରିଛନ୍ତି । ‘‘ସେମାନେ ବିଭା ହୋଇନାହାନ୍ତି’’, ସେ ରୁକ୍ଷଭାବେ କହିଲେ—ଟିକେ ନରମିଯାଇ ପୁଣି ସେଇ କଥାକହିଲେ–(ଯେତେବେଳେ ସେ ନମ୍ର ହେବାକୁ ଚାହାନ୍ତି ଏପରି କହନ୍ତି) କିନ୍ତୁ ଏଇ ରୁକ୍ଷ ସ୍ୱରକୁ ସେ ଭୟ କଲେ ।

 

‘‘ଚିନି—ତୁମେ ପୁଣି ସେଇ କଥା କାହିଁକି କହୁଚ ? ତୁମେ ଜାଣ ମୁଁ ତୁମକୁ କହିଚି ଚର୍ଚ୍ଚ ଯାହା ମନ୍ଦିର ସେଇଆ ।’’

 

‘‘ମୁଁ ମନ୍ଦିରକୁ ଖାତିର କରେନା’’—ସେ କହିଲେ ।

 

ସ୍ତ୍ରୀଙ୍କ ମୁହଁର ସ୍ପର୍ଦ୍ଧିତ ଚାହାଁଣୀ ଦେଖିବାକୁ ସେ ଆଦୌ ଭଲ ପା’ନ୍ତି ନି । ପୂର୍ବରୁ ଥରେ ଦି’ଥର ଇମିତି ସେ ଆଗରୁ ଦେଖିଥିଲେ, ଯେତେବେଳେ ତାଙ୍କର ଓ ଆଲେନ୍‌ର ଇଚ୍ଛା ବିରୁଦ୍ଧରେ ସେ ପୁଅକୁ ମିଲିଟାରୀ ସ୍କୁଲରେ ଭର୍ତ୍ତି କଲେ । ପୁଅକୁ କାଢ଼ି ଆଣିଲେ କାଳେ ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ ଉପୁଜିବ ଏହା ଭାବି ସେ ସ୍ତ୍ରୀଙ୍କ ଇଚ୍ଛା ଯାହା ତା’ କରିବାକୁ ଛାଡ଼ିଦେଲେ ।

 

‘‘ତୁମେ କ’ଣ ଖାତିର କର ନ କର ସେ କଥା ଥାଉ’’ ସେ ଆରମ୍ଭ କଲେ, ତାଙ୍କ ଅଡ଼ୁଆ ତଡ଼ୁଆ ଚିନ୍ତା ଭିତରେ ସ୍ତ୍ରୀ ହଠାତ୍‌ ଚାବୁକ୍‌ ମାରିଲା ପର ଚିତ୍କାର କଲେ, ‘‘ଠିକ୍‌ କହୁଛ । ତୁମେ କ’ଣ ଭାବ, ମୁଁ କ’ଣ ଭାବେ ସେଥିରେ ଯାଏ ଆସେ ନି, ଏ ହେଉଚି ନିୟମ । ଏ ଦେଶର ନିୟମ ରୋଗ କଲାର ବିବାହକୁ ନିଷେଧ କରିଚି ।’’

 

ସ୍ତ୍ରୀ ତାଙ୍କୁ ମୁହାଁମୁହିଁ ଉତ୍ତର ମାଗିଲେ ।

 

‘‘ଜୋସେଫାଇନ୍‌ !’’ ସେ ବଡ଼ ପାଟିରେ କହିଲେ, ‘‘ତୁମେ ଜାଣ, ଆଇନ ନିଗ୍ରୋଙ୍କ ବିରୁଦ୍ଧରେ ହେଇଚି ।’’

 

‘‘ଏଇ ତ ଆଇନ୍‌ ।’’ ସ୍ତ୍ରୀ ପୁଣି କହିଲେ ।

 

ମି: କେନେଡ଼ି ଉଠି ପଡ଼ି ଚାଲି ଆସିଲେ ଓ ଶୋଇବା ପୂର୍ବରୁ ତାଙ୍କ ଓକିଲ ବାଂକ୍ରଫଟ୍‌ ହେଇନ୍‌ସଙ୍କୁ ଡ଼ାକିଲେ । ୟା’ ସତ, ଦେଶର ଆଇନ ଆଲେନ୍‌ର ବିବାହକୁ ନିଷେଧ କରୁଛି; କାରଣ ଝିଅଟିର ଦେହରେ ଏସିଆର ରକ୍ତ ଅଛି । ବର୍ତ୍ତମାନ ସେ କୌଣସି ମତେ ପୁଅକୁ ଏ କଥା ଜଣାଇବେ ।

 

କବାଟ ମେଲା ହେଲା ଓ ଆଲେନ୍‌ ଜୋସୁକୁ ନେଇ ଆସିଲି । ମି: କେନେଡ଼ି ଯେଉଁ ସମୟକୁ ଡ଼ରୁଥିଲେ ସେ ସମୟ ଆସିଗଲା । ସେ ଠିଆ ହୋଇଯାଇ ପୁଅ ଧରିକରି ଆସୁଥିବା ଝିଅଟିକୁ ନିରୀକ୍ଷଣ କଲେ—ନିରୀହ ସୁନ୍ଦର ଝିଅଟିଏ—ତା’ର ରଙ୍ଗ ଚିକ୍‌କଣ ଧଳା ଓ ପାଟଳ ଦିଶୁଛି—ତା’ର ବଡ଼ ବଡ଼ କଳା ଆଖି ଯୋଡ଼ିକରେ ଭୟର ସ୍ପର୍ଶ ଲାଗିଛି । ସେ ଭାବିଲେ—ଆହା ଏଡ଼େ ସୁନ୍ଦର ମୁହଁଟି, ଏତେ ଡରକୁଳୀ ପିଲାଟି, ମନ ଦୁଃଖରେ ଆମକୁ ଖୁସି କରିବାକୁ ଚାହୁଛି ଓ ଗ୍ରହଣୀୟ ହେବାକୁ ଅଳି କରୁଛି । ତାଙ୍କର ସମସ୍ତ କରୁଣା ଏକାଠି ହୋଇ ଜୋସୁ ଉପରେ ଅଜାଡ଼ି ହୋଇପଡ଼ିଲା ।

 

‘‘ଇଏ ଜୋସୁ !’’ ଆଲେନ୍‌ କହିଲା ।

 

ମି: କେନେଡ଼ି ଶୀଘ୍ର ଦଉଡ଼ି ଆସି ତାଙ୍କର ଲମ୍ବା କୋମଳ ଡ଼ାହାଣ ହାତକୁ ବଢ଼ାଇଦେଲେ । ‘‘ମୁଁ ତୁମକୁ ଦେଖି ଖୁସି ହେଲି’’—ସେ ଅତି ଭଦ୍ରତାରେ କହିଲେ । ‘‘ତୁମେ ଏତେ ଦୂରକୁ ଆସିଛ—ମୁଁ ତୁମକୁ ସ୍ୱାଗତ କରୁଛି ।’’ ତା’ର କୋମଳ ଦୃଢ଼ ହାତଟିକୁ ଧୀରେ ଚାପି ସେ କହିଲେ, ‘‘ତୁମେ ଟିକେ କ୍ଲାନ୍ତ ହୋଇ ପଡ଼ିଥିବ ଓ ଘରକଥା ମନେ ପକାଉଥିବ ବୋଧହୁଏ ।’’

 

‘‘ନା–ନା, ଆପଣଙ୍କୁ ଧନ୍ୟବାଦ’’—ଜୋସୁ ଅତି ଆସ୍ତେ ଆସ୍ତେ ଉତ୍ତର ଦେଲା । ମିଃ କେନେଡ଼ିଙ୍କ ଚେହେରା ଦେଖି ସେ ବିସ୍ମିତ ହୋଇଯାଇଛି । ଏତେ ବଡ଼ ମଣିଷ; କିନ୍ତୁ କେତେ ଦୟାଳୁ, ସେ ଦେଖୁଛି । ସେ ଟିକେ ହସି ଥର ଥର ଓଠରେ ବଡ଼ ବଡ଼ ଆଖି କରି ତାଙ୍କୁ ଚାହିଁଲା ।

 

ମି: କେନେଡ଼ି ଅତି ନରମ ଚାହାଁଣୀରେ ତାକୁ ଚାହିଁଲେ ଓ ସେ କଳା ନୁହେଁ ଦେଖି ଆଶ୍ୱସ୍ତ ହେଲେ । କାହିଁକି, ଦକ୍ଷିଣ ଆମେରିକା ପରିବାରର ଅନେକ ଝିଅ ତ ମଇଳା ରଙ୍ଗର । ସେ ନିଶ୍ଚୟ ଜୋସେଫାଇନ୍‌କୁ କହିବେ । ‘‘ତୁମେ ଖୁବ୍‌ ଛୋଟଟିଏ—ନୁହେଁ କି ? ସେ କହିଲେ ଓ ପୁଅକୁ ପଚାରିଲେ, ‘‘ସେମାନେ କ’ଣ ସମସ୍ତେ ଇଆରି ଭଳି ଛୋଟ ?’’

 

‘‘ଜୋସୁ ତ ଏତେ ଗେଡ଼ା ନୁହେଁ ବାପା !’’ —ଆଲେନ୍‌ ଉତ୍ତର ଦେଲା, ସେ ଖୁସି ହେଲା । ତା’ ବାପା ଶୀଘ୍ର ଜୋସୁର କୋମଳ ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇଛନ୍ତି । ତା’ ଲାଗି ଆଲେନ୍‌ ଗର୍ବ କରେ । କେମିତି ଜଣେ ପୁରୁଷ ତା’ର ପ୍ରେମରେ ପଡ଼ିଯାଇପାରେ, ବାପା ବୁଝି ପାରିବେ । ତା’ ବାପା ସେମାନଙ୍କର ପକ୍ଷ ନେବେ ।

 

ଦୁଇ ଡ଼େଙ୍ଗା ମଣିଷଙ୍କ ମଝିରେ ଜୋସୁ ହଠାତ୍‌ ହସିଲା । ସେ ଆଉ ଡ଼ରୁନି । ଏଇ ବଡ଼ ମୋଟା ଶ୍ୱଶୁର ତା’ର, ତାଙ୍କ ସାହାଯ୍ୟ କରିବେ, ସବୁ ସୁଧୁରିଯିବେ । ସେ ତାଙ୍କୁ ଭଲ ପାଏ ଓ ତାକୁ ଡ଼ରେ ନି, ତାଙ୍କ ଘରେ ସେ ଖୁସିରେ ରହିବ । ଏଇପରି ବାପାଙ୍କର ପୁଅ ହୋଇ ଆଲେନ୍‌ ଯେ ଅତି ଆଶ୍ଚର୍ଯ୍ୟ ଲୋକ ଏଥିରେ କିଛି ସନ୍ଦେହ ନାହିଁ । ସେ ବି ଗୋଟିଏ ଭଲ ବୋହୂ ହୋଇପାରିବ । ସେ ଆଲେନ୍‌ଠାରୁ ଦୂରକୁ ଘୁଞ୍ଚିଗଲା । ‘‘ବାପା ବସି ପଡ଼ନ୍ତୁ । ଆଲେନ୍‌, ଆମର ତ ଚା’ ନାହିଁ । ଦୟାକରି କୁହ, ତଳୁ କିଛି ଖାଇବାକୁ ଚାହେଁ ନି ।’’ ମି: କେନେଡ଼ି ସେଇପରି ନରମ କଣ୍ଠରେ କହିଲେ, ‘‘ସେ ଏଡ଼େ କୁନି ପିଲାଟିଏ ! ମୁଁ ଏଇ ସାଙ୍ଗେ ସାଙ୍ଗେ ସକାଳ ଭୋଜନ ସାରିଛି ଓ ମୁଁ କିପରି ପେଟଭରି ଜଳଖିଆ ଖାଏ, ଆଲେନ୍‌ ତୁମକୁ କହିବ । କିନ୍ତୁ ମୁଁ ଖରାବେଳେ ଅଳ୍ପ ଖାଏ । ରାତିରେ ପେଟଭରି ଖାଏ ।’’

 

ସେ ବସି ପଡ଼ିଲେ ଓ ଜୋସୁ ତାଙ୍କୁ ଖୋସାମତ୍‌ କଲା, ‘‘କିଛି ହୁସ୍କ-ସୋଡ଼ା ବା କୋକାକୋଲା ଖାଆନ୍ତୁ’’–ସେ ଆଲ୍‌କହଲ ଭଲ ପାଏ ନି ବୋଲି ସେମାନେ ବୁଲିଲା ବେଳେ ସେ କୋକାକୋଲା ଖାଇ ଶିଖିଛି ।

 

‘‘ହଉ, ହୁସ୍କି-ସୋଡ଼ା ଚଳିବ’’—ଜୋସୁକୁ ଖୁସି କରିବାକୁ ସେ କହିଲେ ।

 

ତେଣୁ ଆଲେନ୍‌ ଅର୍ଡ଼ର ଦେଲା ଓ ବୟ ନ ଆଣିବା ଯାଏ ଜୋସୁ ବ୍ୟସ୍ତ ହେଉଥିଲେ । ବୟ ଟ୍ରେରେ ଆଣିଲା । ସେ ଆଲେନ୍‌କୁ ଛୁଆଇଁ ନ ଦେଇ ନିଜେ ବରଫ ଓ ଗ୍ଲାସ ଧରି ତିଆରି କରିଦେଲା । ସେ ଛୋଟ ଟେବୁଲଟି ତାଙ୍କ ଆଡ଼କୁ ନେଇ ସବୁ ଜିନିଷ ତା’ ଉପରେ ସଜାଡ଼ି ଦେଲା ଓ ମି: କେନେଡ଼ି ଗ୍ଲାସ ହାତରେ ଧରିବାରୁ ତାକୁ ଭଲ ଲାଗିଲା । ସେ ପ୍ରଥମେ ଢୋକେ ନେବା ଯାଏ ଜୋସୁ ଆଗ୍ରହରେ ଅପେକ୍ଷା କଲା ।

 

‘‘ଭଲ ଲାଗୁଛି ?’’

 

‘‘ଖୁବ୍‌ ଭଲ’’—ଆନ୍ତରିକତାର ସହ ସେ କହିଲେ ଓ ଜୋସୁକୁ ଖୁସି କରିବାକୁ ସେ ସବୁ କିଛି କହିବାକୁ ଚାହୁଁଥିଲେ । ‘‘ବର୍ତ୍ତମାନ ତୁମେ ବସିଯାଅ ଝିଅ ! ବିଶ୍ରାମ ନିଅ । ତୁମ କଥା ମୁଁ ଶୁଣିବାକୁ ଚାହେଁ, ମୁଁ ଜାଣିବାକୁ ଚାହେଁ ମୋ ପୁଅ ତୁମ ସହିତ କିପରି ବ୍ୟବହାର କରୁଚି । ତୁମକୁ ଭଲ ବ୍ୟବହାର ଦେଖେଇବା ତା’ର ଉଚିତ । ‘‘ଜୋସୁ, ବସିପଡ଼’’—ଆଲେନ୍‌ ଆଦେଶ କଲା । ଉତ୍ତର ନ ଦେଇ ସେ ତତ୍‌କ୍ଷଣାତ୍‌ ବସି ପଡ଼ିଲା । ତା’ର ଛୋଟ ଶରୀର ତେବେ ବି ଆରାମ ପାଉ ନ ଥିଲା । ସେ ଖାଲି ଦୁଇ ଜଣଙ୍କୁ ବରାବର ଚାହୁଁଥିଲା । ‘‘ଇମିତି କ’ଣ ସେ ତୁମକୁ ସବୁବେଳେ ହଇରାଣ କରୁଛି ?’’ —ମି: କେନେଡ଼ି ପୁଅ କଥା ପଚାରିଲେ ।

 

‘‘ସ୍ତ୍ରୀମାନେ ଇମିତି କରିବା ଉଚିତ ବୋଲି ଜାପାନୀ ଲୋକଙ୍କର ଧାରଣା’’—ଆଲେନ୍‌ ହସି ହସି ଉତ୍ତର ଦେଲା ।

 

‘‘ସେମାନେ ଆଶ୍ଚର୍ଯ୍ୟ ମଣିଷ’’—ବାପା କହିଲେ । ତା’ ପରେ ତାଙ୍କର ମନେ ପଡ଼ିଲା । ଅନେକ ଦିନର ଅଭ୍ୟାସ ତାଙ୍କ ଦୁଃଖ, କଷ୍ଟ ଓ ଅସୁବିଧା ସହିତ ସହଜରେ ଚଳେଇ ନେଇଛି—ମୁହୂର୍ତ୍ତକ ପାଇଁ ସେ ନିଜକୁ ଭୁଲିଗଲେ; କିନ୍ତୁ ଏଇ ଛୋଟ ପିଲାଟି ଆଗରେ କିଛି ସେ କହି ପାରିବେ ନି । ତା’ର ମନ ଭାଙ୍ଗି ପଡ଼ିବ । ତାକୁ ଦୁଃଖ ଦେବା ଠିକ୍‌ ନୁହେଁ । କ’ଣ କରିବା ଠିକ୍‌ ହେବ, ଆଲେନ୍‌ ଓ ସେ ଚିନ୍ତା କରିବେ; କିନ୍ତୁ ପ୍ରକୃତରେ କ’ଣ କଲେ ଠିକ୍‌ ହେବ ?

 

ସେ ଗମ୍ଭୀର ହେଲେ ଓ ଜୋସୁ ତା’ ନିକଟରେ ଦୁଇ ଜଣ ମଣିଷଙ୍କ ମନୋଭାବକୁ ଦେଖି ଆଲେନ୍‌କୁ ଚାହିଁଲା ଓ ପୁଣି ଡ଼ରିଗଲା । ଶ୍ୱଶୁର ଜାପାନୀ ଭାଷା କହିବେ ବୋଲି ସେ ଆଶା କରୁଥିଲା–ତା’ପରେ ସେ ପଚାରିଥା’ନ୍ତା, ସେ କ’ଣ ଭୁଲ କରିଛି; କିନ୍ତୁ ଶ୍ୱଶୁରେ ତା’ ଆଡ଼କୁ ବା ଆଲେନ୍‌କୁ ଚାହୁଁ ନ ଥିଲେ । ଦୁଃଖପୂର୍ଣ୍ଣ ଦୃଷ୍ଟିରେ ଗ୍ଲାସକୁ, ପାଦତଳର କାର୍ପେଟ ଓ ଝରକା ଆଡ଼କୁ ଚାହୁଁଥିଲେ । ସେ ଉଠିଯାଇ ଆଲେନ୍‌ କାନ୍ଧରେ ହାତ ରଖିଲା, ‘‘ମୁଁ କ’ଣ ଭୁଲ କଲି କି ?’’ –ସେ ଧୀରେ ପଚାରିଲା ।

 

‘‘ନା–ଅବଶ୍ୟ ନୁହେଁ; କିନ୍ତୁ ମୁଁ ଭାବୁଚି ମତେ ଏକୁଟିଆ ବାପା କ’ଣ କହିବାକୁ ଚାହୁଁଚନ୍ତି–ଡ଼ାର୍ଲିଂ, ତୁମେ ଟିକେ ଆର ଘରକୁ ଯାଅ ।’’ ଆଲେନ୍‌ ସ୍ୱାଭାବିକ କଣ୍ଠରେ କହିଲା ।

 

ସେ କ୍ରମେ ଜାଣିଲା ଯେ, କିଛି ଖରାପ ଘଟିଛି; କିନ୍ତୁ ପିଲାଟି ପରି ସେ କଥା ମାନିଲା । ଶୋଇବା ଘର ଦରଜା ମେଲା କରି ଭିତରକୁ ସେ ଗଲା, ଧୀରେ କବାଟଟା ଦେଇଦେଲା ।

 

ମି. କେନେଡ଼ି ଜାଣିଲେ ଯେ, ତାଙ୍କୁ ଏହା ସାମ୍ନା କରିବାକୁ ହେବ । ନ କହି ଉପାୟ ନାହିଁ । ‘‘ପୁଅ—ମୁଁ ମନ୍ଦ ଖବର ଆଣିଛି ।’’

 

ଆଲେନ୍‌ ଉତ୍ତର ନ ଦେଇ ଅପେକ୍ଷା କଲା । ‘‘ମୁଁ ତତେ ସିଧା ଜଣାଇ ଦେବି କି ?’’ ମିଃ କେନେଡ଼ି ପଚାରିଲେ, ‘‘ହଁ ବାପା !’’ ‘‘ବେଶ୍ ଭଲ କଥା ତୁ କରିଛୁ ।’’

 

ସେ ଚୌକିରେ ଆଗକୁ ଢଳି କହୁଣୀକୁ ଆଣ୍ଠୁରେ ଭରା ଦେଇ ବସିଲେ—ତାଙ୍କର ଲମ୍ୱା କୋମଳ ହାତ ଦୁଇଟି ଆଣ୍ଠୁ ମଝିରେ ଝୁଲି ରହିଲା । ସେ ହାତମୁଠା କଲେ । ତାଙ୍କ ଆଙ୍ଗୁଠି ଥରି ଉଠିଲା । ‘‘ପୁଅ, ମୁଁ ଭାବୁଛି ମା ଠିକ୍ କହିଛି । ଏ ବିବାହ ଆଇନସମ୍ମତ ନୁହେଁ ।’’

 

‘‘କ’ଣ ତୁମେ କହୁଛି ?’’ —ଆଲେନ୍ ପଚାରିଲା ।

 

‘‘ଆମ ଦେଶରେ ନୁହେଁ ।’’ ବାପା ଗମ୍ଭୀର ହୋଇ କହିଲେ, ‘‘ପୂର୍ବକାଳରୁ ଜାତି-ଜାତି ମଧ୍ୟରେ ବିବାହ ନିଷଦ୍ଧ କରିବାର ଏକ ଆଇନ ଅଛି । କୌଣସିମତେ ତୋ ମା ଦେଖିଛି । ମୁଁ ଭାବୁଛି ଯେଉଁ ସ୍ତ୍ରୀଲୋକମାନଙ୍କ ସହିତ ସେ ଏଣେ ତେଣେ ଯାଏ ତାଙ୍କରିଠାରେ ଶୁଣିଛି । ହୁଏତ ସେ ଏକଥା ଆଗରୁ ଜାଣିଥାଇପାରେ; କିନ୍ତୁ ଆଗରୁ ଜଣିଲା ଭଳି ମୋର ବିଶ୍ୱାସ ନୁହେଁ ।’’

 

‘‘ସେ ପୁରୁଣା ଆଇନ କଳା ଲୋକଙ୍କ ପାଇଁ ହେଇଥିଲା,’’ ଆଲେନ୍ ଧୀରେ କହିଲା ।

 

‘‘ତା’ ଠିକ୍’’—ବାପା କହିଲେ । ତାଙ୍କ ଦେହରୁ ଭୟଙ୍କର ଝାଳ ବାହାରୁଥିଲା । ତାଙ୍କ କପାଳରୁ ବଡ଼ ବଡ଼ ବୁନ୍ଦା ଝାଳ ବାହାରିଲା । ଗାଲ ଓ କାନ ଦେଇ ବୋହିଗଲା ।

 

‘‘କିନ୍ତୁ ଜଣାଯାଉଛି—ମତେ ତୁ କ୍ଷମା କର ପୁଅ—ଗୋରା ବ୍ୟତୀତ ଅନ୍ୟ ଯେ କୌଣସି ଜାତି ପାଇଁ ଏହା ହୋଇଛି ।’’

 

‘‘କିଏ ଏ କଥା କହିଲା ?’’

 

‘‘ମୁଁ ବାଂକ୍ରଫଟ ହେଇନ୍‌ସକୁ ପଚାରିଲି’’—ସେ କହିଲା । ସେ ଉଠିପଡ଼ି ଝରକା ପାଖକୁ ଯାଇ ବାହାରକୁ ଚାହିଁଲେ, ଯେମିତି ଅଳ୍ପ ସମୟ ଭିତରେ ଆଲେନ୍ ଏ କଥା ଭୁଲିଯିବ ।

 

‘‘ଆମେ ଏ ଦେଶରେ ରହିବୁ ନାହିଁ ।’’ —ଆଲେନ୍ କହିଲା ।

 

‘‘ନ ରହିପାର ଅବଶ୍ୟ’’—ପୁଅର ଏ କଥା ଶୁଣି କେନେଡ଼ି ଆଶ୍ୱସ୍ତ ହେଇ ବୁଲି ପଡ଼ିଲେ-। ‘‘କଥା ହେଉଛି—ଅନ୍ୟ ଦେଶକୁ ଯାଇ ଆଇନଗତ ବିବାହ କରିନେ । ତା’ହେଲେ ନିରାପଦ, ଯଦି ତୁ ବିଭାହେବାକୁ ନିଶ୍ଚିତ ମନେକରୁ ।’’

 

‘‘କାହିଁକି ତୁମେ କହୁଚ—ମୁଁ ଯଦି ନିଶ୍ଚିତ ମନେକରେ ?’’ ଆଲେନ୍ ପଚାରିଲା—ଏଇ ପ୍ରକାର ସନ୍ଦେହରେ ସେ ବାପାଙ୍କ ଉପରେ ହଠାତ୍ ରାଗିଗଲା । ମିଃ କେନେଡ଼ି ଶାନ୍ତ ଭାବେ କହିଲେ, ‘‘ତୁ ତୋ ମନ କଥା ଜାଣୁ ପୁଅ—ମୁଁ ଖାଲି କହିଦେଲି ।’’

 

‘‘ଆମେ ନିଶ୍ଚୟ ଅନ୍ୟ ଦେଶକୁ ଯିବୁ ।’’ ଆଲେନ୍ ସେହିପରି ରାଗରେ କହି ଚାଲିଲା, ‘‘ଆମେ ନିୟୁୟର୍କ ଯିବୁ । ମୁଁ ସେଠି ଚାକିରି ଯୋଗାଡ଼ କରିବି । ତୁମେ ମା’ଙ୍କୁ କହିପାର, ମୁଁ କଦାପି ଆଉ ଘରକୁ ଯିବି ନି ।’’

 

‘‘ମୁଁ ତାକୁ ଏସବୁ କହିବାକୁ ଯାଉ ନି ।’’ ମି. କେନେଡ଼ି ଅପସନ୍ଦ କଲା ପରି କହିଲେ । ସେ ପୁଣି ବସିପଡ଼ି ଗିଲାସ ଧରି ଅଧା ପିଇଦେଲେ ଓ ପୁଣି ରଖିଦେଲେ । ମୁଁ ଭାବୁଛି, ଏପରି ଭାବିବା ତୋର ଠିକ୍ ନୁହେଁ । ମୁଁ ଆଶା କରୁଛି, ତୁ ବରାବର ଘରକୁ ଆସିବୁ । ତୁ ତା’ର ଏକମାତ୍ର ପୁଅ ।’’ ‘‘ସେ ମତେ ଏକମାତ୍ର ବୋଲି ଭାବୁ ନାହାନ୍ତି’’, ଆଲେନ୍ ପ୍ରତିବାଦ କଲା ।

 

‘‘ତୁ ପିଲାଳିଆମି କରୁଛୁ ।’’ ବାପା କହିଲେ, ‘‘ମୁଁ କହିବି ସେ ତୋତେ ଅତି ଭଲ ପାଏ । ସେ ତୋଠୁ ଅଲଗା ହେଇପାରିବ ନି—ସେଇ ହେଉଛି ଅସୁବିଧା । ତା’ର ଗର୍ଭବେଦନା ଏବେ ବି ସରି ନି । କେବଳ ତତେ ନୁହଁ, ତୋ’ରି ମଧ୍ୟ ଦେଇ ସେ ସାରା ଦୁନିଆଁକୁ ଦେଖେ । ଯେତେବେଳେ ସେ ଦେଖିଲା ତା’ର ଆଉ ପିଲା ହେବ ନି—ସେ କାନ୍ଦି କାନ୍ଦି ମରି ଯାଇଥା’ନ୍ତା । ମୁଁ ଭାବୁଛି—ମୁଁ ଭାବୁଛି ସେ ସହି ପାରି ନ ଥା’ନ୍ତା । ମୋ ଘରର ପୁରୁଣା ଚୌକିରେ ତାକୁ ସାରା ରାତି ମୁଁ ଧରି ବସିଲି । ଆମେ କେହି ଶୋଇ ପାରିଲୁ ନି । ସେଥିପାଇଁ ସେ ଭଗବାନଙ୍କ ଦୋଷ ସବୁବେଳେ ଦିଏ-। ସେ ବର୍ଷ ବର୍ଷ ଧରି ରାତିରେ ପ୍ରାର୍ଥନା କରେ ନି ଯଦିଓ ପ୍ରତି ରବିବାର ଚର୍ଚ୍ଚକୁ ଯାଏ; କିନ୍ତୁ ସେ ଆଉ ସନ୍ତାନ ନ ହେବା କଥା ମନେ ରଖିଛି—ଇମିତି କି ମୋ ବିରୁଦ୍ଧରେ ତା’ର ଅଭିଯୋଗ–କିନ୍ତୁ ଈଶ୍ୱର ଜାଣନ୍ତି, ଏ ତ ମୋ ଦୋଷ ନୁହଁ ।’’

 

‘‘ସେ ତାଙ୍କ ନିଜ ଇଚ୍ଛାରେ ସବୁ କରିବାକୁ ଚାହାନ୍ତି ।’’ ଆଲେନ୍ ବିରକ୍ତ ହେଲା । ମି. କେନେଡ଼ି ଏ କଥା ଏଡ଼େଇ ଦେଲେ । ‘‘ସେ ଅତି ଦୟନୀୟ, ଆଶ୍ଚର୍ଯ୍ୟ ଭାବେ ପିଲାଳିଆ ।’’ସେ କୋମଳ ଭାବେ କହିଲେ । ପ୍ରଥମ ଥର ପାଇଁ ସେ ପୁଅକୁ ଜଣେ ବଡ଼ ମଣିଷ ଭାବି କହିଲେ, ‘‘ସେ ଏତେ ଦୃଢ଼, ପାରଙ୍ଗମ ଓ ହୁସିଆର ଯେ, ବେଳେବେଳେ ମୁଁ ନିଜେ ତାକୁ ସହି ପାରେ ନି । ତା’ପରେ ମୁଁ ତା’ର ଅନ୍ୟଦିଗ ଭାବେ । ସେ ରାଗି ଲୋକ ଅଟେ । ମୁଁ ଭାବୁଛି ପୁଅ, ତୁ ବୁଝି ପାରିବୁ ନି ଏ ଗୁଣ; କିନ୍ତୁ ମୁଁ ବୁଝିଛି । ସେ ସବୁକଥା ନିଜ ଇଚ୍ଛାରେ କରେ । ମତେ ବେଶ୍ ମଜା ଲାଗେ ତାକୁ । ମତେ ଭଲ ନ ଲାଗିଲା ସ୍ତ୍ରୀ ଲୋକକୁ ମୁଁ ଭଲପାଇ ପାରି ନ ଥା’ନ୍ତି ।’’

 

ସେ ନୀରବ ଯୁକ୍ତି ଓ ଗୋପନ ଚିନ୍ତା ନେଇ ସେ ଦୁଃଖ ଓ ଆତ୍ମୀୟତା ପୂର୍ଣ୍ଣ ଚାହାଣୀରେ ପୁଅକୁ ଚାହିଁ ରହିଲେ । ଆଲେନ୍ ବିହ୍ୱଳ ଓ ବ୍ୟଥିତ ହୋଇପଡ଼ିଲା । ମା’ଙ୍କୁ ଏକ ସ୍ତ୍ରୀର ଭୂମିକାରେ ସେ ଦେଖି ପାରିଲା ନି । ଏ ଏକ ନଗ୍ନତା—ଶୀଘ୍ର ଲୁଚାଯିବ । ଉଚିତ । ସେ ହଠାତ୍ ଉଠି ପଡ଼ିଲା–ଏ ସବୁ ଏଡ଼ାଇ ଯିବାକୁ ଚାହିଁଲା ।

 

‘‘ମୁଁ ଦେଖୁଛି ଆପଣ ଆମ ପାଇଁ ପାରୁ ପର୍ଯ୍ୟନ୍ତ କରିଛନ୍ତି ।’’ ସେ କହିଲା, ‘‘ବର୍ତ୍ତମାନ ଏ ସବୁ ମୋ ଉପରେ ଛାଡ଼ିଦିଅ ବାପା, ତୁମେ ଆମ ସହିତ ଖାଇବାକୁ ରହିବ ନି କି ? ମୁଁ ଭାବୁଚି—ଆଜି ଉପରବେଳା ଆମେ ଏଠୁ ଚାଲିଯିବୁ । ମୁଁ ମୋର ବହି ଓ ଲୁଗାପଟା ମଗାଇବି ।’’

 

‘‘ମୁଁ ଆଜି ରହିବି ନି ।’’ ମିଃ କେନେଡ଼ି କହିଲେ । ସେ ଭାରି କ୍ଳାନ୍ତ ଅନୁଭବ କରୁଥିଲେ–ସେଇ ସୁନ୍ଦର ଝିଅଟିକୁ ଆଉ ଥରେ ଦେଖିବାକୁ ଚାହିଁଲେ ନାହିଁ । ‘‘ତୁ କେଉଁଠି ରହିଲେ ମୁଁ ପୁଣି ଦେଖିବାକୁ ଆସିବି ।’’

‘‘ମୁଁ ତୁମକୁ ଜଣାଇବି ।’’ ଆଲେନ୍ କହିଲା । ସେମାନେ ନିବିଡ଼ଭାବେ ହାତ ମିଳାଇଲେ–ଆଲେନ୍‌ର ଇଚ୍ଛା ହେଉଥିଲା ବାପାଙ୍କର ଓଜନିଆ ନୁଆଣିଆଁ କାନ୍ଧ ଉପରେ ନିଜର ମୁଣ୍ଡଟି ଲଦି ଦିଅନ୍ତା; କିନ୍ତୁ ନିଜକୁ ସଂଯତ କଲା । ସେ ଉଚ୍ଚକୁ ମୁଣ୍ଡ ଟେକି ଦୃଢ଼ ଓ ବିଚାରବନ୍ତ ସ୍ୱରରେ କହିଲା ‘‘ତୁମେ ମୋତେ ସିଧା ଜଣାଇ ଦେଲ, ମୁଁ ଭାରି ଖୁସି । ସବୁ କଥା ସ୍ପଷ୍ଟ ହେଲା । ମୋ ନିଜର ସ୍ଥିତି ସମ୍ପର୍କରେ ମୁଁ ଜାଣି ପାରିଲି ।

ମିଃ କେନେଡ଼ି କଣ୍ଠ ପରିଷ୍କାର କରି କିଛି ଭଲକଥା କହିବାକୁ ଭାବିଲେ । ତାଙ୍କର ଆଣ୍ଠୁଗଣ୍ଠି ଧରିବା ସେ ଅନୁଭବ କଲେ ଓ କିଛି ସମୟ ଶୋଇ ପଡ଼ିବାକୁ ତାଙ୍କର ଇଚ୍ଛା ହେଉଥିଲା-

‘‘ହଉ ପୁଅ, ବିଦାୟ, ମତେ ଦରକାର ହେଲେ ଡକାଇବୁ—ମୁଁ ସବୁବେଳେ ସମାନ ।’’

‘‘ମୁଁ ଜାଣେ ।’’ ଆଲେନ୍ କହିଲା—ସ୍ମୃତିରେ ଏ ଅତି ପରିଚିତ କଥା ପଦକ ପୁଣି ଜୀବିତ ହୋଇ ମନକୁ କରୁଣ କରିଦିଲା । ପ୍ରତିଥର ବିଦାୟ ବେଳେ ବାପା ଏଇକଥା କହିଥାନ୍ତି; କିନ୍ତୁ ପ୍ରକୃତରେ ତାଙ୍କର କଲାଭଳି କିଛି ନ ଥାଏ । ବାପାଙ୍କୁ ବିଦାୟ ଦେଇ କବାଟ ବନ୍ଦ କରିଦେବା ପର୍ଯ୍ୟନ୍ତ ସେ ହସୁଥିଲା । ତା’ପରେ ଏକାକୀ ମୁଣ୍ଡରେ ହାତଦେଇ ବସିପଡ଼ିଲା ।

ଅନ୍ୟ ରୁମ୍‌ରେ ଜୋସୁ ଅପେକ୍ଷା କରିଥିଲା । ବାପ ପୁଅ କଥାବାର୍ତ୍ତାକୁ ଶୁଣିବା ପାଇଁ ବା ଶୁଣିବାକୁ ଚାହିଁବା ପାଇଁ ତା’ର ଆତ୍ମସମ୍ମାନ ତାକୁ ବାଧା ଦେଲା । ତଥାପି ସେ ଜାଣିଥିଲା, କିଛି କଥା ପଡ଼ିଲା—କିଛି କୁହାହେଲା ଓ ଶୁଣାହେଲା—ଯାହା ତା’ ପାଇଁ ବିପଦଜ୍ଜନକ । ହୋଟେଲର ଶୋଇବା ଘର ମଝିରେ ସେ ନିଶ୍ଚଳ ହୋଇ ଠିଆ ହେଲା । ସେ ଭାରି କ୍ଳାନ୍ତ—କେବଳ ଯାତ୍ରା ଯୋଗୁଁ ନୁହେଁ, ଅନେକ ଦିନ ପରେ ସେ ଚଟାଣ ଉପରୁ ଉଚାଚୌକି ଓ ବିଛଣାରେ ଶୁଆବସା କରୁଛି । ଏଇ କ୍ଳାନ୍ତିରେ ତା’ ଗୋଡ଼ର ପେଶା ବିନ୍ଧିଲା ଓ ନରମ କନ୍ଥା ଯୋଗେ ତା’ ପିଠି ଦରଜ ହୋଇଛି । ସେ ବିବ୍ରତ ହେବ ନି ବା ହେବାପରି ଦେଖା ଯିବ ନି ବୋଲି ଯେଉଁ ନିୟମ ନେଇଥିଲା, ସେଥିରେ ବ୍ୟସ୍ତ ହୋଇପଡ଼ିଲା । ଆଲେନ୍ ଓ ସେ ପରସ୍ପରକୁ କେତେ କମ୍ ଜାଣନ୍ତି ସତେ ! ପ୍ରେମରେ ଯେତେବେଳେ ବୁଝାମଣା ଥାଏ, ସେତେବେଳେ ପ୍ରେମ ଉପରେ ଏକ ଦାୟିତ୍ୱ ଥାଏ । ତାର ପ୍ରେମ ଯଥେଷ୍ଟ ଶକ୍ତ—କିନ୍ତୁ ଆଲେନ୍‌ର ? ସେ ଏଇଆ ଭାବିଥିଲା, ଏବେ ବି ସେଇଆ ଭାବୁଥିଲା ।

 

ଆର ଘରର ଦରଜା ବନ୍ଦ ହେବା ସେ ଶୁଣିଲା ଓ ଯେତେବେଳେ ଆଲେନ୍ ତାକୁ ନ ଡାକିଲା ସେ ମଝି ଦରଜା ଧୀରେ ଖୋଲି ଭିତରକୁ ଚାହିଁଲା । ହାତ ଉପରେ ମୁଣ୍ଡ ଭରାଦେଇ ସେଇଠି ସିଏ ବସିଛି । କି ଭୟଙ୍କର ଦୁଃଖରେ ମ୍ରିୟମାଣ ହୋଇପଡ଼ିଛି ! ‘ଆଲେନ୍’ ତା’ର ଡାକରେ ସେ କୁଦାମାରି ଉଠିଲା, ସତେ ଯେମିତି ସେଠାରେ ସେ ଅଛି ବୋଲି ଭୁଲିଯାଇଥିଲା । ତା ମୁହଁରୁ ହାତ ଖସିପଡ଼ିଲା । ‘‘ଆଲେନ୍ କ’ଣ ହେଲା ?’’ ସେ ପାଟି କଲା—ସେ ଧୀରେ ଆସି ଆଲେନ୍’ ପାଖରେ ଆଣ୍ଠେଇ ପଡ଼ିଲା । ‘‘ମତେ କୁହ ଆଲେନ୍, କ’ଣ ହେଲା ?’’ ଆଲେନ୍‌କୁ କହିବାକୁ ଲାଜ ମାଡ଼ିଲା । କିମିତି ସେ ତାକୁ କହିପାରିବ ଯେ, ଏଇ ପ୍ରକୃତ କାରଣଟି–ଯେଉଁଥିପାଇଁ ଏ ମିଳନ ଆଇନତଃ ନିଷିଦ୍ଧ—କିମିତି ସେ ନ କହିବା କଥା କହିବ—କିମିତି କହିବ ତା’ ପାଇଁ ତିଆରି ହେଇ ନ ଥିବ, ଅନ୍ୟମାନଙ୍କ ପାଇଁ ତିଆରି ହେବା ଜାଲରେ ସେ ପଡ଼ିଯାଇଛି ? କିପରି ଜଣାଇବ ଯେ, ଜନ୍ତୁଙ୍କ ପାଇଁ ତିଆରି ହେଇଥିବା ବାଡ଼ ଗୋଟିଏ ପ୍ରଜାପତିକୁ ଅଟକାଇ ନେଇଛି ?

 

‘‘ମୋ ମା’ ଭଲନାହାନ୍ତି’’—ସେ ଅପଦସ୍ଥ ହେଇ କହିଲା, ତାଙ୍କୁ ଭଲ ଲାଗିବାଯାଏ ଆମେ ଅପେକ୍ଷା କରିବା ବୋଲି ବାପା କହିଲେ, ଆମେ କିଛିଦିନ ରହିବାକୁ ଅନ୍ୟ ଏକ ଜାଗା ଠିକ୍ କରିବା ।’’

 

ସେ ଦେଖିଲା, ଜୋସୁର ଚାହାଁଣୀ ବଦଳିଲା—ସେ ଶୀଘ୍ର କହି ଚାଲିଲା, ‘‘ତୁମେ ଜାଣ କୁନୁମୁନି’’ ପ୍ରେମର ଆତିଶର୍ଯ୍ୟରେ, ସେ ଖୁସିରେ ତାକୁ ଏଇଆ ଡାକେ; ‘‘ଆମେରିକାରେ ଆମେ ବାପା ମା’ଙ୍କ ସହିତ ରହୁନାହିଁ, ଏହା ଆଦୌ ଏଠି ହୁଏ ନି । ଏଠାରେ ଅନେକ ଯୁବକ ଯୁବତୀ ବାପା ମା’ଙ୍କ ସଙ୍ଗେ ଏକାଠି ରହିବାକୁ ଘୃଣା କରନ୍ତି । ମୁଁ ବି ଭାବେ, ବଡ଼ମାନେ ବେଶୀଦିନ ଏ କଥା ଭଲ ପାଆନ୍ତି ନି । ଖ୍ରୀଷ୍ଟମାସବେଳକୁ ଆମେ ଘରକୁ ହୁଏ ତ ଯାଇ ବୁଲି ଆସିବା ୟା ଭିତରେ–’’

 

ସେ ଉଠିପଡ଼ି ପକେଟ୍‌ରେ ହାତପୂରାଇ ଘର ଯାକ ବୁଲିଲା—କଥା କହିଲାବେଳେ ଜୋସୁ ସେଠି ଆଣ୍ଠେଇ ପଡ଼ି ଶୁଣୁଥାଏ—ତାର ସେଥା ନୁହଁ ସବୁ ବୁଝିଲା ଭଳି ଦିଶୁଥାଏ ଓ ତାକୁ ଚାହିଁ ତାର କଳା କଳା ବଡ଼ ଆଖି ଯୋଡ଼ିକ ନିଶ୍ଚଳ ହୋଇ ପଡ଼ୁଥାଏ ।

 

‘‘ନିୟୁୟର୍କ ଆମ୍ଭପାଇଁ ଭଲଜାଗା । ବଡ଼ ସହରଟା, ସେଠି ସବୁ ପ୍ରକାର ଲୋକ ଏକାଠି ରହନ୍ତି । ତୁମେ ଦେଖ, କୁନୁମୁନି, ମୋ ନିଜ ସହର ଅତି ଛୋଟ ଓ ପୁରୁଷ ପୁରୁଷ ଧରି ସେଇଠି ମାତ୍ର ବାର ଚଉଦଟି ପରିବାର ରହିଛନ୍ତି—ସେମାନଙ୍କର ଚାକର ଓ ପଡ଼ୋଶୀମାନେ ସେମାନଙ୍କୁ ରକ୍ଷଣଶୀଳ କରିଛନ୍ତି । ସେମାନେ ଯେ କେବେ ଜାପାନୀ ଲୋକଙ୍କୁ ଦେଖିଛନ୍ତି, ମୋର ବିଶ୍ୱାସ ନୁହେ ।’’ ‘‘ତା ହେଲେ ମୁଁ ତ ଜାପାନୀ’’ ଜୋସୁ କହିଲା ।

 

ନିଜକୁ ରକ୍ଷାକରିବାକୁ ସେ ଗୁଡ଼ାଏ କହିଗଲା । ଜୋସୁ ଆଗରେ ସେ ରହିଯାଇ ଠିଆହେଲା ଓ ତା’ର ଉପରକୁ ଟେକିଥିବା ମୁହଁକୁ ଚାହିଁ ହସିବାକୁ ଚେଷ୍ଟାକଲା ।

 

‘‘ଆଚ୍ଛା, ତୁମ ବାପା ମୋତେ କ’ଣ ଭାବୁଥିଲା—ମନେକଲ ।’’

 

‘‘କିନ୍ତୁ ଆମେରିକାରେ ?’’

 

‘‘ହଁ, ଆମେରିକାରେ ବି ସେଇଆ, ରାଣୀ ମୋର ! ବିଶେଷ କରି ଆମେରିକାରେ ! ତୁମେ କ’ଣ ଭୁଲିଗଲଣି ? ତୁମେ ବଡ଼ ହେବା ଯାଏ ଲସ ଆଂଜେଲସ୍‌ରେ ଥିଲ, ତୁମର ମନେନାହିଁ-?’’ ତା’ର ସ୍ୱରରେ ତିକ୍ତତା ଥିଲା ।

 

ତା’ର ମନେଅଛି । ସେ ମୁଣ୍ଡ ତଳକୁ କଲା—ତା’ର ଲମ୍ୱା ଓ ସିଧା ସିଧା ଆଖି ପତାରେ ଲୁହ ଢଳ ଢଳ ହେଲା । ‘‘ମୁଁ ଭାବିଲି ସେ ସବୁ ବଦଳି ଯାଇଛି ।’’ ସେ ଚୁପ୍ ଚୁପ୍ କହିଲା । ‘‘ବଦଳୁଛି, ଅବଶ୍ୟ’’ ସେଇ ପରିବର୍ତ୍ତନର ମୁଁ ଓ ତୁମେ ଗୋଟିଏ ଗୋଟିଏ ଅଂଶ । ସେ ସ୍ୱୀକାର କଲା ।

 

ଏ କଥାରେ ସେ ଆଖି ଟେକି ଆଲେନ୍‌ର ଆଖି ସହିତ ଭୟରେ ଆଖି ମିଶାଇଲା । ‘‘ମତେ ଏକୁଟିଆ ଲାଗୁଛି,’’ ସେ ଧୀର ସ୍ୱରରେ କହିଲା ।

 

‘‘ଦୁଇଟି ଘୂର୍ଣ୍ଣାୟମାନ ତାରକା—ତାଙ୍କ ନିଜର ଏଇ ବିଶ୍ୱ ତିଆରି କରିବାକୁ ଖୋଜୁଛନ୍ତି । ତା’ ବି ହେଇ ପାରିବ, କୁନୁମୁନି’’ ସେ ରାଜି ହେଲା ।

 

ସେ ତାର ହାତଧରି ତାକୁ ଉଠାଇ ନେଲା । ‘‘ଆଉ ଆଣ୍ଠେଇ ପଡ଼ନ—ଶ୍ରୀମତୀ କେନେଡ଼ି ।’’ ସେ କହିଲା । ‘‘ମୁଁ ଭାବୁଛି, ତୁମକୁ ଆଉ କୁନୁମୁନି କହିବ ନି । ଏ ହେଉଚି ମଧୁଶର୍ଯ୍ୟାର ନାମ । ମଧୁଶର୍ଯ୍ୟା ବିତିଗଲାଣି ରାଣୀ ମୋର ! ଜୀବନ ଆରମ୍ଭ ହେଲାଣି । ମୁଁ ତୁମକୁ ଯେ କେନେଡ଼ି ଡ଼ାକିବି । ଭଲ ହେବ । ଆମେରିକାନ୍ ନାଁ ଭଲ ଶୁଭିବ, ନୁହେଁ ?’’

 

ସେ ରାଗରେ ବୀର ଓ ବିଦ୍ରୋହରେ ସାହାସୀ ହୋଇପଡ଼ିଲା । ବୁଢ଼ାଲୋକ ଓ ପୁରୁଣା, ଅତୀତ ଚୁଲିକୁ ଯାଉ । ସେ ସୈନ୍ୟ ବିଭାଗରୁ ବାହାରି ଆସି ନିୟୁୟର୍କ ଯିବ ଓ ଚାକିରୀ ଖୋଜିବ । ଏକ ଉତ୍ତମ ସ୍ୱାମୀ ଓ ପାଳନ କର୍ତ୍ତା ହେବ, ପିତା ହେବ । ଏହି ଚିନ୍ତାରେ ମ୍ରିୟମାଣ ହେଲା । ହଁ ଯଦି ହୁଏ—ପଡ଼ୋଶୀ ନ ଥିବା ଏକ ନୂତନ ଜାଗାରେ, ମହୁମାଛିର ଫେଣା ଭିତରେ ଗୋଟିଏ ଛୋଟ ଜାଗାରେ, ଯେଉଁଠି କେହି କାହାକୁ କିଛି ପଚାରିବେ ନି ।

 

‘‘ଚାଲିଆସ ଜୋ’’ ସେ କହିଲା । ତାକୁ ଏକ ଦୃଢ଼ ବାହୁବନ୍ଧନରେ କାମନାହୀନ ପାଶବିକ ଆଲିଙ୍ଗନ ଦେଲା । ‘‘ତୁମ ଜିନିଷ ସଜାଡ଼ି । ଆମେ ଉତ୍ତର ଦେଶକୁ ଯିବ ।’’

 

ବାହ୍ୟ ପରିବର୍ତ୍ତନ ସହଜ ମନେହେଲା, ଏକ ସପ୍ତାହିକ ପତ୍ରିକାରେ ସହଜରେ ସେ ଚାକିରୀ ପାଇଲା । ତା’ର ପୂର୍ବାପର ସଙ୍ଗତି ଅଛି ଚମତ୍କାର, ତାର ଅନ୍ତର୍ଦୃଷ୍ଟି ଓ ଅଭିଜ୍ଞତା ଥିଲା । ତା’ର ସୈନ୍ୟବିଭାଗ ଚାକିରୀରୁ ବାହାରି ଆସିବା ସେ ଜଣାଇଲା ଓ ନଦୀକୂଳର ଛୋଟ ବସାପାଇଁ ଦରମା ଯଥେଷ୍ଟ ଥିଲା । ଜୋସୁ ବନ୍ଧୁତ୍ୱ ପାଇଲା—କଲମ୍ୱିଆ ଛାତ୍ରକୁ ବିଭା ହୋଇଥିବା ଜଣେ ଚୀନା ଝିଅ ଓ ଶିକ୍ଷା ଏବଂ ଶିଶୁ ମନସ୍ତତ୍ତ୍ୱ ବିଷୟରେ ପଢ଼ୁଥିବା ଜାପାନୀ ଦମ୍ପତ୍ତିଙ୍କ ସହିତ ।

 

କିନ୍ତୁ ତାଙ୍କ ଭିତରେ ପରିବର୍ତ୍ତନ ଆସିଲା । ସେ ଓ ଆଲେନ୍ ପ୍ରତ୍ୟେକ ଏକ ଗୋପନୀୟ ଏକୁଟିଆ ଜୀବନ ଚାହିଁଲେ । ଦୃଢ଼ ପ୍ରେମରେ ସେମାନେ ଏକତ୍ର ହେବା ସମୟରେ ଅଜଣା ଏକ କାମନାର ନିବିଡ଼ତାରେ ଆବଦ୍ଧ ହେବା ସମୟରେ ସେମାନେ ଏକୁଟିଆ ଜୀବନ ଚାହିଁଲେ । ସେମାନେ ଅପରିଷ୍କୃତ ଜନାକୀର୍ଣ୍ଣ ସ୍ଥାନର ଶିଶୁ ନୁହନ୍ତି ଯାହାଙ୍କୁ କି ଏ ଛୋଟ ଘର ସ୍ୱର୍ଗଭଳି ଲାଗନ୍ତା । ସେମାନେ ଛୋଟଘର, ଲିଫ୍‌ଟ୍ ଗଳି ଓ ଉଚ୍ଚା ଛାତ ଉପରେ ଦେଖି ଖୁସି ହେଲା ଭଳି ଶିଶୁ ନୁହଁନ୍ତି, । ସେମାନେ ପ୍ରଶସ୍ତ ସ୍ଥାନ ଓ ପ୍ରାଚୁର୍ଯ୍ୟର ସନ୍ତାନ । ସେ ଛୋଟ ରୋଷଘରକୁ ସଜାଉ ଥିବାବେଳେ କିଓଟୋରେ ଘରର ଗଳି କଥା ମନେ ପକାଏ । କାଗଜ ପର୍ଦ୍ଦା ପଡ଼ିଥାଏ, ଗୋଟିଏ ଘରୁ ଆର ଘରକୁ ଦରଜା ଖୋଲାଥାଏ—ଆଖି ପାଇଲା ପର୍ଯ୍ୟନ୍ତ ଆଲେନ୍ ଫୁଟେ ଲମ୍ୱ ଚଉଡ଼ା ଝୁଲାରେ ଲୁଗା ଟାଙ୍ଗିଲାବେଳେ ତା’ର ବଡ଼ ସ୍ତମ୍ଭଥିବା ଘରର କୋଠରୀ କଥା ମନେପଡ଼େ–ତା’ର ଉତ୍ତରାଧିକାରର ଘର, ସେ ଆଇନତଃ ମାଲିକ—ତା’ଠାରୁ ସେ ଘର ଏ ପର୍ଯ୍ୟନ୍ତ କେହି ଛଡ଼ାଇ ନେଇ ନ ପାରେ, ସେମାନେ ଗୋପନରେ ଆଲୋକ, ବଗିଚା, ପୋଖରୀ କଥା ଭାବନ୍ତି ଓ ଜୋସୁ ହଜାର ହଜାର ମାଇଲ ଦୂରର ଜଳପ୍ରପାତର ଶବ୍ଦ ସ୍ୱପ୍ନରେ ଶୁଣିପାରେ । ଜଳପ୍ରପାତ, ପୋଖରୀ, କାଗଜ ପର୍ଦ୍ଦାଦିଆ ଘର ଓ ଟୋଳୋନୋମ ! ସମ୍ପଦର ସେଇ ହିଁ ଉତ୍ତରାଧିକାରିଣୀ । ସେମାନଙ୍କର ପରସ୍ପର ପ୍ରତି ପ୍ରେମ ରହିଛି କିନ୍ତୁ ପ୍ରତ୍ୟେକ କ’ଣ ପାଇଲେ, ହୁଏତ କ’ଣ ଆଦୌ ନ ପାଇବେ ସେଇ ସବୁର ସ୍ୱପ୍ନ ଦେଖନ୍ତି ।

 

ପ୍ରତ୍ୟେକଙ୍କର ମନରେ ଏ ସହର ପ୍ରତି ଗଭୀର ଘୃଣା ଥାଏ । ଏହା ଏକ କ୍ଷଣସ୍ଥାୟୀ ଜୀବନ । ଗୋଟିଏ ମହୁଫେଣା ଭିତରେ ବଞ୍ଚି ରହିଲେ କିଏ କହିବ—ଏ ଜୀବନ ? ଗୋଟିଏ ଭ୍ରୂଣ ହୋଇପାରେ; କିନ୍ତୁ ଜୀବନ୍ତ, ଅନୁଭୂତିର ମଣିଷ ନୁହେଁ—ଜୋସୁ ଗୋପନରେ ଏହା ଭାବେ, କିନ୍ତୁ ଆଲେନ୍ ଯେପରି ସ୍ୱପ୍ନରେ ଜାଣି ନ ପାରେ ଯେ, ଏପରି ସେ ଭାବୁଛି । ଆଲେନ୍ ବି ନିଜର ଗୋପନ ସ୍ୱପ୍ନରେ ମଜ୍ଜିଥାଏ । ସେ ତା’ର ଆଶା, ତା’ର ଘରକୁ ପୁଣି ଫେରିବାର ଶପଥକୁ ଜୋସୁକୁ ଜଣାଏଁ ନାହିଁ ।

 

ଘର, ଶୈଶବ ଓ ମିତାମାତାଙ୍କ ଅନାତ୍ମୀୟତା କଥା ସେ ବେଳେବେଳେ ଭାବି ଭାରି ରାଗିଯାଏ । ସେ ବରାବର ବାପ ମା’, ତାର ପ୍ରିୟ ବାସଗୃହ କଥା ଭାବେ ଓ ମା’ ଅପେକ୍ଷା ବାପ ଉପରେ ବେଶୀ ରାଗେ । ପୁରୁଷ ନିଜର ଦାବୀ ଓ ଶକ୍ତିକୁ ବାଧ୍ୟକରି ନାରୀ ଉପରେ ଜାହିର କରିବା ଉଚିତ । ଏପରି ନ କରିବା ପୁରୁଷର ଦୁର୍ବଳତା । ତା’ ବାପାଠୁଁ ସେ ଯେ ଏକ ଭିନ୍ନ ଲୋକ, ଏ କଥା ସେ ଜାଣେ ନାହିଁ । କୌଣସି ଲୋକର ଉପଭୋଗ୍ୟା ବେଶ୍ୟାକୁ ନିଜେ ଉପଭୋଗ କରିବା କଥାରେ ଯଦିଓ ସେ ଆଦୌ ଖୁସି ହୁଏ ନାହିଁ, ତଥାପି ବିଜୟୀ ରାଜ୍ୟର ନାଗରିକତ୍ୱ ତାକୁ ବଦଳାଇ ଖୁସି କରାଏ । ସବୁ ଲୋକଙ୍କୁ ବଦଳାଇଲା ପରି । ଏମିତି ଲୋକ ଅଛନ୍ତି, ଯେଉଁମାନେ ପରାଜିତ ଦେଶର ନାରୀମାନଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରନ୍ତି । ଯୁଦ୍ଧର ଏହା ଶେଷ ପର୍ଯ୍ୟାୟ । ବ୍ୟକ୍ତିଗତ ବିଜୟର ସମ୍ପୂର୍ଣ୍ଣତାରେ ସେ ନିଜକୁ ଏମାନଙ୍କର ଅନ୍ତର୍ଭୁକ୍ତ କରେ ନି । ତଥାପି ସେ ହଠାତ୍ ଅସହଣି ହୋଇପଡ଼େ । ନିଜ ଉଚ୍ଛା ଅନ୍ୟ ଉପରେ ଜାହିର କରେ; କିନ୍ତୁ ବାପା ସେପରି ନୁହନ୍ତି । ସେ ନିଜେ ଏପରି ସମୟର ଲୋକ, ଯେଉଁମାନଙ୍କ ଶରୀର ପ୍ରାଧାନ୍ୟ ବିସ୍ତାର କରେ, ଶରୀର ଶକ୍ତିରେ ଯେଉଁମାନେ ବିଜୟୀ । ତେଣୁ ସେ ବାପାଙ୍କଠାରୁ ଭିନ୍ନ, ବାପାଙ୍କର କାହା ଉପରେ ପ୍ରାଧାନ୍ୟ ବିସ୍ତାର କରିବା ବା କାହାକୁ ସଂଯତ କରିବାର ଇଚ୍ଛା ଶକ୍ତି ନାହିଁ ।

 

ଏହିପରି ଭାବି ଭାବି ଦିନକୁ ଦିନ ଆଲେନ୍ ଅଜ୍ଞାତରେ ଜିଦ୍ କରିବା, ରାଗିବା, ବାଧ୍ୟ କରିବା ଆରମ୍ଭ କଲା—ଜୋସୁଠାରେ ମଧ୍ୟ । ଜୋସୁ ଆଶ୍ଚର୍ଯ୍ୟ ହେଲା, କଣ ଇମିତି ବରାବର ସେ ଭୁଲ କରୁଛି ବୁଝି ପାରିଲା । ସେ ଅତି ଖାଣ୍ଟି, ସବୁବେଳେ ଠିକ୍ କାମ କରିବାକୁ ଆଗ୍ରହୀ । ଏପରିକି ସେଇ ଖାଇବା ଘର ଓ ରହିବାଘରଟିର କୋଣରେ ଫୁଲଦାନୀକୁ ସଜାଇବାକୁ ତା’ର ଘଣ୍ଟା ଘଣ୍ଟା ବିତିଯାଏ । ତଥାପି ଗୋଟାଏ କାମରେ ଲାଗି ମଧ୍ୟ ଆଲେନ୍ ଆସିବା ପୂର୍ବରୁ ସେ ସବୁ କାମ ସାରିଥାଏ । ତା’ର ଚାକରାଣୀ ନାହିଁ ସେ ବି ଦରକାର କରେ ନି । ସେ ଜାଣେ ଆମେରିକାରେ ଅନ୍ୟ ସ୍ତ୍ରୀ ଲୋକ ଚାକର ରଖନ୍ତି ନି । ତା’ର ବି ସମୟ କଟିବ କେମିତି ? ଶୀତଦିନେ ସେ ଯେତେବେଳେ ବାହାରେ ପାର୍କକୁ ଯାଇ ନ ପାରିବ, କୌଣସି ସ୍କୁଲରେ ପଢ଼ିବ ବୋଲି ଯୋଜନା କରିଥାଏ । ସହରରେ ଅନେକ ସ୍କୁଲ ଅଛି, ଆଲନ୍‌ର ରାତିରେ କାମ ସାରିଫେରିବା ଡେରି ଥିଲେ, ତାକୁ ଅପେକ୍ଷା କରି ବସି ସେ ବହି ତାଲିକା ଆଣି ଦେଖେ । ପ୍ରତ୍ୟେକ ସପ୍ତାହରେ ଅନେକ ରାତି ଏହିପରି କଟେ ଓ ଯେତେବେଳେ ପତ୍ରିକା ଛପାହୁଏ, ଆଲେନ୍ କହେ ସାରାରାତି କାମକରି ତାକୁ ପାଗଳ ପରି ଲାଗେ । ଥରେ ଥରେ ସେ ଫେରିବା ପୂର୍ବରୁ ସକାଳ ହୋଇଥାଏ ଓ ଜୋସୁ ସବୁବେଳେ ଅପେକ୍ଷା କରିଥାଏ ।

 

ଯଦି ସେ ସ୍କୁଲକୁ ଯାଆନ୍ତା, ଏଇ ସମୟରେ ପଢ଼ି ପାରନ୍ତା । ନିକଟରେ ଥିବା ଲାଇବ୍ରେରୀରୁ ଆଣିଥିବା ବହିକୁ ସେ ପଢ଼େ । ବେଳେବେଳେ ଭଲ ବହି ମିଳେ ଓ ବେଳେବେଳେ ମିଳେ ନାହିଁ । ତାକୁ ବତାଇବାକୁ କେହି ନାହିଁ । ସେ ନିଜେ ଆମେରିକା ଜୀବନୀ ବିଷୟରେ ଲେଖାଥିବା ବହି ଆଣିବାକୁ ଲାଇବ୍ରେରିଆନ୍‌କୁ ଅନୁରୋଧ କରେ । ଏହି ବହିଗୁଡ଼ିକ ସେ ଆଶ୍ଚର୍ଯ୍ୟ ଓ ବ୍ୟସ୍ତ ହୋଇ ପଢ଼େ । ଏଇ ସ୍ତ୍ରୀଲୋକ ଓ ତାଙ୍କ ସମସ୍ୟା ସବୁରେ ତା’ର କ’ଣ ଥାଏ ? ଏଇ ଛୋଟ ଘରେ ତା’ର ଜୀବନ ଆବଦ୍ଧ, ଯାହାକୁ ସେ ଭଲପାଏ, ସେଇ ଜଣକ ସହିତ ।

 

ତଥାପି ଇମିତି କ’ଣ ସବୁଦିନେ ଚଳିବ ? ଅନେକ ସମୟରେ ଘରଟା ତା’କୁ ବାକ୍‌ସପରି ଛୋଟ ଲାଗେ ଓ ତା’ର ସୁନ୍ଦର ମନ ବ୍ୟସ୍ତ ଓ ବିବ୍ରତ ହୋଇପଡ଼େ । ଏଇ କ’ଣ ସତରେ ତା‘ପାଇଁ ସବୁ ?

 

‘‘ଆଲେନ୍‌—ସତ କୁହ ତ ପ୍ରିୟ—ତୁମର କ’ଣ କେହି ବନ୍ଧୁ ନାହାନ୍ତି ?’’ ଏଇପରି ଦିନକରେ ସେ ପଚାରିଲା ।

 

ସେଦିନ ତା’ର ପ୍ରିୟ ସୁକିୟା କି ତରକାରି ଓ ଭାତରେ ଆଲେନ୍‌ ଭଲକରି ଖୁଆଇଥିଲା-

 

‘‘ବନ୍ଧୁ ? ସେ ପଚାରିଲା ।

 

‘‘ଆମ ସାଙ୍ଗେ ଗପିବାକୁ—ମୁଁ ଏମିତି ଦୁଇ ବନ୍ଧୁଙ୍କ ପାଇଁ ଭଲ ରାନ୍ଧିଦିଅନ୍ତି—ଆମେ ଗପ କରନ୍ତେ ।’’ ସେ କହି ଚାଲିଲା ।

 

‘‘ଅଫିସ ବାହାରେ କାହା ସହିତ କଥା ହେବାକୁ ମୋର ବେଳନାହିଁ ଯେ ! ପରେ ହୁଏ ତ ହୋଇପାରେ ।’’ ସେ ଉତ୍ତର ଦେଲା ।

 

ଦିନେ ପାର୍କରେ ଭେଟିଥିବା ଜାପାନୀ—ଆମେରିକାନ୍‌ ଯୁବ ଦମ୍ପତ୍ତିଙ୍କୁ ସେ ନିମନ୍ତ୍ରଣ କରିଥିଲା । ସେମାନେ ଅନ୍ୟଠି ଜନ୍ମହୋଇ ବଢ଼ିଥିଲେ ଓ ଏବେ କଲମ୍ବଆରେ ପଢ଼ୁଛନ୍ତି । ସେମାନେ ଭାରି ମଜାଲୋକ; କିନ୍ତୁ ଗମ୍ଭୀର । ଜୋସୁର ସ୍ୱାମୀ ଏବେ ବି ଆମେରିକାନ୍‌ ଅଫିସର ବୋଲି ସେମାନେ ଅନୁଭବ କଲେ । ଆରିଡ଼୍‌ ଆରିଜୋନା ଶିବିରର ବାର୍ବଡ଼ ଓୟାର ପଛପଟେ ସେମାନେ ବଢ଼ିଛନ୍ତି, ଏ କଥା ଭୁଲିଯିବା କଷ୍ଟକର; ତଥାପି ସନ୍ଧ୍ୟା ଆନନ୍ଦରେ କଟିଲା । ଜାପାନୀ ତରୁଣୀଟି ଏକୁଟିଆ ଚେସ ଖେଳିବା,ମରୁଭୂମିରେ ଉଠୁଥିବା ଶାଗୁଆ ପତ୍ରଭରା ବୁଦାର ମୋଡ଼ି ଅନୁରୋଧରେ ସେମାନେ ଭଲ ଭଲ ଚେର ବାଛି ଆଣିଲେ—ଅବଶ୍ୟ ବିକିବାକୁ ନୁହେଁ ।

 

‘‘ଆମେ ମନେ ରଖିବାକୁ ଏସବୁ ଦେଇଗଲୁ ।’’ ସେ ଛୋଟ ଜାପାନୀ ସ୍ତ୍ରୀଟି କହିଲା ।

 

ବେଶ୍‌ ମନଖୋଲା କଥା ହଲା ଓ ଜୋସୁ ରାନ୍ଧଣାର ବହୁତ ପ୍ରଶଂସା ହେଲେ; କିନ୍ତୁ ସେମାନେ ଶୀଘ୍ର ଚାଲିଗଲେ । ଆଉ ଥରେ ସେ ତାଙ୍କୁ ନିମନ୍ତ୍ରଣ କଲା ନି । ‘‘ତୁମେ ଭାବୁଚ, ସେମାନେ ତୁମପରି ଲୋକ ନୁହନ୍ତି ଆଲେନ ?’’ ସେମାନେ ଗଲାପରେ ଜୋସୁ ପଚାରିଲା ।

 

‘‘ସେଥିରେ କିଛି ଯାଏ ଆସେ ନି । ସେମାନେ ଭାରି ଭଲ । ମୁଁ ଚାହେଁ ତୁମର ବନ୍ଧୁ ହୁଅନ୍ତୁ ।’’ ସେ ଦୟାପରବଶ ହୋଇକହିଲା ।

 

ହଠାତ୍‌ ସବୁ କ୍ଳାନ୍ତି ଅପସରିଗଲା । ଦିନେ ନିତିଦିନିଆ ବଜାର ସଉଦା ସାରି ଜୋସୁକୁ ଭାରି କ୍ଳାନ୍ତ ଲାଗିଲା, ସେ ଶୋଇଗଲା । ଏମିତି କିଛି ସଂକେତ ପାଇ ଭୟାଭୀତ ହେଲା । ତା’ର ନାରୀ ଅଙ୍ଗର ସ୍ୱାସ୍ଥ୍ୟ ସବୁବେଳେ ନିୟମିତ ନ ଥାଏ । ଥରେ ଜାପାନରେ ଜଣେ ଡ଼ାକ୍ତର ତାକୁ କହିଥିଲେ ‘‘ଆମେରିକାରୁ ବିଦାୟ ନେବା ସଙ୍ଗେ ସଙ୍ଗେ ଯୌବନ ପର୍ଯ୍ୟନ୍ତ ଚଳି ଆସିଥିବା ଧାରା ଏକ ଜୀବନର ସମାପ୍ତି ହେବା ଏବଂ କେବଳ ବନ୍ଧୁ ମାନଙ୍କ ସହିତ ନୁହେଁ, ଅତି ପ୍ରିୟ ସ୍ଥାନଠାରୁ ଅନ୍ତର୍ବନ୍ଧନ ଛିନ୍ନ ହେବାଯୋଗୁ, ଆଉ ମଧ୍ୟ୍ୟ ନିଜର ଦେଶ ପରଭଳି ମନେ ହେବାଯୋଗୁ ଓ ଜାପାନୀ ବୋଲି ନିଜେ ଅନ୍ତରରେ ସଙ୍କୁଚିତ ହେଉଥିବାରୁ, ମନ ସହିତ ତା’ର ଶରୀର ବି କଷ୍ଟ ପାଉଛି ଓ ସ୍ୱାସ୍ଥ୍ୟ ଅନିୟମିତ ହେଉଛି ।’’ କେତେ ସପ୍ତାହ ତଳେ ସେ ଗର୍ଭବତୀ କି ନୁହେଁ ଭାବୁଥିଲା-। ଭୟକଲା, ସନ୍ଦେହ କଲା ଓ ବନ୍ଦ କରିବାକୁ ଚେଷ୍ଟା କଲା । ପିଲା ରହିବାକୁ ସେ ଇଚ୍ଛାକରୁ ନ ଥିଲା କାରଣ—ଗୋଟିଏ ପିଲାପାଇଁ ଭିନ୍ନ ପ୍ରକାର ଘର ହେବା ଦରାକାର । ବାକ୍‌ସ ଭଳି ଏକ ଘରେ ସେ ରହୁଛନ୍ତି, ପିଲା ଖେଳିବାକୁ ବଗିଚା ନାହିଁ, ପାର୍କରେ ବି ସେ ଦେଖୁଛଇ ଗୋରା ନାରୀମାନେ ତାଙ୍କ ପିଲାଙ୍କୁ କଳା ପିଲାଙ୍କ ସହିତ ଖେଳିବାକୁ ଛାଡ଼ୁ ନାହାନ୍ତ, ସେ ପାର୍କକୁ ତା ପିଲାକୁ ନେବନାହିଁ, ପିଲାଟିଏ !

 

‘‘ନା, ନା’’ ସେ ଗୁଣୁ ଗୁଣୁ ହେଲା ।

 

ହଠାତ୍‌ ଆଜି ବିଶ୍ରାମ ନେଉ ନେଉ ତା’ ଭିତରେ ଏକ ଚଳନ ସେ ଅନୁଭବ କଲା, ଏକ ଧୀର ଚଳନ । ଏ ଚଳନ ତା’ର ନୁହେଁ । ଯେଉଁ ସଂକେତ ସେ ଜାଣିବାକୁ ଚାହୁଁନ ଥିଲା, ତା’ ନିଶ୍ଚିତ, ଅବଶ୍ୟମ୍ଭାବୀ ଜଣାଗଲା । ତା’ ଶରୀର ଭିତରେ ଆଉ ଏକ ଜୀବନର ଚିହ୍ନ ସେ ଅନୁଭବ କଲା । ଏଇଠି ସେ ତିଆରି ହୋଇଗଲାଣି । ଅତି ଡ଼େରି ହୋଇଗଲା ପିଲାଟା ବଞ୍ଚିଛି ।

 

ଭୟରେ ସେ ନିଶ୍ଚଳ ହୋଇ ପଡ଼ିରହିଲା । ତକିଆରେ ମୁହଁ ଗୁଞ୍ଜି କାନ୍ଦିବାକୁ ଲାଗିଲା ।

 

ମା’ କେତେବେଳେ କାନ୍ଦେ, ପେଟରେ ଥିବା ପିଲା ତା’ ଜାଣିପାରେ ନି । ବଡ଼ ଭାଗ୍ୟର କଥା, ତାକୁ କେହି ଚାହୁଁ ବା ନ ଚାହୁଁ ସେ ଖୁସିରେ ବଞ୍ଚିବାକୁ ଆରମ୍ଭ କରେ । ତା’ ମାର ଦୁଃଖ ତାକୁ ବାଧେ ନାହିଁ । ବୁଦ୍ଧିମାନ ଭଳି ସେ ଏକାକୀ ଅଲଗା ହୋଇ ରହେ, ତା ନିଜ ସୃଷ୍ଟିର ପୃଥିବୀପାଇଁ ପ୍ରସ୍ତୁତ ହୁଏ । ଅତି ଆଗ୍ରହରେ ବଢ଼େ । ଜନ୍ମ ନ ହୋଇଥିବା ଗଭୀର ନିଦ୍ରାରେ ଶୋଇଥାଏ, ଯାହା କି ମୃତ୍ୟୁ—ଶେଷ ନିଦ୍ରା—ଶାନ୍ତି ଓ ବିସ୍ମରଣ ସହିତ ସମାନ । ପ୍ରତିଦିନ ସେ ଟିକେ ଟିକେ ଉଠେ, କ୍ରମଶଃ ଅଳ୍ପ ଶୁଏ, ଗୋଡ଼ ବାଡ଼ାଏ, ହାତ ଖେଳାଇ ଦିଏ, ଜନ୍ମର କଷ୍ଟପାଇଁ ପ୍ରସ୍ତୁତ ହୁଏ, ଚିରନ୍ତନୀଠାରୁ ତାହା ହେଉଛି ପ୍ରଥମ ବିଚ୍ଛେଦ । ତା’ପାଇଁ ଜୀବନୀର କାଳ ଆରମ୍ଭ ହୁଏ ।

 

ବିଶ୍ୱସନ୍ତାନ ଲେନି ବି ଏହିପରି । ତା’ ମା ସବୁବେଳେ କାନ୍ଦେ, ସେ ଜାଣିପାରେ ନାହିଁ ।

 

କିଛି ଚିନ୍ତା ନ କରି ସେ ବଢ଼ୁଥାଏ । କାହା ପାଖରେ ଜନ୍ମ ନେବ, ସେ କଥା ସେ ଜାଣେ ନି କି ସେଥିକି ତା’ର ଖାତିର ନ ଥାଏ । ତା’ର ଅସୀମ ଶରୀରର ମିଳନ କଥା ସେ ଜାଣେ ନାହିଁ । ତା ନାଭି ସାହାଯ୍ୟରେ ଖାଦ୍ୟ ଖାଏ, ଅଳ୍ପ ଶୁଏ, ବହୁ ବ୍ୟସ୍ତତାରେ ସେ ଏଣେ ତେଣେ ଛାଟିପିଟି ହୁଏ । ସେ ଜାଣେ ନାହିଁ ତା’ ମା ଓ ତା’ ଭିତରେ ତାର ଅସ୍ତିତ୍ୱ ସୀମିତ ହୋଇରହିଛି । ଅନ୍ୟ କେହି ଜାଣେ ନାହିଁ ।

 

କଣ ଜାଣିଲା, ସେ କଥା ଜୋସୁ ଆଲେନ୍‌କୁ କହିଁବ ନାହିଁ, ଯେଉଁ ଆମେରିକାନ୍‌କୁ ସେ କାମନାରେ ବଶୀଭୂତ ହୋଇ ବିବାହ କରିଛି ଓ ଏବେ ବି ଭଲପାଉଛି, ସେ ସୁଖୀ ନୁହେଁ ବୋଲି ଜୋସୁର ଧାରଣା ସେ କଠିନ କାମ କରୁଛି—ତା’ ପ୍ରତି ଦୟା ଦେଖାଉଛି, ଭଲପାଉଛି, ସେମାନଙ୍କ ଭିତରେ ସମୟ ଅତି ସୁନ୍ଦର ଗଡ଼ିଯାଉଛି । ତା’ର ବାହୁବନ୍ଧନରେ ନିଜକୁ ସମର୍ପଣ କଲାବେଳେ, ପ୍ରେମର ମିଳନବେଳେ ସବୁ ଚିନ୍ତା ଅପସରି ଯାଉଛି, ତାଙ୍କ ଶରୀରର ମିଳନରେ ସବୁ ଅନୁଭବ ହଜିଯାଉଛି । ଏବେ କିନ୍ତୁ ଏଇ ଗୋପନୀୟ ତୃତୀୟ ବ୍ୟକ୍ତି ବିଷୟରେ ସେ ସଚେତନ । ଏଇ ମିଳନାରେ ତା’ର କ’ଣ ବା ଅଂଶ ଅଛି ? ସେ କ’ଣ ଅନୁଭବ କରି ଆଶ୍ଚର୍ଯ୍ୟ ହୁଏ ଯେ, ତାର ବ୍ୟକ୍ତିଗତ ସମୁଦ୍ର ବାହାରର ଝଡ଼ରେ ଆନ୍ଦୋଳିତ ହେଉଛି ?

 

‘‘ତୁମର କ’ଣ ହେଇଛି ଜୋସୁ ?’’—ଆଲେନ୍‌ ପଚାରିଲା । ‘‘କଣ ଭାବୁଛ ତୁମେ ? ତୁମେ ଯେମିତି ଆଉ କେଉଁଠି ଅଛ—ମୋ ନିକଟକୁ ଫେରିଆସ ।

 

‘‘ମୁଁ ଏଇଠି ଦେଖ, ତୁମରି ପାଖରେ ।’’ ଜୋସୁ ହାତ ବଢ଼ାଇ କହିଲା । ନା, ନା, ସେ ତାକୁ କହିବ ନି । କାରଣ ସେ ତା’ର ସମଗ୍ର ଜୀନବ ନୁହେଁ । ଅନେକ ଦିନୁ ଆଲେନ୍‌ ତା’ଠୁ କିଛି ଲୁଚାଇବା କଥା ସେ ଜାଣିପାରୁଛି । ସେ ଦୂରରେ ରହିଛି, ତା ଚିନ୍ତାରେ ଜୋସୁକୁ ଭାଗ ଦେଉ ନି । ଏ କେବଳ ତା’ ଘରର ପରିବାରର ଚିନ୍ତା ନୁହେଁ, ଏ ସବୁଠାରୁ ସେ ଆଲେନ୍‌କୁ ଅଲଗା କରିଛି । ଏ ଚିନ୍ତା ଆଲେନ୍‌ର ପିଲା ଦିନର, ଯହିଁରେ ତା’ର ଭାଗ ନାହିଁ । ଆଲେନ୍‌ର ସଂସାରର ଅନେକ କଥା ସେ ବୁଝି ପାରେନାହିଁ । ଆଲେନ୍‌ ରାଜନୀତିରେ ଆଗ୍ରହୀ; କିନ୍ତ ତାକୁ ରାଜନୀତି ଭଲ ଲାଗେ ନି; ଆଲେନ୍‌ ପଢ଼ୁଥିବା ବହି ସେ ପଢ଼ିପାରେନି । ତାଙ୍କ ଛୋଟ ରେଡ଼ିଓରୁ ଖବର ଶୁଣି ସେ ରାଗିଯାଇ ବେଳେ ବେଳେ ଦୈନିକ ଖବର କାଗଜକୁ ଫୋପାଡ଼ିଦିଏ । ସେ କିଛି ବୁଝିପାରେନି; କିନ୍ତୁ ଆଲେନ୍‌ ପାଇଁ ଏ ସବୁର ମୂଲ୍ୟ ଥିବା ହେତୁ ତା’ର ଏ ସବୁଥିରେ ଆଗ୍ରହ ଥିବା ଦରକାର । ଏଇସବୁ କଥା ନିଜେ ଜାଣିବାକୁ ସେ ପ୍ରଶ୍ନ କଲେ, ଆଲେନ୍‌ ବିରକ୍ତିକୁ ଲୁଚାଇ ଉତ୍ତର ଦିଏ । ତାର ଲୁକ୍‌କାୟିତ ବିରକ୍ତଠାରୁ ଜୋସୁ ଅନ୍ତରକୁ କ୍ଷତାକ୍ତ କରିବାକୁ ଅଧିକ କିଛି ଆବଶ୍ୟକ ହୁଏ ନି । ଏଇ ବିରକ୍ତି ଅଧିକ ତୀକ୍ଷ୍‍ଣ ହୋଇ ତାକୁ ଆଘାତ କରେ ।

 

‘‘ତୁମେ ମୋତେ ଶୁଣାଇ ବିରକ୍ତ ହୋଇ ପଡ଼ୁଛ’’ ଦିନେ ସେ ବଡ଼ ପାଟିରେ କହିଲା ।

 

‘‘ନା, ତା ନୁହେଁ । ମୁଁ ଘରକୁ ଫେରିଲା ବେଳକୁ କ୍ଳାନ୍ତ ହୋଇ ପଡ଼ିଥାଏ ।’’

 

କିନ୍ତୁ ଠିକ୍‌ ସେଇଆ । ତା’ ଯୋଜନା ଅନୁଯାୟୀ ସେ ସ୍କୁଲକୁ ଗଲେ ଆମେରିକା ବିଷୟରେ ଅନେକ କଥା ଜାଣିପାରନ୍ତା; କିନ୍ତୁ ସ୍କୁଲ ଯିବାର ପ୍ରଶ୍ନ ଉଠୁନାହିଁ । ସ୍କୁଲ ଯିବାରେ ଲାଭ ନାହିଁ, ପିଲା ତ ହେବ । ଥରେ ଚେଷ୍ଟା କରିଥିଲେ ବି ପିଲାଟି ନଷ୍ଟ ହେଲା ନାହିଁ । ସେ ତା’ର ଜାପାନୀ ବନ୍ଧୁ ସହିତ ସାଙ୍ଗ ହୋଇ ଡ଼ାକ୍ତର ପାଖକୁ ଯାଇଥିଲେ । ଡ଼ାକ୍ତର କହିଲେ ‘‘ପିଲା ଜନ୍ମ ହେବ, ଅତି ଡ଼େରି ହୋଇଗଲା ।’’ ସେ ବି ଗର୍ଭ ନଷ୍ଟ କରାଇ ଦିଅନ୍ତି ନାହିଁ । ସେ ଖୁସି ହେଲେ । ‘‘ଜନ୍ମହେବା ପୂର୍ବରୁ ପିଲାକୁ ନଷ୍ଟ କରିବା ଭଲ ନୁହେଁ । ସେ ଏକ ବିଶ୍ୱସନ୍ତାନ—ତେଣୁ ତାର କିଛି ଦୋଷ ନାହିଁ । ଏ ତାର ଭାଗ୍ୟ ।’’

 

ଶରତ୍‌ ଯାଇ ଶୀତ ଆସିଲା—ଏଇ ଗୋପନ କଥାରେ ସେ ବ୍ୟସ୍ତ ହୋଇ ଶୁଖିଗଲା । ଅନେକ ସମୟରେ ସେ ଆଲେନ୍‌କୁ କହି ଦେବାକୁ ବସୁଥିଲେ ବି କହୁ ନ ଥିଲା । ଭୟରେ ନୁହେଁ, କିନ୍ତୁ ତା’ର ନିରାପତ୍ତାହୀନ ଜୀବନ କଥା ସେ ଭାବୁଥିଲା । ଏଇ ଛୋଟ ଘରପାଇଁ ପୁଣି ମାସକୁ ମାସ ଭଡ଼ା ଦିଆଯାଉଛି । ଜଣେ କିପରି ମାସକୁ ମାସ ବଞ୍ଚିବ ?

 

‘‘ଏଇ ଦିନ ଭିତରେ ଆମେ ଘରକୁ ଯିବା । ସମୟ ଆସିବ, ବଞ୍ଚିଥିବା ଦିନରେ ମା ବାରଣ କଲେ, ସେ ତ ଦିନେ ମରିଯିବେ, ଆଉ ବାରଣ କରି ପାରିବେ ନି ।’’

 

‘‘ଆଲେନ୍‌ !’’ ଜୋସୁ ଭୟରେ ଚିତ୍କାର କଲା—‘‘ବାପ ମା’ଙ୍କୁ ଏପରି କୁହନା, ତୁମେ ଦଣ୍ଡ ପାଇବ ।’’

 

‘‘ସେ ଅତି କଠୋର । ମୃତ୍ୟୁ ସ୍ୱାଭାବିକ । ବୁଢ଼ାମାନେ ମରନ୍ତି, ଭଲକଥା । ସେମାନେ ନ ମଲାଯାଏ ଉନ୍ନତି ନାହିଁ ।’’

 

‘‘ଆଲେନ୍‌–ସେ ତୁମର ମା !’’ ଜୋସୁ ତାର କୋମଳ ପାପୁଲି ତା’ ଓଠରେ ଦେଇଦେଲା-

 

‘‘ସେ ଅତି ଅତି ସଂକୀର୍ଣ୍ଣ ମନା’’ ତା’ ହାତକୁ ଠେଲିଦେଇ ଆଲେନ୍‌ ପ୍ରତିବାଦ କଲା । ‘‘ସେଇ ଛୋଟ ସହରରେ ସେ ଜନ୍ମହୋଇ ବଢ଼ିଛି । ସବୁକଥା ବଦଳୁଛି । ସେ ବୁଝିବ ନି କି ବୁଝିବାକୁ ଚାହିଁବ ନି ।’’ ‘‘ମୁଁ ତାଙ୍କ ମୃତ୍ୟୁ ଚାହେଁ ନି; ମୁଁ କାହାର ମୃତ୍ୟୃ ଚାହେଁ ନି । ମତେ ଭୟ ଲାଗେ ।’’ ଜୋସୁ ଦୃଢ଼ଭାବେ କହିଲା ।

 

ତଥାପି ସେ ଅଦ୍ଭୁତ ଭାବେ କହିଲା, ‘‘ତା’ ଅର୍ଥ ତୁମେ କାହାକୁ ହତ୍ୟା କରି ନା କାହିଁକି-? ଜୋସୁ, ମତେ ଚାହଁ ତ—ମୁଁ ମଣିଷ ମାରି ଶିଖିଛି । ୟା କଠିନ ନୁହେଁ । ବେଳେ ବେଳେ ମୋ ପରିଚାଳନା ସମ୍ପାଦକଙ୍କଠାରୁ କଥା ଶୁଣୁ ଶୁଣୁ, ସେ ମୋର ଶତ୍ରୁ ହୋଇଥିଲେ କିପରି ତାଙ୍କୁ ହତ୍ୟା କରନ୍ତି—ସେ କଥା ନ ଭାବି ରହି ପାରେ ନି । ତାଙ୍କର ବିରାଟ ଦେହରେ ଅସ୍ତ୍ରର କ୍ଷତ ମୁଁ ଦେଖିପାରେ । ତାଙ୍କ ବେକ ବା ପଞ୍ଜରା ପାଖରେ ନରମ ଦାଗଟିଏ, ବନ୍ଧୁକ ତାଙ୍କ ଚର୍ବିରେ ଗଳି ଯିବାର ଦାଗଟିଏ ।’’

 

ଭୟରେ ନିସ୍ପନ୍ଦ ହୋଇ ସେ ଆଲେନ୍‌କୁ ଚାହିଁ ଠିଆ ହୋଇରହିଲା । ଅଣ୍ଟାରେ ହଳଦିଆ ଆପ୍ରନ୍‌ ବାନ୍ଧି ସେ ପ୍ଳେଟ ସଫା କରୁଥିଲା । ହାତରୁ ତାର କାଚପ୍ଳେଟ ହଠାତ୍‌ ପଡ଼ିଗଲା ।

 

ଆଲେନ୍‌ ହସିଲା । ‘‘ବ୍ୟସ୍ତ ହୁଅନା ଯେ, ମୁଁ ଏପରି କେବେ କରିବି ନି । ଏ ମୋର ଟ୍ରେନିଂର ଅଂଶ । ମୃତ୍ୟୁ କାହିଁକି ମୋ ପାଇଁ ଭୟାନକ ନୁହେଁ, ତା’ ବୁଝାଇବାକୁ କହିଲି ।’’ ସେ ଉତ୍ତର ଦେଲା ନି । ସିଂକ୍‌କୁ ଯାଇ ଗରମ ସାବୁନ ପାଣିରେ ପ୍ଳେଟ୍‍ ସଫାକଲା ।

 

ସେ ଅବଶ୍ୟ ମା’କୁ ଭଲପାଏ । ଭଲ ପାଉ ନ ଥିଲେ ଏପରି ରାଗି ପାରନ୍ତା ନି ।

 

‘‘ମୁଁ ପଳାଇଯିବା ଉଚିତ । ଅତି ଭଲ ପାଉ ନ ଥିବା ଜିନିଷରୁ ମୁଁ ତାଙ୍କୁ ଦୂରେଇ ରଖିଛି-।’’ ଜୋସୁ ଭାବିଲା, କେମିତି ସେ ପଳାଇବ ? ତାର ସାନ ଫ୍ରାନସିସ୍କୋର ବ୍ୟାଙ୍କରେ ସେଇ ଟଙ୍କା ଅଛି କିନ୍ତୁ ସେ ଖୁଆଡ଼େ ଯାଇପାରିବ ନାହିଁ । ବାପାଙ୍କ ପାଖକୁ ଲେଖିଲେ ସେ ହୁଏ ତ ଅଧିକ ଟଙ୍କା ପଠାଇବେ । କିନ୍ତୁ ବାପା ତାକୁ ଫେରି ନ ଯିବାକୁ କହିଥିଲେ । ତା’ପରେ ବାପଘରେ କିପରି ଜୀବନ ଯାପନ କରିବ ଓ ଏଇ ପିଲାଟା, ତା ନିଜଛଡ଼ା ଏ ପିଲାଟାକୁ କିଏ ପଚାରିବ ? ଏଇ ପିଲା ଓ ତା’ ବାପା ଏକା ଘରେ ରହିବା ସମ୍ଭବ ହେବ ନାହିଁ । ତାଙ୍କ ଆଗରେ ସବୁବେଳେ ପିଲାଟା ଏକ ଅଶାନ୍ତ ଗ୍ରହ ଭଳି ଠିଆ ହେବ । ଆଲେନ୍‌ ପରି ଦିଶୁଥିବା ଛୋଟ ଛୁଆଟି ସେ କଳ୍ପନାରେ ଦେଖିଲା-। ନିଷ୍ଚୟ ଆଲେନ୍‌ ଭଳି ହେବ, ସେ ଶୁଣିଛି ଗୋରା ରକ୍ତ ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରେ । ଗୋରା ରକ୍ତ ଲୁଚି ରହିବନି । ଏଇ ଛୋଟ ପିଲାଟି ସବୁ ଲୋକଙ୍କ ଆଖି ଓ କେଶ କଳା ଓ ବର୍ଣ୍ଣ ହଳଦିଆ ଥିବା ସ୍ଥାନରେ କିପରି ସୁଖରେ ବଢ଼ି ପାରିବ ? ତାକୁ ଦୁଃଖ ଲାଗିବ । ତା’ ହେଲେ ସେ କିପରି ପଳେଇଯିବ ? ଜାପାନୀ ବନ୍ଧୁଙ୍କ ସହିତ ମିଶିବା ବି ଏଣିକି କଷ୍ଟକର ହେଲା । କ୍ରମେ ସେ ସେମାନଙ୍କଠାରୁ ଦୂରେଇ ଗଲା । ତା’ ର ଏଇ ଭାବନା ସେ ବନ୍ଧୁଙ୍କ ଆଗରେ ଖୋଲି ପାରିଲାନାହିଁ-। କେବଳ କହିଲା, ତା’ ଦେହ ଭଲ ଲାଗୁ ନି, ସେ ବିଶ୍ରାମ ଚାହେଁ । ସ୍ୱାମୀ ସ୍ତ୍ରୀ ଦୁହେଁ ସ୍କୁଲରେ କାର୍ଯ୍ୟବ୍ୟସ୍ତ ଥାଆନ୍ତି, ତେଣୁ କ୍ରମେ ଆଉ କାହାକୁ ଦେଖା କଲାନାହିଁ ।

 

ଦିନେ ଆଲେନ୍‌ ଫୋନକଲା । ତାର ପିଲାଦିନ ସାଙ୍ଗ ସିନ୍ଥିଆକୁ ସେ ସାଙ୍ଗରେ ଘରକୁ ଆଣିବ । ତା’ କଥା ସେ ଜୋସୁକୁ ଆଗରୁ କହିଥିଲା । ସିନ୍ଥିଆ ତାକୁ ଦେଖିବାକୁ ଅଫିସକୁ ଆସିଥିଲା । ଜୋସୁକୁ ଭେଟିବାବୁ ବି ଇଚ୍ଛା କରୁଛି, ତେଣୁ ସେଦିନ ରାତିରେ ସେ ସିନ୍ଥିଆକୁ ଆଣିବ ଆଉ ଜୋସୁ ସୁନ୍ଦର ‘ସୁକିୟାକି’ ରାନ୍ଧିବ । ଆଲେନ୍‌ର ସ୍ୱର ଫୋନ୍‌ରେ ଭାରି ଖୁସି ଖୁସି ମନେ ହେଉଥିଲା । ଜୋସୁ ବି ଖୁସି ହେଲା, କେତେ ମାସ ହେଲା ଆଲେନ୍‌ର ଖୁସିହେବା ସେ ଜାଣି ନ ଥିଲା ।

 

ଛୋଟ ଘରଟି ପରିଷ୍କାର କରି, ଆଞ୍ଜୁଳାଏ ସେବତୀ ଫୁଲ ଓ ବଡ଼ ବଡ଼ ତିନିଟା ହଳଦିଆ ଫୁଲ ଆଣିଲା । ଏଇ ଫୁଲ ଶରତ ଋତୁରେ ବାପାଙ୍କ ବଗିଚାରେ ଶହ ଶହ ଫୁଟେ । ଦୁଇଘଣ୍ଟା ଲାଗି ସେ ଫୁଲଦାନୀ ସଜାଇଲା । ଏଇ ଘରେ ତ ଜାଗା ନାହିଁ; ସେ ଝରକା ବାହାରକୁ କିଛି ଅଂଶ ଦେଇ ଓ ଛାତରୁ କିଛି ପାଶ୍ଚାତରେ ରଖି ସଜାଇଲା ।

 

ଓଃ, ଖାଦ୍ୟ ପୁଣି କେତେ ଯତ୍ନରେ ହେବ ! ଚାଉଳରୁ ଧଳା ଷ୍ଟାର୍ଚ୍ଚର କଣିକା ଧୋଇଯିବା ପର୍ଯ୍ୟନ୍ତ ଧୋଇବାକୁ ହେବ, କାରଣ ଷ୍ଟାର୍ଚ ଭାତକୁ ଟାଣ କରିବ—ତା’ ପରେ ସେ ଭାତ ରାନ୍ଧିବ, ମୂଳାଗୁଡ଼ାକ ତୁଳାପରି ନରମ ହୋଇ ସିଝିବ । କୁକୁଡ଼ା ଝୋଳରେ ପଡ଼ିବାକୁ ପିଆଜସଣ୍ଡା, ଧନିଆଁପତ୍ର କଟାହେବ । ମାଛର ମୁଣ୍ଡ ସହିତ ସେ ରାନ୍ଧିବ । ଆମେରିକାନମାନ୍‌ଙ୍କପରି ଖାଳଇ ଗଣ୍ଡିଟା ନୁହେଁ ପୁରା ମାଛଟି ସୁନ୍ଦର ଦିଶେ; କିନ୍ତୁ ମୁଣ୍ଡ ନ ଥିଲେ ଭଲ ଦିଶେ ନି । ସେ ପ୍ଳେଟ ଆଦି ସଫା କଲା, ପିଲାଟି ବ୍ୟସ୍ତ ନ କରିବାଯାଏ ରନ୍ଧାଘର ସଫାକଲା ଓ ତାକୁ ଥୟ କରିବାକୁ ଟିକେ ଗଡ଼ପଡ଼ ହେଲା ।

 

ସେ ପିଲାଟିଏ ନାଁ ଦେଇଛି । ଜନ୍ମ ପୂର୍ବରୁ ପିଲାଟିକୁ ତ ପୁଣି କିଛି ଡ଼କାଯିବ ! ନାଁ ଟା ବିଷୟରେ ସେ ବହୁତ ଭାବିଛି । ବିଶ୍ୱାସନ୍ତାନର ନାମ କ’ଣ ହୋଇପାରେ ? ତା’ ର ନିଜ ନାମ ମା’ ର କି ବାପାର ନାମ ଅନୁସାରେ ନୁହେଁ । ‘ଜୋସେଫ୍‌’ ବୋଲି ଗୋଟେ ଆମେରିକାନ୍‌ ନାଁ ଅଛି । କିନ୍ତୁ ସେଇଟା ଭଲ ଲାଗେ ନି । ତା’ର ମୃତ ଭାଇର ନାମ ‘କାନ୍‌ସାନ୍‌’ ଦେବାକୁ ସେ ଚାହେଁ । କିନ୍ତୁ ତା’ ଭାଇର ନାମ ଉପରେ ଏ ପିଲାଟିର କି ଅଧିକାର ଅଛି ? ଅନୁମତି ନ ନେଇ ଏ ନାଁ ଦେବନାହିଁ; କିନ୍ତୁ ଅନୁମତି ଦେବାକୁ କିଏ ଅଛି ? ପିଲାଟିର ଛୋଟ ମୁହଁକୁ ସେ କଳ୍ପନା କଲା, ତା’ ଜଣାଶୁଣା ଲୋକଙ୍କ ପରି ଦିଶୁ ନି । ପୁଣି ସମସ୍ତଙ୍କ ସହିତ ମିଶି ଯାଉଛି । ପ୍ରକୃତରେ ସେ ବିଶ୍ୱସନ୍ତାନ, ତା’ର ନାମ ସେ ଆଲେନ୍‌ ଦେବ ନି । ଯେ ହେତୁ ଆଲେନ୍‌ର ମା’ ତାର ଅସ୍ତିତ୍ୱକୁ ସ୍ୱୀକାର କରନ୍ତି ନାହିଁ, ଆଲେନ୍‌—ଆଲେନ୍‌ ତା’ ହେଲେ ତା ବାପାର କିଛି ଅଂଶ ରହୁ, ତାକୁ ‘ଲେନି’ ଡ଼କାଯାଉ । ନାଁ ଟି ମନକୁ ଆସିବା ମୁହୂର୍ତ୍ତରୁ ତାହା ହିଁ ନାଁ ହୋଇଗଲା । ଛୋଟ ଉଜ୍ଜ୍ୱଳ ମୁହଁଟି ସେ ଦେଖିଲା—ବଡ଼ ବଡ଼ ଆଖି, ଯାହାର ରଙ୍ଗ ସେ ଠିକ୍‌ ଜାଣିପାରୁ ନି; କିନ୍ତୁ ଢଳ ଢଳ ଛୋଟ ମୁହଁଟି ଦେଖିପାରୁଛି । ଏମିତି ପିଲାଟିର ନାଁ । ଲେନି ହେଲେ ଭଲ । ଲେନି ବୋଲି ଡ଼ାକି ସେ ପିଲାଟି ସହିତ ଗପକଲା, ଘର ଭିତରେ ଧାଇଁ ଧାଇଁ ଓକା ପହରା ଓ ପୋଛାପୋଛି କଲାବେଳେ କି ଠିଆହୋଇ ‘ସୁକିୟାକି’ ପାଇଁ ପରିବା କାଟିଲାବେଳେ ପିଲାଟି ଛାଟିପିଟି ହେଲେ ସେ ମଧୁର ଭର୍ତ୍ସନା କରେ ।

 

‘‘ରହ, ବସୁଚି, ତୁ ସବୁବେଳେ ଏମିତି ବ୍ୟସ୍ତ କଲେ ମୁଁ ପରିବା କିପରି କାଟିବି କହିଲୁ ? ତୁ ଟିକେ ଥୟଧର ।’’ କିନ୍ତୁ ସେ ଥୟ ହୁଏ ନି ସ ଜୋସୁ ବିଶ୍ରାମ ନିଏ । ଏଇନାରୀ ସିନ୍ଥିଆ କ’ଣ ଜାଣିନେବ, ଯାହା ଆଲେନ୍‌ ଜାଣି ନି । ସେ ବନ୍ଧୁ ହେବ ନାଁ ଶତ୍ରୁ ?

 

ସିନ୍ଥିଆକୁ ଦେଖିଲାକ୍ଷଣି ଭାବିଲା ସେ ବନ୍ଧୁ । ଡ଼େଙ୍ଗୀ, ସୁନ୍ଦରୀ ଝିଅଟିଏ, ପାତଳୀ ଓ ଉଜ୍ଜ୍ୱଳ, ଆଲେନ୍‌ ସହିତ ଭିତରକୁ ଆସିଲା । ଜୋସୁ ନିରୀହ ବିସ୍ମୟରେ ଚାହିଁ ରହିଲା, ଏଇ ଝିଅକୁ ହୁଏ ତ ଆଲେନ୍‌ ବିଭା ହୋଇ ଥାଆନ୍ତା । ଆଲେନ୍‌ର ୟାକୁ ବିଭାହେବା ଉଚିତ ଥିଲା । ଏ କଥା ହଠାତ୍‌ ତାକୁ ଜଣାଗଲା ଓ ଆଲେନ୍‌ର ମା’ ଙ୍କୁ ସେ ଠିକ୍‌ ବୁଝିପାରିଲା । ଓଃ—ସେ ଯଦି ଜାଣିଥାନ୍ତା ସିନ୍ଥିଆ ଭଳି ଜଣେ ଯୁବତୀ ଅଛି, ତେବେ ଆଲେନ୍‌କୁ ବିଭା ହେବାକୁ ସେ ମନା କରି ଦେଇଥାଆନ୍ତା; କାହିଁକି ନା ଆଲେନ୍‌କୁ ସେ ଅତି ଭଲପାଏ । ଜୋସୁ କିଛି କହିବା ପୂର୍ବରୁ ହାତ ବଢ଼େଇ ଦେଲା ଓ ସିନ୍ଥିଆ ଦୁଇ ହାତରେ ତା’ ହାତକୁ ଧରିଲା ।

 

‘‘ମୁଁ ତୁମକୁ ଭେଟିବାକୁ କେତେ ଇଚ୍ଛା କରିଛି ! ପିଲାଦିନୁଁ ମୁଁ ଆଲେନ୍‌କୁ ଜାଣେ । ଆମେ ଭାଇ ଭଉଣୀ ଭଳି । ମୁଁ ଭାବୁଛି ସେ ତୁମକୁ ଏ କଥା କହିଥିବ ।‘‘ ସିନ୍ଥିଆ ଖୁସି ହୋଇ ବଡ଼ ପାଟିରେ କହିଲା ।

 

‘‘ସେ ମତେ କହିଛନ୍ତି ।’’—ଜୋସୁ କହିଲା ।

 

‘‘ସେ ଇତସ୍ତତଃ ହେଲା—ଏଇ ଅତି ଗୋରା, ଘନନୀଳ ଆଖି ଓ ନରମ, ଚିକ୍‌କଣ, ସୁଗୋଲ ମୁହୀଁ ଝିଅଟିଠାରୁ ଆଖି ଫେରାଇ ପାରିଲା ନି ।

 

‘‘ସିନ୍ଥିଆ ତୁମ ଟୋପି କାଢ଼ିଦିଅ ।’’ ଆଲେନ୍‌ ତାକୁ ଖାତିରି କରେ ନି; କିନ୍ତୁ ଦେଖି ଭାରି ଖୁସିହେଲା । ‘‘ଘର ପରି ଭାବ ସିନ୍ଥିଆ, ଛୋଟ ଜାଗାଟି ହେଲେ ବି ଆମର ତ । ଜୋସୁ, ତୁମର ବୁଦ୍ଧି ବୃତ୍ତି ଲୋପ ହୋଇଗଲା କି ?’’

 

‘‘ମୁଁ ଭାରି ବିସ୍ମିତ ହୋଇପଡ଼ିଛି ।’’ ଜୋସୁ ଅସହାୟ ଭାବେ ଗୁଣୁଗୁଣୁ ହୋଇ କହିଲା ।

 

‘‘କାହିଁକି ଏତେ ବିସ୍ମିତ ହେଉଛ ?’’—ଆଲେନ୍‌ ପଚାରିଲା ।

 

‘‘ଏତେ ସୁନ୍ଦର, ମୁଁ ଭାବି ନ ଥିଲି, ତୁମେ ତ ମତେ କହିନଥିଲ ।’’

 

ସେ ଆହୁରି ଅସହାୟ ହୋଇପଡ଼ିଲା ।

 

ସେମାନେ ପରସ୍ପରକୁ ଚାହିଁ ଜୋସୁ କଥାରେ ଆମୋଦି ଅନୁଭବ କଲେ । ‘‘ଓ, ଛୋଟ ମଣିଷଟିଏ ମଲେନ୍‌, ସେ ଏତେ କୁନିଟିଏ ବୋଲି ତ ତୁମେ ମୋତେ କହି ନ । ତୁମେ ତାକୁ ଏତେ ବେଶି ଭଲ ପାଇବାରେ ମୁଁ ଆଶ୍ଚର୍ଯ୍ୟ ହେଉ ନି । ମୁଁ ତ ତାକୁ ଫୁଲଟିଏ ପରି ଜାକେଟ୍‌ରେ ଖୋସିଦେଇ ଥାଆନ୍ତି ।’’ ସିନ୍ଥିଆ ଦୃଢ଼ ଭାବରେ କହିଲା ।

 

ଜୋସୁ ଖୁବ୍ ହସିଲା ଓ ସିନ୍ଥିଆକୁ ଭଲ ପାଇବାକୁ ଆରମ୍ଭ କଲା । ଏଇ ଦୀର୍ଘାଙ୍ଗୀ, ଦୟାବତୀ ଓ ସୁନ୍ଦରୀ ଝିଅଟି ପ୍ରଥମ ସାକ୍ଷାତରେ ହିଁ ତା’ ମନକୁ ଅଧିକାର କରି ବସିଥିଲା ।

 

‘‘ବସି ଯାଅନା’’ ଜୋସୁ ନିଜକୁ ସଂଯତ କରି କହିଲା ।

 

‘‘ମୁଁ ଚା ଆଣେ । ଆଲେନ୍‌ କହିଛନ୍ତି, ଆଜି ସବୁ ଜିନିଷ ଜାପାନୀ—କ୍ଷମା କରିବ ।’’

 

ସେ ଅଭିବାଦନ କରି ଘରୁ ଗଲା ଓ ଛୋଟ ରୋଷେଇ ଘରେ ପଶି କବାଟ ବନ୍ଦ କରିଦେଲା । ସେ ଷ୍ଟୁଲରେ ବସି ନିଶ୍ୱାସ ମାରିଲା । ‘‘ଲେନି’’ ସେ ଅନାଗତକୁ ନୀରବରେ ଗାଳିଦେଲା । ‘‘ଏମିତି ଡ଼େଇଁ ପଡ଼ନା । ଆପ୍ରନ୍‌ କିଛି ଅଂଶ ଲୁଚାଇଛି, ହେଲେ ସବୁ ତ ନୁହେଁ ! ତୋତେ କେହି ଚାହାନ୍ତି ନାହିଁ । ମାକୁ ସାହାଯ୍ୟକର, ଲେନି ।’’

 

ହଠାତ୍‌ ସେ ନୀରବ ହେଲା, ତାର ମନ ବିଶାନ୍ତ ହେଲା ଓ ଉଠିପଡ଼ି ଚା ତିଆରି କରି ଢାଳିଲା ।

 

ବନ୍ଦ ଦରଜା ସେପଟର ଘର ବି ଖୁବ୍‌ ନୀରବ, ସେ ସ୍ୱର ସବୁ ଶୁଣିପାରିଲା; କିନ୍ତୁ କଥା ଶୁଣି ପାରିଲା ନି । ସେମାନେ ବୋଧହୁଏ ତାଙ୍କ ଘର, ମା’ କଥା ଗପୁଛନ୍ତି, ଯାହା ତା’ ଆଗରେ ସେମାନେ କହି ପାରିବେ ନି । ତାଙ୍କୁ ଏକୁଟିଆ ଲାଗିଲେ ବି, ଏହା ସ୍ୱାଭାବିକ । ତେଣୁ ତାଙ୍କୁ ସମୟ ଦେବାକୁ ସେ ଚା’ ତିଆରି କରିବାରେ ଡ଼େରି କଲା ।

 

‘‘ଆଲେନ୍‌, ସେ ଭାରି ଭଲ’’ ସିନ୍ଥିଆ କହିଲା । ‘‘ତୁମ ମା ତାକୁ ଯଦି ଥରେ ଦେଖନ୍ତେ, ମୋର ବିଶ୍ୱାସ ସବୁ ବଦଳି ଯାଆନ୍ତା ।’’

 

‘‘ମୁଁ ଭାବୁଛି ହୁଏ ତ କ୍ରିଷ୍ଟ ମାସରେ....’’ ଆଲେନ୍‌ ରହିଗଲା ।

 

‘‘ମୁଁ ବି ସେଇଆ ଭାବୁଛି’’ ସିନ୍ଥିଆ ସମବେଦନା ଜଣାଇଲା ।

 

ତା ଅନ୍ତର ସମବେଦନାପୂର୍ଣ୍ଣ । ତାର ଆଖି ଓ ମୃଦୁହସ, ତା’ର ଚୌକିରେ ଆଲେନ୍‌ ଆଡ଼କୁ ଝୁଙ୍କି ବସିଥିବାର ଭଙ୍ଗୀ, ସବୁଥିରୁ ସମବେଦନା ଝରି ପଡ଼ୁଛି । ସିନ୍ଥିଆ ନିଜ ପ୍ରତି ସଚେତନ ନୁହେଁ । ଆଲେନ୍‌ ନିଜର ଭିନ୍ନ ପ୍ରକୃତ କଥା ଭାବିଲା ଓ ଦୁଃଖିତ ହେଲା । ଯଦି ସେ ଜୋସୁକୁ ଦେଖି ନ ଥାନ୍ତା, ସିନ୍ଥିଆ ଓ ସେ ପରସ୍ପରକୁ ଭଲପାଉନ୍ତୁ କି ନ ପାଉନ୍ତୁ, ତା ମାର ବିଶ୍ୱାସ ଆସିଥାଆନ୍ତା । ସେମାନେ ପରସ୍ପରକୁ ଭଲ ପାଇବେ । ତେବେ ସିନ୍ଥିଆ ବିଶେଷ ଅରାଜି ହୋଇ ନ ଥାନ୍ତା ।

 

‘‘ମୁଁ ଭାବୁଛି ତୁମକୁ ଇ ଯାହା କିଛି କହିବି ।’’ ସେ ସିନ୍ଥିଆକୁ କହିଲା ।

 

‘‘ତୁମେ ନିର୍ବିଘ୍ନରେ କହିପାର ଆଲେନ୍’’—ସିନ୍ଥିଆ କହିଲା ।

 

‘‘ତୁମେ ଜାଣ—ତୁମ ମୋ ବିଷୟରେ ମାଆ ସବୁବେଳେ ବି ଆଶା ରଖିଥାଆନ୍ତି ।’’

 

‘‘ଓ—ହଁ’’ ସିନ୍ଥିଆ କହିଲା । ସେ ଲଜ୍ଜିତ ହେଲା ନି, ତାର ଉଜ୍ଜ୍ୱଳ ଆଖି ପୂର୍ବପରି ଶାନ୍ତ ରହିଲା ।

 

‘‘ଯଦି ମୁଁ ଜୋସୁକୁ ଭେଟି ନ ଥାନ୍ତି ?’’ —ସେ ପଚାରିଲା

 

‘‘ଆରେ, ସେ ସବୁ କଥା ଭାବ ନାହିଁ ।’’ ସେ ଦମ୍ଭରେ କହିଲା ‘‘ମୁଁ ତୁମକୁ ଭାରି ଭଲପାଏ ଆଲେନ୍‌ ! ତୁମେ ଜାଣ, ତୁମ ଛଡ଼ା ଜୀବନକୁ କଳ୍ପନାକରି ପାରେ ନି । ଅତୀତରେ ନୁହେଁ କି ଏବେ ବି ନୁହେଁ; କିନ୍ତୁ ମୁଁ କେବେ ବିଶ୍ୱାସ କରେ ନି ଏ ପ୍ରକାର ସ୍ନେହ ବୈବାହିକ ପ୍ରେମର ଶେଷ ହୁଏ ବୋଲି—ନୁହେଁ କି ?

 

‘‘ମୁଁ ବି ଭାବେ ତା’ ନୁହେଁ’’ ସେ ଅନିଚ୍ଛାରେ କହିଲା ।

 

‘‘ତା ହେଲେ ସେ କଥା କାହିଁକି’’ ସେ ପଚାରିଲା ।

 

‘‘ତୁମେ ଯଦି ମୋ ମା’କୁ ବୁଝାନ୍ତ–କିଛି ହୁଅନ୍ତା ନାହିଁ ?’’ ସେ ଜଣାଇଲା ।

 

ସେ ଚିନ୍ତାନ୍ୱିତା ହେଲା, ତା’ର ସୁନ୍ଦାର ଗୋରାହାତ ଆଣ୍ଠୁ ତଳକୁ ଝୁଲି ରହିଲା, ‘‘ମୁଁ ଜାଣିଛି ତୁମେ କଣ କହୁଛ ।’’

 

ସେ ଘଟଣା ଭିତରେ ପଶିଲା । ‘‘ନିଶ୍ଚୟ, ମୁଁ ପାରୁପର୍ଯ୍ୟନ୍ତ କରିବି । ମୁଁ ତୁମ ପ୍ରବର୍ତ୍ତାଇବି । ଏହି ଛୋଟ ଜୋସୁ କେଡ଼େ ଭଲ ମୁଁ ତାଙ୍କୁ କହିବି । ମୁଁ ନାଁଟା ସିଧା କହିବି ତ ? ଏବଂ ଆମେ ଦେଖିବା....ଦେଖିବା....

 

‘‘ସିନ୍ଥିଆ, ତୁମେ ଯଦି ତା’ କରିପାରନ୍ତ—’’

Unknown

 

‘‘ମୁଁ କରିବି’’ ସେ ଆନ୍ତରିକତାର ସହିତ କହିଲା । ‘‘ସେଇ ଆଖି ଦି’ଟି ଆଲେନ୍‌ ! ଏଡ଼େ ବେଶୀ କଳା ଓ ଆଖିପତା ସିଧା । ସବୁ ଲୋକେ କ’ଣ ଏମିତି ?’’

 

‘‘ମୁଁ ଜାପାନରେ ଦେଖିଥିବା ସବୁ ଝିଅଙ୍କଠାରୁ ଜୋସୁ ସୁନ୍ଦର ।’’ ସ୍ୱାମୀକୁ ଶୋଭା ପାଇବା ସଂଯମରେ ସେ କହିଲା ।

 

‘‘ଆମେରିକାରେ ମୁଁ ଦେଖିଥିବା ସବୁ ଝିଅଙ୍କଠାରୁ ବି ସୁନ୍ଦର ।’’ ସିନ୍ଥିଆ ଉଦାହରଣ କହିଲା, ‘‘ତାକୁ ଭଲ ପାଇଲ ବୋଲି ମୁଁ ତୁମକୁ ନିନ୍ଦା କରୁ ନି, ତୁମ ସପକ୍ଷରେ । ବିପକ୍ଷ ସହିତ ମୁଁ ଯୁଦ୍ଧ କରିବି ।

 

‘‘ତୁମେ ଆମକୁ ନିମନ୍ତ୍ରଣ କର ସିନ୍ଥିଆ’’ ସେ ଉତ୍ତେଜିତ ହୋଇପଡ଼ିଲା । ତାର ଦିଜ କାମକୁ ସେ ନ୍ୟାୟ ଭାବିଛି ଓ ହୁଏ ତ ତା ବାପା ଓ ସେ ନିଜେ ଯାହା କରି ପାରିନାହାନ୍ତି, ସିନ୍ଥିଆ ତା’ କରି ପାରିବ ।

 

‘‘ଯଦି ତୁମ ମା’ ରାଜି ନ ହୁଅନ୍ତି—ମତେ ଦେଖି ଆସିବାକୁ ମୁଁ ଜୋସୁକୁ ନିମନ୍ତ୍ରଣ କରିବି, ଭୋଜିକୁ ସମସ୍ତଙ୍କୁ ଡ଼ାକିବି, ତା ପରେ ଆମେ ଦେଖିବା ।’’ ‘‘ମୁଁ ଜାଣି ପାରୁ ନି’’ ସେ ଭୟରେ କହିଲା ।

 

‘‘ଆଲେନ୍‌, ଡ଼ରନା । ଆମେ ତାଙ୍କୁ ବାଧ୍ୟ୍ୟ କରିବା । ତୁମେ କ୍ରିଷ୍ଟମାସରେ ଗଲେ ଭଲ ହେବ ।’’

 

ସିନ୍ଥିଆ ତାକୁ ଆଶାବାଦୀ ଚିନ୍ତା ଓ ଉଷ୍ମଶକ୍ତି ଭରିଦେଲା । ହୋଇପାରେ ହୁଏ ତ !

 

ଏହି ସମୟରେ ଜୋସୁ ଚା’ ନେଇ ଆସିଲା । ସିନ୍ଥିଆ ଯେଉଁ ଚା ଭୋଜି କଥା ଶୁଣିଛି ଓ ପଢ଼ିଛି, ସେ ବିଷୟରେ ଜୋସୁକୁ ପଚାରିଲା । ଜୋସୁ କହୁ କହୁ ତାର ଭୟ ଦୂର ହେଲା । କେହି ତାକୁ ଜାପାନ କଥା କିଛି ପଚାରି ନାହାନ୍ତି, ଏବଂ ତା’ ଘର, ବାପା, ମା, ଫୁଲ ବଗିଚା ଓ ଟୋକାନୋମା କଥା ଗପିବାକୁ ତାକୁ ଭଲ ଲାଗିଲା । ସିନ୍ଥିଆ କୌତୁହଳୀ ହୋଇ ନିରୀହ ଆଗ୍ରହରେ ଶୁଣିଲା, ଆଲେନ ଦେଖି ଆଶ୍ଚର୍ଯ୍ୟ ହେଲା । ଜୋସୁର ଅନୁଭବ ସେ ବୁଝିଲା, ପ୍ରକୃତରେ ତାକୁ କେହି ଏ ସବୁ କଥା ପଚାରି ନ ଥିଲେ । ଆମେରିକାନ୍‌ମାନେ ପଚାରନ୍ତି ନାହିଁ, ସେମାନେ ସବୁ କହିଯାଆନ୍ତି । ସେ ଜୋସୁର ମଧୁର ନିରୀହ ସ୍ୱର ଶୁଣିଲା । ଜୋସୁ ତାକୁ ପୁରା ଭୁଲିଯାଇଛି, ସିନ୍ଥିଆକୁ କହି ଉପଭୋଗ କରୁଛି । ସେ ଏକା ଥିଲେ କ’ଣ ହୁଅନ୍ତା ? ଆଲେନ ବସି ବସି ତାକୁ ଦେଖିଲା ଓ ତା ପ୍ରତି ଦୟାର୍ଦ୍ର ହୋଇପଡ଼ିଲା । ନିଜେ ସବୁବେଳେ ନିଜ ଚିନ୍ତାରେ ବୁଡ଼ିରହିଛି ଭାବି ଦୁଃଖ କଲା । ସେ କ’ଣ ତା’ର କୃତକର୍ମର ପ୍ରାୟଶ୍ଚିତ୍ତକୁ ବୁଝିପାରୁଛି ? ହୁଏ ତ ସିନ୍ଥିଆ ତାଙ୍କ ଦୁହିଁଙ୍କୁ ସାହାଯ୍ୟ କରିବ । ହୁଏତ ଭଲରେ ସବୁର ସମାପ୍ତି ହେବ ।

 

ସିନ୍ଥିଆ ଚାଲିଗଲାଣି—ତା ଦେହରୁ ବିଛୁରି ପଡ଼ିଥିବା ସୁଗନ୍ଧ ଏବେ ବି ରହିଯାଇଛି । ତା’ ର ଆନ୍ତରିକତା ଆଲେନର ମନକୁ ଛୁଇଁଛି । କେତେ ସପ୍ତାହ ଭିତରେ ଆଜି ପ୍ରଥମଥର ପାଇଁ ସେ ଏକ ଅନନୁଭୂତ କୋମଳତା ନେଇ ଜୋସୁ ପାଖକୁ ଗଲା ।

 

‘‘ତୁମେ ଭାରି ଭଲ’’—ସେ ତାକୁ କହିଲା ।‘‘ସୁକିୟାକିଟା ଆଜି ସବୁଠୁଁ ବଢ଼ିଆ ହୋଇଥିଲା । ସିନ୍ଥିଆ ଭାବିଲା ଫୁଲଗୁଡ଼ା ସୁନ୍ଦର; କିନ୍ତୁ ମୁଁ ତାକୁ କହିଲି ଯେ, ତୁମପରି ଫୁଲଗୁଡ଼ା ଅନ୍ୟ କେହି ସଜାଇ ପାରିବେ ନି । ତୁମେ ଏଡ଼େ ସୁନ୍ଦର ଯେ—ସିନ୍ଥିଆ କହିଗଲା ।’’

 

ଏବେ ସେ ତାକୁ ପୁଣି ଭଲଭାବେ ଦେଖୁଚି, ସନ୍ଦେହରେ ତା’ ଦୃଷ୍ଟି କ୍ଷୀଣ ହୋଇଥିଲା; କିନ୍ତୁ ବର୍ତ୍ତମାନ ସେ ସିନ୍ଥିଆର ଦୃଷ୍ଟିରେ ଦେଖୁଛି । ଜୋସୁ ସୁନ୍ଦର, ତାର ଛୋଟ ଚେହେରାରେ ମାଧୁରୀ ଭରି ରହିଛି । ତାର ଛୋଟ ଦେହ, ଟିକି ଟିକି ହାତ, ଅଙ୍ଗ ଚାଳନାରେ ଏତେ ଆନୁପାତିକ ଜ୍ଞାନ, ନିଜ କାର୍ଯ୍ୟରେ ତାର ମଗ୍ନତା—ସବୁ ପୁଣି ଥରେ ଭଲ ଲାଗିଲା । ସେ ସିନ୍ଥିଆ ଉପରେ ଭରସା ରଖିବା । ସମୟ ହୁଏ ତ ବଦଳିବ । ସିନ୍ଥିଆ କଥାରେ ମା’ ବିଶ୍ୱାସ ଯିବେ ।

 

ପୁଣି ସେମାନେ ବେଶ୍‌ ଖୁସି ହେଲେ । ଆଲେନ୍‌ ଏତେ ନମ୍ର ହେଲା ଯେ, ଜୋସୁ ଲେନି କଥା କହି ଦେବାକୁ ଯାଉଥିଲା । ସେ କହିଦେଇଥାନ୍ତା; କିନ୍ତୁ ଭାବିଲା ଆଲେନ୍‌ର ସୁଖ ଏବେ ବି ତା’ର ଘର, ପରିବାର, ସହର ଓ ଶୈଶିବ ସହିତ ଜଡ଼ିତ ଅଛି । ସେ ତାଙ୍କ ନିଜପାଇଁ ଅନ୍ୟ ଘରଟିଏ ନ କରି ସାରିବାଯାଏ ସେ ଯେ ଖୁସି, ଜୋସୁର ବିଶ୍ୱାସ ହୁଏ ନାହିଁ ।

 

ଆଲେନ୍‌ ଘର କରି ସାରିଲା ପରେ ଜୋସୁ ନିଶ୍ଚିତ ହେବ ଯେ, ସେ ଅତୀତରୁ ଆଣି ନିଜକୁ ବର୍ତ୍ତମାନରେ ସ୍ଥାପନ କରିଛି; ସେମାନେ ଏହି ଛୋଟ ବାକ୍‌ସ ଭଳି ଘର ଛାଡ଼ି ବଗିଚା ଥିବା ଛୋଟ ଘରଟିକୁ ଗଲେ ସେଇ ନିଜର ବୋଲି କହି ପାରିବା ଘରେ ସେ ଆଷନକୁ ଏ କଥା ଜଣାଇ ପାରିବ; କିନ୍ତୁ ଅଳ୍ପ ଦିନ ଭିତରେ ଏ ସବୁ କ’ଣ ହୋଇ ପାରିବ ?

 

ହସିବାକୁ ଚେଷ୍ଟା କରି ସେ କହିଲା—‘‘ମୁଁ ବହୁତ ଖାଇଛି । ଭାରି ମୋଟା ହୋଇଗଲାଣି-। ଆମେରିକାର ଜଳବାୟୁ ମୋ ପାଇଁ ଭଲ ।’’

 

ସେ ଛଳନା ଭିତରେ ନିଜକୁ ଲୁଚାଇ ଅପେକ୍ଷା କଲା; କିନ୍ତୁ କେତେଦିନ ସିନ୍ଥିଆ ଆଲେନ୍‌କୁ ଚିଠି ଲେଖିଛି । ଦରଜାପାଖର ଟେବୁଲ ଉପରେ ଚିଠିଟା ପଡ଼ି ରହିଛି; କିନ୍ତୁ ଖୋଲିବାକୁ ଜୋସୁ ସାହାସ କରି ନି । ଏଇ ଦୁଇ ଜଣଙ୍କ ଭିତରେ ରହିଛି ଶୈଶବର ଦୀର୍ଘସ୍ମୃତି...ତା ମଝିକୁ ସେ ଆସିବାର ଅଧିକାର ପାଇ ନି । ସେ ସିନ୍ଥିଆକୁ ଆନ୍ତରିକ ବିଶ୍ୱାସ କରେ; କିନ୍ତୁ ଯେଉଁ ଦୀର୍ଘ ଶୈଶିବର ସ୍ମୃତି ! ଆଲେନ୍‌ ଘରକୁ ଆସିବାରୁ ସେ ଚିଠିଟି ବଢ଼ାଇ ଦେଲା, ‘‘ଆଜି ତୁମର ଏଇଟା ଆସିଛି ଆଲେନ୍‌ ।’’

 

ଠିଆ ଠିଆ ଆଲେନ୍‌ ଚିଠିଟାକୁ ଚିରି ଖୋଲିଦେଲା ଓ ମୋଟା କ୍ରିମଦିଆ ବଡ଼ କାଗଜ ଖଣ୍ଡିକରେ ଆଖି ବୁଲାଇ ଆଣିଲା । ଜୋସୁ ଲକ୍ଷ୍ୟ କରୁଥିଲା, ହଠାତ୍‌ ଚିଠିଟା ମୋଡ଼ି ମାଡ଼ି ଅଳିଆ ଗଦାକୁ ଫିଙ୍ଗିଦେଲା ଓ ଶୋଇବା ଘର ଆଡ଼କୁ ଗଲା ।

 

‘‘ମୁଁ ଦେଖି ପାରିବି ନାହିଁ ?’’ ସେ ତାକୁ ଡ଼ାକି କହିଲା ।

 

‘‘ଯଦି ଚାହଁ ପଢ଼’’ ମୁହଁ ନ ବୁଲାଇ ସେ ଉତ୍ତର ଦେଲା । ବିରକ୍ତରେ ଭାବିଲା, ସେ ତ ଦିନେ ଅବଶ୍ୟ ଜାଣିବ ।

 

ତେଣୁ ଚିଠିଟା ବାକ୍‌ସରୁ ଉଠାଇ ଆଣି ପଢ଼ିବା ପୂର୍ବରୁ ଯତ୍ନରେ ଖୋଲିଲା, ସିଧାକଲା । ଏତେ ନରମ ! ହାତ ତିଆରି କାଗଜ ପରି ସୁନ୍ଦର ଏ କାଗଜ; କିନ୍ତୁ ତା’ର ବିଶ୍ୱାସ ଆମେରିକାର କୌଣସି ଜିନିଷ ହାତ ତିଆରି ନୁହେଁ ।

 

କାଗଜ ଉପରେ କଳା–ଭାଓଲେଟ୍‌ କାଳିରେ ବଡ଼ ବଡ଼ ଅକ୍ଷରରେ ସିନ୍ଥିଆ ଲେଖିଛି–‘‘ପ୍ରିୟ ଆଲେନ’’–

 

ତୁମର କହିବା ଅନୁଯାୟୀ ମୁଁ ତୁମର ମା’ଙ୍କୁ ଦେଖା କଲି । ଆମର ପ୍ରିୟତମା ଜୋସୁ ବିଷୟରେ ତାଙ୍କୁ କହିଲି, ତା ବିଷୟରେ ମୋର ଅନୁଭବ ମୁଁ ବର୍ଣ୍ଣନା କଲି । ପଦେକଥା ବି ସେ ଶୁଣିଲାପରି ଜଣା ଗଲା ନି । ତୁମେ ଜାଣ ସେ କିପରି ଲୋକ, ତାଙ୍କର ସ୍ୱର ରୁପାର ଝରଣା ପରି କହିଚାଲେ, ସେ ସବୁକଥା ବେଶୀ ଗୁଡ଼ାଏ କହି ପକାନ୍ତି । ମୁଁ କହିଲି ସ ସେ ଶୁଣିଲା ଯେ ଏ ବିଷୟରେ ମୁଁ ଆଗ୍ରହୀ ଓ କ୍ରିଷ୍ଟମାସ୍‌ ଭୋଜିର ଯୋଜନା ପ୍ରସ୍ତୁତ କରୁଅଛି । ପଦେ ଉତ୍ତର ନ ଦେଇ ସେ ମୋ କଥା ଶୁଣିଲେ । ମୋର ଆଶଙ୍କା ସେ ଜିଦ୍‌ ଧରି ବସିଛନ୍ତି । ତମେ ତ ଜାଣ, ସେ ଠିକ କାମ କଲାବେଳେ କିପରି ଗୌରବରେ ଚାହାନ୍ତି, ଉଜ୍ଜ୍ୱଳ ନିଶ୍ଚିତତାରେ ଚାହାନ୍ତି । ସବୁ ବାଜେ କଥା-

 

ଆଲେନ୍‌—କାହିଁକି ତୁମେ ଆଇନ କଥା ମୋତେ କହି ନ ଥିଲ ? ଗୋଟେ ଆଇନ ଅଛି ସେଇ ତାଙ୍କର ଜିଦ୍‌ ! ବନ୍ଧୁ ମୋର—ସେ କହିଲେ ‘‘ଯଦି ତୁମ ଇଚ୍ଛାନୁସାରେ ମୁଁ କାମକରେ; ଆଇନ ତ ଗୋଟାଏ ଅଛି ।’’

 

ତୁମ ବାପାଙ୍କ ସହିତ କଥା ନ ହେବା ଯାଏ ଏ କଥା ମୁଁ ବିଶ୍ୱାସ କରୁ ନ ଥିଲି । ତୁମେ କିପରି ଗୋଟାଏ ଜାଗାରେ ବଢ଼ିବ ଓ ସେ ଜାଗାରେ ଆଇନକୁ ଅମାନ୍ୟ କରିବେ—ହାସ୍ୟାସ୍‌ପଦକଥା ନୁହେଁ କି ? ଆଇନ ଗୋଟାଏ ଅଛି ଆଲେନ୍‌ । ଆମ ଦେଶରେ ତୁମେ ଜୋସୁକୁ ବିଭାହୋଇ ପାରିବ ନାହିଁ । ତୁମ ବାପା କହିଲେ ଏ ଆଇନ ବଦଳିବା ଅସମ୍ଭବ । ଲୋକମାନେ ଏହି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ହେବା ଉଚିତ ବୋଲି ସେ କହିଲେ; କିନ୍ତୁ ଦୁଇଶହ ବର୍ଷ ହେଲା ଆମ ସହର ଆରମ୍ଭ ହେଲାଣି କୌଣସି ପରିବର୍ତ୍ତନ ଆସିନାହିଁ ।

 

ମୁଁ ଜୋସୁ କଥା ହିଁ ଭାବୁଛି । ତୁମେ ପୁରୁଷ, ତୁମ ନୀତିରେ ତୁମେ ଚାଲୁଛ । ମୁଁ ଭାବୁଛି, ତୁମେ ଦୁହେଁ ଅନ୍ୟ କେଉଁ ଦେଶରେ ରହିଯାଅ ଆଲେନ । ପୃଥିବୀଟା ବିଭିନ୍ନ ଲୋକଙ୍କର କି ବିରାଟ ସମାହାର !

 

ତୁମର

ଚିରଦିନର ସିନ୍ଥିଆ ।

 

ଜୋସୁ ଯତ୍ନରେ ଚିଠିଟି ପଢ଼ି ଭଲକରି ବୁଝିନେଲା । ତା ଆତ୍ମା ଭିତରେ ବିଷ ଚହଟିଗଲା । ତା ପାଇଁ ପୁଣିଥରେ ଆମେରିକାର ଫାଟକ ବନ୍ଦ ହୋଇଯାଇଛି । ସେ ଆଲେନକୁ ଆଦୌ ବିଭା ହୋଇନାହିଁ, ଆଇନ ଏ ବିବାହ ନିଷିଦ୍ଧ କରିଛି । ସେ ଆଲେନକୁ କଦାପି ବିଭା ହୋଇ ନ ପାରେ । ଲେନି, ଲେନି !

 

ଛୋଟ ଡ଼େସ୍କର ଡ଼୍ରୟରରେ ସେ ଚିଠିଟି ରଖିଲା । ରୋଷେଇ ଘରକୁ ଯାଇ ସକାଳେ କିଣିଥିବା ବଢ଼ିଆ ରୋଷ୍ଟ ବାଢ଼ିଲା ଓ ବାମ୍ପ ବାହାରିଥିବା ଦୁଇଟି ପରିବା ସିଝା ପାତ୍ରର ଘୋଡ଼ଣୀ ଖୋଲିଲା । ଆଲେନ କାହିଁକି ତାକୁ କହିନାହିଁ ? କିନ୍ତୁ ସେ ଜାଣି ତା ଆଗରେ କହିବା ଆଲେନ ପକ୍ଷରେ ଅସହ୍ୟ । ତେଣୁ ତାର ଏକ ଭୟଙ୍କର ଗୋପନଜ କଥା ରହିଛି । ବର୍ତ୍ତମାନ ସେ ସବୁ ବୁଝିପାରୁଛି । କାହିଁକି ଆଲେନ ଏତେ ଦୁଃଖିତ ଥାଏ, ବରାବର ଅଧୈର୍ଯ୍ୟ ହୋଇପଡ଼େ ଓ ବ୍ୟସ୍ତହୁଏ । ଆମେରିକାନ୍‌ ଲୋକେ ଏମିତି ବୋଲି ଭାବି ଜୋସୁ ଆଶ୍ଚର୍ଯ୍ୟ ହୁଏ । ସନ୍ଧ୍ୟାରେ ଆଲେନ ତା ସହିତ ନିରବରେ ବସିପାରେ ନି । ତାର ଧୈର୍ଯ୍ୟହୀନତା ବଢ଼େ ଓ ଶେଷରେ ଭୟଙ୍କର କାମନାର ଝଡ଼ ରୂପେ ଦେଖାଦିଏ । ତା ପରେ କ୍ଳାନ୍ତ ହୋଇ ସେ ଶୋଇପଡ଼େ । କିନ୍ତୁ ଏଇ ଚକ୍ର ପ୍ରତିଦିନ ଆରମ୍ଭ ହୁଏ । ତା’ର ପ୍ରେମର ଅଶାନ୍ତି କଥା ଜୋସୁ ଅନେକ ସମୟରେ ଭାବେ-। ବର୍ତ୍ତମାନ ସେ ଜାଣିଲା । ଲୁହରେ ତା ଆଖି ଅନ୍ଧ ହୋଇଗଲା । ଲୁହସବୁ ଚଟାଣରେ ପଡ଼ିଲା । ତାର ପ୍ରେମ କ୍ଳାନ୍ତିରେ ପରିଣତ ହେଲା । ସେମାନେ କ’ଣ କରିବେ ?

 

ଢିଲାଜାମା ଓ ଚମଡ଼ାର ଚଟି ପିନ୍ଧି ଯେତେବେଳେ ଆଲେନ୍‌ ଶୋଇଲା ଘରୁ ବାହାରି ଆସିଲା, ଜୋସୁ ଦୁଇବାହୁ ମେଲାଇ ତା ପାଖକୁ ଦୌଡ଼ିଗଲା ।

 

‘‘ଓଃ, ଆଲେନ୍‌, ବିଚରା ! ମୁଁ ଭାରି ଦୁଃଖିତ । ତମକୁ ବିଭାହେବା ମୋର ଭୁଲ । ମୁଁ ସୁଖୀ କରିବାକୁ ଚେଷ୍ଟାକରି ତୁମକୁ ଦୁଃଖ ଦେଉଛି । କେମିତି ମୁଁ ଏକଥା କଲି ।’’ ସେ କାନ୍ଦି କାନ୍ଦି କହିଲା ।

 

ତାକୁ ନିବିଡ଼ ଭାବରେ ବାହୁରେ ଧରି ଆଲେନ ସାହସର ସହିତ କହିଲା, ‘‘ଆମେ ଅନ୍ୟ ଦେଶରେ ରହିବା, କୁନୁମୁନି’’ । ଓଃ କେତେ ସପ୍ତାହ ଧରି ଏଇ ନାଁଟିରେ ସେ ତାକୁ ଡ଼ାକୁ ନ ଥିଲା । ‘‘ଆମେ ଆଉ ଏକ ଘର ତୋଳିବା । ଭର୍ଜିନିଆର ପୁରୁଣା ଘରକୁ ଭୁଲିଯିବା ।’’ ‘‘କିନ୍ତୁ ତୁମ ପୂର୍ବ ପୁରୁଷମାନେ ତୁମପାଇଁ ତା’ କରିଛନ୍ତି । ସେମାନେ ଈଶ୍ୱର ଭଳି । ଈଶ୍ୱରଙ୍କୁ ଭୁଲିହୁଏ ?’’ ସେ କହିଲା ।

 

ଆଲେନ୍‌ ତାର ପିଠି ଚାପୁଡ଼ାଇ ଡ଼ରି ଡ଼ରି ତା’ର କାନ୍ଧକୁ ଆଉଁସିଲା, ‘‘ମୁଁ କହିବି ସେମାନେ ତାଙ୍କ ନିଜପାଇଁ କରିଥିଲେ । ଆମେ ଆମପାଇଁ ଆଉ ଗୋଟିଏ କରିବା । ମୁଁ ଧନୀ ହେବି । ବଡ଼ ଘରଟାଏ କରିବି । ସେମାନଙ୍କୁ ଳଜ୍ଜା ଦେବି ।’’

 

ଗାଲତଳେ ତାର ଛାତିର ସ୍ପନ୍ଦନ ସେ ଅନୁଭବ କଲା । ସେ ରାଗିଛି, ଆଘାତ ପାଇଛି । ସେ ନିଜ ଇଚ୍ଛାରେ ରହିବାକୁ ଚାହେଁ । ନିଜ ପାଇଁ ନୁହେ ଆଲେନ ପାଇଁ ସେଇ ରାଗର ସ୍ପନ୍ଦନକୁ ଅନୁଭବ କରି ସେ ଛିଡ଼ାହୋଇ ରହିଲା, ସେ ନିଶ୍ଚଳ ହେଲା, ତାର ଲୁହ ଶୁଖିଗଲା । ଯା’ ହଉ, ସେ ତାର କଥା ଲୁଚାଇ ରଖିବ । ଶାନ୍ତି ଓ ନିରାପତ୍ତାର ସଂସାର କେବେ ରାଗ ଉପରେ ଭିତ୍ତିକରି ଗଢ଼ି ଉଠେ ନି । ନା, କଣ କରିବାକୁ ହେବ ସେ ଭାବିବ, ଅପେକ୍ଷା କରିବ । ବିଚାର କରିବ । ଆଇନ ବିରୁଦ୍ଧରେ ପିଲାଟି ଜନ୍ମହେବ । ସେ ନିରୀହ ହେଲେ ବି ପ୍ରେମ ତାକୁ ଅପରାଧୀ କରି ଗଢ଼ିଛି । ସେମାନେ ସମସ୍ତେ ନିର୍ଦ୍ଦୋଷ, କିନ୍ତୁ ପିଲାଟି ଦଣ୍ଡ ପାଇବ । ସେମାନେ ଅଲଗା ହୋଇଯିବେ, ଭୁଲିଯାଇ ପାରିବେ ହୁଏ ତ; କିନ୍ତୁ ଲେନି; ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ପାଇବ ନି । ଓଃ, ସେ କ’ଣ ଭାବିବ-!

 

‘‘ଆସ’’ ସେ କହିଲା ତାର ରାଗାନ୍ୱିତ ଛାତିର ସ୍ପନ୍ଦନଠାରୁ ନିଜକୁ ଦୂରେଇ ନେଲା, ତାର ଛୋଟ ଆପ୍ରାନ୍‌ରେ ଆଖି ପୋଛିଲା, ସେ ଆପ୍ରନ୍‌ କେବେ ଓହ୍ଳାଇ ନାହିଁ । ଏ ଛୋଟ ସୁନ୍ଦର ଲେସ୍‌ ଲଗା ଆପ୍ରନ୍‌ ତା ଜାମାକୁ ସୁନ୍ଦର ଦିଶେ । ‘‘ମୁଁ ବଢ଼ିଆ ମାଂସ ରୋଷ୍ଟ କରିଛି ଆଲେନ୍‌ ଖାଇଲେ ଭାରି ଭଲ ଲାଗିବ । ଆସ ଆସ ।’’

 

ଆଙ୍ଗୁଠିରେ ଆଙ୍ଗୁଠି ଛନ୍ଦି ସେ ତାକୁ ଟାଣିଲା ଦୁହେଁ । ବସି ପଡ଼ିଲେ । ଜୋସୁ ଟେବୁଲରେ ଗରମଖାଦ୍ୟ ରଖିଲା । ସେ ରୋଷେଇ କରିବାକୁ ଭଲପାଏ । ସବୁ ତରକାରୀ ସ୍ୱାଭାବିକ ସ୍ୱାଦୁ ଲାଗେ, ଫଳ ଓ ପରିବା ତରକାରୀ, ରଙ୍ଗ ରଙ୍ଗର ତରକାରୀ ଆଖିକୁ ବଢ଼ିଆ ଦିଶେ-। ଅନେକ ସମୟରେ ଲକ୍ଷ୍ୟ ନ କଲେ ବି ଏବେ ଏହା ଲକ୍ଷ୍ୟକଲା । ବାହୁରେ ତାକୁ ଧରିଲା, ‘‘ଜୋସୁ—ମୁଁ ନିୟମ କରୁଛି, ଏଥିରେ କିଛି ଅସୁବିଧା ହେବନାହିଁ ।’’

 

ଧୀର ପ୍ରତିବାଦ ସେ କଲା । ତାର ଚାରିକଣିଆ ଉଷୁମ, ନରମ ପାପୁଲି ତା’ ପାଟିରେ ଦେଲା । ନିୟମ ଦରକାର ନାହିଁ, ଆମ ବଞ୍ଚିଛେ ସେତିକି ଯଥେଷ୍ଟ ।

 

ତାକୁ ସ୍ୱାଭାବିକ ଆଲେନ୍‌ ଆଶ୍ଚର୍ଯ୍ୟ ହେଲା । ସିନ୍ଥିଆ ଚିଠିରେ ଓଜନ ଯେ ସେ ବୁଝିଛି, ଏ କଥା ବିଶ୍ୱାସ ହେଉନାହିଁ । କେତେ ବୁଝିଥିବ ସେ ଜାଣି ନି, ଆମେରିକାନ୍‌ କାଇଦା ଉପରେ ଜୋସୁର କେତେଜ୍ଞାନ ସେ କଳନା କରିନାହିଁ । ସବୁ ଜାଣିଲାପରି, ଗ୍ରହଣ କଲାପରି ସେ ଜଣେଯାଏ, ହଠାତ୍‌ ସେ ଭାବେ କୌଣସି ଗୁରୁତ୍ୱପୂର୍ଣ୍ଣ କଥା ସେ ଧରିପାରି ନି; କିମ୍ବା ସାମାନ୍ୟ ଭାବି ଅବହେଳା କରିଛି । ତାର ଜୀବନ ଓ ବଞ୍ଚିବାର ବିରାଟ ଜ୍ଞାନରେ ବୋଧହୁଏ ଆଇନ କିଛି ପରିବର୍ତ୍ତନ ଆଣିନାହିଁ । ହଠାତ୍‌ ତାର ମନ ହାଲୁକା ହୋଇଗଲା । ଜୋସୁ ଜାଣିଲା ସେ ଖୁସିଅଛି । ଜୋସୁର କଥାନୁସାରେ ସେ ବଞ୍ଚିବା, ଅପେକ୍ଷା କରିବ, ତା କାମ କରିବ, ଏଇ ବଞ୍ଚିବାରେ ଇ ସମାଧାନ ହୋଇ ପାରିବ । ସେ ମନପୂରାଇ ଖାଇଲା ଓ ଖାଇସାରି ତାକୁ ନିଦ ଲାଗିଲା । ‘‘ବଢ଼ିଆ ଭୋଜନ ହେଲା କୁନୁମୁନି’’—ସେ କହିଲା ଓ କାଉଚରେ ପଡ଼ିଯାଇ ଶୋଇ ପଡ଼ିଲା ।

 

ସେ କ’ଣ କରିବ, ଜୋସୁ ତାକୁ କେବେ ପଚାରି ନି । ସେଇ ଖରାପ ଦିନ ଓ ସିନ୍ଥିଆର ଚିଠି କଥା ସେ ତାକୁ ପଚାରି ନି । ଆଲେନ୍‌ ଭାବିଲା ତାକୁ ଖୁସି କରିବାକୁ ଜୋସୁ ବିଚଳିତ ନ ହୋଇ ନୀରବ ଅଛି ତାକୁ ଭାରି ଭଲ ଲାଗିଲା । ତାର ଜାପାନୀ କାଇଦା ସେ ବୁଝି ପାରିଲା । ସେ ତା ପ୍ରତି କୃତଜ୍ଞ, ଆଉ ଅଧିକ ଦାବୀ କରିବ ନି । କ୍ରିଷ୍ଟମାସ ଆସିବାରୁ ବାପା ତାର ଲେଖିଲେ ଆଲେନ୍‌ ଦିନକପାଇଁ ଏକୁଟିଆ ଆସିଲେ ସେମାନେ ଖୁସି ହେବେ ।

 

‘‘ମୁଁ ଭାବୁଚି, ତୋ ସ୍ତ୍ରୀ ବୌଦ୍ଧ ହୋଇଥିବାରୁ ଆମ ଭଳି ଏଇ ଦିନର ଉତ୍ସବ ତାକୁ ଭଲଲାଗିବ ନାହିଁ ।’’ ତା ବାପା ଅନୁରୋଧ କରିଥିଲେ ‘‘ମୁଁ ଏକୁଟିଆ ଥିଲେ ତୋ ପାଖକୁ ଚାଲିଯାଆନ୍ତି; କିନ୍ତୁ ତୁ ଆସିଲେ ମା ଭାରି ଖୁସିହେବ । ସେ ଏ କଥା କହି ନି । ଏ ମୋର ମତ ।’’

ଚିଠିଟି ନେଇ ସେ ଜୋସୁକୁ ଦେଲା ଓ ଜୋସୁ ଏକାଥରେ ତାକୁ ପଢ଼ିନେଲା । ‘‘ଅବଶ୍ୟ ଏ ତୁମର କର୍ତ୍ତବ୍ୟ ତୁମେ ଯାଅ । ମୋତେ ଏଠି ବେଶ୍‌ ଭଲ ଲାଗିବ । ମି: ଓ ମିସେସ୍‌ ସାଟୋଙ୍କୁ କହିବି ମୋତେ ସେମାନେ ଭୋଜିକୁ ଡ଼ାକିବେ । ମୋତେ ଶାନ୍ତି ଦିଅ ଆଲେନ୍‌ ବାପା ମା’ କଥା ମାନ ।’’ —ସେ କହିଲା ।

କିନ୍ତୁ ଆଲେନ ଏକ ସପ୍ତାହ ବାହାରେ ରହିଲେ ମଧ୍ୟ ସେ ମି: ଓ ମିସେସ୍‌ ସାଟୋଙ୍କ ପାଖକୁ ଗଲାନାହିଁ । କେହି ତାକୁ ଦେଖିବାକୁ ଆସିଲେ ନି; ତେଣୁ ସେ ଲେନି ସହିତ ଏକାକୀ ରହିଲା । ଏମିତି ତା ସହିତ ଏକା ଏକା ଗପକଲା; କ’ଣ କରିବାକୁ ହେବ ସେ ଜାଣେନାହିଁ, ଏ କଥା ତାକୁ ବୁଝାଗଲା । ସତେ ଯେମିତି ସେ ଜନ୍ମ ହୋଇ, ମଣିଷ ହୋଇ ତା ଆଗରେ ଠିଆହୋଇଛି । ସେ ଆଣ୍ଠୁମାଡ଼ି ତାଠାରୁ କ୍ଷମା ପ୍ରାର୍ଥନା କଲା ।

‘‘ଲେନି ମୋର, ତୁ ବୁଝୁଛୁ ତ ମୁଁ ଯାହା ଆଶା କରିଥିଲି ତା’ ଘଟିଲାନାହିଁ ।’’ ଏହିପରି ନିଜ ଆତ୍ମା ଭିତରେ ନୀରବରେ ସେ କହୁଥିଲା । ତାର ଅନୁଭବର ଏଇକଥା ସବୁ ଲେନିର ଅଜାଗ ମନ ଭିତରେ ପ୍ରବେଶ କରୁଥିଲା । ‘‘ଦୁଇଟା ଭଲ ଘର ଅଛି, ପ୍ରତ୍ୟେକଟାରେ ଜନ୍ମ ହେବାର ଅଧିକାର ତୋର ଅଛି । ଗୋଟିଏ ମୋ ବାପଘର, ଆଉ ଅନ୍ୟଟି ତୋ ଜେଜେବାପାଙ୍କ ଘର । କିନ୍ତୁ ତୋ ପାଇଁ କୌଣସି ଘରେ ଯେ କାହିଁକି ସ୍ଥାନ ନାହିଁ ସେ କଥା ମୁଁ ତୋତେ ବର୍ତ୍ତମାନ କହିପାରିବ ନାହିଁ । ଜାପାନରେ, ମୋ ବାପା ଓ ତୋ ଅଜା ସାକାଇ ମୋ ଉପର ରାଗିଛନ୍ତି, ବୌଦ୍ଧଧର୍ମର ଏଠାରେ କିଛି ମୂଲ୍ୟ ନାହିଁ ଓ ଏଠାରେ ଏକ ଆଇନ ଅଛି ବୋଲି ଜାଣିଲେ ସେ ନିଶ୍ଚୟ ଭାରି ରାଗିଯିବେ । ମୋର ତାଙ୍କୁ କିଛି ଉତ୍ତର ଦେବାକୁ ନାହିଁ, କାରଣ ସେ ଠିକ୍‌ କହିଛନ୍ତି କିନ୍ତୁ ଭୁଲ କରିଛି ମୁଁ, ମୁଁ ଭାବୁଥିଲି ମୁଁ ଏଠିକାର ନାଗରିକ ରୂପେ ଜନ୍ମିଥିଲି ବୋଲି ମୋର ଅଧିକାର ଅଛି । କିନ୍ତୁ ମୋ ବିରୁଦ୍ଧରେ ଗୋଟାଏ ଆଇନ ଅଛି ଲେନି ! ତେଣୁ ମୁଁ ତୋ ବାପାଙ୍କୁ ତୋ କଥା କହି ପାରିବି ନି । କାହିଁକି ବୋଲି ମୋତେ ପଚାରନା ବାବୁ, ମୋତେ କ୍ଷମାକର ।’’

ପ୍ରତିଦିନ ନୀରବରେ ଏଇକଥା ସବୁ ସେ ତାକୁ କହେ । ଆଇନଟା ରାସ୍ତା ଉପରେ ଏକ ପର୍ବତ, ଏକ ବାଧା, ଅଲଙ୍ଘନୀୟ ପ୍ରତିବନ୍ଧକ, ପ୍ରେମ ବି ତାକୁ ଧ୍ୱଂସକରି ପାରିବ ନି । ଏବେ ସେ ବୁଝୁଛି ଆଲେନ ତାକୁ କେବଳ ଭଲପାଏ ନି, ତାର ପୂର୍ବ ପୁରୁଷ, ତା’ ବାପା ମା’ ଘର ଓ ଜନ୍ମ ସ୍ଥାନକୁ ବି ଭଲପାଏ । ଏ ସବୁ ଭଲ କଥା ଏଥିପାଇଁ ସେ ଆଲେନକୁ ନିନ୍ଦା କରିବ ନି । କିନ୍ତୁ ସେମାନେ ଆଲେନକୁ ତାଠାରୁ ଛଡ଼ାଇ ନେଇଛନ୍ତି ସେ ଆମମାନଙ୍କ ପାଇଁ ଅଚିହ୍ନା, ଅଜଣା । ଆଲେନ ପାଇଁ ଏହା ସୁଖକର ସେ ତାର ନିଜ ଲୋକଙ୍କ ସ୍ନେହରେ ଆବଦ୍ଧ ରହିବ । ଜୋସୁ କିନ୍ତୁ ବିଦେଶୀ, ଅଜଣା । ବର୍ତ୍ତମାନ ସେ ଜାଣିଲାଣି ପୁରୁଣାର ଆକର୍ଷଣ ଛାଡ଼ି କେବଳ ତାକୁ ଧରି ରହିବା ଭଳି ଦୃଢ଼ ଆଲେନ ନୁହେଁ । ତା ସହିତ ଏକ ଅଜଣା ସଂସାର ଗଢ଼ିବାର ଶକ୍ତି ଆଲେନ ତୋର ନାହିଁ । ଏ କଥା ସେ ପାରିବ କିନ୍ତୁ ଆଲେନ ପାରିବ ନାହିଁ । ସେଥିପାଇଁ ଆଲେନକୁ ନିନ୍ଦା କରିବା ଉଚିତ ନୁହେଁ, ଏହା ସେ ଲେନିକୁ ବୁଝାଇ ଦେଇଛି ।

ଏବେ ସେ ଏକା ନାହିଁ । ତା ଭିତରେ ଲେନି କାଳେ ବଳୁଆ ପିଲା ହେବନାହିଁ ଭାବି, ସେ ଭଲ ଖିଆପିଆ କରୁଛି । କିନ୍ତୁ ଆଲେନ ଫେରି ଆସିଲେ ସେ କ’ଣ କରିବ ? ତାଠାରୁ ତ ସବୁଦିନ ଲୁଚାଇ ହେବ ନି । ଏଇ ପ୍ରଶ୍ନର ଉତ୍ତର ସେ ଭାବି ପାରେ ନି ତେଣୁ ଦିନ ଗଡ଼ି ଚାଲେ ।

ନବବର୍ଷର ସନ୍ଧ୍ୟାରେ ଆଲେନ୍‌ ଫେରିଆସି ନ ଥିଲେ ବି କବାଟରେ ଏକ ଜୋର ଧକ୍‌କା ସେ ଶୁଣିଲା । ଭୟରେ ହଠାତ୍‌ ଖୋଲିବାକୁ ଗଲା । ବୋଧହୁଏ ମିଃ ଓ ମିସେସ୍‌ ସାଟୋ କିଛି ଛୁଟିର ଉପହାର ଆଣିଛନ୍ତି । ସେ ହୁସିଆର ହୋଇ ଦ୍ୱାର ଖୋଲିଲା । କୋବରୀ ଠିଆ ହୋଇଛି । ନିଦା ଓ ଡ଼େଙ୍ଗା, ପାଶ୍ଚାତ୍ୟ ପୋଷାକ ପରିହିତ–ଟୋପି, ବାଡ଼ି ଓ ଗ୍ଳୋବ, ତାର ଚିକ୍‌କଣ ବଡ଼ ମୁହଁରେ ହସ ଫୁଟିଛି ଓ ହାତରେ ଗୋଟିଏ ଫୁଲର ବାକ୍‌ସ ।

 

‘‘କୋବରୀ !’’ ସେ ଚିତ୍କାର କରି ଉଠିଲା, ବିଶ୍ୱାସ କରି ନ ପାରି ହଠାତ୍‌ ଖୁସି ହୋଇଗଲା ।

 

‘‘ମୁଁ ତୁମକୁ କହିଥିଲି ମୁଁ ନିୟୁୟର୍କକୁ ବ୍ୟବସାୟରେ ଆସିବି ।’’ ସେ କହିଲା ।

 

‘‘ଆରେ ଆସ ଭିତରକୁ ଆସ’’, ସେ ପାଟିକଲା । ସେ ଜାପାନୀ କିମୋନୋ ପିନ୍ଧିଛି, ଭଲ ହୋଇଛି । ଆଲେନ୍‍ ଗଲାପରେ ସେ ଏଇ ପୋଷାକ ପିନ୍ଧୁଛି କି ଅବୁଝା ଆବେଗରେ କେଜାଣି ! ସାରା ଉପରବେଳା ସେ ଶୋଇ ପଡ଼ିଥିଲା ଓ ଏଇଲେ ମୁଣ୍ଡ କୁଣ୍ଡାଇଛି । କିନ୍ତୁ ଘରେ କିଛି ଖାଇବାକୁ ନାହିଁ, କିଛି ମିଠା ବି ନାହିଁ ।

 

ଘର ଭିତରେ ସେ ନିଜର କୋଟ, ଟୋପି, ଗ୍ଳୋଭ ଓ ବାଡ଼ି ଓହ୍ଳାଇ ରଖିଲା ।

 

‘‘ତୁମେ କ’ଣ ଏକା ?’’—ସେ ଖୁସିରେ ପଚାରିଲା ।

 

‘‘ଆଲେନ୍‌ କିଛିଦିନ ପାଇଁ ଘରକୁ ଯାଇଛି ।’’ ସେ ସହଜଭାବେ କହିଲା ।

 

‘‘ଆଉ ତୁମେ ?’’

 

‘‘ଓ, ମୁଁ ଭାରି ଭଲ ଅଛି ।’’ ସେ ଦୃଢ଼ ସ୍ୱରରେ କହିଲା; କିନ୍ତୁ ତୁମେ ତା ସହିତ ଘରକୁ ଯାଇ ନ ? ସେ ତା’ ଆଗରେ ଦୀର୍ଘ ଶରୀରରେ ନୀରବ ହୋଇ ଠିଆହେଲା ।

 

ସେ ମୁଣ୍ଡ ହଲାଇଲା ‘‘ଏ ପର୍ଯ୍ୟନ୍ତ ଯାଇ ନି ।’’

 

‘‘ଆଃ’’ ସେ ବସି ପଡ଼ିଲା ଓ ଜୋସୁ ଛୋଟ କାଉଚରେ ବସିଗଲା, ‘‘ଆଚ୍ଛା’’ ତାକୁ ଦୟାର୍ଦ୍ର ଆଖିରେ ଚାହିଁ ସେ କହିଲା ‘‘ମୋତେ ସତକଥା କୁହ ଜୋସୁ, ଆମେ ପରସ୍ପରର ବନ୍ଧୁ ।’’

 

‘‘ମୁଁ ପ୍ରଥମେ ଫୁଲକୁ ଫୁଲଦାନୀରେ ରଖିଦିଏ ।’’ ସେ ଉତ୍ତର ଦେଲା ।

 

କୋବରୀର କାଖତଳେ ଥିବା ବାକ୍‌ସକୁ ସେ ନେଲା ଓ ଦେଖିଲା ସେଗୁଡ଼ିକ ସୁଗନ୍ଧିତ ଚୀନା କଇଁଫୁଲ । ଏଇ ଋତୁରେ କିଓଟୋରେ କେବଳ କଇଁମୂଳର ତୋଡ଼ା ମିଳିବ, ମୋଟା ମୋଡ଼ି ହୋଇଥିବା ଚିକ୍‌କଣ ଧଳାଧାରର ଆଗରେ ସବୁଜ ରଙ୍ଗ ଥିବ ।

 

‘‘ମୁଁ ଭାବୁଥିଲି ଏ ଗୁଡ଼ାକ ନାଲି ଗୋଲାପ ।’’ ସେ କହିଲା ।

 

କୋବରୀ ମୁଣ୍ତ ହଲାଇଲା ‘‘ମୁଁ କ’ଣ ଏମିତି ବୋକା ହୋଇଛି ?’’

 

ତାପରେ ଅବଶ୍ୟ ଆଲେନ ଯାହା ଦେଖି ନ ଥିଲା କୋବରୀ ଦେଖି ପାରିଲା । ପିଲାର ଅସ୍ତିତ୍ୱ ସେ ଅନୁମାନ କଲା ।

 

‘‘ତା ହେଲେ ତୁମେ ଏକୁଟିଆ ନାହଁ.....ଛୋଟ ତୃତୀୟ ବ୍ୟକ୍ତି ତୁମ ସହିତ ରହିଛି ।’’ ସେ ମନକୁ ମନ କହିଲା ।

 

ଫୁଲ ସଜାଉ ସଜାଉ ମୁହଁ ତଳକୁ ପୋତି ସେ କହିଲା ‘‘ଆଲେନ୍‌ କିନ୍ତୁ ଜାଣିନାହିଁ ।’’

 

କୋବରୀ ଆଶ୍ଚର୍ଯ୍ୟ ହେଲା । ଆଖି ବଡ଼ ବଡ଼ କରି ତାର ସୁନ୍ଦର ଓଠକୁ ଚାପିଲା । ‘‘ସ୍ୱାମୀ କେମିତି ଜାଣିବ ନି ? ତାର କ’ଣ ପିଲାଟିଏ ପାଇଁ ଇଚ୍ଛା ନାହିଁ ?’’

 

ଫୁଲଦାନୀ ପାଖରେ ବସିପଡ଼ି, ସୁଗନ୍ଧ ଆଘ୍ରାଣ କରୁ କରୁ ଜୋସୁ ତାକୁ ଆଇନ ବିଷୟରେ କହିଲା । ଅତି ସଂକ୍ଷେପରେ ସବୁ କହିଦେଲା । ଏ ଆଇନ ଅତି ସରଳ, ରୋକଠୋକ ଓ ଅପରିବର୍ତ୍ତନୀୟ । ନ କାନ୍ଦି ସେ ସବୁ କଥା କହିଦେଇ ପାରିଲା । କୋବରୀ ବୁଝିଲା—ମନ ଦେଇ ସବୁ ଶୁଣିଲା । ତା’ର ନିରୀହ ବଡ଼ ମୁହଁଟା ଟିକେ ଇତଃସ୍ତତ ହେଉଥାଏ । ଜୋସୁ କହି ସାରିଲା ପରେ ସେ ଦୀର୍ଘଶ୍ୱାସ ଟାଣି ଚୌକିରେ ଆଉଜି ବସିଲା । ‘‘ତଥାପି ତୁମ ସ୍ୱାମୀକୁ ନ କହିବା ଭଲ କି ? ହୁଏ ତ ପିଲାଟି ତାକୁ ସଂପୂର୍ଣ୍ଣ ବଦଳାଇ ଦେଇପାରେ ।’’

 

‘‘ନା, ନା, ତୁମେ ବୁଝୁନା । ଏଠି ପିଲା ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଆମପରି, ପିଲା ଏମାନଙ୍କୁ ବଦଳାଇ ଦେଇ ପାରେ ନାହିଁ । ଏଠାର ବଂଶଧରମାନେ ପରସ୍ପର ଉପରେ ନିର୍ଭରଶୀଳ ନୁହଁନ୍ତି ।’’ ଜୋସୁ ଶୀଘ୍ର କହି ପକାଇଲା ।

 

‘‘ହେଲେ ବି.....’’

‘‘ନା’’ ସେ ଦମ୍ଭରେ କହିଲା । ସେ ପ୍ରକୃତରେ ଏଇଆ ସ୍ଥିର କରି ନେଲାଣି, ଜାଣିଲା । ଲେନି କଥା ସେ ଆଲେନ୍‍କୁ କେବେ କହିବ ନି ।

‘‘ଜୋସୁ—ତୁମେ କ’ଣ କରିବ ?’’ କୋବରୀ ଭଦ୍ର ଭାବରେ ପଚାରିଲା । ଏସବୁ ଜାଣି ସେ ଭୟ ବିହ୍ୱଳ ହୋଇପଡ଼ିଲା ।

ନିଜ ମନେ ମନେ ସେ ଜୋସୁକୁ ଭଲ ପାଉଥିଲା । ତାକୁ ହରାଇଲା ପରେ ଦୁଃଖକଲା–ବେଶୀଦିନ ନୁହେଁ କି ରାଗକରି ନୁହେଁ । ଦୁଃଖ ଭୁଲିଯାଇ ଅନ୍ୟ ଯେ କୌଣସି ଝିଅକୁ ବିଭା ହେବାକୁ ସମ୍ମତି ଦେଲା । ସେ ଭାବିଥିଲା, ଜୋସୁକୁ ସୁଖୀଥିବାର ଦେଖିଲେ ସେ ଆଶ୍ୱସ୍ତ ହେବ ଓ ବାପା ମାଙ୍କ ପସନ୍ଦ ମୁତାବକ ଯେ କୌଣସି ଯୁବତୀକୁ ବିଭା ହେବ । ତାର ବଂଶଧରମାନଙ୍କୁ ନାତି-ନାତୁଣୀ ରୂପେ ବାପା ମାଙ୍କ ଉପହାର ଦେବ । ପ୍ରତ୍ୟେକର ପିଲା ହେବା ଉଚିତ୍‌ ।

ବର୍ତ୍ତମାନ ଜୋସୁକୁ ଦେଖି ତାର ଯୋଜନା ଥମିଗଲା, ସେ ଉତ୍ତେଜିତ ହୋଇପଡ଼ିଲା ।

‘‘ମୁଁ ଜାଣିପାରୁନି କ’ଣ କରିବି, କ’ଣ ନ କରିବି ତା କେବଳ ମୁଁ ଜାଣେ—’’ପୁଣି ଫୁଲ ଉପରେ ମୁଣ୍ଡ ନୁଆଇଁ ସେ କହିଲେ । କୋବରୀ ଦୀର୍ଘଶ୍ୱାସ ପକାଇ କହିଲା ‘‘ବାପଘରକୁ ଫେରିଯିବା ଭଲ । ପିଲାଟା ହେଲେ ଜାପାନରେ ଜନ୍ମ ହେଉ । ସେଠାକାର ଅନାଥାଶ୍ରମରେ ଏପରି ପିଲା ଅଛନ୍ତି, ଜାଣ । ଆମେରିକା ଲୋକେ ଏ ଗୋଟିକପରି ଅନେକ ପିଲା କରାଇଛନ୍ତି । ଏ କେବଳ ଗୋଟିଏ ଅଧିକା ହେବ ।’’

‘‘ନାଇଁ’’ ଜୋସୁ ପୁଣି କହିଲା ।

‘‘ତା ବି ନୁହେଁ ?’’ କୋବରୀ ଗୁଣୁଗୁଣୁ ହୋଇ କହିଲା । ଉଭୟେ ଏଇ ଅବଶ୍ୟମ୍ଭାବୀ ଜନ୍ମର ଭୟଙ୍କର ଓଜନ ଅନୁଭବ କରି ନୀରବ ରହିଲେ । ସେ ଦେଖିଲା, କୋବରୀ ନିଜକୁ ଖୋଲି ଦେଉଛି, ତା’ମନ ଭିତରେ ଝଡ଼ ଉଠୁଛି ।

‘‘ଆଉ ତୁମେ ଜୋସୁ, ଏବେ ବି ସେ ଆମେରିକାନ୍‌କୁ ଭଲପାଅ ?’’ କିଛି ସମୟ ପରେ ଧୀର କଣ୍ଠରେ କୋବରୀ ପଚାରିଲା ।

ଏଇ ପ୍ରଶ୍ନରେ ଜୋସୁ ହଠାତ୍‌ ମୁଣ୍ଡଟେକିଲା । କୋବରୀ ଆଜି ଏକଥା ପଚାରିଲା, କିନ୍ତୁ ସେ ନିଜକୁ କେତେଥର ଏଇକଥା ପଚାରିଛି । ହଁ, ସେ ଆଲେନକୁ ଏବେ ବି ଭଲପାଏ; କିନ୍ତୁ ସେ ପ୍ରେମ ମୃତ । ଆଶାହୀନ ଭାବେ ତାକୁ ସବୁବେଳେ ଭଲପାଇବ । ସେମାନଙ୍କର ସାକ୍ଷାତ ହେବାର ନ ଥିଲା । ସେମାନେ ଦୂରରେ ଜନ୍ମ ହୋଇଥିଲେ....ସେହିପରି ଦୂରରେ ରହି ମରି ଯାଇଥାନ୍ତେ—ପୃଥିବୀର ଦୁଇ ବିପରୀତ ପ୍ରାନ୍ତରେ । ଆଲେନ୍‌ ଓ ସେ ପରସ୍ପରର ବନ୍ଧୁ ନୁହନ୍ତି । ଈଶ୍ୱର ତାଙ୍କୁ ଦୂରରେ ରଖିଥିଲେ କିନ୍ତୁ ସେମାନେ ଈଶ୍ୱରଙ୍କର ଚିରନ୍ତନ ନିୟମକୁ ଭଙ୍ଗ କରିଛନ୍ତି । ସେ ବିଦ୍ରୋହ କରେ ନାହିଁ । କେବଳ ତା’ର ଜୀବନ ପରି ଏକ ଗଭୀର ଦୁଃଖ ସେ ଅନୁଭବ କରେ ।

‘‘ତାକୁ ଭଲ ପାଇବାରେ ମୋର କିଛି ଆବଶ୍ୟକତା ନାହିଁ ।’’ ଜୋସୁ ସହଜ ଭାବେ କହିଲା । ପରସ୍ପର ଆତ୍ମ ଚିନ୍ତାରେ ବୁଡ଼ିରହି ଦୀର୍ଘକାଳ ନୀରବ ରହିଲେ । ଶେଷରେ ଇତଃସ୍ତତ ହୋଇ ଅତି କୋମଳ ସ୍ୱରରେ କୋବରୀ କହିଲା ‘‘ମୁଁ କିଛି କହିବାକୁ ଚାହେଁ । କେମିତି କହିବି ଜାଣିପାରୁ ନି । ଯଦି ମୁଁ ନ କହି ନୀରବ ରହିବି—ମତେ କ୍ଷମାଦେବ ।’’

‘‘କୁହ.....କୁହ’’ ଜୋସୁ ମୁହଁ ବୁଲାଇ ଅନୁରୋଧ କଲା ।

ଓଠକୁ ଓଦାକରି ସେ କହିଲା ‘‘ଯଦି କେବେ ତୁମେ ଏକା ଜାପାନ ଫେରିବାକୁ ଇଚ୍ଛାକର, ତେବେ ମୋ ପାଖକୁ ଫେରିଯିବ ।’’ ଫୁଲର ବାସ୍ନା ହଠାତ୍‌ ମହକି ଉଠିଲା ଓ ଜୋସୁ ଫୁଲଦାନୀକୁ ଦୂରକୁ ଠେଲିଦେଲା । ତତ୍‌କ୍ଷଣାତ୍‌ ସେ ବୁଝିନେଲା, ପିଲାଟିକୁ ନ ରଖିଲେ କୋବରୀ ତାକୁ ବିଭା ହେବ ।

 

‘‘ମୋର ତ ପିଲାଟି ଅଛି ।’’ ସେ କହିଲା ।

 

କୋବରୀ ତା ମୁହଁକୁ ଚାହିଁଲା ନି । ଆଣ୍ଠୁ ଉପରେ ମୁଠା କରିଥିବା ତାର ବଡ଼ ହାତକୁ ସେ ଚାହିଁଲା । ‘‘ମୁଁ ଏ ପିଲାଟିକୁ ନେବାକୁ ଚାହେଁ, ମୁଁ ବି ନେବା ଉଚିତ । ମୁଁ ଯଦି ଏକାଥାନ୍ତି, ବାପା ମା ନ ଥାନ୍ତେ, ପୂର୍ବପୁରୁଷ ନ ଥାନ୍ତେ, ମୁଁ ଏଇଆ କରିଥାଆନ୍ତି । ମୋର ଏ ବିଶ୍ୱାସ ଅଛି ।’’ —ସେ କହିଲା ।

 

ସେ ଭଦ୍ର, ଉଦାର, ଦୟାଳୁ ଓ ବଡ଼ ବିବ୍ରତ ଭଳି ଜଣାଯାଉଛି । ଜୋସୁ ସବୁ ବୁଝିଲା; କିନ୍ତୁ ତା ଦୁଃଖ ଘୁଞ୍ଚିଲାନି । ‘‘ଧନ୍ୟବାଦ—ମୁଁ କହିପାରୁ ନି । ଦିନେ ହୁଏ ତ ତୁମ କଥା ମୋର ମନେ ପଡ଼ିବ । ସେ କହିଲା ।

 

ସେ ଦୃଢ଼ତାର ସହିତ ଉଠିପଡ଼ିଲା । ପଦେ ଅଧିକା କଥା ହେଲେ ଅତିରିକ୍ତ ହେବ । ଦୁଃଖରେ ସେ ବୁଡ଼ିଗଲାଣି, ପଦେ କିଛି କହିଲେ ଭାଙ୍ଗି ପଡ଼ିବ ।

 

ରୋଷ ଘରକୁ ଯାଉ ଯାଉ ଖୁସିରେ ସେ କହିଲା ‘‘ମୁଁଟିକେ ଚା କରେ । ମୋ ପାଖରେ ମାତ୍ର ଚା’ ଟିକେ ଅଛି । ଅଳସୁଆମିରେ ମିଠା କିଣିବାକୁ ବି ମୁଁ ବାହାରକୁ ଯାଇନାହିଁ ।’’

 

ଖୋଲା ଦରଜାବାଟେ ତାକୁ ଚାହିଁରହି କୋବରୀ ଚା କରିବାକୁ ଅନୁମତି ଦେଲା । ଜୋସୁକୁ ସାହାଯ୍ୟ କରିବାକୁ ସେ ଭାବିଲା ନି, କାରଣ ପିଲାଦିନୁ ସବୁକଥା ତାକୁ ଯୋଗାଇ ଦିଆଯାଇଉଛି । ଜୋସୁ ବି ତାର ସାହାଯ୍ୟ ଚାହିଁଲା ନି । ଗରମ ପାଣିର ପାତ୍ର ଓ ଦୁଇଟା ସବୁଜ ଚା ପାତ୍ର ସେ ଆଣିଲା । ୟା’କୁ ନିଜର ସନ୍ତୋଷ ପାଇଁ ସେ ଘରେ ରଖିଛି । ସବୁଜ ଜାପାନୀ ଚା ଭାରି ଭିଟାମିନ ଥାଏ, ସେ ଏଥିରୁ ବହୁତ ପିଇଛି । କୋବରୀକୁ ଦେଇସାରି ସେ କଳା ଓ ସୁନେଲୀ ରଙ୍ଗର ଚା ପାତ୍ରକୁ ହାତରେ ଧରି ପିଇଲା ।

 

‘‘ମୋ ବାପା ମାଙ୍କ କଥା କୁହ । ମୁଁ ଦୁଇଖଣ୍ଡ ଚିଠି ଦେଲେଣି ସେମାନେ ଉତ୍ତର ଦେଇ ନାହାନ୍ତି ।’’ —ଜୋସୁ କହିଲା ।

 

‘‘ମୁଁ ଜାଣେ, ଆସିବା ପୂର୍ବରୁ ମୁଁ ତୁମ ବାପାଙ୍କୁ ଡ଼କାଇଲି ଓ ସେ ମୋତେ କହିଲେ ଏବେ ବି ସେ ବିରକ୍ତ । ତୁମେ ଅମାନ୍ୟ କରିଚ—ସେ ବିଶ୍ୱାସ କରିପାରୁ ନାହାନ୍ତି ।’’ ସେ ଉତ୍ତର ଦେଲା ।

 

‘‘ଚା’, ପାତ୍ରଟା ରଖିଦେଇ ଜୋସୁ ସାହସର ସହିତ କହିଲା ‘‘ଦୟାକରି ତାଙ୍କୁ କହିବ, ସେ ଠିକ୍‌ କହୁଥିଲେ ।’’

 

କୋବରୀ ଆଶ୍ଚର୍ଯ୍ୟ ହେଲା, ‘‘ଜୋସୁ—ତୁମର ଏତେ ଗର୍ବ !’’ ସେ ବିନୀତ ହୋଇ କହିଲା ‘‘ମୁଁ ଆଉ ଗର୍ବୀ ନୁହେଁ, ଆମେରିକାର ଆଇନ ବିରୁଦ୍ଧରେ ମୁଁ ଯୁଦ୍ଧକରି ପାରିବି ନି । ପ୍ରତି ଲୋକର ମନରେ ଏଇ ଆଇନ ବସା ବାନ୍ଧିଛି । ମନକୁ ମନ ସେମାନେ ଆଇନ ତିଆରି କରନ୍ତି, ମୁଁ କ’ଣ କରିବି ? ମୁଁ କେଉଁଠି ଯାଇ ପିଲା ଜନ୍ମ କରିବି ? ପିଲାଟିର ମୁଣ୍ଡ ଗୁଞ୍ଜିବାକୁ ଜାଗା କାହିଁ ?’’

 

ଆଃ—ଏଇକଥା କହୁ ବହୁ ନିଜର ସବୁ ଗର୍ବ ଓ ସଂଯମ ତାର ଉଭେଇଗଲା । ଏଇ ଦିନଗୁଡ଼ିକର ନୀରବତା ହଠାତ୍‌ ହୃଦୟରୁ ଅପସରି ଗଲା । ଦୁଇହାତକୁ ମୁହଁରେ ଦେଇ ଫୁଲ ଫୁଲି ବଡ଼ ପାଟିରେ ଭୟଙ୍କର ଭାବରେ ସହେ କାନ୍ଦିବାକୁ ଲାଗିଲା ।

 

କୋବରୀ ଦୁଃଖରେ ଉତ୍ତେଜିତ ହୋଇ ପଡ଼ିଲା । ଚା ପାତ୍ର ରଖି ଦେଇ ଏକାକୀ ଠିଆହୋଇ ସେ ଦି’ହାତ ଘଷିଲା । ତାକୁ ସେ ସ୍ପର୍ଶ କରିବ ନି । ‘‘ବର୍ତ୍ତମାନ କାନ୍ଦିବା ଆଦୌ ଭଲ ନୁହେଁ, ଜୋସୁ, ତୁମପାଇଁ କାନ୍ଦିବା ଖରାପ ।’’ —ସେ କହିଲା ।

 

ଦୀର୍ଘଶ୍ୱାସ ପକାଇ ଗୁଣୁଗୁଣୁ ହୋଇ ସେ ଅପେକ୍ଷା କଲା—ଜୋସୁ ହଠାତ୍‌ କାନ୍ଦ ବନ୍ଦ କରି ଲଜ୍ଜିତ ହୋଇପଡ଼ିଲା । ପଣତରେ ଆଖିପୋଛି, କୋବରୀର ଦୁଃଖ ଦେଖି ପଚାରିଲ ‘‘ତୁମେ ଏଇ ଆମେରିକାରେ ରହୁଛ ?’’

 

‘‘ଅଳ୍ପ କେଇମାସ ରହିଥାନ୍ତି । ଏବେ ଅବଶ୍ୟ ତୁମେ କ’ଣ କରିବ ଜାଣିବାଯାଏ ମୁଁ ରହିବି । କ’ଣ ଠିକ୍‌କଲ ମୋତେ କହିବ—ମୋର ଅନୁରୋଧ । ମୋର ଠିକଣା ଦେଇଯାଉଛି । ଯଦି ବାହାରକୁ ଯାଏ ତେବେ ବ୍ୟବସାୟ ସଂକ୍ରାନ୍ତରେ ଏଇ ପାଖ ସହରକୁ ଅଳ୍ପଦିନ ପାଇଁ ଯିବି । ସହରର ଠିକଣା ରଖି ଯାଇଥିବି—ତୁମେ ମୋ ପାଖେ ପହଞ୍ଚି ପାରିବ ।’’ —ସେ ଆଶ୍ୱସ୍ତ ହୋଇ କହିଲା ।

 

ଜୋସୁ ଟେବୁଲ କଡ଼ର ଏକ ଛୋଟ ଖାଲି ବାକ୍‌ସ ତଳେ ଠିକଣାଟି ରଖିଲା ‘‘ତୁମେ ଯଦି ମୋଠୁଁ ଖବର ନ ପାଅ ତେବେ ଜାଣିବ ମୋର ଖବର ଦେବା ଦରକାର ପଡ଼ିଲା ନି ।’’—ସେ କହିଲା ।

 

‘‘କିନ୍ତୁ ତୁମେ ମୋତେ ଜଣାଇବ ।’’ ସେ ଜିଦ୍‌କଲା ।

 

ସେ ସହଜରେ ଯିବନାହିଁ ଦେଖି ଜୋସୁ ଶପଥକଲା ‘‘ଭଲକଥା କୋବରୀ, ମୁଁ କ’ଣ ଠିକ୍‌ କଲି ଲେଖିବି । ହୁଏ ତ ଡ଼େରିହେବ ।’’

 

‘‘ଠିକ୍‌ ଅଛି’’—ସେ ଉତ୍ତର ଦେଲା ।

 

ତାର ଟୋପି, ଗ୍ଳୋଭ, ବାଡ଼ି ନେଇ ସେ ପଦାକୁ ଗଲା । ଦରଜା ପାଖରେ ଦୁହେଁ ନଇଁପଡ଼ି ଅଭିବାଦନ କଲେ । ଲିଫଟ୍‌ ଆସିବାଯାଏ ଜୋସୁ ଦରଜା ପାଖରେ ଠିଆହେଲା । ତା’ପରେ ସେମାନେ ଆନ୍ତରିକତା ସହିତ ଥରକୁଥର ଅଭିବାଦନ କଲେ । ଲିଫ୍‌ଟ୍‌ ଚାଳକ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲା । ଏଥର ଜୋସୁ ଘଯର ଭିତରକୁ ଯାଇ କବାଟ ବନ୍ଦ କଲା । ଲେନି ପାଇଁ ବର୍ତ୍ତମାନ ତାକୁ କ’ଣ କରିବାକୁ ପଡ଼ିବ ପଡ଼ିବ ଜଳଜଳ ଦିଶିଲା । ପ୍ରକୃତରେ ପୃଥିବୀରେ ଲେନି ପାଇଁ ଜାଗାନାହିଁ ।

 

ଜୋସୁ ମୁହଁ ଶୁଖାଇ କହିଥିଲା ‘‘ତୁମେ ଘରେ ଥିଲାତକ ମୁଁ ତୁମ ପାଖକୁ ଚିଠି ଦେବି ନି-।’’

 

‘‘ସୁଟକେଶ୍‌ରେ ଇସ୍ତ୍ରୀକରା ପୋଷାକ ରଖୁ ରଖୁ ସେ ପଚାରିଲା—‘‘କାହିଁକି ?’’

 

‘‘ମୁଁ ଭାବୁଛି ତୁମ ମାଙ୍କର ଅବାଧ୍ୟ ହେବି ନି । ସେ ଯେଉଁଘର ମୋତେ ମନା କରିଛନ୍ତି, ତା ଭିତରକୁ ଲୁଚିକରି ପ୍ରବେଶ କଲାଭଳି ହେବ ।’’ ସେ କହିଥିଲା ।

 

‘‘ଯେତେ ବାଜେ କଥା କହୁଛ । ମୁଁ ଯାଉଚି ବୋଲି ତୁମେ ରାଗିନାହିଁ ?’’ —ସେ ପ୍ରତିବାଦ କଲା ।

 

‘‘ଆରେ ନା ଆଲେନ୍‌ । ତୁମ ମାଙ୍କର ମୁଁ ଅବାଧ୍ୟ ହେବ ନି । ମୁଁ ତାଙ୍କୁ ମାନିବାକୁ ଚାହେଁ-।’’

 

ତେଣୁ ଆଲେନ୍‌ ଚିଠି ଆଶାକରି ନ ଥିଲା । ପ୍ରଥମେ ସେ ଚିଠି କଥା ଭାବି ନ ଥିଲା । ବଡ଼ ଘରଟାକୁ ପଶିଲାବେଳକୁ ତାକୁ ପିଲାଦିନ ଫେରି ପାଇଲା ଭଳି ଲାଗିଲା, ସବୁ କିଛି ଭଲ ଓ ମଜାଦାର ମନେହେଲା । ପିଲାଦିନେ ଲେକ୍‌ସିଙ୍ଗଟନ୍‌ ସୈନିକ ସ୍କୁଲରୁ ଫେରିଲାବେଳେ ତାକୁ କେତେ ମଜା ଲାଗୁଥିଲା । ମନେ ପଡ଼ୁଛି—ମନ କେତେ ପବିତ୍ର ଓ ହାଲୁକା ଲାଗୁଥିଲା । ଏଠି ଶାନ୍ତିଅଛି, ସମ୍ମତି ଅଛି, ଏଠି ତାକୁ ସମସ୍ତେ ଭଲ ପାଆନ୍ତି ।

 

ବଡ଼ ରହିବା ଘରର ଖୋଲା ଦରଜା ତାର ମା’ ପୂର୍ବଭଳି ଧୀରେ ଚାଲି ଆସିଲେ, ସେ ପୁରୁଣା ସ୍ନେହର ଆତିଶଯ୍ୟରେ ତାଙ୍କ ଆଡ଼କୁ ବୁଲିଗଲା । ତାଙ୍କର ପ୍ରସାରିତ ବାହୁରୁ ଧଳା ଧୂସର ଚିଫନ୍‌ ଗାଉନ୍‌ ଝୁଲିପଡ଼ି ପାଦତଳେ ଘୁଷୁରିଥିଲା ।

 

‘‘ମୋ ଗେହ୍ଳା ପୁଅରେ !’’ ମା ତାକୁ ବାହୁରେ ବେଷ୍ଟନ କଲେ ଓ ପରିଚିତ ସୁଗନ୍ଧରେ ଆଲେନ୍‌ର ଘ୍ରାଣେନ୍ଦ୍ରିୟ ଆମୋଦିତ ହୋଇଉଠିଲା ।

 

‘‘ଆଚ୍ଛା, ମା’’—ତାର ଯୁବକ ଅନ୍ତର ବାଳ ସୁଲଭ ଚପଳତାରେ ଥରି ଉଠିଲା ।

 

‘‘ଆ ବାପ ଘରକୁ ଆ’’—

 

‘‘ତୁମେ କ’ଣ ଜାଣିଥିଲ ମୁଁ ଆସୁଛି ? ମୁଁ ଭାବୁଥିଲି ତୁମେ ଆଶ୍ଚର୍ଯ୍ୟ ହେବ ।’’

 

ତାକୁ ଛାଡ଼ିଦେଇ ମା’ ହସିଲେଚୁନା ଚୁନା କେଶତଳେ ତାଙ୍କର ସୁନ୍ଦର ମୁହଁ ଜୀବନ୍ତ ହୋଇଉଠିଲା ।

 

‘‘ତୋ ବାପା ମୋ ସହିତ ମୁହୂର୍ତ୍ତେ ବି ଛଳନା କରି ପାରିବେ ନାହିଁ, ମୁଁ ଜାଣିଥିଲି ।’’

 

କୋମଳ ବୁଢ଼ିଆଣୀ ଜାଲ ପରି ସେ ଧୂସର ଚିଫନ ପୁଣି ତାକୁ ବେଢାଇ ଦେଲା । ମା’ଙ୍କର ଛୋଟ ଆଙ୍ଗୁଠି ଥରୁଥିବାର ସେ ଦେଖି ପାରିଲା । ତା’ର ଡ଼ାହାଣ ହାତଧରି ସେ ଡ଼ାକିଲେ ‘‘ନିଆଁ ପାଖୁ ଆ । ଆମେ ବଡ଼ଦିନ ଉତ୍ସବ ପାଇଁ ଗଛ ସାଜସଜା ଶେଷ କରିନୁ । ତୁ ପୂର୍ବ ପରି ଗଛରେ ଚଢ଼ି ତାରାମାନଙ୍କୁ ଦେଖି ନି । ଏଇ କେତେ ବର୍ଷ ବାହାରେ ରହିବା ଭିତରେ ମୁଁ ସେଠି ତାରାମାନଙ୍କୁ ଦେଖି ନି । ସିନ୍ଥିଆ ବି ଚା ଭୋଜି ପାଇଁ ଏଠାରେ ଅଛି ।’’

 

ତାକୁ ଭାବିବାକୁ ସମୟ ନ ଦେଇ ସେ ହଠାତ୍‌ ସିନ୍ଥିଆର ନାଁ କହି ପକାଇଲେ । ‘‘ସିନ୍ଥିଆ ଏଠି ଚା ଭୋଜି ପାଇଁ ଅଛି । ସିନ୍ଥିଆ—ହେଇ ପୁଅ ଆସିଲାଣି । ମୁଁ ଜାଣିଥିଲି ସେ ଆସିବ—ତୋତେ କହୁ ନ ଥିଲି ?’’

 

ଏକ କଳା ସୁଟ୍‌ ଉପରେ ଗାଢ଼ ନାଲି ରଙ୍ଗର ଜର୍ସି ପିନ୍ଧିଥିଲା ସିନ୍ଥିଆ, ଖୋଷାରେ ଖୋଷିଥିଲା ପବିତ୍ର ବେରିର ସ୍ତବକ । ସେମାନେ ଦଶମିନିଟ୍‌ ଆଗରୁ ଏକାଠି ଥିଲାପରି ପରସ୍ପରକୁ ସାକ୍ଷାତକଲେ ।

 

‘‘ବସିପଡ଼ । ମୁଁ ଚା ଢାଳୁଛି । ତୁମ ମା ଆଜି ଆନନ୍ଦରେ ବିଭୋର ହୋଇ ପଡ଼ିଛନ୍ତି-।’’-ସିନ୍ଥିଆ କହିଲା ।

 

‘‘ପ୍ରକୃତରେ ମୁଁ ଭାରି ଖୁସିଅଛି ।’’ ମା ପାଟିକଲେ ।

 

ସେମାନେ ଲାଇବ୍ରେରୀ ଦରଜା ଖୋଲା ହେବାର ଓ ଚମଡ଼ା ଚଟିର ଶଦ୍ଦ ଶୁଣିଲେ । ତା’ ବାପା ପଶିଆସିଲେ । ‘‘କିଏ କହିଲା ଚା ? ସବୁ ପାଣିଗୁଡ଼ାକ । ହାରିକୁ କହ ମୋପାଇଁ ମାର୍ଟିନ ମିଶାଇଦେବ । ଆଲେନ୍‌, ତୁ ବି ମୋ ସହିତ ମାର୍ଟିନ ମିଶାଇ ଖାଇବୁ । ସ୍ତ୍ରୀ ଲୋକମାନେ ଚା’ ଖାଆନ୍ତୁ ।’’

 

‘‘ଭଲକଥା, ବାପା’’ ହାତ ମୁଠାକରି ସେ ଶୀଘ୍ର ଚାଲିଗଲା । ମାର୍ଟିନ ବୋଧହୁଏ ହାରି ଆଗରୁ କରି ରଖିଥିଲା ସେ ଶୀଘ୍ର ଆସି ସାନ ସାଆନ୍ତକୁ ସାକ୍ଷାତ କଲା । ‘‘ଆଲେନ୍‌ ବାବୁ—ସାନ ସାଆନ୍ତେ, ତୁମେ ଘରକୁ ଆସିଛ, ଭାରି ଖୁସି ଲାଗୁଛି । କ୍ରିସ୍‌ମାସ ଭଲରେ କଟିବ ।’’

 

ରିଚମଣ୍ଡକୁ ଲାଗିଥିବା ଏଇ ଛୋଟ ସହର ଭର୍ଜିନିଆଁରେ ସବୁ ଏମିତି ନିୟମ ରହିଛି । ଆଲେନ ସମସ୍ତ ଶକ୍ତି ଦେଇ ଭାବିଲା । ସେ ନିୟମର ବ୍ୟତିକ୍ରମରେ ଏକ ସଂପୂର୍ଣ୍ଣ ଭୁଲ ସଂସାର ଗଢ଼ଛି । ନିୟମ କ୍ୱଚିତ ଥାଏ । ନିୟମ ବେଶ୍‌ ମୂଲ୍ୟବାନ, ଅଲଙ୍ଘନୀୟ । ଝଡ଼ ଆନ୍ଦୋଳିତ ସାମୁଦ୍ରିକ ଦ୍ୱୀପ ଭଳି ଏ ନିୟମ ଦୁର୍ବିପାକର ଘୂର୍ଣ୍ଣି ଭିତରେ ଏକ ନିରାପତ୍ତା । ହଠାତ୍‌ ସେ ଘରର ସବୁ ସୌନ୍ଦର୍ଯ୍ୟ ଟିକିନିଖିକରି ଦେଖିଲା । ହଳଦିଆ, ସବୁଜ ଗୋଲାପ, ଏ ସବୁକୁ ପରମାଣୁ ବୋମା ତିଆରି ହେବା ରାଜ୍ୟରେ ମା’ ତିଆରି କରିଛନ୍ତି । ପଶ୍ଚିମ ଝରକାର ଫିକା ନୀଳ ପର୍ଦ୍ଦା ଉଠାହୋଇ ଥିବାରୁ ଶୀତକାଳୀନ ସୂର୍ଯ୍ୟାସ୍ତ ଦିଶିଯାଉଛି । ଚିକ୍‌କଣ ପିତଳ ଉହ୍ମେଇରେ ଥିବା କାଠରୁ ନିଆଁ ଉଠୁଛି । ସୋଫା ଓ ଚୌକିରେ ଖୋଳ ଦିଆ ହୋଇଛି । ଚିକ୍‌କଣ ଚଟାଣ ଓ ବହଳ କାର୍ପେଟ, ସଂଲଗ୍ନ ଘର ମଧ୍ୟରେ ବାଟ ରହିଛି । ସବୁଆଡ଼ ସଫା, ବୋଧହୁଏ ସବୁବେଳେ ଏମିତି ଥାଏ । ତା’ର ଏ ଘରେ ଉତ୍ତରାଧିକାର ରହିଛି, ଯଦି ସେ ଅଗ୍ରାହ୍ୟ ନ କରେ ! ଭଲ !

 

ଛୋଟ ଗୋଲାପ କାଠର ଟେବୁଲ ଉପରେ ସିନ୍ଥିଆ ବସିଛି, ସାତ ପୁରୁଷୀ ରୂପାର ଚା, ଟ୍ରେ ତା ଉପରେ ଅଛି । ସବୁ ସୁବିଧା ସେ ପାଇବ । ସିନ୍ଥିଆର ବୟସ ଯା’ ହେଉ, ସେ ଘରର ଲୋକପରି ଦିଶୁଛି । ସେ ବି ସୁନ୍ଦରୀ, ଏଇଠିକାର ଝିଅ । ବାଧା ଦେଉଥିବା ଓ ନିଷେଧ କରୁଥିବା ଆଇନ୍‌ ରହିଛି, ଯଦି ସେ ଚାହେଁ, ସେଇ ଆଇନ୍‌ ସାହାଯ୍ୟରେ ନିଜକୁ ରକ୍ଷା କରିବ ।

 

ଗତାନୁଗତିକ ଭାବେ ଦିନ ଗଡ଼ି ଚାଲିଲା । ପିଲାପରି ଖେଳି ଖେଳି ସେ ତାରାର ସନ୍ଧାନ କଲା । ଧଳା ସଙ୍ଖ ମଲ ମଲ ମାଣ୍ଟେଲ ପିସ୍‌ ତଳେ ତାଙ୍କର ଫୁଲପକା ସିଲ୍‌କ୍‌ ପର୍ଦ୍ଦା ସେ ଝୁଲାଇଲେ, ଏଇଟି ତାଙ୍କ ପ୍ରପିତାମହ ଫ୍ରାନ୍‌ସରୁ ଆଣିଥିଲେ । ବଡ଼ଦିନ ସକାଳେ ସୁନ୍ଦର ଚିତ୍ରିତ ଉପହାର ଦେଖି ସେ ଆମୋଦିତ ହେଲେ । ଖେଳନା ମାଙ୍କଡ଼, ଛୋଟଭାଲୁ ତାର ବୁଢ଼ା ଆଙ୍ଗୁଠିର ସିଲ୍‌କ ଆବରଣରେ କଳା ମୁକ୍ତାର ଟାଇପିନ୍‌ ଥିଲା, ଏ ତା’ର ବୁଢ଼ା ବାପାଙ୍କର । ତେଣୁ ଏହା ଏକ ସମ୍ପଦ ।

ତାର ବିଭକ୍ତି କରି ଆଖିକୁ ଦେଖି ମା’ ହସିଲେ ।

‘‘ଦିନେ ଯଦି ହେବ ଆଜି କାହିଁକି ନୁହେଁ ? ସବୁ ଜିନିଷ ଏକାଥରେ ଗଦେଇ ଦେବାରେ ମୋର ବିଶ୍ୱାସ ନାହିଁ । ମୁଁ ତୋ ବାପାଙ୍କୁ କହିଲି ଯାହା ହେବାର କଥା ବର୍ତ୍ତମାନ ମୁଁ ତୋତେ ଦେଇଦେବି ବାବୁ । ୟା’ ଭିତରେ ଦିନେ ଆମେ ଏ କଥା ପକାଇବା ।’’

ଏଇ ‘ଦିନେ’ଟି କାଲି କାଲି ବୋଲି ଗଡ଼ି ଚାଲିଲା । ଘରୋଇ ଓକିଲ ବଡ଼ଦିନକୁ ମିଆମି ଯାଇଥିଲେ, ନୂଆବର୍ଷ ଆଗରୁ ଫେରିଲେ ନି । ନୂଆବର୍ଷ ସନ୍ଧ୍ୟାରେ ମା କହିଲେ ‘‘ନାଚପାଇଁ ଆଜି ଦିନଟି ବଡ଼ଦିନ ପରି । ସିନ୍ଥିଆ ଅନେକ ନାଚ ଦେଖାଇବାକୁ ରଖିଛି ।’’

ସିନ୍ଥିଆ ସହିତ ନାଚୁ ନାଚୁ କେତେକ କଥାବାର୍ତ୍ତା ହେଲା ।

‘‘ଆମେ ମୋଟେ ଗପ କରି ନେ’’—ସିନ୍ଥିଆ କହିଲା ।

‘‘ମୁଁ କିଛି ଭାବିନି ବି’’—ଆଲେନ ଜଣାଇଲା ।

‘‘କିଛି ଉପାୟ ?’’

‘‘ନାଁ ।’’

‘‘ମା କେବେ ତାଙ୍କର ଜାଲ ବୁଣିବେ ?’’

‘‘ବୁଣୁଛନ୍ତି ।’’

‘‘ଯେତେବେଳେ ନାରୀ ପୁରୁଷକୁ ଭଲପାଏ, ସେ ପୁରୁଷ ତା’ର ପୁଅ ହେଲେ ବି.....ସେ ତୁମକୁ ଅତି ଭଲ ପାଆନ୍ତି । ସ୍ତ୍ରୀଲୋକ ହୋଇ ଜାଲ ବୁଣୁଛନ୍ତି ।’’

 

‘‘ତୁମେ ବି ବୁଣିପାର ?’’

 

‘‘ମୁଁ କେବେ ଚେଷ୍ଟା କରି ନି ।’’ —ସିନ୍ଥିଆ ଉତ୍ତର ଦେଲା ।

 

ତା’ର ନୀଳ ଆଖିରେ ଏକ ଅଦ୍ଭୁତ ଆନ୍ତରିକତା ଆଲେନ୍‌ ଦେଖିବାକୁ ପାଇଲା । ତା’ ଆଖିକୁ ସେ ନିର୍ଭୟରେ ନିରୀକ୍ଷଣ କରୁଛି କିନ୍ତୁ ଚାହାଣୀ କୋମଳ ନୁହେଁ ।

 

ପୁରୁଣା ଦିନ ଭଳି ନାଚୁ ନାଚୁ ସେ ଭାବିଲା ବିଭା ହେବାକୁ ଜିଦ୍‌ ଧରିବାପାଇଁ ସୁବିଧା ହେବ, ହୁଏ ତ ନିଜେ ଘର ତୋଳିବ । ଏ ଜାଗା ଛାଡ଼ି ଅନ୍ୟ ଜାଗାରେ ସଂସାର କରିବ, ତେଣୁ ଡ଼େରି ହେଉଛି । ରାତିରେ ନାଚପରେ ସେ ଜୋସୁକୁ ଚିଠି ଲେଖିଲା ।

 

ସିନ୍ଥିଆର ସାହାଚର୍ଯ୍ୟ, ତାର ଅସ୍ୱାଭାବିକ ଗାମ୍ଭୀର୍ଯ୍ୟ ଓ ଦୃଢ଼ ମନୋବୃତ୍ତି ତା’ ଅନ୍ତରକୁ ଆଲୋଡ଼ିତ କରିଛି । ସେ ବିବାହିତ, ତେଣୁ ଭୟନାହିଁ ।

 

ଜୋସୁ ଉତ୍ତର ଦେଇ ନି, ସେ ବି ଉତ୍ତର ଆଶା କରୁ ନ ଥିଲା । ଅଳ୍ପ ଦିନରେ ସେ ତା ପାଖକୁ ଫେରିଯିବ । ନୂଆ ବର୍ଷରେ ସେ ଘରକୁ ଘର ବୁଲିଲା, ସାଙ୍ଗମାନଙ୍କ ନିକଟକୁ ଗଲା । ଏଣେ ତେଣେ ବୁଲି ନିଜ କଥା ଗପିଲା, ଭାବିଥିଲା କେହି ଜୋସୁକଥା ପଚାରିବ କିମ୍ୱା ତା’ଠୁଁ ଦୂରେଇ ରହିବ । କିନ୍ତୁ କେହି ପଚାରିଲେ ନି । କେବଳ ଆଗଭଳି ପାଟିକରି ସ୍ୱାଗତ କଲେ । ଆସ ଆଲେନ୍‌, ପୁରୁଣାବନ୍ଧୁ—ଯୁଗ ବିତି ଗଲାଣି, ତୋର ଦେଖା ନାହିଁ । ସ୍ତ୍ରୀ ଲୋକଙ୍କର ଚିତ୍କାର, ରୂପା ଘଣ୍ଟିର ଶଦ୍ଦ—ଏସବୁ ଆନ୍ତରିକତା ନୂଆ ଲୋକକୁ ଜଣାଇବାକୁ ଅସୁନ୍ଦର ଲାଗେ ।

 

ଏଇ ଆତ୍ମୀୟତା ତାର ଜୀବନର ନୀତି, ପ୍ରେମପାଇଁ ବି ଏ ନୀତିରୁ ସେ ଦୂରେଇ ଯିବ ନି । କିନ୍ତୁ ରକ୍ଷା ପାଇବାକୁ ସେ କ’ଣ କରିବ ?

 

ପରଦିନ ରାତିରେ ଜୋସୁଠାରୁ ଚିଠି ନ ଆସିବାରୁ ସେ ଟେଲିଫୋନ କରିଥାନ୍ତା; କିନ୍ତୁ ଜୋସୁ ଅବାଧ୍ୟ ହବ ନି ଭାବିଲା । ରାତିରେ ପିଲା ଦିନର ଶେଯରେ ଶୋଇ କ’ଣ କରିବ ଦୁଃଖରେ ଚିନ୍ତାକଲା । ବାପା ବା ମାଆଙ୍କର ପରାମର୍ଶ ଲୋଡ଼ିବାରେ ଏବେ ଆଉ ଲାଭ ନାହିଁ । ଅପରିବର୍ତ୍ତନୀୟ ଆଇନ ରହିଛି, ତାଙ୍କଠୁ ଦୂରରେ ମାଙ୍କର ପକ୍ଷ ନେଇଛି । ତାଙ୍କର ସବୁ ଦୋଷ ଓ ଅନିଚ୍ଛାକୁ ସେ ଆଇନ୍‌ ନାମରେ ଫାଙ୍କିଦେବେ । ତାଙ୍କର ସୁନ୍ଦର ଆଖି ବିସ୍ଫୋରିତ ହେବା ତାଙ୍କୁ ଦିଶିଯାଉଛି ଓ ସ୍ୱର ଶୁଭିଯାଉଛି ।

 

‘‘ବାବୁ ଆଲେନ୍‌—ଏ ତ ମୋର ଦୋଷ ନୁହେଁ । ମୁଁ ତ ଆଇନ କରି ନି; କିନ୍ତୁ ତାଙ୍କରି ଭଳି ଅନ୍ୟମାନେ ଏ ଆଇନ କରିଛନ୍ତି ।’’

 

ଏ ସବୁ ନ ଭାବିବାକୁ ସେ ସ୍ଥିରକଲା । ଏଇ ପୁରୁଣା ନିଦାଘରର ସୌନ୍ଦର୍ଯ୍ୟ ଓ ସମ୍ମୋହରେ ସେ ବୁଡ଼ିଗଲା ।

 

ଓକିଲ ମିଃ ଡ଼େରିକ ମିଆମିରୁ ଫେରି ଡ଼ାକରାପାଇ ଲାଇବ୍ରେରୀରେ ଆସି ପହଞ୍ଚିଲେ । ସେତେବେଳେ ଯାଇ ମାଙ୍କ କଥାର ଅର୍ଥ ସେ ବୁଝିଲା । ମେହଗାନି ଟେବୁଲର ପ୍ରାନ୍ତରେ ବସିଛନ୍ତି ମି: ଡ଼େରିକ । ଛାତରୁ ଚଟାଣଯାଏ ଲମ୍ୱିଥିବା ସୁନେଲି ଭେଲଭେଟ ପର୍ଦ୍ଦାଦେଇ ଶୀତ ସୂର୍ଯ୍ୟର କିରଣ ଘର ଭିତରେ ବିଛାଡ଼ି ପଡ଼ୁଛି ।

 

ବୃଦ୍ଧ ମି: ଡ଼େରିକଙ୍କର କଠିନ ମୁହଁ ଓ ନାଲି ନାକ ବର୍ତ୍ତମାନ ସୂର୍ଯ୍ୟାଲୋକରେ ଚିକ୍‌ ଚିକ୍‌ ମାରୁଛି । ପବନରେ କମ୍ପନ ସୃଷ୍ଟିକରି ସେ କହିଲେ ‘‘ତୁମ ମା’ ଏକ ଉଦାରକାମ କରିଛନ୍ତି । ଘରକୁ ସେ ତୁମ ନାଁରେ କରିଛନ୍ତି—ଏ ବର୍ତ୍ତମାନ ତୁମର ଘର ।’’

 

ଆଲେନ୍‌ ଆଶ୍ଚର୍ଯ୍ୟ ହୋଇ କହି ପକାଇଲା ‘‘ମୁଁ ଭାବୁଥିଲି ଘରଟା ଆପଣଙ୍କର ।’’

 

ବଡ଼ ଝରକାର କୋଣରେ ବାପା ବସିଥିଲେ । ସେ ତାଙ୍କର ଧୂସର, ଶୁଷ୍କ, ଦେହକୁ ଅଳ୍ପ ଝୁଙ୍କେଇ ଶୁଷ୍କ କଣ୍ଠରେ କହିଲେ ‘‘ବିବାହବେଳେ ଘରଟା ମୁଁ ତୋ ମାଙ୍କୁ ଦେଇଥିଲି । ଆମେ ଦୁହେଁ ଜାଣିଥିଲୁ ଆମର ବଡ଼ପୁଅ ଏଇଟା ପାଇବ, ଯେମିତି ବାପାଙ୍କଠାରୁ ଏ ଘରଟାକୁ ମୁଁ ପାଇଥିଲି । ସ୍ତ୍ରୀ ଲୋକର ଘର ଦରକାର, ତା’ର ଜୀବନର ନିରାପତ୍ତା ପାଇଁ, ଏ କଥା ମୁଁ ଅନୁଭବ କରିଥିଲି ।

 

‘‘ମୋ ପାଇଁ ଖଣ୍ଡେ ଘର ଛାଡ଼ିଦେବୁ ପୁଅ, ମୋର ତୋ ଉପରେ ଏତକ ବିଶ୍ୱାସ ଅଛି-।’’ –ମା’ କହିଲେ ।

 

‘‘ମୋର ଏ ସବୁ ପସନ୍ଦ ନୁହେଁ’’—ବାପା କହିଲେ ।

 

‘‘ମୋର ବି ଘର ଦରକାର ନାହିଁ’’—ଆଲେନ୍‌ କହିଲା ।

 

ମା ବାପାଙ୍କ ସହିତ ତର୍କ କଲେ । ‘‘ଦେଖ, ମୋର ଏହା ଏକାନ୍ତ ଇଚ୍ଛା ।’’

 

‘‘ମୋତେ ଏସବୁ ଭଲ ଲାଗୁନି ।’’ ସେ ପୁଣି କହିଲା; କିନ୍ତୁ ତାକୁ ଭଲ ଲାଗୁଥିଲା । ନିଜର ବଡ଼ ଘରଆଡ଼େ ସେ ଚାହିଁଲା । ତାଙ୍କର ଏ ଫାଳକୁ ସେ ହୁଏ ତ ସନ୍ଦେହ କରୁଥିଲା । ପୂର୍ବପରି ଆଇନ ଏବେ ବି ରହିଛି—ମା ନିଜକୁ ଭଲ ମନ୍ଦରୁ ରକ୍ଷା କରିବା ପାଇଁ ଏସବୁ କରିଛନ୍ତି ।

 

‘‘ମୁଁ ଏଠି ରହି ପାରିବି ନି ।’’ ସେ ସିଧା କହିଦେଲା ।

 

‘‘ଦିନେ ହୁଏ ତ ରହିପାରିବୁ’’ ମା’ ଖୁସିରେ କହିଲେ ।

 

ତା’ ନିଜର ଅନିଚ୍ଛା ଓ ବାପାଙ୍କ ଅପସନ୍ଦ ସତ୍ତ୍ୱେ ଏହା ହେଲା । ସାରାଜୀବନ ମାଙ୍କ ଇଚ୍ଛା ହିଁ ପୂରଣ ହୋଇଛି । ଏହାପରେ ତାର ମନରେ ଏକ ଅଦ୍ଭୁତ ଦାବୀଜନିତ ବିଦ୍ରୋହ ଆସିଲା । ଏ ଘର ସେ ନିଶ୍ଚୟ ପାଇଥାନ୍ତା, ଛାଡ଼ି ନ ଥାନ୍ତା, ସେ ନିଜକୁ ନିଜେ କହିଲା । ଟିକେ ଶୀଘ୍ର ଏଇଆ ପାଇଗଲା । ସେ ଆଉ କେଉଁଠି ଘର କଲେ ବି ଏ ଘର ତା’ର, ତେଣୁ କେଉଁଠି ସେ ସବୁଦିନ ପାଇଁ ରହିବ ସ୍ଥିର କରିବ ।

 

ସେଦିନ ସନ୍ଧ୍ୟାରେ ସେ ନିୟୁୟର୍କ ଗଲା, ରାତିରେ ସହରର ପହଞ୍ଚି ଟ୍ୟାକ୍‌ସିରେ ବସାଯାଏ ଗଲା । ଜଣେ ଅଚିହ୍ନା ଲିଫ୍‌ଟ୍‌ ଚାଳକ ତାକୁ ଉପରକୁ ନେଲା । ଏ ଲୋକ ବୋଧହୁଏ ନୂଆ ଆସିଛି, ତେଣୁ ତାକୁ କିଛି ପଚାରିଲା ନାହିଁ । ବସା ଦୁଆରର ଘଣ୍ଟି ସେ ବଜାଇଲା, କାଳେ ଜୋସୁ ଶୋଇଥିବ । ଯେ କୌଣସି ସମୟରେ ଶୋଇପଡ଼ିବା ତା’ର ଅଭ୍ୟାସ, କାଉଚରେ ଜାକି ଜୁକି ହୋଇ କିମ୍ୱା ଚଟାଣରେ, କୁସନ ଭିତରେ ବି ଶୋଇପଡ଼େ । କିନ୍ତୁ ଦୁଆର ଖୋଳିଲା ନି । ଶେଷରେ ସେ ପକେଟରୁ ଚାବି ଅଣ୍ଡାଳି ଘର ଖୋଲିଲା । ଘର ସାରା ଅନ୍ଧାର । ପବନରୁଦ୍ଧ; ଶୁଷ୍କ ଓ ଗରମ । ଏକାନ୍ତ ନୀରବତା ତାକୁ ବଡ଼ ଅସହ୍ୟ ବୋଧହେଲା ।

 

‘‘ଜୋସୁ’’ ସେ ବଡ଼ ପାଟିରେ ଡ଼ାକିଲା ।

 

ଉତ୍ତର ନାଇଁ । ଭିତରେ ପଶି ଲାଇଟ ଜଳାଇ ଶୋଇବା ଘରକୁ ଧାଇଁଗଲା । ସେ ଏଠି ନାହିଁ । ଶେଯ ସୁନ୍ଦର ପଡ଼ିଛି, ଚଟାଣ ପରିଷ୍କାର । ମଝି ଦରଜାଖୋଲି ଦେଖିଲା କେବଳ ତା’ର ପୋଷାକପତ୍ର ରହିଛି । ଜୋସୁ ଚାଲିଯାଇଛି ।

 

ଭୟଙ୍କର ଭାବେ ନିଜକୁ ସେ ଦୋଷୀ ମନେକଲା । ସେ ଚାଲିଯାଇଛି । କେମିତି ଆଉ ତାକୁ ପାଇବ ? ତା’ର ଜାପାନୀ ହୃଦୟର ଦୁଃଖ ସେ ଜାଣିପାରିଲା । ଶେଷରେ ସେ ଜଣେ ଅଚିହ୍ନା ଲୋକ ପାଖକୁ ଚାଲିଗଲା, ଯାହାକୁ ସେ ନିଜର ନମ୍ରତା ଓ ସାବଧାନତାରେ ଆଲେନ ଠାରୁ ଲୁଚାଇ ରଖିଥିଲା, କ’ଣ ସ; ଦେଖିଲା, କ’ଣ ଆଶଙ୍କା କଲା ତା’ ଜାଣି ହେବ ନି । ଶଯ୍ୟାଧାରରେ ବସି ସେ ଅଚେତନ ପ୍ରାୟ ହୋଇପଡ଼ିଲା । ଦୁଃଖ ଓ ଆତ୍ମ ଅନୁଶୋଚନାରେ ସେ ଭାଙ୍ଗିପଡ଼ିଲା । ହାତରେ ମୁହଁ ଲୁଚାଇ ମନେ ମନେ ସେ ନିଜକୁ ଅଭିଶାପ ଦେଲା । ନିଜର ଦୁଃଖ ଓ ଅଭାବ ଭିତରେ ସେ ଅନୁଭବ କରି ଲଜ୍ଜିତ ହେଲା ଯେ ଜୋସୁର ପଳାୟନରେ ତାକୁ ସୁଖୀ କରିବାପାଇଁ ଆତ୍ମତ୍ୟାଗ କରିପାରିଛି ।

 

ଜୋସୁ ନୀରବରେ ରାସ୍ତାରେ ଚାଲୁଥାଏ । ଲେନିର ଅନାଗତ ଜନ୍ମତିଥିକୁ ଅପେକ୍ଷା କଲାଦିନୁ ଏବେ ପ୍ରାୟ ପ୍ରତିଦିନ ସେ ଦୀର୍ଘବାଟ ଚାଲି ଚାଲି ଯାଏ । କାହାକୁ କିଛି କହେ ନି, ତାକୁ ବି କେହି କିଛି ପଚାରନ୍ତି ନି । ଏ ରାସ୍ତା ସେ ମନେ ରଖିଛି । ସେ ଲସ୍‌ଆଞ୍ଜେଲସକୁ ଅତି ଆପଣାର ଭାବେ ମନେ ରଖିଛି, ସବୁ ତା’ର ମନେ ପଡ଼ିଯାଉଛି । ଆଶ୍ଚର୍ଯ୍ୟ କଥା । ଜାଗାଟା ଅତି ଆପଣାର ଲାଗୁଛି । କିନ୍ତୁ ଏ ଘର ନୁହେଁ.....ତା’ର ସ୍ପଷ୍ଟ ମନେପଡ଼ୁଛି, ଯେତେବେଳେ ଭୟଙ୍କର ସେଇ ବିଦାୟ ମୁହୂର୍ତ୍ତ ଆସିଲା, ବାପା ଜାଣିଲେ ଏ ସହର ଛାଡ଼ି ଚାଲିଯିବାକୁ ପଡ଼ିବ, ସେ ରାଗରେ ଜଳିଲେ, ତା’ର ସେଇ ଅତି ଆପଣାର, ସ୍ମୃତିରେ ଜୀବନ୍ତ ହୋଇ ରହିଥିବା ଘରଟିକୁ ଥରେ ସେ ଦେଖିବାକୁ ଆସିଥିଲା, ଏବେ ସେଠାରେ ଜଣେ ନିଗ୍ରୋ ପରିବାର ରହୁଛନ୍ତି । ସେ ବାହାରେ ରହି ବଗିଚାରେ ପିଲାମାନେ ଖେଳୁଥିବାର ଦେଖିଲା ଯେମିତି କେନସାନ ସହିତ ସେ ଖେଳୁଥିଲା । ଆଗରୁ ପୁରୁଣା ଦୋଳିଥିଲେ ବି ତା’ ବାପା ସେମାନଙ୍କ ପାଇଁ ଶକ୍ତ ଲୁହାକଡ଼ି ଦୋଳି ଲଗାଇଥିଲେ । ସେଇ କଳାକଳା ଛୁଆମାନେ ଦୋଳିକୁ ଘେରି ଖୁସିରେ ପାଟି କରୁଛନ୍ତି ।

 

ଆଜି ସେ ତା’ର କର୍ତ୍ତବ୍ୟ ସଂପାଦନରେ ଅଗ୍ରସର ହେବ । ସେ ଶୀଘ୍ର ନିଦରୁ ଉଠି ଯତ୍ନରେ ଗାଧୁଆ ପାଧୁଆ ସାରିଲା । ନୂଆ କିଣା ହୋଇଥିବା କଳା ନୀଳ ରଙ୍ଗର ସୁଟ୍‌ ପିନ୍ଧିଲା, ଦେହ ଉପରେ ଜାକେଟ୍‌କୁ ପୁରା ବାନ୍ଧିଦେଲା । ସାନ୍‌ଫ୍ରାନ୍‌ସସ୍କୋରେ ବାପା ସଞ୍ଚୟ କରିଥିବା ଟଙ୍କା ଏଥିପାଇଁ ଓ ମେକ୍‌ସିକାନ୍‌ ମହିଳାଠାରୁ ଏକ ଶସ୍ତା ଭଡ଼ାଘର ନେବାକୁ ଯଥେଷ୍ଟ ଥିଲା । ସେ ମହିଳା ସାମାନ୍ୟ ଇଂରାଜୀ କହି ପାରୁଥିଲେ । ଜୋସୁର ଖାଇବା ବି ସେଇ ଟଙ୍କାରେ ଚଳୁଥିଲା । ସବୁପାଇଁ ସେ ବାପାଙ୍କର ବଦାନ୍ୟତା ଉପରେ ନିର୍ଭର କରିବ । ପ୍ରେମ ଯାହା କରି ନ ପାରିଲା, ବଦାନ୍ୟତା ତାହା କରୁ; ଆଇନ ଯାହା ନିଷିଦ୍ଧ କରିଛି, ବଦାନ୍ୟତା ତାହା ଅନୁମୋଦନ କରୁ । ସେ ଜଣେ ଅଚିହ୍ନା ଲୋକଠାରୁ ଶିଶୁକଲ୍ୟାଣ କେନ୍ଦ୍ରକୁ ରାସ୍ତା ପଚାରି ବୁଝିନେଲା । ରାସ୍ତାକଡ଼ର ସେଇଘରେ ପହଞ୍ଚିଲା । ସେଠି ଟିକେ ପଇସା କମ୍‌ ପଡ଼େ । ଦରଜା ଖୋଲାଥିବାରୁ ଭିତରକୁ ଗଲା ଓ ଆଗନ୍ତୁକମାନଙ୍କ ପାଇଁ ନିର୍ଦ୍ଦିଷ୍ଟଥିବା ପ୍ରକୋଷ୍ଠରେ ବସିରହିଲା । ଦୁଇଜଣ ସ୍ତ୍ରୀଲୋକ, ସ୍ତ୍ରୀଲୋକ ତ ନୁହନ୍ତି ଝିଅ, ସେଠି ବସିଥିଲେ । ଜଣକୁ ବୋଧହୁଏ ଚଉଦ ବର୍ଷ ହେବ, ଦେହ ଶେଥା ଓ ପାଣ୍ଡୁର-। ଆଖି ଦୁଇଟି କ୍ଳାନ୍ତ । ସେ ଗର୍ଭବତୀ, ତା’ର ଦେହ ଫୁଲିଯାଇଛି, ଓଠ ମଳିନ ଦିଶୁଛି । ତା’ଠି ଆଦୌ ସୌନ୍ଦର୍ଯ୍ୟ ନାହିଁ କିମ୍ୱା ଲାବଣ୍ୟ ନାହିଁ, କେବଳ ଅଛି ସାଧାରଣ ନାରୀତ୍ୱ, ଯାହାକୁ ଟିକେ ଆନନ୍ଦ ପାଇବାକୁ ସେ କୌଣସି ଯୁବକକୁ ସମର୍ପଣ କରିଦେଇଛି ।

 

କେଉଁଦିନ ଟିକେ ବୁଲିବାକୁ ଯାଇ ବା ଗୋଟେ ଆଇସ୍‌କ୍ରିମ ସୋଡ଼ାଖାଇ ସେ ନିଜକୁ ସମର୍ପଣ କରିଛଇ, କିଏ ଜାଣେ ? ତା’ର ପୋଷାକଗୁଡ଼ା ଚୀରା ଓ ମଇଳା, ଲେସ୍‌ଗୁଡ଼ା ତା ରେଅନ ସ୍କାର୍ଚ ତଳକୁ ଝୁଲୁଛି । ଅନ୍ୟ ଝିଅଟି କାନ୍ଦୁଛି ଡ଼େଙ୍ଗୀ ଝିଅଟି, ତାର ବାଳ ଚିକ୍‌ ଚିକ୍‌...ଲୁହରେ ଓଠର ଲିପ୍‌ଷ୍ଟିକ୍‌ ଭିଜିଗଲାଣି । ସେ ଅତି ପାତଳୀ ଓ କାନ୍ଦୁ କାନ୍ଦୁ କାଶୁଛି । ଶସ୍ତା ନାଇଲନ ମୋଜା ଭିତରେ ତା’ ଗୋଡ଼ କାଠିପରି ସରୁ ଦିଶୁଛିଳ ତା’ ଦେହରେ ଅଳଙ୍କାର ଭର୍ତ୍ତି ହୋଇଛି କିନ୍ତୁ ବିବାହ ମୁଦ୍ରିକା ନାହିଁ ।

 

ଜୋସୁ ନୀରବରେ ବସି ଅପେକ୍ଷାକଲା । ସେ ବାଳିକାଟିକୁ ଅଫିସରୁ ଡ଼ାକରା ଆସିଲା ଓ ଅଳ୍ପ ସମୟପରେ ସେ ଖୁସି ମନରେ ଫେରି ଆସିଲା । ତା’ପରେ ସେ ଡ଼େଙ୍ଗୀଝିଅଟି ଭିତରକୁ ଗଲା । ତାର ବଡ଼ ପାଟିରେ କାନ୍ଦଣା ଜୋସୁ ଶୁଣିପାରିଲା । ସେ ଡ଼େରିରେ ଫେରିଲା ଓ ତା’ର ଫୁଲିଲା ମୁହଁ ଉପରେ ଓଢ଼ଣା ଟାଣି ଚାଲିଗଲା । ଅଫିସ କର୍ମଚାରୀ ବାଳିକାଟି ଜୋସୁକୁ ଅନିଶ୍ଚିତ ଭାବେ ଚାହିଁଲା ।

 

‘‘ଆପଣଙ୍କ ନାଁ ?’’

 

‘‘ମିସ୍‌ ସାକାଇ’’ ଜୋସୁ କହିଲା ।

 

‘‘ଭିତରକୁ ଆସନ୍ତୁ’’ ବାଳିକାଟି ଡ଼ାକିଲା ।

 

ଏଇ ଛୋଟ ଅଫିସ ରୁମ୍‌ ଭିତରକୁ ସେ ଗଲା ଓ ପୁରୁଣା ଡ଼େସ୍କ ପଛପଟେ ବସିଥିବା ହସ ହସ ମୁହଁ ପ୍ରୌଢ଼ାଙ୍କୁ ଦେଖିଲା ।

 

‘‘ମିସ୍‌ ସାକାଇ ?’’

 

‘‘ହଁ, ଆଜ୍ଞା ।’’

 

‘‘ମୁଁ କ’ଣ ତୁମର କରିପାରେ ?’’

 

‘‘ମୁଁ ଶୁଣିଲି ଆପଣ ପିଲାଙ୍କର ତତ୍ତ୍ୱ ନିଅନ୍ତି’’ ଜୋସୁ ଅନିଶ୍ଚିତତାରେ କହିଲା; କିନ୍ତୁ ତାର ଯାହା କହିବାର କଥା, ଜଣେ କେମିତି ସେ କଥା । ସହଜରେ ଆରମ୍ଭ କରି ପାରିବ ।

 

ସେ କର୍ମନିଷ୍ଠ, ଦୟାଶୀଳ ମହିଳା ଜଣକ ପଚାରିଲେ ‘‘ତୁମର ପିଲା ହେବ କି ?’’

 

‘‘ହଁ,ଟିକେ ଡ଼େରିଅଛି, ତଥାପି ମୁଁ ପ୍ରସ୍ତୁତ ହେବି ।’’

 

‘‘ତୁମର ପରିବାର ନାହିଁ ?’’

 

‘‘ନାହିଁ’’ ଜୋସୁ କହିଲା ।

 

ତା କଥା ଗୁଡ଼ା ଗୋଟାଏ ପରିଷ୍କାର କାଗଜରେ ସେ ଲେଖି ରଖୁଥିଲେ ।

 

‘‘ତୁମେ ପିଲାଟିକୁ ରଖିବାକୁ ଚାହଁ ?’’

 

‘‘ନା, ମୁଁ ଏକୁଟିଆ, ତାକୁ ରଖି ପାରିବି ନି ।’’ ଜୋସୁ ଉତ୍ତର ଦେଲା । ସେ ଏକଥା କହିବ ବୋଲି ଆଗରୁ ପ୍ରସ୍ତୁତ ହୋଇଥିଲା । ତେଣୁ ସହଜ ଭାବେ କହି ପକାଇଲା ।

 

ଓଃ, ଲେନି, ତା’ର ଗର୍ଭ କୋଠରୀରେ ଏତେ ଧୀର ସ୍ଥିର ଭାବରେ ସେ ଶୋଇଛି, ସତେ କି ମା’ କ’ଣ କହିଲା ସେ ଶୁଣି ପାରିଛି ।

 

‘‘ମୋ ନାମ ମିସ୍‌ ବେ’’ ମହିଳା ଜଣକ ଦୟାପରବଶ ହୋଇ କହିଲେ ।

 

‘‘ତୁମ ନିଜ କଥା କିଛି କହିବ କି ?’’

 

‘‘ମୁଁ ଏକାକୀ, ଆଉ କିଛି କହିବାର ନାହିଁ ।’’ ଜୋସୁ କହିଲା ।

 

‘‘ବାପ କିଏ କହିପାରିବ କି ? ମୁଁ ତୁମକୁ ସାହାଯ୍ୟ କରିବି ।’’ ମିସ୍‌ ବ୍ରେ ପଚାରିଲେ ।

 

‘‘ସେ ଆମେରିକାନ୍‌ । ମୁଁ ଆମେରିକାନ୍‌—ଜାପାନୀ ।’’

 

‘‘ଆଚ୍ଛା’’ ମିସ୍‌ ବ୍ରେ କହିଲେ ଓ ଜୋସୁକୁ କିଛି ସମୟ ନିରୀକ୍ଷଣ କଲେ । ସୁନ୍ଦର ଝିଅଟି, ନମ୍ର ଓ ଗମ୍ଭୀର; କିନ୍ତୁ ଦୁଃଖର କଥା ଏ ଅଧାଗୋରା, ଅଧାଜାପାନୀ ପିଲାକୁ କିଏ ନେବାକୁ ଚାହିଁବ-? ଏଇ ବାଜେ ଜାଗାରେ ଯୁଦ୍ଧ ହେବାଦିନୁଁ ଏ ସବୁ ଏକ ସାଧାରଣ ବ୍ୟାପାର ହୋଇଯାଇଛି-। ମାତ୍ର ଦୁଇ ଦିନ ତଳେ ସେ ଏକ ଦି’ ମାସର କୋରିଆନ୍‌ ଶିଶୁକୁ ବାଧ୍ୟହୋଇ ରଖିଲେ । କିଏ କୋରିଆନ୍‌ ଶିଶୁକୁ ନେବ ? ପାଳିବା ଲୋକମାନେ ବି ଚାହିଁଲେ ନି । ମିସେସ୍‌ କିସ୍‌ଚ ଜଣେ ଭଲ ପାଳନ କର୍ତ୍ତ୍ରୀ, କିନ୍ତୁ ସେ କହିଲେ ଏଇ କୋରିଆନ୍‌ ଶିଶୁର ଆଖି ଦୁଇଟି ଦେଖି ତାଙ୍କୁ ଡ଼ର ଲାଗୁଛି । ମିସ୍‌ ବ୍ରେ ତାକୁ ନିଗ୍ରୋ ଅନାଥାଶ୍ରମରେ ରଖିଲେ । ଏବେ ବି ତାଙ୍କୁ ଖରାପ ଲାଗୁଛି, କାରଣ କୋରିଆନମାନେ ନିଗ୍ରୋ ନୁହନ୍ତି ।

 

‘‘ସେ ଲୋକ କ’ଣ କିଛି ଦାୟିତ୍ୱ ନେବ ନାହିଁ ?’’ ମିସ୍‌ ବ୍ରେ ପଚାରିଲେ ।

 

‘‘ସେ ଜାଣୁ ବୋଲି ମୁଁ ଚାହେଁ ନି’’ ଜୋସୁ କହିଲା ।

 

ମିସ୍‌ ବ୍ରେ ପାଟିକରି ଉଠିଲେ ‘‘ଆରେ ଝିଅ, ତୁ ଜାଣିନୁ, ଏ କଥା ଠିକ୍‌ ନୁହେଁ । ପୁରୁଷମାନେ ଜାଣିବା ଉଚିତ, ସେମାନେ ଛାଡ଼ି ପାଇ ଯାଉଛନ୍ତି ! ମୁଁ ତା ସହିତ ତୁମ ବିଷୟରେ କଥା ହେବି ।’’

 

‘‘ନାଇଁ ଆଜ୍ଞା, ଧନ୍ୟବାଦ’’ ଜୋସୁ ଦୃଢ଼ତାର ସହିତ କହିଲା । ମିସ୍‌ ବ୍ରେ ଅଧୈର୍ଯ୍ୟ ହୋଇପଡ଼ିଲେ । ତାଙ୍କ ଜୀବନରେ କେହି ପ୍ରେମିକ ନ ଥିଲେ, ସେ ଜାଣିପାରୁ ନାହାନ୍ତି ଝିଅମାନେ କିପରି ପୁରୁଷମାନଙ୍କୁ ତାଙ୍କର କୃତକର୍ମର ପରିଣତିକୁ ଜଣାନ୍ତି ନି । ସେ ପେନ୍‌ସିଲ ରଖିଦେଇ ନାକ ଉପରକୁ ଚଷମାଟି ଟେକିଲେ ।

 

‘‘ହଁ କ’ଣ କହିଲ ମିସ୍‌.....’’

 

‘‘ସାକାଇ’’ ଜୋସୁ କହିଲା ।

 

‘‘ଓ, ହଁ, ବିଦେଶୀ ନାଁ ଗୁଡ଼ା ମନେ ରଖିବା କଷ୍ଟକର ମିସ୍‌ସାକାଇ । ମୁଁ କହିପାରେ କୌଣସି ଘରେ ତୁମ ପିଲାକୁ ରଖିବା ସମ୍ଭବ ହେବ ନି । ପାଳିବାକୁ ନେବା ତ ଏକଦମ୍‌ ଅସମ୍ଭବ । ତୁମେ ଜାଣ, ଦୋମଶା ରକ୍ତର ପିଲାକୁ କେହି ଚାହାନ୍ତି ନି । ମୁଁ ଆଗରୁ ଏ କଥା ଚେଷ୍ଟା କରିଛି, କିନ୍ତୁ ହୋଇ ନାହିଁ । କୌଣସି ପକ୍ଷ ଏ ଭଳି ପିଲାକୁ ଚାହୁଁ ନାହାଁନ୍ତି ।’’

 

‘‘ମୁଁ ଜାଣେ ।’’ ଜୋସୁ ସ୍ଥିର କଣ୍ଠରେ କହିଲା ।

 

‘‘ତୁମର ତ ପରିବାର ଥିବ ।’’ ମିସ୍‌ ବ୍ରେ ଯୁକ୍ତିକଲେ ।

 

‘‘ନାଁ’’ ଜୋସୁ—କୋମଳ ଭାବେ ଜଣାଇଲା ।

 

‘‘ତୁମେ କହୁଛ, ସେମାନେ ୟାକୁ ରଖିବେ ନି ?’’

 

ସେ ଉତ୍ତର ଦେଇ ପାରିଲା ନି, ନ କାନ୍ଦିବାକୁ ପଣ କରିଛି, ତାର ସମସ୍ତ କୋହ ଯେମିତି ତଣ୍ଟି ପାଖରେ ରୁନ୍ଧି ହୋଇଗଲା । ମିସ୍‌ ବ୍ରେ ଦୀର୍ଘଶ୍ୱାସ ଛାଡ଼ିଲେ । ‘‘କ’ଣ କରିବାକୁ ହେବ ଦେଖିବା, ବୋଧହୁଏ ପିଲାଟି ବେଶୀ ଅଦ୍ଭୁତ ଦେଖା ଯିବ ନି, କାହିଁକି ନାଁ ଅଧା–ଗୋରା । ମୁଁ କୌଣସି ପାଳନକର୍ତ୍ତ୍ରୀ ଯୋଗାଡ଼ କରିବାକୁ ଚେଷ୍ଟା କରିବି ।’’

 

‘‘ପାଳନ କର୍ତ୍ତ୍ରୀ ?’’

 

‘‘କେହି ତାକୁ ଦରମା ପାଇ ରଖିବ ।’’ ମିସ୍‌ ବ୍ରେ ବୁଝାଇ ଦେଲେ ।

 

‘‘ତୁମେ ତା’ ପାଇଁ କିଛି ଅର୍ଥ ସାହାଯ୍ୟ କରିପାରିବ ତ ?’’

 

‘‘ହଁ ପାରିବ ।’’ —ଜୋସୁ କହିଲା ।

 

ତାକୁ ଅବଶ ଲାଗିଲା । ସେ ଠିକ୍‌ ଜାଣେ ଲେନିର କ’ଣ ଘଟିବ । କୌଣସି ଅନାଥାଶ୍ରମରେ ପିଲାମାନେ ବଡ଼ ଗଛତଳେ ଘାସ ପଡ଼ିଆରେ ଖେଳୁଥିବା ତା’ଣ ମନେ ଅଛି । ଅନେକ ଦିନ ତଳେ ଲସ୍‌ଆଞ୍ଜେଲ୍‌ସ୍‌ ପାଖରେ ଏମିତି ଗୋଟିଏ ଅନାଥାଶ୍ରମ ସେ ଦେଖିଥିଲା । ସେ ଦୂରରୁ ଦେଖି ଜାଣିଥିଲା—ପିଲାମାନେ ଖୁସିଥିଲେ ।

 

‘‘ତୁମେ ଟଙ୍କା ଦେଇ ପାରିଲେ ଭଲ ହେବ ।’’ ମିସ୍‌ ବ୍ରେ କହିଲେ । ପେନ୍‌ସିଲ୍‌ ଧରି ପୁଣି ସେ କ’ଣ ଗୁଡ଼ାଏ ଲେଖି ଚାଲିଲେ ।

 

‘‘କେଉଁଠି ତୁମର ପ୍ରସବ ହେବ ?’’

 

‘‘ମୁଁ ଜାଣିନି ।’’ ଜୋସୁ ଉତ୍ତର ଦେଲା । ଲୁହକୁ ଚାପିରଖି କଣ୍ଠ ପରିଷ୍କାର କରି ସେ କହିଲା ‘‘ଆପଣ ଯେଉଁଠି କହିବେ ।’’

 

‘‘ତୁମେ ହସ୍‌ପିଟାଲ ଯାଅ, ଭଲ ହେବ । ମୁଁ ତୁମକୁ ଠିକଣା ଦେଉଛି, ଡକ୍ଟର ଷ୍ଟେନରଙ୍କୁ ଖୋଜିବ, ସେ ଲେଡ଼ି ଡକ୍ଟର, ରିଫ୍ୟୁଜି, କିନ୍ତୁ ଭାରିଭଲ, ଦୟାଳୁ ଲୋକ । ଆମେ ହସ୍‌ପିଟାଲରୁ ପିଲାକୁ ନେଇଯିବୁ । ମୁଁ ଭାବୁଛି, ତୁମେ ବୋଧହୁଏ ପିଲାକୁ ଦେଖିବାକୁ ଚାହିଁବ ନି ।’’

 

‘‘ମୁଁ ଦେଖିବାକୁ ଚାହେଁ ।’’ ଜୋସୁ କହିଲା ।

 

ଲେଖାରୁ ମୁହଁ ଟେକି ମିସ୍ ବ୍ରେ ଚାହିଁଲେ । ‘‘ତୁମେ ଯଦି ତାକୁ ନ ରଖିବାକୁ ନିଶ୍ଚିତ କରିଛି, ତେବେ ମୋ ମତରେ ତାକୁ ନ ଦେଖିବା ଭଲ ।’’

 

‘‘ମୁଁ ଦେଖିବି ।’’

 

ମିସ୍‌ ବ୍ରେ କାନ୍ଧକୁ ହଲାଇଲେ । ଲେଖା ସରିଲା । ‘‘ସମୟ କେବେ ?’’

 

‘‘ବୋଧହୁଏ ଜୁଲାଇରେ ।’’

 

‘‘ତୁମ ଠିକଣା’’ ?

 

ଜୋସୁ ଠିକଣା ଦେଲା ।

 

‘‘ବର୍ତ୍ତମାନ ଯାଇ ଡକ୍ଟର ଷ୍ଟେନରଙ୍କୁ ଦେଖା କର । ମଝିରେ ମଝିରେ ନିଜକୁ ପରୀକ୍ଷା କରାଇ ନେଉ ଥାଅ । ଯଦି ମତ ପରିବର୍ତ୍ତନ କର, ମତେ ଜଣାଇବ ।’’ ମିସ୍‌ ବ୍ରେ ଉପଦେଶ ଦେଲେ । ଯେଉଁ ସାକ୍ଷାତକାରକୁ ସେ ଡ଼ରୁଥିଲା, ତା ସରିଲା । କୌଣସି ମତେ ଲେନି ଜନ୍ମ ହୋଇ ପାଳିତ ହେବ । ଜୋସୁ ଉଠିପଡ଼ି ନମସ୍କାର କଲା । ‘‘ଆପଣଙ୍କ ବହୁତ ଧନ୍ୟବାଦ ମିସ୍‌ ବ୍ରେ’’ ସେ କହିଲା । ‘‘କଥା କୁହନାଁ’’ ଅନ୍ୟକଥା ଭାବୁଭାବୁ ମିସ୍‌ ବ୍ରେ ଭଦ୍ରତାରେ କହିଲେ ।

 

ବାହାରେ ଅପେକ୍ଷା ଗୃହରେ ଏବେ ପୁଣି ତନିଜଣ ବସିଛନ୍ତି—ଯୁବତୀ, ଦୁଃଖିନୀ, କେହି କାହାକୁ ଚାହୁଁ ନାହାନ୍ତି । ଜୋସୁ ସେମାନଙ୍କୁ ଅତିକ୍ରମ କରି ମଧୁର ସକାଳର ରାସ୍ତାକୁ ବାହାରି ପଡ଼ିଲା । ଡକ୍ଟର ଷ୍ଟେନର ବାକୀ ରହିଲେ । ତାଙ୍କୁ ସେ ଦେଖା କରିବ, କିନ୍ତୁ ଆଜି ନୁହେଁ । ତାକୁ କ୍ଳାନ୍ତ ଲାଗିଲା । ଲେନି ଏତେ ସ୍ଥିର ଅଛି ଦେଖି ସେ ଭୟକଲା । ଲେନି କଣ ଜାଣି ସାରିଲାଣି ଦୁହେଁ ପରସ୍ପର ଠାରୁ ଅଲଗା ରହିବେ ?

 

ଛୋଟ ପାର୍କକୁ ଯାଇ ସେ ବିଶ୍ରାମ ନେବାକୁ ବସି ପଡ଼ିଲା । ଦୁଇ ତିନିଜଣ ମା’ ପିଲାମାନଙ୍କ ସହିତ ସେଠାରେ ଥିଲେ । ସେମାନେ ଗୋରା ଓ ପିଲାମାନେ ବି ଗୋରା, ତେଣୁ ମଙ୍ଗଳ । ଏପରି ମା ଓ ପିଲା ଏକତ୍ର ରହିପାରିବେ । ଆଲେନ୍‌ କଥା ଭାବିବାକୁ ତାର ଇଚ୍ଛା ହେଲା ନି । ତା’ର ଛବି ମନିତରକୁ ପଶିଆସିଲେ ଜୋର୍‌ କରି ସେ ତାକୁ ତଡ଼ି ଦେଲା । ଏବେ ଆଲେନ୍‌ ଜାଣି ସାରିବଣି ସେମାନଙ୍କର ସାକ୍ଷାତ ଆଉ ହେବ ନାହିଁ । ସେ ନିଜେ କିଛି ଲେଖା ରଖି ଆସି ନି । କେବଳ ନିଜର ଅଳ୍ପକିଛି ଜିନିଷପତ୍ର ନେଇ ଚାଲି ଆସିଛି । ଏବେ ବସାଘର ଛାଡ଼ି ଆଲେନ ତା’ ବାପା ମାଙ୍କ ପାଖରେ ଥିବ । କେବଳ ସେ ଏଠି ଥିବା କଥା କୋବରୀ ଜାଣେ । ଏ କାମ ନ ସରିବା ପର୍ଯ୍ୟନ୍ତ ଏଠାକୁ ଆସିବାକୁ ସେ ତାକୁ ମନା କରିଛି, ତା’ର ଭବିଷ୍ୟତ୍‌ କର୍ମପନ୍ଥା ସ୍ଥିର ନ କରିବା ପର୍ଯ୍ୟନ୍ତ ।

 

‘‘ମୋ ପୁଅ ମୁହଁ ଦେଖିବା ପର୍ଯ୍ୟନ୍ତ ମୁଁ ଏକା ରହିବି ।’’ ଏକଥା ସେ ଲେଖିଛି । କିନ୍ତୁ ତାକୁ ଠିକଣା ଦେଇଛି ଓ ଆସିବାକୁ ବାରଣ କରିଛି ।

 

ଲେନିକୁ ପାଖରେ ରଖିପାରିବାର ଦୁରାଶା ପୁଣି ଥରେ ମନକୁ ଆସିଲା; କିନ୍ତୁ କିପରି ? ସେ କ’ଣ ଘର, ପରିବାର ନ ଥାଇ ବଞ୍ଚି ପାରିବ, କେବଳ ପିଲାଟିକୁ ଧରି ? ଆଲେନକୁ ସେ ତାର ଅନିଚ୍ଛା ସତ୍ୱେ ଅନୁଭବ କଲା । ତାକୁ ନିନ୍ଦା କରିବା କଥା ନୁହେଁ, ସେ ଯାହା ଆଶା କରିଥିଲା, ସ୍ୱାଭାବିକ ଓ ଭଲ ମଧ୍ୟ । କେବଳ ସେଥିରେ ଲେନିର ଭାଗ ନ ଥିଲା । ତାର ବାପଘର ବି ଲେନିକୁ ନିଜର କରିବେ ନି । କାହାକୁ ନିନ୍ଦା କରି ହେବ ନି । କେବଳ ସେଇ ଆଇନ—ଯେ ବିବାହକୁ ନିଷେଧ କଲା; କିନ୍ତୁ ବାଧାଦେଇ ପାରିଲା ନି ଲେନିର ଜନ୍ମକୁ । ଯେଉଁ ପ୍ରେମ ଲେନି କୁ ଜନ୍ମ ଦେଲା, ସେ ପ୍ରେମକୁ ଆଇନ ବାଧାଦେଇ ପାରିଲା ନାହିଁ । ଆଇନ କେବେ ପ୍ରେମକଥା ହୃଦୟ କଥା ବିଚାର କରେ ନାହିଁ । ଏବେ ବି ସେ ଆଲେନକୁ ଭଲପାଏ—ସବୁଦିନେ ଭଲ ପାଇବ । ଯେମିତ ଜଣେ ମୃତ ଆତ୍ମୀୟକୁ ଭଲପାଇ ମନ ହନ୍ତସନ୍ ହୁଏ, ଠିକ୍‌ ସେହିଭଳି ।

 

ଏଇ ସୁନ୍ଦରୀ ଜାପାନୀ ଝିଅକୁ ଡକ୍ଟର ଷ୍ଟେନର କୌତୁହଳରେ ଦେଖିଲେ । ମଳିନ ଯୁବସୁଲଭ ମୁହଁରେ ଅଛି ଏକ ନିଥର ନିର୍ବେଦତା । ସ୍ଥିର ଆଖି ଗୁଡ଼ିକ ଏକ ମୁଖା ଉପରେ କଳା କଳା ଗାତ ଭଳି ମନେ ହେଉଛି । କୋମଳତା ଥିଲେ ବି ମୁହଁଟି ଶକ୍ତ ଓ ପ୍ରାଚ୍ୟ ଲୋକମାନଙ୍କ ଭଳି ଚର୍ମ ତାର କୋମଳ । ଏଇ ଯୁବତୀର ନୀରବତା ଦୃଢ଼ ଥିଲା । ଯୁବତୀଟି ନିଜକୁ ଦୁଃଖ ପାଇଁ ପ୍ରସ୍ତୁତ କରି ସାରିଛି । ମିସ୍‌ ବ୍ରେ ତାଙ୍କୁ ଜଣାଇଛନ୍ତି ଜୋସୁ ସାକାଇ ବିଷୟରେ । ସେ ବି ତାର ଆସିବାକୁ ଆଶା କରୁଥିଲେ । କେବେ ସେ ଜାପାନୀ ଲୋକଙ୍କୁ ଦେଖି ନାହାନ୍ତି, ତାଙ୍କର ବାସସ୍ଥଳୀ ଜର୍ମାନୀ । ଯୁଦ୍ଧରେ ଜର୍ମାନୀ ଜାପାନକୁ ଜୟ କରିବାକୁ ଆଶା କରିଥିଲା ।

 

‘‘ତୁମେ ମୋତେ କିଛି କହିବାକୁ ଚାହୁଁ ତ ?’’ ଡକ୍ଟର ଷ୍ଟେନର ପ୍ରଥମଥର ପାଇଁ ବଚାରିଲେ ।

 

‘‘ନାଇଁ, ଆଜ୍ଞା’’ ଉଦାସ ଭାବେ ଜୋସୁ ନିଜର ଆଭାସ ଜଣାଇଲା ।

 

ଡକ୍ଟର ଷ୍ଟେନର ନିଜେ ଗେଡ଼ୀ, ମୋଟୀ ଓ ନିଜର ଚାରିକଣିଆ ଅସୁନ୍ଦର ମୁହଁ ବିଷୟରେ ସଚେତନ । ତାଙ୍କ ଚେହେରା ପାଇଁ ମନରେ ଅପମାନବୋଧ ନାହିଁ । କେଉଁ ଏକ ଧୂସର ପର୍ବତର ପ୍ରାଜୀନ ଗୁମ୍ଫା ଭଳି ଆକର୍ଷଣହୀନ ଏଇ ଜର୍ମାନ୍‌ ଝିଅକୁ କେହିଲୋକ ବିଭାହେବାକୁ ଚାହିଁ ନ ଥିବା ସ୍ୱାଭାବିକ । ତାଙ୍କର ବୁଦ୍ଧି ଚମତ୍କାର, ତେଣୁ ସେ ଜୀବନରେ ଉପଭୋଗ ଛାଡ଼ି ସେବାର ପନ୍ଥା ବାଛି ନେଇଥିଲେ । ମଣିଷ ସୃଷ୍ଟିର ସୁନ୍ଦର ପୁରୁଷ.ନାରୀ ଓ ଶିଶୁମାନଙ୍କୁ କୋମଳ ଓ ଆଶ୍ଚର୍ଯ୍ୟ ଚାହାଣୀରେ ସେ ଚାହାଁନ୍ତି, ସେଥିରେ ତାଙ୍କର ଅସନ୍ତୋଷର ଚିହ୍ନ ନ ଥାଏ । ବର୍ତ୍ତମାନ ସେଇ ଚାହାଣୀରେ ଜୋସୁକୁ ଚାହିଁଲେ ।

 

ଅନେକ ସପ୍ତାହ ହେଲା ଜୋସୁକୁ କେହି ପ୍ରଶଂସା କରି ନ ଥିଲଷ ବା ଦୟା ଦେଖାଇ ନ ଥିଲେ । ଆତ୍ମିକ ଓ ମାନସିକ ସ୍ତରରେ ସେ ସଂପୂର୍ଣ୍ଣ ନିର୍ବେଦ ହୋଇ ଯାଇଥିଲା । ଏଇ ନିର୍ବେଦତାର ଆଘାତରେ ସେ ଭାବୁଥିଲା ତା ରକ୍ତଗୁଡ଼ା ଯେମିତି ବରଫ ପାଲଟି ଯାଉଛି । ପ୍ରକୃତରେ ତାର ହାତ ଓ ପାଦ ଥଣ୍ଡା ଲାଗୁଥିଲା । ଜୋସୁ ଶୋଇଥିବା ଟେବୁଲ ପାଖରେ ଲାଗି ଛିଡ଼ା ହେଲାବେଳେ ଡକ୍ଟର ଷ୍ଟେନର ଏହା ଜାଣିଲେ ।

 

‘‘ତୁମେ ଏତେ ଥଣ୍ଡା ଲାଗୁଛ କାହିଁକି ଝିଅ ? ଆଜି ପାଗ ତ ଗରମ ଲାଗୁଛି ।’’—ସେ କହିଲେ ।

 

‘‘ମୁଁ ସବୁବେଳେ ଥଣ୍ଡା ଥାଏ’’—ସେ ଉତ୍ତର ଦେଲା ।

 

‘‘ଟିକେ ନିଜକୁ କୋହଳ କର । ଏତେ ଟାଣ ପେଶୀକୁ ମୁଁ କିପରି ପରୀକ୍ଷା କରିବି ?’’ ଡକ୍ଟର ଷ୍ଟେନର ଆଦେଶ ଦେଲେ ।

 

ଜୋସୁ କିନ୍ତୁ ନିଜକୁ କୋହଳ କରି ପାରିଲା ନି । ସେ ମାର୍ବଲର ପ୍ରତିମା ପରି ଟାଣ ହୋଇ ପଡ଼ି ରହିଲା । ସେ ଦିଶୁଥିଲା ବି ମାର୍ବଲର ମୂର୍ତ୍ତିପରି । ସେ କିଛି ଭାବୁ ନ ଥିଲା, ଅନୁଭବ କରୁ ନ ଥିଲା, କି ମନେ ବି ରଖୁ ନ ଥିଲା । କେବଳ ଅପେକ୍ଷା କରୁଥିଲା । ପ୍ରତି ସପ୍ତାହରେ କୋବରୀଠାରୁ ଚିଠି ପାଉଥିଲା । ଚିଠିଗୁଡ଼ିକ ଦୀର୍ଘ; ସହାନୁଭୂତି ସଂପନ୍ନ ଓ ମଜା କଥାରେ ପରିପୂର୍ଣ୍ଣ । ସିଦ୍ଧାନ୍ତ କରିବାକୁ ସେ ତାକୁ ବାଧ୍ୟ କରୁ ନ ଥିଲା । କିନ୍ତୁ ଜୋସୁ ତାର ଅଭିଳାଷ ଜାଣି ନିଜକୁ ଦୂରେଇ ରଖିଥିଲା । ତା ପେଟର ଏଇ ପିଲା—ପ୍ରଥମେ ସେ ଭୂମିଷ୍ଠ ହେଉ । ଲେନି ଠୁଁ ଅଲଗା ହୋଇ ନ ସାରିଲେ କୁଆଡ଼େ ଯିବ, କ’ଣ କରିବ, ଜୀବନଟା କେଉଁ ବାଟରେ ଚଳାଇବ ସ୍ଥିର କରି ପାରିବ ନାହିଁ । ଯେତେ ଦୂର ସମ୍ଭବ ଚିନ୍ତା, ଅନୁଭୂତି ରହିତ ହୋଇ ସେ ଅପେକ୍ଷା କରିଛି-। ତଥାପି ଦିନେ ଦିନେ ରାତିରେ ନିଦ ନ ହେଲେ ପତଳା ଟାଣ କନ୍ଥା ଉପରେ ଅଣଓସାରିଆ ବିଛଣାରେ ସେ ପଡ଼ି ରହେ । ଔଷଧ ଖାଇବାକୁ ମନ ବି ହୁଏ ନି । ଲେନି ହେଲେ ଭଲରେ ବଞ୍ଚି ରହୁ । ଏମିତି ବେଳେ ବେଳେ ସେ ହଠାତ୍‌ ଅନୁଭବ କରେ, କିଛି ଭାବେ ନାହିଁ, କେବଳ ଅନୁଭବ କରେ ସତେ ଯେମିତି ବ୍ୟାଣ୍ଡେଜ ଭିତରେ ଥିବା ଏକ ଗଭୀର କ୍ଷତରୁ ରକ୍ତସ୍ରାବ ହେଉଛି ! ତା ପରେ ସବୁ ଅନୁଭବ ଅଶାନ୍ତିରେ ପରିଣତ ହୁଏ, ଅତୀତ ପାଇଁ ନୁହେଁ । ସେ ଯେ ଲେନିକୁ ଦେଖିବ ନି, ତା ସହିତ ରହିବ ନି, ତାର ଟିକି ଶରୀରଟି ବୃଦ୍ଧି ଦେଖି ପାରିବ ନି, ତାର କଥା ଶୁଣି ପାରିବ ନି, କି ହସ ଦେଖି ପାରିବ ନି, ତାକୁ ଗାଧୋଇ ଦେବ ନି, କେମିତି ସେ ଚଳିବ ତା’ ବି ଜାଣି ପାରିବ ନାହିଁ, ସେଇଥିପାଇଁ ଅନେକକ ଅନୁଭବ ଓ ଚିନ୍ତା ପରେ ସେ ଜାଣିଲା ଯେ ମିସ୍‌ ବ୍ରେଙ୍କ କଥା ଠିକ୍‌ । ସେ ଲେନିକୁ ଦେଖିବ ନି, ଦେଖିଲେ ତାକୁ ଛାଡ଼ି ପାରିବ ନି । ସେ ଜାଣୁଛି ତା’ର ଭୟ ବି ହେଉଛି ଯେ ଥରେ ତା ମୁହଁ ଦେଖିଲେ ଆଉ ତାକୁ ଛାଡ଼ି ପାରିବ ନି । ତା ପରେ ସବୁ କିଛି ଭୁଲିଯାଇ ସେ କେବଳ ଦୁଃଖରେ ଟୁକୁରା ଟୁକୁରା ହୋଇ ଭାଙ୍ଗି ପଡ଼ୁଥିଲା । କାରଣ ଏ ତାର କୃତକର୍ମ । ଲେନି ପାଇଁ କରିବାକୁ ଯାଉଥିବା ଏଇ ଅନ୍ୟାୟର ଗ୍ଳାନି ତାକୁ ଅଣନିଶ୍ୱାସୀ କରି ପକାଉଥିଲା, କେତେ ଛୋଟ, ଅସହାୟ ଓ କେତେ ଅପ୍ରସ୍ତୁତ ଅବସ୍ଥାରେ ନିଜର ପଥ ବାଛି ନେବାକୁ ସେ ଲେନିକୁ ଏକାକୀ ଛାଡ଼ି ଯିବ । ତା ପରେ ଏବି ଗୋଟିଏ କଥା, ତାକୁ ପାଖରେ ରଖିଲେ ଭୁଲ ହେବ । ଲେନି କିଛି ଭୁଲ କରି ନି । ପ୍ରକୃତରେ ନିୟମରେ ସେ ଜୀବନ ପାଇଛି, ପ୍ରେମ ତାର କର୍ତ୍ତବ୍ୟ ସମ୍ପାଦନ କରିଛି । ପୂର୍ବର ଛାୟାଜଗତରୁ ପ୍ରେମ ତାକୁ ଆହ୍ୱାନ କରି ଆଣିଛି । ସେ ଖୁସିରେ ଆସିଛି । ସେ ଯେ ଏକ ଅମୃତର ସନ୍ତାନ, ଏ ବିଷୟରେ ଜୋସୁ ବେଶ୍‌ ସଚେତନ । ଗର୍ଭ ଭିତରେ ଚଳ ପ୍ରଚଳ ହୋଇ ସେ ତାର ଆନନ୍ଦ ଜଣାଇ ଦେଉଛି । ପର୍ବତ ଗୁଡ଼ିକ ସକାଳର ଆଲୋକରେ ଝଲସି ଉଠିଲା ବେଳେ ଏକ ସତେଜ ମାଛ ପରି ସେ ପହଁରି ଯାଉଛି । ରାତି ସାରା ଆଖି ଲୁହରେ ଭିଜିବା ପରେ ଜୋସୁ ସତେ କି ଜାଣି ପାରୁଚି ଯେ ଲେନି ଖୁସି ଅଛି ଓ ଶୀଘ୍ର ସେ ଦୁନିଆର ଆଲୋକ ଦେଖି ପାରିବ; କିନ୍ତୁ ଲେନିର ହସ ସେ ମାଆ ହିସାବରେ ଦେଖି ପାରିବ ନି, ଏହି ଚିନ୍ତା ତାକୁ ଅହରହ ବିବ୍ରତ କରିବାକୁ ଲାଗିଲା ।

 

‘‘ତୁମେ ଭଲ ଅଛ । ସବୁ କିଛି ଠିକ୍‌ ଅଛି, ତୁମେ ସ୍ୱାସ୍ଥ୍ୟବତୀ ।’’ ଡ଼କ୍‌ଟଣ ଷ୍ଟେନର ତାକୁ ଜଣାଇଲେ ।

 

‘‘ଧନ୍ୟବାଦ’’ ଜୋସୁ କହିଲା ଓ ଟେବୁଲରୁ ଓହ୍ଳାଇ ପଡ଼ି ପୋଷାକ ପିନ୍ଧିବାକୁ ଲାଗିଲା । ଭଦ୍ରଭାବରେ ସେ ପଛଆଡ଼ କରିଦେଲା ଓ ଡକ୍ଟର ଷ୍ଟେନର ତାର ସୁନ୍ଦର ଗଢ଼ଣ, ଚିକ୍‌କଣ ଶୁଭ୍ର ରଙ୍ଗ ଓ କୋମଳ ଘନ କଳା କେଶ ଦେଖିଲେ ।

 

‘‘ପ୍ରତି ମାସରେ ମୋ ପାଖକୁ ଆସ ।’’ ସେ ସ୍ପଷ୍ଟ କହିଲେ । ତାଙ୍କର ଅନୁମାନ ଠକ୍‌ ଓ ଜର୍ମାନୀ ଢଙ୍ଗର । ‘‘ଡ଼େଲିଭରିବେଳେ ମୁଁ ତୁମ ପାଖରେ ରହିବି । କିଛି ଅସୁବିଧା ହେବ ନି ।’’

 

‘‘ଧନ୍ୟବାଦ’’ ଜୋସୁ ଭଦ୍ର ଭାବରେ ଜଣାଇଲା ଓ ପୋଷାକପିନ୍ଧା ସାରି ମୁଣ୍ଡର ସଜାଡ଼ି ନେଇ ଚାଲିଗଲା ।

 

ସେ ଗଲାପରେ ଡକ୍ଟର ଷ୍ଟେନର ମିସ୍‌ ବ୍ରେଙ୍କୁ ଫୋନ୍‌ କଲେ । ‘‘ମୁଁ ଜାପାନୀ ଯୁବତୀକୁ ପରୀକ୍ଷା କଲି ସେ ଅସାଧାରଣ ଝିଅଟିଏ—ସୁନ୍ଦରୀ ଓ ସ୍ୱାସ୍ଥ୍ୟବତୀ, ନିଶ୍ଚୟ କେହି ଏ ପିଲାଠିକୁ ପାଳିବ । ଝିଅଟି ସଂଭ୍ରାନ୍ତ ପରିବାରର ଭଳି ମନେହୁଏ । ଏପରି ନାରୀ କେବେ ଜଣେ ବାଜେ ପୁରୁଷର ସଙ୍ଗିନୀ ହୋଇ ନ ଥିବ । ତେଣୁ ପିଲାଟି ବୁଦ୍ଧିମାନ, ସୁନ୍ଦର ଓ ସ୍ୱାସ୍ଥ୍ୟବାନ ହେବ । ତୁମ ଅପେକ୍ଷାମାଣ ଦମ୍ପତ୍ତି ଭିତରେ ଏ ପିଲାଟିକୁ ଗ୍ରହଣ କଲାଭଳି କେହି ଅଛନ୍ତି କି ?’’ ସେ ବଡ଼ ପାଟିରେ କହିଲେ, ତାଙ୍କର ଧାରଣା ଫୋନରେ ଉଚ୍ଚ ସ୍ୱରରେ କଥାବାର୍ତ୍ତା କରିବା ଦରକାର ।

 

‘‘ଆପଣ ଆଶ୍ଚର୍ଯ୍ୟ ହେବେ’’ ଫୋନରେ ମିସ୍‌ ବ୍ରେଙ୍କ ସ୍ୱର ଶୁଭିଲା । ସ୍ୱର ଶୁଷ୍କ ଓ ହତାଶିଆ । ସେ ନାକରେ କଥା କହନ୍ତି ।

 

‘‘ଆମ ତାଲିକାରେ ତିନିଶହ ସତର ଜଣ ବାପ ମା’ ଅଛନ୍ତି । ସମସ୍ତେ ତାଙ୍କର ମୃତ ପିଲାମାନଙ୍କ ପାଇଁ ମୋ ପାଖରେ ଦାବୀ କରୁଛନ୍ତି, ନିନ୍ଦା ବି କରୁଛନ୍ତି ଯେ ମୁଁ ତାଙ୍କୁ ପିଲା ଯୋଗାଇ ଦେଉନାହିଁ; କିନ୍ତୁ ମୁଁ ଆପଣଙ୍କୁ ଦୃଢ଼ ଭାବରେ କହୁଛି ଏ ପିଲାକୁ ନେବାକୁ କେହି ରାଜି ହେବେ ନି ।

 

ଡକ୍ଟର ଷ୍ଟେନର ପାଟିକଲେ ‘‘ହାୟ ! ଏପରି ଗଣତନ୍ତ୍ର ମୋତେ ହିଟଲର କଥା ଭାବିବାକୁ ଦେଉଛି, ମୁଁ ନିଜେ ଆଠ ଭାଗରୁ ଭାଗେ କିଉ, କିନ୍ତୁ ହିଟଲରଙ୍କ ପାଇଁ ମୁଁ ପୁରା ଜିଉ ।’’

 

ମିସ୍‌ ବ୍ରେ କିଛି ଉତ୍ତର ଦେଲେ ନି । ସେ ଗର୍ବୀ, ବହୁ ଆଗରୁ ମଣିଷର ମନ୍ଦଗୁଣ ଜାଣିଛନ୍ତି । ସେ ବରଂ ଏଇ ମୋଟୀ ଲେଡ଼ି ଡ଼ାକ୍ତରଙ୍କୁ ଭଲପାଆନ୍ତି । ସେ ନିଜର ଧାରଣା କହିଲେ ଓ ସେ ଜାଣନ୍ତି ଡକ୍ଟର ଷ୍ଟେନର ଏ ସବୁ ସ୍ପଷ୍ଟ କଥାକୁ ପସନ୍ଦ କରନ୍ତି । ଦୁଇ ଜଣ ଅନେକ ସମୟରେ ଏକାଠି କାମକରନ୍ତି । ମେକ୍‌ସିକାନ୍‌ ଓ ନିଗ୍ରୋ ପିଲାଗୁଡ଼ାକ ଅନାଥାଶ୍ରମରେ ଭର୍ତ୍ତି ହୋଇ ଗଲାବେଳେ ଡକ୍ଟର ଷ୍ଟେନର କଳି କରନ୍ତି ।

 

‘‘କେହି ସେମାନଙ୍କୁ ନେବାକୁ ଚାହାନ୍ତି ନି’’ ମିସ୍‌ ବ୍ରେ ଧୈର୍ଯ୍ୟ ସହକାରେ ବାରମ୍ୱାର କହନ୍ତି ‘‘ଗୋରାଲୋକେ ଚାହାନ୍ତି ନି ଆଉ ମେକ୍‌ସିକାନ, ନିଗ୍ରୋମାମାନେ ତ ଅନେକ ନେଲେଣି, ଆପଣ କ’ଣ ଜାଣନ୍ତି ନାହିଁ ?’’

 

‘‘ନାଁ—’’ଡକ୍ଟର ଷ୍ଟେନର ଚିଡ଼ନ୍ତି ‘‘ପିଲା ତ ପିଲା—ନୁହେଁ କି ?’’ ନ ହସି ସେ ଖୋସାମତ କରନ୍ତି । କିନ୍ତୁ ମିସ୍‌ ବ୍ରେ ଭାବନ୍ତି ଡକ୍ଟର ଷ୍ଟେନର ନିଜର ନୀତି ଅନୁସାରେ ଜଣେ ସାଧାରଣ ଜର୍ମାନ ଲୋକ ।

 

ଏହାଦେଖି ଦିନେ ସିଧାସଳଖ ଡକ୍ଟର ଷ୍ଟେନର ପଚାରିଲେ ‘‘ତୁମର ପିଲାଟିଏ ଥିଲା କି ବ୍ରେ ?’’

 

ମିସ୍‌ ବ୍ରେ ଲାଜେଇ ଗଲେ ଓ ପରେ ଶେଥା ପଡ଼ିଗଲେ । ‘‘ଦେଖନ୍ତୁ ମୁଁ କେବେ ଦୁନିଆଁକୁ ପିଲାଟିଏ ଆଣିବାକୁ ଭାବି ନି, ହୁଏ ତ ପାରିଥାନ୍ତି । ମୁଁ ଚାହେଁ ଏ ପିଲାଜନ୍ମ କାରବାର ଶହେ ବର୍ଷ ବନ୍ଦ ହୋଇ ଯାଆନ୍ତା କି !’’

 

‘‘ତା’ ପରେ ଆରମ୍ଭ ହୁଅନ୍ତା ?’’ ଡକ୍ଟର ଷ୍ଟେନର ଆଗ୍ରହରେ ପଚାରିଲେ ।

 

‘‘କେବଳ ଏହି ଆଇନ ସମ୍ମତ ଅନୁମତି ଓ କାଗଜପତ୍ର ଦେଖାଇଲେ ପିଲାଟି ହୋଇପାରିବ ।’’ ମିସ୍‌ ବ୍ରେ ଉତ୍ସାହିତ ହୋଇ କହିଲେ ।

 

ଡକ୍ଟର ଷ୍ଟେନର ଥଟ୍ଟାକରି କହିଲେ ‘‘ହୁଏ ତ ଶହେ ବର୍ଷ ପରେ କେହି ବାପା ମା ବାହାରି ନ ପାରନ୍ତି ।’’

 

‘‘କିନ୍ତୁ ଅବୈଧ ପ୍ରେମକରି ପିଲାଜନ୍ମ କରୁଥିବା ଲୋକେ ନିଶ୍ଚୟ ଥିବେ ।’’ ମିସ୍‌ ବ୍ରେ ପ୍ରଜନନ ଶକ୍ତିର ଚିରାଚରିତ ଶତ୍ରୁତାକୁ ଘୋଷଣା କଲେ ।

 

‘‘ଆଚ୍ଛା, ତୁମେ ଚେଷ୍ଟା କରିବ ନି ?’’ ଡକ୍ଟର ଷ୍ଟେନର ତୀକ୍ଷ୍ମ ସ୍ୱରରେ ଫୋନ୍‌ରେ କହିଲେ ।

 

‘‘ମୁଁ ଠିକ୍‌ କରି ପାରୁ ନି । ଭାବୁଛି ସେ ପଶ୍ଚିମାଞ୍ଚଳର କୌଣସି ଅନାଥାଶ୍ରମକୁ ଯିବ ।’’ ମିସ୍‌ ବ୍ରେ କ୍ଷୀଣ କଣ୍ଠରେ କହିଲେ ।

 

ସେଠି ଆଉ ପିଲା ରଖିବାକୁ ଟିକେ ବି ଜାଗାନାହିଁ ।’’ ଡକ୍ଟର ଷ୍ଟେନର ପାଟିକଲେ ।

 

‘‘ତା ହେଲେ ମୁଁ କ’ଣ କରିବି ?’’

 

‘‘ଏ ତୁମର କାମ ବ୍ରେ’’ ଡକ୍ଟର ଷ୍ଟେନର ସେହିପରି ବଡ଼ ପାଟିରେ କହିଲେ । ‘‘ମୁଁ ପିଲାକୁ ଜୀବନ୍ତ ଓ ସୁସ୍ଥଭାବେ ଜନ୍ମ କରାଇବି, ସେତିକି କେବଳ ମୋର କାମ ।’’

 

ରସିଭରକୁ କଚାଡ଼ିଦେଇ ସେ ପଣତରେ କପାଳ ପୋଛିଲେ । ସେ ଅଧିକାଂଶ ସମୟରେ ରାଗନ୍ତି, ରାଗିଲେ ତାଙ୍କ କପାଳରୁ ଝାଳବୁହେ । ସେ ଏତେ ମୋଟା ଲୋକ ଯେ ରାଗିବା ତାଙ୍କ ପାଇଁ ଭଲ ନୁହେଁ । ଜର୍ମାନ ଶିବିରରେ ଦୁର୍ଭିକ୍ଷ ପରେ ଆମେରିକାରେ ସେ ଭଲ ଖାଇବା ଜିନିଷ ପାଉଛନ୍ତି । ତାଙ୍କ ଚେହେରା ଦେଖି କେହି ଖୁସି ହେବାର ନୁହେଁ । ଦରକାର ନାହିଁ, ଏଠାରେ ଗୁଡ଼ାଏ ଦିନ ବଞ୍ଚି ରହିବାକୁ ଇଚ୍ଛା ନାହିଁ ।

 

ସେ ତାଙ୍କର ଭୀରୁ ନର୍ସକୁ ପାଟିକରି ସଙ୍କେତ ଦେଲେ । ‘‘ଆଉ କିଏ ଅଛନ୍ତି, ଶୀଘ୍ର ଆଣ ।’’

 

ସେ ଭୟଙ୍କର ମାସଗୁଡ଼ିକ ଅତିକ୍ରାନ୍ତ ହୋଇଗଲା । ଦିନଗୁଡ଼ିକ ଶୂନ୍ୟ ଓ ରାତିଗୁଡ଼ିକ ଅନ୍ଧାରୁଆ ଗୁମ୍ଫା ଭଳି ଉଦାସ ଓ ଫାଙ୍କା ଲାଗୁଥିଲା । ବିଦାୟର ମୁହୂର୍ତ୍ତ ଯେତେ ନିକଟେଇ ଆସିଲା, ଜୋସୁ ସେତେ କମ୍‌ କାନ୍ଦିଲା । ତା’ର ମନ ଓ ଅନ୍ତର ଛିନ୍ନଭିନ୍ନ ହୋଇ ପଡ଼ୁଥିଲା । ଅନ୍ୟ ପକ୍ଷରେ ତାର ଦେହ କଷ୍ଟପାଇଁ ପ୍ରସ୍ତୁତ ହେଉଥିଲା । ନାରୀ ଓ ଶିଶୁ ଭିତରେ ଜନ୍ମ ଏକ ଯୁଦ୍ଧ । ନିଚର ସ୍ୱାଧୀନତା ପାଇଁ ଶିଶୁ ମା’ ସହିତ ଯୁଦ୍ଧକରେ । ନାରୀ ନିଜକୁ ପ୍ରାଣକୁ ବଞ୍ଚାଇ ରଖେ । ଆଉ ଜନ୍ମ କରିବା ପାଇଁ ବା ଖାଲି ବଞ୍ଚି ରହିବାପାଇଁ ନାରୀ ନିଜକୁ ବଞ୍ଚାଏ । ତାର କାମ ସରିଯାଏ । ବଂଶ ରକ୍ଷାପାଇଁ କର୍ତ୍ତବ୍ୟ ତାର ସମାପ୍ତ ହୁଏ । ସେ ରହିଯାଇ ଅଚେତନ ହୋଇପଡ଼େ ।’’

 

‘‘ଆ–ହା’’ ଡକ୍ଟର ଷ୍ଟେନର ଖୁସିରେ ପାଟିକଲେ । ଯେଉଁ ଶିଶୁପାଇଁ ସେ ଟାଣି ଶିଶୁପାଇଁ ସେ ଅପେକ୍ଷା କରୁଥିଲେ ତାକୁ ମା’ର ଗର୍ଭକୋଷରୁ ସେ ଟାଣି ଆଣିଲେ । ଛୋଟ ପୁଚୁ ପୁଚୁ ପୁଅଟିଏ, ସୁନ୍ଦର ଗଠନ,ଟିକେ ଡ଼େରିରେ ହେଲା ପୂର୍ଣ୍ଣ ଅବୟବରେ । ଏ ପିଲାଟି ପାଇଁ ଆଶ୍ଚର୍ଯ୍ୟ ରକମର ଆଗ୍ରହ ଓ ଧୈର୍ଯ୍ୟ ସହକାରେ ଅପେକ୍ଷା କରିଥିଲେ । ସାରା ବସନ୍ତ ଋତୁରେ ଏଇ ଅନାବଶ୍ୟକ ପିଲାପାଇଁ ପ୍ରଥମେ ଆନନ୍ଦ ଓ ପରେ ଉତ୍ତେଜନା ସେ ନିଜଠାରେ ଲକ୍ଷ୍ୟ କରିଛନ୍ତି । ଏ ପିଲା ଅସାଧାରଣ ହେବ, ବିଶ୍ୱସନ୍ତାନ ବୋଲି ସେ ତାକୁ କହୁଛନ୍ତି, ସେ ହେବ ଦୁଃସାହସୀ ସମସ୍ତ ପୁଞ୍ଜିଭୂତ ଘୃଣା ଓ ଆଇନର ନିଷେଧ ସତ୍ତ୍ୱେ ସେ ଜନ୍ମ ହୋଇଛି । ନିର୍ଭୀକ ସନ୍ତାନ, ଏକ ନୂତନ ଜଗତରୁ ସୃଷ୍ଟିକର୍ତ୍ତା ।

 

‘‘ଆଃ’’ ପିଲାକୁ ଚାହିଁ ସେ ନରମ କରି କହିଲେ । ପିଲାଟି ଚାହିଁ ପାରିବ ନି ସେ ଜାଣନ୍ତି, କିନ୍ତୁ ସେ ତାଙ୍କ ଆଡ଼କୁ ଚାହିଁଲା ପରି ଲାଗିଲା । ତା’ର ଅତି କଳା ଆଖି ଓ ଖୁରୁସୁଣିଆ ଛୋଟ ମୁହଁଟି; ତାଙ୍କୁ ଅଭିଭୂତ କରି ପକାଇଲା । ‘‘ପୁଅଟିଏ’’ ସେ ଜୋସୁକୁ କହିଲେ ।

 

ଜୋସୁ ଆନାସ୍ଥେସିଆର ପ୍ରକୋପରେ ନିରୁତ୍ତର ହୋଇ ଶୋଇ ରହିଥିଲା ।

 

‘‘ପିଲାଟିକୁ ନେଇଯାଅ ନି, ମୁଁ ତାକୁ ପାଳିବି’’ ଡକ୍ଟର ଷ୍ଟେନର ନର୍ସକୁ କହିଲେ ।

 

ଗୋଟାଏ ପୁରୁଣା ସଫା ଚାଦରରେ ତାକୁ ଜାକି ନର୍ସ ବିଛଣାରେ ଶୁଆଇଦେଲା । ଡକ୍ଟର ଷ୍ଟେନର ବିଛଣା ପାଖକୁ ଯାଇ ତାକୁ ଦେଖିଲେ । ତା’ ମା କହୁଥିଲା ପିଲାଟି ଛୋଟ ହେବ, ସତକଥା । କିନ୍ତୁ ଇଥରନେବା ପୂର୍ବରୁ ସେ କୋନ୍‌ଟାକୁ ଆସ୍ତେକରି ଅଳ୍ପ ଘୁଞ୍ଚାଇ ସ୍ପଷ୍ଟ ଭାବରେ ଅପେକ୍ଷାମାଣ ଡ଼ାକ୍ତରଙ୍କୁ କହିଲା, ‘‘ଦୟାକରି ଦୁଇଟି କଥା ମନେ ରଖିବେ ମୁଁ ପିଲାଙ୍କୁ ଦେଖିବାକୁ ଚାହେଁ ନି, ଆଉ ତା’ ନାମ ଲେନି ରଖିବେ ।’’

 

‘‘ସେଜ୍ଞା କ’ଣ ?’’ ଡକ୍ଟର ଷ୍ଟେନର ପଚାରିଲେ ।

 

‘‘ନାଁ, କିଛି ନାଇଁ’’ ଜୋସୁ କହିଲା ଓ ତା ପରେ ଅତି କଷ୍ଟରେ ଆନାସ୍ଥେସିଆ କୋନ୍‌ଟାକୁ ମୁହଁ ଉପରେ ଦୃଢ଼ ଭାବରେ ରଖିଲା ।

 

‘‘ଲେନି’’ ଡକ୍ଟର ଷ୍ଟେନର ପରୀକ୍ଷା କଲେ । ନାଁଟି ତାକୁ ଖାପ ଖାଇଛି । ତାର ଛୋଟ ଚିକ୍‌କଣ ମୁହଁ, ମଳିନ ବା ନାଲି ନୁହେଁ । ତା ଛୋଟ ଶରୀରଟି ଖୁବ୍‌ ଆନୁପାତିକ । ସେ ଛୋଟଟିଏ, ପାଞ୍ଚ ପାଉଣ୍ଡରୁ ଟିକେ ବେଶୀ, ସହଜରେ ଜନ୍ମ ହେଲା । ବାସ୍ତବିକ ଅତି ନିର୍ଭୀକ ଭାବେ ଖୁସିରେ ସେ ଜେଲଖାନାରୁ ଖସି ଆସିଲା ।

 

ହସିବାକୁ ଅଧର୍ଯ୍ୟ ହୋଇ ଲେନି ତାଙ୍କ ଆଡ଼କୁ ଚାହିଁଲା ବୋଲି ସେ କଳ୍ପନା କଲେ । ସେ ଆଶ୍ଚର୍ଯ୍ୟ ହେଲେ, ସଦ୍ୟ ପ୍ରସୂତ ଶିଶୁ ଅନେକବେଳ ଶୁଅନ୍ତି, ଲେନି କିନ୍ତୁ ଶୋଇ ନି । ସେ ପୋଖତ ହେଲାଣି । ସେଇ ଅସନ୍ଦରୀ, ଦୟାବତୀ ନାରୀ ତାଙ୍କ ଛାତିରେ ଏକ ଯନ୍ତ୍ରଣା ଅନୁଭବ କଲେ । ତତାଙ୍କର ପିଲା ହୋଇ ନି କି ସେ କେବେ ଚାହିନାହାନ୍ତି । ହୁଏ ତ ସେ ପିଲାପାଇଁ ଆଶା କରିବାକୁ ନିଜକୁ ସୁଯୋଗ ଦିଅନ୍ତି, ଶିଶୁ ଏକ ଆଗନ୍ତୁକ ଯେ କି ଅତି ସାବଧାନତା ସହକାରେ, ଯତ୍ନରେ ଏକ ସୁସ୍ଥ ଜୀବନ ପାଇଁ ପ୍ରସ୍ତୁତ ହୁଏ । ମା ଓ ପିଲାର ଶରୀର ସହିତ ସେ ସଂପୃକ୍ତ । ଶରୀର ପ୍ରତି ତାଙ୍କର କର୍ତ୍ତବ୍ୟ ରହିଛି, ତା ଛଡ଼ା ସେ ଅଧିକ ଚିନ୍ତା ବା କୌତୁହଳ ଦେଖାନ୍ତି ନାହିଁ; କିନ୍ତୁ ଲେନି ପରି ପିଲା ସେ ଆଗରୁ କେବେ ଦେଖି ନ ଥିଲେ । ଧଳା ଚାଦରର; ଗୁଡ଼ାହୋଇ ତାର ଛୋଟ ହାତ ଦୁଇଟି ଗାଲତଳେ ଅଛି, ତାର ବଡ଼ ବଡ଼ କଳା ଆଖି ଡକ୍ଟର ଙ୍କ ସମ୍ମାନ ଦେଖାଉଛି । ତାଙ୍କରି ପରି ସେ ଜଣେ ମଣିଷ !’’ ପିଲାଟି ବୋଧହୁଏ ଭାବୁଛି ।

 

ଏଇ ଢଳଢଳ ଅସହାୟ ଚାହାଣୀ ତାର ଯୁବତୀ ମା’ଟି ଦେଖି ପାରିଲା ନି, ଡକ୍ଟର ଷ୍ଟେନର ଶୋଚନା କଲେ । ସେ ରୋଗୀକୁ ଚାହିଁଲେ ଓ ନର୍ସର ବିଛଣା ବିଛାଉଥିବାର ଦେଖିଲେ । ନର୍ସମାନେ ଖୁବ୍‌ ହୁସିଆର । ଜୋସୁ ଶୋଇଛି, ସତେ ଯେମିତି ସେ ଉଠିବାକୁ ଚାହୁଁ ନି । ସେ ଆରାମରେ ଅଚେତନ ହୋଇ ଶୋଇଚି । ଅତି ମଳିନ ଦିଶୁଚି, ଡକ୍ଟର ପୁଣି ତା’ ନାଡ଼ି ଦେଖିଲେ । ନା ସେ ବେଶ୍‌ ସୁସ୍ଥ ଓ ସତେଜ ଅଛି, ଠିକ୍ ଅଛି । କେବଳ ଉଠିବାକୁ ଚାହୁଁ ନି ତେଣୁ ଆନାସ୍ଥେସିଆ କଡ଼ା ଜଣାଯାଉଛି ।

 

‘‘ତାଙ୍କୁ ପଦାକୁ ନେଇଯାଅ । ସେ ପିଲାକୁ ଦେଖିବାକୁ ଚାହେଁ ନି ।’’ ଡକ୍ଟର ନିର୍ଦ୍ଦେଶ ଦେଲେ ।

 

ଦୁଇଜଣ ଅର୍ଦ୍ଦନ ଦରଜା ବାହାରେ ଅପେକ୍ଷା କରୁଥିଲେ ଓ ନର୍ସର ଡ଼ାକରା ମାତ୍ରେ ସେ ଭିତରକୁ ଆସି ଠେଲା ଖଟକୁ ଠେଲି ଠେଲି ନେଇଗଲେ । ପିଲାକୁ ନେବାକୁ ଆଉଜଣେ ନର୍ସ ଆସିଲା । ଡକ୍ଟର ଷ୍ଟେନର ତାକୁ ଅପେକ୍ଷା କରିବାକୁ ଆଦେଶ ଦେଲେ ।

 

‘‘ମୁଁ ପିଲାଟିକୁ ତନ୍ନ ତନ୍ନ ପରୀକ୍ଷା କରିବାକୁ ଚାହେଁ, ମୁଁ ତାକୁ ସଫା କରିବି ।’’ ସେ କହିଲେ ।

 

ନର୍ସ ନିରୁତ୍ତର ରହିଲା । ହସ୍‌ପିଟାଲର ସମସ୍ତେ ଏଇ ଲେଡ଼ି ଡ଼ାକ୍ତରଙ୍କର ଜିଦ୍‌ କଥା ଜାଣନ୍ତି । ସେ ଜର୍ମାନୀ, ନିର୍ଭୀକା ଓ ବାସ୍ତବବାଦୀ । ତେଣୁ ବିଦ୍ରୋହକୁ ଡ଼ରନ୍ତି ନାହିଁ । ତଥାପି ତାଙ୍କର କାର୍ଯ୍ୟଦକ୍ଷତାରେ ସମସ୍ତେ ଆଜ୍ଞାଧୀନ ହୁଅନ୍ତି । ଏଇ ଭଳି ଡ଼ାକ୍ତରଙ୍କ କଥା ଆମେରକାନ୍‌ ଯୁବତୀ ନର୍ସଟି ଅଧେ ବୁଝି ଅଧେ ନ ବୁଝି ବେସିନ୍‌ରେ ଗରମପାଣି, ସାବୁନ, ସଫା ଗଜକନା ଓ ତଉଲିଆ ଆଣିଲା । ଟିକେ ବି ତର ତର ନ ହୋଇ ଅପେକ୍ଷାରତା ଅନ୍ୟ ରୋଗୀଙ୍କ କଥା ନ ଭାବି ଡକ୍ଟର ଷ୍ଟେନର ଛୋଟ ପୁଅଟିକୁ ଯତ୍ନରେ ସଫା କରିବାକୁ ଲାଗିଲେ । ତା’ର ଅବୟବକୁ ନିରୀକ୍ଷଣ କଲେ, ତା’ଣ ଚାରିକଣିଆଁ କାନ୍ଧ, ବୁଦ୍ଧିମାନ ମସ୍ତିଷ୍କ, ଛୋଟ ପାଟି ଓ ଅସାଧାରଣ ଆଖି ଦୁଇଟିକୁ ପରୀକ୍ଷା କଲେ ।

 

‘‘ଭାରି ବଢ଼ିଆ ପିଲା’’—ସେ ନର୍ସକୁ ଜଣେଇଲେ ।

 

‘‘ୟା’ଠାରେ କିଛି ଅଛି । ଏ ସାଧାରଣଠୁଁ ଅଧିକ ବୁଝି ପାରୁଛ ନର୍ସ ? ୟା’ ଦେହରେ ଜାତିଗତ ଚିହ୍ନ ଅଛି, ଦୁଇଜାତି ମିଶିଲେ ଏ ଭଳି ଦେଖାଯାଏ । ଏ କଥା ହିଟଲର ଆଦୌ ବୁଝିପାରୁ ନ ଥିଲେ । ଯେତେବେଳେ ପୁରୁଣାଗୁଡ଼ିକ ଚାଲିଯାଆନ୍ତି, ନୂଆ କିଛି ଜନ୍ମ ନିଏ । ଆଃ, ହଁ ।’’

 

ନର୍ସଟି ଭଲକରି ଶୁଣି ପାରିଲା ନି । ଯୁବତୀ ନର୍ସଟିର କେଶ ନାଲି ଓ ଗୋଲାପୀ ମୁହଁଟି ସୁନ୍ଦର, ସେ ନିଜକଥାରେ ମଗ୍ନ ଥାଏ । ଆଜି ଆଠ ଘଣ୍ଟା ଡ଼ିଉଟି, ସରିବାକୁ ଆହୁରି ଘଣ୍ଟାଏ ଅଛି । ତା ପରେ ଅଧରାତିଯାଏ ତା’ର ବ୍ୟକ୍ତିଗତ ପୋଗ୍ରାମ ଅଛି, ସେଇ ଯୁବକ ସହିତ ଅନେକ ମଜାକଥା ଘଟିବ; କିନ୍ତୁ ତାକୁ ସେ ବିଭାହୋଇ ପାରେ ନ ହୋଇ ପାରେ ବି ? ସେ ଲୋକ ନିଶ୍ଚୟ ଜାପାନୀ, କି ଜିଉ ଜାର୍ମାନୀ କିମ୍ୱା କୌଣସି ଅଦ୍ଭୁତ ଜାତି ନୁହେଁ । ସେ ଖାଣ୍ଟି ଆମେରିକାନ୍‌ ଲୋକ-।

 

ତଥାପି ସେ ନିଷ୍ଠୁର ନୁହେଁ । ଡକ୍ଟର ଷ୍ଟେନର ତା କୋଳରେ ପିଲାଟିକୁ ଦେବାରୁ ସେ ଆଗ୍ରହରେ ଧରିଲା, ପିଲାମାନଙ୍କ ପ୍ରତି ଯତ୍ନନେବା ବିଷୟରେ ଟ୍ରେନିଂ ପାଇଛି । ପିଲାଦିନୁଁ ଶିଶୁଟି କୋମଳ ଆନ୍ତରିକତା ପାଇଲେ ତା’ର ଜୀବନ ଭଲ ହେବ । ଏହା ନିଶ୍ଚିତ । ପ୍ରତିଦିନ ପ୍ରସୂତୀ ଗୃହରେ ପ୍ରତି ପିଲାକୁ ନର୍ସଟି ପନ୍ଦର ମିନିଟ ଧରେ ଓ ପିଲାଟି ମାତୃତ୍ୱରେ ଉଷ୍ମତା ପାଏ ।

 

‘‘ଦୋଳିରେ ପିଲାଟିକୁ ରଖ’’ ଡକ୍ଟର ଷ୍ଟେନର ଆଦେଶ କଲେ ।

 

‘‘ମୁଁ ପ୍ରତିଦିନ ଆସି ତାକୁ ଦେଖିବି ।’’

 

‘‘ଭଲକଥା, ଡକ୍ଟର ଷ୍ଟେନର’’ ଆଜ୍ଞାଧୀନ ନର୍ସଟି ଉତ୍ତର ଦେଲା । ଦୋଳିରେ ଶୋଇଥିବା ଆଇରିସ୍‌ ପୋଲିସ କର୍ମଚାରୀର ସପ୍ତଦଶ ସନ୍ତାନ ସେ ଝିଅଟିକୁ ଉଠାଇଲା ଓ ଲେନିକୁ ସେଠାରେ ରଖିଲା । ବିଛଣା ଚାଦର ବଦଳାଇବା ନିହାତି ଉଚିତ । କିନ୍ତୁ ନୂତନ ପ୍ରସୂତି ପିଲାଟି ଅଧାଜାପାନୀ—ସହଜରେ ମରିଯିବ ନାହିଁ ।

 

ଆଉ ସେ ଆଇରିସ୍‌ କନ୍ୟାଟି ବି ସୁସ୍ଥ । ସମୟ ଗଡ଼ିଯାଉଛି, ସେ ଶୀଘ୍ର ହେଡ଼୍‌ନର୍ସକୁ ଆହୁରି କେତେ ଛୋଟ ଛୋଟ କାମ କରିଥିବାର ତାଲିକାଦେବ । ଦରକାରୀ ପୋଷାକ କେଇଖଣ୍ଡ ସେ ଶୀଘ୍ର ଲେନିକୁ ପିନ୍ଧାଇଦେଲା । ଶିଶୁକନ୍ୟା ଢାଙ୍କିଥିବା ପିଙ୍କ୍‌ ପ୍ଳାନେଲର କମଳ ଘୋଡ଼ାଇ ଦେଇ ଶୁଆଇ ପକାଇଲା । ଡକ୍ଟର ଷ୍ଟେନର ଦେଖିବାକୁ ଆସିବେ, ତେଣୁ ଯତ୍ନରେ ସବୁକାମ କରିବାକୁ ହେବ । ଡକ୍ଟର ଭାରି କ୍ଷଣକୋପୀ, ଜର୍ମାନୀମାନେ କାହାକୁ ଡ଼ରନ୍ତି ନି । ସେ ରାଗିଲେ କଡ଼ା କଡ଼ା ଜର୍ମାନୀ ଶଦ୍ଦ ବକନ୍ତି, କେହି ବୁଝିପାରନ୍ତି ନି, କିନ୍ତୁ ସେ ଗୁଡ଼ାକ ଅକଥନୀୟ ।

 

ସେଇ ରାତିରେ ଘରକୁ ଫେରିବା ପୂର୍ବରୁ ଡକ୍ଟର ଷ୍ଟେନର ସେବିକା ଗୃହକୁ ପ୍ରବେଶକରି କୋଣର ନିକଟକୁ ଗଲେ । ସେଇଠି ସେ ଅନ୍ୟ ଶିଶୁଟି ଶୋଇଛି ଶାନ୍ତିରେ । ସଦ୍ୟ ପ୍ରସୂତ ଅଧିକାଂଶ ଶିଶୁଭଳି ସେ ଜାକିଜୁକି ହୋଇ ପଡ଼ି ନି, ଛୋଟ ଦେହକୁ ତା’ର ଲମ୍ୱାଇଛି, ହାତ ଖୋଲି ଦେଇଛି । ତା’ର ଅତିଛୋଟ ସୁନ୍ଦର ହାତରୁ ଗୋଟିଏ ସେ ଧରିଲେ । ହଁ ହାତ ଖୁବ୍‌ ଢଲା । ପାଶ୍ଚାତ୍ୟ ଶିଶୁମାନଙ୍କ ପରି ଏସିଆର ଶିଶୁମାନଙ୍କ ହାତମୁଠା ଓଦା ଓଦା ଲାଗେନାହିଁ ଏ କଥା ସେ ପଢ଼ିଥିଲେ । ଏଇ ଲମ୍ୱା ଆଙ୍ଗୁଳିଗୁଡ଼ିକ ଫୁଲର ପାଖୁଡ଼ା ଭଳି ନରମ ଓ ଖୋଲା । ଏଇ ପିଲାମାନେ ବୋଧେ ନିଜର ଭାଗ୍ୟ ନେଇ ଜନ୍ମ ହୁଅନ୍ତି । ପ୍ରତିବନ୍ଧକ ମାନନ୍ତି ନି । ଏମାନଙ୍କର ପୂର୍ବ ପୁରୁଷମାନଙ୍କ ବୁଦ୍ଧିକୁ ରକ୍ତରେ ଧରି ବୁଦ୍ଧିମାନ ହୋଇଥାଆନ୍ତି । ଶରୀରର କ୍ଷୟ ପରେ ଏପରି କିଛି ଅଛି ତାହା ବର୍ତ୍ତମାନ କେବଳ କଳ୍ପନା କରାଯାଇ ପାରିବ । କିନ୍ତୁ ମଣିଷ ଜୀବନକୁ ଅଧିକ ସମୀକ୍ଷକଲେ ଆତ୍ମାର ରହସ୍ୟ ଜଣାପଡ଼ିବ, ଏ କଥା ସେ ଭାବୁଥାନ୍ତି, ତା ପରେ ଲେନିକୁ ନିରୀକ୍ଷଣ କରି ତା’ର ଅସହାୟତା କଥା ଭାବିଲେ—ଏଇ ପୃଥିବୀର କୌଣସିଠାରେ ଜଣେ ହେଲେ କେହିନାହିଁ ଯେ ତା’ର ବଞ୍ଚିବା ମରିବା କଥା ଭାବିବ । ତାର ଜନ୍ମକୁ କେହି ଅପେକ୍ଷା କରି ନାହିଁ । ହସ୍‌ପିଟାଲରେ ଅଳ୍ପ କିଛିଦିନ ବିତାଇ ସେ କେଉଁଠି ଯାଇ ରହିବ ?

 

ସେ ତାଙ୍କର ଦି ଚକିଆ ଗୋଲେଇ କାରରେ ଘରକୁ ଫେରିଲେ । ସହର ବାହାରେ ତାଙ୍କର ଘରଟି ଆଧୁନିକ ବଂଲୋ ଧରଣର, ଛୋଟ ଓ ସୁନ୍ଦର । ସେ ଛୋଟ ଭଡ଼ାଘରେ ରହିବାକୁ ଚାହିଁଥିଲେ ବି ପାରିଲେ ନି, ତାଙ୍କୁ ଅସହ୍ୟ ବୋଧହେଲା । ଘରର ଯତ୍ନ ନେଇ ନପାରୁଥିଲେ ବି ଘରଟିଏ ତାଙ୍କର ଦରକାର । ବାହାରକୁ ଗଲେ ଘରେ ଚାବିଦିଅନ୍ତି । ବର୍ତ୍ତମାନ ଚାବି ଖୋଲିଲେ । ଘରକୁ ପରିଷ୍କାର ରଖିବାକୁ ସେ ଶୀଘ୍ର ଉଠିପଡ଼ନ୍ତି, ଘରର ଜିନିଷ ସବୁ ସେମିତି ଆଗଭଳି ଇତସ୍ତତଃ ହୋଇ ପଡ଼ିଛି, କାହାକୁ ଭଲ ଦିଶିବ ନି; କିନ୍ତୁ ତାଙ୍କୁ ଭଲଲାଗେ । ଟେବୁଲ ସାରା ବହି ଓ ପାମ୍ପଲେଟ୍‌, ଗୋଟାଏ ନଡ଼ାର ମସିଣା ଉପରେ ଛୁରୀ, ଫକଚାମୁଚ, ପ୍ଳେଟ ଓ କପ୍‌ ଥୁଆ ହୋଇଛି-। ଛୋଟ ଘରଟିସାରା ସେ ସେ ବୁଲିଲେ । ଦୁଇଟି ରୁମ୍‌, କପ୍‌ବୋର୍ଡ଼ ଥିବା ଛୋଟ ରୋଷେଇ ଘର, ସଂକୀର୍ଣ୍ଣ ଗାଧୁଆ ଘରଟିଏ । ଘରେ ବୁଲିବୁଲି ଜର୍ମାନ ଭାଷାରେ ବଡ଼ପାଟିରେ ଗପୁଥିଲେ, ଗାଧୋଇଲେ ଓ ଫିକାକନାର ଜାମା ପିନ୍ଧିଲେ । ତରକାରୀ ଗରମକରି, ବାଦାମୀ ପାଉଁରୁଟିକୁ କାଟି ରାତ୍ରି ଭୋଜନ କଲେ ।

 

ଗୁଣୁଗୁଣୁ ହୋଇ ନିଜକୁ ପଚାରିଲେ ସେ ପାଗଳ ହୋଇ ଯାଇନାହାନ୍ତି ତ ? ପିଲାଟିଏ ରଖି ସେ କ’ଣ କରିବେ–ସେ କେମିତି ଦରମା ଦେଇ ଜଣେ ଆୟା ରଖିବେ ? ଏ ପିଲାର ବିଶେଷତ୍ୱ, ଜଣେ ମୂଲ୍ୟବାନ ମଣିଷ–ଯାହାକୁ ଅନାଦର କରିହେବ ନି, ଯାହାକୁ ଫିଙ୍ଗି ଦେଇ ହେବ ନି, ଟେବୁଲ ପାଖରେ ବସିଯାଇ ତାଙ୍କ ଉପର ଓ ତଳ ପାଟିର ନକଲି ଦାନ୍ତକୁ କାଢ଼ିଲେ, ତା ପରେ ଆରାମରେ ମାଢ଼ିରେ ଖାଦ୍ୟ ଚୋବେଇଲେ, ରୁଟିକୁ ଝୋଳରେ ବୁଡ଼ାଇ ନରମ କଲେ । ଅବରୁଦ୍ଧ ଶିବିରରେ ସେ ସବୁ ଦାନ୍ତ ହରାଇଛନ୍ତି । କେତେକ ହଲିଲା ଓ ପଡ଼ିଗଲା । ସେ କେବଳ ଭଲ ଦିଶିବାକୁ ନକଲି ଦାନ୍ତ ଲଗାନ୍ତି । ଆରାମ କରିବାକୁ ଚାହିଁଲେ ସେ ଗୁଡ଼ାକୁ କାଢ଼ିପକାନ୍ତି । ତାଙ୍କର କଷ୍ଟକର ବଡ଼ ବଡ଼ ଅପରେସନ ଥିଲେ ନର୍ସକୁ ଡ଼ାକି ଦାନ୍ତ କାଢ଼ି ଦେଇଅଛନ୍ତି । ‘‘ରଖିଆ, ସେ ମୋର ଭାରି ଦରକାରୀ ।’’ ସେ ରୁକ୍ଷ ଭାବରେ ଆଦେଶ ଦିଅନ୍ତି ।

 

ଖାଇସାରିଲା ପରେ ଦାନ୍ତକୁ ଭଲ ଭାବରେ ମାଜି ରୋଷଘର ସିଙ୍କରେ ଥିବା ଆଣ୍ଟି ସେପ୍‌ଟିକ୍‌ ଗ୍ଲାସରେ ତାକୁ ପକାଇ ଦିଅନ୍ତି । ପ୍ଲେଟ୍‌ ସଫାକରି ସାରି ସକାଳ ପାଇଁ ମସିଣାକୁ ସଜାଡ଼ି ଦିଅନ୍ତି । ଫିକା ନାଲି ଭେଲଭେଟ୍‌ରେ ଆବୃତ ଏକ ବଡ଼ ଚୌକିରେ ବସିଯାଆନ୍ତି । ତା ପାଖରେ ଏକ ଚାରିଜଣିଆ ଟେବୁଲ ଥାଏ ଓ ତା’ ଉପରେ ଟେଲିଫୋନ୍‌ ଥାଏ, ପତ୍ରିକା, ବହି, ପାମ୍ପଲେଟ, ପାଣ୍ଡୁଲିପି, ସିଗାରେଟ୍‍ ବାକ୍‌ସ, ରୋଷଘର ଦିଆସିଲି, ଭଙ୍ଗା ପ୍ଲେଟ୍‌, ଆସ୍‌ଟ୍ରେ ସବୁ କିଛି ଥାଏ । ବାକ୍‌ସ ଖୋଲି ସେ ସିଗାରେଟ୍‌ କାଢ଼ିଲେ, ନିଆଁ ଧରାଇ ନୀରବରେ ଟାଣିଲେ, କିନ୍ତୁ ତାଙ୍କ ଭିତରେ ଭୟଙ୍କର ଚିନ୍ତା ସବୁ ମୁଣ୍ଡ ଟେକୁଥିଲା ।

 

ତା ପରେ ଦଶମିନିଟ ପରେ ସେ ଫୋନଧରି ଡ଼ାଏଲ ଘୁରାଇଲେ । ପାଟିକୋଣରେ ସିଗାରେଟ୍‍ ଧରି ମୋଟା ଓଠରେ ଚାପି କଥାବାର୍ତ୍ତା କଲେ ।

 

‘‘ବ୍ରେ—ତୁମେ କହୁଛ ?’’

 

ଦୂରରୁ ମିସ୍‌ ବ୍ରେଙ୍କ କ୍ଲାନ୍ତ ସ୍ୱର ଶୁଭିଲା ‘‘ହଁ, ଡକ୍ଟର ଷ୍ଟେନର ।’’

 

‘‘ପିଲାଟି ଆଜି ଜନ୍ମ ହେଲା ।’’

 

‘‘କେଉଁପିଲା ?’’

 

‘‘ଦେଖ ବ୍ରେ ଏମିତି ବୋକାଙ୍କ ପରି କ’ଣ ହେଉଛ ? ସେଇ ସୁନ୍ଦରୀ ଜାପାନୀ ମାକୁ ତୁମେ ପଠାଇ ନ ଥିଲ ତା’ର ପିଲା ହେବ ବୋଲି । ତୁମେ କେମିତି ଭୁଲିଯାଉଛ ?’’

 

‘‘ଆରେ, ହଁ, ହଁ’’ ।

 

‘‘ବ୍ରେ ମୋ କଥା ଶୁଣି ପାରୁଛ ତ ?’’

 

‘‘ଆପଣ ଏତେ ବଡ଼ପାଟି ନ କଲେ ବି ମୋତେ ଭଲ ଶୁଭିବ ?’’

 

ଡକ୍ଟର ଷ୍ଟେନର ଅନୁମାନ କଲେ ଯେ ମିସ୍‌ ବ୍ରେ କ୍ଲାନ୍ତ ଓ ବିରକ୍ତ ହେଉଛନ୍ତି ।

 

‘‘ମୁଁ ବଡ଼ପାଟି କରୁଛି ବୋଲି ତ ତୁମେ ଭଲ ଶୁଣିପାରନ୍ତ । ଛାଡ଼, ବ୍ରେ ମୁଁ ଠିକ୍‌ କରିଛି, ପିଲାଟିକୁ ରଖିବି ।’’ ସେ ଜଣାଇଲେ ।

 

ଏଇ ଅଦ୍ଭୁତ ସଂବାଦର ପ୍ରତିକ୍ରିୟା କ’ଣ ହେବ ଶୁଣିବାକୁ ସେ ଅପେକ୍ଷା କଲେ । ମିସ୍‌ ବ୍ରେ ଚୁପ୍‌ ରହିଲେ ।

 

‘‘ବ୍ରେ, ମୋ କଥା ଶୁଣି ପାରିଲ ?’’

 

‘‘ହଁ,’’ ମିସ୍‌ ବ୍ରେ ଦୂରରୁ କହିଲେ ‘‘ମୁଁ ଶୁଣିପାରୁଛି; କିନ୍ତୁ ସ୍ୱାମୀ ନଥିବା ସ୍ତ୍ରୀଲୋକମାନଙ୍କୁ ଆମର ପିଲା ଦେବା କଥା ନୁହେଁ ।’’

 

ଡକ୍ଟର ଷ୍ଟେନର ଚିଡ଼ିଗଲେ ‘‘ଅନାଥାଶ୍ରମରେ କେତେଜଣ ସ୍ୱାମୀ ଅଛନ୍ତି ? ତୁମେ ମୋତେ କହିଥିଲ ଏ ପିଲାଟିକୁ ଅନାଥାଶ୍ରମରେ ରଖିବ ବୋଲି । ସେଠାରେ ସେ ଅଜୀର୍ଣ୍ଣ ଝାଡ଼ା ହୋଇ ମରିଯିବ । ଦଶଟା ପିଲା ଏ ବର୍ଷ ଏଇମିତି ମଲେଣି । ମୁଁ ତାକୁ ଏକାଦଶରେ ପରିଣତ କରିବାକୁ ଦେବି ନି । ମୁଁ ତାକୁ ରଖିବି । ତୁମର କିଛି ଅସୁବିଧା ହେଲେ ମୋତେ ଜଣାଇବ ।’’

 

ଦିନଟା ଦୀର୍ଘ ଓ ଉତ୍ତପ୍ତ ଥିଲା । ଅନେକ ଗୁଡ଼ିଏ ରକ୍ତହୀନ ଫୁଲାରୋଗୀ ଗର୍ଭବତୀ ଯୁବତୀ ଆସିଥିଲେ । ମିସ୍‌ ବ୍ରେ ଏଇ ଅବାଞ୍ଛିତ ଯୁବତୀମାନଙ୍କୁ ଦେଖି ବିରକ୍ତ ହୋଇ ଉଠୁଥିଲେ । ଏମିତି ବେଳେ ବେଳେ ଚାକିରି ଛାଡ଼ି ଦେବାକୁ ସେ ଚାହାନ୍ତି । ଭିନ୍ନ ଭିନ୍ନ ଚାକିରି ପାଇଁ ଦରଖାସ୍ତ କରିବାକୁ ଭାବନ୍ତି ।

 

‘‘ଆରେ, ଭଲକଥା, ମୁଁ ଭାବୁଛି ଗୋଟାଏ ପିଲା ଊଣା ଅଧିକ ହେବାରେ କିଛି ଯାଏ ଆସେ ନାହିଁ । ମୁଁ ତାକୁ ପାଳିବାପାଇଁ ଢେର ପାରିବି ନି’’ ସେ ବିରକ୍ତ ହୋଇ ଜଣାଇଲେ ।

 

‘‘ମୁଁ ତାକୁ ପାଳିବି’’ ଡକ୍ଟର ଷ୍ଟେନର ଚିତ୍କାର କଲେ ।

 

‘‘ଭଲ କଥା,’’ ମିସ୍‌ ବ୍ରେ ଶୁଷ୍କ କଣ୍ଠରେ କହିଲେ, ‘‘ତୁମେ ଦୁଃଖ କରନା; ମୁଁ ତା ମା’ଠାରୁ ଅନୁମତି ଆଣି ତୁମକୁ ପାଳିବାକୁ ଦେବି ।’’

 

‘‘ବେଶ୍‌’’ ଡକ୍ଟର ଷ୍ଟେନର ରିସିଭର୍‌ ଥୋଇ ଦେଲେ । ଚୌକିରେ ଆଉଜି ପଡ଼ି ଜଳି ଯାଉଥିବା ସିଗାରେଟ୍‍କୁ ଅନ୍ୟମନସ୍କ ଭାବରେ ଶୋଷିବାରେ ଲାଗିଲେ ।

 

ଜୋସୁକୁ ଅନୁମତି ପତ୍ର ଦିଆ ହେଲାବେଳେ ସେ ଇତସ୍ତତଃ ହେଲା । ସେ ସ୍ଥିର କରିଛି, ଦସ୍ତଖତ କରିବ । ଶୂନ୍ୟ ଏକ ଅନୁଭବରେ ସେ ଦସ୍ତଖତ କରିବାକୁ ଅକ୍ଷମ ହୋଇ ପଡ଼ିଲା । ଏଇ ଅନୁମତି ପତ୍ରର ଏଜେନ୍‌ସିର ନାମ ଛଡ଼ା, ଆଉ କିଛି ନାମ ନାହିଁ । ପିଲାଟି କୁଆଡ଼େ ଯାଉଛି ସେ ଜାଣି ପାରୁ ନି । ଏଇ କାଗଜରେ ନିଜ ନାଁ ଦସ୍ତଖତ କରିବା ଶକ୍ତିର ଅତୀତ ବୋଲି ମନେକଲା । ଏଇ କାଗଜ ଲେନିକୁ କୌଣସି ବ୍ୟକ୍ତି ବିଶେଷକୁ ନ ଦେଇ ଏକ ଏଜେନ୍‌ସିକୁ ଟେକି ଦେବ ।

 

‘‘କେହି କଣ ପିଲାଟିକୁ ନେବେ ନି ? ସେ ମିସ୍‌ ବ୍ରେଙ୍କୁ ପଚାରିଲା । ମିସ୍‌ ବ୍ରେ ଶୁଷ୍କ କଣ୍ଠରେ ଜଣାଇଲେ ‘‘ତୁମେ ସେ କଥା ନ ଜାଣିବା ଭଲ !’’

 

ଜୋସୁ ନୀରବରେ ଶୁଣିଲା ଓ ପରେ ହଠାତ୍‌ ମୁଣ୍ଡନଇଁ ସେ ଶୀଘ୍ର ଶୀଘ୍ର ‘ମା’ ସ୍ଥାନରେ ନିଜର ଦସ୍ତଖତ ଦେଲା । ଶବ୍ଦଟି ଉପରେ ତା’ର ଆଖି ପଡ଼ିଲା । ହଁ ସେ ମା, ସେ ହିଁ କେବଳ ପିଲାଟିକୁ ତ୍ୟାଗ କରି ପାରିବ, ତା’ ସେ କରିଛି । ଲୁହ ତା’ ଆଖିରେ ଭରିଯାଇ ଘଞ୍ଚ ଆଖି ପତା ଉପରେ ଝୁଲି ରହିଲା । ମିସ୍‌ ବ୍ରେ ତା ଦେଖିବାକୁ ଉପରକୁ ଚାହିଁଲେ ନି । କାଗଜଟିକୁ ନେଇ ଭାଙ୍ଗି ରଖିଲେ ।

 

‘‘ମୁଁ ଏତିକି କହିପାରେ, ପିଲାଟାର ଅବସ୍ଥା ଜାଣିବାକୁ କେବେ ଚାହିଁଲେ ଆମକୁ ଲେଖିବ । ତା’ର କିଛି ଘଟିଲେ ଆମେ ତୁମକୁ ଜଣାଇବୁ । କିନ୍ତୁ ଏସବୁ ଭଲ ନୁହେଁ, ତାକୁ ଭୁଲିଯିବାକୁ ମୁଁ ତୁମକୁ ଉପଦେଶ ଦେବି ।’’

 

‘‘ଧନ୍ୟବାଦ’’ ଜୋସୁ ଅସ୍ପଷ୍ଟ ଭାବରେ କହିଲା । ଉଠିପଡ଼ି, ଆଖି ପୋଛି ହ୍ୟାଣ୍ଡବ୍ୟାଗ୍‍ଟି ଧରିଲା, ‘‘ବିଦାୟ’’ ସେ ଆହୁରି ଅସ୍ପଷ୍ଟ ଭାବେ କହିଲା ।

 

‘‘ବିଦାୟ’’ ମିସ୍‌ ବ୍ରେ କହିଲେ ।

 

ଜୋସୁ ସୂର୍ଯ୍ୟାଲୋକରେ ଚାଲିଲା । ତା’ର ନିଜ କୃତକର୍ମ ହେଲେ ବି ତାକୁ ହାଲୁକା ଲାଗୁଥିଲା । ଡକ୍ଟରଙ୍କ ପାଖକୁ ଶେଷ ପରୀକ୍ଷା ପାଇଁ ଯିବ ବୋଲି ସେ କହି ଆସିଛି । ଡକ୍ଟର ଟିକିଏ ରାଗୀ ହେଲେ ବି ଅସାଧାରଣ ଦୟାବତୀ, ଶକ୍ତମନା, ସ୍ତ୍ରୀ ଲୋକଙ୍କୁ ଆପଣାର ଭାବନ୍ତି । ତାଙ୍କ ସହିତ ଗପିବ ବୋଲି ସେ ଥରେ ଦି’ଥର ଭାବିଛି; କିନ୍ତୁ ଗପ କରି ନି । ଅଚିହ୍ନା ଲେିକଙ୍କୁ କିଛି ନ କହିବା ଭଲ । ଏଇ ପରୀକ୍ଷା ସରିଲେ ସେ କୋବରୀକୁ ଲେଖିବ, ସାକ୍ଷାତ କରିବ ଓ ତା ପରେ କ’ଣ କରିବ ସେମାନେ ସ୍ଥିର କରିବେ । ଏ କଥା ନିଶ୍ଚିତ ଯେ ସେ ଆଲେନ୍‌କୁ ଚିଠି ଦେବ ନି, ତାମୁ ଆଉ ଦେଖା କରିବ ନି । ଆଲେନ୍‌ ପ୍ରତି ତାର ଯେଉଁ ପ୍ରେମ ରହିଛି—ତା’ ଜଣେ ମୃତ ବ୍ୟକ୍ତି ପାଇଁ-। ତା’ ପାଇଁ ଆଲେନ୍‌ ବଞ୍ଚି ନାହିଁ-। ତା’ର ସ୍ମୃତିକୁ ସରହଦରେ ସେ ପଇତରା ମାରିବାକୁ ଆସିବ ନି । ଦିନର ସପନ ପରି ସେ ଥିଲା ଅଳିକ । ସବୁ ବନ୍ଧନ ସେ ଛିଡ଼ାଇ ଦେଇଛି । ଜୋସୁ ମୁହୂର୍ତ୍ତକ ପାଇଁ ଅନ୍ତରରେ ଏକ ଅବ୍ୟକ୍ତ ବ୍ୟଥା ଅନୁଭବ କଲା । ଏଇ ଦହନରୁ ତାର ମୁକ୍ତି ଲୋଡ଼ା-। କାଲିଫର୍ଣ୍ଣିଆରେ ତ୍ୟାଗର ଜୀବନ କେହି ବିତାଇ ପାରିବନି ଏ କଥା ସେ ଜାଣେ । କାଲିଫର୍ଣ୍ଣିଆ ତା’ ପାଇଁ ପୁରୁଣା, ଯଦି ଓ ତା’ର ଆକାଶତଳେ, ତା’ରି ରାସ୍ତା ଉପରେ ସେ ଅନେକ ଦିନ ବିତାଇଛି-

 

ଡକ୍ଟର ଙ୍କ ଅଫିସରେ ସେ ପଶିଲା—ମଳିନ ଓ ବିଷର୍ଣ୍ଣ ଭାବରେ । ଡକ୍ଟର ଷ୍ଟେନର ତାକୁ ଅପେକ୍ଷା କରିଥିଲେ । ମିସ୍‌ ବ୍ରେ ଜଣାଇଥିଲେ ଯେ ଯୁବତୀଟି ତା’ର ପିଲା ବିଷୟରେ କିଛି ଜାଣିନି-। ତାକୁ କିଛି କୁହାଯିବ ନି । ଡକ୍ଟର ଷ୍ଟେନର ଚିଡ଼ିଯାଇ ଚୁପ୍‌ ରହିଲେ । କ’ଣ କରିବେ ସେ କଥା ନିଜେ ସ୍ଥିର କରିଛନ୍ତି । ବିବାହ ମୁଦ୍ରିକା ନ ଥିବା ହାତରେ ହ୍ୟାଣ୍ଡ ବ୍ୟାଗଟିକୁ ଧରି ଜୋସୁ ତାଙ୍କ ସାମ୍ନାରେ ବସିବାକ୍ଷଣି ସେ କଥା ଆରମ୍ଭ କଲେ ।

 

ଜୋସୁର ମଳିନ ବେଶ ଭିତରେ ଏକ ପ୍ରଚ୍ଛନ୍ନ ଆନନ୍ଦ ଦେଖି ଡକ୍ଟର ଷ୍ଟେନର କହିଲେ ତରତରରେ କହିଲେ, ‘‘ମୁଁ ତୁମକୁ ଜଣାଉଛି, କିନ୍ତୁ ତୁମେ ବ୍ରେଙ୍କୁ କିଛି କହିବ ନାହିଁ । ସେଇ ବୋକୀ, ସରଳ ନାରୀଟି ସହିତ ମୁଁ କଳି କରିବାକୁ ଚାହେଁ ନି ।’’ ସେ ଆଗକୁ ଝଙ୍କିପଡ଼ି ସ୍ୱରକୁ ଟିକେ କମାଇ ଦେଲେ ।

 

‘‘ମୁଁ କହୁଛି, ମୁଁ ତୁମ ପିଲାକୁ ରଖିଚି । ସେ ମୋ ପାଖରେ ରହିବ । ସେ ଜଣେ ଅସାଧାରଣ ଶିଶୁ, ଏକଥା ମନେ ରଖ । ତାକୁ ନଷ୍ଟ ଯୋଗ ନାହିଁ, ଅନେକଙ୍କ ଆଖିରେ ସେ ମୂଲ୍ୟହୀନ ହୋଇପାରେ । ମୁଁ ତାକୁ ରଖିବି ଓ ତା’ ଜୀବନର ମହାମୂଲ୍ୟ ବିଷୟଟି ମୁଁ ତାକୁ ଶିକ୍ଷା ଦେବି । ତା ଛୋଟ ବ୍ୟକ୍ତିତ୍ୱ ଦ୍ୱାରା ସେ ସାରା ବିଶ୍ୱକୁ ଚମତ୍କୃତ କରିବ ।’’ ଡକ୍ଟର ଷ୍ଟେନର ତାଙ୍କର ଛୋଟ ମୋଟା ବାହୁକୁ ବୁଲାଇ ଚାରିଦିଗକୁ ଦେଖାଇଲେ ‘‘ମୁଁ ତାକୁ ଜଣେ ବଡ଼ ମଣିଷ କରିବି, କାରଣ ସେ ବିରାଟ ମଣିଷ ହୋଇ ଜନ୍ମ ହୋଇଛି ।’’

 

ଜୋସୁ ଆଶ୍ଚର୍ଯ୍ୟ ଓ ଭାବାବିଷ୍ଟ ହୋଇ ଏ କଥା ଶୁଣିଲା, ସେ ବି ଆଗକୁ ଝୁଙ୍କି ପଡ଼ିଲା । ଅତି ମାତ୍ରାରେ କ୍ଷୀର ଝରୁଥିବାରୁ ତା’ର ବ୍ୟାଣ୍ଡେଜ ହୋଇଥିବା ଛାତି ଭୀଷଣ ବିନ୍ଧୁଥିଲା । ହସ୍‌ପିଟାଲରେ ନର୍ସ କହୁଥିଲା ‘‘ପିଲାଟିକୁ ଶୁଆଇ ଦିଅ ।’’

 

‘‘ତା’ ହେଲେ ପିଲାଟି କେଉଁଠି ଅଛି ମୁଁ ଜାଣି ପାରିବି ?’’ ଜୋସୁ ନିଶ୍ୱାସ ମାରିଲା ।

 

ଡକ୍ଟର ଷ୍ଟେନର ଦୃଢ଼ କଣ୍ଠରେ କହିଲେ ‘‘ତୁମର ଜାଣିବା ଉଚିତ ହେବ ଝିଅ, ସେ ପିଲା ଅଦ୍ଭୁତ ବୋଲି ମୁଁ କହୁଛି । ତୁମେ ଇଚ୍ଛା କଲେ ପିଲାଟିକୁ କିଛି ସମୟ ପାଇଁ ନେଇଯାଅ, କିମ୍ବା ଇଚ୍ଛା ହେଲେ ମୋ ଘରକୁ ଆସି ତା’ ପାଖରେ ରହିପାର ।’’

 

‘‘ବାଃ, ଧନ୍ୟବାଦ’’ ତା’ର ସବୁ ସିଦ୍ଧାନ୍ତ ଉଭେଇଗଲା ।’’ ମୁଁ ବେଶିଦିନ ରହିବି ନି । ମାତ୍ର ଗୋଟିଏ ରାତିପାଇଁ ।’’ —ସେ କହିଲା ।

 

‘‘ହଉ, ତୁମେ ଆସ । ହେଇଟି ଚାବି ନିଅ । ତୁମେ ନିଜ ମୋ ଘରକୁ ଯାଅ, ମୁଁ ପିଲାକୁ ଆଣୁଛି । ବେଡ଼ରୁମ୍‌ରେ ତା ପାଇଁ କିଣିଥିବା ଦୋଳି ଅଛି, ତୁମେ ସେଠି ଶୋଇବ । ରହିବାଘର କାଉଚ ଉପରେ ମୁଁ ଶୋଇବି । ଦୁଇଦିନ ତୁମେ ତାକୁ ରଖ । ମୁଁ ଏଠି ବ୍ୟସ୍ତ ଅଛି । ବେଶିଦିନ ଚାହିଁଲେ ବି ରହିପାର ।’’

 

‘‘କିନ୍ତୁ ଆପଣ କେମିତି ?’’ ଜୋସୁ ଅଫିସ ଭିଡ଼କୁ ଚାହିଁଲା ।

 

‘‘ମୁଁ ଯୋଗାଡ଼ କରିଛି । ମୋର ଜଣେ ଦୟାଶୀଳ ଉତ୍ତମ ପଡ଼େଶୀ ସ୍ତ୍ରୀ ଲୋକ ଅଛନ୍ତି, ଜଣେ ବୁଢ଼ୀ ମା’, ବେଶୀ ବୁଢ଼ୀ ନୁହଁନ୍ତି, ତାଙ୍କର ପିଲାମାନେ ମରି ଯାଇଛନ୍ତି । ମୁଁ ଅଫିସରେ ରହିଲେ ସେ ତାକୁ ନେବେ, ଏମିତି ଚଳିଯିବ । ବୁଢ଼ୀମାନେ ପିଲାଙ୍କର ଭଲ ଯତ୍ନ ନିଅନ୍ତି । ପିଲାମାନେ ହିଁ ଜୀବନର ସଫଳତା; ଗତକାଲି ଓ ଆସନ୍ତା କାଲି ମଧ୍ୟରେ ଗୋଟିଏ ଗୋଟିଏ ସେତୁ-। ଯାଅ, ତା’ ପାଇଁ ପ୍ରସ୍ତୁତ ହୁଅ । ଖାଇବାବେଳେ ମୁଁ ତାକୁ ନିଜେ ନେଇଯିବି ।’’ ଡକ୍ଟର ଷ୍ଟେନର କହିଲେ ।

 

ସେଇ ମୋଟା ଛୋଟା ହାତରୁ ଜୋସୁ ଚାବି ନେଲା । କୃତଜ୍ଞତାରେ ମୁଣ୍ଡ ନୋଇଁ ତାଙ୍କ ହାତକୁ ଓଠରେ ଛୁଆଇଁଲା । କିଛି କହି ନ ପାରି ଚାଲିଗଲା । ତା ମନରେ ଗୋଟିକ ପରେ ଗୋଟିଏ କେତେ କାମର ଖିଅ ଖୋଲିଗଲା । ସେ ତା’ର ସନ୍ତାନକୁ ଧରିବ, ଆଲେନ ଓ ତା’ର ସନ୍ତାନ । ତାକୁ ଧରି ଗାଧୋଇ ଦେଇ ଖୁଆଇଦେବ । କିନ୍ତୁ ସେ ଶୋଇ ପଡ଼ିଲେ କ’ଣ ଆଉ କରିବ-? ତା’ ପାଇଁ କିଛି ପୋଷାକ ସିଲେଇ କରିବାକୁ ହେବ । ସେଇ ପୋଷାକ ହୁଏ ତ ସେ ଦୟାବତୀ, ରାଗୀ ଡ଼ାକ୍ତରାଣୀ ଲେନି ବଡ଼ ହେବା ଯାଏ ସାଇତି ରଖିବ, ତା ଦ୍ୱାରା ମା ଯେ ତାକୁ ଭଲପାଏ, ଲେନି ଜାଣି ପାରିବ । ରାସ୍ତା କଡ଼ର ଦୋକାନରୁ ସେ କିଛି ଗୋଲାପୀ ଓ ନୀଳ ପ୍ଲାନେଲ କିଣିଲା, ଛୁଞ୍ଚି ଓ ରଙ୍ଗ ରଙ୍ଗର ସିଲ୍‌କ ସୂତା କିଣି, କାଖତଳେ ଜାକି ଗୋଟିଏ ଟ୍ରଲି କାର୍‌ରେ ବସି ଘରକୁ ଆସିଲା । ଘରଟି ତାକୁ ଚିହ୍ନା ଚିହ୍ନା ମନେହେଲା । ସେ ଦରଜା ଖୋଲି ଭିତରକୁ ଗଲା । ଏ ଘର ଲେନିର । ସେ ନିଜ ଆଡ଼କୁ ଅନାଇଲା । ଏଇ ବଡ଼ ଘର, ଟେବୁଲ ପାଖର ନିର୍ଜନ ପରିବେଶ, ବହି ସଜା ହୋଇଥିବା କାନ୍ଥ, ପାଉଁଶଭର୍ତ୍ତି ଇଟାର ଚୁଲି ପାଖରେ ଥିବା ବଡ଼ ପୁରୁଣା ଚେୟାର, ଏଇ ସବୁର ସ୍ମୃତି କେବେ ଭୁଲି ହେବ ନି । ଦରଜାଟି ଶୋଇଲା ଘରକୁ ଲାଗିଛି । ଗୋଟିଏ ପୁରୁଣା ପରିଷ୍କାର ଲୁହାଖଟ, ନୂଆ ଫିକା ନୀଳ ରଙ୍ଗର ଦୋଳି ଦେଖିଲା । ନୂଆ ଛୋଟ ଚଦର ଓ କମ୍ବଳ ସେଠି ଅଛି, ବିଛଣା ଏବେ ବି ପଡ଼ିନି । ତା’ର ରୁଦ୍ଧ କୋହର ଉଚ୍ଛ୍ୱାସ ତାକୁ ବାଷ୍ପରୁଦ୍ଧ କଲା । କିନ୍ତୁ ସେ କାନ୍ଦିଲା ନି । ଟୋପି ଓ ଜାକେଟଟିକୁ କାଢ଼ି ପକାଇଲା । ନିଜର ସ୍ୱଭାବସୁଲଭ ଭଙ୍ଗୀରେ ଚଦର, କମ୍ବଳ ସବୁ ପାରି ଲେନିର ପ୍ରଥମ ବିଶ୍ରାମ ଗୃହ ସଜାଇ ଦେଲା । ପବିତ୍ର ସପ୍ତାହର ପ୍ରାରମ୍ଭ ଏମିତି ହେଲା ।

 

ଏ ସପ୍ତାହ ଶେଷ ନ ହେଉଣୁ ସେ ଅଲଗା ହୋଇଯିବେ । ଡକ୍ଟର ଷ୍ଟେନରଙ୍କ ବାହୁରେ ଲେନି ଆସିଲା ଓ ଜୋସୁ ପାରିଥିବା ଶେଯରେ ଶୋଇଲା । ଏଇଟା ଖରାବେଳ, ଗରମ ଲାଗୁଥାଏ, ଘରଭିତରେ କିନ୍ତୁ ଥଣ୍ଡା । ଜୋସୁ ଫ୍ୟାନ୍‌ ଲଗାଇଲା ଓ ବରଫର ବେସିନ ତଳେ ରଖିଲା । ଟେବୁଲର ଆଉ ଗୋଟିଏ ଜାଗାରେ ବସି ରେଫ୍ରିଜରେଟର ଖୋଲିଲା ଓ ଖାଦ୍ୟ ଆଣି ଖାଇବାକୁ ବସିଲା । ସୁକିୟାକି ପରି ତରକାରୀ, ଅଣ୍ଡା ସାଲାଡ଼, ପତଳା ରୁଟିର ଟୋଷ୍ଟ । ଏକ ଫିଡ଼ିଙ୍ଗ ବୋତଲ, ଷ୍ଟେରିଲାଇଜର, ଦୁଧଟିଣ ଓ ଡ଼୍ରେକ୍‌ସଟ୍ରୋଜ ବି ଦେଖିଲା । ଏ ସବୁ ଲେନିପାଇଁ, କିନ୍ତୁ ତା’ର ଖାଦ୍ୟ କିପରି ତିଆରି ହେବ ଜାଣି ପାରିଲା ନି । ତା ପରେ ତା’ ଛାତି ପୁଣି ବିନ୍ଧି ଉଠିଲା, ସେ ଲେନିକୁ କ୍ଷୀର ଖୁଆଇବ କି ।

 

ଲେନି ଆସିଲାବେଳେ ଡ଼ାକ୍ତରକୁ ପ୍ରଶ୍ନିଳ ଆଖିରେ ଚାହିଁ ଥିଲା, ଛାତିରେ ହାତକୁ ରଖି, ବ୍ଲାଉଜର ବୋତାମ ଖୋଲି ସଙ୍କେତ ଦେଇଥିଲା ।

 

‘‘ବିଚରା ପିଲାଟି ଖାଉ’’ ଡକ୍ଟର ଷ୍ଟେନର ଆନ୍ତରିକତା ସହିତ କହିଲେ, ‘‘ତୁମେ ଯିବାବେଳକୁ ମୁଁ କ୍ଷୀର ଖୁଆଇ ଦେବି । ବର୍ତ୍ତମାନ ତାକୁ ନିଅ ।’’

 

ଖୁସି ହୋଇ ଜୋସୁ ଲେନିକୁ ଧରିଲା ଓ ଶୋଇବା ଘରକୁ ଯାଇ କବାଟ ବନ୍ଦ କଲା, ଏକୁଟିଆ ତାକୁ ଧରି କ୍ଷୀର ଖୁଆଇଲା । ଲେନିକୁ ବୋଧହୁଏ ଆଶ୍ଚର୍ଯ୍ୟ ଲାଗୁଥିଲା । ସେ ଚୁଚୁକ ପାଟିରେ ଧରିଲା, ତା’ର ପରିଚିତ କଠିନ କାଚବୋତଲ ଓ ରବର ଚୁଚୁମା ଠାରୁ ଏ ଏତେ ନରମ ! ତା ପରେ ସେ ହଠାତ୍‌ ବୁଝି ପାରିଲା ଓ ବଡ଼ ବଡ଼ ବୁନ୍ଦା କ୍ଷୀର ଶୋଷି ଖାଇବାକୁ ଲାଗିଲା, ଜୋସୁର ମୁହଁକୁ ଚାହିଁ ରହିଲା । ସେଇ ଆଖି ଦିଓଟିକୁ ଚାହିଁ ଜୋସୁର ଦୁଃଖ ଘନୀଭୂତ ହେବାକୁ ଲାଗିଲା, ଦୁଃଖରେ ସେ ବୁଡ଼ିଗଲା । ତା ଆଖିରୁ ବୁନ୍ଦା ବୁନ୍ଦା ଲୁହ ଲେନି ମୁହଁରେ ପଡ଼ିଲା । ପାପୁଲିରେ ସେ ତାକୁ ପୋଛି ଦେଉ ଦେଉ ତା’ ଆଡ଼କୁ ମମତାଭରା ଆଖିରେ ଚାହିଁ ରହିଲା ।

 

ପେଟେ କ୍ଷୀର ପିଇ ଲେନି ଖୁବ୍‌ ଶୀଘ୍ର ଶୋଇପଡ଼ିଲା । ଜୋସୁ ତାକୁ ଶେଯରେ ଶୁଆଇ ଦେଇ ଦୋଳି ଉପରେ ନଇଁପଡ଼ି ତା’ର ମୁହଁ ଦେଖିଲା । ତା’ ହାତ, ତା’ ଚେହେରା, ତାର ଖୋଲା ପାଦ । ଆଲେନ୍‌ର ପାଟି ଓ ଓଠର ବକ୍ରତାକୁ ସେ ଚିହ୍ନି ପାରିଲା । ପିଲାଟି ସୁନ୍ଦର ନ ଦିଶି ଖୁବ୍‌ ଦୃଢ଼ ଦିଶୁଥିଲା । ତା ଗାଲ ତା’ର ବାପା ସାକାଇଙ୍କ ପରି । ହାତ ଗୁଡ଼ାକ ତା’ ନିଜ ହାତ ପରି, ଚଉଡ଼ା କାନ୍ଧ ଦି’ଟା କାହାଭଳି କେଜାଣି, ତାର ତ ଟିକେ ନୁଆଣିଆ କାନ୍ଧ, ଆଲେନ୍‌ର ବି ଏପରି ନୁହେଁ । ତାପରେ ସେ ଆଖିପତା ଦେଖିଲା, ଆମେରିକାନ୍‌ଙ୍କ ପରି । ଏପରି ଲମ୍ବା, ଉପରକୁ ମୋଡ଼ି ହୋଇଥିବା ଆଖିପତା, ଆଲେନର ନୁହେଁ । ତା’ର କେଉଁ ପୂର୍ବ ପୁରୁଷର ହୁଏତ, ଯାହାଙ୍କ ନାମ ସେ କେବେ ଜାଣି ପାରିବ ନି । କେଉଁ ମୃତ ବା ଜୀବିତ ଆମେରିକାନ୍‌ ନାରୀର ସୁନ୍ଦର ଆଖିପତା, ତାହା ସେ ଜାଣି ପାରିବ ନି ।

 

ଦରଜା ଖୋଲିଗଲା । ଡକ୍ଟର ଷ୍ଟେନର ଭିତରକୁ ଆସିଲେ । ନୀରବରେ ଦୁଇଜଣଯାକ ପିଲାକୁ ଘେରି ଠିଆହେଲେ ।

 

ଏହିପରି ସେ ପବିତ୍ର ସପ୍ତାହ ଆରମ୍ଭ ହେଲା । ଗୋଟିଏ ରାତି ଓ ଦୁଇଟି ଦିନ ପାଇଁ ସେ ତିନିଜଣଙ୍କ ଭିତରେ ସମ୍ବନ୍ଧ ସ୍ଥାପନ ଆରମ୍ଭ ହେଲା । ଜୋସୁ ତାଙ୍କୁ ଶେଷରେ ଲେନି ଜୀବନର ସଂକ୍ଷିପ୍ତ ଇତିହାସ କହିଲା । କହୁ କହୁ ଭୁଲି ଯାଇଥିବା କଥା ତାର ମନେ ପଡ଼ୁଥିଲା । ହୁଏତ ସେ ସବୁ ଘଟିଲାବେଳେ ତାର ଲକ୍ଷ୍ୟ ନ ଥିଲା ।

 

ଆମେ ଦୁହେଁ ଯେତେବେଳେ ପ୍ରଥମ ଇଉଷ୍ଟେରିଆ ବୁଦା ତଳେ ଠିଆ ହୋଇଥିଲୁ, ତା’ ମନେ ଆମେ ଯେତେବେଳେ ପରସ୍ପରକୁ ପ୍ରଥମ ଚୁମ୍ବନ କଲୁ, ଜୋସୁ କହିଲା ।

 

ଡକ୍ଟର ଷ୍ଟେନର କହିଲେ । ‘‘ମୁଁ ଜାଣେନା, ମୁଁ କେଉଁ ପୁରୁଷଙ୍କୁ ଚୁମ୍ବନ ଦେଇ ନି । କ’ଣ ତୁମର ହେଲା ?’’

 

‘‘ଆମେ ବାୟୁରେ ଏକ କମ୍ପନ, ମୃଦୁ ପବନରେ ଏକ ଦୋଳନ ଅନୁଭବ କଲୁ, ଯଦିଓ ଦିନ ସ୍ଥିର ଓ ପବନ ଅଚଞ୍ଚଳ ଥିଲା ।’’ ଜୋସୁ ମନେ ପକାଇ କହିଲା । ‘‘ଆମ ସହିତ ଆଉ ଜଣକର ଉପସ୍ଥିତି ଆମେ ଅନୁଭବ କଲୁ । ଆପଣ କ’ଣ ବିଶ୍ୱାସ କରନ୍ତି ତାହା ଏଇ ପିଲାର ଅନାଗ୍ରତ ଆତ୍ମା ?’’

 

‘‘ମୁଁ ଅବିଶ୍ୱାସ କରୁନି’’ ଡକ୍ଟର ଷ୍ଟେନର କହିଲେ । ଆମେରିକାରେ ଯେଉଁମାନେ ଦୁଃଖ କ’ଣ ବୁଝନ୍ତି ନି, ମୃତ୍ୟୁ କ’ଣ ଜାଣନ୍ତି ନି, ଶହ ଶହ ବୃଦ୍ଧ ବାଳକ ନିରୀହଙ୍କ ମୃତ୍ୟୁ ଯେଉଁମାନେ ଦେଖି ନାହାନ୍ତି, ସେଇମାନଙ୍କ ଆଗରେ ଡକ୍ଟର ନୀରବ ରହନ୍ତି । ସେ ବର୍ତ୍ତମାନ ଜୋସୁକୁ ତାଙ୍କର ଆଜୀବନ ସ୍ମରଣ ରଖିବା ଭଳି କେତେକ କଥା କହିଲେ ।

 

‘‘ପ୍ରଥମେ ତୁମେ ଜାଣିବା ଉଚିତ, ସେମାନେ ପ୍ରକୃତରେ ଦୋମିଶା ଛୁଆଙ୍କୁ ମାରିଦେବେ ବୋଲି ଆମର ଧାରଣା ନ ଥିଲା । ଏ ତୁମର ରକ୍ତ ନୁହେଁ, ମୋର ରକ୍ତ; ଜର୍ମାନଙ୍କ ସହିତ ସମାନ ରକ୍ତ । ସେମାନେ କହିଲେ ଆମର ଶୁଦ୍ଧ ରକ୍ତ ଥିବା ଦରକାର, ସତେ ଯେମିତି ବିଭିନ୍ନ ସ୍ଥାନରେ ମଣିଷର ରକ୍ତ ଅଶୁଦ୍ଧ । ତୁମ ରକ୍ତ, ମୋ ରକ୍ତଠୁଁ ଅଲଗା ନୁହେଁ ଝିଅ । ଆମ ଦେହରୁ ସେଇ ଏକା ନାଲି ରକ୍ତ ବାହାରେ । ଯଦିଓ ମୁଁ ଜଣେ ଅସୁନ୍ଦର ବୃଦ୍ଧା ଯଦିଓ, ତୁମେ ଜଣେ ପ୍ରାଚ୍ୟ ଦେଶର ସୁନ୍ଦରୀ ଯୁବତୀ ।’’

 

ନିଜର ପ୍ରଶସ୍ତ କୋଳରେ ସେ ଲେନିକୁ ଧରିଲେ । ତାଙ୍କ ବଡ଼ ସାର୍ଟଟା ଦୁଇ ଆଣ୍ଠୁକୁ ଘୋଡ଼ାଇ ଥାଏ । ଲେନି କିପରି ତାଙ୍କ ବିଶ୍ୱାସର ଏକ ବିରାଟ ସଫଳତା, ସେ କଥା ଜୋସୁକୁ କହିବାକୁ ଚେଷ୍ଟା କଲେ । ‘‘ଏଇ ପିଲାଟା, ଏତେ ସୁନ୍ଦର, ସେ ପରୀକ୍ଷା କରି ଜଣାଇ ଦେଉଛି ଯେ, ମଣିଷ ଦୋମିଶା ବା କଲମୀ ହେଲେ ବେଶୀ ସୁନ୍ଦର ହେବ । ଆଖି ଦୃଶିଆ ହେବ, ଖୁବ୍‌ ବିରାଟ ଲୋକ ହେବ ।’’

 

ରାତିରେ ସେମାନେ ବାଧ୍ୟ ହୋଇ କଥାବାର୍ତ୍ତା ବନ୍ଦ କରି ଶୋଇଲେ । ଲେନି ଶେଯରେ ଶୋଇଲା । ପରଦିନ ଡ଼ାକ୍ତରଖାନାରେ ଛୁରୀ ଧରିଲାବେଳେ ଡ଼ାକ୍ତରଙ୍କ ହାତ କ୍ଲାନ୍ତିରେ ଥରି ଉଠିଲା-। ଜୋସୁ ଯୁବତୀ, ପ୍ରେମ ଅଭାବରେ ଘାଣ୍ଟି ହେଉ ଥିବାରୁ କ୍ଲାନ୍ତି ହୋଇପଡ଼ିଲେ ।

 

କୋମଳ ଦୀର୍ଘବାହୁ ବା ଛୋଟ ମୋଟା ବାହୁ, ଯେ କୌଣସି ବାହୁ ଉପରେ ଲେନି ଶୋଇଯାଏ । ଘରେ ବୁଲାଇଲେ ଶୋଇଯାଏ । ପ୍ରଶସ୍ତ ଆରାମ ଦାୟକ କୋଳ ବା ଗୋଟିଏ ଉଚ୍ଚା ଛାତି, ଯେଉଁଠି ସେ କ୍ଷୀର ଖାଏ, ତା’ ପରେ ଆରାମରେ ଶୋଇଯାଏ । ସେ ସ୍ନେହରେ ଆବଦ୍ଧ । ଦି’ଜଣଙ୍କ ଦ୍ୱାରା ସେ ବର୍ତ୍ତମାନ ଲାଳିତ । ତାର ଗୋପନୀୟ ଏଇ ପ୍ରଥମ ସ୍ମୃତି ଜୀବନସାରା ଅବିସ୍ମରଣୀୟ ରହିବ । କେବଳ ସ୍ନେହ, ସ୍ନେହହିଁ ତାର ସମ୍ବଳ । ପୃଥିବୀର ସେ ସବୁଠାରୁ ବଳି ଆକାଂକ୍ଷିତ ସନ୍ତାନ ।

 

ସପ୍ତାହର ଶେଷ ଦିନ ଆସିଲା ଓ ଜୋସୁ ଯିବାକୁ ବାହାରିଲା । ପ୍ରଥମ ଦିନମାନଙ୍କରେ ଏଇ ଶେଷଦିନକୁ ସେ ଭୟ କରୁଥିଲା । କିନ୍ତୁ ଏବେ ସେ ପ୍ରସ୍ତୁତ ହୋଇ ସାରିଛି । ଏଇ ଘରୁ ସେ ଲେନିକୁ ନେଇଯିବ ନାହିଁ । ସେ ଏଠାରେ ନିରାପଦ ରହିବ । ବାହାରେ କେହି ତାକୁ ସ୍ୱାଗତ ଜଣାଇବେ ନି । ତା’ ପାଇଁ କେହି ଅପେକ୍ଷା କରିବେ ନାହିଁ । ଏଠାରେ କିନ୍ତୁ ତାର କେହି ପ୍ରତିଦ୍ୱନ୍ଦୀ ନାହିଁ । ଏଇ ଅନେକ ଭଲ ମନ୍ଦକୁ ଅଙ୍ଗେ ନିଭାଇଥିବା ସ୍ତ୍ରୀଲୋକଟି—ବିରାଟ ତାଙ୍କର ମାନବିକତା ଓ ଉଦାରତା, ସେ ଲେନିକୁ ଖୁବ୍‌ ସ୍ନେହ କରନ୍ତି । ଲେନି ଏଠାରେ ନିରାପଦ ।

 

‘‘ତୁ ଏଠି ରହିଯା ଝିଅ । ଆମେ ତିନିଜଣ ରହିବା । ମୋର ରୋଜଗାର ଯଥେଷ୍ଟ ହେବ-। ‘‘ଡକ୍ଟର ଷ୍ଟେନର ବାଧ୍ୟ କଲେ ।

 

କିନ୍ତୁ ଜୋସୁ ରହିବ ନି । ‘‘ସେ ମୋର ନୁହେଁ । ମୁଁ ଯଦି ରହେ, ଦିନେ ସେ ମୋତେ ତା ବାପ କଥା ପଚାରିବ । ସେ ପ୍ରଶ୍ନ ମୁଁ ଶୁଣି ପାରିବି ନାହିଁ, ଉତ୍ତର ଦେଇ ପାରିବି ନି । ମୁଁ ଯିବି ।’’ ଜୋସୁ ଜିଦ୍‌ କଲା ।

 

ସେ ଯିବାକୁ ସ୍ଥିର କରିଛି, ଏଇ ପିଲା ଭିତରେ ଆଲେନ୍‌କୁ ବି ଛାଡ଼ିଯିବାକୁ ସ୍ଥିର କରି ସାରିଛି । ବେଳେ ବେଳେ ଏଇ ପିଲାର ଚାହାଣୀ ଦେଖି ସେ ଚମକିପଡ଼େ ଓ ଆଲେନର ଆଖିରେ ଏଇ ପ୍ରକାର ଚାହାଣୀ ଦେଖିଥିବାର ତାର ମନେ ପଡ଼େ । ଏଇ ଚମକ ଶୀଘ୍ର ଅପସରିଯାଏ, ହସରେ ତାର ଅନ୍ତର ଫାଟିପଡ଼େ ।

 

କ୍ଷୀର ଶୁଖାଇବାକୁ ଔଷଧ ନେଇ, ଛାତିକୁ ଭିଡ଼କରି ବ୍ୟାଣ୍ଡେଜ କରି ଜୋସୁ ଘର ଛାଡ଼ିବାକୁ ପ୍ରସ୍ତୁତ ହେଲା । କୋବରୀ ଅପେକ୍ଷା କରିଥିବ, ସେ ସାନଫ୍ରାନସିସ୍କୋକ ଯିବ, ତା’ ସହିତ ସାକ୍ଷାତ ହେବା ମାତ୍ରେ ଭବିଷ୍ୟତ ଗତି ନିର୍ଦ୍ଧାରିତ ହୋଇଯିବ । ପ୍ରେମ ପରିସମାପ୍ତି ହୋଇଥିବାରୁ ତା’ ଅନ୍ତର ଶାନ୍ତ ହୋଇଛି । ବିଦାୟ ମୁହୂର୍ତ୍ତରେ ସେ ଲେନିକୁ ବାହୁରେ ଧରିଲା । ସେ ନିଜେ ତିଆରି କରିଥିବା ନୀଳଯୋତା ଲେନି ପିନ୍ଧିଛି, ତା’ ଉପରେ ପ୍ରଜାପତିର ଏମ୍ବ୍ରୋଡ଼ରୀ ହୋଇଛି । ତାପରେ ସେ ତାକୁ ଡକ୍ଟର ଷ୍ଟେନରଙ୍କ ବାହୁରେ ରଖିଲା, ପଛକୁ ଫେରି ଜାପାନୀ କାଇଦାରେ ନଇଁପଡ଼ି ଅଭିବାଦନ ଜଣାଇଲା । ‘‘ମୋ ଜୀବନ ଓ ପିଲାଟିର ଜୀବନ ପାଇଁ ଆପଣଙ୍କୁ ଅଜସ୍ର ଧନ୍ୟବାଦ ।’’

 

ଲେନିକୁ କାନ୍ଧରେ ପକାଇ ଡକ୍ଟର ଷ୍ଟେନର କହିଲେ ‘‘ଆଉ କେବେ ଏଠାକୁ ଆସିବୁ ?’’

 

ପୁଣି ଥରେ ଜୋସୁ ଅଭିବାଦନ କଲା । ‘‘ଧନ୍ୟବାଦ ।’’ କିନ୍ତୁ ସେ ନିଶ୍ଚିନ୍ତ ଜାଣେ, ଆଉ ସେ କେବେ ଏଠାକୁ ଆସିବ ନି, ସେ କଥା ତାଙ୍କୁ କହିଲା ନି । ତା’ର ଦିନ ଶେଷ ହୋଇଛି । ଅତୀତ ଓ ଭବିଷ୍ୟତ ଭିତରେ ଏଣିକି ଆଉ କୌଣସି ସମ୍ବନ୍ଧ ରହିବ ନାହିଁ ।

 

ସାନ୍‌ଫ୍ରାନ୍‌ସିସ୍କାର ରେଳ ଷ୍ଟେସନଠାରେ କୋବରୀ ଅପେକ୍ଷା କରିଥିଲା । ସେ ଅତି ସୁନ୍ଦର ପୋଷାକ ପିନ୍ଧି ସତେଜ ଦିଶୁଥିଲା । ଯା’ ହେଉ ସେ ପ୍ରଫୁଲ୍ଲ ଅଛି । ତା’ ନିଜ ଜୀବନ ପାଇଁ ଭାଗ୍ୟ ଯାହା ଲେଖିଛି, ତା’ ଭଲରୂପେ ଜାଣି ଗ୍ରହଣ କରିନେବା ଭଲ । ଛୋଟ ଛୋଟ କଥାରେ ସେ ସଂଯତ ରହିବାକୁ ପସନ୍ଦ କରେ । ଏକ ଗାଢ଼ କ୍ରିମ୍‌ରଙ୍ଗର ସିଲ୍‌କରେ ନୂଆ କଟିଂରେ ତିଆରି ହୋଇଥିବା ସୁଟ୍‌ ସେ ପିନ୍ଧିଛି । ଗରମ ଦିନ ପାଇଁ ଏହା ଭଲ । ଦୂର ପର୍ବତରେ କୁହୁଡ଼ି ଘେରିଥିବା ଭଳି ଦିଶୁଛି, ହୁଏ ତ ସନ୍ଧ୍ୟା ସୁଦ୍ଧା କୁହୁଡ଼ି ସମୁଦ୍ର କୂଳଯାଏ ମାଡ଼ି ଆସିପାରେ । ବର୍ତ୍ତମାନ ସୂର୍ଯ୍ୟ କିରଣ ଉଜ୍ଜ୍ୱଳ ଦିଶୁଛି ।

 

ଗାଡ଼ି ଠିକ୍‌ ସମୟରେ ଆସିଲା । ଜୋସୁ ଦେଖିବା ଆଗରୁ କୋବରୀ ଜୋସୁକୁ ଦେଖିପାରିଲା । ସେ ପୁଣି ପୂର୍ବପରି ପତଳା ଓ ସୁନ୍ଦର ଦିଶୁଛି । ତା’ ଅନ୍ତର ସାକ୍ଷାତ କରିବାକୁ ବ୍ୟାକୁଳ ହେଉଥିଲେ ବି ସେ ଅଧୈର୍ଯ୍ୟ ନ ହେବାକୁ ଠିକ୍‌ କଲା । ଜୋସୁ ପ୍ରେମର ଅନୁଭୂତିରୁ ଦୂରେଇ ଯାଇଥିବାର ସେ ମନେକଲା । ନୂଆ ହତାଶୀ ପ୍ରଣୟିନୀ ସହଜରେ ଅଭିଭୂତ ହୁଏନାହିଁ । ଭଦ୍ର ଭାବରେ ସେ ଦୂରେଇ ରହିବ । ନିଜର ଭଦ୍ରତା ହିଁ ତାକୁ ଦୁଃଖ ଦେଲା । ଖବରକାଗଜରେ ୟା’ଭିତରେ ଅନେକ କଥା ବାହାରିଲାଣି; କିନ୍ତୁ ଜୋସୁଠାରୁ ଠିକ୍‌ ଖବର ନ ପାଇବାରୁ ସେ କିଛି ଉପଭୋଗ କରିପାରୁ ନି । ଅନେକ ଚିନ୍ତା ପରେ ସେ ସ୍ଥିର କରିଛି ଯେ, ଖବରଟା ଚିଠିରେ ନ ଲେଖି ନିଜେ ଜୋସୁକୁ ଜଣାଇବ । ତା’ହେଲେ ଜୋସୁର ସୁନ୍ଦର ଆଖି ଓ ମୁହଁରେ ସେ ଆଶାର ଉଜ୍ଜ୍ୱଳତା ଦେଖି ପାରିବ, ଅନ୍ୟ ଦିଗରେ ସେ ତାର ମନକଥା ଜାଣିପାରିବ ।

 

ଟୋପିଖୋଲି, ନୀରବରେ ତା’ପାଖକୁ ଯାଇ ପାଶ୍ଚାତ୍ୟ କାଇଦାରେ ନିଜ ହାତକୁ ବଢ଼ାଇ ଦେଲା । ଜାପାନୀ ନମସ୍କାରଠାରୁ ରେଳ ଷ୍ଟେସନରେ ନିଜ ହାତକୁ ବଢ଼ାଇ ଦେଲା । ଜାପାନୀ ନମସ୍କାରଠାରୁ ରେଳ ଷ୍ଟେସନରେ ଏପରି ବରଂ ଭଲ ।

 

‘‘ଜୋସୁ’’—ସେ ଡ଼ାକିଲା ।

 

ଜୋସୁ ତାକୁ ଦେଖିପାରି ନ ଥିଲା କିନ୍ତୁ ସମ୍ବୋଧନ ଶୁଣି ତା ଆଡ଼କୁ ବୁଲିପଡ଼ିଲା । ‘‘କୋବରୀ—ମତେ ସାକ୍ଷାତ କରି କି ଦୟା ଦେଖାଇଲା !’’

 

ଆସ୍ତେ ସେ ତାର ହାତ ଧରିଲା ଓ ଶୀଘ୍ର ଛାଡ଼ିଦେଲା ।

 

‘‘ସାକ୍ଷାତ କରିବାକୁ ମୁଁ ଉଚିତ ମନେକଲି ।’’ କୋବରୀ—ମତେ ସାକ୍ଷାତ କରି କି ଦୟା ଦେଖାଇଲା !’’

 

ଷ୍ଟେସନ ଓ ପ୍ଲାଟଫର୍ମରେ ସେମାନେ ଲାଗି ଲାଗି ଏକାଠି ଚାଲିଲେ । ବ୍ୟାଗଧରି କୁଲୀ ପଛେ ପଛେ ଆସିଲା । ଜୋସୁର ମୁହଁକୁ ନ ଚାହିଁ କୋବରୀ ଥୟଧରି ପାରିଲା ନି । ସେ ଆଶଙ୍କା କରୁଥିଲା କାଳେ ତା’ ମୁହଁ ମଳିନ ହୋଇଯିବ; କିନ୍ତୁ ତା ହୋଇନି । ସେ ଗମ୍ଭୀର ଓ ସୁନ୍ଦର ଦିଶୁଛି, ଗାଲରେ ଏକ ନରମ ରଙ୍ଗ ଉକୁଟୁଛି । କଳାଆଖି ଦୁଇଟି ନିସ୍ତେଜ ହେଲେ ବି ଶାନ୍ତ । ସେ ବୟସ୍କା ହୋଇଛି, ନୀରବ ଓ ସନ୍ତୁଷ୍ଟ ଥିବାଭଲି ଜଣାଯାଉଛି । ଏଇ ଗୁଣସବୁ କୋବରୀ ପାଖରେ ତା’ର ସୌନ୍ଦର୍ଯ୍ୟକୁ ଗଭୀର କଲା ।

 

ଗୋଟିଏ ଗାଡ଼ି ଡ଼ାକି କୋବରୀ ଜୋସୁକୁ ଭିତରକୁ ଚଢାଇଲା ଓ ନିଜେ ତା ପାଖରେ ବସିଲା । ତା’ଠୁଁ କିଛି ଦୂରରେ ଚମଡ଼ା ହାତତ୍ୟାଗ ଉପରେ ହାତ ଦୁଇଟି ଯାକି ଜୋସୁ ବସି ରହିଲା-। ଫିକା ଟାନ୍‌ସୁଟ୍‌ ସେ ପିନ୍ଧିଥିଲା । ଅତି ସାଦା, ଧଳା ବାଉଜରେ ଛାତି ଭିଡ଼ି ହୋଇଥିଲା ଓ ମୁଣ୍ଡରେ ଥିଲା ଛୋଟ ବାଦାମୀ ନଡ଼ାର ଟୋପି । କୋବରୀର ମନେହେଲା ଜୋସୁ ଏହା ଭିତରେ ବେଶୀ ଆମେରିକାନ୍‌ ପାଲଟି ଯାଇଛି । ଏଥିରେ ସେ ବିରକ୍ତି ବୋଧକଲା । ଆଜିଯାଏ ଜୋସୁକୁ ସେ ଏପରି ପାଶ୍ଚାତ୍ୟ ପୋଷାକରେ ଦେଖି ନ ଥିବା ଅନୁଭବ କଲା । ଅନେକ ଜାପାନୀ ସ୍ତ୍ରୀଲୋକ ପାଶ୍ଚାତ୍ୟ ପୋଷାକରେ ଅସୁନ୍ଦର ଦିଶନ୍ତି । ଜୋସୁ କିନ୍ତୁ ସେପରି ଦିଶୁନାହିଁ ଦେଖି ସେ ଆଶ୍ଚର୍ଯ୍ୟ ହେଲା । ସେ ଏକ କଠୋର ପରୀକ୍ଷାରୁ ଉତ୍ତୀର୍ଣ୍ଣ ହୋଇଛି । ସେଇ ଛୋଟ ଅଦ୍ଭୁତ ଟୋପିତଳେ ତାର ଚେହେରା ବେଶ୍‌ ସୁନ୍ଦର ଦିଶୁଛି ।

 

କୋବରୀ ହଠାତ୍‌ କଥା ଆରମ୍ଭ କରି ପାରିଲା ନି । କ’ଣ ବା କହିବ ? ପିଲାଟି କଥା କିଛି ପଚାରିବାକୁ ସେ ଚାହେଁ ନି । ପିଲାଟି ବଞ୍ଚିଛି କି ନାହିଁ ତା ବି ଜାଣିବା ଦରକାର ନାହିଁ । ପିଲାଟିଠାରେ ତା’ର କିଛି ନାହିଁ ବା ଜୋସୁର ବର୍ତ୍ତମାନ ବି କିଛି ସମ୍ପର୍କ ନାହିଁ । ହୁଏତ ଏଇ ଖବର ଶୁଣି ତା’ର ମନ ପରିବର୍ତ୍ତନ ହୋଇପାରେ, ତାର ମନର ଅବସ୍ଥା ସେ ଜାଣି ପାରିଲାନାହିଁ ।

 

ଅଳ୍ପ ହସି ଜୋସୁ କିଛି ସମୟପରେ ତାକୁ ଚାହିଁଲା ।

 

‘‘ତୁମେ ଭଲଅଛ ?’’ ଭଦ୍ରଲୋକ ସେ ପଚାରିଲା ।

 

‘‘ଖୁବ୍‌ ଭଲ’’ କୋବରୀ ଉତ୍ତର ଦେଲା ।

 

‘‘ଆଉ ତୁମ ବାପା ମା’ ?’’

 

‘‘ସେମାନେ ବି ଭଲ ।’’

 

‘‘ସୁସମ୍ବାଦ ମିଳିଲା ତେବେ ।’’

 

‘‘ଏବେ ତୁମେ ବେଶ ଭଲ ଦିଶୁଛ ।’’ କୋବରୀ କହିଲା ।

 

ଭାଗ୍ୟକୁ ରେଷ୍ଟୁରାଣ୍ଟ ନିକଟେଇ ଆସିଥିଲା । ଗାଡ଼ି ଅଟକିଲା, ଡ଼୍ରାଇଭରକୁ ଭଡ଼ାଦେଇ ସେମାନେ ପଦାକୁ ଆସିଲେ । ଆମେରିକାର ଲୋକମାନେ ବାନ୍ଧବୀମାନଙ୍କୁ ବାହୁ ବେଷ୍ଟନ, କରି ନେଲାଭଳି ସେ ଜୋସୁକୁ ବାହୁରେ ଧରି ନେବାକୁ ଚାହୁଁଥିଲା, କିନ୍ତୁ ଏ ସବୁ କଲାଭଳି ଫାଜିଲ୍‌ ସେ ନୁହେଁ । ଆଗେ ଆଗେ ରେଷ୍ଟୁରାଣ୍ଟକୁ ଯାଇ ଛୋଟ ସୁନ୍ଦର ଜାଗାଟିରେ ଟେବୁଲଟିଏ ବାଛିନେଇ ସେ ଖାଦ୍ୟ ମଗାଇଲା । ଏଇଟା କ୍ରେଏଲ୍‌ ଟେବୁଲଟିଏ ବାଛିନେଇ ସେ ଖାଦ୍ୟ ମଗାଇଲା । ଏଇଟା କ୍ରେଅଲ୍‌ ରେଷ୍ଟୁରାଣ୍ଟ, ଖାଦ୍ୟଗୁଡ଼ା ନିଉ ଅର୍ଲିନସ୍‌ର, କିନ୍ତୁ ତାକୁ ଜାପାନୀ ହୋଟେଲ ଓ ଖାଦ୍ୟ ଭଲଲାଗେ । ତଥାପି ଜୋସୁ ତାର ମନକଥା ନ କହିଲା ପର୍ଯ୍ୟନ୍ତ ସେ ନିଜେ ଧରାପଡ଼ିବା ଠିକ୍‌ ହେବନି ବୋଲି ମନେକଲା । ଟେବୁଲଟି ଝରକାପାଖେ ପଡ଼ିଥିଲା—ସେଠାରୁ ସମୁଦ୍ରକୂଳ ଦିଶୁଥିଲା, ଟେବୁଲ କ୍ଳଥଟି ଥିଲା ଧଳା ଓ ଉଜ୍ଜ୍ୱଳ । ପ୍ଳେଟସବୁ ପରିଷ୍କାର । ଆଗରୁ କିଣି ରଖିଥିବା ଫିକା ପାଟଳରଙ୍ଗର ଆଷ୍ଟର ଓ କମଳାରଙ୍ଗର ଲାନ୍‌ଟାନା ଫୁଲ କିଛି କୋବରୀ ଟେବୁଲ ଉପରେ ରଖିଲା-

 

ଚୌକୀରେ ବସି ଅନେକଦିନ ପରେ ପ୍ରଥମଥର ପାଇଁ ଜୋସୁ ଆନନ୍ଦ ଓ ଆରାମ ଅନୁଭବ କଲା । ‘‘ବର୍ତ୍ତମାନ ମୁଁ ଯାହା ମଗାଇବି ତୁମେ ଖାଇବ । ଏହା ଅତି ଭଲ କ୍ରେଅଲ ଖାଦ୍ୟ । ଏସିଆର ଖାଦ୍ୟଠାରୁ ବେଶୀ କିଛି ଭିନ୍ନ ନୁହେଁ । କିନ୍ତୁ ଆମ ଖାଦ୍ୟଠାରୁ ଅଧିକ ମସଲା ଦିଆ ଯାଇଥାଏ ।’’ କୋବରୀ କହିଲା ।

 

‘‘ମୋତେ ଭୋକ ହେଉଚି । ମୁଁ କୌଣସି କଥା ଭାବୁନାହିଁ କି ଦୁଃଖ କରୁନାହିଁ । ତେଣୁ ମୋତେ ଭଲ ଭୋକ ହେଉଛି ।’’ ଜୋସୁ କହିଲା ।

 

ଜୋସୁ ଦୁଃଖିତା ନୁହେଁ—ଏହା ଏକ ସୁସମ୍ବାଦ । ଏତର କୋବରୀ ହସିଲା, ତା’ର ସମ୍ମାନ ଅବଶ୍ୟ ଭଦ୍ରତା ଖାତିରିରେ ସେ ଜୋସୁକୁ ଜଣାଇବ । କିନ୍ତୁ ଖାଦ୍ୟ ଆସିବାଯାଏ ଅପେକ୍ଷା କଲା । ବୟ ଏବେ ଆଣୁଛି, ରୂପାର ଛୋଟ ଛୋଟ କଂସା, ଗିନା ଓ ଚାମୁଚ । ଗିନା ଭିର୍ତ୍ତିକରି ଦୁହେଁ ପରସ୍ପରକୁ ଚାହିଁଲେ, କୋବରୀ ଜୋସୁକୁ ଆରମ୍ଭ କରିବାକୁ କହିଲା । କଥାବାର୍ତ୍ତା ନ ହୋଇ ଦୁହେଁ ଝୋଳ ପିଇବାକୁ ଲାଗିଲେ । ଭଲ ଖାଦ୍ୟଠାରୁ ମନକୁ ଦୂରେଇ ନେବା ଠିକ୍‌ ନୁହେଁ ବୋଲି ଦୁହେଁ ବେଶ୍‌ ବୁଝିଥିଲେ ।

 

ଅନ୍ୟ ଖାଦ୍ୟ ଆସିବାଯାଏ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଲା । ‘‘ଆମେ ପହଞ୍ଚିଲା ଯାଏ ଏସବୁ ବୋଧହୁଏ ତିଆରି ହୋଇ ପାରି ନ ଥିଲା ।’’ କୋବରୀ ବୁଝାଇଦେଲା ।

 

‘‘ଆମେ ବି ତ ତରତର ହେଉନୁ ।’’ ଜୋସୁ କହିଲା ।

 

‘‘ନାଁ’’ ସେ ପୁଣି କହିଲା, ଧଳା ରୁମାଲରେ ପାଟି ପୋଛିଲା । ଆଦୌ ନୁହେଁ—ସେ କଣ୍ଠ ପରିଷ୍କାର କଲା ‘‘ପ୍ରକୃତରେ ମୁଁ ସମୟ ଚାହୁଁଥିଲି । ତୁମପାଇଁ କିଛି ଖବର ରଖିଛି । ମୁଁ ଜାଣେ ନା ତୁମକୁ ଭଲ ଲାଗିବ କି ନାଁ—’’

 

‘‘ଖବର ?’’ ଜୋସୁ କହିଲା । ତା ମନ ପ୍ରଥମେ ଆଲେନ୍‌ ଆଡ଼କୁ ଧାଇଁଗଲା । କିନ୍ତୁ ତା’ର କି ଖବର ? ବୋଧହୁଏ ତା ବାପା ମା’ଙ୍କ ଖବର ! ଏଣିକି କାଲିଫର୍ଣ୍ଣିଆ ରାଜ୍ୟରେ ଗୋରା ଆମେରିକାନ୍‌ମାନେ ଜାପାନୀଙ୍କୁ ବିବାହ କରିପାରିବେ, ଜଜ୍‌ମାନେ ଏହା ନିଷ୍ପତି କରିଛନ୍ତି ।’’ ଜୋସୁକୁ ଆଶଙ୍କା କରୁଥିବାର ଦେଖି କୋବରୀ ଅତି ସାବଧାନତା ସହକାରେ ଜଣାଇଲା ।

 

ଜୋସୁକୁ ସେ ତୀକ୍ଷ୍‍ଣ ଭାବେ ନିରୀକ୍ଷଣ କଲା । ଏ ଚାହାଣୀର ଅର୍ଥ ଜୋସୁ ବୁଝିପାରିଲା ଓ କୋବରୀକୁ ସିଧା ଚାହିଁଲା ।

 

‘‘ମୋର ସେଥିରେ କ’ଣ ଅଛି ?’’ ସେ ପଚାରିଲା ।

 

‘‘ମୁଁ ଭାବିଲି ତୁମର ଜାଣିବା ଉଚିତ, ୟା ଦ୍ୱାର କିଛି ପରିବର୍ତ୍ତନ ହୋଇପାରେ—ତା ମାନେ ତୁମେ ଯଦି ଚାହଁ, ସେ ଆମେରିକାନ୍‌ ପାଖୁ ଲେଖିପାର । ତା’ ନାମ ମୁଁ ତୁଣ୍ଡରେ ଧରିବି ନି । ବର୍ତ୍ତମାନ ତୁମେ ଦୁହେଁ ଏଠାରେ ଏକତ୍ର ରହିପାରିବ ।’’ ସେ କହିଲା ।

 

‘‘ଆମେ କୌଣସିଠାରେ ଏକାଠି ରହି ପାରିବୁ ନି ଏହା ଆଉ ସମ୍ଭବ ହୋଇ ନ ପାରେ-।’’ ସେ କହିଲା ।

 

ତାର ଛାତିରେ ଏକ ବଡ଼ ବୋଝ ଲଦା ହୋଇଥିଲା ଏଥର, ଉଶ୍ୱାସ ହେଲା । ତା ଦେହରେ ପେଶୀଗୁଡ଼ାକ ସଙ୍କୁଚିତ ହେବାକୁ ଲାଗିଲା ।

 

‘‘ତୁମେ କହୁଛ—ଏ କଥା ଚାହ ନି ?’’

 

‘‘ଚାହିଁବା ନ ଚାହିଁବାର କଥା ନାହିଁ । ଏକଥା ହୋଇପାରିବ ନାହିଁ ।’’ ସେ ଦୃଢ଼ କଣ୍ଠରେ କହିଲା, ଅନ୍ତର ତାର ଭାଙ୍ଗିପଡ଼ିଲା, ‘‘ତୁମେ କ’ଣ ଜାଣିପାରୁ ନ କୋବରୀ, ମୁଁ ଆଉ ପାରିବି ନି ? ଆଇନରେ କିଛି ଯାଏ ଆସେ ନାହିଁ । ଆଲେନକୁ ନେଇ ଜୀବନ ଗଢ଼ି ହେବନାହିଁ ।’’ ଅନ୍ତର ଖୋଲି ସେ ଜଣାଇଲା ।

 

‘‘ତୁମେ କହୁଛ ତୁମର ତା’ଠାରେ ଆଉ କିଛି...ନାହିଁ...’’

 

କୋବରୀର କଥା ଶୁଣି ଜୋସୁ କହିଲା ‘‘ପ୍ରେମ ? ବୋଧହୁଏ ନାହିଁ ହୁଏ ତ ଅଛି । ସେଥିରେ କଣ ବା ଅଛି ? ପ୍ରେମ ତ କେବଳ ଯଥେଷ୍ଟ ନୁହେଁ, ବିଶେଷକରି ମୋପାଇଁ ଯଥେଷ୍ଟ ନୁହେଁ । ହୁଏତ ଆମେରିକାନ୍‌ମାନଙ୍କ ପାଇଁ ପ୍ରେମ ହିଁ ଯଥେଷ୍ଟ—ମୋ ପାଇଁ ନୁହେଁ । ଏକଥା ମୁଁ ଏବେ ବେଶ୍‌ ବୁଝି ପାରୁଛି ।’’

 

ସେ ଏକ ଶବ୍ଦାୟିତ ଦୀର୍ଘଶ୍ୱାସ ଛାଡ଼ିଲା । ‘‘ୟା’’ମାନେ ତୁମେ କ’ଣ ଜାପାନ ଫେରିଯିବ-?’’

 

‘‘ହଁ କୋବରୀ, ମୋ ବାପା ଯେମିତି ଫେରି ଯାଇଥିଲେ, ସେମିତି ।’’

 

ଏତିକିବେଳକୁ ବୟ ଟ୍ରେରେ କିଛି ଖାଦ୍ୟନେଇ ପହଞ୍ଚିଲା । କୋବରୀ ଆଗରେ ଟ୍ରେ ଥୋଇ ଚାମୁଚ ଓ ଛୁରୀ ତା ହାତକୁ ଦେଲା ।

 

‘‘ଆପଣ କ’ଣ ମ୍ୟାଡ଼ମ୍‌ଙ୍କୁ ନିଜେ ପରିଷିବେ ?’’ ବୟ ପଚାରିଲା ।

 

କୋବରୀ ଆଶ୍ଚର୍ଯ୍ୟ ହେଲା । ଅପଦସ୍ତ ଭାବେ ଚାମୁଚ ଓ ଛୁରୀ ଧରିଲା । ତା ପରେ ଅସହାୟ ଦୃଷ୍ଟିରେ ଜୋସୁକୁ ଚାହିଁଲା ।

 

‘‘ମୁଁ ଏସବୁ କେବେ ଆଗରୁ କରି ନି ।’’

 

‘‘ମୋତେ ଦିଅ’’ ଜୋସୁ ତା’ର ପତଳା ହାତକୁ ଶୀଘ୍ର ବଢ଼ାଇ ଦେଲା । ରୁପାର ଛୁରୀ ଓ ଓସାରିଆ ଚାମୁଚ ଧରି ବାଢ଼ିଦେଲା, ସବୁଥିରେ ସେ ଅଭ୍ୟସ୍ତ ଓ ଚତୁର । ‘‘ତୁମ ପ୍ଳେଟ ଧର କୋବରୀ । ମୁଁ ତୁମକୁ ବାଢ଼ି ଦେଉଛି ।’’

 

କୃତଜ୍ଞ ହୋଇ ସେ ପ୍ଳେଟ ବଢ଼ାଇଲା । ‘‘ଧନ୍ୟବାଦ’’ ସେ କହିଲା । ଜୋସୁକୁ ଅନାଇ ସେ ଭାବିଲା ଭଲ ହୋଇଛି, ବିବାହପାଇଁ ଅତୀତରେ ତିଆରି ହୋଇଥିବା ଖାଣ୍ଟି ଭାରତୀୟ ମୁକ୍ତାର ଅଳଙ୍କାରକୁ ସାଇତି ରଖିଛି । ସେ କୋମଳ ଭାବେ କହିଲା, ‘‘ଯଦିଓ ମୁଁ ତୁମକୁ ଖାଇବାକୁ ଡାକିଛି, ତଥାପି ତୁମେ ସବୁ କାମ ମୋଠୁଁ ଭଲ ଜାଣ ।’’

 

ଜୋସୁ ଟିକେ ହସିଲା । ଉତ୍ତର ଦେଲା ନି, ଏଇ ଅସହାୟ ବଡ଼ ମଣିଷକୁ ପରିଷିଦେବା ତା ପକ୍ଷରେ ସ୍ୱାଭାବିକ । ତା’ର ଜୀବନର ଅବଶିଷ୍ଟ ଦିନଗୁଡ଼ିକରେ ସେ ତ ଏଇଆ ହିଁ କରିବ ।

 

ଭର୍ଜନିଆର ଛୋଟ ସହରରେ ସେଦିନ ଭାରି ଗରମ । ଗଛ ଗୁଡାକ ସବୁଜ ଦିଶୁଥିଲା, ପାଚେରୀ ଉପରେ ଫୁଲଗୁଡାକ ଖରାରେ ଚିକ୍‌ ଚିକ୍‌ ମାରୁଥିଲା । ତଥାପି ଦିନଟା ନୀରବ ଓ ନିର୍ଜୀବ ମନେ ହେଉଥିଲା ।

 

ଶ୍ରୀମତୀ କେନେଡ଼ି ଉପରବେଳା ଗାଧୋଇ ସାରି ଚିକ୍‌ଣ ପାହାଚରେ ଓହ୍ଳାଇ ଆସୁଥିଲେ, ଶୀତଳ ନୀଳ ରଙ୍ଗର ପୋଷାକ ତଳେ ତାଙ୍କର ପତଳା ଚେହେରା ସୁନ୍ଦର ଦିଶୁଥିଲା । ଆସୁ ଆସୁ ସୁଇମିଙ୍ଗ୍‌ ପୁଲ୍‌କୁ ଚାହିଁ ଅଟକିଗଲେ । ପାଟିଗୋଳ ଓ ପାଣି ଚବ ଚବ ଶବ୍ଦ ଶୁଣି ସେ ରାଗି ଯାଇଥିଲେ । ବର୍ତ୍ତମାନ ସେ ସ୍ୱର ବାରି ପାରିଲେ, ଆଲେନ ଓ ସିନ୍ଥିଆ—ତାଙ୍କର ରାଗ କମିଗଲା । ଦୁହେଁ ଆସୁଛନ୍ତି । ସିନ୍ଥିଆ ଭାରି ହୁସିଆର । ତା’ କଥା ସେ ଭାବୁ ନ ଥିଲେ, ଗତ ବସନ୍ତରେ ଆଲେନ ଶର୍ଦ୍ଦି ରୋଗରେ ପଡ଼ି ଅତି ବ୍ୟସ୍ତରେ ଘରକୁ ଫେରିଲା ବେଳଠାରୁ ସେ ଆଲେନ ପ୍ରତି ଭାରି ଯତ୍ନଶୀଳା ହୋଇ ପଡ଼ିଛନ୍ତି । ସେମାନେ ସଙ୍ଗେ ସଙ୍ଗେ ସଲ୍‌ଫର ସ୍ପ୍ରଙ୍ଗରେ ମାସେ ଯାଏ ରହିଲେ । ବାପାଙ୍କୁ ଆଲେନ ସବୁ ଜଣାଇବା ଯାଏ ସେ ନିଜେ କିଛି ପଚାରି ନ ଥିଲେ-। ଏବେ ବି ପୁଅକୁ କିଛି ପଚାରି ନାହାନ୍ତି । ସ୍ୱାମୀ ତାଙ୍କୁ ଏତିକି କହିଥିଲେ ଯେ ସେ ଜାପାନୀ ଝିଅସବୁ ଜିନିଷପତ୍ର ନେଇ ଚାଲିଯାଇଛି । କିଛି ଲେଖା ବି ରଖି ଯାଇ ନି । ଆଲେନ ଚାକିରୀରୁ ରିଜାଇନ୍‌ କରି ବସାଛାଡ଼ି ଘରକୁ ଆସିଛି ।

 

‘‘ଏ ଈଶ୍ୱରଙ୍କର ଦୟା’’ ଏତିକି ସେ କହିଥିଲେ । ଏ କଥାର ଉତ୍ତର ନ ଦେଇ ସ୍ୱାମୀ ସ୍ୱାଭାବିକ ନୀରବ ରହିଥିଲେ, ବର୍ତ୍ତମାନ ଜଣାଗଲା କାହାରି ଦୋଷ ଦେବାର ନୁହେଁ । ବୋଧହୁଏ ବିଦେଶୀ ଝିଅଟି ବୁଝି ପାରିଲା ଯେ ଜଣେ ସ୍ତ୍ରୀଲୋକ ତାର ଏକମାତ୍ର ପୁଅକୁ ଛାଡ଼ି ପାରିବ ନି । ସେ ଆଲେନ ପ୍ରତି ପୂର୍ବାପେକ୍ଷା ଅଧିକ ସହୃଦୟତା ଦେଖାଇଲେ ଓ ଆଲେନର ସବୁ ଦାମ୍ଭିକତାକୁ ସେ ସସ୍ନେହ ଦୃଷ୍ଟି ରେ ଦେଖଲେ ।

 

ଛୋଟ ଛୋଟ କଥାରେ ପୁଅକୁ ବିରୋଧ କରିବାକୁ ସେ ଇଚ୍ଛାକଲେ ପୁଅ ବାରବାର କହେ ‘‘ମୋତେ ମୋ କଥା କରିବାକୁ ଦିଅ ।’’ ଖାଦ୍ୟ ଭଲ ନ ଲାଗିଲେ ମା’ ଏକ ନୂଆ ତରକାରୀ କରନ୍ତି । ଭାରି ଭଲ ଲାଗେ । ପୁଅର ସ୍ୱାସ୍ଥ୍ୟହୀନତା ବେଳେ ଦୁଧ, ଅଣ୍ଡା ବଡ଼ ଭଲ କାମ ଦିଅ । ସେ ଭାରି ଅବାଧ୍ୟ ଓ ଏକଜିଦିଆ, ପିଲାଟିଦିନୁଁ । ବର୍ତ୍ତମାନ ଘରବାହୁଡ଼ା ଏଇ ପୁଅଟି ପ୍ରତି ମା’ ଅଧିକ ସ୍ନେହ ଅଜାଡ଼ି ଦେଲେ ।

 

ଚଉପାଢ଼ୀ ଉପରେ ଥିବା ସିକାମର ଗଛତଳେ ଆଲେନ ଓ ସିନ୍ଥିଆ ଗଡ଼ୁଥିଲେ । ମା ଝରକାବାଟେ ଆନନ୍ଦରେ ଏ ଦୃଶ୍ୟ ଦେଖୁଥିଲେ । ଦିନଟା ଭାରି ଗରମ ଲାଗୁଥିଲା—ସେମାନେ ଓଦା ହେଉଥିଲେ । ଦୁହେଁ ଡେଙ୍ଗା ଓ ସୁନ୍ଦର । ସିନ୍ଥିଆକୁ ସେ ଜଣାଇବେ ଯେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେ ଯେମିତି ଆଉ ଗୁଡ଼ାଏ ମୋଟା ହୋଇ ନ ଯାଏ । ବିବାହପରେ ପିଲା ହୋଇଗଲେ ସ୍ତ୍ରୀ ଲୋକମାନେ ମୋଟା ହୋଇଯାଆନ୍ତି । କିନ୍ତୁ ତାଙ୍କ ନିଜ ଦେହରେ ସେରେ ମାଂସ ବି ଲାଗି ନ ଥିଲା ।

 

ସିଲ୍‌କ ପର୍ଦ୍ଦା ପକେଇ ଦେଇ ସେ ଥଣ୍ଡାଥିବା ଲମ୍ବା ହଲ ଭିତରକୁ ଗଲେ ଓ ଘଣ୍ଟି ବଜାଇଲେ । ବୁଢ଼ା ଚାକର ହାରି ହଠାତ୍‌ ପରିଷ୍କାର ଧଳା ବତକ ରଙ୍ଗର ସୁଟ୍‌ ପିନ୍ଧି ପହଞ୍ଚିଗଲା ।

 

‘‘ହାରି, ତୁ କିଛି ପାନୀୟ ନେଇ ମାଷ୍ଟର ଆଲେନ ଓ ମିସ୍‌ ସିନ୍ଥିଆକୁ ଦେଇ ଆତ’’ ସେ ଆଦେଶ ଦେଲେ ।

 

‘‘ହଉ, ମା’’

 

‘‘ଭଲକରି ବରଫ ଦେଇ ରୂପାଟ୍ରେରେ ନେଇଯିବୁ, ବୁଝିଲୁ ? ଯେଉଁ ପୁରୁଣା ଟିଣଟ୍ରେ ତୁ ବ୍ୟବହାର କରୁଛୁ ମୋତେ ଭଲ ଲାଗୁନି । ଚାରିଟା ଗ୍ଳାସ ନେ । ମି: କେନେଡ଼ି ଓ ମୁଁ ବି ତାଙ୍କ ସାଙ୍ଗକୁ ଯିବୁ ।’’

 

‘‘ହଉ, ଆଜ୍ଞା ।’’

 

ସେ ଚାଲିଗଲା । ସ୍ୱାମୀଙ୍କ ସହିତ ପୁଅ ପାଖକୁ ଯିବେ କି ନାହିଁ, ସେ ଭାବିଲେ । ହୁଏତ ପୁଅର ବ୍ୟାପରରେ ହସ୍ତକ୍ଷେପ କରିବା ଭଳି ହେବ । ମାସେ ହେଲାଣି ସେ ଭାବୁଛନ୍ତି ଯେ ଦିନେ ରାତିରେ ବା ଦିନରେ ଆଲେନ ଆସି କହିବ ‘‘ମା, ଆଜି ସିନ୍ଥିଆ ଶପଥ କରିଛି ।’’

 

ଚୂର୍ଣ୍ଣ କୁନ୍ତଳକୁ ସଜାଡ଼ି ସେ ଚଉକିରେ ବସିପଡ଼ି ଆଖି ବୁଜିଲେ । ବୋଧହୁଏ ମୁରୁକି ମୁରୁକି ହସୁଥିଲେ ଓ ଅପେକ୍ଷା କରୁଥିଲେ ।

 

ସବୁଜ ତଉଲିଆରେ ସିନ୍ଥିଆ କେଶକୁ ପୋଛି ଶୁଖାଉଥିଲା, ତା’ର ପାଦ ପାଖରେ ଘାସ ଉପରେ ଶୋଇ ଆଲେନ ଏକ ଅଳସ ପ୍ରଶ୍ନ ପଚାରିଲା ‘‘ତୁମକୁ ସବୁଜ ତଉଲିଆ ଭଲଲାଗେ, ତୁମେ ସବୁଜରଙ୍ଗ ଭଲ ପାଅ, ସବୁଜ ପୋଷାକରେ ବେଶୀ ସୁନ୍ଦର ଦିଶ ।’’

 

‘‘ମୁଁ ବାଥ୍‌ରୁମ୍‌ରୁ ଆସୁ ଆସୁ ତଉଲିଆଟା ଟାଣି ଆଣିଛି ହୁଏ ତ ଏଇଟା ସବୁଜ ରଙ୍ଗର । ଯା’ହଉ, ମୋତେ ନୀଳ ଭଲ ଲାଗେ । ନୀଳଟା ଭଲ ରଙ୍ଗ ।’’ ସେ କହିଲା ।

 

‘‘ତୁମେ ସବୁଦିନେ ଅତି ହୁସିଆର’’ ଆଲେନ ଚିଡ଼ାଇ କରି କହିଲା ।

 

‘‘ହୋଇପାରେ ।’’

 

ସେ କହୁଣୀ ଭରାଦେଇ ଉଠିପଡ଼ିଲା ‘‘ଆମେ କି ବାଜେକଥା ଗପୁଛେ ।’’

 

‘‘ସବୁବେଳେ ଆମେ ଏମିତି ଗପକରୁ, ମୋର ମନେ ଅଛି ତୁମକୁ ଯେତେବେଳେ ଦଶବର୍ଷ ତୁମେ ଅତି ଦୁଷ୍ଟ ଥିଲ’’ ସିନ୍ଥିଆ ଜଣାଇଲା ।

 

‘‘କିନ୍ତୁ ତୁମେ ମୋତେ ସେତେବେଳେ ଭଲ ପାଉଥିଲ ତ ?’’ ସେ ଟିକେ ଇତସ୍ତତଃ କରି କହିଲା ‘‘ହୁଏ ତ କେବେ ଭଲ ପାଉଥିଲି ।’’

 

ଏଥର ଆଲେନ ଉତ୍ତେଜିତ ହୋଇ ପଡ଼ିଲା, ଏଇ କଥାକୁ ମନେ ମନେ ବିଶ୍ଳେଷଣ କଲା-

 

‘‘ୟା’’ଡେ ଚାହଁ ସିନ୍ଥିଆ—ଆମେ ଫେରିବାବେଳେ ହେଲାଣି ।’’ କିଛି ଉତ୍ତର ନ ଦେଇ ସେ ତା’ର ଛୋଟ ଝାଂପୁରା ବାଳକୁ ଜୋରରେ ଘଷିଲା ।

 

‘‘ସିନ୍ଥିଆ, ସେ ବାଜେ ତଉଲିଆଟା ରଖିଦିଅ ।’’ ଆଲେନ ଆଦେଶ ଦେଲା । ନଇଁପଡ଼ି ତଉଲିଆର ଗୋଟାଏ କଡ଼ ସିନ୍ଥିଆ ହାତରୁ ଝିଙ୍କି ଖସାଇ ଦେଲା । ଦୁହେଁ ଝିଙ୍କା ଓଟରା କଲେ ।

 

‘‘ପୁଣି ଦୁଷ୍ଟାମି’’ ସିନ୍ଥିଆ ପାଟିକଲା ।

 

ଆଲେନ ତଉଲିଆଟା ଛାଡ଼ିଦେଲା । ‘‘ଭଲକଥା, ମୋ ପ୍ରତି ତୁମ ବ୍ୟବହାରରେ ମୁଁ କିନ୍ତୁ ବଡ଼ ବିରକ୍ତ । ତୁମେ ମୋ ମନକଥା ଭଲକରି ଜାଣ, କିନ୍ତୁ ତୁମକୁ ଜଣାଇବାକୁ ଦିଏ ନି । ମୋତେ ବୋକା ବନେଇ ପାରିବ ନି ।’’

 

ସେ ତଉଲିଆକୁ ଫିଙ୍ଗି ଦେଲା ‘‘ଭଲକଥା, କ’ଣ କହିବାର ଅଛି କୁହ, ଖୋଲା କଥା ସାରିଦେବା ଭଲ ।’’

 

‘‘ସିନ୍ଥିଆ’’

 

ତାର ନୀଳ ଆଖି ଦୁଇଟି ଜଳୁଥିଲା, ଓଠ ଦୁଇଟି ଚାପି ହୋଇ ରହିଥିଲା । ଆଲେନକୁ ଭୟ ଲାଗିଲା । କ’ଣ ତା’ର ମନ କଥା ?

 

‘‘କ’ଣ କୁହ’’—ସେ ଆଦେଶ କଲା ।

 

ଆଲେନ ଉତ୍ତେଜିତ ହୋଇ କହିଲା ‘‘ତୁମେ ମୋତେ ବିଭା ହେବାକୁ ମୁଁ ଚାହେଁ । ଏକଥା ଅନେକ ଦିନୁଁ ତୁମେ ଜାଣ ।’’

 

‘‘ବେଶ୍‌ ତ, ମୁଁ ତୁମକୁ ବିଭା ହେବାକୁ ଚାହେଁ ନାହିଁ, ଏକଥା ତୁମେ ଜାଣି ସାରିଛ ।’’

 

ସିନ୍ଥିଆ ଫୋପାଡିଲା ପରି କଥା କହିଲା । ଆଲେନ ଶୁଣିଲା ବିଶ୍ୱାସ କରି ପାରିଲା ନି, ଗ୍ରହଣ କରି ପାରିଲା ନି । ସପ୍ତାହ ଧରି ତାକୁ ବିବାହ କରିବା କଥା ସେ ଭାବୁଛି । ତା’ରି ପାଇଁ ବୋଧହୁଏ ସିନ୍ଥିଆ ଅନ୍ୟର ପ୍ରେମକୁ ପ୍ରତ୍ୟାଖ୍ୟାନ କରୁଛି—ଆଲେନ ଭାବିଥିଲା ।

 

‘‘ମୁଁ ଭାବିପାରୁ ନି, ତୁମେ ଯାହା କହୁଛ ତା’ର ଅର୍ଥ କ’ଣ ?’’ ସେ ଗର୍ବର ସହିତ କହିଲା-। ଉଠିପଡ଼ି ଖାଲି ପାଦରେ ଘାସଗୁଡ଼ାକୁ ଦଳିଲା ।

 

ସିନ୍ଥିଆ ସବୁଜ ତଉଲିଆକୁ ଫିଙ୍ଗି ଦେଇଥିଲା—ଆଲେନ ଆଡ଼କୁ ଦୁଃଖପୂର୍ଣ୍ଣ ବୃଷ୍ଟିରେ ଚାହିଁ ରହିଲା । ତା ମନରୁ ପ୍ରେମର ସମ୍ଭାବନା ଯେ କାହିଁକି ହଜିଗଲା, ଭାବି ସେ ଆଶ୍ଚର୍ଯ୍ୟ ହେଉଥିଲା । ଏକା ଥିଲାବେଳେ ସେ ଚିନ୍ତା କରି ନ ଥିଲା । ନିଜର ମତାମତକୁ ବିଶ୍ଳେଷଣ କରି ନ ଥିଲା । ସେ ଆକର୍ଷଣ ଓ ବିକର୍ଷଣର ମିଶାମିଶି ମଣିଷ, କେତେମାସ ହେଲା ଆଲେନ୍‌ ତାକୁ ଆକର୍ଷଣ ମନେ ହେଉ ନି । ପୁରୁଣା ବନ୍ଧୁତ୍ୱ ଅଛି କିନ୍ତୁ ପ୍ରେମ ନାହିଁ । ଆଲେନର ଉପସ୍ଥିତିରେ ଉତ୍ତେଜନା ଆସୁ ନି ।

 

‘‘ମୋର କଥା ସତ, ମୁଁ ତୁମକୁ ବିଭା ହେବାକୁ ଚାହୁଁ ନି ।’’ ସିନ୍ଥିଆ ବିରକ୍ତିରେ କହିଲା ।

 

ସିନ୍ଥିଆ ତାକୁ ଭଲ ପାଏ ନି । ଏକଥା ଅସମ୍ଭବ ହେଲେ ବି ସତ ବୋଲି ସେ ଜାଣିଲା । ମା’ କିନ୍ତୁ ବରାବର କହନ୍ତି ଯେ ସେ ଦୁହେଁ ପରସ୍ପର ପାଇଁ ଗଢ଼ା ।

 

‘‘ମୁଁ ତୁମକଥା ଗ୍ରହଣ କରିବି ନାହିଁ’’ ଆଲେନ ଗମ୍ଭୀର ହୋଇ କହିଲା, ‘‘ମୁଁ ଭାବୁଛି ଆମେ ପରସ୍ପରକୁ ବିଭାହେବା ପାଇଁ ବିଧି ନିର୍ଦ୍ଦିଷ୍ଟ । ତୁମେ ଯଦି ଜୋସୁ କଥା ଭାବୁଥାଅ—’’

 

‘‘ମୁଁ ତା କଥା ହିଁ ଭାବୁଛି ।’’ —ସିନ୍ଥିଆ କହିଲା ।

 

‘‘ଭାବିବା କିଛି ଦରକାର ନାହିଁ । ସେ କଥା ସରି ଯାଇଛି । ଯେମିତିକି ତା’ ମୋଟେ ଘଟି ନ ଥିଲା । ମୁଁ ଆଶ୍ଚର୍ଯ୍ୟ ହେଉଛି, କେମିତି ଧରା ଦେଇଥିଲି । ଘରଠୁଁ ଏତେ ଦିନେ ଦୂରରେ ରହିଥିଲି । ଅବଶ୍ୟ ଏଥିରେ ତୁମର କିଛି ଭାବିବାର ନାହିଁ ସିନ୍ଥିଆ । ତେବେ ତୁମେ ଏତିକି ଜାଣି ରଖ ଯେ ବାଜେ ଲୋକଙ୍କ ଭଳି ମୁଁ ସାଧାରଣ ଜାପାନୀ ସ୍ତ୍ରୀଲୋକଙ୍କ ପାଖକୁ ଯାଏ ନାହିଁ ।’’

 

ସିନ୍ଥିଆ ଶୁଣିଲା ପରି ଜଣାଗଲା ନି । ତା’ର ଚୁର୍ଣ୍ଣ କୁନ୍ତଳ ମୋଡି ମୋଡି ହୋଇ ଶୁଖି ଯାଇଛି, ସେ ପିଲାଳିଆ ଦିଶୁଛି । ମୂର୍ତ୍ତିପରି ସେ ଛିଡା ହୋଇଛି ।

 

ପଡ଼ିଆର ସବୁଜ ଘାସକୁ ଚାହିଁ ସେ କହିଲା, ‘‘ମୁଁ ଭାବୁଛି—ଜୋସୁ ତୁମକୁ ଛାଡ଼ିଯିବାର କାରଣ ମୁଁ ଜାଣେ । ତାର ପିଲା ହେବବୋଲି ସେ ଜାଣିଲା ।’’

 

‘‘ନାଁ, ନାଁ, ଏ କଥା ଆଦୌ ସତ ନୁହେଁ । ସେ ମୋତେ କହି ପାରିଥାନ୍ତା ।’’ ଆଲେନ ଚିତ୍କାର କଲା ।

 

‘‘ସେ ତୁମକୁ କହି ନାହିଁ ।’’ ସିନ୍ଥିଆ ତନ୍ଦ୍ରାଜଡ଼ିତ କଣ୍ଠରେ କହିଲା—‘‘ସେ ପଳାଇ ଯିବାକୁ ଚାହିଁଲା, କେଉଁଠି ବା ଏକାକୀ ରହିଥାନ୍ତା । ସେ ଜାଣିଥିଲା ତୁମ ମା’ ତାକୁ ଚାହାନ୍ତି ନି; ତେଣୁ ପିଲାଟିକୁ ବି ଚାହିଁବେ ନାହିଁ ।’’

 

‘‘ମୋ ମାଙ୍କୁ ନିନ୍ଦା କର ନାହିଁ—ଏ ତାଙ୍କର ଦୋଷ ନୁହେଁ । ତୁମ ଜାଣ—ଏପରି ଗୋଟାଏ ଆଇନ ଅଛି,’’ ଆଲେନ ପାଟି କଲା ।

 

‘‘ଇସ’’ ସେ ତଉଲିଆଟା ଫିଙ୍ଗିଦେଇ ସିକାମର ଗଛରେ ଆଉଜି ହାତ ଦୁଇଟି ଛନ୍ଦିଦେଲା, ‘‘ସତେ ଯେମିତି ଆମେରିକାରେ ଭର୍ଜିନିଆଁ ଗୋଟିଏ ମାତ୍ର ରାଜ୍ୟ !’’

 

‘‘ମୋର ଘର ଏଠି ।’’ —ସେ କହିଲା ।

 

‘‘ଇସ୍‌ !’’ ସିନ୍ଥିଆ ପୁଣି ପାଟି କଲା, ତା ଆଖି ଲୁହରେ ଟଳମଳ ହେଲା ।

 

ତା’ଆଖିରେ ଲୁହ ଦେଖି ଆଲେନ୍ ଉଠି ପଡ଼ିଲା ଓ ବାହୁ ପ୍ରସାରିତ କରି ତା ଆଡ଼କୁ ଆଗେଇ ଗଲା । ‘‘ସିନ୍ଥିଆ...ରାଣୀ ମୋର...’’

 

ସିନ୍ଥିଆ ଚିତ୍କାର କରି ଘୁଞ୍ଚିଗଲା ‘‘ମୋତେ ଛୁଅନା, ମୁଁ ସହ୍ୟ କରି ପାରିବିନା ।’’ ଟିକେ ରହିଯାଇ ତଉଲିଆଟି ଉଠାଇ ନେଇ ପଡ଼ିଆ ଭିତର ଦେଇ ଫାଟକ ଆଡ଼କୁ ଦୌଡ଼ି ଦୌଡ଼ି ଛୋଟ ପଥର ପାଚେରୀ ଡେଇଁ ତା’ର ନିଜ ଘରକୁ ଚାଲିଗଲା ।

 

ଘାସ ଉପରେ ତାର ଦୌଡ଼ିଯିବା ଦେଖି ନିଜର ଏପରି ହତବମ୍ଭ ଅବସ୍ଥା ହେବ ବୋଲି ଆଲେନ୍‌ ସ୍ୱପ୍ନରେ ଭାବି ନ ଥିଲା । ପ୍ରକୃତରେ ତା’ର ସଂସାର ସରିଗଲା । ସେଇ ବସାଘର ଛାଡ଼ିବା ଦିନଠୁଁ କେତେମାସ ହେଲାଣି ତାକୁ ଭାରି ଖରାପ ଲାଗୁଥିଲା । ତାର ମୁଣ୍ଡ ବିନ୍ଧିଲା, ସେ ଘରକୁ ଯିବାକୁ ବାହାରିଲା । ସେ ଭାବିଥିଲା ସିନ୍ଥିଆ ତାକୁ ବିଭା ହେବାକୁ ଅପେକ୍ଷା କରିଛି । ଅନେକ ଅବସର ସମୟରେ ନିଜକୁ ଭୁଲାଇଛି ଓ ଜୀବନକୁ ପୁଣି ସୁନ୍ଦର କରି ଗଢ଼ିବାକୁ ନିଜକୁ ପ୍ରବର୍ତ୍ତାଇଛି-। ଜୋସୁକୁ ଯେ ସେ ପ୍ରକୃତରେ ଭଲ ପାଏ ନି, ଏକଥା ନିଜକୁ ବିଶ୍ୱାସ କରାଇବାକୁ ଚାହୁଁଛି । କିନ୍ତୁ ଏବେ ଆଉ ଜୀବନରେ ପୂର୍ଣ୍ଣତା ଆସିବ ନି । ସିନ୍ଥିଆ ସେ ପଥର ପାଚେରୀର ଆରପଟେ, ସେ ନିଜେ ଏପଟେ, କିପରି ସେମାନେ ରହି ପାରିବେ ?

 

ଏ କଥା ସହ୍ୟ କରି ହେଉନାହିଁ । ଧୀରେ ଧୀରେ ଘରକୁ ଫେରିଲା । ରୂପାଟ୍ରେରେ ବଡ଼ ବଡ଼ ପିତଳ ଗ୍ଳାସ ଧରି ଆସୁଥିବା ହାରି ନିକଟକୁ ଦୌଡ଼ିଯାଇ ସେ ଆଦେଶ ଦେଲା ‘‘ୟା’’କୁ ସବୁ ଘରକୁ ଫେରାଇନେ ହାରି । ମିସ୍‌ ସିନ୍ଥିଆ ତାଙ୍କ ଘରକୁ ଚାଲିଗଲେଣି ।’’

 

ଯାଉ ଯାଉ ଦରଜାପାଖେ ଆଲେନ୍‌ ମାଙ୍କୁ ଭେଟିଲା, ମା’ ଉତ୍କଣ୍ଠିତ ହୋଇ ଅପେକ୍ଷା କରିଥିଲେ । ହଠାତ୍‌ ସବୁକଥା ଜଣାଇ ଦେବା ଭଲ ।’’ ମା’, ମୁଁ ତୁମକୁ ଜଣାଇ ଦେଉଛି, ଆଉ ମୋତେ କେବେ ସେ କଥା କହିବି ନି, ସିନ୍ଥିଆ ମୋତେ ବିଭା ହେବାକୁ ମନା କରି ଦେଲା ।’’

 

‘‘ଆଲେନ୍‌ !’’ ସେ ଚାପାଗଳାରେ ଚିତ୍କାର କଲେ ‘‘କାହିଁକି ?’’

 

‘‘କାରଣ କିଛି କହିଲା ନି ସେ । ହୁଏ ତ ମୁଁ ତାକୁ ଆକର୍ଷଣୀୟ ମନେ ହେଲେ ନି ।’’ ଆଲେନ୍‌ ଅଳ୍ପ ହସି କହିଲା ।

 

ତାର ଡେଙ୍ଗୀ ଓ ସୁନ୍ଦରୀ ମାଙ୍କୁ ଚାହିଁ ତାକୁ ଦୁଃଖ ଲାଗିଲା । ମା ଦେଖିଲେ ଯେ ତା’ ମନର ଗର୍ବ ତଳେ ହତାଶା ଘେରି ରହିଛି । ‘‘ମୁଁ ଭାବୁଛି ସୈନ୍ୟ ବିଭାଗକୁ ଫେରିଯିବି ମା’’ ଆଲେନ ଅନିଶ୍ଚିତ ଭାବେ କହିଲା ।

 

‘‘ଓଃ, ବାବୁ’’ ମା କାନ୍ଦି କାନ୍ଦି ହାତ ଦୁଇଟି ତା’ ଆଡ଼କୁ ବଢ଼ାଇ ଦେଲେ ।

 

‘‘ଛାଡ’’ ସେ ତାଙ୍କର ହାତ ଏଡାଇ ଦେଇ ପାହାଚରେ ଚଢ଼ି ନିଜ ଘରକୁ ଚାଲିଗଲା ।

 

ଡକ୍ଟର ଷ୍ଟେନର ଆଣ୍ଠୁ ଉପରେ ଧଳା ବଡ଼ ଗାଧୁଆ ତଉଲିଆକୁ ପକେଇ ବସିଥିଲେ । ‘‘ଏବେ, ତାକୁ ଆଣ ଶ୍ରୀମତୀ ମାର୍କି ।’’ ସେ ଆଦେଶ କଲେ ‘‘ମୋ ଆଣ୍ଠୁ ଉପରେ ତାକୁ ବସାଅ । ମୁଁ ତାକୁ ପୋଛି ପାଉଡ଼ର ଲଗାଇ ଦେବି ।’’

 

ଶ୍ରୀମତୀ ମାର୍କି ଜଣେ ପାତଳୀ ବୟସ୍କା ମହିଳା । ସଫା ଧୂସର ରଙ୍ଗର କାଲିକୋ ପୋଷାକ ପିନ୍ଧି, ଛୋଟ ଧଳାଫୁଲ କିଛି ଳଗାଇ ଥାଆନ୍ତି । ସେ ଲେନିକୁ ଯତ୍ନରେ ଗାଧୋଇ ଦେଇ ଉଠାଇ ଡକ୍ଟର ଷ୍ଟେନରଙ୍କ ପ୍ରସାରିତ ପ୍ରଶସ୍ତ କୋଳ ଉପରେ ଶୁଆଇ ଦେଲେ । ସେ ପାରୁ ପର୍ଯ୍ୟନ୍ତ ସିଧା ହୋଇ ବସିଲା, ସାହସର ସହିତ ଡକ୍ଟର ଷ୍ଟେନରଙ୍କୁ ଚାହିଁ ଅନିଶ୍ଚିତତାର ହସ ହସିଲା । ସ୍ତ୍ରୀଲୋକ ଦୁହେଁ ତାକୁ ଗେଲେରେ ପିନ୍‌ରେ ଫୋଡ଼ିଦେଲେ ବା ଖାଇବାକୁ ଦେବାରେ ଡେରି କଲେ ସେ ଦୁଃଖକରେ । ଅନ୍ୟବେଳେ ଦୁଇ ଜଣଙ୍କର ମୁହଁକୁ ଚାହିଁ ହସେ । ତା’ର ଏସିଆନ୍‌ ଆଖି ଯୋଡିକ ବଡ଼ ବଡ଼, କଳା, କୋମଳ, କିନ୍ତୁ ଟିକେ ବଙ୍କା ଓ ଉପରକୁ ମୋଡ଼ି ହୋଇଥିବା ପତା ଦ୍ୱାରା ବେଷ୍ଟିତ, ଏପରି ଆଖିପତା ଏସିଆନ୍‌ ମୁହଁରେ ନାହିଁ । ତା’ର ମୋଟା ଛୋଟ ସଳଖ ଶରୀରଟି ତା’ର ଚାରିକଣିଆ କାନ୍ଧ, ଫୁଲର ପାଖୁଡ଼ା ଆଙ୍ଗୁଠି ଲଗା ହାତ, ତା’ର ଖୁରୁସାଣିଆ ଛୋଟ ମୁହଁ, ପାଟି ଓ ଉଚ୍ଚା ନାକ, ଡକ୍ଟର ଷ୍ଟେନରଙ୍କର ମୋଟା ଚେହେରାରେ ପୁଲକ ଆଣେ । ପ୍ରିୟ ଶିଶୁଟିକୁ ସ୍ୱାସ୍ଥ୍ୟରକ୍ଷା ନିୟମ ଅନୁସାରେ ପୋଛୁ ପୋଛୁ ସେ ରହିଯାଆନ୍ତି ।

 

ବକୃତା ଦେଲା ପରି ସେ କହିଲେ—‘‘ମିସେସ୍‌ ମାର୍କି, ଦୟାକରି ଲେନି ହାତକୁ ନଜର କର । ଦେଖ କେମିତି ଆଙ୍ଗୁଠିର ଭଙ୍ଗୀ ହେଉଛି । ପ୍ରଥମ ଓ ଚତୁର୍ଥ ଆଙ୍ଗୁଠି ବୁଢ଼ା ଆଙ୍ଗୁଠି ସହିତ ଲମ୍ବି ଯାଉଛି । ଦ୍ୱିତୀୟ ଓ ତୃତୀୟ ଆଙ୍ଗୁଠି ମୋଡ଼ି ହୋଇ ରହିଛି । ବର୍ମାରେ ଏଇ ଭଳି ନାଚ ହୁଏ, ଶ୍ୟାମରେ ବି...ସେଇଠୁ ଅନ୍ୟ ଦେଶମାନଙ୍କୁ ଏହି ନୃତ୍ୟଭଙ୍ଗୀ ସଞ୍ଚରି ଯାଏ । ଜାପାନରେ ବି ଏହିପରି ନାଚ ହେଉଥିବ । ତା ଅର୍ଥ ଏସିଆନ୍‌ ନାଚ ଗୁଡ଼ିକର ମୁଦ୍ରାଗୁଡ଼ିକ ଏକ...ନୂତନ ମାନବଶିଶୁ ହାତର ପ୍ରଥମ ଭଙ୍ଗୀ ଭଳି ।

 

ମିସେସ୍‌ ମାର୍କି ଅପାଠୁଆ ଲୋକ, କିନ୍ତୁ ସେ ସମ୍ମାନର ସହିତ ଲେନି ହାତକୁ ଚାହିଁଲେ । ଚଢ଼େଇ ପରି ସେ ମୁକ୍ତ ହୋଇ ଉଡ଼ୁଛି, ଶଯ୍ୟାର ଧାରେ ଧାରେ ସେ ନାଚୁଛି, ସତେ ଯେମିତି ପବନ ଭିତରକୁ ଉଡ଼ିଯିବାକୁ ସେ ଚାହୁଁଛି । ଆନନ୍ଦ ଓ ହସରେ ଉଜ୍ଜଳ ଏକ ଝରଣା ପରି ସେ ଜୀବନ୍ତ, ତାଙ୍କ ନିଜର ଶିଶୁମାନଙ୍କଠାରୁ ସେ ଭିନ୍ନ ଜଣାଯାଉଛି । ତାଙ୍କ ପିଲା ଭିତରୁ ଜଣେ ବଡ଼ ହେଲା ପରେ ଜଙ୍ଗଲରେ ହଜି ଯାଇଛି । ସେ ଲେନିକୁ ନେଇ ଗର୍ବ କଲାବେଳେ ପଡୋଶୀ ସ୍ତ୍ରୀଲୋକମାନେ କହନ୍ତି ‘‘ଗୋଟାଏ ଜାପନୀ ଶିଶୁକୁ ତୁମେ କିପରି ଏତେ ଭଲ ପାଉଛ !’’

 

‘‘ଲେନି ଜାପାନୀ ନୁହେଁ । ମୁଁ ଦେଖିଥିବା ସବୁ ଶିଶୁମାନଙ୍କଠାରୁ ସେ ଭିନ୍ନ ।’’ ସେ ପ୍ରତିବାଦ କରନ୍ତି ।

 

‘‘ବିଶେଷତଃ ତୁମ ପୁଅ ଯେତେବେଳେ ଜାପାନୀଙ୍କ ହାତରେ ମରିଛି...’’ ସେମାନେ ନିଷ୍ଠୁର ଭାବେ କହନ୍ତି ।

 

ତାଙ୍କ ସାମ୍‌ର କଥା ପଡ଼ିଲେ ତାଙ୍କ ଅନ୍ତର କ୍ଷତାକ୍ତ ହୁଏ । ତଥାପି ସେ କହନ୍ତି ‘‘ଲେନି ତ ଏ କଥା କରି ନାହିଁ ।’’

 

କିନ୍ତୁ ନିର୍ବୋଧ ପଡ଼ୋଶିନୀମାନେ କିପରି ତାଙ୍କର ମନକଥା ବୁଝିବେ ?

 

ଏବେ ଲେନିର ଏକ ଭୟଙ୍କର ପରିବର୍ତ୍ତନ ଆସେ । ମିନିଟିଏ ସେ ସକାଳ ପରି ଉଜ୍ଜଳ ହୋଇ ଯାଏ ତ ପରେ ହଠାତ୍‌ ତାର ଛୋଟ ବୁଦ୍ଧି ଦୀପ୍ତ ମୁହଁରେ ଦୃଢ଼ ଚାହାଁଣୀ ଫୁଟି ଉଠେ । ଆଜିଯାଏ ତାର ସଂସାରର କେନ୍ଦ୍ରବିନ୍ଦୁ ବୋଲି ଯେଉଁ ଡକ୍ଟର ଷ୍ଟେନରଙ୍କୁ ସେ ଜାଣେ, ତାଙ୍କ ଆଡ଼କୁ ଆଖି ତରାଟି ଚାହେଁ । ତା’ର ଗୋଲାପୀ ଓଠ ଥରେ, ଆଖି ପତାରେ ଲୁହ ଜକେଇ ଆସେ, ଏଇ ଅଶ୍ରୁ ଏକ ନୂତନ ସମ୍ଭାରର ପ୍ରତୀକ ।

 

‘‘ଶ୍ରୀଘ୍ର...ତାକୁ ଭୋକ ହେଲାଣି, ବହୁତ ଡେରି ହେଲାଣି...ହଁ, ହଁ ପୁଅ... । ବୋତଲ ଆଣ ଶ୍ରୀମତୀ ମାର୍କି ।’’ ଡକ୍ଟର ଷ୍ଟେନର ଚିତ୍କାର କରନ୍ତି ।

 

ମିସେସ୍‌ ମାର୍କି ବୋତଲ ଆଣିବାକୁ ଧାଇଁଯାନ୍ତି, ବୋତଲ ଗରମ ନୁହେଁ କି ଥଣ୍ଡା ନୁହେଁ–ଡକ୍ଟର ଅନୁଭବ କରନ୍ତି । ବୋତଲ ଥୋଇଦେଲେ ଏକ ଛୋଟ ହାତଥିବା ଜାମା ଲେନିର ମୁଣ୍ଡତଳେ ରଖନ୍ତି ଓ ଜଘଂରେ ନାପକିନ୍‌ ବାନ୍ଧି ଦିଅନ୍ତି । ସେ ନିଜର ପାଦ ଓ ହାତକୁ ହଲାଇ ନିଜ ଇଚ୍ଛା ପ୍ରକାଶ କରେ । ବିଳମ୍ବ ସହି ପାରେ ନାହିଁ ।

 

ଡକ୍ଟର ଷ୍ଟେନର କ୍ଷମା ମାଗି କହନ୍ତି ‘‘ହେଇ, ହେଇ,...ମୁଁ ଟିକେ ଅଳସୁଆ...ହେଇରେ ବାବୁ ବୋତଲ ଆସିଗଲା ।’’

 

ତା ବୟସ ତୁଳନାରେ ଅତିଶୀଘ୍ର ସେ ହାତ ବଢ଼େଇ ବୋତଲ ଧରେ ଓ ପାଟିରେ ଭର୍ତ୍ତି କରେ । ବର୍ତ୍ତମାନ ପାଟିରେ ତାର ଭୋକର ସବୁଦୁଃଖ କେନ୍ଦ୍ରୀଭୂତ ହୁଏ । ଡକ୍ଟର ଷ୍ଟେନର ଦେଖନ୍ତି, ତାଙ୍କର ଦୀର୍ଘ ହାତକୁ ତକିଆ ପରି ପିଠରେ ଦେଇ ସେ ଶୁଏ, ସନ୍ତୋଷରେ ସ୍ଥିର ହୁଏ...ତା’ଉପରକୁ ନଇଁ ପଡ଼ିଥିବା ଦୟାର୍ଦ୍ର ବଡ଼ ମୁହଁଟିକୁ ସେ ଚାହେଁ । ମିସେସ୍‌ ମାର୍କ ଗାଧୁଆ କୁଣ୍ଡ ସଫା କରିବାର ଦୈନିକ ପୂଜା ଦେବୀକୁ ପରିଷ୍କାର କରିବାର ଛୋଟ ଛୋଟ ଶବ୍ଦ ଲେନି ଶୁଣି ପାରେନାହିଁ । ଡକ୍ଟର ଷ୍ଟେନର ସବୁଦିନ ଅବସର ସମୟରେ ଲେନି ସହିତ ଲାଗନ୍ତି ।

 

‘‘ମୁଁ ଗତକାଲି ପରୀକ୍ଷା ଶେଷ କରିଛି, ବୁଝୁଛ ମାର୍କି ।’’

 

‘‘ତୁମେ କ’ଣ ପାଇଁ ଏସବୁ କରିଛ ? ‘‘ଶ୍ରୀମତୀ ମାର୍କି ବିଦ୍ରୋହ ସୂଚକ କଣ୍ଠରେ ଚୁପ୍‌ ଚୁପ୍‌ କହିଲେ । ଏତେ ଛୋଟ, ସୁନ୍ଦର ଜୀବଟିକୁ ପରୀକ୍ଷା କରିବା ନିଷ୍ଠୁରତା ଓ ଧୃଷ୍ଟତା ବୋଲି ସେ ଭାବନ୍ତି । ସତେ ଯେମିତି ଲେନିକୁ ପରୀକ୍ଷା ନ କଲେ କେହି ଜାଣି ପାରିବେ ନି ଯେ ସେ ଏକ ଅସାଧାରଣ ଭଲ ପିଲା ।

 

‘‘ମୁଁ ନ୍ୟୁରୋଲଜି ପରୀକ୍ଷା ବି ସାରିଛି’’ ଡକ୍ଟର ଷ୍ଟେନର ବଡ଼ ପାଟିରେ କହନ୍ତି ‘‘ତା’ର ଭାରି ଭଲ ବୁଦ୍ଧି, ତା ବୟସର ପିଲା ଭିତରେ ସେ ସବୁଠୁଁ ବେଶୀ ବୁଦ୍ଧି ମାନ । ଏକଥା ଜାଣିରଖ ମାର୍କି ।’’

 

‘‘ଆପଣ ଲେନିକୁ ଏତେ ବିରାଟ ବୋଲି କୁହନ୍ତୁ ନି’’ ଶ୍ରୀମତୀ ମାର୍କି ତୀକ୍ଷ୍‍ଣ କଣ୍ଠରେ କହିଲେ ।

 

ଡକ୍ଟର ଷ୍ଟେନର ତାଙ୍କୁ ଚାହିଁ ପଚାରିଲେ ‘‘କାହିଁକି କହିବି ନି ?’’

 

‘‘ସେ ଅସାଧାରଣ ବୋଲି ଜଣା ପଡ଼ୁନି ତ ! ସେ ମୋର ଅତି ପ୍ରିୟ ଶିଶୁଟି ।’’ ଶ୍ରୀମତୀ ମାର୍କି କହିଲେ ।

 

ଲେନି ତାଙ୍କ ସ୍ୱର ଶୁଣି ଆଖି ବୁଲାଇ ତାଙ୍କୁ ଚାହିଁଲା ଓ ତାଙ୍କ ଅନ୍ତର ଆନନ୍ଦରେ ଭରିଗଲା । ଡକ୍ଟର ଷ୍ଟେନରଙ୍କ ପେଟଭିତରୁ ହସ ଉଠି ଆସିଲା ।

 

‘‘ମାର୍କି, ତୁମେ ତାକୁ ଭଲ ପାଉ ନ ।’’

 

ଶ୍ରୀମତୀ ମାର୍କି ମୁହଁରେ ହାତଦେଇ ଭଙ୍ଗା ଦାନ୍ତକୁ ଲୁଚାଇଲେ । ହସିବାକୁ ବାଧ୍ୟ ହେଲେ-। ‘‘ଏକଥା କୁହନ୍ତୁ ନି । ମୋର ଏତେ ପିଲା ଥିଲେ, ସବୁ ମରିଗଲେ ତଥାପି ଏଇ ଟିକି ଲେନି ମୋତେ ଚାହିଁଦେଲେ ମୋର ଅନ୍ତର ବରଫ ତରଳିଲା ପରି ତରଳି ପଡ଼ୁଛି ।’’

 

ଲେନି ବୋତଲକୁ ଠେଲି ଦେଲା । ତା’ ଗାଲବାଟ ଦେଇ କ୍ଷୀର ବୋହିଗଲା । ସ୍ୱର୍ଗର ଏକ ଗନ୍ଧର୍ବ ଭଳି ସେ ହସିଲା । କୌତୁହଳରେ ସ୍ତ୍ରୀଲୋକ ଦୁହିଁଙ୍କୁ ଚାହିଁଲା । ଏଥର ସେ କ’ଣ କହିବେ ?

 

ଡକ୍ଟର ଷ୍ଟେନର ତାର ହସ ହସ ମୁହଁକୁ ଚାହିଁଲେ । ମୃତ ଶିଶୁମାନଙ୍କ କଥା ସେ ହଠାତ୍‌ ଭାବିଲେ, ଭୋକରେ ଛଟପଟ ହୋଇ ବନ୍ଧୁକ ମୁନରେ ମରି ଗଦା ହେଉଥିବା ଶିଶୁଙ୍କ କଥା । ବାପ ମା’ଙ୍କ ଲାଗି ସେମାନେ ମରନ୍ତି, ବାପ ମା’ ଯଦି କିଉ କ୍ୟାଥୋଲିକ ବିଦ୍ରୋହୀ କିମ୍ବା ଘୃଣିତ ହୋଇଥାନ୍ତି । ଏଇ ସବୁ ସ୍ମୃତି ଆଖିରେ ରଖିଲେ ତାଙ୍କ ଅସହ ବୋଧହୁଏ । ଲେନି ଅତି କୋମଳମତି, ବୁଦ୍ଧିମାନ୍‌, ସଂସାରର ସବୁ କିଛି ଭଲ ତା’ଠି ଭରି ରହିଛି । ତାକୁ ସେ କାନ୍ଧରେ ପକାଇଲେ ଓ ଗାଲ ପାଖରେ ତା’ର କୋମଳ ବାଦାମୀ କେଶର ସ୍ପର୍ଶ ଅନୁଭବ କଲେ । ଏଇ ଶିଶୁଟି ବଳୁଆ, ଧୀର ଓ ବୁଦ୍ଧିମାନ୍‌ । ତାକୁ ସେ ଠିକ୍‌ ଚିହ୍ନନ୍ତି, ସେ ବଡ଼ ମଣିଷ ହେବ । ସେ ନିଜେ ଜଣେ ଭଲଲୋକ, ଅବିବାହିତା ବୃଦ୍ଧା । ଲେନିର ମନ ସଂକୀର୍ଣ୍ଣ ହେବନି, ସେ ଅଜ୍ଞତାବଶତଃ ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିବ ନି, ଏହା ସେ ନିଶ୍ଚିତ ଭାବେ ଜାଣି ପାରୁଥିଲେ । ଅନେକ ମୃତ ଓ ନଷ୍ଟ ଶିଶୁଙ୍କ ମଧ୍ୟରୁ ସେ ଏଇ ମାତ୍ର ଗୋଟିଏ ଶିଶୁକୁ ରକ୍ଷାକରି ପାରିଛନ୍ତି ।

 

‘କି ସୁନ୍ଦର ଫୁଲଟି ପରି ଏ ହୋଇଛି !’ ସେ ଗୁଣୁଗୁଣୁ କରି କହିଲେ । ଦୃଢ଼ଭାବେ ବସି ଝୁଲି ଝୁଲି ଲେନିର ପିଠିକୁ ଥାପୁଡ଼ାଇଲେ ।

Image